ଦୁଲେଶ୍ଵରୀ ସରେନଙ୍କ ରାସନ କାର୍ଡରେ ତାଙ୍କର ଜନ୍ମ ତାରିଖ ଜାନୁୟାରୀ ୧, ୧୯୬୩ ବୋଲି ଲେଖା ଅଛି । କିନ୍ତୁ ଦୁର୍ବଳ ଓ ବୟସ ବୃଦ୍ଧି ପାଉଥିବା ଏହି ସାନ୍ତାଳ ଆଦିବାସୀଙ୍କର ପ୍ରକୃତ ବୟସ ଆଉ ଦଶ ବର୍ଷ ଅଧିକ ହେବ । “ସେ ନିଶ୍ଚୟ ଶହେ ବର୍ଷର ହେବେ”, କହନ୍ତି ତାଙ୍କର ୧୬ ବର୍ଷୀୟା ଅଣନାତୁଣୀ ପ୍ରମିଳା କିସ୍କୁ।
ପଶ୍ଚିମବଙ୍ଗର ଶାନ୍ତିନିକେତନ ନିକଟସ୍ଥ ବାଗାନପରାରେ ଆମେ ସେହି ନବେ-ବର୍ଷୀୟାଙ୍କ ଘର ଆଗରେ ବସିଥିଲୁ । ଏଠାରେ ଥିବା ଅଙ୍କାବଙ୍କା ଗଳି ଉପଗଳିରେ ବୁଲା କୁକୁରମାନେ ଅଳସ ମାରୁଥିବା ବେଳେ ଗୃହପାଳିତ କୁକୁଡ଼ାମାନେ ଭୁଇଁ ଖୁମ୍ପିବାରେ ବ୍ୟସ୍ତ ଥିଲେ ।
“ଶାନ୍ତିନିକେତନ... ଆମାର ନାତନୀର ନାମ [ଶାନ୍ତିନିକେତନ... ତାହା ମୋ ନାତୁଣୀର ନାଁ]”, ଦୁଲେଶ୍ଵରୀଙ୍କ ସ୍ଵର ଭାସିଉଠେ । ଏବଂ ଛୋଟ କରି କାଟିଦିଆ ଯାଇଥିବା ତାଙ୍କ ଧଳା କେଶରାଶି ଭିତରେ ସେ ହାତର ଆଙ୍ଗୁଳି ଚଲାଇ ଆଣିଲା ବେଳକୁ ତାଙ୍କ ମୁହଁରେ ଧାରେ ହସ ଫୁଟି ଉଠେ ।
“ଉକୁନ ହୋଏଛିଲୋ [ମୋର ଉକୁଣି ହେଇଥିଲା]”, ସେ ଆମକୁ କହନ୍ତି । “ସେଗୁଡ଼ିକୁ ବସିକି ଓ ଖୁଣ୍ଟି ବାହାର କରିବାକୁ କାହାର ସମୟ ଅଛି କହିଲ? ତେଣୁ ସେ ମୋ ଚୁଟି କାଟିଦେଲା”, ପୂର୍ବବତ ହସିହସି ପାଖରେ ବସିଥିବା ପ୍ରମିଳାକୁ ଦେଖେଇ କହନ୍ତି ଦୁଲେଶ୍ଵରୀ । “ସେ [ପ୍ରମିଳା] ପ୍ରତିଦିନ ମୋ ପାଇଁ କପେ ଚା’ କରିଦିଏ ଓ ମୋ ନଖ କାଟିଦିଏ”, ସ୍ନେହୀ ସ୍ଵରରେ ଯୋଗ କରି କହନ୍ତି ଦୁଲେଶ୍ଵରୀ ।








