ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ଏକ ଯୌଥ କୃଷକ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ, ସତୁରୀ ବର୍ଷ ବୟସ୍କ କିଷାନ ସାଖ୍‌ରୁ ପାୱାର ଖୁବ୍‌ ଉଦବିଗ୍ନ ହୋଇପଡ଼ିଛନ୍ତି । ଊର୍ଧ୍ଵଗାମୀ କୋଭିଡ୍‌-୧୯ ଗ୍ରାଫ୍‌, ତାଙ୍କ ଉଦ୍‌ବେଗର ମୁଖ୍ୟ କାରଣ ନୁହେଁ ।

ତାଙ୍କର ଉଦ୍‌ବେଗ: ବିକ୍ରି ହୋଇ ନଥିବା କପା ।

“ଆମ ପାଖରେ ୩୫୦ କୁଇଣ୍ଟାଲ କପା ଅଛି । ୧୦୦ କୁଇଣ୍ଟାଲ ତୁର୍‌ (କାନ୍ଦୁଲ) ଏବଂ ଅତି କମ୍‌ରେ ୫୦ କୁଇଣ୍ଟାଲ ଚଣା ଅଛି,” ଚିନ୍ତାଗ୍ରସ୍ତ ପାୱାର ଫୋନ୍‌ରେ PARIକୁ କହିଥିଲେ । କପା ସବୁ ଗତ ଋତୁରେ ତୋଳା ହୋଇଥିଲା । ତୁର୍‌ ପୂର୍ବବର୍ତ୍ତୀ ଖରିଫ ଋତୁରୁ ତାଙ୍କ ପାଖରେ ରହିଛି । ଅବଶିଷ୍ଟ ଫସଲ ଏ ବର୍ଷ ମାର୍ଚ୍ଚ-ଏପ୍ରିଲ୍‌ରେ, ରବି ଋତୁରେ ଅମଳ ହୋଇଥିଲା ।

ପାୱାରଙ୍କ ସହ ସମାନ ଅବସ୍ଥାରେ ଅଛନ୍ତି ଦେଶର ହଜାର ହଜାର କୃଷକ-ନିଜ ନିଜର କପା ବିକିବାରେ ସେମାନେ ଅକ୍ଷମ ।

ଏବଂ ଏଇଠାରେ ହିଁ ଗୋଲକଧନ୍ଦା:କିଷାନ ପାୱାର ଏବଂ ତାଙ୍କ ଭଳି ହଜାର ହଜାର କୃଷକ ଏବେ ପୁଣି ଖରିଫ ଋତୁରେ କପା ବୁଣିବାକୁ ଯୋଜନା କରିଛନ୍ତି ।

*****

ନାଗପୁରଠାରୁ ପ୍ରାୟ ୧୭୦ କିଲୋମିଟର ଦୂର ଘଟାଞ୍ଜି ତହସିଲ ଅନ୍ତର୍ଗତ ପାର୍ଦି (ନାସକରି) ଗାଁରେ ଥିବା ତାଙ୍କ ପରିବାରର ୫୦ ଏକର ଜମିରୁ ଅମଳ ହୋଇଥିବା ଫସଲର ମୂଲ୍ୟ ୨୫-୩୦ ଲକ୍ଷ ଟଙ୍କା ହେବ । କିଷାନ ପାୱାର କହନ୍ତି, “ସେତିକି ହିଁ ଆମର ମୋଟ ଆୟ ।”

ସେଇ ୫୦ ଏକର ଜମିରେ କିଷାନ ପାୱାରଙ୍କର ଏବଂ ତାଙ୍କ ଦୁଇ ଭାଇଙ୍କ ପରିବାର ମିଶି ମୋଟ ୩୦ ଜଣ ସଦସ୍ୟ ଚାଷବାସ କରନ୍ତି । ସେଥିରୁ ତାଙ୍କ ନିଜ ଭାଗ ହେଉଛି ୧୮ ଏକର । କିନ୍ତୁ ସବୁ ପରିବାର ଏକାଠି ମିଶି ଜମିର ଦେଖାରଖା କରନ୍ତି, ଭିନ୍ନ ଭିନ୍ନ ମାଲିକାନାଭୁକ୍ତ ଭାବରେ ନୁହେଁ ।

