“କାନ୍ଦନି  । ଆମେ କିଛି କରିବୁ । ମୁଁ ଦେଖିବି ତମେ ଯେମିତି ଠିକ୍ ସାହାଯ୍ୟ ପାଅ । ” ଏ କଥା କହିଲେ ସୁନିତା ଭୋସାଲେ  । ଅହମ୍ମଦ ନଗର ଜିଲ୍ଲାର ଶ୍ରୀଗୋଣ୍ଡା ତାଲୁକାର କାନସେୱାଡ଼ି ଗାଁରୁ ଏହି ଫୋନ୍ କଲ୍ ଆସିଥିଲା । 

୮୦ ବର୍ଷ ବୟସ୍କ ଶାନ୍ତାରାମ୍ ଚହ୍ଵାଣ ନିଜ ଚାଷ ଜମି ମଧ୍ୟରେ ଏକ  ହିଡ଼ ନିର୍ମାଣ କରିବା କାରଣରୁ କିଛି ଗ୍ରାମବାସୀ ତାଙ୍କୁ ଖୁବ୍ ପିଟିଥିଲେ  । ତାଙ୍କ ଝିଅ ପିନ୍ତି ତାଙ୍କୁ ଅହମ୍ମଦ ନଗର ସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସୁନିତା ଫୋନରେ ୪୦ ବର୍ଷ ବୟସ୍କା ପିନ୍ତିଙ୍କୁ ଆଶ୍ୱାସନା ଦେଉଥିଲେ ।

ଏହାପରେ ସେ ଅହମ୍ମଦ ନଗରର ଜଣେ ସ୍ୱେଚ୍ଛାସେବୀଙ୍କୁ ଫୋନ୍ କଲେ । ସୁନିତା ତାଙ୍କୁ କହିଲେ “ଚହ୍ଵାଣ ପୁଣି ଥରେ ମାଡ଼ ଖାଇଲାଣି  । ଏବେ ପୋଲିସ୍ ଥାନାକୁ ଯାଅ  । ଧାରା ୩୦୭ ଅନୁଯାୟୀ ଗୋଟିଏ କେସ୍ ଫାଇଲ୍ କରିବାକୁ କୁହ (ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ହତ୍ୟା ଉଦ୍ୟମ  । ମତେ ଲଗାତାର  ସୂଚନା ଦେଉଥାଅ ।” ଏହା କହି ସୁନିତା ଫୋନ୍ କାଟିଦେଲେ ।

Sunita listening to a case over the phone
PHOTO • Jyoti Shinoli

ସୁନିତା ଭୋସାଲେଙ୍କୁ ପାର୍ଦ୍ଧିମାନେ ଅନେକ ସମୟରେ ଫୋନ୍ କରି ସାହାଯ୍ୟ ମାଗନ୍ତି ।

କେଇ ମୂହୁର୍ତ୍ତ ନୀରବ ରହିବା ପରେ ସେ ରାଗିକରି କହିଲେ , “ସେମାନେ ଏମିତି କେମିତି କରିପାରିବେ? ସେଇଟା ତାଙ୍କ ଜମି  । ଏଇଟା ତାଙ୍କ ଉପରେ ଦ୍ୱିତୀୟ ଅକ୍ରମଣ  । ଏହା ପୂର୍ବରୁ ସେମାନେ ତାଙ୍କ ହାତ ଭାଙ୍ଗି ଦେଇଛନ୍ତି । ଏବେ କ’ଣ ତାଙ୍କୁ ମାରିବାକୁ ଚାହୁଁଛନ୍ତି?” ଚବନଙ୍କ ପରି ସୁନିତା ଭୋସାଲେ ମଧ୍ୟ ଫାନସେ ପାର୍ଦ୍ଧି ସମୂହର  । ଏହା ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଅନୂସୂଚିତ ଜନଜାତି ଭାବରେ ସୂଚିବଦ୍ଧ । ଏହି ଗୋଷ୍ଠି  ଅନେକ ଦଶକର ଅପରାଧୀକରଣ ଏବଂ ହିଂସା ସହ୍ୟ କରିଛି ।

ପାର୍ଦ୍ଧିମାନେ ଅନ୍ୟ କେତେକ ଜନଜାତି ସହିତ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଅପରାଧି ଜନଜାତି ଆଇନ ଅଧୀନରେ ଅପରାଧି ଭାବରେ ଘୋଷିତ ହୋଇଥିଲେ। “ ଏହି ୧୮୭୧ ସିଟିଏ ଏବଂ ଏହାର ପରବର୍ତ୍ତୀ ସଂଶୋଧନ  ୧୨୦ରୁ ଅଧିକ ସମୂହକୁ ‘ଅପରାଧି ଜନଜାତି’ ଭାବରେ ଘୋଷିତ କରିଛି । ” ଅର୍ଥାତ୍ ଏହିସବୁ ସମୁହ ଜନ୍ମରୁ ଅପରାଧୀ ଏବଂ ସେମାନଙ୍କର ବୃତ୍ତି ଅପରାଧ । ମୁମ୍ବାଇସ୍ଥ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍  ସାଇନ୍ସର ସେଣ୍ଟର ଫର୍ କ୍ରିମିନୋଲୋଜି ଆଣ୍ଡ ଜଷ୍ଟିସର ମୁମ୍ବାଇ ସହରରେ ରହୁଥିବା ପାର୍ଦ୍ଧିମାନଙ୍କ ସ୍ଥିତି ନେଇ ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଏହି ଆଇନ ଔପନିବେଶ ସରକାରଙ୍କୁ ଏହି ସବୁ ଯାଯାବର ଜନଜାତିଙ୍କୁ  ଚିହ୍ନଟ କରିବା , ଦଣ୍ଡ ଦେବା, ଅଲଗା କରିବା ଏବଂ ବଳପୂର୍ବକ  ନିରସ୍ତ୍ର କରିବାର କ୍ଷମତା ଦେଇଥିଲା ।

