ମାଟି ଦୀପରେ ଭରି ଯାଇଛି ନାମଘରର ଚଟାଣ, ସେହି ଦୀପ ଆଲୁଅରେ ଝଲସି ଉଠୁଛି ମାଟିର ଚଟାଣ, ସତେ କି ଆଗନ୍ତୁକ ଦର୍ଶକମାନଙ୍କୁ ରାସ୍ତା ଦେଖାଇବାରେ ଲାଗିଛି । ଗାୟନ (ଗାୟକ) ଓ ବାୟନ (ବାଦକ) ପ୍ରସ୍ତୁତ ହେଲେଣି: ବାଦକ ତାଙ୍କ ଛାତି ଉପରକୁ ଆଉଜାଇ ନେଲେଣି ଖୋଲ୍ - ଢୋଲ ଭଳି ଆସାମର ଏକ ପାରମ୍ପରିକ ବାଦ୍ୟଯନ୍ତ୍ର, ସଙ୍ଗୀତକାରଙ୍କ ସଙ୍ଗୀତ ପରିବେଷଣ ଆରମ୍ଭ କରିବା ସହିତ ଉଷ୍ମ ଆଲୋକରେ ଚମକି ଉଠୁଛି ପିତ୍ତଳର ବଡ଼ ବଡ଼ ଝାଞ୍ଜ (ବୋର ତାଲ) ।
ସୂତ୍ରଧର, ଯେ କି ସେହି ସନ୍ଧ୍ୟାର କାର୍ଯ୍ୟକ୍ରମ ଉପସ୍ଥାପକ, କହିବା ଆରମ୍ଭ କରନ୍ତି । ସାରା କୋଠରିରେ ବ୍ୟାପିଯାଏ ନିରବତା । ଆଲୋକରେ ପାଦ ଥାପନ୍ତି ବିପୁଲ ଦାସ ।
ଏବଂ ଏକ ଆକର୍ଷଣୀୟ, ଅଥଚ ଭାବଗମ୍ଭୀର ପରିବେଶରେ ଆରମ୍ଭ ହୁଏ ରାତି ତମାମ ଚାଲିବାକୁ ଥିବା ଭାଓନା - ଆସାମର ବୈଷ୍ଣବ ଧର୍ମାବଲମ୍ବୀମାନଙ୍କର ପାରମ୍ପରିକ ଧାର୍ମିକ ନାଟକ । ସାଧାରଣତଃ ରାମାୟଣ ଓ ମହାଭାରତ ମହାକାବ୍ୟ ଆଧାରିତ ହୋଇଥାଏ ନାଟକର କଥାବସ୍ତୁ, ଏବଂ ନିର୍ଦ୍ଦିଷ୍ଟ ଗୋଟିଏ ଉପାଖ୍ୟାନର ନାଟ୍ୟ ରୂପାନ୍ତର ପରିବେଷଣ କରାଯାଏ ।
ବିପୁଲଙ୍କର ପ୍ରିୟ ଭୂମିକା ହେଉଛି କୁନ୍ତୀ, ମହାକାବ୍ୟ ମହାଭାରତରେ ପାଣ୍ଡବମାନଙ୍କର ମାଆ । “ଗାଁରେ ମୋତେ ଲୋକେ କୁନ୍ତୀ ବୋଲି ଡାକନ୍ତି,” ଅଳ୍ପ ହସି ସେ କହନ୍ତି । ଜଣେ ଏକାକିନୀ ମାଆ ତାଙ୍କୁ ବଡ଼ କରିଛନ୍ତି ଏବଂ ସେ କହନ୍ତି ଯେ, ମାତୃତ୍ୱ ସହିତ ତାଙ୍କର ଏକ ଆନ୍ତରିକ ସଂଯୋଗ ରହିଛି । “ମୁଁ ଭାବେ ଯେ ମୋ ଭିତରେ ଜଣେ ମାଆ ରହିଛନ୍ତି, ଯାହା ମୋତେ କୁନ୍ତୀଙ୍କ ଚରିତ୍ର ସହିତ ଯୋଡ଼ିଥାଏ ।” ସେ ତାଙ୍କ ପ୍ରିୟ ଗୀତର କେତେକ ଧାଡ଼ି ଗାଇବାରେ ଲାଗନ୍ତି:
















