ଅନିତା ଘୋଟାଲେଙ୍କ ପାଇଁ ଶନିବାର, ମାର୍ଚ୍ଚ ୨୧ ତାରିଖ ଥିଲା ଏକ ସାଧାରଣ କାର୍ଯ୍ୟ ଦିବସ– ଯଦିଓ ସହରର ବହୁ ଦୋକାନ ବନ୍ଦ ରହିଥିଲା, ବଜାରରେ ଲୋକ ନଥିଲେ, ସବୁ ରାସ୍ତା ଶାନ୍ତ ଥିଲା ।କୋଭିଡ୍‌-୧୯ ବ୍ୟାପୁଥିବା ଯୋଗୁଁ ସରକାରୀ ପଦକ୍ଷେପ ସ୍ଵରୂପ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବାରୁ ସେଦିନ ମୁମ୍ବାଇର ବହୁ ଲୋକ ଘର ଭିତରେ ବନ୍ଦ ହୋଇ ରହିଥିଲେ ।

କିନ୍ତୁ ଅନିତା ସେଇ ଶାନ୍ତ ରାସ୍ତାଗୁଡ଼ିକୁ ସଫା କରୁଥିଲେ, ଜମି ରହିଥିବା କଳା ଏବଂ ମଇଳା ପାଣି ଭିତରୁ ପଙ୍କ କାଦୁଅ ଭଳି ମଇଳାକୁ ଝାଡୁରେ ସଫା କରୁଥିଲେ । କିଛି ମଇଳା ପାଣି ତାଙ୍କ ଗୋଡ଼ ଉପରକୁ ଛିଟିକି ପଡ଼ିଲା । ସେ କହିଲେ, “ଆମ ପାଇଁ ତ ସବୁ ଦିନ ବିପଦ ଆଶଙ୍କା ରହିଛି । କେବଳ ଏଇ କରୋନା କାରଣରୁ ନୁହେଁ, ବରଂ ପିଢ଼ି ପରେ ପିଢ଼ି ଧରି (ଆମ ପାଇଁ ଏହା ଏମିତି) ରହି ଆସିଛି’’।

ସେତେବେଳକୁ ସକାଳ ପ୍ରାୟ ୯ଟା, ଏବଂ ସେ ଦୁଇ ଘଣ୍ଟା ଧରି କାମ କରିସାରିଥିଲେ, ପୂର୍ବ ମୁମ୍ବାଇର ଚେମ୍ବୁରରେ ଥିବା ମାହୁଲ ଗାଁରେ ଏମ୍‌-ୱେଷ୍ଟ ୱାର୍ଡ଼ର ରାସ୍ତା ଓ ଫୁଟ୍‌ପାଥ୍‌ରେ ଝାଡୁ କରୁଥିଲେ ।

ଏଭଳି ବିପଜ୍ଜନକ ସ୍ଥିତିରେ ସେ ତାଙ୍କ ନିଜ ସ୍ଵାସ୍ଥ୍ୟ କଥା କେମିତି ବୁଝୁଛନ୍ତି ? ସେ କହିଲେ “ଗତକାଲି (ମାର୍ଚ୍ଚ ୨୦ ତାରିଖ) ହିଁ ଆମେ ଏଇ ମାସ୍କ ପାଇଲୁ, ତାହା ବି ଏଇ ଭୂତାଣୁ କାରଣରୁ ଆମେ ଯେତେବେଳେ ଏଥିପାଇଁ ଦାବି କଲୁ।” ତାଙ୍କ ଅଣ୍ଟା ପାଖ ଶାଢ଼ିରେ ଗୋଟିଏ ମାସ୍କ ଖୋସା ହୋଇଥିଲା ଏବଂ ସୁରକ୍ଷା ପାଇଁ ବେକରେ ଗୋଟିଏ ସ୍କାର୍ଫ୍‌ ଗୁଡ଼ାଇଥିଲେ ୩୫ ବର୍ଷୀୟା ଅନିତା । ସେ କହିଲେ, “ଏଇ ମାସ୍କଗୁଡ଼ିକ ପତଳା ଏବଂ (ଦୁଇ ଦିନ ପିନ୍ଧିବା ପରେ) ଆଉ ଥରେ ପିନ୍ଧି ହେବନାହିଁ  ।” ତାଙ୍କ କର୍ମକ୍ଷେତ୍ରରେ ହାତରେ ଗ୍ଲୋବ୍‌ସ କିମ୍ବା ଗୋଡ଼ରେ ମଜଭୁତ ଜୋତା ଭଳି ସୁରକ୍ଷା ପୋଷାକ କଥା ସେ ଶୁଣି ନଥିଲେ ।

ମହାରାଷ୍ଟ୍ରରେ ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ ମାତଙ୍ଗ ସଂପ୍ରଦାୟର ଅନିତା କହନ୍ତି, ପିଢ଼ି ପରେ ପିଢ଼ି ଧରି ତାଙ୍କ ପରିବାର ଏହି ସଫେଇ କାମ କରିଆସୁଛି । ସେ କହନ୍ତି, “ମୋ ଜେଜେବାପା (ମୁମ୍ବାଇର)ଖୋଲା ନର୍ଦ୍ଦମାରୁ ମଣିଷଙ୍କ ମଳ ମୁଣ୍ଡରେ ବୋହି ନେଉଥିଲେ । ଯେ କୌଣସି ପିଢ଼ିରେ ହେଉ କି ବର୍ଷରେ, ମଣିଷ ଭାବରେ ଆମ ଅଧିକାର ପାଇବା ପାଇଁ ଆମକୁ ସବୁବେଳେ ସଂଗ୍ରାମ କରିବାକୁ ପଡ଼ିଛି ।”

ଆହୁରି ବିପଜ୍ଜନକ କଥା ହେଲା, ଆଖପାଖରେ ଥିବା ରାସାୟନିକ ଶିଳ୍ପ ଏବଂ ବିଶୋଧନାଗାର କାରଣରୁ ମାତ୍ରାଧିକ ବିଷାକ୍ତ ବାୟୁକୁ ନେଇ ଅନିତାଙ୍କ ବାସସ୍ଥାନ ଏବଂ କର୍ମସ୍ଥଳୀ ମାହୁଲ ଅଞ୍ଚଳ ଗତ କିଛି ବର୍ଷ ହେଲା ଖବରରେ ରହିଆସିଛି ।

Left: On Saturday, like on all their work days, safai karamcharis gathered at 6 a.m. at the chowki in M-West ward, ready to start another day of cleaning, at great risk to themselves. Right: Among them is Anita Ghotale, who says, 'We got these masks only yesterday [on March 20], that too when we demanded them due to the virus'
PHOTO • Jyoti Shinoli
Left: On Saturday, like on all their work days, safai karamcharis gathered at 6 a.m. at the chowki in M-West ward, ready to start another day of cleaning, at great risk to themselves. Right: Among them is Anita Ghotale, who says, 'We got these masks only yesterday [on March 20], that too when we demanded them due to the virus'
PHOTO • Jyoti Shinoli

୨୦ ବାମ: ଅନ୍ୟ ଦିନଗୁଡ଼ିକ ଭଳି ଶନିବାର ଦିନ, ସକାଳ ୬ଟାରେ, ନିଜ ଜୀବନକୁ ବିପନ୍ନ କରି ସଫେଇ କାମର ଆଉ ଗୋଟିଏ ଦିନ ଆରମ୍ଭ କରିବା ଲାଗି ଏମ୍‌-ୱେଷ୍ଟ ୱାର୍ଡର ଚୌକି ପାଖରେ ସଫେଇ କର୍ମଚାରୀମାନେ ଏକତ୍ର ହେଲେ । ଡାହାଣ: ସେମାନଙ୍କ ଭିତରେ ଥିଲେ ଅନିତା ଘୋଟାଲେ, ଯିଏ କହନ୍ତି, “ଗତକାଲି (ମାର୍ଚ୍ଚ ୨୦ତାରିଖ ଦିନ) ହିଁ ଆମେ ଏଇସବୁ ମାସ୍କ୍‌ ପାଇଲୁ, ତାହା ବି ଭୂତାଣୁ ଯୋଗୁଁ ଆମେ ଯେତେବେଳେ ଏହା ଦାବି କଲୁ”

ବସ୍ତି ଥଇଥାନ କର୍ତ୍ତୃପକ୍ଷ ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଅନିତା ଓ ତାଙ୍କ ପରିବାର ୨୦୧୭ ମସିହାରେ ଉତ୍ତର-ପୂର୍ବ ମୁମ୍ବାଇର ଭିଖରୋଲି ଇଷ୍ଟରୁ ଏଠାକୁ ଆସିଥିଲେ । ସେମାନେ ସୁଭାଷ ନଗରର ଗୋଟିଏ କୋଠରି ଏବଂ ଗୋଟିଏ ରନ୍ଧାଘର ଥିବା ଭଡ଼ାଘରେ ରହନ୍ତି । ବିପିସିଏଲ୍‌ (ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌) ବିଶୋଧନାଗାର ରାସ୍ତାରୁ ଅତି ବେଶୀରେ ୧୫ ମିଟର ଦୂରରେ ସେମାନଙ୍କ ଅଞ୍ଚଳର କେତେକ ୬ରୁ ୭ ମହଲା କୋଠାଘର ରହିଛି ।

ଗତ ଏକ ଦଶନ୍ଧି ହେଲା, ‘ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି’ଙ୍କ ପାଇଁ ଏଠାରେ ଗଠିତ ବିଭିନ୍ନ କଲୋନିରେ ନିର୍ମିତ ୭୨ଟି କୋଠାରେ ୧୭,୨୦୫ଟି ଭଡ଼ାଟିଆ ପରିବାରର ୬୦,୦୦୦ରୁ ଅଧିକ ଲୋକ ରହୁଛନ୍ତି । ଏଠାରେ ସହରରେ ବିଭିନ୍ନ ପ୍ରକଳ୍ପ ଯୋଗୁଁ ବାସଚ୍ୟୁତ ଲୋକଙ୍କର ପୁନର୍ବାସ ବ୍ୟବସ୍ଥା କରାଯାଇଛି । ଅତି ମାତ୍ରାରେ ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥାଗୁଡ଼ିକର ନିକଟରେ ରହୁଥିବା ଏବଂ ସେହି ବାତାବରଣରେ ଚଳପ୍ରଚଳ ହେଉଥିବା କାରଣରୁ ଏଠାକାର ଲୋକେ ଶ୍ଵାସକ୍ରିୟାରେ କଷ୍ଟ, ଫୁସ୍‌ଫୁସ୍‌ ରୋଗ, କାଶ, ଆଖି ଓ ଚର୍ମରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଆସୁଛି ।

ଦୀର୍ଘକାଳ ଧରି ପ୍ରତିବାଦ ଏବଂ ଅଦାଲତରେ ଆବେଦନ ଦାଖଲ କରିବା ପରେ,୨୦୧୯ ସେପ୍ଟେମ୍ବରରେ,ଅନ୍ୟ ବିକଳ୍ପ ଥଇଥାନ ବ୍ୟବସ୍ଥା ଉପଲବ୍‌ଧ ନହେଲା ପର୍ଯ୍ୟନ୍ତ ପ୍ରତି ପରିବାରକୁ ଅସ୍ଥାୟୀ ଭଡ଼ା ବାବଦରେ ୧୫,୦୦୦ ଟଙ୍କା ଲେଖାଏଁ ଦେବାକୁ ବମ୍ବେ ହାଇକୋର୍ଟ ପୌର ନିଗମକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ଅନିତା କହନ୍ତି, “ଗତ ଚାରି ମାସରେ ବିଏମ୍‌ସି କିଛି ହେଲେ କରିନାହିଁ । ଏହି ଦୂଷିତ ବାୟୁ ଏବଂ ରାସାୟନିକ ଦ୍ରବ୍ୟର ଦୁର୍ଗନ୍ଧ ଯୋଗୁଁ ମୋର ଛଅ ବର୍ଷର ପୁଅ ସାହିଲ ବାରମ୍ବାର ରୋଗରେ ପଡୁଛି ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରୁଛି । ଆମେ ଜାଣିନୁ ଏହି ଭୂତାଣୁ ଏଠାକୁ ଆସିଲେ ଆମେ କ’ଣ କରିବୁ ।”

ଜଣେ ଠିକା କର୍ମଚାରୀ ଭାବରେ ଅନିତା ଦିନକୁ ୨୦୦ ଟଙ୍କା ରୋଜଗାର କରନ୍ତି ଏବଂ ଯେଉଁଦିନ କାମ କରିପାରନ୍ତି ନାହିଁ ସେଦିନ ପଇସା ମିଳେ ନାହିଁ । ଏବଂ ଗତ ତିନି ମାସ ହେଲା ସେ ତାଙ୍କ ମଜୁରି ପାଇନାହାନ୍ତି । ସେ କହନ୍ତି ଯେ, ବୃହତ୍‌ ମୁମ୍ବାଇ ପୌର ନିଗମ ପରିଚାଳିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଭାଗରେ ଅର୍ଥ ଅଟକି ରହିଛି ବୋଲି କହି ଠିକାଦାର ଠିକ୍‌ ସମୟରେ ପଇସା ଦିଅନ୍ତି ନାହିଁ । ଏହି ବିଭାଗ ପାଇଁ ଅନିତା ଗତ ୧୫ ବର୍ଷ ହେଲା କାମ କରିଆସୁଛନ୍ତି।

ମାହୁଲର ଏକ ପୌରପାଳିକା ସ୍କୁଲରେ ତାଙ୍କର ଦୁଇ ଝିଅ ଓ ଦୁଇ ପୁଅ ପଢ଼ନ୍ତି । ତାଙ୍କ ସ୍ଵାମୀ, ୪୨ ବର୍ଷୀୟ ନରେଶ ଚେମ୍ବୁରର ବିଭିନ୍ନ କଲୋନିରେ ଘରକୁ ଘର ବୁଲି ରସୁଣ ବିକ୍ରି କରନ୍ତି-ଏବଂ ଏହା ବଦଳରେ ପୁରୁଣା ପ୍ଲାଷ୍ଟିକ ଜିନିଷ ଆଣି କବାଡ଼ିବାଲାଙ୍କୁ ବିକି ଦିଅନ୍ତି । ତାଙ୍କ ଶାଶୁ ଚେମ୍ବୁରର ଅଳିଆଗଦାରୁ ବଛାବଛି କରି ପ୍ଲାଷ୍ଟିକ୍‌ ଆଣନ୍ତି ଏବଂ ସେ ମଧ୍ୟ ତାକୁ କବାଡ଼ିବାଲାଙ୍କୁ ବିକ୍ରି କରିଦିଅନ୍ତି।

ଅନିତା କହନ୍ତି, “ଆମେ ତିନି ଜଣ ଏକାଠି ମିଶି ପ୍ରତି ମାସରେ ୫,୦୦୦-୬,୦୦୦ ଟଙ୍କାରୁ ବେଶୀ ରୋଜଗାର କରୁ ।” ଏହି ଟଙ୍କାରେ ତାଙ୍କ ସାତଜଣିଆ ପରିବାରର ମାସିକିଆ ଖାଉଟି ସାମଗ୍ରୀ କିଣାଯାଏ, ଇଲେକ୍‌ଟ୍ରି ବିଲ୍‌ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କରାଯାଏ ଏବଂ ବିଭିନ୍ନ ରୋଗ ଓ ସ୍ଵାସ୍ଥ୍ୟସେବା ବାବଦରେ ଖର୍ଚ୍ଚ ହୋଇଥାଏ ।

କିନ୍ତୁ, ଅନିତାଙ୍କୁ ମଜୁରି ମିଳିବାରେ ଡେରି ଯୋଗୁଁ, ପ୍ରତି ମାସରେ ପରିବାର ବଜେଟ୍‌କୁ ଆଉ କିଛି ଦିନ ଆଗେଇ ନେବା କଷ୍ଟକର ହୁଏ । ସେ କହନ୍ତି, “ଶ୍ରମିକମାନଙ୍କୁ ଅଗ୍ରୀମ ମଜୁରି ଦେବା ଲାଗି ସରକାର ନିଯୁକ୍ତିଦାତାମାନଙ୍କୁ କହୁଛନ୍ତି । କିନ୍ତୁ ମାସ ମାସ ଧରି ବକେୟା ପଡ଼ିଥିବା ଆମ ମଜୁରି କଥା କିଏ ବୁଝୁଛି ?”

PHOTO • Jyoti Shinoli

କାଟିନ ଗଞ୍ଜେ (ଉପର ବାମ, କଳା ଶାର୍ଟ ପିନ୍ଧିଛନ୍ତି) ଏବଂ ତାଙ୍କର ସହକର୍ମୀମାନେ ସଂଗ୍ରହ କରୁଥିବା ଆବର୍ଜନାରେ ବିଭିନ୍ନ ବିପଜ୍ଜନକ ବସ୍ତୁ ଥାଏ । ବାରମ୍ବାର ଦାବି କରିବା ସତ୍ତ୍ଵେ ସେମାନଙ୍କୁ ପ୍ରାୟତଃ ସୁରକ୍ଷା ପୋଷାକ ଦିଆଯାଏ ନାହିଁ । କାଟିନ କହନ୍ତି, “ଆମ ଜୀବନକୁ ବିପନ୍ନ କରିବା ଆମ ପାଇଁ ନୂଆ କଥା ନୁହେଁ, ହେଲେ ଅତି କମ୍‌ରେ ଏଇ ଭୂତାଣୁ କାରଣରୁ ତ.. ଆମ କଥା ଚିନ୍ତା କରନ୍ତୁ ।”

ଅନିତା ଯେଉଁଠି କାମ କରନ୍ତି, ସେଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ, ସେଇ ଏକା ୱାର୍ଡରେ ଥିବା ଏକ ଆବର୍ଜନା ସଂଗ୍ରହ ସ୍ଥଳରେ, ଅଳିଆ ଗଦାରେ ଠିଆ ହୋଇଥାଆନ୍ତି କାଟିନ ଗଞ୍ଜେ । କେବଳ ଚପଲ ହଳେ ପିନ୍ଧିଥାଆନ୍ତି । ଅନିତାଙ୍କ ଭଳି ସେ ମଧ୍ୟ ପୌର ନିଗମ ପରିଚାଳିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଭାଗର ଜଣେ ଠିକା ଶ୍ରମିକ । ବିଭାଗର ମୁଖ୍ୟପର୍ଯ୍ୟବେକ୍ଷକ ଜୟୱନ୍ତ ପ୍ରାଡକର କହନ୍ତି ଯେ ନଗର ନିଗମ ୬,୫୦୦ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦିଏ ।

କାଟିନ୍‌ ସଂଗ୍ରହ କରୁଥିବା ଅଳିଆ ଭିତରେ ଭଙ୍ଗା କାଚଖଣ୍ଡ, କଳଙ୍କି ଲଗା ଲୁହାକଣ୍ଟା, ବ୍ୟବହୃତ ସାନିଟାରୀ ନାପ୍‌କିନ୍‌, ଏବଂ ପଚାସଢ଼ା ଖାଦ୍ୟଦ୍ରବ୍ୟ ରହିଥାଏ । ଗୋଟିଏ ବାଉଁଶ ଅଗରେ ଲାଗିଥିବା ମୁନିଆଁ କଣ୍ଟା ସାହାଯ୍ୟରେ ସେ ଏହି ସବୁ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ଏକାଠି କରି ପାଖରେ ଥିବା ଏକ ପ୍ଲାଷ୍ଟିକ୍‌ ଖଣ୍ଡ ଉପରେ ଉଠାଇ ରଖନ୍ତି । ତା’ପରେ ସେ ଓ ତାଙ୍କ ପାଞ୍ଚ ଜଣିଆ ପୁରୁଷ ଟିମ୍‌ରେ ଥିବା ଆଉ ଜଣେ କର୍ମଚାରୀ ସେହି ପ୍ଲାଷ୍ଟିକ୍‌ ଖଣ୍ଡକୁ ଟେକି ଅଳିଆ ଟ୍ରକ୍‌ରେ ଅଜାଡ଼ି ଦିଅନ୍ତି ।

୨୮ ବର୍ଷୀୟ କାଟିନ୍‌ କହନ୍ତି, “ଗତକାଲି (ମାର୍ଚ୍ଚ ୨୦ ତାରିଖରେ) ହିଁ ଆମେ ଏଇ (ରବର) ଗ୍ଲୋଭ୍‌ସ ପାଇଲୁ ।” ସେ ବି ମାତଙ୍ଗ ସଂପ୍ରଦାୟର । ସାଧାରଣତଃ ସେ ଖାଲି ହାତରେ ଅଳିଆ ନେବା ଆଣିବା କରନ୍ତି । “ଏଗୁଡ଼ାକ ନୂଆ ଗ୍ଲୋଭ୍‌ସ, କିନ୍ତୁ ଦେଖନ୍ତୁ-ଏଇଟା ଫାଟି ଯାଇଛି । ଏଭଳି ଗ୍ଲୋଭ୍‌ସ ପିନ୍ଧି ଆମେ ଏମିତି ଆବର୍ଜନାରୁ ଆମ ହାତକୁ କେମିତି ସୁରକ୍ଷିତ ରଖିପାରିବୁ ? ଆଉ ଏବେ ତ ପୁଣି ଏଇ ଭୂତାଣୁ ଆସିଛି । ଆମେ ମଣିଷ ନୁହଁ କି ?”

ସେତେବେଳକୁ ସକାଳ ୯.୩୦ ଏବଂ  ଅପରାହ୍‌ଣ ୨ଟା ଯାଏଁ ତାଙ୍କୁ ମାହୁଲର ବିଭିନ୍ନ ଭାଗରେ ଥିବା ୨୦ଟି ଅଳିଆ ଗଦା ସଫା କରିବା ତାଙ୍କ କାମ । ସେ କହନ୍ତି, “ଆମ ଜୀବନକୁ ବିପନ୍ନ କରିବା ଆମ ପାଇଁ ନୂଆ କଥା ନୁହେଁ । କିନ୍ତୁ ଅତି କମ୍‌ରେ ଏହି ଭୂତାଣୁ କାରଣରୁ ତ ଆପଣ (ପୌର ନିଗମ ଏବଂ ସରକାର) ଆମ କଥା ଭାବିବା ଉଚିତ । ଆମେ ଏହି ଅଳିଆଗଦାରେ ଲୋକଙ୍କ ପାଇଁ କାମ କରୁଛୁ, କିନ୍ତୁ ଲୋକେ ଆମ ବିଷୟରେ ଚିନ୍ତା କରିବେ କି ?”

ଅଗଣିତ ବିପଦ ସମ୍ଭାବନା ଥିବା ତାଙ୍କର ଏହି କାମ ବଦଳରେ କାଟିନ ଦିନକୁ ୨୫୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ପତ୍ନୀ, ୨୫ ବର୍ଷୀୟା ସୁରେଖା, ଚାକରାଣୀ ଭାବେ କାମ କରନ୍ତି ।

'We got these [rubber] gloves only yesterday [March 20]', Katin says. “These are new gloves, but see – this one has torn. How do we keep our hands safe in this kind of garbage with such gloves? And now there is this virus. Are we not human?'
PHOTO • Jyoti Shinoli
'We got these [rubber] gloves only yesterday [March 20]', Katin says. “These are new gloves, but see – this one has torn. How do we keep our hands safe in this kind of garbage with such gloves? And now there is this virus. Are we not human?'
PHOTO • Jyoti Shinoli

କାଟିନ୍‌ କହନ୍ତି, “ଗତକାଲି (ମାର୍ଚ୍ଚ ୨୦ ତାରିଖରେ) ହିଁ ଆମକୁ ଏହି (ରବର) ଗ୍ଲୋଭ୍‌ସ ମିଳିଲା । ଏଗୁଡ଼ାକ ନୂଆ ଗ୍ଲୋଭ୍‌ସ, କିନ୍ତୁ ଦେଖନ୍ତୁ-ଏଇଟା ଫାଟି ଯାଇଛି । ଏଭଳି ଗ୍ଲୋଭ୍‌ସ ପିନ୍ଧି ଆମେ ଏମିତି ଆବର୍ଜନାରୁ ଆମ ହାତକୁ କେମିତି ସୁରକ୍ଷିତ ରଖିପାରିବୁ ? ଆଉ ଏବେ ତ ପୁଣି ଏଇ ଭୂତାଣୁ ଆସିଛି । ଆମେ ମଣିଷ ନୁହଁ କି ?”

ଏହି ସହର ପାଇଁ କରୋନା ଭାଇରସ୍‌ ନୂଆକଥା । କିନ୍ତୁ ସ୍ଥାୟୀ ଓ ସୁରକ୍ଷିତ ଚାକିରିଟିଏ ପାଇଁ, ସ୍ଵାସ୍ଥ୍ୟ ବୀମା ପାଇଁ, ମାସ୍କ, ଗ୍ଲୋଭ୍‌ସ ଏବଂ ଜୋତା ଭଳି ସୁରକ୍ଷା ଉପକରଣ ପାଇଁ ତାଙ୍କର ଆଉ ଅନ୍ୟ ସଫେଇ କର୍ମଚାରୀମାନଙ୍କର ବାରମ୍ବାର କରିଆସୁଥିବା ଦାବି ନୂଆ ନୁହେଁ ।

ସୁରକ୍ଷାର ଆବଶ୍ୟକତା ଏବେ ତ ଆହୁରି ଅଧିକ ଜରୁରୀ । ମାର୍ଚ୍ଚ ୧୮ ତାରିଖରେ, ସଫେଇ କର୍ମଚାରୀମାନଙ୍କ ଅଧିକାର ପାଇଁ କାର୍ଯ୍ୟରତ ମୁମ୍ବାଇର ଏକ ସଂଗଠନ କଚରା ବାହତୁକ ଶ୍ରମିକ ସଂଘ ପକ୍ଷରୁ ପୌର କମିସନରଙ୍କୁ ପ୍ରଦତ୍ତ ଏକ ଚିଠିରେ ବାହ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ଦାବି କରାଯାଇଥିଲା । ମାର୍ଚ୍ଚ ୨୦ ତାରିଖରେ ଅଳ୍ପ କେତେକ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ମାସ୍କ ଦିଆଯାଇଥିଲା ।

ଏମ୍‌-ୱେଷ୍ଟ ୱାର୍ଡରେ ବିଭିନ୍ନ ଟ୍ରକ୍‌ରେ କାର୍ଯ୍ୟରତ ୪୫ ବର୍ଷୀୟ ଦାଦାରାଓ ପାଟେକର, ଯିଏ କି ଜଣେ ନବୀନ-ବୌଦ୍ଧ ଧର୍ମାବଲମ୍ବୀ, କହନ୍ତି, “ଏହି ଭାଇରସ୍‌ କାରଣରୁ ବିଭିନ୍ନ ଆବର୍ଜନା ଟ୍ରକ୍‌ରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଆମକୁ ସାବୁନ ଓ ସାନିଟାଇଜର୍‌ ଦେବା ଲାଗି ଆମେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କହିଲୁ । କିନ୍ତୁ ଆମକୁ କିଛି ହେଲେ ମିଳିଲାନି । ଯେଉଁ କର୍ମଚାରୀମାନେ ଅନ୍ୟମାନଙ୍କର ମଇଳା ସଫା କରୁଛନ୍ତି ସେମାନଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ହେବା ଉଚିତ । ସେମାନେ ଭୂତାଣୁ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି ।”

ହେଲେ, ମୁଖ୍ୟ ପର୍ଯ୍ୟବେକ୍ଷଣ ପ୍ରାଡକର କହନ୍ତି, “ସବୁ କର୍ମଚାରୀଙ୍କୁ ଆମେ ଉତ୍ତମ ଗୁଣମାନର ମାସ୍କ, ଗ୍ଲୋଭ୍‌ସ ଏବଂ ସାନିଟାଇଜର ଦେଇଛୁ । ଏବଂ ଭୂତାଣୁର ବ୍ୟାପ୍ତିକୁ ଆଖିରେ ରଖି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛୁ ।”

କୋଭିଡ୍‌-୧୯ର ବ୍ୟାପ୍ତିକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ ୨୦ ତାରିଖ ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦ୍ଵାରା ଘୋଷିତ ସଟ୍‌ଡାଉନ୍‌ ବା ବନ୍ଦ ସଂପର୍କିତ ବିଭିନ୍ନ ବ୍ୟବସ୍ଥାକୁ ସଂପ୍ରସାରିତ କରାଯାଇ ମାର୍ଚ୍ଚ ୨୨ରେ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ୍‌ରେ ପରିଣତ କରାଗଲା । ଏଥିରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଥିଲା । ମାର୍ଚ୍ଚ ୨୧ ତାରିଖ ଦିନ, ଏହି ଲେଖା ପାଇଁ ଖବର ସଂଗ୍ରହ କରିବା ପର୍ଯ୍ୟନ୍ତ, ଉଭୟ ସ୍ଥାୟୀ ଏବଂ ଠିକା ଭିତ୍ତିରେ ନିଯୁକ୍ତ ସଫେଇ କର୍ମଚାରୀମାନେ ସହରର ବିଭିନ୍ନ ଚୌକିରେ ସକାଳ ୬.୩୦ ବେଳକୁ ଏକାଠି ହୋଇଥିଲେ, ଯେଉଁଠି ସେମାନଙ୍କର ଦୈନିକ ଉପସ୍ଥାନ ନିଆଯାଇଥିଲା ଏବଂ ସଫା କରିବାକୁ ଥିବା ସ୍ଥାନର ଦାୟିତ୍ଵ ଦିଆଯାଇଥିଲା ।

Archana Chabuskwar and her family (left) in their home in the Anand Nagar slum colony and (right) a photograph of her deceased husband Rajendra: 'How do we clean hands constantly? The water comes here every two days. And who can afford that liquid [hand sanitiser]?'
PHOTO • Jyoti Shinoli
Archana Chabuskwar and her family (left) in their home in the Anand Nagar slum colony and (right) a photograph of her deceased husband Rajendra: 'How do we clean hands constantly? The water comes here every two days. And who can afford that liquid [hand sanitiser]?'
PHOTO • Jyoti Shinoli

ଆନନ୍ଦ ନଗର ବସ୍ତି କଲୋନିରେ ତାଙ୍କ ଘରେ ଅର୍ଚ୍ଚନା ଚାବୁକସ୍ଵାର ଏବଂ ତାଙ୍କ ପରିବାର (ବାମ) ଏବଂ (ଡାହାଣ) ପରଲୋକଗତ ତାଙ୍କ ସ୍ଵାମୀ ରାଜେନ୍ଦ୍ରଙ୍କର ଏକ ଫଟୋ: “ଆମେ ବାରମ୍ବାର କେମିତି ଆମ ହାତ ଧୋଇବୁ? ଏଠାକୁ ଦୁଇ ଦିନରେ ଥରେ ପାଣି ଆସେ । ଏବଂ ସେଇ ପାଣିଆ ଜିନିଷ (ହ୍ୟାଣ୍ଡ ସାନିଟାଇଜର) କିଣିବା ଖର୍ଚ୍ଚ କିଏ ତୁଲାଇପାରିବ ?’’

ପାଟେକର କହନ୍ତି, “ଆମ କାମ ଅତ୍ୟାବଶ୍ୟକ ସେବାର ଏକ ଅଂଶ । ଆମକୁ ବାହାରକୁ ବାହାରିବାକୁ ପଡ଼ିବ । ଠିକ୍‌ ଯେମିତି ଦେଶ ସୀମାରେ ସୈନିକମାନେ ଆମକୁ ସୁରକ୍ଷା ଦେଉଛନ୍ତି, ସେମିତି ଆମ ସଫେଇ କର୍ମଚାରୀମାନଙ୍କୁ ଆମ ନାଗରିକଙ୍କୁ ସୁରକ୍ଷା ଦେବାକୁ ପଡ଼ିବ ।”

କିନ୍ତୁ ସଫେଇ କର୍ମଚାରୀମାନେ ନିଜକୁ କେମିତି ସୁରକ୍ଷିତ ରଖିପାରିବେ? ନବ ବୌଦ୍ଧ ଧର୍ମାବଲମ୍ବୀ ସଂପ୍ରଦାୟର ଆଉ ଜଣେ ମହିଳା ୩୮ବର୍ଷୀୟା ଅର୍ଚ୍ଚନା ଚାବୁକସ୍ଵାର କହନ୍ତି, “ସରକାର କହୁଛନ୍ତି ବାରମ୍ବାର ହାତ ଧୁଅନ୍ତୁ । ଆମେ କେମିତି ତାହା କରିବୁ? ଏଠାକୁ ଦୁଇ ଦିନରେ ଥରେ ପାଣି ଆସେ । ଆଉ ସେଇ ଯୋଉ ପାଣିଆ ଜିନିଷ (ହ୍ୟାଣ୍ଡ ସାନିଟାଇଜର)ର ଖର୍ଚ୍ଚ କିଏ ତୁଲାଇ ପାରିବ ? ଆମକୁ ଶହ ଶହ ଲୋକଙ୍କ ସହିତ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବାକୁ ପଡ଼େ ।” ସୁଭାଷ ନଗର କଲୋନିରେ ରହୁଥିବା ୪୦ରୁ ଅଧିକ ପରିବାର ନିକଟରୁ ସେ ସବୁଦିନ ଅଳିଆ ସଂଗ୍ରହ କରନ୍ତି ଏବଂ ଦୈନିକ ମଜୁରି ବାବଦରେ ୨୦୦ ଟଙ୍କା ରୋଜଗାର କରନ୍ତି ।

ମାହୁଲର ସୁଭାଷ ନଗରରୁ ପ୍ରାୟ ଚାରି କିଲୋମିଟର ଦୂର ଚେମ୍ବୁରର ଏକ ଅଣଓସାରିଆ ଗଳିରେ ଥିବା ଆନନ୍ଦ ନଗରରେ ରହିଛି ତାଙ୍କର ୧୦୦ ବର୍ଗଫୁଟ୍‌ର ଘର । ବସ୍ତିର ଏହି କଲୋନିରେ ବହୁ ସଫେଇ କର୍ମଚାରୀଙ୍କ ପରିବାର ରହନ୍ତି । ସେମାନଙ୍କ ମଧ୍ୟରୁ ଅନେକ ୧୯୭୨ ମସିହା ମରୁଡ଼ି ସମୟରେ ଜାଲ୍‌ନା, ସତାରା ଏବଂ ସୋଲାପୁରରୁ ଏଠାକୁ ଆସିଥିଲେ । କିଛି ବର୍ଷ ତଳେ, ସେ ଓ ଅନ୍ୟ କେତେକ କର୍ମଚାରୀ ମିଶି ଅଳିଆ ଭର୍ତ୍ତି ଏକ ଓଜନିଆ ଧାତବ ଡବାକୁ ଉଠାଉଥିବା ବେଳେ ଡବା ତଳେ ଚାପି ହୋଇ ତାଙ୍କ ସ୍ଵାମୀ ରାଜେନ୍ଦ୍ରଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ଫୁସ୍‌ଫୁସ୍‌ରେ ରୋଗ ଯୋଗୁଁ ସେ ୨୦୧୭ରେ ପ୍ରାଣ ହରାଇଥିଲେ ।

ଅର୍ଚ୍ଚନା କହନ୍ତି, “ଏମିତି ତ ଆମ ଲୋକେ ସବୁବେଳେ ମରୁଛନ୍ତି, କିନ୍ତୁ ଆମ ସଂପର୍କରେ କେହି ପଚାରୁନାହାନ୍ତି । ଏବେ ଏହି ଭାଇରସ୍‌ରେ ମରିଗଲେ କ’ଣ ଆଉ ଫରକ ପଡ଼ିବ ?”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ଶିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ରିପୋର୍ଟର; ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲ୍‌ ସହିତ କାର୍ଯ୍ୟ କରିଛନ୍ତି ।

Other stories by Jyoti Shinoli