୧୯୫୨ ମସିହାରେ ଭାରତ ସରକାର ଏହି ଆଇନ ପ୍ରତ୍ୟାହାର କଲେ ଏବଂ ଜନଜାତିଗୁଡ଼ିକୁ ଚିହ୍ନଟରୁ ମୁକ୍ତ କରାଗଲା । ଏବେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅନୂସୂଚିତ ଜାତି, କେତେକଙ୍କୁ ଅନୂସୂଚିତ ଜନଜାତି ଏବଂ କେତେକଙ୍କୁ ଅନ୍ୟ ପଛୁଆ ବର୍ଗ ଶ୍ରେଣୀରେ ସାମିଲ କରାଯାଇଛି ।

୨୦୧୧ ମସିହା ଜନଗଣନା ଅନୁଯାୟୀ, ମହାରାଷ୍ଟ୍ରରେ ୨୨୩,୫୨୭ ଜଣ ପାର୍ଦ୍ଧି ବାସ କରନ୍ତି । ଏହା ବ୍ୟତୀତ ଏହି ଜନଜାତିର କିଛି ଲୋକ ଛତିଶଗଡ଼ , ଗୁଜରାଟ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶରେ ବାସ କରୁଛନ୍ତି । ପାର୍ଦ୍ଧିମାନଙ୍କ ମଧ୍ୟରେ ଅନେକ ଉପଜାତି ମଧ୍ୟ ଅଛି । ଏହା ମୁଖ୍ୟତଃ ସେମାନଙ୍କ ବୃତ୍ତି ଏବଂ ଅନ୍ୟାନ୍ୟ ବର୍ଣ୍ଣନାକାରୀଙ୍କ  ନାମ ଅନୁଯାୟୀ ହୋଇଥାଏ । ଏମାନଙ୍କ ମଧ୍ୟରେ ଅଛନ୍ତି ପାଲ୍ ପାର୍ଦ୍ଧି(ଯେଉଁମାନେ ତମ୍ବୁରେ ରୁହନ୍ତି), ଭୀଲ୍ ପାର୍ଦ୍ଧି( ଯେଉଁମାନେ ଆଗ୍ନେୟାସ୍ତ୍ର ଉପଯୋଗ କରନ୍ତି) ଏବଂ ଫାନସେ ପାର୍ଦ୍ଧି( ଯେଉଁମାନେ ଶୀକାର କଲାବେଳେ ଫାଶ ବ୍ୟବହାର କରନ୍ତି) ।

ଭାରତର ପାଖାପାଖି ପ୍ରାୟ ୧୫୦୦ ଯାଯାବର ଏବଂ ଅର୍ଦ୍ଧ ଯାଯାବର ଏବଂ ଭାରତର ଚିହ୍ନଟ ଯାଯାବର ଓ ଅର୍ଦ୍ଧ ଯାଯାବର ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଜାତୀୟ କମିଶନଙ୍କ ଦ୍ୱାରା ସୂଚୀବଦ୍ଧ ୧୯୮ ଟି ଜନଜାତି ମଧ୍ୟରୁ ପାର୍ଦ୍ଧିମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ ସୁବିଧାରୁ ସବୁଠାରୁ  ଅଧିକ ବଞ୍ଚିତ ସମୂହ। ସେମାନଙ୍କୁ ଆଜି ବି ଅପରାଧ ପ୍ରବଣ ବୋଲି ବିବେଚନା କରାଯାଇ ବଦନାମ୍ କରାଯାଉଛି ।

ସୁନିତା କୁହନ୍ତି , “ଆମେ ଆଜିବି ଅପରାଧୀ ଭାବରେ ଚିହ୍ନଟ  । ଗାଁରେ କିଛି ବି ଅପରାଧ ଘଟିଲେ ପୋଲିସ୍ ସାଧାରଣତଃ ପାର୍ଦ୍ଧିମାନଙ୍କୁ ଦୋଷ ଦିଏ କାରଣ ସେମାନଙ୍କୁ ଦୋଷ ଦେବା ସହଜ । ଏବେ ଆପଣ ଯେମିତି ଦେଖିଲେ ପାର୍ଦ୍ଧିମାନଙ୍କ ବିରୋଧରେ ନିର୍ଯ୍ୟାତନା ଖୁବ୍ ଗମ୍ଭୀର  । କିନ୍ତୁ ଆମ ବିରୋଧରେ ଥିବା ବଦନାମ ଏବେ ବି ଶେଷ ହୋଇନି ।”

ସୁନିତା କ୍ରମେ ପାର୍ଦ୍ଧିମାନଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଭାବରେ ଜଣାଶୁଣା ହୋଇଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ଏକ ଦୀର୍ଘ ଯାତ୍ରା ।

ପୁନେ ଜିଳ୍ଲାର ଶିରୁର୍ ତାଲୁକାର ଅମ୍ବାଲେ ଗ୍ରାମରେ ତାଙ୍କ ଜିଲ୍ଲା ପରିଷଦ ସ୍କୁଲରେ ସେ ମଧ୍ୟ ଉତ୍ପୀଡ଼ନର ଶୀକାର ହୋଇଥିଲେ । ସେଠାରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ  । “ମୋ ଜନଜାତି ସମୂହ ପାଇଁ ସମସ୍ତେ ଖୁବ୍ ଚିଡ଼ାଉଥିଲେ ମତେ  । ମୁଁ ଭାବୁଥିଲି ସେମାନେ ମୋ ସହ ଏପରି କାହିଁକି କରୁଛନ୍ତି ।”

ସୁନୀତାଙ୍କ ପିତା ଏକନାଥ କେବେ କେବେ ଗୋଧି, କୁକ୍କୁଟ, ଠେକୁଆ ଓ ଅନ୍ୟ ଛୋଟ ଜୀବ ଖାଦ୍ୟ ପାଇଁ ଶୀକାର କରୁଥିଲେ । ତାଙ୍କ ମା’ ଶାନ୍ତାବାଇ ବଡ଼ ଭଉଣୀ ଅନୀତାଙ୍କ ସହ ଖାଦ୍ୟ ପାଇଁ ଭିକ ମାଗୁଥିଲେ । ସେମାନଙ୍କ ସାନଭାଇ ଅବିନାଶ ଘରେ ରହୁଥିଲେ । ସେ କୁହନ୍ତି, “ ଅଧକାଂଶ ସମୟ ଆମେ ଭୋକିଲା ରହୁଥିଲୁ । ମୋର ମନେ ଅଛି ସ୍କୁଲରେ ଆମକୁ ଦୁଗ୍ଧ ମିଳୁଥିଲା । ମୁଁ ପେଟ ଭର୍ତ୍ତି କରି ପିଇଦିଏ । କାରଣ ଘରକୁ ଫେରିବା ବେଳକୁ ଖାଇବା ପାଇଁ ଘରେ କିଛି ନଥିବ । ଆମ ଶିକ୍ଷକ ଖୁବ୍‌ ଭଲ ଲୋକ ଥିଲେ । ମୁଁ ଯେତେ ଦୁଗ୍ଧ ଚାହୁଁଥିଲି ସେ ଦେଉଥିଲେ । ସେ ପାର୍ଦ୍ଧିମାନଙ୍କ ସ୍ଥିତି ଜାଣିଥିଲେ ।” ଭିକ୍ଷାରୁ ମିଳୁଥିବା ଖାଦ୍ୟ ଚାରିଜଣିଆ ପରିବାର ପାଇଁ କେବେବି ଯଥେଷ୍ଟ ହୁଏନି । ଆମେ ଭକ୍ରି (ଏକ ପ୍ରକାର ରୋଟି ) ଦେଖିବାକୁ ବି ପାଉନଥିଲୁ ।

Sunita Bhosale with her mother
PHOTO • Jyoti Shinoli

ଶାନ୍ତାବାଈ (ବାମ) କୁହନ୍ତି ‘ମୋ ଝିଅ ଆମ ସମାଜ ପାଇଁ କିଛି କରୁଛି ଦେଖି ମୁଁ ଗର୍ବିତ’ ।

ଗାଁ ବାହାରେ ଏକ କୁଡ଼ିଆରେ ପରିବାର ରହୁଥିଲେ । ଯେତେବେଳେ ସୁନିତା ମାତ୍ର ୩ ବର୍ଷର ସେତେବେଳେ ତାଙ୍କ ବାପା ରାଗରେ ବାଡ଼େଇ ମା’ଙ୍କର ଡାହାଣ ହାତ ଭାଙ୍ଗି ଦେଇଥିଲେ । ସେ କୁହନ୍ତି ‘ଡାକ୍ତରୀ ସାହାଯ୍ୟ ଆମ ପାଇଁ ଅପହଞ୍ଚ ଥିଲା । ତେଣୁ ତା’ର ହାତ ଅଚଳ ହୋଇ ରହିଗଲା… ।’