Seventy-year-old Kisan Sakhru Pawar is among countless farmers from across the country stuck with unsold cotton
PHOTO • Kiran Pawar
Seventy-year-old Kisan Sakhru Pawar is among countless farmers from across the country stuck with unsold cotton
PHOTO • Sudarshan Sakharkar

କପା ବିକ୍ରି କରିପାରି ନଥିବା ଦେଶର ଅଗଣିତ କୃଷକଙ୍କ ମଧ୍ୟରେ ଅଛନ୍ତି ସତୁରୀ ବର୍ଷ ବୟସ୍କ କିଷାନ ସାଖରୁ ପାୱାର

ଜାନୁଆରୀ ଏବଂ ଫେବ୍ରୁଆରୀ ମାସରେ କପା ଦର, ଏହାର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁଇଣ୍ଟାଲ ପିଛା ୫,୫୦୦ ଟଙ୍କାରୁ ଖସି ଆସିଥିବା କାରଣରୁ ପାୱାର ପୂର୍ବରୁ ତାଙ୍କ କପା ବିକ୍ରି କରି ନଥିଲେ । ଶ୍ରମିକମାନଙ୍କ ମଜୁରି ଦେବା ପାଇଁ ଫେବ୍ରୁଆରୀ ଶେଷ ଆଡ଼କୁ ସେ କୁଇଣ୍ଟାଲ ପିଛା ୪,୫୦୦ ଟଙ୍କା ଦରରେ ୪୦-୫୦ କୁଇଣ୍ଟାଲ କପା ବିକ୍ରି କରିଥିଲେ ।

ଏପ୍ରିଲରେ ଚାହିଦା ବଢ଼ିବା ଯାଏ ଅପେକ୍ଷା କରିବାକୁ ସେ ସ୍ଥିର କରିଥିଲେ । ସେ କହନ୍ତି, ଏଇ କିଛି ବର୍ଷ ହେଲା ଏହି ଧାରା ଚଳିଆସୁଛି: କପା ଦର ଜାନୁଆରୀ-ଫେବ୍ରୁଆରୀରେ ଖସି ଆସେ ଏବଂ ମାର୍ଚ୍ଚ-ଏପ୍ରିଲରେ ବଢ଼ିବାରେ ଲାଗେ ।

କିନ୍ତୁ ଏଥର ମାର୍ଚ୍ଚରେ ଯାହା ଆସିଲା ତାହା ଥିଲା ଲକ୍‌ଡାଉନ୍‌ ।

ଏବେ, କୋଭିଡ୍‌-୧୯ ସଂକଟ ଜନିତ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ଏବଂ ଲକ୍‌ଡାଉନ୍‌ ତୃତୀୟ ମାସରେ ପହଞ୍ଚିଥିବା ବେଳେ, କେହି କ୍ରେତା ନାହାନ୍ତି ଏବଂ କୃଷି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ବ୍ୟାପକ ବାଧାପ୍ରାପ୍ତ ହୋଇଛି ।

ବିକ୍ରି ହୋଇ ନଥିବା କପା (ଏବଂ ଅନ୍ୟ ରବି ଫସଲ, ନିର୍ଦ୍ଦିଷ୍ଟ ଭାବେ ଅର୍ଥକରୀ ଫସଲ) ସହିତ ଅଡୁଆ ସ୍ଥିତିରେ ଫସି ରହିଥିବା ମହାରାଷ୍ଟ୍ରର, ବାସ୍ତବରେ ସାରା ଦେଶର ଅଗଣିତ କୃଷକଙ୍କ ମଧ୍ୟରୁ ପାୱାର ଜଣେ ।

ଏ କ୍ଷେତ୍ରରେ, କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସଂସ୍ଥା ଭାରତୀୟ କପା ନିଗମ (CCI)ଏବଂ ରାଜ୍ୟସ୍ତରୀୟ ବିଭିନ୍ନ ସଂସ୍ଥା ପକ୍ଷରୁ ମହାରାଷ୍ଟ୍ରରେ ପ୍ରାୟ ୧୫୦ଟି କପା କ୍ରୟ କେନ୍ଦ୍ର ଖୋଲିଥିଲା । ହେଲେ,ଟଳମଳ ସ୍ଥିତିରେ ଥିବା କ୍ରୟ ବ୍ୟବସ୍ଥା ପୂର୍ବରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଏବଂ ଏଥିରେ ଲାଗି ରହିଥିବା ଲମ୍ବା ଧାଡ଼ି ଯୋଗୁଁ ପାୱାରଙ୍କ ଭଳି ବ୍ୟାକୁଳ ବିକ୍ରେତାଙ୍କ ଧୈର୍ଯ୍ୟ ପରୀକ୍ଷା ହିଁ ସାର ହୋଇଛି ।

ଏ ପର୍ଯ୍ୟନ୍ତ ସାରା ଦେଶରୁ ଭାରତୀୟ କପା ନିଗମ,୯୩ଲକ୍ଷ ଗାଣ୍ଠି (ମୋଟାମୋଟି ୪୬୫ ଲକ୍ଷ କୁଇଣ୍ଟାଲ) କପା କିଣିଛି । ପୂର୍ବରୁ,୨୦୦୮ ମସିହାରେ କିଣା ହୋଇଥିବା ସର୍ବାଧିକ ୯୦ ଲକ୍ଷ ଗାଣ୍ଠି ତୁଳନାରେ ଏହା ଅଧିକ । ଏବଂ ଗତ ଦଶନ୍ଧିରେ ସାରା ଦେଶର ବାର୍ଷିକ ହାରାହାରି କ୍ରୟ ତୁଳନାରେ ପ୍ରାୟ ନଅ ଗୁଣ ଅଧିକ । ଏଥର ଏଭଳି ହାରରେ କପା କିଣା ହେବାର କାରଣ ହେଉଛି, ମାର୍ଚ୍ଚ ମଧ୍ୟ ଭାଗରେ ସାରା ଦେଶ ଲକ୍‌ଡାଉନ୍‌ ଆଡ଼କୁ ମୁହାଁଉଥିବା ବେଳେ ଘରୋଇ ବ୍ୟବସାୟୀମାନେ କପା କିଣିବା ବନ୍ଦ କରିଦେଇଥିଲେ ।

ଏହା ବ୍ୟତୀତ, କୋଭିଡ୍‌-୧୯ ପୂର୍ବରୁ ବ୍ୟବସାୟୀମାନେ କପା କୁଇଣ୍ଟାଲ ପିଛା ୫,୦୦୦ ଟଙ୍କା ଦରରେ କିଣିବାକୁ ବସିଥିବା ବେଳେ ଭାରତୀୟ କପା ନିଗମ କୁଇଣ୍ଟାଲ ପିଛା ୫,୫୦୦ ଟଙ୍କାରେ ବିକିବାକୁ ଚାଷୀଙ୍କୁ ସୁଯୋଗ ଦେଇଥିଲା । ଏବେ ସେହି ବ୍ୟବସାୟୀମାନେ ଆଦୌ କପା କିଣୁନାହାନ୍ତି । ଇତ୍ୟବସରରେ,ଦୁର୍ବଳ ଆର୍ଥିକ ସ୍ଥିତିରେ ରହିଥିବା ଭାରତୀୟ କପା ନିଗମ ଏବଂ ରାଜ୍ୟ ସରକାର ଆଉ ଅଧିକ କପା କିଣିବାକୁ ଆଗ୍ରହୀ ନୁହଁନ୍ତି ।

'There are 2,000 trucks at the CCI centre in Ghatanji, but they buy about 20 trucks worth a day,' says Kiran, Kisan Sakhru Pawar's son
PHOTO • P. Sainath
'There are 2,000 trucks at the CCI centre in Ghatanji, but they buy about 20 trucks worth a day,' says Kiran, Kisan Sakhru Pawar's son
PHOTO • P. Sainath

କିଷାନ ସାଖରୁ ପାୱାରଙ୍କ ପୁଅ କିରନ କହନ୍ତି, ‘ଘଟାଞ୍ଜିର CCI କେନ୍ଦ୍ରରେ ୨,୦୦୦ ଟ୍ରକ୍‌ ରହିଛି, କିନ୍ତୁ ସେମାନେ ଦିନକୁ ପ୍ରାୟ ୨୦ ଟ୍ରକ୍‌ କପା କିଣୁଛନ୍ତି

ମେ ମାସ ଶେଷ ସୁଦ୍ଧା, ବିଦର୍ଭ ଏବଂ ମରାଠୱାଡ଼ା (ଚାଷୀଙ୍କ ଆତ୍ମହତ୍ୟା କାରଣରୁ ସର୍ବାଧିକ ପ୍ରଭାବିତ ଅଞ୍ଚଳରୁ ଦୁଇଟି) ଏବଂ ଉତ୍ତର ମହାରାଷ୍ଟ୍ରର ଖାଣ୍ଡେଶ ଅଞ୍ଚଳର ପ୍ରାୟ ୨୦୦,୦୦୦ ଚାଷୀ ସେମାନଙ୍କ କପା ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି । କିନ୍ତୁ, କଷ୍ଟକର ପଞ୍ଜୀକରଣ ପ୍ରକ୍ରିୟା ଏବଂ ବିକ୍ରିରେ ଅନିଶ୍ଚିତତା କାରଣରୁ, ଆହୁରି ହଜାର ହଜାର ଚାଷୀ ହୁଏତ ଏହା କରିପାରି ନାହାନ୍ତି ବୋଲି ରାଜ୍ୟର ସରକାରୀ ଅଧିକାରୀମାନେ ଅନୌପଚାରିକ ଭାବରେ କହନ୍ତି ।

କୃଷକ ନେତା ଏବଂ କୃଷି ବିଦ୍ଵାନ ବିଜୟ ଜାୱାଣ୍ଡିଆ କହନ୍ତି, ୨୦୧୮-୧୯ଭଳି ମରୁଡ଼ି ବର୍ଷରେ କପା ମଞ୍ଜି ଭଲ ଦରରେ ବିକ୍ରି ହୋଇଥିଲା, ଯଦିଓ କପା ତୁଳାର ଦର ସେତେ ଭଲ ନଥିଲା । ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଅଭାବରୁ କପା ମଞ୍ଜି ଖଦାର ଚାହିଦା ବଢ଼ିଥିଲା । (ଗୋଟିଏ କୁଇଣ୍ଟାଲ ଓଜନ କପାରୁ ୬୫ ପ୍ରତିଶତ ମଞ୍ଜି ବାହାରିଥାଏ ।) ସେ କହନ୍ତି, “ଏ ବର୍ଷର’’ “କଥା ଠିକ୍‌ ତାହା ନୁହେଁ । ଏବଂ ଉଭୟ କପା ତୁଳା ଏବଂ କପା ମଞ୍ଜିର ଦର ତଳକୁ ଖସି ଯାଇଛି । ଗତ ବର୍ଷ ଆମେ ୫୦ ଲକ୍ଷ ଗାଣ୍ଠି କପା ରପ୍ତାନି କରିଥିଲୁ । ସବୁଠାରୁ ବେଶୀ ଚୀନକୁ ପଠା ଯାଇଥିଲା । ଏ ବର୍ଷ ଯଦିବା ଆମେ ସେଇ ସଫଳତାର ପୁନରାବୃତ୍ତି କରୁ, ତେବେ ଏହା ଖୁବ୍‌ କମ୍‌ ଦରରେ ହେବ । ଏବଂ ଉଭୟ କପା ଦର ଏବଂ ଯୋଗାଣ ଶୃଙ୍ଖଳକୁ ଲକ୍‌ଡାଉନ୍‌ ଧ୍ଵଂସ କରିଦେଇଛି’’। 

