ରୂପ ରାଣୀ କହିଲେ, “ଯଦି ସେମାନେ ଆମର ଘରକୁ ହାତୀ ଲଗାଇ ଭାଙ୍ଗି ଦିଅନ୍ତି ତା’ ହେଲେ ଆମେ ଆମର ସମସ୍ତ ଜିନିଷପତ୍ର ଓ ଆମର ପିଲାମାନଙ୍କୁ ପୋଖରୀକୁ ଫିଙ୍ଗିଦେବୁ । ଆମେ ଗୋଲ୍‌ ହୋଇ ଛିଡ଼ା ହୋଇଯାଇ ଆମକୁ ଗୁଳି ମାରିଦେବାକୁ ସେମାନଙ୍କୁ କହିବୁ । କିନ୍ତୁ ଆମର ଦାବି ପୂରଣ ନ ହେଲା ଯାଏ ଆମେ ଏହି ସ୍ଥାନ ଛାଡ଼ିବୁ ନାହିଁ ।’’ ରୂପ ରାଣୀ  ହୁଏତ ଖୁବ୍ ଶୀଘ୍ର ତାଙ୍କର ଘର ଓ ଜମି ହରାଇ ପାରନ୍ତି । ତାଙ୍କ ପରି ରାମପୁରାର ଅନ୍ୟ ସମସ୍ତ ବାସିନ୍ଦାମାନେ ମଧ୍ୟ ନିଜର ଘର ଓ ଜମି ହରାଇବେ ।

ସେମାନଙ୍କର ଗାଁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନରେ ଥିବା ୪୯ଟି ଗାଁ ମଧ୍ୟରେ ସାମିଲ । ଯେଉଁଠାରେ ଲୋକମାନେ କହୁଛନ୍ତି ଯେ ବାଘମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଅଭୟାରଣ୍ୟର କୋର ଏରିଆ (ଅଭ୍ୟନ୍ତର ଅଞ୍ଚଳକୁ) ଆହୁରି ବୃଦ୍ଧି କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କୁ କୁହାଯାଇଛି । ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳରେ ଜନବସତିକୁ ଅନୁମତି ନାହିଁ, କିନ୍ତୁ ବାଘଙ୍କର ପରିସଂସ୍ଥା ଚାରିପଟେ ଥିବା ବଫର ଜୋନ ବାଘମାନଙ୍କୁ ମୁକ୍ତ ଭାବେ ଚଳପ୍ରଚଳ କରିବାକୁ ସୁଯୋଗ ଦେଇଥାଏ, ଏହି ଅଞ୍ଚଳରେ ମଣିଷ ଓ ଜୀବ ଜନ୍ତୁ ମିଶିକରି ରହନ୍ତି । ଅଗଷ୍ଟ ୨୦୧୨ରେ ରାମପୁରା ପାନ୍ନା ବ୍ୟାଘ୍ର‌ ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳ ମଧ୍ୟକୁ ଆସିଲା ।

କିନ୍ତୁ ଗତ ୪ ବର୍ଷ ହେଲା ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳକୁ ବୃଦ୍ଧି କରାଯିବାର ଯୋଜନା ପଡ଼ିରହିଛି । ଏହାଯୋଗୁ ରୂପ ରାନି ଏବଂ ତାଙ୍କର ପଡ଼ୋଶୀମାନଙ୍କର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେବେଠାରୁ ସେମାନେ ସେମାନଙ୍କର ଜମିକୁ ସୁରକ୍ଷିତ କରିବା ଲାଗି ଉଦ୍ୟମ କରୁଛନ୍ତି । ଏହା ସହ ସେମାନଙ୍କୁ ବିସ୍ଥାପନ ବଦଳରେ ୫ ଏକରର ପ୍ଲଟ ଏବଂ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଲାଗି ଜଙ୍ଗଲ ବିଭାଗ ସହିତ ଆଲୋଚନା କରୁଛନ୍ତି । ୨୦୦୮ରେ କେନ୍ଦ୍ର ସରକାରଙ୍କ ବ୍ୟାଘ୍ର‌ ପ୍ରକଳ୍ପ ପାଇଁ ପ୍ରତି ପରିବାରକୁ ବାଧ୍ୟତାମୂଳକ ଭାବେ ଏତିକି ପରିମାଣରେ ସହାୟତା ଦେବା ଲାଗି ସ୍ଥିର କରାଯାଇଥିଲା ।

Closed Grill gate.
PHOTO • Maithreyi Kamalanathan
Net, behind that there is a green building.
PHOTO • Maithreyi Kamalanathan

ପାନ୍ନା ବ୍ୟାଘ୍ର‌ ଅଭୟାରଣ୍ୟ ନିକଟରେ ଥିବା ପ୍ରାଚୀର ଯାହାକି ଜଙ୍ଗଲକୁ ରାମପୁରାରୁ ବିଛିନ୍ନ କରୁଛି (ବାମ) ଏବଂ ଗାଁର ପ୍ରବେଶ ପଥରେ ଜଙ୍ଗଲ ବିଭାଗର ପୋଷ୍ଟ (ଡାହାଣ)

କିନ୍ତୁ ଗ୍ରାମବାସୀମାନଙ୍କ ଅନୁସାରେ ଜଙ୍ଗଲ ବିଭାଗର ଅଧିକାରୀମାନେ ସେମାନଙ୍କୁ କହିଛନ୍ତି ଯେ, ପୁନଃଥଇଥାନ ପାଇଁ ସରକାରଙ୍କ ନିକଟରେ ଜମି ନାହିଁ । ଗାଈ ଚରାଳୀ ଏବଂ ଚାଷୀ ରୂପ ରାଣୀ  ଯିଏକି ତାଙ୍କର ସ୍ୱାମୀଙ୍କ ସହିତ ତାଙ୍କର ୨ ଏକର ଜମିରେ ଗହମ ଓ ମକା ଚାଷ କରିଥାନ୍ତି ସେ ନିଚ୍ଛକ ସତ୍ୟ ଆଡକୁ ଇଙ୍ଗିତ କରି କହିଲେ, “ଯଦି ସରକାରଙ୍କ ନିକଟରେ ଆମକୁ ଦେବାକୁ ଜମି ନାହିଁ, ତା’ ହେଲେ ଆମେ କିପରି ଜମି ପାଇବୁ ବୋଲି ସେମାନେ ଆଶା କରୁଛନ୍ତି? ସେମାନେ କିପରି ଆଶା  କରୁଛନ୍ତି ଯେ ଆମେ ଚାଷ ଜମି କିଣିବୁ, ଘର ତିଆରି କରିବୁ ଏବଂ ଆମର ଗାଈ ଓ ପିଲାମାନଙ୍କୁ ୧୦ ଲକ୍ଷ ଟଙ୍କାରେ ଖାଇବାକୁ ଦେବୁ?’’

ରାମପୁରା ହେଉଛି ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଥିବା ଏକ ଆଦିବାସୀ ଗାଁ ଯେଉଁଠାରେ ପ୍ରାୟ ୧୫୦ ଲୋକ ରହନ୍ତି (ପ୍ରାୟ ୩୦-୪୦ଟି ପରିବାର) । ୨୦୧୧ ମସିହା ଜନଗଣନାରେ ଏହି ଗାଁ ସ୍ଥାନ ପାଇନଥିଲା । କିନ୍ତୁ ଏହାଠାରୁ ମାତ୍ର ୧ କିମି ଦୂରରେ ଥିବା ଏକ ଜନବସତି କଣ୍ଡୱାହା ଜନଗଣନାରେ ସ୍ଥାନ ପାଇଛି । ଯଦିଓ ସେ ଗାଁରେ ମାତ୍ର ୨୦-୨୫ଟି ପରିବାର ରହୁଛନ୍ତି । ରାମପୁରାର ପଞ୍ଚାୟତ ଗାଁ ଇତୱାନ କଲାନ୍ ୧୫ କିମି ଦୂରରେ ଥିବାବେଳେ ସେଠାରେ ୫୯୯୪ ଜଣ ରହୁଥିବା ନେଇ ପଞ୍ଜିକରଣ କରାଯାଇଛି ।

ରାମପୁରାରେ ଗୋଟିଏ ଅଙ୍ଗନୱାଡ଼ି ଓ ଗୋଟିଏ ପ୍ରାଥମିକ ସ୍କୁଲ ଅଛି, କିନ୍ତୁ ଉଜ୍ଜ୍ୱଳା ଓ ଆବାସ ଯୋଜନା ଭଳି ସରକାରୀ ଯୋଜନା ନା ଗାଁରେ ପହଞ୍ଚିଛି ନା ପହଞ୍ଚିଛି ବିଜୁଳି । ପ୍ରତି ପରିବାରକୁ ଜଙ୍ଗଲ ବିଭାଗ ଗୋଟିଏ ସୌର ଲ୍ୟାମ୍ପ୍‌ ଦେଇଛି ଏବଂ ମୋବାଇଲ୍‌ ଚାର୍ଜ କରିବା ପାଇଁ ଗ୍ରାମବାସୀ ମିଳିତ ଭାବେ ଏକ ସୋଲାର ପ୍ୟାନେଲ୍‌ କିଣିଛନ୍ତି । ବିଜୁଳି ନ ଥିବା ପାନ୍ନା ଅଞ୍ଚଳର ଅଧିକାଂଶ ଆଦିବାସୀ ଗାଁରେ ଏହା ହିଁ ସାଧାରଣ ଚିତ୍ର ।

A young child with his mother
PHOTO • Maithreyi Kamalanathan
Portrait of a woman
PHOTO • Maithreyi Kamalanathan

ଶୋଭା ରାଣୀ (ବାମ) ଏବଂ ଅନ୍ୟମାନେ କଲେକ୍ଟରଙ୍କ ନିକଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି । ଡାହାଣ : ରୂପ ରାଣୀ କୁହନ୍ତି, ‘ଯଦି ସରକାରଙ୍କ ପାଖରେ ଜମି ନାହିଁ, ତେବେ ଆମେ କେଉଁଠୁ ପାଇବୁ ବୋଲି ସେମାନେ ଭାବୁଛନ୍ତି ?’

୫୫ ବର୍ଷୀୟା ଶୋଭା ରାଣୀ, ଯାହାଙ୍କର ପରିବାର ୧୧ ଏକର ପୈତୃକ ଜମି ଉପରେ ନିର୍ଭରଶୀଳ ସେ କହନ୍ତି ‘‘ଆମେ ଯେ କୌଣସି ସୁବିଧା ପାଇବା ବାଟରେ ଜଙ୍ଗଲ ଅଧିକାରୀ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛନ୍ତି, ଯେହେତୁ ଗାଁଟି ଏଠାରୁ ସ୍ଥାନାନ୍ତର ହେବ, ତେଣୁ ସେମାନେ ଭାବୁଛନ୍ତି ଏଠାରେ କୌଣସି ଯୋଜନା ଲାଗୁ କରିବା ସମୟର ଅପଚୟ ହେବ । ’’ (ରାମପୁରାର ଗ୍ରାମବାସୀ କହନ୍ତି ସେମାନଙ୍କ ସମସ୍ତଙ୍କ ପାଖରେ ପଟ୍ଟା ବା ଜମିର ମାଲିକାନା ଅଛି – ଯଦିଓ ମୋତେ କେହି ଜମିର କାଗଜପତ୍ର ଦେଖାଇ ନ ଥିଲେ)।   

୨୦୧୮ ସେପ୍ଟେମ୍ବରରେ, ଶୋଭା ଏବଂ ରାମପୁରାର ଅନ୍ୟ କେତେଜଣ ମହିଳା ଜିଲ୍ଲାପାଳଙ୍କ ପାଖରେ ଏକ ଆବେଦନ ଦାଖଲ କରିଥିଲେ । ‘‘ଆମେ ଆମର ଦାବି ଲେଖିଥିଲୁ, ସେଥିରେ ଦସ୍ତଖତ କରିଥିଲୁ । ତାକୁ ଜିଲ୍ଲାପାଳ(ପାଟନା ଜିଲ୍ଲା) ଙ୍କ ନିକଟରେ ଦାଖଲ କରିଥିଲୁ । ସେ ଏଥିରେ ତାଙ୍କର ଷ୍ଟାମ୍ପ୍ ମାରିଥିଲେ, ଗୋଟିଏ କପି ନିଜ ପାଖରେ ରଖିଥିଲେ, ଏବଂ ଗୋଟିଏ ଆମକୁ ଦେଇଥିଲେ । ’’

ଏହି ଆବେଦନ ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ମୁଁ ଜିଲ୍ଲାପାଳଙ୍କ ସହ କଥା ହେବାକୁ ଚେଷ୍ଟା କଲି, କିନ୍ତୁ ମୁଁ ଯିବା ସମୟରେ ସେ ସହର ବାହାରକୁ ଯାଇଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ଜଣେ ଲୋକ ଯିଏ ମୋ ସହ କଥା ହେଲେ, ସେ ଥିଲେ ଜଣେ ଫରେଷ୍ଟ ଗାର୍ଡ (କିନ୍ତୁ ଆମେ ତାଙ୍କ ନାମ ଏଠାରେ ବ୍ୟବହାର କରୁନାହୁଁ) । ସେ କହିଲେ, ‘‘ସରକାରଙ୍କ ପାଖରେ ଲୋକଙ୍କୁ ଦେବାପାଇଁ କୌଣସି ଜମି ନାହିଁ । କ୍ଷତିପୂରଣ ଭାବେ ମିଳିଥିବା ଟଙ୍କାରେ ଗ୍ରାମବାସୀ ସେମାନଙ୍କ ଇଚ୍ଛା ଅନୁସାରେ ଜମି କିଣିପାରିବେ । ସେମାନେ ନିଜ ଇଚ୍ଛା ମୁତାବକ ଯେକୌଣସି ଗାଁରେ ବାସ କରିପାରିବେ । ସେମାନଙ୍କୁ କେବଳ ଏତିକି କରିବାକୁ ଅଛି ଯେ ସେହି ପଞ୍ଚାୟତରେ ଅନ୍ତର୍ଭୁକ୍ତ ହେବା ପାଇଁ ସେମାନଙ୍କୁ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେବାକୁ ହେବ । ’’

House
PHOTO • Maithreyi Kamalanathan
document paper
PHOTO • Maithreyi Kamalanathan

ଫୋନ୍ ଚାର୍ଜ କରିବା ପାଇଁ ଗ୍ରାମବାସୀ ମିଳିତ ଭାବେଏକ ସୋଲାର ପ୍ୟାନେଲ୍ (ବାମ) କିଣିଛନ୍ତି । ଡାହାଣ : ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଆବେଦନ ପତ୍ରର ଏକ ନକଲ ।

ଗାର୍ଡ ମଧ୍ୟ ଦାବି କରନ୍ତି ଯେ ପ୍ରାୟ ବର୍ଷକ ପୂର୍ବରୁ ଏକ ଭିନ୍ନ ଚୁକ୍ତି କରିବାକୁ ମୁଖ୍ୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌) ରାମପୁରା ଗସ୍ତ କରିଥିଲେ । ‘‘ସେ ପ୍ରତି ପରିବାର ପାଇଁ ଗୋଟିଏ ଘର ଏବଂ ପରିବାରର ପ୍ରତ୍ୟେକ ସାବାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ଗ୍ରାମବାସୀଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗ୍ରାମବାସୀ ଏହାକୁ ଗ୍ରହଣ କରିବାକୁ ମନା କରିଦେଲେ ।” (କେତେକ ଗ୍ରାମବାସୀ ମଧ୍ୟ ମନେପକାନ୍ତି ସେମାନଙ୍କୁ ପରିବାର ପିଛା ନୁହେଁ, ବୟସ୍କଙ୍କ ପିଛା  ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯଚା ଯାଇଥିଲା, କିନ୍ତୁ ଏହାକୁ ଯାଂଚ କରାଯାଇପାରିବ ନାହିଁ) ।

ରାମପୁରା ବାସିନ୍ଦା ପିସିସିଏଫ୍‌ଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିରେ ସହମତ ନ ହେବାର କାରଣ ମଧ୍ୟ ରହିଛି । ୫୦ ବର୍ଷ ବୟସ୍କ ବସନ୍ତା ଆଦିବାସୀ କହନ୍ତି, ‘‘ବଡ଼ଗାଡ଼ି ବାସିନ୍ଦାଙ୍କୁ (ପ୍ରାୟ ୧୦ବର୍ଷ ପୂର୍ବରୁ) ସମାନ ପ୍ରସ୍ତାବ ଦିଆଯାଇଥିଲା, ଯେତେବେଳେ ସେମାନେ ଗାଁ ଛାଡ଼ିଲେ, କିନ୍ତୁ ଶେଷରେ ସେମାନେ କୌଣସି ଘର ପାଇଲେ ନାହିଁ ।”  ବଡ଼ଗାଡ଼ି କଲାଣ ପାଟନା ଜିଲ୍ଲାର ହିନୌଟା ଅଞ୍ଚଳରେ ବ୍ୟାଘ୍ର ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳରେ ଅବସ୍ଥିତ । ‘‘ବିଶ୍ୱାସଘାତକତାର ଶିକାର ହୋଇଥିବା ଅନୁଭବ କରି, ସେମାନେ ଜଙ୍ଗଲ ବିଭାଗଠାରୁ କ୍ଷତିପୂରଣ ରାଶି ମଧ୍ୟ ନେବାକୁ ମନା କରିଦେଲେ । ଏବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛତରପୁର ଜିଲ୍ଲାରେ (ସହରରେ) ରହୁଛନ୍ତି, ଯେଉଁଠାରେ ସେମାନେ ଜଙ୍ଗଲ ବିଭାଗ ସହ ମାମଲା ଲଢୁଛନ୍ତି, ଏବଂ ଓକିଲକୁ ଦେବାକୁ ଅର୍ଥ ବି ନାହିଁ ।”

ବିସ୍ଥାପିତ ହେବା ପରେ ଅନ୍ୟ ଗ୍ରାମବାସୀଙ୍କ ସଂଘର୍ଷ ବି ରାମପୁରାର ଲୋକେ ଦେଖିଛନ୍ତି । ଶୋଭା ରାଣୀ କହନ୍ତି, ‘‘ତାଲଗାଁଓ ଲୋକଙ୍କର କ’ଣ ହୋଇଥିଲା ଆପଣ ଜାଣନ୍ତି । (ଦେଖନ୍ତୁ : ଜଙ୍ଗଲରୁ ବିସ୍ଥାପିତ କରି ଅନିଶ୍ଚିତତା ଭିତରକୁ ଠେଲି ଦିଆଗଲା) ଆମେ ଏମିତି ଅନ୍ତ ଚାହୁଁନାହୁଁ । ତେଣୁ ସ୍ଥାନାନ୍ତର ହେବା ପୂର୍ବରୁ ଆମେ ଚାହୁଁଛୁ ସେମାନେ ଆମକୁ ଏକ ପଞ୍ଚାୟତ ଅନ୍ତର୍ଭୁକ୍ତ କରାନ୍ତୁ (ଯାହା ଲୋକଙ୍କୁ ସରକାରୀ ଯୋଜନାର ଲାଭ ପାଇବାରେ ସହାୟକ ହେବ), ପିଲାମାନଙ୍କର ସ୍କୁଲରେ ଆଡମିସନ୍ ନେବାରେ ସାହାଯ୍ୟ ହେବ ଏବଂ ଗ୍ୟାସ୍ ଓ ବିଜୁଳି ଭଳି ଅନ୍ୟ ସୁବିଧା ମିଳିପାରିବ ।’’

Kids in front of their house
PHOTO • Maithreyi Kamalanathan
Pink colour house
PHOTO • Maithreyi Kamalanathan

ରାମପୁରାରେ ଗୋଟିଏ ସ୍କୁଲ ଅଛି, କିନ୍ତୁ ଅନେକ ସରକାରୀ ଯୋଜନା ନାହିଁ । ଶୋଭାରାଣୀ କହନ୍ତି, ‘‘ଯେହେତୁ ଗାଁ ସ୍ଥାନାନ୍ତର ହୋଇଯିବ, ତେଣୁ ସେମାନେ ଭାବନ୍ତି, ଏଠାରେ କୌଣସି ଯୋଜନା କରିବା ସମୟର ଅପଚୟ ହେବ।’’

ରାମପୁରାରେ କୃଷି ହିଁ ଲୋକଙ୍କର ଆୟର ପ୍ରାଥମିକ ଉତ୍ସ । ଏଠାରେ ଚାଷ ହେଉଥିବା ମୁଖ୍ୟ ଫସଲ ହେଲା କୋଳଥ, ମକା, ଚଣା, ରାଶି ଏବଂ ଗହମ । ଏଠାରେ ଲୋକେ ଏସବୁକୁ ନିଜର ଖାଦ୍ୟ ଭାବେ ବ୍ୟବହାର କରନ୍ତି ଏବଂ କିଛି ବିକ୍ରି କରି ବାର୍ଷିକ ୨୦ ହଜାରରୁ ୫୦ ହଜାର ଟଙ୍କା ଯାଏଁ ଆୟ କରନ୍ତି ।

ଅଭୟାରଣ୍ୟର ବଫର ଜୋନ୍‌ରେ ରହୁଥିବାରୁ ଗ୍ରାମବାସୀଙ୍କ ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା, ବିକ୍ରି ଓ ବ୍ୟବହାର କରିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଜଙ୍ଗଲରେ ଚାଷ କାମ ଉପରେ କଟକଣା ଲାଗିବା ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ମଧ୍ୟ ଅଧିକରୁ ଅଧିକ କଟକଣା ଲଗାଯାଉଛି । ଗ୍ରାମବାସୀ ଏବେ କେତେବେଳେ କେମିତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଛନ୍ତି, ଯାହାକି ସେମାନଙ୍କର ପାରିବାରିକ ଆୟ ଏବଂ ଆବଶ୍ୟକତାକୁ ପୂରଣ କରୁଥିଲା । ସାଢ଼େ ତିନି ଏକର ଜମିରେ ଚାଷ କରୁଥିବା ୩୦ ବର୍ଷୀୟ ବୀରେନ୍ଦ୍ର ଆଦିବାସୀ କହନ୍ତି, “ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ କଥା ଛାଡ଼ନ୍ତୁ, ଆମେ କାଠ ସଂଗ୍ରହ କରିବାକୁ ଗଲେ ଆମ କୁରାଢ଼ୀ ଜବତ କରିନିଆଯାଉଛି । ନା ଆମର ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚୁଛି, ନା ଜଙ୍ଗଲୀ ଜୀବଙ୍କ ଦ୍ୱାରା ନଷ୍ଟ ହେଉଥିବା ଆମ ଫସଲ ବାବଦକୁ ଆଉ କ୍ଷତିପୂରଣ ଦିଆଯାଉଛି ।’’

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କର ସଂଶୋଧିତ ନିୟମାବଳୀ (୨୦୦୮) ଅନୁସାରେ ଜଙ୍ଗଲୀ ଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ ଓ କୌଣସି ମଣିଷଙ୍କର ମୃତ୍ୟୁ ହେଲେ ଜଙ୍ଗଲ ଅଧିବାସୀଙ୍କୁ କ୍ଷତିପୂରଣ ଦିଆଯିବ। ରାମପୁରାରେ ଜଙ୍ଗଲୀ ବାର୍‌ହା ଏବଂ ନୀଳଗାଇ ବାରମ୍ବାର ଲୋକଙ୍କର ଫସଲ ନଷ୍ଟ କରନ୍ତି । ବୀରେନ୍ଦ୍ର କହନ୍ତି, ‘‘ଜନ୍ତୁମାନଙ୍କୁ ଘଉଡ଼ାଇବା ପାଇଁ ଆମେ ରାତି ସାରା ଉଜାଗର ରହୁ ।’’ ‘‘ସେମାନଙ୍କୁ କ୍ଷତି ପହଞ୍ଚାଇବା ଏକ ଅପରାଧ ଏବଂ ଆମକୁ ଜେଲ୍‌ ହୋଇପାରେ । ଅଧିକାଂଶ ସମୟରେ ସେମାନେ ଆମ ଫସଲ ବହୁ ଅଂଶରେ ନଷ୍ଟ କରିଦିଅନ୍ତି।”

Woman with steel mutaka on her head
PHOTO • Maithreyi Kamalanathan
Two men
PHOTO • Maithreyi Kamalanathan

ବାମ : ପ୍ରେମ ବାଇ କହନ୍ତି, ‘ଜମି ବିନା ଆମେ ବାହାରେ କେମିତି ଚଳିବୁ ?’ ଡାହାଣ: ବୀରେନ୍ଦ୍ର ଆଦିବାସୀ ଏବଂ ବସନ୍ତା ଆଦିବାସୀ :‘ଆମେ ମିଳିତ ଭାବେ ବିକ୍ଷୋଭ କରିବୁ ।’

ଏହି ସବୁ ସମସ୍ୟା ସତ୍ତ୍ୱେ, ରାମପୁରାରେ ଲୋକଙ୍କ ମଧ୍ୟରେ ଗୋଟିଏ ସୁରକ୍ଷା ଭାବ ରହିଛି । ଏହାର ଗୋଟିଏ କାରଣ ହେଲା ପାଣିର ଉପଲବ୍ଧତା । ବୀରେନ୍ଦ୍ର କହନ୍ତି, ‘‘ସେଠାରେ ଥିବା ପୋଖରୀ ଆପଣ ଦେଖିଥିବେ ନିଶ୍ଚୟ…ଏଠାରେ ବର୍ଷ ସାରା ପାଣି ରହେ। ଏ ଅଞ୍ଚଳର ଅନ୍ୟ ଗାଁରେ ଏଭଳି ଏକ ଜଳ ଉତ୍ସ ପାଇବା କଷ୍ଟକର । ଆମର ମହିଳାମାନଙ୍କୁ ପାଣି ପାଇଁ ପ୍ରତିଦିନ ମାଇଲ୍‌ ମାଇଲ୍‌ ଚାଲିବାକୁ ପଡୁନାହିଁ ।’’

ପ୍ରେମ୍‌ ବାଇ, ଗାଁ ସ୍କୁଲର ଜଣେ ମଧ୍ୟାହ୍ନ ଭୋଜନ କର୍ମଚାରୀ, ଯାହାଙ୍କର ଯୌଥ ପରିବାର ପ୍ରାୟ ୧୦ ଏକର ଜମି ଚାଷ କରନ୍ତି, ସେ ମଧ୍ୟ ଏହି ସୁରକ୍ଷା ଭାବ କଥା କହନ୍ତି । ସେ କହନ୍ତି (ତାଙ୍କୁ ପ୍ରାୟ ୪୫ ବର୍ଷ) ‘‘ମୁଁ ଏବଂ ମୋ ସ୍ୱାମୀ ବୟସ୍କ ହେଲୁଣି,’’ ଯଦି ଆମେ ଜଙ୍ଗଲରୁ ବାହାରିଯିବୁ ତେବେ ଦିନ ମଜୁରିଆ ଭାବେ କାମ କରିବାକୁ ଯିବାକୁ ଆମର ଆଉ ଶକ୍ତି ନାହିଁ । ଏଠାରେ ଅତି କମ୍‌ରେ ଆମର ନିଜର ଜମି ଅଛି ଏଭଂ ଆମେ ଆମର ଚଳଣି ପାଇଁ ଏଠାରେ ଚାଷ କରୁଛୁ । ବାହାରେ ଜମି ବିନା ଆମେ କେମିତି ଚଳିବୁ ? ଆମେ ଏ ସ୍ଥାନ ଛାଡ଼ିବା ପାଇଁ ମନା କରୁନାହୁଁ । କିନ୍ତୁ ଯଦି ସ୍ଥିତି ଆହୁରି ଖରାପ ହୁଏ ତେବେ କଣ ହେବ ? ଆମେ କେବଳ ଆମର ଅଧିକାର ଭାବେ ଜମି, ପରିଚୟ ଏବଂ ଗୋଟିଏ ସୁରକ୍ଷିତ ଜୀବନ ବଞ୍ଚିବା ପାଇଁ ମାଗୁଛୁ । ’’

କଲେକ୍ଟରଙ୍କୁ ଦେଇଥିବା ଆବେଦନ ଉପରେ କୌଣସି ପଦକ୍ଷେପ ନିଆଯିବ ବୋଲି ରାମପୁରାର ବାସିନ୍ଦା ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି, ସେମାନେ ମଧ୍ୟ ଆଗାମୀ ସମୟ ପାଇଁ ପ୍ରସ୍ତୁତି କରୁଛନ୍ତି । ବସନ୍ତ କହନ୍ତି, ‘‘ଆମର କେବଳ ଏହି ଗୋଟିଏ ଗାଁ ନୁହେଁ, ଯାହାକୁ ସ୍ଥାନାନ୍ତର ହେବାକୁ ପଡ଼ିବ । ଅନ୍ୟ ଗାଁଗୁଡ଼ିକ ମଧ୍ୟ ଅଛି, ସେମାନଙ୍କର ମଧ୍ୟ ସମାନ ଦାବି ରହିଛି । ଆମେ ମିଳିତ ଭାବେ କଲେକ୍ଟରଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କରିବୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Maithreyi Kamalanathan

ମୈତ୍ରୈୟୀ କମଲାନାଥନ୍‌ ହେଉଛନ୍ତି ମଧ୍ୟପ୍ରଦେଶ ପାନ୍ନାସ୍ଥିତ ପ୍ରୋଜେକ୍ଟ କୋଶିକାର ବୁନ୍ଦେଲଖଣ୍ଡ ଆକ୍ସନ୍‌ ଲ୍ୟାବ୍‌ର କମ୍ୟୁନିକେସନ୍ ହେଡ୍‌ ।

Other stories by Maithreyi Kamalanathan