“ତାଙ୍କର ଏହି ଫଟୋ ଆଜି ଏପରି ଏହି କାନ୍ଥରେ ନଥାନ୍ତା,” ବୋଲି ଶୀଲା ତାରେ କୁହନ୍ତି । “ଯଦି ସଠିକ୍‌ ସମୟରେ ତାଙ୍କର ରୋଗ ନିର୍ଣ୍ଣୟ ହୋଇପାରିଥାନ୍ତା, ତାହାହେଲେ ସେ ଆଜି ଏଠାରେ ଆମ ସହିତ ଥାଆନ୍ତେ” ।

ତଳେ ନୀଳରଙ୍ଗର ପୃଷ୍ଠଭୂମିରେ ଥିବା ତାଙ୍କ ସ୍ୱାମୀ ଅଶୋକଙ୍କ ଫଟୋଗ୍ରାଫ୍‌ରେ ମରାଠି ଭାଷାରେ ‘ ମୃତ୍ୟୁ : 30/05/2020’ ବୋଲି ଲେଖାହୋଇଥିଲା ।

ପଶ୍ଚିମ ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ କେ.ବି ଭାବା ଡାକ୍ତରଖାନାରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ କୋଭିଡ୍‌-୧୯ ସଂକ୍ରମଣ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କୁ ୪୬ବର୍ଷ ହୋଇଥିଲା ଓ ସେ ଗ୍ରେଟର୍‌ ମୁମ୍ବାଇ ପୌରପାଳିକା ନିଗମ(ବିଏମ୍‌ସି)ରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ।

ଶୀଲା, ୪୦, ଙ୍କ ଆଖି ଛଳଛଳ ହୋଇଗଲା । ପୂର୍ବ ମୁମ୍ବାଇର ଚେମ୍ବୁରସ୍ଥିତ ବସ୍ତି ଥଇଥାନ କତ୍ତୃପକ୍ଷଙ୍କ ବିଲ୍ଡିଂରେ ଥିବା ତାଙ୍କର ୨୬୯ ବର୍ଗ ଫୁଟ୍‌ର ଭଡା ଫ୍ଲାଟ୍‌ରେ ରହୁଥିବା ପରିବାରର ସମସ୍ତେ ହଠାତ୍‌ ନୀରବ ହୋଇଗଲେ । ତାଙ୍କର ପୁଅ ନିକେଶ ଓ ସ୍ୱପ୍ନିଲ ଓ ଝିଅ ମନିଷା, ମା‘ଙ୍କ କଥା ଶୁଣିବାକୁ ଅପେକ୍ଷା କରିରହିଲେ ।

“ଏପ୍ରିଲ୍‌ ୮-୧୦ ମଧ୍ୟରେ କୌଣସି ଏକ ଦିନ, ଯେତେବେଳେ ଭନ୍ଦୁପ୍‌ଠାରେ ଥିବା ତାଙ୍କ ଚୌକିରେ ମୁକୁନ୍ଦମ  (କୋଭିଡ୍‌- ୧୯) ପଜିଟିଭ୍‌ ଥିବା ଜଣାପଡିଲା,” ଶୀଲା ନିଜ କଥା ଜାରି ରଖି କୁହନ୍ତି “ସେମାନେ ସେହି ଚୌକି  ବନ୍ଦ କରିଦେଲେ ଓ ସମସ୍ତ କର୍ମଚାରୀଙ୍କୁ ନାହୁର୍‌ଠାରେ ଥିବା ଚୌକି  (ସହରର ଏସ୍‌ ୱାର୍ଡରେ, ସେହି ଅଞ୍ଚଳରେ)ରେ ଯାଇ ରିପୋର୍ଟ କରିବାକୁ କହିଲେ । ଏକ ସପ୍ତାହ ପରେ ସେ ଶ୍ୱାସକ୍ରିୟା ସମୟରେ କଷ୍ଟ ଅନୁଭବ କରୁଥିବା ବିଷୟରେ ଜଣାଇଥିଲେ ।

ଅଶୋକ ଏକ ଆବର୍ଜନା ଏକାଠି କରୁଥିବା ଟ୍ରକ୍‌ରେ ଗୋଟିଏ ଦଳ ସହିତ କାମ କରନ୍ତି, ଯେଉଁମାନେ ଭାନ୍ଦୁପ୍‌ର ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇଥାନ୍ତି । ସେ ସୁରକ୍ଷା ପୋଷାକ ପିନ୍ଧୁନଥିଲେ । ଆଉ ସେ ମଧୁମେହ ରୋଗୀ ମଧ୍ୟ ନଥିଲେ । ସେ ତାଙ୍କ ଠାରେ ଥିବା ଲକ୍ଷଣଗୁଡିକ ପ୍ରତି ତାଙ୍କର ମୁଖ୍ୟ ସୁପର୍‌ଭାଇଜର୍‌ଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ହେଲେ, ଅସୁସ୍ଥତା ପାଇଁ ଛୁଟି ଓ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କର ଅନୁରୋଧକୁ ଅଣଦେଖା କରାଗଲା । ଶୀଲା ସେଦିନ କଥା ମନେପକାନ୍ତି ଯେଉଁଦିନ ସେ ଅଶୋକଙ୍କ ସହିତ ମିଶି ନହୁର ଚୌକିକୁ ଯାଇଥିଲେ ।

“ମୁଁ ପାଞ୍ଚଦିନ ପାଇଁ ଛୁଟି ମଞ୍ଜୁର କରିବାକୁ ସାହେବଙ୍କୁ ଅନୁରୋଧ କରିବାକୁ ତାଙ୍କ ସହିତ ଯାଇଥିଲି” ବୋଲି ସେ କୁହନ୍ତି । ଏହାସହିତ ସେ ଏହା ମଧ୍ୟ କହିଲେ ଯେ, ଅଶୋକ ତାଙ୍କର ୨୧ଦିନର ପୂରା ବେତନ ଛୁଟି ମଧ୍ୟ ନେଇନାହାନ୍ତି । “ସାହେବ ଚୌକି ଉପରେ ବସି କହିଲେ ଯଦି ସମସ୍ତେ ଛୁଟିରେ ଚାଲିଯିବେ, ତାହାହେଲେ ଏହି ପରିସ୍ଥିତିରେ କାମ କିଏ କରିବ?”