ଆଉ ବିକ୍ରି ହୋଇପାରି ନଥିବା କପାର ପାହାଡ଼ ବଢ଼ିବାରେ ଲାଗିଛି ।

ଏବଂ ତଥାପି, କିଷାନ ପାୱାର ଓ ଅନ୍ୟ ଚାଷୀମାନେ ଏହି ଋତୁରେ ପୁଣି କପା ଚାଷ କରିବାକୁ ଯାଉଛନ୍ତି ।

*****

ମହାରାଷ୍ଟ୍ର ରାଜ୍ୟ କପା ଚାଷୀ ସମବାୟ ବିପଣନ ମହାସଂଘର ଆକଳନ ଅନୁସାରେ ବିକ୍ରି ହୋଇପାରି ନଥିବା କପାର ପରିମାଣ ପାଖାପାଖି ୮୦ ଲକ୍ଷ କୁଇଣ୍ଟାଲ, କିମ୍ବା ମୋଟାମୋଟି ଭାବେ ୨୦୧୯-୨୦ ବର୍ଷରେ ରାଜ୍ୟରେ ମୋଟ କପା ଉତ୍ପାଦନ ଅଟକଳର ୨୫ପ୍ରତିଶତ । କପାର ସର୍ବନିମ୍ନ ସହାୟକ ମୂଲ୍ୟ ୫,୫୦୦ ଟଙ୍କା ହିସାବରେ, ବିକ୍ରି ହୋଇ ନଥିବା କପାର ମୂଲ୍ୟ ୪,୪୦୦ କୋଟି ଟଙ୍କାରୁ ଅଧିକ ।

ଭାରତୀୟ କପା ସଂଗଠନର ଅଟକଳ ଅନୁସାରେ ୨୦୧୯-୨୦୨୦ ବର୍ଷରେ ସାରା ଦେଶରେ ୩୫୫ ଲକ୍ଷ ଗାଣ୍ଠି (୧,୭୭୫ ଲକ୍ଷ କୁଇଣ୍ଟାଲ) ଏବଂ ସେହି ବର୍ଷ ଭଲ ଅମଳ ହୋଇଥିବାରୁ ମହାରାଷ୍ଟ୍ରରେ ୮୦ ଲକ୍ଷ ଗାଣ୍ଠି (୪୦୦ ଲକ୍ଷ କୁଇଣ୍ଟାଲ) କପା ଉତ୍ପାଦିତ ହୋଇଛି ।

ସେହି ସମାନ ବର୍ଷରେ ରାଜ୍ୟରେ କପାଚାଷ ହେଉଥିବା ମୋଟ ୪୪ ଲକ୍ଷ ହେକ୍ଟର ଜମିରୁ ବିଦର୍ଭରେ ୧୫ ଲକ୍ଷ ହେକ୍ଟରରେ କପାଚାଷ କରାଯାଇଥିଲା ଏବଂ  ସାମଗ୍ରିକ ଭାବେ, ଭାରତରେ୧୨୫ ଲକ୍ଷ ହେକ୍ଟର ଭଳି ବିଶାଳ ଆୟତନର ଜମିରେ କପାଚାଷ ହୋଇଥିଲା ।

କପା ମହାସଂଘର ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ ଗୋବିନ୍ଦ ଭାଇରାଲେଙ୍କ ଆକଳନ ଅନୁସାରେ, ବର୍ତ୍ତମାନ ମହାରାଷ୍ଟ୍ରର ଚାଷୀମାନଙ୍କ ପାଖରେ ଅତି କମ୍‌ରେ ୩୦ ଲକ୍ଷ କୁଇଣ୍ଟାଲ ବା ୧,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କପା ବିକ୍ରି ନ ହୋଇ ପଡ଼ି ରହିଛି ।

କିଷାନ ପାୱାର କହନ୍ତି, “ଆମ ଅଞ୍ଚଳର କେତେକ ଗାଁରେ ବହୁ ପରିମାଣର କପା ବିକ୍ରି ନହୋଇ ରହିଛି ।” ଯାହାକି ତାଙ୍କ ପାଖରେ ଥିବା କପା ତୁଳନାରେ ଅଧିକ ।

Vaibhav Wankhede's aunt, Varsha Wankhede (left); his uncle, Prakash Wankhede (centre); and his father, Ramesh Wankhede (right) are farmers with quintals of unsold cotton lying in their homes
PHOTO • Vaibhav Wankhede
Vaibhav Wankhede's aunt, Varsha Wankhede (left); his uncle, Prakash Wankhede (centre); and his father, Ramesh Wankhede (right) are farmers with quintals of unsold cotton lying in their homes
PHOTO • Vaibhav Wankhede
Vaibhav Wankhede's aunt, Varsha Wankhede (left); his uncle, Prakash Wankhede (centre); and his father, Ramesh Wankhede (right) are farmers with quintals of unsold cotton lying in their homes
PHOTO • Vaibhav Wankhede

ବୈଭବ ୱାଙ୍ଖଡ଼େଙ୍କ ଖୁଡ଼ି ବର୍ଷା ୱାଙ୍ଖଡ଼େ (ବାମ); ତାଙ୍କ ଦାଦା, ପ୍ରକାଶ ୱାଙ୍ଖଡ଼େ (ମଝି); ଏବଂ ତାଙ୍କ ବାପା, ରମେଶ ୱାଙ୍ଖଡ଼େ (ଡାହାଣ), ସମସ୍ତେ କପାଚାଷୀ ଏବଂ ସେମାନଙ୍କ ଘରେ କୁଇଣ୍ଟାଲ କୁଇଣ୍ଟାଲ କପା ବିକ୍ରି ନହୋଇ ପଡ଼ି ରହିଛି

ପାୱାରଙ୍କ ପୁଅ କିରନ କିଛି ଦିନ ତଳେ ଭାରତୀୟ କପା ନିଗମ ସହିତ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଥିଲେ । “ଘଟାଞ୍ଜିର ଭାରତୀୟ କପା ନିଗମ କେନ୍ଦ୍ରରେ ୨,୦୦୦ ଟ୍ରକ୍‌ ରହିଛି, କିନ୍ତୁ ସେମାନେ ଦିନକୁ ପ୍ରାୟ ୨୦ ଟ୍ରକ୍‌ କପା କିଣୁଛନ୍ତି । କିଏ ଜାଣିଛି, ମୋ ପାଳି କେତେବେଳେ ପଡ଼ିବ ?”

ମହାରାଷ୍ଟ୍ର ରାଜ୍ୟ କପା ଚାଷୀ ସମବାୟ ବିପଣନ ମହାସଂଘର ଅଧ୍ୟକ୍ଷ ଅନନ୍ତରାଓ ଦେଶମୁଖ କହନ୍ତି, “ଆମେ କ୍ରୟ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରୁଛୁ ।”

ତଥାପି, ମୌସୁମୀ ବର୍ଷାର ଆଗମନ ପୂର୍ବରୁ କପାଚାଷୀମାନଙ୍କ ନିକଟରେ ରହିଥିବା ବିପୁଳ ପରିମାଣର କପା କିଣା ହୋଇଯିବା ସମ୍ଭାବନା ଖୁବ୍‌ କମ୍‌ ବୋଲି ମନେହେଉଛି । ପ୍ରତି ବର୍ଷ ଅକ୍ଟୋବରରେ ଆରମ୍ଭ ହେଉଥିବା କପାକିଣା ଋତୁ, ନିୟମ ଅନୁସାରେ ପରବର୍ତ୍ତୀ ବର୍ଷ ସେପ୍ଟେମ୍ବରରେ ଶେଷ ହୋଇଥାଏ । ତେଣୁ, ବିକ୍ରି ହୋଇ ନଥିବା କପା ଆଗକୁ ଆହୁରି ଅଧିକ ପରିମାଣରେ ଜମା ହୋଇଯିବ ।

ଏବଂ ତଥାପି, କିଷାନ ପାୱାର ଓ ଅନ୍ୟମାନେ ଏହି ଋତୁରେ ମଧ୍ୟ କପାଚାଷ ହିଁ କରିବାକୁ ସ୍ଥିର କରିଛନ୍ତି ।

*****

ଫୋନ୍‌ରେ କଥା ହେବା ସମୟରେ ନାଗପୁର ଜିଲ୍ଲା କାଟୋଲ ତହସିଲ ଅନ୍ତର୍ଗତ ମିନିୱାଡ଼ା ଗାଁର ଜଣେ ଯୁବ ଚାଷୀ ବୈଭବ ୱାଙ୍ଖଡ଼େ ଅଭିଯୋଗ କରନ୍ତି, “ଆମମାନଙ୍କ (ଚାଷୀମାନଙ୍କ) ଘରେ କୁଇଣ୍ଟାଲ କୁଇଣ୍ଟାଲ କପା ବିକ୍ରି ନହୋଇ ପଡ଼ି ରହିଛି ।”

କିଷାନ ପାୱାର କହନ୍ତି, “ଏ ବର୍ଷ ଆମେ ଅଳ୍ପ କେଇ ଏକରରେ କପାଚାଷ କରିପାରୁ, କିନ୍ତୁ ଆମେ ଏହାକୁ ଛାଡ଼ିପାରିବୁ ନାହିଁ ।”

କରୋନା ଭାଇରସ୍‌, ଲକ୍‌ଡାଉନ ଏବଂ ପ୍ରବାସୀ ଶ୍ରମିକ ସଂକଟ ଘନୀଭୂତ ହେଉଥିବା ବେଳେ, ସେମାନେ ଭୋକରେ ରହିବାକୁ ବାଧ୍ୟ ହେବା ଭଳି ଗୁରୁତର ବିପତ୍ତିର ଆଶଙ୍କା ନାହିଁ ତ ? ୱାଙ୍ଖଡ଼େ କହନ୍ତି, “ଆତଙ୍କିତ ହେବା ଭଳି କିଛି ନାହିଁ । ଏଠାକାର ଅଧିକାଂଶ ଲୋକେ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ କିଣନ୍ତି ଏବଂ ଯେ କୌଣସି ସଂକଟ ସମୟରେ ବି ଏହା ଅବ୍ୟାହତ ରହିବ ବୋଲି ସେମାନଙ୍କର ବିଶ୍ଵାସ । ଆମର ଏହି ଶୁଷ୍କଭୂମି ଅଞ୍ଚଳରେ କପାର ବିକଳ୍ପ କିଛି ନାହିଁ । ଆମେ କେବଳ ଦରକୁ ନେଇ ଚିନ୍ତିତ”- ଭୋକକୁ ନେଇ ନୁହେଁ ।

ଏଥର କୃଷିଋତୁରେ ଆଗକୁ ଗୁରୁତର ସ୍ଥିତି ଉପୁଜିବାର ଆଶଙ୍କା ରହିଥିବା କଥାରେ ସମ୍ମତ ବିଜୟ ଜୱାଣ୍ଡିଆ ପଚାରନ୍ତି, “ଆମ ପାଖରେ ବିକଳ୍ପ ଚାଷ ଆଉ କ’ଣ ଅଛି ? ସେମାନଙ୍କ ପାଇଁ ନଗଦ ଟଙ୍କାର ଆବଶ୍ୟକତା ଏତେ ବେଶୀ ଯେ ସେମାନେ କୌଣସି ସମ୍ଭାବ୍ୟ ଖାଦ୍ୟ ସଂକଟ ବିଷୟରେ ଚିନ୍ତା କରୁନାହାନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଓ ଗହମ ମିଳିବା ଅବ୍ୟାହତ ରହିବ ବୋଲି ସେମାନେ ଧରିନେଇଛନ୍ତି । ସେମାନେ ଆଉ ଯେଉଁ ଖାଦ୍ୟଶସ୍ୟ ଫସଲ କରିପାରିବେ ତାହା ହେଲା ଯଅ, ଯାହାର କି ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇନାହିଁ କି ଯାହା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ ହୋଇନାହିଁ । ସରକାର ଯଅ ପାଇଁ ତୁରନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ସହିତ ଏହି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହ ସଂଯୋଗ କରାଇବା ଦିଗରେ ଚିନ୍ତା କରିବା ଉଚିତ । ସୋୟାବିନ ଚାଷରେ ବିପଦ ସମ୍ଭାବନା ଖୁବ ଅଧିକ ବୋଲି ଚାଷୀମାନେ ବିଚାର କରନ୍ତି । କାରଣ, ଅଦିନିଆ ବର୍ଷା ହେଲେ, ମାତ୍ର କେଇ ଘଣ୍ଟା ଭିତରେ ପୂରା ଫସଲ ନଷ୍ଟ ହୋଇଯିବ ।  ଏବଂ ଏହାକୁ ଅମଳ କରିବା ପାଇଁ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ସମୟରେ ବହୁ ଶ୍ରମିକ ଉପଲବ୍‌ଧ ହେବା ଆବଶ୍ୟକ । କିନ୍ତୁ, ବିପଦ ଆଶଙ୍କା ସତ୍ତ୍ଵେ କପାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇପାରେ ବୋଲି କେତେକ ଲୋକ ନିଶ୍ଚିତ ।”

କିଷାନ ପାୱାରଙ୍କ ଜଣେ ସଂପର୍କୀୟ, ଘଟାଞ୍ଜି ତହସିଲ ଅନ୍ତର୍ଗତ ଅଞ୍ଜି ଗାଁର ଶ୍ୟାମ ନନ୍ଦୁ ରାଠୋଡ, କପା ନିଗମ ସହିତ ନିଜ ନାଁକୁ ଅନ୍‌ଲାଇନରେ ପଞ୍ଜୀକରଣ କରିଛନ୍ତି । ସେ କହନ୍ତି, “ସବୁ ସମୟରେ ମୁଁ ଯେଉଁ ମୂଲ୍ୟ ପାଏ ତାହା ପାଇବି ନାହିଁ, କିନ୍ତୁ ଅଭାବୀ ବିକ୍ରି ତୁଳନାରେ ସମର୍ଥନ ମୂଲ୍ୟ ପାଇବା ଭଲ।” କିନ୍ତୁ କେବଳ ଯଦି କପା ନିଗମ ତାଙ୍କଠାରୁ କପା କିଣେ, ତାହେଲେ ହିଁ ତାହା ସମ୍ଭବ ।

ଫୋନ୍‌ରେ ସେ କହନ୍ତି, “ଲମ୍ବା ଧାଡ଼ିଟିଏ ଲାଗିଛି, ଏବଂ କୌଣସି କଥା ନିଶ୍ଚିତ ନୁହେଁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar