୨୦୧୮ ନଭେମ୍ବର ଆରମ୍ଭରେ ଦୀପାବଳି ପୂର୍ବର ଏକ ସକାଳ। ପଶ୍ଚିମ ଓଡ଼ିଶାର ପ୍ରାୟ ୩୦-୪୦ ଜଣ ବାଦ୍ୟକାର ରାୟପୁର ବୁଢା ତଲବ ଚାରିଛକରେ ଏକାଠି ହୋଇଥିଲେ। ତାଙ୍କ ବେଶ ପୋଷାକ ଓ ବାଦ୍ୟ ଯନ୍ତ୍ରରୁ ମୁଁ ନିଶ୍ଚୟ କହିପାରିବି, ଯେ ସେମାନେ ବଲାଙ୍ଗିର, କଳାହାଣ୍ଡି କିମ୍ବା ନୂଆପଡ଼ା ଜିଲ୍ଲାର। ସେମାନେ ଥିଲେ ଅନୁସୂଚିତ ଜନଜାତି ଗଣ୍ଡ ସଂପ୍ରଦାୟର। 

ସେମାନଙ୍କ ପରିବେଷଣ – ସ୍ଥାନୀୟ ଅଞ୍ଚଳରେ ଗଣ-ବାଜା ବୋଲି କହନ୍ତି – ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଲୋକକଳା। ବିବାହ, ପୂଜା ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ସେମାନଙ୍କ ଭିନ୍ନ ଭିନ୍ନ ତାଳ ବା ବାଦନ ଥାଏ। ପ୍ରାୟ ୫-୧୦ ଜଣ ଲୋକ – ପାରମ୍ପରିକ ଭାବେ ପୁରୁଷ – ଗୋଟିଏ ଦଳରେ ବିଭକ୍ତ ହୋଇଥାନ୍ତି। ସମସ୍ତଙ୍କ ହାତରେ ଥାଏ ଢାପ, ଡୋଲ, ଝାଂଜ, ନିଶାନ ଏବ ତାସା ଭଳି ବାଦ୍ୟଯନ୍ତ୍ର। 

କାହାକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି ତାଙ୍କୁ କୋଶଳି (ବା ସମ୍ବଲପୁରୀ) ଭାଷାରେ ମୁଁ ପଚାରିଲି। ମୋ କଥା ଶୁଣି, ବେଣୁଧର ଛୁରା କହିଲେ, "ଆମେ ରାଉତ-ନାଚ ଦଳକୁ ଅପେକ୍ଷା କରିଛୁ। ସେମାନେ ଆମକୁ ତାଙ୍କ ନାଚ ପାଇଁ ନେବେ।" ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ତହସିଲର କନ୍ଦଖାଲ ଗାଁର ବେଣୁଧର ଛୁରା ପ୍ରାୟ ୩୦ ବର୍ଷ ହେବ ଏଠାକୁ ଆସୁଛନ୍ତି।  

Benudhar Chhura with his Gana-baja troupe
PHOTO • Purusottam Thakur
A member of the Raut community (with the cycle) watches and evaluates a Gana-baja performance
PHOTO • Purusottam Thakur

ବାମ : ତାଙ୍କ ଗଣ-ବାଜା ଦଳ ସହ ବେଣୁଧର ଛୁରା ରାୟପୁରକୁ ତିନି ଦଶନ୍ଧି ହେବ ଆସୁଛନ୍ତି। ୨୦ ବର୍ଷ ବୟସରୁ ସେ ଏହା ଆରମ୍ଭ କରିଥିଲେ, ଏବେ ତାଙ୍କୁ ୫୦ ବର୍ଷ ହେଲାଣି। ଦକ୍ଷିଣ: ରାଉତ ସଂପ୍ରଦାୟର ଜଣେ ସଦସ୍ୟ (ସାଇକେଲ ଧରିଛନ୍ତି) ଗଣ-ବାଜା ପରିବେଷଣ ଦେଖୁଛନ୍ତି ଏବଂ ମାନ ପରଖୁଛନ୍ତି। 

ଦୀପାବଳିରେ ରାଉତ ବା ଯାଦବ (ଓବିସି) ସଂପ୍ରଦାୟର ଲୋକେ ଗୋବର୍ଦ୍ଧନ ପୂଜା ପାଳନ କରନ୍ତି। ଏହି ଅବସରରେ ସେମାନେ ନୃତ୍ୟ ପରିବେଷଣ କରନ୍ତି ଯାହାକୁ ରାଉତ-ନାଚ କୁହାଯାଏ। ବେଣୁଧର କହିଲେ, "ଏହି ନାଚ ପାଇଁ ସେମାନେ ଆମ ବାଜା ଦରକାର କରନ୍ତି। ସେମାନେ ଆମର ପ୍ରଦର୍ଶନ ଦେଖନ୍ତି ଏବଂ ଗୋଟିଏ ଦଳକୁ ବାଛନ୍ତି।" 

ମୁଁ ପଚାରିଲି, ସେମାନେ ତୁମ ଦଳକୁ କେତେ ଟଙ୍କା ଦେବେ ଏବଂ ତୁମେ ଏଠି କେତେଦିନ ରହିବ। "ସେମାନେ ୧୫,୦୦୦ ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇଥାନ୍ତି। ଏହି ଦର ନାଚ ପାର୍ଟି ଏବଂ କେଉଁ ଦଳକୁ ବାଛିଲେ ତାହା ଉପରେ ନିର୍ଭର କରେ। ସେମାନେ ଆମକୁ ଗୋଟିଏ ସପ୍ତାହ ବା ଆଠ ଦିନ ପାଇଁ ନେଇଥାନ୍ତି। ଏଠାରେ ଶତାଧିକ ଦଳ ଏମିତି ଅପେକ୍ଷା କରିଥିବା ଆପଣ ଦେଖିବେ। ରାଉତ-ନାଚ ପାର୍ଟି ଏଠାକୁ ଆସିବେ ଏବଂ ଗଣ-ବାଜା ଦଳଙ୍କୁ ବାଛିବେ। ଏହି ସମୟରେ ଗୌରୀ-ଗୌର ପୂଜା ମଧ୍ୟ ପାଳନ ହୋଇଥାଏ। ଯଦି ଏଥିପାଇଁ କୌଣସି ଦଳ ପସନ୍ଦ ହୁଅନ୍ତି, ତେବେ ଆମକୁ ମାତ୍ର ଦୁଇ ଦିନରେ ୧୫,୦୦୦ ରୁ ୨୦,୦୦୦ (ଟଙ୍କା) ମିଳିଥାଏ।"

ଏଠାକୁ କେତେବର୍ଷ ହେବ ଆସୁଛନ୍ତି ବୋଲି ପାଖରେ ଛିଡା ହୋଇଥିବା ଶଙ୍କର ଶଗରିଆଙ୍କୁ ପଚାରିଲି। ତାଙ୍କ ଘର ବଲାଙ୍ଗିର ଜିଲ୍ଲାର ସରଗୁଲ ଗାଁରେ। ସେ କହିଲେ, "ମୁଁ ଏଠାକୁ ୧୨ ରୁ ୧୫ ବର୍ଷ ହେବ ଆସୁଛି। ମୋ ସହଯୋଗୀ ଉପାସୁ ଆହୁରି ଅଧିକ ଦିନ ହେବ ଅସୁଛନ୍ତି।" ଆଗରୁ କେତେ ଟଙ୍କା ମିଳୁଥିଲା ବୋଲି ଉପାସୁଙ୍କୁ ପଚାରିଲି। ସେ କହିଲେ, "୭,୦୦୦ ରୁ ୮,୦୦୦ ଟଙ୍କା ମିଳୁଥିଲା।" 

Gana baja troupes display their musical prowess to Raut-nacha members
PHOTO • Purusottam Thakur

ବାମ ପାର୍ଶ୍ୱ ଉପର: ବଲାଙ୍ଗିର ଜିଲ୍ଲା ସରଗୁଲ ଗାଁର ଶଙ୍କର ଶଗରିଆ ଜଣେ ନିଶାଣବାଲା  ସେ ନିଶାଣ ବଜାନ୍ତି। ଏହା ଚମଡ଼ା ଏବଂ ଲୁହାର ଏକ ଖୋଳ ଯାହା ଗଣ-ବାଜାର କେନ୍ଦ୍ର। ଦକ୍ଷିଣ ପାର୍ଶ୍ୱ ଉପର: ଗଣ-ବାଜା ଦଳର ଜଣେ ସମଲିଙ୍ଗି ନାଚୁଛନ୍ତି; ଏହି ଗଣ-ବାଜା ଦଳଙ୍କୁ ନିଆଯିବ କି ନାହିଁ ତାହା ଏହି ପ୍ରଦର୍ଶନ ଉପରେ ନିର୍ଭର କରୁଛି। ବାମ ପାର୍ଶ୍ୱ ତଳେ: ରାଉତ-ନାଚ ଦଳଙ୍କୁ ବାଜା ବଜାଇବାର ଶକ୍ତି ପ୍ରଦର୍ଶନ କରୁଛନ୍ତି ଗଣ-ବାଜା ଦଳ। ଦକ୍ଷିଣ ପାର୍ଶ୍ୱ ତଳ: ଅମହୁରିଆ ମହୁରୀ ବଜାଉଛନ୍ତି (ଏକ ପ୍ରକାର ତୂରୀ), ତାଙ୍କ ଦଳ ଶ୍ରେଷ୍ଠ ବୋଲି ସେ ଏହି ପ୍ରଦର୍ଶନ ମାଧ୍ୟମରେ ପ୍ରମାଣ ଦେବାକୁ ଉଦ୍ୟମ କରୁଛନ୍ତି  ଆଶା କରୁଛନ୍ତି ତାଙ୍କୁ ରାଉତ-ନାଚ ସଦସ୍ୟ ପସନ୍ଦ କରିବେ

ଯେତେବେଳେ ଦଳ ସହ ବାହାରକୁ ନଆସ ସେତେବେଳେ ଗାଁରେ କ’ଣ କର? ସେ କହିଲେ, "ଆମେ ଛୋଟ ଚାଷୀ ଏବଂ କୃଷି ଶ୍ରମିକ। ତେଣୁ ଫସଲ [ଧାନ] ଅମଳ ସରିବା ପରେ ଆମେ ବାହାଘର ଏବଂ ଅନ୍ୟାନ କାର୍ଯ୍ୟକ୍ରମକୁ [ପରିବେଷଣ ପାଇଁ] ଯାଇଥାଉ। ଆଉ ରାୟପୁରକୁ ଆସିବା ପାଇଁ ଦୀପାବଳୀକୁ ଅପେକ୍ଷା କରିଥାଉ।"

ମୁଁ ଶୁଣିଥିଲି ଓଡ଼ିଶାର ଗୋଟିଏ ଅଞ୍ଚଳରେ ମରୁଡ଼ି ହୋଇଥିଲା, ସେଥିପାଇଁ ପଚାରିଲି: ଏବର୍ଷ କେମିତି ଫସଲ ହୋଇଛି? ଉପାସୁ କହିଲେ, "ଏର୍ବଷ ବି ମରୁଡ଼ି। ଆମ ଫସଲ ନଷ୍ଟ ହୋଇଯାଇଛି।"

ଆମ କଥାବାର୍ତ୍ତା ଭିତରେ ଗୋଟିଏ ଦଳ ବାଜା ବଜାଇବା ଆରମ୍ଭ କଲେ। ଏମାନଙ୍କୁ ଡ଼େଇଁ ମୁଁ ତାଙ୍କୁ ଦେଖିବାକୁ ବାହାରିଲି। ରାଉତ ସଂପ୍ରଦାୟର ତିନ ଜଣ ଗୀତ ଗାଉଥିଲେ ଏବଂ ଗଣ-ବାଜା ବାଦକମାନେ ସେମାନଙ୍କ ଭିତରେ ରହି ବାଜା ବଜାଉଥିଲେ – ନିଜ ବାଦ୍ୟ ଦ୍ୱାରା ରାଉତମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିଲେ ଯେପରି ସେମାନେ ପସନ୍ଦ ପାଲଟିବେ। 

The Raut-nacha dancers use this stick while dancing.
PHOTO • Purusottam Thakur
People from Achhoti are taking the musicians to the village in an autorickshaw
PHOTO • Purusottam Thakur

ବାମ: ରାଉତ ନାଚର କଳାକାରମାନେ ନୃତ୍ୟ କରିବା ବେଳେ ଏହି ବାଡ଼ିଟି ଧରିଥିଲେ। ଦକ୍ଷିଣ: ଦୁର୍ଗ ଜିଲ୍ଲା ଅଛୋଟି ଅଞ୍ଚଳର ଲୋକେ ଗୋଟିଏ ଗଣ-ବାଜା ଦଳକୁ ବାଛିଲେ ଏବଂ ବାଦ୍ୟକାରମାନଙ୍କୁ ଏକ ଅଟୋ ରିକ୍ସାରେ ଗାଁକୁ ନେଇଗଲେ

ଖୁବ କମ୍ ସମୟ ଭିତରେ ଗଣ-ବାଜା ଦଳର ଜଣେ ସମଲିଙ୍ଗୀ ନାଚିବା ଆରମ୍ଭ କଲେ ଏବଂ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲେ। ଏହା ପରେ ଗୋଟିଏ ଗଣ-ବାଜା ଦଳ ଏବଂ ରାଉତ-ନାଚ କଳାକାରମାନେ ଗୋଟିଏ ଅଟୋ ରିକ୍ସାରେ ବସି ଚାଲିଗଲେ। ମୁଁ ଦ୍ରୁତ ପାଦରେ ଯାଇ ଜଣେ ବାଦକଙ୍କୁ ପଚାରିଲି: କେତେ ଟଙ୍କାରେ ଛିଣ୍ଡିଲା? 

ସେ କହିଲେ, "ସାତ ଦିନ ପାଇଁ ୧୮,୫୦୦ ଟଙ୍କା।" କେଉଁ ଗାଁକୁ ତୁମେ ଯାଉଛ? ସେ କିଛି କହିବା ପୂର୍ବରୁ ଛତିଶଗଡ଼ ଦୁର୍ଗ ଜିଲ୍ଲା ଅଛୋଟି ଗାଁର ରାଉତ ସଂପ୍ରଦାୟର ସୋନୁରାମ ଯାଦବ କହିଲେ, "ଆମେ ଏହି ଦଳକୁ ବାଛିଲୁ, ଆମେ ତାଙ୍କୁ ଆଠ ଦିନ ପାଇଁ ଆତିଥ୍ୟ ଦେବୁ।" 


ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur