ଲାତେହରା ଟୋଲାରେ ରାସ୍ତାର ଦୁଇ ପାର୍ଶ୍ୱରେ ଆଦିବାସୀମାନଙ୍କର ପ୍ରାୟ ଦୁଇ ଡଜନ୍ ଘର ରହିଛି । କେତେକ ଘର କଂକ୍ରିଟରେ ତିଆରି ହୋଇଥିବା ବେଳେ ଆଉ କେତେକ ମାଟି ଓ ନଡ଼ା ଛପରରେ ତିଆରି । ସେପ୍ଟେମ୍ବର ମାସର ଅପରାହ୍ଣର ସମୟ, ଏବେ ଏବେ ମେଘ ଛାଡ଼ିଥାଏ; ଆକାଶ ପ୍ରାୟ ସଫା ଦିଶୁଥାଏ । ରାସ୍ତା ପାର୍ଶ୍ୱରେ ଘରର ଛାଇରେ ବସି କିଛି ବୟସ୍କା ମହିଳା ଗପ ସପ ହୋଇ ସମୟ କାଟୁଥାନ୍ତି ।
ଫୁଲମଣିଙ୍କର ଅଣ୍ଟା ବଙ୍କା ହୋଇଗଲାଣି ଓ ମୁହଁର କୁଞ୍ଚନରେ ବୟସର ଛାପ ବେଶ୍ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି । ସେ ବାଡ଼ି ଧରି ଧୀରେ ଧୀରେ ମୋ ଆଡ଼କୁ ଚାଲି ଚାଲି ଆସିଲେ । ଫୁଲମଣି ଭାରତକୁ ଆସିଲା ବେଳେ ତାଙ୍କ ବୟସ ତିନି ବର୍ଷ ଥିଲା, ଭାରତ ସ୍ୱାଧୀନ ହେବା ସମୟର କଥା । ତାଙ୍କର ବୟସ 21 ହେବାଠାରୁ ଜାମୁଇ ଜିଲ୍ଲାର ଲାତେହରା ଟୋଲାର ଏହି ସାନ୍ତାଳ ଆଦିବାସୀ ସବୁବେଳେ ଭୋଟର ତାଲିକାରେ ରହି ଆସିଛନ୍ତି, ଗତ ମାସରେ ତାଙ୍କ ନାମ କଟା ହୋଇଥିବା ଜଣା ପଡ଼ିବା ପର୍ଯ୍ୟନ୍ତ । ବର୍ତ୍ତମାନ ୮୦ ଦଶକର ପ୍ରାରମ୍ଭ ବୟସରେ ଫୁଲମଣି ଚିନ୍ତାରେ ପଡ଼ିଛନ୍ତି ଯେ ତାଙ୍କର ବାକି ଜୀବନ କିପରି କଟିବ - ତାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଯଦି ସେ ଭୋଟ୍ ଦେଇପାରିବେ ନାହିଁ ତେବେ ସେ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ, ଯାହାକି ବୃଦ୍ଧାମାନଙ୍କ ପାଇଁ ଏକ ବଡ଼ ସାହାରା ହୋଇଥାଏ ।
ଡୁବରତାରି ଗ୍ରାମର କଅଁର ଆଦିବାସୀ ଟୋଲାରେ ଯୋଗ୍ୟ ଭୋଟର ତାଲିକାରୁ ବିଷ୍ଣୁଦେବ ହାଁସଦାଙ୍କର ନାମ ମଧ୍ୟ ବାଦ୍ ପଡ଼ିଛି । ରାଜୁ କିସକୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଫୁଲମଣିଙ୍କ ପରିବାରର ଅନ୍ୟ ପାଞ୍ଚ ଜଣ ସଦସ୍ୟଙ୍କ ନାମ ମଧ୍ୟ ତାଲିକାରୁ କାଟି ଦିଆଯାଇଛି । ସେମାନେ ସମସ୍ତେ ବୁଥ୍ ସଂଖ୍ୟା ୧୪, ଉତ୍କରାମିତ୍ ମଧ୍ୟ ବିଦ୍ୟାଳୟ, କ୍ଷୀରଭୋଜନା (ପୂର୍ବ) ଅଧୀନରେ ଆସୁଛନ୍ତି । ପଚାଶଟି ନାମ କାଟି ଦିଆଯାଇଛି । ଯାଞ୍ଚରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ହେଉଛନ୍ତି ଆଦିବାସୀ । ସଂଶୋଧନ ପରେ, ଚୂଡ଼ାନ୍ତ ତାଲିକାରେ ଏହି ବୁଥ୍ରେ ୬୬୧ ଜଣ ଭୋଟର ଙ୍କର ତାଲିକା ରହିଛି ।
ଜୁଲାଇ ମାସ, ୨୦୨୫ ମସିହାରେ ବିହାରରେ ସ୍ୱତନ୍ତ୍ର ତୀବ୍ର ସଂଶୋଧନ (ଏସଆଇଆର୍) ଆୟୋଜିତ ହୋଇଥିଲା ଏବଂ ଏଥିରେ ‘‘ମୃତ’’ ଏବଂ ‘‘ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ’’ ମୁଖ୍ୟ କାରଣ ଭାବରେ ଦର୍ଶାଇ ପ୍ରାୟ ୬୬ ଲକ୍ଷ ଭୋଟରଙ୍କ ନାମ କାଟି ଦିଆଯାଇଛି। ପଢ଼ନ୍ତୁ: ବିହାରରେ: ‘ବିହାରରେ ‘ମୃତ’ ଆଦିବାସୀମାନେ କହନ୍ତି ସେମାନଙ୍କ କଥା
ରାଜ୍ୟରେ ମୋଟ ଜନସଂଖ୍ୟାର ଦୁଇ ପ୍ରତିଶତରୁ କମ୍ ହେଉଛନ୍ତି ଆଦିବାସୀ କିନ୍ତୁ ସାମ୍ପ୍ରତିକ ନିର୍ବାଚନ ପୂର୍ବରୁ ଆୟୋଜି ଏସଆଇଆରରେ ବହୁମାତ୍ରାରେ ଭୋଟର ତାଲିକାରୁ ସେମାନଙ୍କର ନାମକୁ ବାଦ୍ ଦିଆଯାଇଥିଲା । ଏହି ଆଦିବାସୀମାନେ ସେମାନଙ୍କର ଘର ଚଳାଇବା ପାଇଁ ନିକଟବର୍ତ୍ତୀ ଜଙ୍ଗଲରୁ ଲଘୁଜାତ ଜଙ୍ଗଲ ଉତ୍ପାଦ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି । ସେମାନେ ଦିନସାରା ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରିଥାନ୍ତି ଏବଂ ସନ୍ଧ୍ୟାରେ ପାଖ ବଜାରରେ ବିକ୍ରି କରି ଦିନକୁ ପ୍ରାୟ ୧୫୦ ଟଙ୍କାରୁ ୨୦୦ ଟଙ୍କା ରୋଜଗାର କରିଥାନ୍ତି । ଏହା ବ୍ୟତୀତ ସେମାନେ ଚାଷ ଜମିରେ, ମନରେଗା ପ୍ରକଳ୍ପରେ ଏବଂ କେଉଁଠି କିଛି କାମ ମିଳିଲେ ଦିନ ମଜୁରିଆ ଭାବରେ କାମ କରନ୍ତି ।
