ପରିବାରଟି ସେତେବେଳେ ଗାଁ ବାହାରେ ଟିଣସିଟ୍‌ ଓ ପ୍ଲାଷ୍ଟିକ୍‌ ତିଆରି କୁଡ଼ିଆରେ ରହୁଥିଲେ। ଯେତେବେଳେ ସୁନିତାଙ୍କୁ ତିନି ବର୍ଷ ସେତେବେଳେ ତାଙ୍କ ବାପା ରାଗରେ ବାଡ଼େଇ ମା’ଙ୍କ ଡାହାଣ ହାତ ଭାଙ୍ଗି ଦେଇଥିଲେ । ସେ କୁହନ୍ତି ଡାକ୍ତରୀ ସାହାଯ୍ୟ ଆମ ପାଇଁ ଅପହଞ୍ଚ ଥିଲା । ତେଣୁ ତା’ର ହାତ ଅଚଳ ହୋଇ ରହିଗଲା ।

ଏହି ଘଟଣାର ୩ ମାସ ପରେ ତାଙ୍କ ବାପାଙ୍କର ମୃତ ଦେହ ଅହମ୍ମଦାବାଦ୍‌ର ରଞ୍ଜନାଗାଓଁ ରୋଡ଼ ରେଳ ଧାରଣାରେ ପଡ଼ିଥିବାର ମିଳିଲା । ସୁନିତା କୁହନ୍ତି, “ ପୋଲିସ କହିଲା ଏହା ଏକ ଦୁର୍ଘଟଣା । କିନ୍ତୁ ମୋ ମା’ ଭାବୁଥିଲେ ତାଙ୍କୁ ହତ୍ୟା କରାଯାଇଛି ଓ ସେ ଏହାର ତଦନ୍ତ ଚାହୁଁଥିଲେ । କିନ୍ତୁ କେହି ଏଥିପ୍ରତି ନଜର ଦେଲେନି କାରଣ ସେ ଜଣେ ପାର୍ଦ୍ଧି ଥିଲେ ଏବଂ ଯେତେବେଳେ କୌଣସି ହତ୍ୟାକାଣ୍ଡ କିମ୍ବା ଡକାୟତି ଘଟଣା ଘଟେ ସେତେବେଳେ ପୋଲିସ ତାଙ୍କୁ ବାନ୍ଧି ନେଇଯାଏ । ମା’ ପୋଲିସ୍‌ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ଭେଟିବାକୁ ଚେଷ୍ଟା କଲେ । କିନ୍ତୁ କିଛି ହେଲାନି ।”

ସୁନିତା ନିଜ ସମୂହ ମଧ୍ୟ ଥିବା ଭେଦଭାବ ପ୍ରଥାଗୁଡ଼ିକୁ ମଧ୍ୟ ଭଲ ଭାବରେ ଜାଣିଥିଲେ । ସେ କୁହନ୍ତି, “ପାର୍ଦ୍ଧିମାନେ ଅଧାରୁ ସ୍କୁଲ ବନ୍ଦ କରିବାର ମୁଖ୍ୟକାରଣ ଥିଲା ବାଲ୍ୟ ବିବାହ । ମହିଳାମାନେ ଏବେ ବି ତଳ ଶ୍ରେଣୀର ବୋଲି ବିବେଚିତ ହେଉଛନ୍ତି । ବିବାହିତା ମହିଳା ନିଜ ଜିନିଷ ଘର ଭିତରେ ରଖିପାରିବେ ନାହିଁ । ସେ ଘର ଭିତରେ ମଧ୍ୟ ସ୍ନାନ କରିପାରିବେ ନାହିଁ ।”  ପାର୍ଦ୍ଧି ଜାଟ୍‌ ପଞ୍ଚାୟତ (ଜାତି ପରିଷଦ) ମନଇଚ୍ଛା ଢ଼ଙ୍ଗରେ ନେଉଥିବା ନିଷ୍ପତ୍ତି, ଅଧିକାଂଶ ସମୟରେ ମହିଳାମାନଙ୍କ ଅପବିତ୍ରତା ବିଚାର ପାର୍ଦ୍ଧିମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ।

Clothes of a married woman of a Pardhi house have been kept outside her home
PHOTO • Jyoti Shinoli

ପାର୍ଦ୍ଧି ପରିବାରଗୁଡ଼ିକରେ ଜଣେ ବିବାହିତା ମହିଳା ନିଜର ପୋଷାକ ମୁଖ୍ୟଗୃହ ଭିତରେ ରଖିପାରିବେ ନାହିଁ । ସେମାନେ ସେଗୁଡିକୁ ବାହାରେ ଥିବା ଏକ ଅଲଗା ଘରେ ରଖିବେ ।

ସମୟ କ୍ରମେ ଜିଲ୍ଲାରେ ପାର୍ଦ୍ଧିମାନଙ୍କ ପ୍ରତି ହେଉଥିବା ନିର୍ଯାତନା ମାମଲାର ସମାଧାନ କରୁଥିବା ଓ ଶିକ୍ଷା ସଚେତନତା ବୃଦ୍ଧି କରାଉଥିବା ସାମାଜିକ କର୍ମୀମାନଙ୍କ ସହ କାମ କରି ସୁନିତା କ୍ରମେ ଭାରତୀୟ ଦଣ୍ଡନୀୟ ସଂହିତାର ବ୍ୟବସ୍ଥା ଓ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିଷେଧ) ଆଇନ ସହ ପରିଚିତ ହୋଇଗଲେ । ସେ କୁହନ୍ତି, “ପ୍ରତ୍ୟେକ ପାର୍ଦ୍ଧି ଏଇ ଆଇନ ସବୁ ଜାଣନ୍ତୁ ବୋଲି ମୁଁ ଚାହେଁ, ଯେମିତି କି ପୋଲିସ ବାଲା ସେମାନଙ୍କୁ ବୋକା ବନେଇ ପାରିବେନି ।”

ଏଥିସହ ସେ ଶିରୁର୍‌ ତାଲୁକା ଓ ପୁନେରେ ବିଭିନ୍ନ ମୋର୍ଚ୍ଚା ଓ ସଭାରେ ଯୋଗ ଦେବା ଆରମ୍ଭ କଲେ । ସେଠାରେ ସେ ଏକନାଥ ଅୱଦ ଓ ରାଜେନ୍ଦ୍ର କାଲେଙ୍କ ପରି ସାମାଜିକ କର୍ମୀମାନଙ୍କୁ ଭେଟିବା ସହ ସେମାନଙ୍କ ଭାଷଣ ଶୁଣିଲେ । ସେ କୁହନ୍ତି, “ସେମାନେ ପାର୍ଦ୍ଧି ବସ୍ତୁଗୁଡ଼ିକୁ ଯାଆନ୍ତି ଏବଂ ମୁଁ ଦେଖିଲି ସେମାନେ କିପରି ସମୂହ ମଧ୍ୟରେ ଥିବା ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରୁଥିଲେ । ମୁଁ ବୁଝିଲି ଏ ସ୍ଥିତିକୁ ଅତିକ୍ରମ କରିବା ପାଇଁ ଆମକୁ ସଚେତନ ହେବାକୁ ହେବ ଏବଂ ନିଜକୁ ଶିକ୍ଷିତ କରିବାକୁ ହେବ ।”

ସୁନିତା ମଧ୍ୟ ଅମ୍ବାଲେ ଓ ଆଖପାଖର ପାର୍ଦ୍ଧି ବସ୍ତୁଗୁଡ଼ିକୁ ଯିବାକୁ ଆରମ୍ଭ କଲେ । ସେଠାରେ ସେ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇବା ସହ ସେମାନଙ୍କ ପୁରୁଣା ରୀତିନୀତିର କୁପ୍ରଭାବ ବିଷୟ ସଚେତନ କରାଇଲେ । ଏସବୁ ସହ ସେ ନିଜ ଭାଇ ଓ ଭଉଣୀଙ୍କ ସହ ଚାଷ ଜମିରେ କାମ ମଧ୍ୟ ଜାରି ରଖିଲେ ।

ସେ ଲକ୍ଷ୍ୟ କଲେ, ପାର୍ଦ୍ଧିମାନେ ଅନ୍ୟ ଅସଂଖ୍ୟ ସମାସ୍ୟାକୁ ମଧ୍ୟ ସାମ୍ନା କରୁଛନ୍ତି । ସେମାନେ ସବୁବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି, ଭିକ୍ଷା ମାଗନ୍ତି, ଶୀକାର କରନ୍ତି କିମ୍ବା ଅନ୍ୟ ଛୋଟ ମୋଟ କାମ କରନ୍ତି । ଅର୍ଥାତ୍‌ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ରେସନ କାର୍ଡ, ଭୋଟର ପରିଚୟ ପତ୍ର, ସ୍ଥିର ଶିକ୍ଷା, କିମ୍ବା ସ୍ୱାସ୍ଥ୍ୟସେବା ସୁବିଧା ନାହିଁ । ସୁନିତା ନିଜକୁ ସମ୍ପୂର୍ଣ୍ଣ ଭାବରେ ନିଜ ସମୂହର କାମ ନିମନ୍ତେ ସମର୍ପିତ କରିବା ପାଇଁ ନିଷ୍ପତ୍ତି ନେଲେ। ସେଥିପାଇଁ ସେ ବିବାହ ମଧ୍ୟ କଲେ ନାହିଁ ।

୨୦୧୦ ମସିହାରେ ସେ ନିଜ କାମ ଚାଲୁରଖିବା ନିମନ୍ତେ କ୍ରାନ୍ତି ନାମକ ଏକ ସ୍ଵେଚ୍ଛାସେବୀ ସଙ୍ଗଠନ ଆରମ୍ଭ କଲେ । ତାଙ୍କ କହିବା ଅନୁଯାୟୀ,  କ୍ରାନ୍ତି ବର୍ତ୍ତମାନ ପୁନେ ଜିଲ୍ଲାର ଦୌଣ୍ଡ ଓ ଶିରୁର୍‌ ଅହମ୍ମଦନଗର ଜିଲ୍ଲାର ଶ୍ରୀଗୋଣ୍ଡା ତାଲୁକାରେ ୨୨୯ଟି ଗ୍ରାମରେ କାର୍ଯ୍ୟ କରୁଛି। ସୁନିତାଙ୍କର ଆକଳନ ଅନୁଯାୟୀ ଏହି ୨୨୯ଟି ଗ୍ରାମରେ ସମୁଦାୟ ପାର୍ଦ୍ଧି ଜନସଂଖ୍ୟା ପ୍ରାୟ ୨୫ ହଜାର । ୫୦ ଜଣ ସ୍ଵେଚ୍ଛାସେବୀ ଓ ସାମାଜିକ କର୍ମୀଙ୍କ ସହାୟତାରେ ସେ ସପ୍ତାହକୁ ପ୍ରାୟ ୩ଟି ଲେଖାଏଁ ଘଟଣା ବୁଝନ୍ତି । ଏ ଘଟଣା ମଧ୍ୟରେ ମାଡ଼ ମାରିବାଠାରୁ ଆରମ୍ଭ କରି ବଳାତ୍କାର ଏବଂ ହତ୍ୟା ଓ ଡକାୟତି ଆଦିର ମିଛ ଅଭିଯୋଗ ଆଦି ଥାଏ । ସେ ପୀଡ଼ିତ ପୁରୁଷ ବା ମହିଳାଙ୍କୁ ଭେଟନ୍ତି । ତାଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ ଆବଶ୍ୟକ ସ୍ଥଳେ ପୋଲିସରେ ଅଭିଯୋଗ ଦେବାରେ ସାହାଯ୍ୟ କରନ୍ତି । ଓକିଲ ବ୍ୟବସ୍ଥା କରନ୍ତି, ଆଇନଗତ ଦେୟ ପ୍ରଦାନ କରନ୍ତି । କେସ୍‌ର ପରବର୍ତ୍ତୀ ଘଟଣାଗୁଡ଼ିକୁ ମଧ୍ୟ ତଦାରଖ କରନ୍ତି । ସେ କୁହନ୍ତି, ନିର୍ଯାତନାର କୌଣସି ଗୋଟିଏ ଘଟଣାରେ ବି ନ୍ୟାୟ ମିଳିନାହିଁ । ମିଥ୍ୟା ଅଭିଯୋଗ ମାମଲାରେ ୯୯ ପ୍ରତିଶତ ନିରାପରାଧ ଥିବା ଦେଖାଦେଇଛି ।

Aarti Kale is a girl from Pardhi community who wants to study further and not get married
PHOTO • Jyoti Shinoli
Sunita Bhosale in Karade village with children from Pardhi community. She works for their education
PHOTO • Jyoti Shinoli

ଏବେ ଅନେକ ପାର୍ଦ୍ଧି ପିତାମାତା ସେମାନଙ୍କ ସନ୍ତାନକୁ ସ୍କୁଲ ପଠାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା କରାଡେ ଗ୍ରାମର ଆରତୀ କାଲେ ପୋଲସ ବିଭାଗରେ ଯୋଗଦେବାକୁ ଚାହାନ୍ତି

ସମୟକ୍ରମେ ସୁନିତା ମହାରାଷ୍ଟ୍ରର ଅନେକ ସଂସ୍ଥାରୁ ଫେଲୋସିପ୍‌ ଓ ପୁରସ୍କାର ଲାଭ କରିଛନ୍ତି । ଏ ମଧ୍ୟରୁ ପ୍ରାୟ ଅର୍ଥ ସେ ତାଙ୍କ ସମୂହର ସ୍କୁଲ ପିଲା କିମ୍ବା ଡାକ୍ତରୀ ସେବା ଚାହୁଁଥିବା ଲୋକଙ୍କ ପାଇଁ ବିନିଯୋଗ କରିଛନ୍ତି । ତାଙ୍କ ସଂସ୍ଥା ପାଇଁ ଆର୍ଥିକ ସହାୟତା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ମିଳିଥାଏ । ସେ କୁହନ୍ତି, “ମୋ କାମକୁ ଚାଲୁ ରଖିବା ପାଇଁ ଖୁବ୍‌ କମ୍‌ ସହାୟତା ମିଳେ । ମୋ ସହ ଥିବା ସବୁ ସ୍ଵେଚ୍ଛାସେବୀମାନେ ନିଜେ ମଧ୍ୟ ପାର୍ଦ୍ଧି । ମୁଁ ମୋ ୯ ଏକର ଜମିରେ ଯଅ, ବାଜରା ଓ ହରଭରା ଚାଷ କରେ ଓ ବାର୍ଷିକ ପ୍ରାୟ ୧୫-୨୦ କ୍ୱିଣ୍ଟାଲ ପାଏ । ମୁଁ ସେ ମଧ୍ୟରୁ କିଛି ସ୍ଵେଚ୍ଛାସେବୀମାନଙ୍କୁ ଦେଇଦିଏ । ମୁଁ ସେମାନଙ୍କୁ କିଛି ଅର୍ଥ ଦେଇପାରିନି, କିନ୍ତୁ ସେମାନଙ୍କର ତ ଅର୍ଥ ଆବଶ୍ୟକ ଥିବ । ମୁଁ ସେମାନଙ୍କୁ ସାହାଯ୍ୟ କରେ କାରଣ ସେମାନଙ୍କୁ ମଧ୍ୟରୁ ଅଧିକାଂଶ ରୋଜଗାରହୀନ, ଚାଷୀ ମୂଲିଆ କିମ୍ବା ଯୁବଛାତ୍ର ।”

ସୁନିତାଙ୍କର ଲକ୍ଷ୍ୟ  ତାଙ୍କ ସମୂହର ସମସ୍ତେ ଜାତିଗତ ପ୍ରମାଣପତ୍ର ପାଆନ୍ତୁ। ଏହାଦ୍ଵାରା ସେମାନେ ସରକାରୀ ଯୋଜନାଗୁଡିକର ସୁଫଳ ପାଇପାରିବେ। ସେ କୁହନ୍ତି, “ମୁଁ ପାର୍ଦ୍ଦିମାନଙ୍କର ବୃହଦ୍ ତଥ୍ୟାବଳୀ ଏକତ୍ର କରିବାକୁ ଚାହେଁ, ଯାହାକି ନୀତିଗୁଡିକ ଠିକ୍ ଭାବରେ ଲାଗୁ କରିବା ପାଇଁ ସରକାରଙ୍କ ଦ୍ଵାରା କରାଯିବା ଉଚିତ୍ । କୌଣସି ସରକାରୀ ଯୋଜନା ପ୍ରକୃତରେ ଆମ ପାଖରେ ପହଞ୍ଚି  ପାରିନାହିଁ ।”

“ବଜେଟ୍‌ରେ ଅନୁସୂଚିତ ଜନଜାତି ପାଇଁ ହଜାର ହଜାର କୋଟି ଟଙ୍କା ଆବଣ୍ଟନ ହେଉଥିଲେ ମଧ୍ୟ ଏହି ସମୂହର ଉନ୍ନତି ପାଇଁ କୌଣସି ଅର୍ଥ ଆଜି ପର୍ଯ୍ୟନ୍ତ ବ୍ୟବହୃତ ହୋଇନାହିଁ ।” ଏକଥା କୁହନ୍ତି , ଆଡଭୋକେଟ୍‌ ପଲ୍ଲବୀ ରେଙ୍କେ । ସେ ସ୍ୱୀକୃତ ସ୍ୱୀକୃତି ପ୍ରତ୍ୟାହୃତ ଜନଜାତିଗୁଡ଼ିକର ଜାତୀୟ ମେଣ୍ଟ ଲୋକଧାରାର ଜାତୀୟ ସମନ୍ୱକ ତଥା ମହାରାଷ୍ଟ୍ର ରାଜ୍ୟ ସଭାପତି । ୨୦୧୬ ମସିହାରେ ପ୍ରକାଶିତ ଏକ ଧାରାବାହିକ ‘ଇଣ୍ଡିଆ ସ୍ପେଣ୍ଡ’ର ସୂଚନା ଅନୁଯାୟୀ ଗତ ୩୫ ବର୍ଷ ମଧ୍ୟରେ ମଧ୍ୟାହ୍ନ ଭୋଜନ, ମୋଧାବୃତ୍ତି, ଫସଲ ବୀମା ଆଦି ଦ୍ୱାରା ଅନୁସୂଚିତ ଜାତି ତଥା ଜନଜାତିର କଲ୍ୟାଣ ନିମନ୍ତେ ଆବଣ୍ଟିତ ୨.୮ ଲକ୍ଷ କୋଟି ଟଙ୍କାର ସହାୟତା ଖର୍ଚ୍ଚ ହୋଇପାରିନାହିଁ ।

Sunita Bhosle with Ambedkar and Savitribai Phule’s photo
PHOTO • Jyoti Shinoli

ସୁନିତା ମୁଁ ଆମ୍ବେଦକର ଓ ସାବିତ୍ରୀ ବାଈ ଫୁଲେଙ୍କ ପଦାଙ୍କ ଅନୁସରଣ କରେ ।

‘ବଜେଟ୍‌ରେ ଅନୁସୂଚିତ ଜନଜାତି ପାଇଁ ହଜାର ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଥିବା ସତ୍ତ୍ଵେ ଏହି ସମୂହର ଉନ୍ନତି ପାଇଁ କୌଣସି ଅର୍ଥ ଆଜି ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରିନାହିଁ । କୁହନ୍ତି ଆଡ଼ଭୋକେଟ୍‌ ପଲ୍ଲବୀ ରେଙ୍କେ । ସେ ସ୍ୱୀକୃତ-ଅଣସ୍ୱୀକୃତ ଜନଜାତିକ ଗୁଡ଼ିକରେ ଜାତୀୟ ମେଣ୍ଟ ଲୋକଧାରାର ଜାତୀୟ ସମନ୍ୱୟ ତଥା ମହାରାଷ୍ଟ୍ର ରାଜ୍ୟ ସଭାପତି ।

ସୁନିତାଙ୍କ ଆକଳନ ଅନୁଯାୟୀ ୨୨୯ଟି ଗ୍ରାମରେ ଥିବା ସମୁଦାୟ ପାର୍ଦ୍ଧି ଜନସଂଖ୍ୟାର ୫୦ ପ୍ରତିଶତ ପାଖରେ ଏବେ ଭୋଟର୍ ପରିଚୟ ପତ୍ର ଓ ରେସନ୍‌ କାର୍ଡ ଅଛି । ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଅଧିକରୁ ଅଧିକ ଇଚ୍ଛା କଲେଣି । ୨୦୧୧ ଜନଗଣନା ଅନୁଯାୟୀ ମହାରାଷ୍ଟ୍ରରେ ଏହି ସମ୍ପ୍ରଦାୟର ସ୍ୱାକ୍ଷରତା ହାର ମାତ୍ର ୬୪ ପ୍ରତିଶତ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ କହିଥିଲେ, ‘ଯୁବପୀଢ଼ି ଆଗକୁ ବଢ଼ିବାକୁ ଚାହୁଁଛନ୍ତି’ ।

୨୪ ବର୍ଷ ବୟସ୍କ ଜୀତେନ୍ଦ୍ର କାଲେ କୁହନ୍ତି, “ ଶିକ୍ଷା ପ୍ରକୃତରେ ଆମ ଜୀବନ ବଦଳାଇ ଦେଇଛି । ବର୍ତ୍ତମାନ ମୋର ଲକ୍ଷ୍ୟ ଭଲ ଚାକିରି ପାଇବା ଓ ପରିବାର ପାଇଁ ଭଲ ରୋଜଗାର କରିବା । ” ୧୦ଟି ପାର୍ଦ୍ଧି ପରିବାର ରହୁଥିବା କରାଡ଼େ ଗ୍ରାମରେ ଜୀତେନ୍ଦ୍ରଙ୍କ ଘର । ତାଙ୍କ ପିତାମାତା କୃଷି ଶ୍ରମିକ । ସେ କୃଷିରେ ଡିପ୍ଲୋମା କରିଛନ୍ତି, ତାଙ୍କ ସାନଭାଇ ପୋଲିସ ଚୟନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମିତି କରାଡ଼େର ଜିଲ୍ଲା ପରିଷଦ ସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିବା ଆରତୀ କାଲେ ମଧ୍ୟ ପୋଲିସ ବାହିନୀରେ ପଢ଼ୁଥିବା ଆରତୀ କାଲେ ମଧ୍ୟ ପୋଲିସ ବାହିନୀରେ ଯୋଗଦେବାକୁ ଚାହାନ୍ତି । ସେ କୁହନ୍ତି, “ମୁଁ ଆଦୌ ବିବାହ କରିବାକୁ ଚାହେଁନି । ମୁଁ ପଢ଼ିବାକୁ ଚାହେଁ ଏବଂ ତାହାହିଁ କରିବି ।”

୨୦୦୩ ମସିହାରେ ଅମ୍ବାଲେରେ ତାଙ୍କ ପରିବାର ନିର୍ମାଣ କରିଥିବା ଗୋଟିଏ ଦୁଇ ବଖୁରିଆ ଘରେ ମା’ଙ୍କ ସହ ରହୁଛନ୍ତି । ତାଙ୍କ ଭଉଣୀ ବିବାହ କରିସାରିଛନ୍ତି । ଭାଇ ପୁନେସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମାଳି ଭାବରେ କାମ କରୁଛନ୍ତି । ସୁନିତାଙ୍କ ମା’ ତାଙ୍କ ଝିଅକୁ ନେଇ ଖୁବ୍‌ ଗର୍ବିତା । ଶାନ୍ତାବାଈ କୁହନ୍ତି, “ମହିଳା ଭାବରେ ମୁଁ ଅନେକ କିଛି ସହିଛି । ଆମ ସମାଜରେ ମହିଳାଙ୍କ ଅବସ୍ଥା ଅନ୍ୟ ମହିଳାମାନଙ୍କ ତୁଳନାରେ ଅନେକ ଖରାପ । ମୋ ଝିଅ ଆମ ସମାଜ ପାଇଁ କିଛି କରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ।”

ସେମାନଙ୍କ ନୂଆ ଘରେ ଗୋଟିଏ କାନ୍ଥ ଆଲମୀରାରେ ତାଙ୍କ ସଂସ୍ଥାର ଫାଇଲ୍‌ ଓ ଅନ୍ୟାନ୍ୟ ଦାସ୍ତାବିଜ୍‌ ଅଛି । ସୁନିତା କୁହନ୍ତି, ମୁଁ ବାବା ସାହେବ ଆମ୍ବେଦକର ଓ ସାବିତ୍ରୀ ବାଈ ଫୁଲେଙ୍କ ପଦାଙ୍କ ଅନୁସରଣ କରେ । ସେମାନେ ସମାନତା, ଶିକ୍ଷା ଏବଂ ପଛୁଆ ସମୂହର ଅଧିକାର ପାଇଁ ଲଢ଼ୁଥିଲେ । କିନ୍ତୁ ଅନେକ କିଛି କରାଯିବାକୁ ଅଛି ଏବଂ ଏଥିପାଇଁ ମୋତେ ସହଯୋଗ ଲୋଡ଼ା..... । ଆମର ରାଜନୈତିକ ପ୍ରତିନିଧି ମଧ୍ୟ ନାହାନ୍ତି । କିଏ ଆମ ପାଇଁ କହିବ......?

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli