“ଖଟ ବୁଣିବା ଆମ ରକ୍ତରେ ରହିଛି”, ହସି ହସି କହନ୍ତି କୃଷ୍ଣାବତୀ, ଜଣେ ତୃତୀୟ ପିଢ଼ିର ଦଉଡ଼ିଆ ଖଟ ବୁଣାଳୀ। “ଏପରିକି ମୁଁ ଏମିତି ଜଣେ ଲୋକଙ୍କୁ ବାହା ହେଲି ଯିଏକି ଏହି କଳାକୁ ଭଲ ପାଆନ୍ତି!”, କହନ୍ତି ୪୫-ବର୍ଷୀୟା ଥରୁ ଆଦିବାସୀ ଗୋଷ୍ଠୀର ଏହି ମହିଳା ଜଣକ।
ପ୍ରାୟ ତିନି ଦଶନ୍ଧି ଧରି କୃଷ୍ଣାବତୀ ଓ ତାଙ୍କ ସ୍ୱାମୀ ଚନ୍ଦ୍ରପାଲ ସିଂ ରାଣା ଦଉଡ଼ିଆ ଖଟ ତିଆରି କରୁଛନ୍ତି – ଯେଉଁ ଖଟଗୁଡ଼ିକରେ ଆଧାର ଭାବେ କାଠ ପଟା ବଦଳରେ ଦଉଡ଼ି ବାନ୍ଧନ୍ତି। ସେମାନେ କାଠକୁ କାଟି ଖଟର ଗୋଡ଼ ବନାନ୍ତି, ଓ ତା’ପରେ ସେଥିରେ ଦଉଡ଼ି ବାନ୍ଧି ଆଧାର ତିଆରି କରନ୍ତି।
ଖରାଦିନେ ଯେତେବେଳେ ଗରମ ବଢ଼ିଯାଏ, ଲୋକେ ବିଛଣା ଅପେକ୍ଷା ଖଟକୁ ପସନ୍ଦ କରନ୍ତି, ଏବଂ ତେଣୁ ଏହି କାରିଗରମାନେ ମେ ମାସରୁ ସେପ୍ଟେମ୍ବର ଯାଏଁ ଏହି କାମ କରନ୍ତି, ବର୍ଷର ଅବଶିଷ୍ଟ ସମୟ ସେମାନେ କୃଷି ଶ୍ରମିକ ଭାବେ କାମ କରିଥାନ୍ତି।