ଏଣୁ ଅଶୋକ ଏପ୍ରିଲ୍‌ ଓ ମେ ମାସ ସାରା କାମ କରିଥିଲେ । ତାଙ୍କର ସହକର୍ମୀ, ସଚିନ୍‌ ବଙ୍କର (ତାଙ୍କ ଅନୁରୋଧରେ ନାମ ବଦଳାଯାଇଛି), କହିଲେ ଯେ ଅଶୋକ କାମ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ସେ ଦେଖିପାରୁଥିଲେ ।

Sunita Taare (here with her son Nikesh) is still trying to get compensation for her husband Ashok's death due to a 'suspected' Covid-19 infection
PHOTO • Jyoti Shinoli
Sunita Taare (here with her son Nikesh) is still trying to get compensation for her husband Ashok's death due to a 'suspected' Covid-19 infection
PHOTO • Jyoti Shinoli

ଶୀଲା ତାରେ (ଏଠାରେ ତାଙ୍କ ପୁଅ ନିକେଶଙ୍କ ସହିତ) ଏବେ ମଧ୍ୟ ତାଙ୍କ ସ୍ୱାମୀ ଯାହାର ‘ସଂଦିଗ୍ଧ’ କୋଭିଡ୍‌- ୧୯ ଯୋଗୁଁ ମୃତ୍ୟୁ ହୋଇଥିବା, ତାହାର କ୍ଷତିପୂରଣ ପାଇବାକୁ ଚେଷ୍ଟା କରୁଛନ୍ତି

“ସେ ଖୂବ୍‌ ଶୀଘ୍ର ଥକି ଯାଉଥିଲେ ଓ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଥିଲା । ହେଲେ, ସାହେବ  ଯଦି ଆମ କଥା ନଶୁଣିଲେ, ତାହାହେଲେ ଆମେ କଣ କରିପାରିଥାନ୍ତୁ?” ବୋଲି ସଚିନ ଆମକୁ ଫୋନ୍‌ରେ କହିଥିଲେ । “ ଆମ ଚୌକିର କାହାର ମଧ୍ୟ, ସ୍ଥାୟୀଭାବେ ବା ଠିକାରେ କରୁଥିବା କର୍ମଚାରୀ, କୋଭିଡ୍‌- ୧୯ ପାଇଁ ଯାଞ୍ଚ ହୋଇନି । ସେମାନଙ୍କ ପାଖରେ ଏହାର ଲକ୍ଷଣ ରହିଛି କି ନାହିଁ, ସେ ବିଷୟରେ ମଧ୍ୟ କେହି ଅନୁସନ୍ଧାନ କରିନାହାନ୍ତି । ଆମକୁ କେବଳ ଅନ୍ୟ ଏକ ଚୌକିରେ ରିପୋର୍ଟ କରିବାକୁ କୁହାଗଲା ।’’(ସଚିନ ଓ ଅନ୍ୟ କର୍ମଚାରୀଙ୍କ ସହାୟତାରେ ମୁକୁନ୍ଦମଙ୍କ ସହିତ ଯୋଗାଯୋଗ କରିବା ଓ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ସଂଗ୍ରହ କରିବା ପାଇଁ ଏହି ରିପୋର୍ଟରର ପ୍ରୟାସ ସଫଳ ହୋଇଥିଲା) ।

ଜୁଲାଇ ଶେଷ ସପ୍ତାହରେ ଯାଇ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ବିଏମ୍‌ସି ଦ୍ୱାରା ପରିଚାଳିତ ଏକ କ୍ୟାମ୍ପରେ ସଚିନ୍‌ ଓ ତାଙ୍କ ସହକର୍ମୀମାନଙ୍କ କୋଭିଡ୍‌- ୧୯ ପାଇଁ ପରୀକ୍ଷା କରାଯାଇଥିଲା । “ମୋ ପାଖରେ କୌଣସି ଲକ୍ଷଣ ନାହିଁ ବା ମତେ ଜ୍ୱର ହୋଇନି, ବୋଲି ସଚିନ୍‌ କହିଲେ । “ହେଲେ, ମାର୍ଚ୍ଚ – ଏପ୍ରିଲ୍‌ରେ ଆମର ପରୀକ୍ଷଣ କରାଯିବା କଥା, ଯେତେବେଳେ ସ୍ଥିତି ଗମ୍ଭୀର ଥିଲା ।

ଏପ୍ରିଲ ୫ ବେଳକୁ ଏସ୍‌ ୱାର୍ଡରେ ୧୨ କୋଭିଡ୍‌ ପଜିଟିଭ୍‌ କେସ୍‌ ରେକର୍ଡ କରାଯାଇଥିଲା । ଏପ୍ରିଲ୍‌ ୨୨ ବେଳକୁ, ଏହି ସଂଖ୍ୟା ବୃଦ୍ଧି ପାଇ ୧୦୩ ହୋଇଯାଇଥିଲା । ଜୁନ୍‌ ୧ରେ , ଅଶୋକଙ୍କ ମୃତ୍ୟୁର ପରଦିନ, ଏହି ୱାର୍ଡର କେସ୍‌ ସଂଖ୍ୟା ୧୭୦୫ରେ ପହଞ୍ଚି ଯାଇଥିବା ବେଳେ ଜୁନ୍‌ ୧୬ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ୩,୧୬୬ ହୋଇଯାଇଥିଲା ବୋଲି ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ରିପୋର୍ଟର୍‌କୁ ଜଣାଇଥିଲେ ।

କେସ୍‌ ସଂଖ୍ୟା ବୃଦ୍ଧି ହେବା ଅର୍ଥ ହେଉଛି ମୁମ୍ବାଇର ସମସ୍ତ ୱାର୍ଡରେ କୋଭି଼ଡ୍‌ ସମ୍ବନ୍ଧିତ ବର୍ଜ୍ୟ ବଢିବା । ବିଏମ୍‌ସିର କଠିନ ବର୍ଜ୍ୟ ପରିଚାଳନା ବିଭାଗରୁ ଜଣାପଡିଛି ଯେ ମାର୍ଚ୍ଚ ୧୯ -୩୧ ମଧ୍ୟରେ, ମୁମ୍ବାଇରେ ୬୪୧୪ କିଲୋ କୋଭିଡ – ୧୯ ବର୍ଜ୍ୟ ସୃଷ୍ଟି ହୋଇଥିଲା । ଏପ୍ରିଲ୍‌ରେ ସହରରେ ୧୨୦ଟନ୍‌ରୁ ଅଧିକ  କୋଭିଡ୍‌- ୧୯ ବର୍ଜ୍ୟ (ସଂଗରୋଧ କ୍ଷେତ୍ରକୁ ମିଶାଇ) ବାହାରିଥିବା ବେଳେ ମେ’ରେ ଏହାର ପରିମାଣ ୧୧୨, ୫୨୫  କିଲୋ ଥିଲା । ମେ ଶେଷ ବେଳକୁ, ଯେତେବେଳେ ଅଶୋକଙ୍କ ମୃତ୍ୟୁ ହୋଇଥିଲା, ଏହି ପରିମାଣ ମାସକୁ ପାଖାପାଖି ୨୫୦ଟନ୍‌ରେ ପହଞ୍ଚି ଯାଇଥିଲା ।

ଏହି ବର୍ଜ୍ୟ ଗୋଟାଇବା – ଯାହା ପ୍ରାୟତଃ ପୃଥକ୍‌ କରି ରଖାଯାଏନି ବରଂ ମୁମ୍ବାଇରେ ସୃଷ୍ଟି ହେଉଥିବା ଅନ୍ୟାନ୍ୟ ଟନ୍‌ ଟନ୍‌ ବର୍ଜ୍ୟ ସହିତ ମିଶି ରହିଥାଏ – ସହରର ସଫେଇ କର୍ମଚାରୀଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ  । “ପ୍ରତିଦିନ ଆମେ ପ୍ରଚୁର ପରିମାଣର ମାସ୍କ, ଗ୍ଲୋଭ୍ସ, ଫିଙ୍ଗା ହୋଇଥିବା ଟିସୁ ପେପର୍‌ ଆଦି ବର୍ଜ୍ୟ ସଂଗ୍ରହ ସ୍ଥାନରୁ ପାଇଥାଉ” ବୋଲି ସଚିନ୍‌ କୁହନ୍ତି ।

ଅନେକ ସଫେଇ କର୍ମଚାରୀ ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ସବୁବେଳେ ସେମାନଙ୍କ ସ୍ୱାସ୍ଥ୍ୟ ନିରୀକ୍ଷଣ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରଖାନା ପାଇଁ ଦାବି କରି ଆସୁଛନ୍ତି । ( ଏସେନ୍‌ଲିଆଲ୍‌ ସର୍ଭିସ୍‌, ଏକ୍ସପାଣ୍ଡେବଲ୍‌ ଲାଇଭ୍‌ସ ଦେଖନ୍ତୁ )  । ହେଲେ, ବିଏମ୍‌ସିର ସଫେଇ କର୍ମଚାରୀମାନେ – ସ୍ଥାୟୀ ଭାବେ ନିଯୁକ୍ତ ୨୯,୦୦୦ ଓ ଚୁକ୍ତି ଆଧାରରେ ନିଯୁକ୍ତ ୬,୫୦୦- ଯେଉଁମାନଙ୍କୁ କେତେକ ହିସାବରେ “କୋଭିଡ୍‌ ଯୋଦ୍ଧା” ବୋଲି ମଧ୍ୟ କୁହାଯାଏ -   ମଧ୍ୟ ସୁରକ୍ଷା ଉପକରଣ ଓ ଡାକ୍ତରୀ ସୁବିଧା ପାଇବା ପାଇଁ ହକ୍‌ଦାର୍‌ , ତାହା ବିଚାର କରାଯାଉନାହିଁ ।

'If he [Ashok] was diagnosed in time, he would have been here', says Sunita, with her kids Manisha (left), Nikesh and Swapnil
PHOTO • Jyoti Shinoli

‘ଯଦି ସଠିକ୍‌ ମସୟରେ (ଅଶୋକଙ୍କ) ରୋଗ ନିରୂପଣ ହୋଇପାରିଥାନ୍ତା, ତାହାହଲେ ଆଜି ସେ ଏଠାରେ ଥାଆନ୍ତେ’ ବୋଲି ଶୀଲା କୁହନ୍ତି, ତାଙ୍କ ପିଲା ମନିଷା (ବାମ) ନିକେଶ ଓ ସ୍ପପ୍ନିଲଙ୍କ ସହିତ

“ଆମର ଦାବୀ କେବେ ମଧ୍ୟ ପୂରଣ ହୋଇନି । ସମସ୍ତ ସତର୍କତା ଓ ଯତ୍ନ କେବଳ ଅମିତାଭ ବଚ୍ଚନଙ୍କ ପରିବାର ଭଳି ପରିବାର ପାଇଁ ରହିଛି । ଗଣମାଧ୍ୟମ ଓ ସରକାର ଭଭୟ ସେମାନଙ୍କ ପ୍ରତି ଏତେ ଧ୍ୟାନ ଦେଉଛନ୍ତି । ଆମେମାନେ କିଏ? ତୁଚ୍ଛ ସଫେଇ କର୍ମଚାରୀ” ବୋଲି ୪୫ ବର୍ଷ ବୟସ୍କ ଦାଦାରାଓ ପାଟେକର କୁହନ୍ତି, ଯିଏ ବିଏମ୍‌ସିର ବର୍ଜ୍ୟ ଟ୍ରକ୍‌ରେ ଏମ୍‌ ପଶ୍ଚିମ ୱାର୍ଡରେ କାମ କରନ୍ତି ।

“ମାର୍ଚ୍ଚ – ଏପ୍ରିଲ୍‌ରେ ଆମକୁ ମାସ୍କ, ଗ୍ୱୋଭ୍‌ସ କିମ୍ବା ସାନିଟାଇଜର୍‌, କିଛି ମଧ୍ୟ ମିଳିନଥିଲା” ବୋଲି ସଚିନ କୁହନ୍ତି । ସେ ଆହୁରି ମଧ୍ୟ କୁହନ୍ତି ଯେ ତାଙ୍କ ଚୌକିରେ  ମେ ମାସର ଶେଷ ସପ୍ତାହରେ ଯାଇ ଏନ୍‌୯୫ ମାସ୍କ ଦିଆଯାଇଥିଲା । “ ତାହା ମଧ୍ୟ ସମସ୍ତଙ୍କୁ ନୁହେଁ । ୫୫ଜଣ କର୍ମଚାରୀଙ୍କ ମଧ୍ୟରୁ (ଏସ୍‌ ୱାର୍ଡର ନାହୁର୍‌ ଚୌକିରେ) କେବଳ ୨୦-୨୫ ଜଣ ମାସ୍କ,ଗ୍ଲୋଭ୍‌ସ ପାଇଥିଲେ ଓ ଏହାସହିତ  ୫୦ମିଲିଲିଟର୍‌ର ସାନିଟାଇଜର୍‌ ବୋତଲ୍‌ ପାଇଥିଲେ ଯାହା ୪-୫ ଦିନରେ ସରିଯାଏ । ବାକି କର୍ମଚାରୀ, ମତେ ମିଶାଇ, ଜୁନ୍‌ମାସରେ ମାସ୍କ ପାଇଲେ । ଆମେ ମାସ୍କକୁ ଧୋଇଦେଉ ଓ ପୁଣିଥରେ ବ୍ୟବହାର କରୁ । ଯେତେବେଳେ ମାସ୍କ ଓ ଗ୍ଲୋଭ୍‌ସ ଫାଟିଯାଏ, ସେତେବେଳେ ନୂଆ ଷ୍ଟକ୍‌ ପାଇଁ ଆମ ସୁପର୍‌ଭାଇଜର୍‌ ଆମକୁ ୨-୩ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହନ୍ତି ।

“କେବଳ ‘ସଫେଇ କର୍ମଚାରୀମାନେ ହେଉଛନ୍ତି କୋଭିଡ୍‌ ଯୋଦ୍ଧା’ ବୋଲି ବାରମ୍ବାର ଘୋଷିହେଲେ କିଛି ହେବନାହିଁ । ସେମାନଙ୍କର ସୁରକ୍ଷା ଓ ଯତ୍ନ ସମ୍ବନ୍ଧରେ କ’ଣ କରାଯାଉଛି (ସେମାନଙ୍କ ପାଇଁ)?” ବୋଲି ଶୀଲା ମନସ୍ତାପରେ ପଚାରନ୍ତି । “ସେ ଗ୍ଲୋଭ୍‌ସ ଓ ଏକ ଏନ୍‌ ୯୫ ମାସ୍କ ବିନା କାମ କରୁଥିଲେ । ଆଉ, ତାଙ୍କର ମୃତ୍ୟୁପରେ ଏହି ସଫାଇ କର୍ମଚାରୀଙ୍କ ପରିବାର କିଭଳି ବଞ୍ଚୁଛି ସେ ବିଷୟରେ ପ୍ରକୃତରେ କିଏ ଭାବୁଛି?” ତାରେ ପରିବାର ହେଉଛି ନବ ବୁଦ୍ଧ ସମ୍ପ୍ରଦାୟର ।

ମେ ଶେଷ ସପ୍ତାହ ବେଳକୁ, ଅଶୋକଙ୍କ ସ୍ଥିତି ଗୁରୁତର ହୋଇଯାଇଥିଲା । “ସେତେବେଳକୁ ବାପାଙ୍କୁ ଜ୍ୱର ହୋଇଥିଲା । ୨-୩ ଦିନ ବ୍ୟବଧାନରେ ଆମ ସମସ୍ତଙ୍କୁ ଜ୍ୱର ହେଲା । ସ୍ଥାନୀୟ (ଘରୋଇ) ଡାକ୍ତର କହିଲେ ଯେ ଏହା ହେଉଛି ଏକ ସାଧାରଣ ଜ୍ୱର । ଔଷଧ ନେବା ପରେ ଆମେ ସୁସ୍ଥ ହୋଇଗଲୁ ହେଲେ ବାପାଙ୍କ ସ୍ୱାସ୍ଥ୍ୟ ଏବେ ମଧ୍ୟ ଠିକ୍‌ ହୋଇନଥିଲା,” ବୋଲି ଘାଟ୍‌କୋପର୍‌ ପୂର୍ବରେ ଏକ ମହାବିଦ୍ୟାଳୟରେ ବିକମ୍‌ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିବା ୨୦ବର୍ଷ ବୟସ୍କ ମନିଷା କୁହନ୍ତି । ଏହା କୋଭିଡ୍‌ ହୋଇପାରେ ବୋଲି ପରିବାରର ଲୋକମାନେ ଭାବିଲୁ ହେଲେ କୌଣସି ଡାକ୍ତର ରେଫର୍‌ କରିନଥିବାରୁ (ସେ ସମୟରେ ବାଧ୍ୟତାମୂଳକ ଥିଲା) କୌଣସି ସରକାରୀ ଡାକ୍ତରଖାନା ଅଶୋକଙ୍କ ଯାଞ୍ଚ କଲେ ନାହିଁ ।

ମେ ୨୮ରେ ଜ୍ୱର କମିଗଲା ଓ କ୍ଲାନ୍ତ ହୋଇପଡିଥିବା ଅଶୋକ ପୂର୍ବାହ୍ନ ୬ ରୁ  ମଧ୍ୟାହ୍ନ ୨ର କାର୍ଯ୍ୟ ସିଫ୍ଟ ସାରି ଘରକୁ ଫେରିଲେ, ମଧ୍ୟାହ୍ନ ଭୋଜନ ଖାଇଲେ ଓ ଶୋଇଲେ । ଯେତେବେଳେ ସେ ରାତି ୯ରେ ଉଠିଲେ, ସେ ବାନ୍ତି କରିବାକୁ ଲାଗିଲେ । “ତାଙ୍କ ଦେହରେ ଜ୍ୱର ଥିଲା ଓ ସେ ଭାରି ଅବସ ଅନୁଭବ କରୁଥିଲେ । ସେ ଡାକ୍ତରଙ୍କ ପାଖକୁ ଯିବାକୁ ମନାକଲେ ଓ ଶୋଇପଡିଲେ,” ବୋଲି ଶୀଲା କୁହନ୍ତି ।

ପରଦିନ ସକାଳେ, ୨୯ରେ ଶୀଲା, ନିକେଶ, ମନିଷା ଓ ସ୍ୱପ୍ନିଲ ତାଙ୍କୁ ଡାକ୍ତରଖାନାକୁ ନେଇଯିବା ପାଇଁ ନିଷ୍ପତି ନେଲେ । ପୂର୍ବାହ୍ନ ୧୦ ରୁ  ମଧ୍ୟାହ୍ନ୧ ପର୍ଯ୍ୟନ୍ତ ସେମାନେ ତାଙ୍କ ଘର ପାଖରେ ଥିବା ସମସ୍ତ ଡାକ୍ତରଖାନାକୁ ଗଲେ । “ଆମେ ଦୁଇଟି ରିକ୍ସା ନେଲୁ, ଗୋଟିଏରେ ମା ଓ ବାପା ବସିଲେ ଓ ଅନ୍ୟଟିରେ ଆମେ ତିନିଜଣ” ବୋଲି ୧୮ବର୍ଷର ସ୍ୱପ୍ନିଲ କୁହନ୍ତି, ଯିଏ ଚେମ୍ବୁରରେ ଥିବା ଏକ ମହାବିଦ୍ୟାଳୟରେ ବିଏସ୍‌ସିରେ ଅଧ୍ୟୟନ କରୁଛନ୍ତି ।

Since June, the Taare family has been making rounds –first of the hospital, to get the cause of death in writing, then of the BMC offices for the insurance cover
PHOTO • Jyoti Shinoli
Since June, the Taare family has been making rounds –first of the hospital, to get the cause of death in writing, then of the BMC offices for the insurance cover
PHOTO • Jyoti Shinoli

ଜୁନ୍‌ ଠାରୁ, ତାରେ ପରିବାର ଚାରିଆଡେ ଘୂରି ବୁଲୁଛନ୍ତି – ପ୍ରଥମ ହେଉଛି ଡାକ୍ତରଖାନା, ଯେଉଁଠାରୁ ସେମାନେ ଲିଖିତ ଭାବେ ମୃତ୍ୟୁର କାରଣ ପାଇପାରିବେ, ତାପରେ ବୀମା କଭର୍‌ ପାଇଁ ବିଏମ୍‌ସି କାର୍ଯ୍ୟାଳୟ

“ପ୍ରତ୍ୟେକ ଡାକ୍ତରଖାନା କେବଳ ଗୋଟିଏ କଥା କହୁଥିଲେ- କୌଣସି ଶଯ୍ୟା ଉପଲବ୍ଧ ନାହିଁ,’’ ବୋଲି ଦୁଇ ବର୍ଷ ପୂର୍ବେ ବିଏସ୍‌ସି ଡିଗ୍ରୀ ହାସଲ କରିଥିବା ଓ ନିଯୁକ୍ତି ପାଇଁ ଚେଷ୍ଟା କରୁଥିବା ୨୧ବର୍ଷ ବୟସ୍କ ନିକେଶ କୁହନ୍ତି । “ଆମେ ରାଜାୱାଡି ଡାକ୍ତରଖାନା, ଜୟ ଡାକ୍ତରଖାନା ଓ କେ.ଜେ ସୋମୈୟା ଡାକ୍ତରଖାନା ଯାଇଥିଲୁ । କେ.ଜେ ସୋମୈୟାରେ ଆବଶ୍ୟକ ହେଲେ ଚଟାଣ ଉପରେ ମଧ୍ୟ ଶୋଇପଡିବେ ବୋଲି ମୋର ବାପା ଡାକ୍ତରଙ୍କୁ କହିଥିଲେ ଓ ତାଙ୍କର ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ ।’’ ଅଶୋକ ତାଙ୍କର ବିଏମ୍‌ସି କର୍ମଚାରୀ ପରିଚୟ ପତ୍ର ମଧ୍ୟ ପ୍ରତ୍ୟେକ ଡାକ୍ତରଖାନାରେ ଦେଖାଇଥିଲେ – ହେଲେ ସେଥିରେ କିଛି ଲାଭ ହେଲାନି ।

ଶେଷରେ, ବାନ୍ଦ୍ରାରେ ଅବସ୍ଥିତ ଭାବା ଡାକ୍ତରଖାନାରେ ଡାକ୍ତରମାନେ ଅଶୋକଙ୍କୁ ଯାଞ୍ଚ କଲେ ଓ ତାଙ୍କର ସ୍ୱାବ୍‌ ନେଲେ । “ତାପରେ ସେମାନେ ତାଙ୍କୁ କୋଭିଡ୍‌ – ୧୯ ସଂଗରୋଧ କକ୍ଷକୁ ନେଇଗଲେ,” ବୋଲି ସ୍ୱପ୍ନିଲ କୁହନ୍ତି ।

ଯେତେବେଳେ ମନିଷା ଅଶୋକଙ୍କୁ ତାଙ୍କ ପୋଷାକ, ଦାନ୍ତଘଷା ବ୍ରସ୍‌, ଟୁଥ୍‌ପେଷ୍ଟ ଓ ସାବୁନ୍‌ ଥିବା ବ୍ୟାଗ୍‌ ଦେବାକୁ ସେହି କକ୍ଷକୁ ଯାଇଥିଲେ, ସେତେବେଳେର କଥା ମନେପକାଇ ସେ କୁହନ୍ତି ଯେ “ସେଠାରେ ଯିବାଆସିବା ରାସ୍ତାରେ ମୂତ୍ରର ଉତ୍କଟ ଗନ୍ଧ ଆସୁଥିବାବେଳେ ଅଇଁଠା ପ୍ଲେଟ୍‌ଗୁଡିକ ଚଟାଣ ଉପରେ ପଡିରହିଥିଲା । କକ୍ଷ ବାହାରେ କେହି ଷ୍ଟାଫ୍‌ ମଧ୍ୟ ନଥିଲେ । ମୁଁ ଭିତରକୁ ଉଣ୍ଡି ଦେଖିଲି ଓ ବ୍ୟାଗ୍‌ ନେବା ପାଇଁ ମୋର ବାପାଙ୍କୁ ଡାକିଲି । ସେ ତାଙ୍କର ଅକ୍ସିଜେନ୍‌ ମାସ୍କ ଅପସାରିତ କରିଦେଲେ, ଦ୍ୱାର ପାଖକୁ ଆସିଲେ ଓ ମୋଠାରୁ ବ୍ୟାଗ୍‌ ନେଲେ ।

ଅଶୋକଙ୍କ ଯାଞ୍ଚ ରିପୋର୍ଟ ଆସିନଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି କହି ଡାକ୍ତରମାନେ ତାରେଙ୍କ ପରିବାରକୁ ସେଠାରୁ ଚାଲିଯିବାକୁ କହିଲେ । ସେଦିନ ରାତି ୧୦ଟା ବେଳେ, ଶୀଲା ତାଙ୍କ ସ୍ୱାମୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ । “ମୁଁ ଯେ ତାଙ୍କର ସ୍ୱର ଶେଷଥର ପାଇଁ ଶୁଣୁଛି, ଏକଥା ମୁଁ ଭାବିନଥିଲି ମଧ୍ୟ । ସେ ମତେ  ତାଙ୍କୁ ଟିକିଏ ଭଲ ଲାଗୁଛି ବୋଲି କହିଲେ,’’ ବୋଲି ସେ କୁହନ୍ତି ।

ପରଦିନ ସକାଳେ, ମେ ୩୦ରେ, ଶୀଲା ଓ ମନିଷା ପୁଣି ଥରେ ଡାକ୍ତରଖାନାକୁ ଗଲେ । “ଡାକ୍ତର ଆମକୁ କହିଲେ ଯେ ତୁମ ରୋଗୀଙ୍କ ଗତକାଲି ମଧ୍ୟରାତ୍ରି ୧:୧୫ରେ ମୃତ୍ୟୁ ହୋଇଯାଇଛି,’’ ବୋଲି ଶୀଲା କୁହନ୍ତି । “ହେଲେ ମୁଁ ତାଙ୍କ ସହିତ ପୂର୍ବ ରାତିରେ କଥା ହୋଇଥିଲି ଯେ…..’’

ସ୍ତବ୍ଧ ଓ ଦୁଃଖରେ ଭାଙ୍ଗି ପଡିଥିବା ତାରେଙ୍କ ପରିବାର ସେହି ସମୟରେ ଅଶୋକଙ୍କ ମୃତ୍ୟୁର କାରଣ ବିଷୟରେ କୌଣସି ତଦନ୍ତ କରିପାରିନଥିଲେ । “ଆମେ କଣ କରିବୁ କିଛି ଭାବି ପାରିଲୁନାହିଁ । ମୃତଦେହ ପାଇବା ପାଇଁ ଆବଶ୍ୟକ ସମସ୍ତ କାଗଜ କାମ କରିବା, ଆମ୍ୱୂଲାନ୍ସ ଓ ଅର୍ଥ ବ୍ୟବସ୍ଥା କରିବା, ମାଙ୍କୁ ବୁଝେଇବା- ଏସବୁ ମଧ୍ୟରେ ଆମେ ବାପାଙ୍କ ମୃତ୍ୟୁର କାରଣ ବିଷୟରେ ଡାକ୍ତରଙ୍କୁ ପଚାରି ପାରିଲୁନାହିଁ,’’ ବୋଲି ନିକେଶ କୁହନ୍ତି ।

ଅଶୋକଙ୍କ ଅନ୍ତ୍ୟେଷ୍ଟି କ୍ରିୟାର ଦୁଇଦିନ ପରେ, ତାରେ ପରିବାର ଭାବା ଡାକ୍ତରଖାନାକୁ ଯାଇ ତାଙ୍କର ମୃତ୍ୟୁର କାରଣ  ଲିଖିତ ଆକାରରେ ପୁନର୍ବାର ଦେବାକୁ କହିଲେ । “ଜୁନ୍‌ରେ ୧୫ ଦିନ ପର୍ଯ୍ୟନ୍ତ, ଆମେ କେବଳ ଡାକ୍ତରଖାନାରେ ଘିରିଘିରି ହୋଇ ଇଆଡେସିଆଡେ ବୁଲୁଥିଲୁ । ଡାକ୍ତରମାନେ କହୁଥିଲେ ଯେ ରିପୋର୍ଟର ଅନିର୍ଣ୍ଣାୟକ ରହିଛି, ତୁମେ ନିଜେ ଅଶୋକଙ୍କ ମୃତ୍ୟୁ ପ୍ରମାଣପତ୍ର ପଢ,” ବୋଲି ୨୨ବର୍ଷ ବୟସ୍କ ବସନ୍ତ ମଗାରେ, ଅଶୋକଙ୍କ ପୁତୁରା କୁହନ୍ତି ।

Left: 'We recovered with medication, but Papa was still unwell', recalls Manisha. Right: 'The doctor would say the report was inconclusive...' says Vasant Magare, Ashok’s nephew
PHOTO • Jyoti Shinoli
Left: 'We recovered with medication, but Papa was still unwell', recalls Manisha. Right: 'The doctor would say the report was inconclusive...' says Vasant Magare, Ashok’s nephew
PHOTO • Jyoti Shinoli

ବାମ : “ଆମେ ସୁସ୍ଥ ହୋଇଗଲୁ, ହେଲେ ବାପା ତଥାପି ଅସୁସ୍ଥ ଥିଲେ, ବୋଲି ମନିଷା ମନେପକାଇ କୁହନ୍ତି । ଡାହାଣ: ‘ ରିପୋର୍ଟ ଅନିର୍ଣ୍ଣାୟକ ରହିଛି ବୋଲି ଡାକ୍ତରମାନେ କହିଲେ … ବୋଲି ବସନ୍ତ, ଅଶୋକଙ୍କ ପୁତୁରା କୁହନ୍ତି

ଜୁନ୍‌ ୨୪ରେ, ଯେତେବେଳେ ମୁଲୁନ୍ଦ ସ୍ଥିତ ଟି ୱାର୍ଡର ବିଏମ୍‌ସି ଅଧିକାରୀ (ଯେଉଁଠାରେ ଜଣେ କର୍ମଚାରୀ ଭାବେ ଅଶୋକଙ୍କ ପଞ୍ଜୀକରଣ ହୋଇଛି) ମୃତ୍ୟୁର କାରଣ ବିଷୟରେ ପଚାରି ଡାକ୍ତରଖାନାକୁ ଏକ ଚିଠି ଲେଖିଲେ, ସେତେବେଳେ ଯାଇ ଡାକ୍ତରଖାନା ପ୍ରଶାସନ ମୃତ୍ୟୁର କାରଣ ‘ସଂଦିଗ୍ଧ କୋଭିଡ୍‌ – ୧୯’ ବୋଲି ଲିଖିତ ଆକାରରେ ଦେଲେ । ଉକ୍ତ ଚିଠିରେ ଏହା କୁହାଯାଇଥିଲା ଯେ ଅଶୋକ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । “ମେ ୩୦, ରାତି ୮:୧୧ରେ ମେଟ୍ରୋପୋଲିସ୍‌ ଲାବୋରେଟୋରୀ ଏକ ଇମେଲ୍‌ କରି ଗଳାର ସ୍ୱାବ୍‌ ଯଥେଷ୍ଟ ନୁହେଁ ବୋଲି ଆମକୁ ଜଣାଇଲେ। ଆଉ ପୁନଃ ପରୀକ୍ଷଣ ପାଇଁ ପୁଣିଥରେ ସ୍ୱାବ୍‌ ପଠାଇବାକୁ ଆମକୁ କହିଲେ । ହେଲେ, ସେତେବେଳକୁ ରୋଗୀର ମୃତ୍ୟୁ ହୋଇସାରିଥିବାରୁ ପୁଣିଥରେ ସ୍ୱାବ୍‌ ପଠାଇବା ସମ୍ଭବ ହୋଇପାରିଲାନି । ଅତଏବ, ରୋଗୀଙ୍କ ମୃତ୍ୟୁର କାରଣ ଘୋଷଣା କରିବା ବେଳେ ଏହାର କାରଣ  ‘ସଂଦିଗ୍ଧ କୋଭିଡ୍‌ – ୧୯’ ବୋଲି ଦର୍ଶାଇଛୁ ।

ଉକ୍ତ ରିପୋର୍ଟର ଏକାଧିକ ଥର ଭାବା ଡାକ୍ତରଖାନାରେ ଅଶୋକଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି, ହେଲେ, ସେ କଲ୍‌ କିମ୍ବା ମେସେଜ୍‌ର କୌଣସି ଉତ୍ତର ଦେଲେନାହିଁ ।

ଅଶୋକଙ୍କ ଭଳି ‘କୋଭିଡ୍‌ ଯୋଦ୍ଧାଙ୍କର’ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମେ ୨୯, ୨୦୨୦ ରେ ‘ ୫୦ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା କଭର୍‌ ସମସ୍ତ କର୍ମଚାରୀ ଯେଉଁମାନେ କୋଭିଡ୍‌ – ୧୯ ମହାମାରୀ ସମ୍ୱନ୍ଧିତ ବିଭିନ୍ନ ଗତିବିଧି ଯେପରିକି ସର୍ଭେ, ଟ୍ରେସ୍‌, ଟ୍ରାକ୍‌, ନିବାରଣ, ଚିକିତ୍ସା ଓ ରିଲିଫ୍‌ ଆଦିରେ ସକ୍ରିୟ ଦାୟିତ୍ୱ ସମ୍ପାଦନ କରୁଛନ୍ତି, ସେମାନଙ୍କୁ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଆଦେଶର ଅନୁପାଳନ କରି ଏକ ସଂକଳ୍ପ ପାରିତ କରାଯାଇଥିଲା’।

ଜୁନ୍‌ ୮,୨୦୨୦ରେ ବିଏମ୍‌ସି ଏହି ସଂକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଏକ ପରିପତ୍ର ଜାରି କରିଥିଲେ । ଏହି ପରିପତ୍ରରେ ଏହା ଘୋଷଣା ହୋଇଥିଲା ଯେ “ଠିକାରେ କାମ କରୁଥିବା ଶ୍ରମିକ / ଆଉଟ୍‌ସୋର୍ସ ହୋଇଥିବା ଶ୍ରମିକ / ଦିନ ମଜୁରିଆ, ଅବୈତନିକ କର୍ମଚାରୀ, ଯେଉଁମାନେ କୋଭିଡ୍‌ – ୧୯ ସମ୍ବନ୍ଧିତ କୌଣସି କାର୍ଯ୍ୟ ସମ୍ପାଦନ କରିବାବେଳେ ମୃଚ୍ୟୁବରଣ କରିବେ, ସେମାନଙ୍କର ପରିବାର ସର୍ତ୍ତମୂଳକ ଭାବେ ୫୦ଲକ୍ଷ ଟଙ୍କା ପାଇବା ପାଇଁ ହକ୍‌ଦାର ହେବେ ।

ସେ ମଧ୍ୟରୁ ଗୋଟିଏ ସର୍ତ୍ତ ହେଉଛି କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି ହେବା ବା ମୃତ୍ୟୁ ପୂର୍ବରୁ ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିବେ – ଯେପରିକି ଅଶୋକ କରିଥିଲେ । ଯଦି  କୋଭିଡ୍‌ – ୧୯ର ପର୍ଯ୍ୟାପ୍ତ ପରୀକ୍ଷା ହୋଇନି ବା ନିର୍ଦ୍ଧାରଣ ହୋଇପାରିନି, ସେ ପରିପ୍ରେକ୍ଷୀରେ ପରିପତ୍ରରେ କୁହାଯାଇଛି ଯେ କୋଭିଡ୍‌ – ୧୯ କାରଣରୁ ମୃତ୍ୟୁ ହୋଇଥିବା ସମ୍ଭାବନା ଆକଳନ କରିବା ଉଦ୍ଦେଶ୍ୟରେ ଏହାର କେସ୍‌ ହିଷ୍ଟ୍ରୀ ଓ ଡାକ୍ତରୀ କାଗଜପତ୍ର ଅନୁସନ୍ଧାନ କରିବା ପାଇଁ ବିଏମସି ଅଧିକାରୀମାନଙ୍କ ଏକ କମିଟି ଗଠନ କରାଯିବ ।

ବିଏମ୍‌ସିର କଠିନ ବର୍ଜ୍ୟ ପରିଚାଳନା ବିଭାଗର ଶ୍ରମ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ ଅଗଷ୍ଟ ୩୧ସୁଦ୍ଧା ୨୯,୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୨୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେକକି ୧୬୬ଜଣ ସୁସ୍ଥ ହୋଇଥିଲେ ଓ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ହେଲେ, ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଥିବା ଠିକାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ କୌଣସି ରେକର୍ଡ ଉପଲବ୍ଧ ନାହିଁ ବୋଲି ସଂପୃକ୍ତ ଅଧିକାରୀ କହିଥିଲେ ।

୩୭ ଜଣ ସଫେଇ କର୍ମଚାରୀ ଯେଉଁମାନେ ସେମାନଙ୍କ ଜୀବନ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ପରିବାର ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଅଗଷ୍ଟ ୩୧ ପର୍ଯ୍ୟନ୍ତ କେବଳ ୨ଟି ପରିବାର ବୀମା ରାଶି ପାଇଥିଲେ ।

Ashok went from being a contractual to ‘permanent’ sanitation worker in 2016. 'We were able to progress step by step', says Sheela
PHOTO • Manisha Taare
Ashok went from being a contractual to ‘permanent’ sanitation worker in 2016. 'We were able to progress step by step', says Sheela
PHOTO • Jyoti Shinoli

ଅଶୋକ ୨୦୧୬ରେ ଠିକା ସଫେଇ କର୍ମଚାରୀରୁ ‘ସ୍ଥାୟୀ’ କର୍ମଚାରୀ ହୋଇଥିଲେ । ‘ଆମେ ଧୀରେ ଧୀରେ ପ୍ରଗତି କରୁଥିଲୁ  ’ ବୋଲି ଶୀଲା କୁହନ୍ତି

ଅଶୋକଙ୍କ ମୃତ୍ୟୁ ସମ୍ବନ୍ଧୀୟ ଲିଖିତ ଡକୁମେଣ୍ଟ ପାଇବା ପରେ, ତାରେ ପରିବାର ବିଏମ୍‌ସିର ଟି ୱାର୍ଡ କାର୍ଯ୍ୟାଳୟରେ ୫୦ ଲକ୍ଷ ଟଙ୍କାର ବୀମା କଭର ପାଇଁ ସେମାନଙ୍କ ଦାବି ଫାଇଲ୍‌ କରିବାକୁ ଘୂରି ବୁଲୁଛନ୍ତି । ନୋଟାରୀ ଫି, ଫଟୋକପି, ଅଟୋରିକ୍ସା ପାଇଁ ବ୍ୟୟ ଓ ଅନ୍ୟାନ୍ୟ ବ୍ୟୟକୁ ମିଶାଇଲେ ଏ ପର୍ଯ୍ୟନ୍ତ ୮,୦୦୦ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଲାଣି ।

ବ୍ୟାଙ୍କରେ ଅଶୋକଙ୍କ ବେତନ ଏକାଉଣ୍ଟକୁ ବ୍ୟବହାର କରିନପାରିବାରୁ, ଶୀଲା ତାଙ୍କର ଅଧ-ତୋଳାର ସୁନାଚେନ୍‌କୁ ପ୍ରାୟ ୯,୦୦୦ଟଙ୍କାରେ ବନ୍ଧକ ରଖିଛନ୍ତି । “ନୋଟାରୀ ଦ୍ୱାରା ଦଲିଲ ସବୁ ଅଧିପ୍ରମାଣିତ ହୋଇ ସାରିବା ପରେ ଅଧିକାରୀମାନେ ଆମକୁ ପୁଣି ଥରେ କାଗଜପତ୍ରରେ କିଛି ପରିବର୍ତ୍ତନ କରିବାକୁ କୁହନ୍ତି । ଯଦି ୫୦ଲକ୍ଷ ଟଙ୍କା ଦେବେନି, ତାହାହେଲେ ବିଏମ୍‌ସି ମାନାଦର୍ଶ ମୁତାବକ ମୋର ବଡ ପୁଅକୁ ତା’ ବାପାଙ୍କ ସ୍ଥାନରେ ନିଯୁକ୍ତି ଦେବା ଉଚିତ,” ବୋଲି ସେ ସମସ୍ତ ଫାଇଲ୍‌ ଓ କାଗଜକାମ ଦେଖାଇ କୁହନ୍ତି ।

ଯେତେବେଳେ ଉକ୍ତ ରିପୋର୍ଟର ଟି ୱାର୍ଡର ଆସିଷ୍ଟାଣ୍ଟ କମିସନର୍‌ଙ୍କ ସହିତ ଅଗଷ୍ଟ ୨୭ରେ କଥା ହେବାକୁ ଚେଷ୍ଟା କରିଥିଲା, ସେତେବେଳେ ତାଙ୍କର ପ୍ରତିକ୍ରିୟା ଏଭଳି ଥିଲା : “ ହଁ, ସେ ଆମର କର୍ମଚାରୀ ଥିଲେ ଓ ଦାବି ପୂରଣ ପାଇଁ ଆମେ ତାଙ୍କର ଫାଇଲ୍‌ର ପ୍ରକ୍ରିୟାକରଣ କରିସାରିଛୁ । ତଦନ୍ତ ପାଇଁ ବିଏମ୍‌ସି ଅଧିକାରୀମାନଙ୍କ ଏକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ଖୂବ୍‌ ଶୀଘ୍ର ନିଆଯିବ, ବିଏମ୍‌ସି ଏବେ ମଧ୍ୟ ଏହା ଉପରେ କାମ କରୁଛି ।’’

ଅଶୋକଙ୍କ ଉପାର୍ଜନରେ ତାଙ୍କ ପରିବାର ଚଳୁଥିଲା । ଜୁନ୍‌ରୁ ଶୀଲା ତାଙ୍କର ପଡୋଶୀ ବିଲ୍ଡିଂରେ ଦୁଇଟି ଘରେ ରାନ୍ଧୁଣିଆ ଭାବେ କାମ କରିବାକୁ ଆରମ୍ଭ କରିଛନ୍ତି, ଏଥିରୁ ସେ ମାତ୍ର ୪,୦୦୦ଟଙ୍କା ଉପାର୍ଜନ କରୁଛନ୍ତି । “ ଏବେ ଆଉ ସମ୍ଭାଳି ହେଉନି । ମୁଁ କେବେ ମଧ୍ୟ କାମ କରିନଥିଲି ହେଲେ ଏବେ କରିବାକୁ ବାଧ୍ୟ ହେଉଛି । ମୋର ଦୁଇଟି ପିଲା ଏବେ ମଧ୍ୟ ପଢୁଛନ୍ତି,” ବୋଲି ସେ କୁହନ୍ତି । ନାଭି ମୁମ୍ବାଇ ପୌରପାଳିକା ନିଗମରେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିବା ତାଙ୍କର ବଡ ଭାଇ, ୪୮ ବର୍ଷ ବୟସ୍କ ଭଗବାନ ମଗାରେ ତାଙ୍କୁ ବାକି ରହିଥିବା ୧୨,୦୦୦ଟଙ୍କାର ଘରଭଡା ଦେବା ପାଇଁ ସାହାଯ୍ୟ କରିଥିଲେ ।

ଅଶୋକ ୨୦୧୬ରେ ଯାଇ ‘ସ୍ଥାୟୀ’ ସଫେଇ କର୍ମଚାରୀ ହୋଇପାରିଥିଲେ ଓ ମାସକୁ ୩୪,୦୦୦ ଟଙ୍କା ବେତନ ପାଇଲେ, ହେଲେ ଏହା ପୂର୍ବରୁ ସେ ଜଣେ ଠିକା ଶ୍ରମିକ ଭାବେ କାମ କରି ମାସକୁ କେବଳ ୧୦,୦୦୦ଟଙ୍କା ଉପାର୍ଜନ କରୁଥିଲେ । “ଯେତେବେଳେ ଭଲ ପଇସା ମିଳିଲା, ଆମେ ମୁଲୁନ୍ଦର ଏକ ବସ୍ତିରୁ ଏସ୍‌ଆର୍‌ଏ ବିଲ୍ଡିଂକୁ ସ୍ଥାନାନ୍ତର ହୋଇଗଲୁ । ଆମେ ଧୀରେ ଧୀରେ ପ୍ରଗତି କରୁଥିଲୁ,” ବୋଲି ଶୀଲା କୁହନ୍ତି ।

ଅଶୋକଙ୍କ ମୃତ୍ୟୁ ପରେ, ତାରେ ପରିବାରର ପ୍ରଗତିର ରାସ୍ତା ବନ୍ଦ ହୋଇଯାଇଛି । “ସରକାର ଆମ କଥା ଶୁଣନ୍ତୁ. ତାହା ଆମେ ଚାହୁଁଛୁ । ତାଙ୍କୁ କାହିଁକି ଛୁଟି ଦିଆଗଲା ନାହିଁ? ସେ ଓ ଅନ୍ୟ କର୍ମଚାରୀଙ୍କର ସଙ୍ଗେ ସଙ୍ଗେ ପରୀକ୍ଷା କାହିଁକି କରାଗଲାନାହିଁ?” ବୋଲି ଶୀଲା ପଚାରନ୍ତି । “କାହିଁକି ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ତାଙ୍କୁ ହାତଗୋଡ ଧରି ଅନୁରୋଧ କରିବାକୁ ପଡିଲା ? ତାଙ୍କର ମୃତ୍ୟୁ ପାଇଁ ପ୍ରକୃତରେ କିଏ ଦାୟୀ?”

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE