ଆନ୍ଧ୍ରପ୍ରଦେଶ ସରକାର କ୍ରିଷ୍ଣା ନଦୀ କୂଳରେ ଅମରାବତୀ ସହର –ଏହାର ସ୍ୱପ୍ନର ନଦୀ ଅବବାହିକା ରାଜଧାନୀ-ଗଢିବା ପାଇଁ ଏହା ପାଖରେ ଥିବା ୨୯ଟି ଗ୍ରାମରୁ ବିପୁଳ ପରିମାଣର ଜମି ଅଧିଗ୍ରହଣ କରୁଥିବା ବେଳେ ଏହି ଅଞ୍ଚଳକୁ ପ୍ରବାସରେ ଆସୁଥିବା ଏହାର ପ୍ରଥମ ନୂତନ ‘ନାଗରିକ’ମାନେ ମୁଖ୍ୟତଃ ନିଜର ଚାରି ଗୋଡ଼ରେ ଚାଲି ଚାଲି ଆସୁଛନ୍ତି ।

ସରକାର ଜମି ଗ୍ରହଣ କରୁଥିବାରୁ, କୃଷି କାର୍ଯ୍ୟ ଅଚଳ ହୋଇଯାଇଛି, କୃଷିଜମିଗୁଡିକ ଚାରଣଭୂମି ପାଲଟିଯାଇଛି ଓ ରାଜଧାନୀ ସହର ଯାହା ନିର୍ମାଣ ହୋଇପାରେ ବା ନହୋଇପାରେ ମଧ୍ୟ, ତାହାର ନିର୍ମାଣକୁ ଅପେକ୍ଷା କରି ହଜାର ହଜାର କୃଷି ଶ୍ରମିକଙ୍କ ଭାଗ୍ୟ ଅନିର୍ଦ୍ଦିଷ୍ଟତା ଦେଇ ଗତି କରୁଛି । ଇତିମଧ୍ୟରେ ଛେଳି-ଚରାଳିମାନେ ସେମାନେ ରଖିଥିବା ହଜାର ହଜାର ପଶୁଙ୍କ ସହିତ ଏହି ଉର୍ବର ଭୂମି ଯେଉଁଥିରେ ବର୍ଷରେ ତିନୋଟି ଫସଲ ହୋଇପାରିବ, ସେଠାକୁ କ୍ରମାଗତ ଭାବେ ଆସିବାରେ ଲାଗିଛନ୍ତି । “ମୁଁ ଖବରକାଗଜରେ ପଢିଲି ଯେ ଏହି ସ୍ଥାନରେ ସହର ନିର୍ମାଣ କରିବା ପାଇଁ ସରକାର ଏଠାରେ କୃଷି କାମ ବନ୍ଦ କରିବା ପାଇଁ କୃଷକମାନଙ୍କୁ କହିଛନ୍ତି,” ବୋଲି ଗୋରିପାର୍ଥୀ ଲାଧର ବାବୁ, ଜଣେ ଛେଳି-ପାଳକ କହିଛନ୍ତି ।

PHOTO • Ajai Sreevatsan and Sri Lakshmi Anumolu

“ଅମରାବତୀ” – ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନଦୀ ଅବବାହିକା ରାଜଧାନୀକୁ ଆସୁଥିବା ସର୍ବପ୍ରଥମ ପ୍ରବାସୀମାନଙ୍କ ମଧ୍ୟରେ..

ଏହି ୩୪ବର୍ଷ ବୟସ୍କ ବ୍ୟକ୍ତି ଜଣକ ନିଜର ୧୦୦୦ଛେଳି ଓ ପଡୋଶୀ କ୍ରିଷ୍ଣା ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ମଲ୍ଲାମପଲ୍ଲିର ଅନ୍ୟ ନଅ ଜଣ ଲୋକଙ୍କ ସହିତ ମିଶି ନିର୍ମାଣ ହେବାକୁ ଥିବା ଏହି ସହରରେ ପହଞ୍ଚିବା ପାଇଁ ହାଇୱେ ଓ ବାଇଲେନ୍‌ଗୁଡ଼ିକରେ ଚାଲି ଚାଲି ୧୫୦କିଲୋମିଟର ପଥ ଯାତ୍ରା କରିଛନ୍ତି । ଯଦି କେବେ ଏହା ସମ୍ପୂର୍ଣ୍ଣ ହୁଏ ତେବେ ଏହି ବୃହତ୍ତର ରାଜଧାନୀ କ୍ଷେତ୍ର ୮୬୦୩ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିବ । ବର୍ତ୍ତମାନ, ବୋଧହୁଏ ଏହା ହେଉଛି ଆନ୍ଧ୍ରପ୍ରଦେଶର ସର୍ବବୃହତ୍‌ ଚାରଣ ଭୂମି ।

“ଏଠାରେ ପହଞ୍ଚିବାକୁ ଆମକୁ ପ୍ରାୟ ୧୫ଦିନ ଚାଲିବାକୁ ପଡ଼ିଲା,” ବୋଲି ଗୋରିପାର୍ଥୀ ଶିବରାମକ୍ରିଷ୍ଣ ନାମକ ଅନ୍ୟ ଜଣେ ଚରାଳି କହିଲେ । “ଆମ ଗ୍ରାମରୁ କିଛି ଲୋକ ଏହି ସ୍ଥାନ ବିଷୟରେ ଅନୁସନ୍ଧାନ କରିବାକୁ ଆସିଥିଲେ ଓ ତାପରେ ଚାରିଆଡେ ଏହା ପ୍ରଚାରିତ ହୋଇଗଲା ଯେ ଏଠାରେ ପ୍ରଚୁର ଭୂମି ଅଛି ଯେଉଁଠାକୁ ଛେଳିମାନଙ୍କୁ ଚରାଇବା ପାଇଁ ନିଆଯାଇପାରିବ ।

PHOTO • Ajai Sreevatsan and Sri Lakshmi Anumolu

ଭବିଷ୍ୟତର ଏହି ସହର ନର୍ମାଣ ସ୍ଥଳରେ ପହଞ୍ଚିବା ପାଇଁ ପାଳକମାନେ ହାଇୱେ ଓ ବାଇଲେନ୍‌ଗୁଡ଼ିକରେ ୧୫ ଦିନ ଚାଲି ଚାଲି ଆସିଛନ୍ତି

“ଲ୍ୟାଣ୍ଡ ପୁଲିଂ” ସ୍କିମ୍‌ ଯାହା ନିଶ୍ଚିତ ଭାବେ କୃଷକମାନଙ୍କ ଜମିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆପଣେଇଥିବା ଏକ ରାସ୍ତା, ତାହା ଯୋଗୁଁ କୃଷି କାମ କରିବା କଷ୍ଟକର ହୋଇପଡ଼ିଛି । ଜମି ଅଧିଗ୍ରହଣ ଆଇନ୍‌ ୨୦୧୩ ଅନ୍ତର୍ଗତ ସିଧାସଳଖ ଜମି ଗ୍ରହଣ କରିବା ପ୍ରକ୍ରିୟା କଠିନ ହୋଇଯିବାରୁ, ଆନ୍ଧ୍ରପ୍ରଦେଶ ସରକାର ଏହି କୌଶଳ ଆପଣେଇଛନ୍ତି ଯାହା ପ୍ରତିରୋଧକୁ ଏଡ଼େଇବା ପାଇଁ ଏକ ବିଚକ୍ଷଣ ଉପାୟ ଅଟେ: ରାଜଧାନୀ ପାଇଁ ଯେଉଁ ଜମିର ଆବଶ୍ୟକତା ରହିଛି ତାହା ସାମୂହିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହେବ ଓ ଯେଉଁମାନେ ଏଥିପାଇଁ ସେମାନଙ୍କ ଜମି ଦାନ କରିବେ, ସେମାନେ ପରବର୍ତ୍ତୀ ସମୟରେ ଯେତେ ଏକର ଦାନ କରିଥିବେ ତାହାର ୩୦ ପ୍ରତିଶତ ଫେରସ୍ତ ପାଇବା ପାଇପାରିବେ । ଏହା ଏହି ଦାବି ଉପରେ ଆଧାରିତ ଯେ ସେତେବେଳକୁ ଏହା ବିକଶିତ ହୋଇଯାଇଥିବ ଓ ଏଣୁ ଏହାର ମୂଲ୍ୟ ବର୍ତ୍ତମାନର ବଜାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ହୋଇଯିବ ।

ଯଦିଓ ଜଣେ ନିଜ ଇଚ୍ଛାରେ ଏହି ପୁଲିଂରେ ଅଂଶଗ୍ରହଣ କରିବା ନିୟମ ରହିଛି, ତେବେ ସ୍ଥାନୀୟ ପ୍ରଶାସନ ଏଥିପାଇଁ କୃଷକମାନଙ୍କୁ ଭୟଭୀତ କରିବା ଓ ବଳ ପ୍ରୟୋଗ କରିବା କଥା କୃଷକମାନେ ଅଭିଯୋଗ କରୁଛନ୍ତି ବୋଲି କେତେକ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି । ସରକାର ଭାରି ମେସିନ୍‌ ସବୁ ବ୍ୟବହାର କରି ପୁଲ୍‌ ହୋଇଥିବା ଭୂମି ଉପରୁ ସବୁଜିମା ନିଶ୍ଚିହ୍ନ କରି ଏହାକୁ ପରିଷ୍କାର କରିବା କାମ ମଧ୍ୟ ଆରମ୍ଭ କରିଦେଲେଣି । ଅଧିକାଂଶ କୃଷକ, ଏପରିକି ଯେଉଁମାନଙ୍କ ଅଧିନରେ ଏବେ ମଧ୍ୟ ସେମାନଙ୍କ ଜମି ଅଛି, ସେମାନେ ମଧ୍ୟ ସାମୟିକ ଭାବେ ଫସଲ କରିବା ବନ୍ଦ କରିଦେଇଛନ୍ତି । ଏହା ମଝିରେ ଅମରାବତୀର ଉର୍ବର ଭୂମିର ଭାଗ୍ୟ ମଧ୍ୟ ଫସିଯାଇଛି, ଯେଉଁଠାରେ ଛେଳି ଓ ମେଣ୍ଢାଙ୍କ ପ୍ରେବଶ ଅନ୍ୟତମ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି ।

PHOTO • Ajai Sreevatsan and Sri Lakshmi Anumolu

କୃଷି କାମ ବନ୍ଦ ହୋଇଯାଇଛି ଓ ହଜାର ହଜାର କୃଷି ଶ୍ରମିକମାନଙ୍କ ଭାଗ୍ୟ ଅନିର୍ଦ୍ଦିଷ୍ଟତା ମଧ୍ୟ ଦେଇ ଗତି କରୁଛି ଯେହେତୁ ସେମାନେ ରାଜଧାନୀ ସହର ପାଇଁ ଅପେକ୍ଷା କରି ରହିଛନ୍ତି ଯାହା ନିର୍ଣାଣ ହୋଇପାରେ ବା ନହୋଇପାରେ ମଧ୍ୟ

କିଛି ମାସ ପୂର୍ବେ ପଶୁଗୁଡ଼ିକ ଆସିବା ପରେ ଫସଲ ଚାରିପାଖରେ ବାଡ ଘେରେଇବା ପାଇଁ ଓ ତାହା ଉପରେ ନଜର ରଖିବା ପାଇଁ କୃଷକମାନଙ୍କ ବ୍ୟୟ ବହୁଗୁଣିତ ହୋଇଯାଇଛି । ଏହା ବର୍ତ୍ତମାନ କୃଷକ ଓ ପଶୁ ଚରାଳିଙ୍କ ମଧ୍ୟରେ ସଂଘର୍ଷର କାରଣ ପାଲଟିଛି । ଅନେକ କୃଷକ ଯେଉଁମାନେ ଏବେ ମଧ୍ୟ ଲ୍ୟାଣ୍ଡ ପୁଲିଂ ପାଇଁ ସେମାନଙ୍କ ଜମି ହସ୍ତାନ୍ତର କରିନାହାନ୍ତି ଓ ଯଦି ସେମାନେ ଚାହାନ୍ତି ତେବେ ଏବେ ମଧ୍ୟ ସେଥିରେ ଚାଷ କରିପାରିବେ, ସେମାନେ କୃଷି କାମ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି, କିଛି ସମୟ ପାଇଁ ହୋଇପାରେ । ଯାହା ଫଳରେ, ଏକଦା ବିଜୟୱାଡାର ଦକ୍ଷିଣରେ ଅବସ୍ଥିତ ଏହି ଉର୍ବର ଭୂମି ବର୍ତ୍ତମାନ ନିଷ୍ଫଳା ହୋଇଯାଇଛି ଓ ଏଠାରେ ବହୁସଂଖ୍ୟକ ଜଙ୍ଗଲି ଘାସ ଜାତୀୟ ଉଦ୍ଭିଦ କେବଳ ଦେଖିବାକୁ ମିଳୁଛି ।

କୃଷକମାନଙ୍କ ଭଳି, ଛେଳି ପାଳକଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଅଛି। ଗତ ଅକ୍ଟୋବରରେ ଏହି ନୂଆ ସହରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବାର ଠିକ୍‌ ପୂର୍ବରୁ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ, ସମସ୍ତ ଚରାଳିଙ୍କୁ ସେହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । “ଆମ ମଧ୍ୟରୁ ଅନେକ କ୍ରିଷ୍ଣା ନଦୀର ବାଲୁକାମୟ କୂଳରେ ଲୁଚି ରହିଗଲୁ । ଅନ୍ୟମାନେ ଆଖପାଖ ଗ୍ରାମକୁ ଚାଲିଗଲେ,” ବୋଲି ଶିବରାମକ୍ରିଷ୍ଣ କୁହନ୍ତି । ଏହି କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ, ଏହି ଅଞ୍ଚଳରେ ଥିବା ହାଇୱେଗୁଡ଼ିକ ଛେଳି ଓ ମେଣ୍ଡାମାନଙ୍କ ଦ୍ୱାରା ରୁଦ୍ଧ ହୋଇଯାଇଥିଲା ବୋଲି ସ୍ଥାନୀୟ ନିବାସୀମାନେ କୁହନ୍ତି ।

PHOTO • Ajai Sreevatsan and Sri Lakshmi Anumolu

କୃଷକଙ୍କ ପରି ଛେଳି-ପାଳକମାନେ ମଧ୍ୟ ଅମରାବତୀ ପାଇଁ ଅପେକ୍ଷା କରି ରହିଥିବାରୁ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଅଛି

ବର୍ତ୍ତମାନ ପାଇଁ, ଚରାଳିମାନେ ନିଜ ସ୍ୱାଭାବିକ ଜୀବନ ବଞ୍ଚିବା ପାଇଁ ଅମରାବତୀ ଫେରି ଆସିଛନ୍ତି । ସେମାନେ ଭୋର୍‌ ସମୟରେ ଉଠନ୍ତି ଓ ପୂର୍ବାହ୍ନ ୭ରୁ ନିଜ ଛେଳିଙ୍କ ଯତ୍ନ ନେବା କାମ ଆରମ୍ଭ କରିଦିଅନ୍ତି। ଅଧିକାଂଶ ଚରାଳିଙ୍କ ବୟସ ମଧ୍ୟ-୨୦ରୁ ଉତ୍ତୀର୍ଣ୍ଣ-୩୦ ମଧ୍ୟରେ ହେବ । ସେମାନେ ଦଳବଦ୍ଧ ଭାବେ ଚାରିଆଡ଼େ ଯାଆନ୍ତି, ଗୋଟିଏ ଦଳରେ ୧୦-୧୫ ପୁରୁଷ ଓ ୧୦୦୦ ଛେଳି ରହିଥାନ୍ତି – ତେବେ ଯାହା ସେମାନଙ୍କୁ ପରସ୍ପର ସହିତ ବାନ୍ଧି ରଖେ ତାହା ହେଉଛି ସେମାନଙ୍କ ଗ୍ରାମ୍ୟ ପରିଚୟ ଓ ଯାଯାବର ଜୀବନଶୈଳୀ । 

ଯେଉଁ ସବୁ ମାସରେ ପାଳକମାନେ ସେମାନଙ୍କ ଗ୍ରାମଠାରୁ ଦୂରରେ ରୁହନ୍ତି, ସେମାନେ ସେତେବେଳେ ଖୋଲା ପଡ଼ିଆରେ ଶୁଅନ୍ତି ଓ ଖାଦ୍ୟ ଖାଆନ୍ତି । ଏହାର ଅର୍ଥ ହେଉଛି ସେମାନେ ପ୍ରତି ଘଣ୍ଟାରେ ପାଳି କରି ନିଜ ପଶୁମାନଙ୍କ ଉପରେ ନଜର ରଖିଥାନ୍ତି । “ଆମକୁ ନିରନ୍ତର ସତର୍କ ରହିବାକୁ ହୋଇଥାଏ । କିଛି ଦିନ ତଳେ କେହି ଜଣେ ଶୋଇ ପଡିବାରୁ ଆମର ଗୋଟିଏ ଛେଳି ଚୋରି ହୋଇଗଲା,” ବୋଲି ଶିବରାମକ୍ରିଷ୍ଣ କୁହନ୍ତି ।

ଯେହେତୁ, ଏକ ଭଲ, ମୋଟା ପରିପକ୍ୱ ଛେଳି ବିକ୍ରି କଲେ ଆମକୁ ୪,୫୦୦ଟଙ୍କା ମିଳିଥାଏ, ଏଣୁ ସେଥିରୁ ଗୋଟିଏ ମଧ୍ୟ ହରାଇବା ଆମ ପାଇଁ ଅଶାନ୍ତିଜନକ ହୋଇପାରେ । ଗ୍ରୀଷ୍ମ ଦିନଗୁଡ଼ିକରେ, ପାଳକମାନେ ସେମାନଙ୍କ ନିଜ ଗ୍ରାମକୁ ଫେରି ଯାଆନ୍ତି। “ଏହା ହେଉଛି ସେହି ସମୟ ଯେତେବେଳେ ଭୂମିରେ କୌଣସି ପ୍ରକାରର କୃଷି କାର୍ଯ୍ୟ କରାଯାଇନଥାଏ ଓ ସେହି ଜମିକୁ ଚରା ଭୂମି ଭାବେ ବ୍ୟବହାର କରାଯାଇପାରିବ’’ ବୋଲି କୁକୁଳା ରାମ କୋଟେଶ୍ୱର ରାଓ କୁହନ୍ତି । “ବର୍ଷର ଅନ୍ୟ ସମୟରେ ଏହା ଲଙ୍କା ଗଛରେ ପରିପୂର୍ଣ୍ଣ ହୋଇ ରହିଥାଏ’’।

PHOTO • Ajai Sreevatsan and Sri Lakshmi Anumolu

ଏକ ପରିପକ୍ୱ ଛେଳିକୁ ବିକ୍ରି କଲେ ୪,୫୦୦ ଟଙ୍କା ମିଳିଥାଏ, ଏଣୁ ପାଳକମାନେ ସେମାନଙ୍କ ପଶୁ ଅପହରଣ ନହେବା ପାଇଁ ସେମାନଙ୍କ ଉପରେ ସବୁବେଳେ ନଜର ରଖିଥାନ୍ତି

ପ୍ରତିବର୍ଷ ଯେତେବେଳେ ନିଜ ଗ୍ରାମରେ ଥିବା ସେହି ପଡିଆଗୁଡିକ ପୁଣି ଚାଷଜମିରେ ରୂପାନ୍ତରିତ ହୋଇଯାଏ, ସେତେବେଳେ ପାଳକମାନେ ଦକ୍ଷିଣ ଆଡକୁ ଯାତ୍ରା ଆରମ୍ଭ କରନ୍ତି – କ୍ରିଷ୍ଣା ନଦୀ ଆରପାରିକୁ- ଚାରଣଭୂମି ଅନୁସନ୍ଧାନରେ । ପୂର୍ବରୁ, ସେମାନଙ୍କ ମଧ୍ୟରୁ ଅନେକ ଭେଲ୍ଲାମପଲ୍ଲୀ ଜଙ୍ଗଲ ପର୍ଯ୍ୟନ୍ତ ସେମାନଙ୍କ ଛେଳିମାନଙ୍କୁ ନେଇ ଯାଉଥିଲେ, ଯାହା ଭବିଷ୍ୟତର ରାଜଧାନୀ, ଅମରାବତୀଠାରୁ ୮୦କିଲୋମିଟର ଦୂରରେ ଅବସ୍ଥିତ । 

PHOTO • Ajai Sreevatsan and Sri Lakshmi Anumolu

ସେମାନେ ଯେତେବେଳେ ସେହି ସହରର ନିର୍ମାଣ କାମ ଆରମ୍ଭ କରିବେ ସେତେବେଳେ କଣ ହେବ କିଏ ଜାଣେ?

“ସେହି ଜଙ୍ଗଲ ସବୁ ବ୍ୟବହାର କରିବା ପାଇଁ ଆମକୁ କିଛି ଅର୍ଥ ମଧ୍ୟ ପଇଠ କରିବାକୁ ହେବ,” ବୋଲି କୋଟେଶ୍ୱର ରାଓ କୁହନ୍ତି। “ବର୍ତ୍ତମାନ ପାଇଁ, ଆମେ ଓ ଆମର ଛେଳିମାନେ ରାଜଧାନୀ ନିର୍ମିତ ହେବାକୁ ଥିବା ଏହି ଭୂମିରେ ରହିପାରୁଛୁ । ଯେତେବେଳେ ସେମାନେ ସେହି ସହର ନିର୍ମାଣ କରିବା ଆରମ୍ଭ କରିବେ ସେତେବେଳେ କ’ଣ ହେବ କିଏ ଜାଣେ?”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ajai Sreevatsan and Sri Lakshmi Anumolu

Ajai Sreevatsan is an independent journalist; he has previously worked with 'The Hindu.' Sri Lakshmi Anumolu is an activist working on issues related to land acquisition in Andhra Pradesh. Both are presently Young India Fellows under a fellowship awarded by Ashoka University, Sonepat

Other stories by Ajai Sreevatsan and Sri Lakshmi Anumolu