କାଠୁରିଆ କୁରାଢ଼ୀକୁ ମୁଣ୍ଡ ଉପରକୁ ଉଠାଏ ଏବଂ -ଠକ୍‌ କରି - କାଠ ଉପରେ ଚୋଟ ପକାନ୍ତି। ଦଶ ଫୁଟ ଦୂରରେ, ମୁଁ ଭୟରେ ପଛକୁ ହଟିଯାଏ। ତା’ର ପିଠି ଉପରେ ବୋହି ଯାଉଥିବା ଝାଳବୁନ୍ଦାଗୁଡ଼ିକ ସେ ପିନ୍ଧିଥିବା ସୂତା ପ୍ୟାଣ୍ଟ ଉପରେ ତା’ ଅଣ୍ଟାରେ ଗୁଡ଼ା ହୋଇଥିବା ତଉଲିଆକୁ ଓଦା କରି ଦେଉଥାଏ। ଠକ୍‌! ସେ ପୁଣିଥରେ କୁରାଢ଼ି ଚୋଟ ପକାଏ। କାଠ ଫାଟିବା ସହିତ ଛୋଟ ଖଣ୍ଡ ଛିଟିକି ଦୂରରେ ପଡ଼ିଯାଏ। ଶିଳ୍ପକାରଙ୍କ ନାଁ ଏମ. କାମାଚୀ। ଅନେକ ଦିନ ପୂର୍ବରୁ ସେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେ ନିଜ ମୁଣ୍ଡ ନଉଠାଇ ମୋ ସହିତ କଥା ହୁଅନ୍ତି, କିନ୍ତୁ ତାଙ୍କ ଆଖି କୁରାଢ଼ି ଧାର ଉପରେ ଲାଖି ରହିଥାଏ।

ଗତ ୩୦ ବର୍ଷ ଧରି କାମାଚୀ ତଞ୍ଜାୱୁରର ଗୋଟିଏ ପୁରୁଣା ବଗିଚା - ଶିବଗଙ୍ଗଇ ପୁଙ୍ଗା ନିକଟରେ ତିଆରି ହୋଇଥିବା ଶେଡ୍‌ ତଳେ ନିଜର କର୍ମଶାଳା ଚଳାଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କ ବୟସ ୬୭ ବର୍ଷ ଏବଂ ପାଖାପାଖି ୧୫୦ ବର୍ଷ ପୁରୁଣା ଏହି ବଗିଚା ତାଙ୍କ ବୟସଠାରୁ ଦୁଇ ଗୁଣ ଅଧିକ ପୁରୁଣା। ନିକଟରେ ନିର୍ମିତ ବିଶାଳ ମନ୍ଦିର - ବୃହଦେଶ୍ୱର କୋଭିଲ୍‌ - ୧,୧୦୦ ବର୍ଷ ପୁରୁଣା। ଯେଉଁ ବାଦ୍ୟଯନ୍ତ୍ରକୁ ସେ ନିଜ ହାତରେ ଆକାର ଦେଉଛନ୍ତି, ସେ ବିଷୟରେ ଆହୁରି ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି। କାମାଚୀ ପଣସ କାଠର ଚାରି ଫୁଟ ଗଣ୍ଡିରେ ଏକ ବୀଣଇ ତିଆରି କରୁଛନ୍ତି ଯାହାକି ସାଧାରଣତଃ ବୀଣା ନାମରେ ପରିଚିତ ।

କାଠ ଗଣ୍ଡିକୁ ସ୍ଥରି ରଖିବା ଲାଗି ସେ ନିଜର ଡାହାଣ ଗୋଡ଼ରେ ପଞ୍ଝାକୁ ସେହି ଗଣ୍ଡିର ଖାଲ ଭିତରେ ପୂରାଇ ରଖିଛନ୍ତି ଯାହା ପ୍ରସ୍ତୁତ ହୋଇସାରିବା ପରେ ଦିନେ ଗୋଟିଏ ବୀଣଇ କୁଡମ (ପ୍ରତିଧ୍ୱନି ସୃଷ୍ଟି କରୁଥିବା ଭାଗ) ହେବ। ଏହି ଭାଗରେ ସ୍ୱର ଗୁଞ୍ଜରିତ ହୋଇ ଦୂର ସ୍ଥାନକୁ ବିସ୍ତାରିତ ହୋଇଥାଏ। ଛାଇ ଥିଲେ ସୁଦ୍ଧା ତାଙ୍କର କର୍ମଶାଳାରେ ଧୂଳି ଭର୍ତ୍ତି ହୋଇ ରହିଛି ଓ ଗରମ ଅନୁଭୂତ ହେଉଛି । କାମାଚୀଙ୍କ କାମ କଠିନ ଓ ପରିଶ୍ରମ ସାପେକ୍ଷ। ନିଜର ପରିଶ୍ରମ ବଦଳରେ ସେ ଦୈନିକ ପାଖାପାଖି ୬୦୦ ଟଙ୍କା ରୋଜଗାର କରିଥାନ୍ତି। ଏହା କାରିଗରୀର କାମ। କୁରାଢ଼ିର ପ୍ରତ୍ୟେକ ଚୋଟ ସହିତ ତାଙ୍କ ଗଳାରୁ କର୍କଶ ସ୍ୱର ବାହାରିଥାଏ। ମଝିରେ ମଝିରେ ସେ ଗୋଟିଏ ମୋଟା ତଉଲିଆ ସହାୟତାରେ ନିଜ ମୁହଁରୁ ବୋହୁଥିବା ଝାଳକୁ ପୋଛି ଚାଲିଛନ୍ତି।

କିଛି ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଛେଲିବା ପରେ ସେ ୩୦ କିଲୋଗ୍ରାମ ଭାରୀ ଗଣ୍ଡିର ଓଜନକୁ କମାଇ ପ୍ରାୟ ୨୦ କିଲୋଗ୍ରାମ କରି ଦିଅନ୍ତି ଏବଂ ଏବେ ତାହା ପଟ୍ଟରାଇ (କାର୍ଯ୍ୟଶାଳା)କୁ ପଠାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଏ, ଯେଉଁଠି କାରୀଗରମାନଙ୍କ ଦ୍ୱାରା ଏହାକୁ ଚିକ୍କଣ କରାଯିବା ସହିତ ପଲିସ୍‌ କରାଯିବ। ଗୋଟିଏ ମାସ ଧରି କାମ କରିବା ପରେ ବାଦ୍ୟଯନ୍ତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏବଂ ସଙ୍ଗୀତଜ୍ଞଙ୍କ କୋଳର ଶୋଭା ବଢ଼ାଇବ ଓ ଏଥିରୁ ଶ୍ରୁତିମଧୁର ସ୍ୱର ସୃଷ୍ଟି ହେବ।

Left: Logs of jackfruit wood roughly cut at the saw mill wait for their turn to become a veenai
PHOTO • Aparna Karthikeyan
Right: Using an axe, Kamachi splitting, sizing and roughly carving the timber
PHOTO • Aparna Karthikeyan

ବାମ : ସ’ ମିଲ୍‌ରେ କଟା ହୋଇ ରଖାଯାଇଥିବା କାଠ ଗଣ୍ଡି, ଯେଉଁଥିରେ ବୀଣା ତିଆରି ହେବ। ଡାହାଣ : କାମାଚୀ ଏକ କୁରାଢ଼ି ସହାୟତରେ ଗଣ୍ଡିକୁ ଛେଲି ତା’କୁ ଆକାର ଦେଉଛନ୍ତି

Left: Veenais are lined up in the workshop, waiting for the finishing touches .
PHOTO • Aparna Karthikeyan
Right: Different musical instruments made by Kuppusami Asari from jackfruit wood, including mridangam, tavil, kanjira and udukkai
PHOTO • Aparna Karthikeyan

ବାମ : କାର୍ଯ୍ୟଶାଳାରେ ଗୋଟିଏ ଧାଡ଼ିରେ ରଖାଯାଇଥିବା ବୀଣା, ଯାହାକୁ ଏବେ ଅନ୍ତିମ ରୂପ ଦିଆଯିବ। ଡାହାଣ : କୁପ୍ପୁସାମୀ ଆସାରୀଙ୍କ ଦ୍ୱାରା ପଣସ କାଠରେ ତିଆରି ହୋଇଥିବା ଭିନ୍ନ ଭିନ୍ନ ବାଦ୍ୟଯନ୍ତ୍ର, ଏଥିରେ ମୃଦଙ୍ଗ, ତୱିଲ, କଞ୍ଜିରା ଏବଂ ଉଡ଼ୁକ୍କଇ ସାମିଲ ରହିଛି

ତଞ୍ଜାୱୁରରେ ହିଁ ବୀଣଇ ର ଉତ୍ପତି ହୋଇଥିଲା। ସରସ୍ୱତୀ ବୀଣା ବା ତଞ୍ଜାୱୁର ବୀଣଇ ର ଏକ ପୁରୁଣା ସଂସ୍କରଣକୁ ଭାରତର ଜାତୀୟ ବାଦ୍ୟଯନ୍ତ୍ର ଭାବେ ମାନ୍ୟତା ମିଳିଛି । ମୃଦଙ୍ଗମ୍‌ ଏବଂ ବଂଶୀ ସହିତ ଏହା ହେଉଛି ତିନୋଟି ‘ ଦିବ୍ୟ ବାଦ୍ୟଯନ୍ତ୍ର’ , ମଧ୍ୟରୁ ଅନ୍ୟତମ ଯାହାକି ‘ବୈଦିକ କାଳ’ରୁ ପ୍ରଚଳିତ ହୋଇ ଆସିଛି।

ମୃଦଙ୍ଗମ, କଞ୍ଜିରା, ତୱିଲ୍, ଉଡୁକଇ ଆଦି ହାତ ପାପୁଲିରେ ଥାପି ବାଜୁଥିବା ବାଦ୍ୟଯନ୍ତ୍ର ଭଳି ବୀଣାର ଯାତ୍ରା ପନରୁଟୀର ବଗିଚାରୁ ଆରମ୍ଭ ହୋଇଥାଏ। ପନରୁଟୀ ହେଉଛି କଡ଼ଲୁର୍‌ର ଏକ ଛୋଟ ସହର, ଯାହାକି ନିଜର ମିଠା ଓ ମାଂସଳ ପଣସ ପାଇଁ ପ୍ରସିଦ୍ଧ। କିନ୍ତୁ ପଣସ ସହିତ ସମ୍ପର୍କ ଥିବା ଭାରତର ଏହି ପୁରୁଣା ଏବଂ ପ୍ରତିଷ୍ଠିତ ବାଦ୍ୟଯନ୍ତ୍ର ବିଷୟରେ ଅନେକ ଲୋକଙ୍କୁ ଜଣା ନାହିଁ।

*****

‘‘ମୋ କଥା ଶୁଣିବା ପରେ ସେ ଅଟକିବା ଲାଗି ସହମତ ହୋଇଗଲା,
ଠିକ୍‌ ସେହି ହାତୀ ଭଳି ଯାହାକୁ ଅଙ୍କୁଶ ଦ୍ୱାରା ନୁହେଁ,
କିନ୍ତୁ ୟାଳ ର ଧ୍ୱନିରେ ନିୟନ୍ତ୍ରିତ କରାଯାଇପାରିବ।’’

କଳିତକଇ ୨, ସଙ୍ଗମ କବିତା

ତଞ୍ଜୱୁର ବୀଣାକୁ ୨୦୧୩ରେ ଭୌଗଳିକ ସଙ୍କେତ ମିଳିଥିଲା। ଏଥିପାଇଁ ଆବେଦନ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ‘ ଷ୍ଟେଟମେଣ୍ଟ ଅଫ୍‌ କେସ୍‌ ’ରେ ଏହି ତାର ବାଦ୍ୟଯନ୍ତ୍ରର ଇତିହାସ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହା ସଙ୍ଗମ କାଳ (ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ) ପ୍ରଚଳିତ ହୋଇ ଆସୁଛି, ସେତେବେଳେ ପ୍ରଚଳିତ ବୀଣଇ ର ସଂସ୍କରଣକୁ ‘ୟାଳ’ କୁହାଯାଉଥିଲା।

ସେ ଆସିବ କି, ତୁମର ଚାରଣ ଯିଏକି ମୋତେ କହିଥିଲା
ଯେ ଯଦି ତୁମେ ଅନ୍ୟ କୌଣସି ମହିଳାଙ୍କ ପାଖକୁ ଯିବ, ତା’ହେଲେ ସେ ମୋ ପାଖରେ କିଛି ଲୁଚାଇବ ନାହିଁ
ଏବଂ ସେ ଅନେକ ଥର ନିଜର ୟାଳ ର ରାଣ ଖାଇଥିଲା,
ସେ ଆସିବ କି ଏବଂ ତୁମ ବେକରେ ସେହି ମହିଳାଙ୍କ ଚୁଡ଼ି ବାଜି ହୋଇଥିବା
ଦାଗକୁ ଦେଖିବ, ଯିଏକି ତୁମ ମିଛ କଥାରେ ଭରସା କରି
ତୁମ ସହିତ ରହିବା ପାଇଁ ରାଜି ହୋଇଗଲା।

କଳିତକଇ ୭୧, ସଙ୍ଗମ କବିତାରେ ସହବାସିନୀ ନାୟକଙ୍କ ପାଖରେ ଅଭିଯୋଗ କରିଛି

ଭୌଗଳିକ ସଙ୍କେତ ଦସ୍ତାବିଜରେ ପଣସ କାଠକୁ କଞ୍ଚାମାଲ୍‌ ଭାବେ ବର୍ଣ୍ଣନା କରାଯାଇଛି ଏବଂ ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ଚାରି ଫୁଟ ଲମ୍ବା ବୀଣଇ ‘‘ଏକ ବଡ଼, ଗୋଲାକାର, ମୋଟ, ଚଉଡ଼ା ବେକ ଥିବା ବାଦ୍ୟ ଯନ୍ତ୍ର ଏହାର ଅନ୍ତିମ ଭାଗରେ କାରୁକାର୍ଯ୍ୟ କରାଯାଇ ଏକ ଡ୍ରାଗନ ମୁଣ୍ଡ ଭଳି ଏହାକୁ ତିଆରି କରାଯାଇଥାଏ’’ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ନିଜ ବିବରଣୀ ତୁଳନାରେ ବୀଣଇ ବହୁତ ଅଧିକ ସୁନ୍ଦର ଦେଖାଯାଏ। ଏହାର ବିଭିନ୍ନ ସ୍ଥାନରେ କାରୁକାର୍ଯ୍ୟ କରାଯାଇଥାଏ। ଡ୍ରାଗନ ଭଳି ମୁଣ୍ଡ ଯାହାକୁ ୟାଳି ବୋଲି କୁହାଯାଏ, ଏହାର ଗଠନ ସୁନ୍ଦର ଓ ରଙ୍ଗୀନ ହୋଇଥାଏ। କାଠରେ ତିଆରି ହୋଇଥିବା ବେକରେ ୨୪ଟି ସ୍ଥିର ସମକୋଣୀ ଢାଞ୍ଚା ଲାଗିଥାଏ ଏବଂ ଚାରିଟି ସ୍ୱର ଉତ୍ପନ୍ନକାରୀ ତାର ସଂଯୋଗ ହୋଇଥାଏ, ଯାହାକି ରାଗ ସୃଷ୍ଟି କରିଥାଏ। ‘ସ୍ୱତନ୍ତ୍ର’ ବୀଣାରେ କୁଡ଼ମ (ପ୍ରତିଧ୍ୱନି ସୃଷ୍ଟି କରୁଥିବା ଭାଗ) ଡିଜାଇନ ଜଟିଳ ଓ ଭିନ୍ନ ହୋଇଥାଏ ଏବଂ ଏହାର ମୂଲ୍ୟ ସାଧାରଣ ବୀଣାଠାରୁ ଅତି କମ୍‌ରେ ଦୁଇ ଗୁଣ ଅଧିକ ହୋଇଥାଏ।

ମଣିଷ ହାତରେ ଏକ ବାଦ୍ୟଯନ୍ତ୍ରରେ ପରିବର୍ତ୍ତିତ ହେବାର ୩୦ରୁ ୫୦ ବର୍ଷ ପୂର୍ବରୁ ପଲାମରମ୍‌ (ପଣସ ଗଛ) ତାମିଲନାଡ଼ୁର କଡ଼ଲୁର ଜିଲ୍ଲାର ପନରୁଟୀ ପାଖ ଗାଁରେ ଉଠିଥାଏ। ଗୃହପାଳିତ ପ୍ରାଣୀଙ୍କ ଭଳି ଗଛ ମଧ୍ୟ ଏକ ନିବେଶ। ଗ୍ରାମୀଣ ଲୋକମାନେ ଏହାକୁ ଶେୟାର ବଜାର ଷ୍ଟକ୍‌ ଭଳି ଗ୍ରହଣ କରିଥାନ୍ତି, ଯାହାର ମୂଲ୍ୟ ଧୀରେ ଧୀରେ ବଢ଼ିଥାଏ ଏବଂ ଏହାକୁ କିଛି ବର୍ଷ ପରେ ବିକ୍ରି କରି ଯଥେଷ୍ଟ ରୋଜଗାର କରିହୁଏ। ପନରୁଟୀ ସହରରେ ପଣସ ବ୍ୟବସାୟୀ ଆର. ବିଜୟ କୁମାର (୪୦) କୁହନ୍ତି ଯେ ଯେତେବେଳେ ଗଣ୍ଡିର ଗୋଲେଇ ଆଠ ହାତ ହୋଇଯାଏ ଏବଂ ଗଛ ୭ରୁ ୯ ଫୁଟ ଉଚ୍ଚ ହୋଇଥାଏ, ସେତେବେଳେ ଏହାର ‘‘ କେବଳ କାଠ ଗଣ୍ଡି ’’ ଅତିକମ୍‌ରେ ୫୦,୦୦୦ ଟଙ୍କାରେ ବିକ୍ରି ହୋଇଥାଏ।

Left: Jackfruit growing on the trees in the groves near Panruti, in Cuddalore district.
PHOTO • Aparna Karthikeyan
Right: Finishing touches being made on the veenai in the passageway next to Narayanan’s workshop
PHOTO • Aparna Karthikeyan

ବାମ : କଡ଼ଲୁର ଜିଲ୍ଲାର ପନରୁଟୀ ନିକଟ ବଗିଚାରେ ପଣସ ଫଳିଛି। ଡାହାଣ : ନାରାୟଣନଙ୍କ କାର୍ଯ୍ୟାଶାଳା ନିକଟ ଗଳି ରାସ୍ତାରେ ତିଆରି ହୋଇସାରିଥିବା ବୀଣାକୁ ଅନ୍ତିମ ରୂପ ଦିଆଯାଉଛି

Left: Details on the finished veenai , including the yali (dragon head).
PHOTO • Aparna Karthikeyan & Roy Benadict Naveen
Right: Murugesan, a craftsman in Narayanan's workshop sanding down and finishing a veenai
PHOTO • Aparna Karthikeyan

ବାମ : ୟାଳି (ଡ୍ରାଗନ ମୁଣ୍ଡ) ସହିତ ତିଆରି ହୋଇସାରିଥିବା ବୀଣଇର ବିବରଣୀ। ଡାହାଣ : ନାରାୟଣଙ୍କ କାର୍ଯ୍ୟଶାଳାରେ ଜଣେ କାରିଗର ମୁରୁଗେସନ ତିଆରି ହୋଇସାରିଥିବା ବୀଣଇକୁ ବାଲି କାଗଜ ଘସୁଛନ୍ତି

ଚାଷୀମାନେ ଯଥାସମ୍ଭବ ଗଛ କାଟିନଥା’ନ୍ତି। ‘‘କିନ୍ତୁ ଚିକିତ୍ସା କିମ୍ବା ପରିବାରରେ କାହାର ବାହାଘର ପାଇଁ ଟଙ୍କା ଆବଶ୍ୟକ ହେଲେ ଆମେ କିଛି ବଡ଼ ଗଛ ବାଛିଥାଉ ଏବଂ କାଠ ପାଇଁ ସେଗୁଡ଼ିକୁ ବିକ୍ରି କରିଥାଉ,’’ ପଣସ ଚାଷୀ କେ. ପଟ୍ଟସାମୀ (୪୭) କୁହନ୍ତି । ‘‘ସେଥିରୁ କିଛି ଲକ୍ଷ ଟଙ୍କା ମିଳିଥାଏ। ଯେକୌଣସି ସମସ୍ୟାର ମୁକାବିଲା କରିବା କିମ୍ବା କଲ୍ୟାଣମ୍‌ (ବିବାହ) ଖର୍ଚ୍ଚ ତୁଲାଇବା ପାଇଁ ତାହା ଯଥେଷ୍ଟ ହୋଇଥାଏ….’’

କାଠ ଗଣ୍ଡିଗୁଡ଼ିକୁ ତଞ୍ଜାୱୁର ନେଇଯିବା ପୂର୍ବରୁ ସବୁଠୁ ଭଲ ଭାଗକୁ ମୃଦଙ୍ଗମ ତିଆରି କରିବା ପାଇଁ ରଖାଯାଇଥାଏ। ହାତ ପାପୁଲିରେ ପିଟି ମୃଦଙ୍ଗମ ବାଜିଥାଏ। ସୁପରିଚିତ ସଙ୍ଗୀତଜ୍ଞ, ଲେଖକ, ବକ୍ତା ତଥା ମାଗାସେସେ ପୁରସ୍କାର ବିଜେତା ଟି. ଏମ. କୃଷ୍ଣା ନିଜ ପୁସ୍ତକ ସେବାଷ୍ଟିଆନ ଏଣ୍ଡ ସନ୍ସ : ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍ ମୃଦଙ୍ଗମ* ମେକର୍ସ ରେ ଏହି ବାଦ୍ୟଯନ୍ତ୍ରକୁ ତିଆରି କରୁଥିବା ମୃଦଙ୍ଗମ କାରିଗରଙ୍କ ବିଷୟରେ ଲେଖିଛନ୍ତି।

କିନ୍ତୁ ପ୍ରଥମେ ଏହି ବାଦ୍ୟଯନ୍ତ୍ର ‘ମୃଦଙ୍ଗମ ୧୦୧’ ବିଷୟରେ ଆଲୋଚନା କରିବା ଯାହାର ନାଁ କୃଷ୍ଣା ଏପରି ଭାବେ ଦେଇଛନ୍ତି। ମୃଦଙ୍ଗମ ଦୁଇ ପଟୁ ବାଜୁଥିବା ଏକ ଗୋଲାକାର ଢୋଲ ଅଟେ, ଏବଂ କର୍ଣ୍ଣାଟିକ୍‌* ସଙ୍ଗୀତ ଓ ଭାରତ ନାଟ୍ୟମ୍‌ ପରିବେଷଣ ସମୟରେ ବାଦକମାନେ ଏହାକୁ ହାତ ପାପୁଲିରେ ପିଟି ବଜାନ୍ତି। ଏହାକୁ ପଣସ କାଠରେ ତିଆରି କରାଯାଏ ଯାହାକି ଏକ ଫମ୍ପା ଗୁଞ୍ଜରିତ ହେଉଥିବା ବାଦ୍ୟଯନ୍ତ୍ର ଅଟେ।’’ ଏହାର ଦୁଇ ଭାଗକୁ ତିନୋଟି ଲେଖାଏଁ ଆସ୍ତରଣରେ ବନ୍ଦ କରାଯାଇଥାଏ।

ପଣସ କାଠ ମୃଦଙ୍ଗମ ତିଆରି କରିବା ଲାଗି ସବୁଠୁ ‘‘ପବିତ୍ର ସାମଗ୍ରୀ’’ ଭାବେ ଗ୍ରହଣ କରାଯାଇଥାଏ। ‘‘ଯଦି ପଣସ ଗଛ ମନ୍ଦିର ନିକଟରେ ରହିଥିବ, ତା’ହେଲେ ଏହାର ପବିତ୍ରତା ଆହୁରି ବଢ଼ିଯାଇଥାଏ। ମନ୍ଦିର ଘଣ୍ଟି ଧ୍ୱନି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣ ଦ୍ୱାରା କାଠରେ ଦୈବିକ ଗୁଣ ସମାହିତ ହୋଇଥାଏ ଏବଂ ବାଦ୍ୟର ନାଦରେ ଅତୁଳନୀୟ ଦିବ୍ୟତା ବୃଦ୍ଧି ପାଇଥାଏ। ମଣି ଆୟାରଙ୍କ ଭଳି କଳାକାର ଏପରି ପବିତ୍ର କାଠକୁ ପାଇବା ଲାଗି ଯେକୌଣସି ସୀମା ପର୍ଯ୍ୟନ୍ତ ଚାଲିଯିବାକୁ ପ୍ରସ୍ତୁତ ରହିଥାନ୍ତି।

କୁପ୍ପୁସାମୀ ଆସାରୀ ଏହି ବାଦ୍ୟଯନ୍ତ୍ର ତିଆରି କରିବାରେ ତୃତୀୟ ପିଢ଼ିର କଳାକାର, କୃଷ୍ଣା କୁହନ୍ତି, ‘‘କୌଣସି ଗିର୍ଜା କିମ୍ବା ମନ୍ଦିର ଅଥବା କୌଣସି ରାସ୍ତା ପାର୍ଶ୍ୱରେ, ଯେଉଁଠି ଲୋକମାନେ ଯିବା ଆସିବା କରିଥା’ନ୍ତି କିମ୍ବା କଥାବାର୍ତ୍ତା ହୋଇଥାନ୍ତି କିମ୍ବା ଯେଉଁଠି ଘଣ୍ଟି ବାଜିଥାଏ, ସେଠାକାର ଗଛ ବାତାବରଣର ତରଙ୍ଗକୁ ନିଜ ଭିତରେ ସମାହିତ କରିନେଇଥାନ୍ତି’, ସେଥିପାଇଁ ଏଥିରୁ ଭଲ ଧ୍ୱନି ବାହାରିଥାଏ।’’

ତେବେ କୃଷ୍ଣା କୁହନ୍ତି ଯେ, ‘‘ଯେଉଁଠି ଗୋଟିଏ ପଟେ ମୃଦଙ୍ଗମ ବାଦକମାନେ ବିଶ୍ୱାସ କରନ୍ତି ଯେ ବୈଦିକ ମନ୍ତ୍ରୋଚାରଣ ଓ ମନ୍ଦିରର ଘଣ୍ଟି ଧ୍ୱନି ଦୈବିକ ପ୍ରଭାବ ରହିଥାଏ, ଅନ୍ୟପଟେ କାରୀଗରମାନେ ସାଧାରଣତଃ ନିଜ ସାର୍ବଜନୀନ ଆସ୍ଥା କାରଣରୁ ସକାରାତ୍ମକ ତରଙ୍ଗ ସନ୍ଧାନ କରିପାରିଥା’ନ୍ତି।’’

Kuppusami Asari in his workshop in Panruti town, standing next to the musical instruments made by him
PHOTO • Aparna Karthikeyan

କୁପ୍ପୁସାମୀ ଆସାରୀ ପନରୁଟୀ ସହରରେ ଥିବା ତାଙ୍କ କାର୍ଯ୍ୟାଶାଳାରେ ଯେଉଁଠି ତାଙ୍କ ପାଖରେ ତାଙ୍କ ଦ୍ୱାରା ନିର୍ମିତ ବାଦ୍ୟଯନ୍ତ୍ର ରଖାଯାଇଛି

ଏପ୍ରିଲ ୨୦୨୨ରେ ପଣସ ଚାଷୀ ଓ ବ୍ୟବସାୟୀଙ୍କୁ ଭେଟିବା ଲାଗି ମୁଁ ପନରୁଟୀ ସହରକୁ ଯାଇଥିଲି। ଅପରାହ୍ଣରେ ମୁଁ ବୁଲାବୁଲି କରିବା ସମୟରେ କୁପ୍ପୁସାମୀ ଆସାରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟଶାଳାରେ ପହଞ୍ଚିଲି। ସେଠାରେ ଏକ ସଙ୍ଗେ ଆଧୁନିକ (କୁନ୍ଦିବା ଯନ୍ତ୍ର ଓ ମେସିନ) ଏବଂ ପାରମ୍ପରିକ (ପୁରୁଣା ଉପକରଣ ଓ ଦେବାଦେବୀଙ୍କ ଫଟୋ ସହିତ) ଦୃଶ୍ୟ ଦେଖିବାକୁ ମିଳିଥାଏ ଠିକ୍‌ ମୃଦଙ୍ଗମ ତିଆରି ସମୟରେ ଯେପରି କୁପ୍ପୁସାମୀଙ୍କ ମନୋଭାବ ଯେମିତି ଥାଏ।

‘‘ଯାହା ପଚାରିବାକୁ ଚାହୁଁଛନ୍ତି ପଚାରନ୍ତୁ,’’କୁପ୍ପୁସାମୀ କୁହନ୍ତି। ସେ ବ୍ୟସ୍ତ ଅଛନ୍ତି; ସେ ଜଣେ ବ୍ୟସ୍ତବହୁଳ ବ୍ୟକ୍ତି। ‘‘ଆପଣ କ’ଣ ଜାଣିବାକୁ ଚାହୁଁଛନ୍ତି?’’ ପଣସ କାଠ କାହିଁକି, ମୁଁ ପଚାରେ। ‘‘କାରଣ ପଲାମରମ୍‌ର କାଠ ଏଥିପାଇଁ ସବୁଠୁ ଉପଯୁକ୍ତ,’’ ସେ କୁହନ୍ତି। ‘‘ଏହା ହାଲୁକା ହୋଇଥାଏ ଏବଂ ଏଥିରୁ ବାହାରୁଥିବା ନାଦମ୍‌ (ନାଦ) ବହୁତ ଭଲ ହୋଇଥାଏ। ଏଠାରେ ଆମେ ବାଜା ଭଳି ବଜା ହେଉଥିବା ସମସ୍ତ ବାଦ୍ୟଯନ୍ତ୍ର ତିଆରି କରିଥାଉ। ବୀଣଇ କୁ ଛାଡ଼ି ସବୁ କିଛି।’’ କୁପ୍ପୁସାମୀ ଜଣେ ପ୍ରତିଷ୍ଠିତ କାରୀଗର। ‘‘ଆପଣ ଆମ ବିଷୟରେ ଟି. ଏମ. କୃଷ୍ଣାଙ୍କ ପୁସ୍ତକରେ ମଧ୍ୟ ପଢ଼ିପାରିବେ,’’ ସେ ଗର୍ବର ସହିତ କହିଥାନ୍ତି। ‘‘ସେଥିରେ କୁନ୍ଦିବା ଯନ୍ତ୍ରରେ କାମ କରୁଥିବା ମୋର ଏକ ଫଟୋ ରହିଛି।’’

ଚେନ୍ନାଇ ସହର ଉପକଣ୍ଠ ମାଧୱରମ୍‌ରୁ କୁପ୍ପୁସାମୀ ପ୍ରଶିକ୍ଷଣ ହାସଲ କରିଥିଲେ ଏବଂ ତାଙ୍କର ‘‘ପ୍ରାୟ ୫୦ ବର୍ଷର ଅଭିଜ୍ଞତା ଅଛି।’’ ସେ ଅଧିକ ପାଠ ପଢ଼ିନାହାନ୍ତି, ମାତ୍ର ୧୦ ବର୍ଷ ବୟସରୁ କାଠ କାମ କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି। ‘‘ସବୁ କାମ ହାତରେ କରାଯାଇଥାଏ। ମୋ ବାପା ପଲାମରମ୍‌ ରେ କାମ କରୁଥିଲେ, ଏବଂ ୱଣ୍ଡିସକ୍କରମ୍‌ (ଗାଡ଼ି ଚକ) ଉପରେ ଚଢ଼ାଇ ତା’କୁ ଭିତର ପଟୁ ଫମ୍ପା କରୁଥିଲେ। ଦୁଇ ଜଣ ଲୋକ ମିଶି ଚକକୁ ଘୂରାଉଥିଲେ ଏବଂ ଅପ୍ପା ତାହାକୁ ଭିତର ପଟୁ କୋରୁଥିଲେ।’’ କିନ୍ତୁ ତାଙ୍କ ପରିବାର ଖୁବଶୀଘ୍ର ନୂଆ ଜ୍ଞାନକୌଶଳକୁ ଆପଣାଇ ନେଲା। ‘‘ଆମେ ସମୟ ସହିତ ବଦଳିଗଲୁ।’’

ସାଧାରଣତଃ ଅନ୍ୟ କାରୀଗରଙ୍କ ତୁଳନାରେ ସେ ଆଧୁନିକ ଯନ୍ତ୍ରକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଥାନ୍ତି । ‘‘ଦେଖନ୍ତୁ, ପୂର୍ବରୁ ମୃଦଙ୍ଗମର ପେଟ ଭାଗକୁ ଫମ୍ପା କରିବାରେ ଆପଣଙ୍କର ପୂରା ଦିନ ସରି ଯାଉଥିଲା। ଏବେ କୁନ୍ଦିବା ଯନ୍ତ୍ର ସହାୟତାରେ ଏହା କେବଳ ଶୀଘ୍ର ହେଉନାହିଁ, ବରଂ ଅଧିକ ଭଲ ଭାବେ ମଧ୍ୟ ହେଉଛି । କାମ ମଧ୍ୟ ଭଲ ଚିକ୍କଣ ହେଉଛି।’’ ପନରୁଟୀରେ କୁନ୍ଦିବା ମେସିନ ଉପଯୋଗ କରିବା ବ୍ୟାପାରରେ ସେ ଅଗ୍ରଣୀ କାରୀଗର ଅଟନ୍ତି ଏବଂ ସେ ୨୫ ବର୍ଷ ପୂର୍ବରୁ ନିଜ କାର୍ଯ୍ୟଶାଳାରେ ମେସିନ ଲଗାଇଥିଲେ। ତାଙ୍କୁ ଦେଖି ଅନ୍ୟ ଲୋକମାନେ ଏହାକୁ ଅନ୍ୟ ସହରରେ ପ୍ରୟୋଗ କଲେ ।

‘‘ଆହୁରି,’’ ସେ କୁହନ୍ତି । ‘‘ମୁଁ ଚାରି ପାଞ୍ଚ ଜଣ ଅନ୍ୟ କାରୀଗରଙ୍କୁ ମଧ୍ୟ ବାଜା ଶ୍ରେଣୀର ବାଦ୍ୟଯନ୍ତ୍ର ତିଆରି ଶିଖାଇଛି। ସେମାନେ ଭଲ ଭାବେ କାମ ଶିଖିଯିବା ପରେ, ସେମାନେ ନିଜର ଦୋକାନ ଖୋଲିଛନ୍ତି ଏବଂ ଏବେ ଚେନ୍ନାଇର ମୟିଲାପୁରର ସେହି ଖୁଚୁରା ବ୍ୟବସାୟୀଙ୍କ ସହ କାରବାର କରୁଛନ୍ତି ଯାହାଙ୍କୁ ମୁଁ ସପ୍ଲାଇ କରିଥାଏ। ସେମାନେ ମୋର ସହାୟକ ରୂପରେ ନିଜର ପରିଚୟ ଦେଇଥାନ୍ତି। ଏହା ଶୁଣିବା ପରେ ସେହି ଦୋକାନ ମାଲିକ ମୋତେ ଫୋନ୍‌ କରି ପଚାରନ୍ତି : ‘ଆପଣ କେତେ ଜଣ ଲୋକଙ୍କୁ ଶିଖାଇଛନ୍ତି’?’’ ମୋତେ ଏହି କାହାଣୀ ଶୁଣାଇବା ପରେ କୁପ୍ପୁସ୍ୱାମୀ ହସି ଉଠନ୍ତି।

ତାଙ୍କ ପୁଅ ସବରୀନାତନ ଇଞ୍ଜିନିୟରିଂ ପଢ଼ିଛନ୍ତି। ‘‘ମାପଚୁପ କରିବା ଓ ବାଦ୍ୟଯନ୍ତ୍ର ତିଆରି ଶିଖିବା ପାଇଁ ମୁଁ ତା’କୁ କହିଲି। ସେ କୌଣସି ସ୍ଥାନରେ ଚାକିରି କଲେ ସୁଦ୍ଧା, ଏହି ଶ୍ରମିକଙ୍କୁ ରଖି କାମ ଜାରି ରଖିପାରିବା କି ନୁହେଁ?’’

Lathe machines make Kuppusami’s job a little bit easier and quicker
PHOTO • Aparna Karthikeyan

କୁନ୍ଦିବା ଯନ୍ତ୍ର କୁପ୍ପୁସାମୀଙ୍କ କାମକୁ ଆହୁରି ସହଜ ଓ ଶୀଘ୍ର କରିଛି

*****

‘‘ଆସାରୀ ମୂଳତଃ ବିଶ୍ୱକର୍ମା ସମ୍ପ୍ରଦାୟର ସଦସ୍ୟ। ସେ ପଦାର୍ଥ କଳା ସହ ଜଡ଼ିତ କାରୀଗର, ଯେଉଁମାନେ ଧାତୁ, ପଥର ଓ କାଠରେ ବିଭିନ୍ନ କାରିଗରୀ କରିଥାନ୍ତି। ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ଏବେ ନିଜ ସୃଜନଶୀଳ ପ୍ରୟାସକୁ ଛାଡ଼ି ନିଜ ପେସା ସହ ମେଳ ଖାଉଥିବା ଏବଂ ଜାତି ଆଧାରିତ ମଜୁରି କାମକୁ ଆପଣେଇ ନେଇଛନ୍ତି ଏବଂ ନୂଆ ପିଢ଼ିର ଯୁବବର୍ଗ ସାମାଜିକ ରୂପରେ କୌଣସି ସମ୍ମାନଜନକ ବୃତ୍ତିକୁ ଗ୍ରହଣ କରୁଛନ୍ତି,’’ ଟି.ଏମ. କ୍ରିଷ୍ଣା ନିଜ ପୁସ୍ତକ ସେବାଷ୍ଟିଆନ୍‌ ଆଣ୍ଡ ସନ୍ସରେ ଲେଖିଛନ୍ତି।

‘‘ଆମେ ଯେତେବେଳେ ଆନୁବଂଶିକ, ଜାତି ଆଧାରିତ ପେସା ବିଷୟରେ ଆଲୋଚନା କରୁଛୁ, ଜ୍ଞାନ ସୃଷ୍ଟିରେ ଏହାକୁ ଆନ୍ତଃପିଢ଼ି ନିରନ୍ତରତା ଭାବେ ଏହାକୁ ଅତିରଞ୍ଜିତ କରି କହିବା ପ୍ରତି ଆମେ ସତର୍କ ରହିବା ଉଚିତ୍‌, କାରଣ ଆମ ସାମାଜିକ ଢାଞ୍ଚାରେ ସବୁ ଲୋକ ଓ ପେସା ସମାନ ନୁହେଁ,’’ କୃଷ୍ଣା ଆଲୋକପାତ କରି କୁହନ୍ତି । ‘‘ଜାତିଗତ ବିଶେଷାଧିକାର ଥିବା ପରିବାରରେ ହସ୍ତାନ୍ତରିତ କରାଯାଇଥିବା କାମକୁ ଜ୍ଞାନ ଭାବେ ବିବେଚନା କରାଯାଏ ଏବଂ ଏପରି ଜାତି-ସୀମିତ ଭାଗିଦାରୀକୁ ସଂରକ୍ଷଣ ବୋଲି ଗ୍ରହଣ କରାଯାଏ। ଏହି ଅଭ୍ୟାସରେ ଲୋକଙ୍କୁ କେବେ ଶୋଷଣ କରାଯାଇନାହିଁ। ହେଲେ ଶୋଷିତ ଓ ବଞ୍ଚିତ ସମ୍ପ୍ରଦାୟର ଲୋକମାନେ ଅନେକ ପିଢ଼ି ଧରି କରି ଆସୁଥିବା କାମକୁ ଜ୍ଞାନ ବୋଲି ଗ୍ରହଣ କରାଯାଏ ନାହିଁ ଏବଂ ଏହି ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ଜ୍ଞାନ ନିର୍ମାଣକାରୀ ବୋଲି ବିବେଚନା କରାଯାଏ ନାହିଁ। ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଏ, ସେମାନଙ୍କୁ କୌଣସି ମୂଲ୍ୟ ଦିଆଯାଏ ନାହିଁ  ଏବଂ ସେମାନଙ୍କ କାମକୁ କେବଳ ଶାରୀରିକ ଶ୍ରମର ଶ୍ରେଣୀରେ ରଖାଯାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଲୋକମାନେ ଏହି କାମ କରନ୍ତି ସେମାନଙ୍କୁ ଜାତିଗତ ଶୋଷଣ ଏବଂ ହିଂସାର ସାମ୍ନା କରିବାକୁ ପଡ଼ିଥାଏ। ଅନେକ ମାମଲାରେ ସାମାଜିକ ପରିସ୍ଥିତି କାରଣରୁ ଲୋକମାନେ ବିକଳ୍ପହୀନ ହୋଇଯାଆନ୍ତି ଏବଂ ବାଧ୍ୟ ହୋଇ ପାରିବାରିକ ଜାତି-ଆଧାରିତ ବୃତ୍ତିକୁ ଗ୍ରହଣ କରି ନେଇଥାନ୍ତି।’’

‘‘ଏ ଦେଶରେ ଯଦି କେବେ ବାଦ୍ୟଯନ୍ତ୍ର ନିର୍ମାତାଙ୍କ ବିଷୟରେ ଆଲୋଚନା କରାଯାଏ ତାହା କେବଳ ବୈଷୟିକ ଶବ୍ଦାବଳୀ ଜରିଆରେ ହୋଇଥାଏ,’’ କୃଷ୍ଣା କୁହନ୍ତି । ‘‘ସେମାନଙ୍କୁ କେବଳ ନିର୍ମାଣସ୍ଥଳୀରେ କାମ କରୁଥିବା ଜଣେ ମାଏସ୍ତ୍ରୀ (ମିସ୍ତ୍ରୀ) ଭାବେ ବିବେଚନା କରାଯାଏ। ବାଦ୍ୟଯନ୍ତ୍ର ବଜାଉଥିବା ଲୋକକୁ ମୁଖ୍ୟ ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି। ଶ୍ରେୟ ଦେବାରେ କୁଣ୍ଠା ଏବଂ ଅନାଗ୍ରହ ପଛରେ ଥିବା ମୁଖ୍ୟ କାରଣ ହେଉଛି ଜାତି।’’

କୁପ୍ପୁସାମୀ କୁହନ୍ତି, ମୃଦଙ୍ଗମ ତିଆରି ପୁରୁଷ ପ୍ରାଧାନ୍ୟ କାର୍ଯ୍ୟ। ‘‘ଏହି କାମରେ ହାତ ଗଣତି ମହିଳା ସମ୍ପୃକ୍ତ ଥାଆନ୍ତି, ଯେଉଁମାନେ ମୁଖ୍ୟତଃ ଚମଡ଼ା କାମ କରନ୍ତି। କିନ୍ତୁ ସବୁତକ କାଠ କାମ କେବଳ ପୁରୁଷମାନେ ହିଁ କରନ୍ତି। ପଣସ ଫଳିବା ବନ୍ଦ ହୋଇଯାଇଥିବା ଗଛରୁ କାଠ ଅଣାଯାଏ। ‘‘ପୁରୁଣା ଏବଂ ଫଳହୀନ ହୋଇଯାଇଥିବା ଗଛକୁ ସେମାନେ ‘‘ବନ୍ଦ’’ କରି ଦେଇଥାନ୍ତି,’’ କୁପ୍ପୁସାମୀ କୁହନ୍ତି। ‘‘ଆଉ ୧୦ଟି ଗଛ କାଟିଲେ ସେମାନେ ୩୦ଟି ଲଗାନ୍ତି।’’

କୁପ୍ପୁସାମୀ ନିର୍ଦ୍ଦିଷ୍ଟ ବିଶେଷତ୍ୱ ରହିଥିବା କାଠ ବ୍ୟବହାର କରନ୍ତି। ପ୍ରାୟ ୯କିମ୍ବା ୧୦ଫୁଟ ଲମ୍ବା, ଚଉଡ଼ା ଓ ଟାଣ ଏବଂ ରାସ୍ତା କଡ଼ରେ କିମ୍ବା ବାଡ଼ ନିକଟରେ ଉଠିଥିବା ଗଛକୁ ସେ ପସନ୍ଦ କରିଥାନ୍ତି । ଅପେକ୍ଷାକୃତ ଗାଢ଼ ରଙ୍ଗର ନିମ୍ନ ଭାଗ ରହିଥିବା ଗଛ ଅଧିକ ଭଲ ହୋଇଥାଏ। ଏଥିରୁ ଭଲ ପ୍ରତିଧ୍ୱନି ସୃଷ୍ଟି ହୋଇଥାଏ।

ଗୋଟିଏ ଦିନରେ ସେ ଛଅଟି ମୃଦଙ୍ଗମ୍‌କୁ କାଟି ଆକାର ଦେଇପାରନ୍ତି। କିନ୍ତୁ ଅନ୍ତିମ ରୂପ ଦେବା ପାଇଁ ଆହୁରି ଦୁଇ ଦିନ ଲାଗିପାରେ। ତାଙ୍କର ଏହି କାମରୁ ବହୁତ କମ୍‌ ରୋଜଗାର ହୋଇଥାଏ। ଯଦି ଗୋଟିଏ ମୃଦଙ୍ଗ ତିଆରିରେ ତାଙ୍କର ୧,୦୦୦ ଟଙ୍କା ରୋଜଗାର ହେଲା, ତା’ହେଲେ ଏହା ତାଙ୍କ ପାଇଁ ସନ୍ତୋଷଜନକ ହୋଇଥାଏ ବୋଲି ସେ କୁହନ୍ତି। ତାଙ୍କୁ ‘‘ଏହି କାମ ପାଇଁ ମଜୁରିଆଙ୍କୁ ୧,୦୦୦ ଟଙ୍କା ଦେବାକୁ ହୋଇଥାଏ। ଏହା କେତେ କଷ୍ଟକର କାମ ଆପଣ ଜାଣିନାହାନ୍ତି, ନଚେତ୍‌ ସେମାନେ କାମକୁ ଆସିବେ ନାହିଁ।’’

ବର୍ଷ ସାରା କାଠ ମିଳେ ନାହିଁ। ଫଳ ଫଳିବା ସମୟରେ କେହି ଗଛ କାଟିବେ ନାହିଁ ବୋଲି ସେ କହିଥାନ୍ତି। ତେଣୁ ‘‘ମୋତେ ଆଗୁଆ କାଠ ଆଣି ଗଚ୍ଛିତ ରଖିବାକୁ ପଡ଼ିଥାଏ,’’ ସେ କୁହନ୍ତି। ୨୦ଟି କାଠଗଣ୍ଡି କିଣିବା ପାଇଁ ସେ ୨୫,୦୦୦ ଟଙ୍କା ଲେଖାଏଁ ମିଶାଇ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଆଉ ଏହି ସ୍ଥାନରେ ସେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥାନ୍ତି। ‘‘ଯଦି ସେମାନେ ଆମକୁ କାଠ କିଣିବା ପାଇଁ ସବସିଡି କିମ୍ବା ଋଣ ଦିଅନ୍ତେ…. ତାହା କେତେ ଭଲ ହୁଅନ୍ତା!’’

ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ମୃଦଙ୍ଗମ ପାଇଁ ବିଶେଷ ଚାହିଦା ରହିଛି ବୋଲି କୁପ୍ପୁସାମୀ କୁହନ୍ତି। ‘‘ଗୋଟିଏ ମାସରେ ମୁଁ ୫୦ଟି ମୃଦଙ୍ଗମ ଏବଂ ୨୫ଟି ତୱିଲ୍‌ ବିକ୍ରି କରିଥାଏ।’’ ଭଲ କାଠ ପାଇବା ଏବଂ ଚାରି ମାସ ଧରି ଏହାକୁ ପ୍ରସ୍ତୁତ କରି ରଖିବାରେ ସମସ୍ୟା ରହିଥାଏ। କୁପ୍ପୁସାମୀ କୁହନ୍ତି, ‘‘ପନରୁଟୀ ପଣସ କାଠ ସବୁଠୁ ଭଲ ହୋଇଥାଏ, ଯାହାର ସବୁଠୁ ଅଧିକ ଚାହିଦା ରହିଥାଏ।’’ ଏହାର ଶ୍ରେୟ ସେ ସେହି ଅଞ୍ଚଳର ଲାଲ ମାଟିର ଗୁଣବତ୍ତାକୁ ଦେଇଥା’ନ୍ତି।

Left: Kuppusami Asari in the workshop.
PHOTO • Aparna Karthikeyan
Right: The different tools used to make the instruments
PHOTO • Aparna Karthikeyan

ବାମ : କୁପ୍ପୁସାମୀ ଆସାରୀ ନିଜର କର୍ମଶାଳାରେ ଅଛନ୍ତି। ଡାହାଣ : ବାଦ୍ୟଯନ୍ତ୍ର ତିଆରିରେ ବ୍ୟବହୃତ ବିଭିନ୍ନ ଉପକରଣ

କାଠ ଆଣିବା ପାଇଁ କୁପ୍ପୁସାମୀଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କା ନିବେଶ କରିବାକୁ ହୋଇଥାଏ। ‘‘ଗୋଟିଏ ଦଶ ଫୁଟ ଲମ୍ବା କାଠ ଗଣ୍ଡିର ଦାମ୍‌ ୨୫,୦୦୦ ଟଙ୍କା ହୋଇଥାଏ, ଏଥିରୁ ଆପଣ ତିନୋଟି ଭଲ ମୃଦଙ୍ଗମ କାଟିପାରିବେ। କଟାଯାଇଥିବା ସବୁ କାଠାରୁ ସଂଗୀତ ଉତ୍ପନ୍ନ ହୁଏ ନାହିଁ। ସେଥିରେ କୁପ୍ପୁସାମୀ ଅତିବେଶୀରେ ଛୋଟ ଉଡ଼ୁକଇ (ହାତରେ ଧରି ବଜା ହେଉଥିବା ବାଜା) ତିଆରି କରିପାରିବେ।

ଗୋଟିଏ ଭଲ ‘‘ କଟ୍ଟଇ ’’ର ମୂଲ୍ୟ ‘‘ ଏଟ୍ଟୁରୁବା ’’ ହୋଇଥାଏ,’’ କୁପ୍ପୁସାମୀ କୁହନ୍ତି । ‘‘ କଟ୍ଟଇ ’’ (କାଠ ବା ଗଣ୍ଡି) ଶବ୍ଦକୁ ସେ ମୃଦଙ୍ଗମର ଖୋଳପା ତିଆରି ହେଉଥିବା କାଠର ଭାଗ ପାଇଁ ବ୍ୟବହାର କରିଥା’ନ୍ତି। ଆକ୍ଷରିକ ଭାବେ ‘‘ ଏଟ୍ଟୁରୁବା ’’ର ଅର୍ଥ ହେଉଛି ଆଠ ଟଙ୍କା-ଅର୍ଥାତ୍‌ ୮,୦୦୦। ସେ କୁହନ୍ତି, ଏହା ‘‘ଓଣାମ ନମ୍ବର’’ (ପ୍ରଥମ ଗୁଣବତ୍ତା) ହୋଇଥାଏ ଏବଂ ଗ୍ରାହକ ଏହାକୁ କେବେ ଫେରାଇନଥା’ନ୍ତି। ଅନ୍ୟଥା, ଯଦି କାଠ ଫାଟି ଯିବ, ଯଦି ନାଦମ (ଧ୍ୱନି) ଭଲ ନହେବ ତା’ହେଲେ ଗ୍ରାହକ ଏହାକୁ ନିଶ୍ଚିତ ଭାବେ ଫେରାଇ ଦିଅନ୍ତି!’’

ସାଧାରଣତଃ ମୃଦଙ୍ଗମ୍‌ ୨୨ କିମ୍ବା ୨୪ ଇଞ୍ଚ ଲମ୍ବା ହୋଇଥାଏ। ସାଧାରଣତଃ ମାଇକ୍ରୋଫୋନ୍ ସହିତ ଏସବୁ ବାଦ୍ୟଯନ୍ତ୍ର ବଜାଯାଏ। ‘‘ କୁତୁ (ମଞ୍ଚ) ପାଇଁ, ଯେଉଁଠି ଏହାକୁ ବିନା ମାଇକରେ ବଜାହୁଏ, ମୃଦଙ୍ଗମର ଆକାର ୨୮ ଇଞ୍ଚ ଲମ୍ବା ହୋଇଥାଏ। ଆହୁରି ଏହାର ଗୋଟିଏ ପଟ ସରୁ ଏବଂ ଅନ୍ୟ ପଟ ଅଧିକ ଚଉଡ଼ା ହୋଇଥାଏ। ଏହାକୁ ପିଟିବାର ସ୍ୱର ଦୂରଦୂରାନ୍ତ ଅଞ୍ଚଳକୁ ଶୁଭିଥାଏ, କାରଣ ସ୍ୱର ଗତି ଖୁବ୍‌ ଦ୍ରୁତ ହୋଇଥାଏ।’’

କୁପ୍ପୁସାମୀ ଚେନ୍ନାଇର ଏକ ସଙ୍ଗୀତ କମ୍ପାନୀକୁ କାଠ ଖୋଳପା ବିକ୍ରି କରିଥା’ନ୍ତି। ପ୍ରତି ମାସରେ ତାଙ୍କର ଅର୍ଡର ସଂଖ୍ୟା ଆନୁମାନିକ ୨୦ରୁ ୩୦ ମାସ ମଧ୍ୟରେ ହୋଇଥାଏ। ଯେତେବେଳେ କାଠର ଢାଞ୍ଚା ସେମାନଙ୍କ ପାଖରେ ପହଞ୍ଚେ ସେମାନେ ଚମଡ଼ା କାମ କରୁଥିବା ଲୋକଙ୍କୁ ଦିଅନ୍ତି, ଯାହାଫଳରେ ମୃଦଙ୍ଗମକୁ ଅନ୍ତିମ ରୂପ ଦିଆଯାଇଥାଏ। ଏହି ପ୍ରକ୍ରିୟାରେ ୪,୫୦୦ ଟଙ୍କା ଅତିରିକ୍ତ ଲାଗିଥାଏ। ‘‘ଏହାପରେ ଏଗୁଡ଼ିକୁ ଚେନ୍‌ ଲାଗିଥିବା ଏକ ବ୍ୟାଗରେ ରଖାଯାଏ,’’ କୁପ୍ପୁସାମୀ କୁହନ୍ତି। ମୃଦଙ୍ଗମ ଉପରେ କାଳ୍ପନିକ ଚେନ୍‌ ଖୋଲିବାର ଭଙ୍ଗି ସେ ନିଜ ହାତରେ ଦେଖାଇଥା’ନ୍ତି।

ଭଲ ମାନର ମୃଦଙ୍ଗମ ମୂଲ୍ୟ ପ୍ରାୟ ୧୫,୦୦୦ ଟଙ୍କା ହୋଇଥାଏ। ଅତୀତରେ ଏଗୁଡ଼ିକ ମାତ୍ର ୫୦ରୁ ୭୫ ଟଙ୍କାରେ ବିକ୍ରି ହେଉଥିଲା ବୋଲି କୁପ୍ପୁସାମୀ ମନେ ପକାଇ କୁହନ୍ତି। ‘‘ମୋ ବାପା ମୋତେ ମୟଲାପୁର ନେଇ ଯାଉଥିଲେ। ଆମେ ସେଠାରେ ଗୁରୁମାନଙ୍କୁ ମୃଦଙ୍ଗମ ଯୋଗାଇ ଦେଉଥିଲୁ। ସେମାନେ ଆମେ ଖଡ଼ଖଡ଼ିଆ ନଗଦ ଟଙ୍କା ଦେଉଥିଲେ! ମୁଁ ସେତେବେଳେ ଛୋଟ ପିଲା ଥିଲି,’’ ସେ ସ୍ମିତ ହସି କୁହନ୍ତି।

କାରଇକୁଡ଼ି ମଣି, ଉମୟାଲପୁରମ୍‌ ଶିବରାମନ୍‌ଙ୍କ ଭଳି କର୍ନାଟିକ ସଂଗୀତର ମହାନ ବାଦକମାନେ କୁପ୍ପୁସାମୀଙ୍କଠାରୁ ନିଜର ବାଦ୍ୟଯନ୍ତ୍ର କିଣିଛନ୍ତି। ‘‘ଏଠାକୁ ଅନେକ ବିଦ୍ୱାନ ଆସିଛନ୍ତି ଏବଂ ସେମାନେ ନିଜ ବାଦ୍ୟଯନ୍ତ୍ର କିଣିଛନ୍ତି।’’ ଏକଥା କହିବା ସମୟରେ ତାଙ୍କ ସ୍ୱରରେ ଏକ ଗୌରବର ଝଲକ ଅନୁଭୂତ ହୋଇଥାଏ। ‘‘ଏହା ଏକ ଲୋକପ୍ରିୟ ଦୋକାନ, ପାରମ୍ପରିକ ଦୋକାନ …’’

Kuppusami’s workshop stacked with blades, saw, spanners, lumber and machinery
PHOTO • Aparna Karthikeyan
Kuppusami’s workshop stacked with blades, saw, spanners, lumber and machinery
PHOTO • Aparna Karthikeyan

ବ୍ଲେଡ୍‌, ଆରୀ, ସ୍ପାନର, କାଠର କୁନ୍ଦ ଏବଂ ଅନ୍ୟାନ୍ୟ ସରଞ୍ଜାମରେ ଭର୍ତ୍ତି କୁପ୍ପୁସାମୀଙ୍କ କାର୍ଯ୍ୟଶାଳା

କୁପ୍ପୁସାମୀ ଆମକୁ ହାତ ପାପୁଲିରେ ବଜା ହେଉଥିବା ବାଦ୍ୟଯନ୍ତ୍ରର ଜଡ଼ିତ ଅନେକ କଥା ଶୁଣାଇଥା’ନ୍ତି। ତାଙ୍କ କାହାଣୀରେ ପ୍ରାଚୀନ ଏବଂ ଆଧୁନିକ ସମୟରେ ଚମତ୍କାର ଅନ୍ତର୍ବିରୋଧ ଦେଖିବାକୁ ମିଳିଥାଏ। ‘‘ଆପଣ ସ୍ୱର୍ଗତଃ ପାଲଘାଟ ମଣି ଆୟାରଙ୍କୁ ଜାଣନ୍ତି କି? ତାଙ୍କର ବାଦ୍ୟଯନ୍ତ୍ରଗୁଡ଼ିକ ବହୁତ ଓଜନିଆ ଥିଲା, ତାଙ୍କ ପଛରେ ଏହାକୁ ବୋହି ନେଇ ଯିବା ପାଇଁ ଜଣେ ଲୋକ ଥିଲା!’’ ଓଜନିଆ ମୃଦଙ୍ଗମ୍‌ ର ବହୁତ ଚାହିଦା ରହୁଥିଲା, କାରଣ ଏହାର ଧ୍ୱନି ‘‘ଗନିର୍‌, ଗନିର୍‌’’ (ଉଚ୍ଚ ଓ ସ୍ପଷ୍ଟ) ଥିଲା। ଆଜିର ପିଢ଼ି ଏହି କଷ୍ଟ ଉଠାଇବାକୁ ଆଦୌ ପ୍ରସ୍ତୁତ ନୁହେଁ, କୁପ୍ପୁସାମୀ କୁହନ୍ତି।

‘‘ଯେତେବେଳେ ସେମାନେ ବାହାର ଦେଶକୁ ଯାତ୍ରା କରନ୍ତି, ସେମାନେ ହାଲୁକା ବାଦ୍ୟଯନ୍ତ୍ର ନେବାକୁ ଚାହାନ୍ତି। ସେମାନେ ସେଗୁଡ଼ିକୁ ମୋ ପାଖକୁ ନେଇ ଆସନ୍ତି ଏବଂ ମୁଁ ସେଗୁଡ଼ିକର ଓଜନ ୧୨ରୁ ଛଅ କିଲୋଗ୍ରାମ କମାଇ ଦେଇଥାଏ।’’ ମୁଁ ପଚାରେ ଏହା କିପରି ସମ୍ଭବ। ‘‘ଆମେ ମୃଦଙ୍ଗମ ର ଫମ୍ପା ପେଟରୁ କାଠ ଚାଞ୍ଛି ବାହାର କରି ଦେଇଥାଉ,’’ ସେ କୁହନ୍ତି। ‘‘ଛଅ କିଲୋକୁ ହ୍ରାସ ନପାଇବା ପର୍ଯ୍ୟନ୍ତ ଆମେ ମଝିରେ ମଝିରେ ସେଗୁଡ଼ିକୁ ଓଜନ କରିଥାଉ।’’

ଆପଣ କହିପାରିବେ ଯେ ମୃଦଙ୍ଗମ୍‌ ର ପେଟକୁ କାଟି ଦିଆଯାଏ….

ସେ ମୃଦଙ୍ଗମ ବ୍ୟତୀତ ହାତ ପାପୁଲିରେ ବଜା ହେଉଥିବା ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ସାରା ବିଶ୍ୱକୁ ପଠାଇଥା’ନ୍ତି। ‘‘ମୁଁ ଗତ ୨୦ ବର୍ଷ ମଧ୍ୟରେ ଉରୁମି ମେଲମ୍‌ (ଦୁଇ ପଟ ମୁଣ୍ଡ ଥିବା ଢୋଲ)କୁ ମାଲେସିଆ ପଠାଇ ଆସୁଛି। କେବଳ କୋଭିଡ୍‌ ସମୟରେ ମୁଁ ଏହା କରିପାରିନଥିଲି....’’

କୁପ୍ପୁସାମୀ ବାଦ୍ୟଯନ୍ତ୍ରଗୁଡ଼ିକର ତାଲିକା ଦେଇ କୁହନ୍ତି, ମୃଦଙ୍ଗମ୍‌, ତୱିଲ୍, ତବେଲା, ବୀଣଇ, କଞ୍ଜିରା, ଉଡ଼ୁକ୍କଇ, ଉଡ଼ୁମି, ପମ୍ବଇ… ଆଦି ତିଆରି କରିବା ଲାଗି ପଣସ କାଠ ଉପଯୁକ୍ତ ହୋଇଥାଏ। ‘‘ମୁଁ ୧୫ ପ୍ରକାରର ବାଜା ତିଆରି କରିପାରିବି।’’

ସେ ଅନ୍ୟ ବାଦ୍ୟଯନ୍ତ୍ର ତିଆରି କରୁଥିବା କାରୀଗରଙ୍କ ବିଷୟରେ ମଧ୍ୟ ଅବଗତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ନାଁ ଓ ଠିକଣା ମଧ୍ୟ ସେ ଜାଣନ୍ତି। ‘‘ଓଃ, ଆପଣ ନାରାୟଣନଙ୍କୁ ଭେଟିସାରିଛନ୍ତି, ସେ ଜଣେ ବୀଣଇ ନିର୍ମାତା ନା? ସେ ସାଉଥ୍‌ ମେନ୍‌ ଷ୍ଟ୍ରିଟ୍‌ରେ ରୁହନ୍ତି। ସେ ନା? ସେ ଆମର ପରିଚିତ।’’ ବୀଣଇ ତିଆରି ତିଆରି କରିବା ଖୁବ୍‌ ନିଖୁଣ କାମ, କୁପ୍ପୁସାମୀ କୁହନ୍ତି। ‘‘ଥରେ, ମୁଁ ବୀଣଇ ତିଆରି କାମ ଦେଖୁଥିଲି। ଆସାରୀ ଗୋଲାକାର ଗଣ୍ଡି ତିଆରି କରୁଥିଲେ। ମୁଁ ଶାନ୍ତ ଭାବେ ବସିଥିଲି ଏବଂ ଦୁଇ ଘଣ୍ଟା ଧରି ତାଙ୍କୁ ଦେଖିଲି। କେବେ ସେ କାଠକୁ କାଟୁଥିଲେ, କେବେ ତା’କୁ ଆକାର ଦେଉଥିଲେ, କେବେ ତା’କୁ ମିଶାଉଥିଲେ, ତା’ପରେ ପୁଣିଥରେ କାଟି ଆକାର ଦେଉଥିଲେ… ଆଉ ସେ ଘଣ୍ଟା ଘଣ୍ଟା ଧରି ଏହି କାମ କରୁଥିଲେ। ଏହା ଦେଖିବା ଅଦ୍ଭୂତ…. ଓ ମଜାଦାର ଥିଲା…’’

*****

Left: Narayanan during my first visit to his workshop, in 2015, supervising the making of a veenai.
PHOTO • Aparna Karthikeyan
Right: Craftsmen in Narayanan’s workshop
PHOTO • Aparna Karthikeyan

ବାମ : ୨୦୧୫ରେ ମୁଁ ପ୍ରଥମେ ଯାଇଥିବା ସମୟରେ ନାରାୟଣନ ନିଜ କାର୍ଯ୍ୟଶାଳାରେ ଏକ ବୀଣଇକୁ ତିଆରି ହେଉଥିବା ଦେଖୁଛନ୍ତି। ଡାହାଣ : ନାରାୟଣନଙ୍କ କାର୍ଯ୍ୟଶାଳାରେ ଜଣେ କାରିଗର

୨୦୧୫ରେ ତଞ୍ଜାୱୁରର ଏମ. ନାରାୟଣନଙ୍କ କାର୍ଯ୍ୟଶାଳାରେ ମୁଁ ପ୍ରଥମ ଥର ପାଇଁ ବୀଣଇ ନିର୍ମାତାଙ୍କୁ ଭେଟିଥିଲି। ୨୦୨୩ ଅଗଷ୍ଟରେ, ସେ ମୋତେ ପୁଣିଥରେ ଆସିବା ଲାଗି ନିମନ୍ତ୍ରଣ କରିଥିଲି। ‘‘ଆପଣଙ୍କର ଘର ବିଷୟରେ ମନେ ଅଛି? ଏହା ସେହି ଘର ଯାହା ବାହାରେ ଏକ ଗଛ ଲାଗିଥିଲା,’’ ସେ କହିଥିଲେ। ତାଙ୍କର ଏପରି କହିବା ଆପଣଙ୍କୁ ଅଜବ ଲାଗିପାରେ, କିନ୍ତୁ ସେହି ପୁନ୍‌ଗଇ ଗଛ (କରଞ୍ଜ) ସମ୍ଭବତଃ ସାଉଥ ମେନ୍‌ ଷ୍ଟ୍ରିଟ୍‌ରେ ଏକମାତ୍ର ଗଛ ଥିଲା। ଘରର ପ୍ରଥମ ମହଲା ସିମେଣ୍ଟରେ ତିଆରି ବୀଣଇ ରେ ସଜା ହୋଇଥିଲା। ତାଙ୍କ ଘର ପଛ ଭାଗରେ ତିଆରି କାର୍ଯ୍ୟଶାଳା ପ୍ରାୟତଃ ସେହିପରି ଅବସ୍ଥାରେ ଥିଲା ଯେମିତି ମୁଁ ପ୍ରଥମ ଥର ଯିବା ସମୟରେ ଦେଖିଥିଲି। ସିମେଣ୍ଟରେ ତିଆରି ଥାକରେ ସରଞ୍ଜାମ ସବୁ ରଖାଯାଇଥିଲା ଏବଂ ପାଚେରିରେ ଫଟୋ ଓ କ୍ୟାଲେଣ୍ଡର ଟଙ୍ଗା ହୋଇଥିଲା। କାର୍ଯ୍ୟଶାଳାର ଚଟାଣରେ ବୀଣଇ ପଡ଼ିଥିଲା ଯାହା ବର୍ତ୍ତମାନ ନିର୍ମାଣ ପ୍ରକ୍ରିୟାରେ ରହିଥିଲା।

ବୀଣଇ ଯେତେବେଳେ ଶିବଗଙ୍ଗଇ ପୁଙ୍ଗା ରୁ ଏଠାକୁ ଆସିଥାଏ, ସେତେବେଳେ ତାହା ସ୍ଥୁଳ ଏବଂ କୁରୂପ ଆକୃତିର କାଠ ଖଣ୍ଡ ଭଳି ଦେଖାଯାଏ। କିନ୍ତୁ କାର୍ଯ୍ୟଶାଳାରେ ପହଞ୍ଚିବା ବେଳକୁ ଉପକରଣ ବଦଳିଯାଏ, ପ୍ରକ୍ରିୟା ବଦଳିଯାଏ ଏବଂ ସ୍ୱାଭାବିକ ଭାବେ ଏହାର ପରିଣାମ ମଧ୍ୟ ବଦଳିଯାଏ। ଫମ୍ପା ପେଟ ଥିବା ୧୬ ଇଞ୍ଚ କାଠ ଖଣ୍ଡକୁ ନାରାୟଣନ ଏବଂ ତାଙ୍କର ସହାୟକ ଚାଞ୍ଛି ଚାଞ୍ଛି ୧୪.୫ ଇଞ୍ଚ ମୋଟା ବେଲା ଭଳି କରି ଦିଅନ୍ତି, ଯାହାର ପ୍ରାଚୀର ମୋଟେଇ ଅଧା ଇଞ୍ଚ ହୋଇଥାଏ। ସେ କୁହନ୍ତି, ଗୋଲାକୃତି ପାଇଁ ସେ କମ୍ପାସ୍‌ ବ୍ୟବହାର କରନ୍ତି। ଆଉ ତା’ପରେ ସେ ଏକ ଉଲି (ବଟାଳି) ସହାୟତାରେ ଅତିରିକ୍ତ କାଠକୁ ଚାଞ୍ଛି ବାହାର କରିଦିଅନ୍ତି ।

ଧ୍ୱନି ଉତ୍ପନ୍ନ କରିବା ଲାଗି କାଠକୁ ରହି ରହି ଚାଞ୍ଛିବାକୁ ହୋଇଥାଏ। ମଝିରେ ମଝିରେ ଅଟକିବା ଜରୁରି, କାରଣ ଏହାଦ୍ୱାରା କାଠ ଶୁଖିବା ଓ ପ୍ରସ୍ତୁତ ହେବାରେ ସହାୟତା ମିଳିଥାଏ। ବାହାର ପଟୁ ଓ ଭିତରୁ ଓଜନ କମାଇବାକୁ ହୁଏ। ତଞ୍ଜୱୁରରେ ପହଞ୍ଚିବା ବେଳକୁ ପ୍ରାୟ ୩୦ କିଲୋଗ୍ରାମ ଓଜନର ଥିବା ଏହି କାଠ ଶିବଗଙ୍ଗଇ ପୁଙ୍ଗା ରେ ୨୦ କିଲୋଗ୍ରାମକୁ ହ୍ରାସ ପାଇଥାଏ। ବୀଣଇପଟ୍ଟରାଇ ଠାରେ ଏହାକୁ ଆହୁରି ଚାଞ୍ଛି ଉଠାଇବା ଯୋଗ୍ୟ ଆଠ କିଲୋଗ୍ରାମ କରାଯାଇଥାଏ।

କାର୍ଯ୍ୟଶାଳା ଆଗରେ ନିଜ ଘରେ ବସି ନାରାୟଣନ୍‌ ମୋତେ ଏକ ବୀଣଇ ଧରାଇ ଦିଅନ୍ତି। ‘‘ଏଇଠି’’, ସେ କୁହନ୍ତି, ‘‘ଏହାକୁ ଧରନ୍ତୁ।’’ ତାହା ଭଲ ଗଢ଼ଣଯୁକ୍ତ ଏବଂ ଠିକ୍‌ ଠାକ୍‌ ଭାରୀ ଅଟେ। ଏହାର ପ୍ରତ୍ୟେକ ଭାଗ ଭଲ ଭାବେ ଚିକ୍କଣ କରି ପଲିସ୍‌ କରାଯାଇଛି। ‘‘ଏ ସବୁ କାମ ହାତରେ ହିଁ କରାଯାଏ,’’ ନାରାୟଣନ୍‌ ଗର୍ବିତ ସ୍ୱରରେ କୁହନ୍ତି ।

‘‘କେବଳ ତଞ୍ଜୱୁରରେ ବୀଣଇ ତିଆରି ହୋଇଥାଏ। ଆଉ ଏଗୁଡ଼ିକ ଏଠାରୁ ସାରା ବିଶ୍ୱକୁ ଯାଇଥାଏ। ଆମ ପାଖରେ ଭୌଗଳିକ ସଙ୍କେତ (ଜିଆଇ) ମାନ୍ୟତା ରହିଛି, ଏଥିପାଇଁ ଆମେ ଆବେଦନ କରିଥିଲୁ। ଓକିଲ ସଞ୍ଜୟ ଗାନ୍ଧୀ ସହାୟତାରେ ଏହା ଆମକୁ ମିଳିଛି,’’ ନାରାୟଣନ କୁହନ୍ତି।

Left: Kudams (resonators) carved from jackfruit wood.
PHOTO • Aparna Karthikeyan
Right: Craftsman Murugesan working on a veenai
PHOTO • Aparna Karthikeyan

ବାମ : କୁଡ଼ମ (ପ୍ରତିଧ୍ୱନି ସୃଷ୍ଟି କରୁଥିବା ଭାଗ)କୁ ପଣସ କାଠରେ ତିଆରି କରାଯାଏ। ଡାହାଣ : ବୀଣଇ ତିଆରିରେ ମଗ୍ନ କାରୀଗର ମୁରଗନ୍‌

କେବଳ ପଣସ କାଠରେ ଏହି ବାଦ୍ୟଯନ୍ତ୍ର ତିଆରି କରାଯାଏ। ‘‘ ପଲାମରମ୍‌ ସବୁ ଜଳବାୟୁ ଅନୁକୂଳ ହୋଇଥିବାରୁ ଏହାର କାଠକୁ ଚୟନ କରାଯାଇଥାଏ। ତଞ୍ଜାୱୁରରେ ଆଜିର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ। ଆଉ ଯେତେବେଳେ ଆପଣ ଏହାକୁ ଏଠି ତିଆରି କରି ଆମେରିକା ନେଇ ଯାଆନ୍ତି ଯେଉଁଠି ତାପମାତ୍ରା ଶୂନ୍ୟ ଡିଗ୍ରୀ ମଧ୍ୟ ହୋଇପାରେ, ସେତେବେଳେ ମଧ୍ୟ ଏହା ଠିକ୍‌ ଭାବେ କାମ କରିବ। ତା’ଛଡ଼ା ଯେତେବେଳେ ଆପଣ ଏହାକୁ ଅଧିକ ଗରମ ଇଲାକାକୁ ନେଇ ଯାଆନ୍ତି- ଉଦାହରଣ ସ୍ୱରୂପ ପଶ୍ଚିମ ଏସିଆ-ସେଠାରେ ମଧ୍ୟ ଏହା ଠିକ୍‌ ଭାବେ କାମ କରିବ । ସବୁ ଜାଗାରେ ଏହା ଭଲ ଭାବେ ବାଜିଥାଏ। ଏହାର ଏକ ଦୁର୍ଲଭ ଗୁଣ ରହିଛି ଯେଉଁ କାରଣରୁ ଆମେ ପଣସ କାଠକୁ ଉପଯୋଗ କରିଥାଉ।’’

‘‘ଉଦାହରଣ ସ୍ୱରୂପ, ଆପଣ ଏହାକୁ ଆମ୍ବ କାଠରେ ତିଆରି କରିପାରିବେ ନାହିଁ । ଖରା ଦିନେ ଆମ୍ବ କାଠ କବାଟକୁ ବନ୍ଦ କରାଯାଇପାରିବ। କିନ୍ତୁ ବର୍ଷା ଦିନେ? ଆପଣଙ୍କୁ ଏହାକୁ ଜୋର କରି ପିଟିବାକୁ ହେବ… ତା’ଛଡ଼ା ଆପଣ ଯେତେ ଭଲ ଚିକ୍କଣ କଲେ ମଧ୍ୟ, ଆପଣଙ୍କୁ ‘ଭଲ’ ଆକୃତି ମିଳିବ ନାହିଁ; ଯେମିତି ଆକୃତି ଆପଣ ପଣସ କାଠରୁ ପାଇପାରିବେ।’’ ତା’ଛଡ଼ା ପଲାମରମ୍‌ ରେ ବହୁତ ନିଖୁଣ କଣା ଥାଏ, ନାରାୟଣନ କୁହନ୍ତି। ଏହି କଣା କେଶ ଠାରୁ ମଧ୍ୟ ସରୁ ହୋଇଥାଏ। ‘‘ଏହା କାଠକୁ ନିଶ୍ୱାସ ନେବାରେ ସହାୟକ ହୋଇଥାଏ।’’

ବହୁ ପରିମାଣରେ ପଣସ କାଠ ଉତ୍ପାଦନ କରାଯାଇପାରିବ। ‘‘କିନ୍ତୁ ଯାହା ମୁଁ ଜାଣିଛି, ପଟ୍ଟୁକୋଟ୍ଟାଇ (ତଞ୍ଜାୱୁର ଜିଲ୍ଲା) ଆଖପାଖର କିଛି ଅଞ୍ଚଳରେ ଏବଂ ଗନ୍ଧର୍ବକୋଟ୍ଟାଇ (ପଡ଼ୁକୋଟ୍ଟାଇ ଜିଲ୍ଲା)ରେ ଲୋକମାନେ ଅନେକଗୁଡ଼ିଏ ଗଛ କାଟି ଦେଇଛନ୍ତି ଏବଂ ସେହି ତୁଳନାରେ କମ ସଂଖ୍ୟାରେ ବୃକ୍ଷରୋପଣ ହୋଇଛି । ବଗିଚା ମାଲିକମାନେ ନିଜ ଜମିକୁ ଆବାସିକ ଭୂମି ରୂପରେ ବିକ୍ରି କରି ଦେଇଛନ୍ତି ଏବଂ ବ୍ୟାଙ୍କରେ ଟଙ୍କା ଜମା କରି ଦେଇଛନ୍ତି। ବିନା ଗଛରେ,’’ ନାରାୟଣରନ କୁହନ୍ତି, ‘‘ସାମାନ୍ୟ ଛାଇ ସୁଦ୍ଧା ନାହିଁ। ସଙ୍ଗୀତ କଥା ଛାଡ଼ନ୍ତୁ। ମୋ ଅଞ୍ଚଳରେ ଦେଖନ୍ତୁ, କେବଳ ମୋର ହିଁ ଗଛ ଅଛି… ଆଉ ସବୁ କାଟି ଦିଆଯାଇଛି!’’

ନୂଆ ପଣସ କାଠ ହଳଦିଆ। ଏହାର ବୟସ ବଢ଼ିବା ସହିତ ଶୁଖିଯାଏ ଏବଂ ରକ୍ତିମ ଲାଲ ହୋଇଯାଏ। ଆଉ କାଠରୁ ଚମତ୍କାର କମ୍ପନ ସୃଷ୍ଟି ହୋଇଥାଏ। ଏହି କାରଣରୁ, ନାରାୟଣନ କୁହନ୍ତି, ପୁରୁଣା ବୀଣଇର ବିଶେଷ ଚାହିଦା ରହିଛି। ‘‘ଆଉ ଏହି କାରଣରୁ,’’ ସେ ହସନ୍ତି, ‘‘ଆପଣ ସେଗୁଡ଼ିକୁ ବଜାରରୁ ପାଇବେ ନାହିଁ, କାରଣ ମାଲିକମାନେ ଏହାକୁ ସଂରକ୍ଷିତ ରଖିବା, ମରାମତି କରିବା ଏବଂ ସେମାନଙ୍କର ସରଞ୍ଜାମକୁ ପାଖରେ ରଖିବା ଲାଗି ପସନ୍ଦ କରିଥା’ନ୍ତି। ସାଧାରଣତଃ ପରିବାର ଭିତରେ।’’

Narayanan shows an elaborately worked veenai , with Ashtalakshmis carved on the resonator
PHOTO • Aparna Karthikeyan
Narayanan shows an elaborately worked veenai , with Ashtalakshmis carved on the resonator
PHOTO • Aparna Karthikeyan

ନାରାୟଣନ ଏକ ବୀଣାକୁ ଦେଖାଉଛନ୍ତି, ଯାହାର ଡିଜାଇନରେ ବହୁତ ପରିଶ୍ରମ ଲାଗିଛି। ଏହାର କୁଡ଼ମରେ ଅଷ୍ଟଲକ୍ଷ୍ମୀଙ୍କ ଚିତ୍ର ଖୋଦେଇ ହୋଇଛି

ନିଜ ତିଆରି କରିଥିବା ବୀଣାରେ ନାରାୟଣନ ସାମାନ୍ୟ ଆଧୁନିକତାର ସ୍ପର୍ଶ ଦେଇଥା’ନ୍ତି। ‘‘ଏସବୁ ଗୀଟାର୍‌ ‘କି’ ଗୁଡ଼ିକୁ ଦେଖନ୍ତୁ, ଆମେ ସେଗୁଡ଼ିକୁ ଏଠାରେ ଲଗାଇଛୁ ଯାହାଫଳରେ ତାରଗୁଡ଼ିକୁ ଧ୍ୱନି ସୃଷ୍ଟି ହେବ ଟାଣିବା ସହଜ ହେବ।’’ ତେବେ ଏହାକୁ ଶିଖାଇବାରେ ଆସିଥିବା ପରିବର୍ତ୍ତନକୁ ନେଇ ସେ ଉତ୍ସାହିତ ନୁହନ୍ତି। ଆଉ ଏହାକୁ ସେ ସର୍ଟକଟ୍‌ ପଦ୍ଧତି ବୋଲି ବିବେଚନା କରିଥା’ନ୍ତି। କାରଣ ଗୁରୁ ଠିକ୍‌ ଭାବେ ଧ୍ୱନି ଉପସ୍ଥାପିତ କରିବା ଲାଗି ଶିଷ୍ୟଙ୍କୁ ଶିଖାଇନଥାନ୍ତି। ଏହା କହିବା ସମୟରେ ସେ ବୀଣଇ ବଜାନ୍ତି। ପଣସ କାଠ ଏବଂ ଧାତବ ତାର ଏକ ଶ୍ରୁତିମଧୁର ସ୍ୱର ଉତ୍ପନ୍ନ କରିଥାଏ, ଯାହା ଆମ କଥାବାର୍ତ୍ତା ସମୟରେ ପୃଷ୍ଠଭୂମି ସଙ୍ଗୀତ ଭାବେ ପ୍ରତୀୟମାନ ହୁଏ।

ଅନ୍ୟ ନିର୍ମାତାମାନଙ୍କ ଭଳି, ନାରାୟଣନ ମଧ୍ୟ ନିଜେ ତିଆରି କରୁଥିବା ବାଦ୍ୟଯନ୍ତ୍ର ବଜାଇ ଜାଣିଛନ୍ତି। ‘‘ସାମାନ୍ୟ ଜାଣିଛି,’’ ନିଜ ଡାହାଣ ହାତରେ ତାରଗୁଡ଼ିକୁ ଟାଣିବା ସମୟରେ ସେ ଉଦାରତାର ସହିତ କହିଥା’ନ୍ତି। ଫ୍ରିଟ୍‌ (ଉପର ଭାଗରେ ଥିବା କାଠର ଢାଞ୍ଚା) ଉପରେ ସେ ନିଜ ବାମ ହାତକୁ ତଳ ଉପର କରିଥାନ୍ତି। ‘‘ଗ୍ରାହକ କ’ଣ ଚାହାନ୍ତି ତାହା ବୁଝିବା ଲାଗି ମୁଁ ଯଥେଷ୍ଟ ଜାଣିଛି।’’

ତାଙ୍କ କୋଳରେ ଏକ ଏକାନ୍ତ ବୀଣଇ ରଖାଯାଇଛି, ଯାହାକୁ ଖଣ୍ଡେ କାଠରେ ତିଆରି କରାଯାଇଛି। ସେ ତାହାକୁ ସତର୍କତାର ସହିତ ଉଠାଇଥାନ୍ତି, ଯେମିତି ମା’ ନିଜ ଶିଶୁକୁ କୋମଳତାର ସହିତ ଧରିଥାଏ। ‘‘ଏକଦା ଆମେ ସଜାଇବା ପାଇଁ ହରିଣ ଶିଂଘ ଉପଯୋଗ କରୁଥିଲୁ। ଏବେ ଆମେ ବମ୍ବେରୁ ମଗା ଯାଉଥିବା ପ୍ଲାଷ୍ଟିକ ହାତୀ ଦାନ୍ତ ଲଗାଉଛୁ…’’

ଯଦି ଜଣେ ବ୍ୟକ୍ତିଙ୍କୁ ଏକାକୀ ବୀଣଇ ତିଆରି କରିବାକୁ ହୁଏ ତା’ହେଲେ ୨୫ ଦିନ ଲାଗିବ। ‘‘ଏହି କାରଣରୁ ଆମେ ଭିନ୍ନ ଲୋକଙ୍କୁ ଭିନ୍ନ କାମ ଦେଇଥାଉ ଏବଂ ଏହାକୁ ଶୀଘ୍ର ଯୋଡ଼ି ଦେଇଥାଉ। ଏହିପରି ଭାବେ ଆମେ ଗୋଟିଏ ମାସରେ ଦୁଇରୁ ତିନୋଟି ବୀଣା ତିଆରି କରିନେଇଥାଉ। ସେଗୁଡ଼ିକର ଦାମ୍‌ ୨୫,୦୦୦ ଟଙ୍କାରୁ ଆରମ୍ଭ କରି ୭୫,୦୦୦ ଟଙ୍କା ମଧ୍ୟରେ ହୋଇପାରେ ।’’

Narayanan (left) showing the changes in the structures of the veena where he uses guitar keys to tighten the strings.
PHOTO • Aparna Karthikeyan
Narayanan (left) showing the changes in the structures of the veena where he uses guitar keys to tighten the strings. Plucking the strings (right)
PHOTO • Aparna Karthikeyan

ନାରାୟରନ (ବାମ) ବୀଣାର ତିଆରିରେ ଆସିଥିବା ପରିବର୍ତ୍ତନକୁ ଦେଖାଉଛନ୍ତି। ସେ ଗିଟାରରେ ଲାଗୁଥିବା ‘କୀ’ଗୁଡ଼ିକୁ ଲଗାଇଥାନ୍ତି ଯାହାକି ତାରକୁ ଭିଡ଼ି ଥାଏ। ତାରକୁ ଟାଣୁଛନ୍ତି (ଡାହାଣ)

Narayanan with a veena made by him.
PHOTO • Aparna Karthikeyan
Right: Hariharan, who works with Narayanan, holds up a carved veenai
PHOTO • Aparna Karthikeyan

ନିଜେ ତିଆରି କରିଥିବା ବୀଣଇ ସହିତ ନାରାୟଣନ। ଡାହାଣ: ନାରାୟଣନଙ୍କ ସହିତ କାମ କରୁଥିବା ହରିହରନ୍‌ ତିଆରି ହୋଇସାରିଥିବା ବୀଣଇକୁ ଧରିଛନ୍ତି

ଅନ୍ୟ କାରିଗରଙ୍କ ଭଳି ନାରାୟଣନ ମଧ୍ୟ ପନରୁଟୀରୁ ନିଜ ପାଇଁ କାଠ ମଗାଇଥା’ନ୍ତି। ସେ କୁହନ୍ତି, ‘‘କାଠ କିଣିବା ପାଇଁ ଆମେ ନିଜେ ସେଠାକୁ ଯାଇଥାଉ କିମ୍ବା ବିକ୍ରି କରୁଥିବା ଲୋକମାନେ ଆମକୁ ଏଠି ଦେଇଯାଆନ୍ତି। ପ୍ରାୟ ୪୦ରୁ ୫୦ ବର୍ଷ ବୟସର ଗଛ ଆମ ପାଇଁ ସବୁଠୁ ଭଲ ହୋଇଥାଏ। ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପରିପକ୍ୱ ହୋଇଥାଏ। ବ୍ୟବସାୟୀ ଆମକୁ ୧୦ ଫୁଟ ଉଚ୍ଚା ଗଛକୁ ପ୍ରାୟ ୨୦,୦୦୦ ଟଙ୍କାରେ ବିକ୍ରି କରିଥା’ନ୍ତି, ଯେଉଁଥିରେ ଆମେ ଏକାନ୍ତ ବୀଣଇ ତିଆରି କରିଥାଉ। ତେବେ କିଛି ମୂଲଚାଲ କରିବାର ସୁଯୋଗ ମଧ୍ୟ ଥାଏ। କାଠ କିଣିବା ପରେ ଆମେ ଶିବଗଙ୍ଗଇ ପୁଙ୍ଗାରେ ସେଗୁଡ଼ିକୁ ଆକାର ଓ ଆକୃତି ଦେଇଥାଉ।’’ ତେବେ କାଠ ବ୍ୟବସାୟ ବିପଦପୂର୍ଣ୍ଣ ହୋଇଥାଏ, ନାରାୟଣନ୍‌ କୁହନ୍ତି । ‘‘ବେଳେବେଳେ ଛୋଟ ଫାଟ ଦେଇ ଗଛ ଭିତରେ ପାଣି ପଶିଯାଏ ଏବଂ ସମ୍ପୂର୍ଣ୍ଣ କାଠକୁ ନଷ୍ଟ କରିଦେଇଥାଏ। ଆମେ ଗଛ କାଟିବାକୁ ଗଲେ ଏ ବିଷୟରେ ଜାଣିବାକୁ ପାଇଥାଉ।’’

ନାରାୟଣନଙ୍କ ଆକଳନ ଅନୁସାରେ, ତଞ୍ଜାୱୁରରେ ପାଖାପାଖି ଦଶ ଜଣ ବୀଣଇ ନିର୍ମାତା ଅଛନ୍ତି, ଯେଉଁମାନେ ଏହାକୁ ପୂର୍ଣ୍ଣକାଳୀନ ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଆହୁରି କିଛି ଲୋକ ଏହାକୁ ସାମୟିକ ପେସା ଭାବେ କରୁଛନ୍ତି । ସେମାନେ ମିଶି ଗୋଟିଏ ମାସରେ ପ୍ରାୟ ୩୦ଟି ବୀଣଇ ତିଆରି କରିଥାନ୍ତି। କାଠ ଗଣ୍ଡି ତଞ୍ଜାୱୁରରେ ପହଞ୍ଚିବା ପରଠାରୁ ଗୋଟିଏ ବାଦ୍ୟଯନ୍ତ୍ର ତିଆରି ହେବା ପାଇଁ ୩୦ ଦିନ ସମୟ ଲାଗିଥାଏ। ‘‘ନିଶ୍ଚିତ ଭାବେ ଏକ ଭଲ ଚାହିଦା ରହିଛି,’’ ନାରାୟଣନ କୁହନ୍ତି ।

‘‘ଚିଟ୍ଟିବାବୁ ଓ ଶିବନନ୍ଦମଙ୍କ ଭଳି ଅନେକ ବଡ଼ କଳାକାର ମୋ ପିତାଙ୍କଠାରୁ ବାଦ୍ୟ ଯନ୍ତ୍ର କିଣିଛନ୍ତି । ପ୍ରଶିକ୍ଷାର୍ଥୀ କଳାକାରଙ୍କ ନୂଆ ପିଢ଼ି ମଧ୍ୟ ଏଥିରେ ବିଶେଷ ଆଗ୍ରହ ପ୍ରକଟ କରୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଚେନ୍ନାଇର ଦୋକାନରୁ ନିଜ ଜିନିଷପତ୍ର କିଣୁଛନ୍ତି। କିଛି ଲୋକ ସିଧା ଏଠାକୁ ଆସନ୍ତି ଏବଂ କୌଣସି ସ୍ୱତନ୍ତ୍ର ଡିଜାଇନ କିମ୍ବା ସ୍ୱାତନ୍ତ୍ର୍ୟ ଥିବା ବାଦ୍ୟଯନ୍ତ୍ର ଦାବି କରିଥା’ନ୍ତି।’’ ଆଉ ନାରାୟଣଙ୍କୁ ଏହା ଭଲ ଲାଗେ ।

ବ୍ୟବସାୟ ବଢ଼ିଲେ ତାଙ୍କୁ ଭଲ ଲାଗିବ। ‘‘ମୁଁ ୪୫ ବର୍ଷ ଧରି ଏହି କାମ କରିଛି। ହେଲେ ମୋର ଦୁଇ ପୁଅ ଏହି କାମ କରିବାକୁ ରାଜି ନୁହନ୍ତି। ସେମାନେ ଶିଖିତ ଓ ଚାକିରି କରିଛନ୍ତି। ଆପଣ ଜାଣନ୍ତି କାହିଁକି?’’ ଅନୁଶୋଚନା ପୂର୍ଣ୍ଣ ବିରାମ ନେଇ ସେ ପୁଣି କୁହନ୍ତି, ‘‘ମୋ ଘରେ କାମ କରୁଥିବା ଏ ମିସ୍ତ୍ରୀ ଦିନକୁ ୧,୨୦୦ ଟଙ୍କା ରେଜଗାର କରିଥାଏ। ଆଉ ମୁଁ ଦିନରେ ଦୁଇ ଥର ତା’ ପାଇଁ ଦୁଇଟି ଲେଖାଏ ୱଡ଼ଇ (ବରା) ଏବଂ ଗୋଟିଏ କପ୍‌ ଚା’ ଦେଇଥାଏ। କିନ୍ତୁ ଆମେ କରୁଥିବା ଶ୍ରମସାପେକ୍ଷ କାମ ପାଇଁ ଆମକୁ ଅଧା ପାରିଶ୍ରମିକ ସୁଧା ମିଳେ ନାହିଁ । କୌଣସି ବିଶ୍ରାମ ନାହିଁ, କିଛି ସମୟ ନାହିଁ। ନିଶ୍ଚିତ ଭାବେ ଏହା ଏକ ଭଲ ବ୍ୟବସାୟ, କିନ୍ତୁ କେବଳ ମଧ୍ୟସ୍ଥମାନେ ଅର୍ଥ ରୋଜଗାର କରିଥା’ନ୍ତି। ମୋ କାର୍ଯ୍ୟଶାଳାର ଆକାର ୧୦ ଫୁଟ୍‌ରେ ୧୦ ଫୁଟ୍‌। ଆପଣ ଦେଖିଲେ ନା? ସବୁକିଛି ହାତରେ କରାଯାଏ। ତଥାପି ଆମକୁ ବାଣିଜ୍ୟିକ ଦରରେ ବିଦ୍ୟୁତ ବିଲ୍‌ ପୈଠ କରିବାକୁ ହେଉଛି । ଏହା ଏକ କୁଟୀର ଶିଳ୍ପ ବୋଲି ଆମେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ କହିଛୁ - କିନ୍ତୁ ଆମେ କୌଣସି ସ୍ମାରକପତ୍ର ଦେବାରେ ସକ୍ଷମ ହୋଇନାହୁଁ, ଫଳରେ କୌଣସି ସମାଧାନ ହୋଇପାରିନାହିଁ…’’

ନାରାୟଣନ୍‌ ଦୀର୍ଘଶ୍ୱାସ ନେଇଥାନ୍ତି। ତାଙ୍କ ଘର ପଛପଟେ କର୍ମଶାଳାରେ, ଜଣେ ବୃଦ୍ଧ କାରିଗର କୁଡ଼ମ ରେ ବାଲି କାଗଜ ଘସୁଛନ୍ତି। ବଟାଳି, ଡ୍ରିଲ୍‌ ଓ ବ୍ଲେଡ୍‌ ସହାୟତାରେ ସେ ପଣସ କାଠରେ ସ୍ୱର ଭରୁଛନ୍ତି…


ଏହି ଗବେଷଣା ଅଧ୍ୟୟନକୁ ବେଙ୍ଗାଲୁରୁର ଅଜିମ୍‌ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଅନୁଦାନ କାର୍ଯ୍ୟକ୍ରମ ୨୦୨୦ ଅଧୀନରେ ଅନୁଦାନ ପ୍ରାପ୍ତ ହୋଇଛି।

ଗୋଡ଼* - ଏକ ଧାତବ ସରଞ୍ଜାମ ଯାହାକୁ ମାହୁନ୍ତ ଧରିଥାନ୍ତି, ଏହା ହାତୀକୁ ବାଟ କଢ଼େଇ ନେଇଥାଏ/ନିର୍ଦ୍ଦିଷ୍ଟ ଭାବେ ବ୍ୟବହାର କରିବା ଲାଗି ନିର୍ଦ୍ଦେଶ ଦେଇଥାଏ
ମୃଦଙ୍ଗମ୍‌* - ଏହା ମ୍ରିଦଙ୍ଗମ୍‌ ଭାବେ ମଧ୍ୟ ଉଚ୍ଚାରିତ ହୋଇଥାଏ।
କର୍ନାଟିକ* - ଏହାକୁ କର୍ନାଟିକ (ଶାସ୍ତ୍ରୀୟ ସଙ୍ଗୀତ) ବୋଲି ଉଚ୍ଚାରଣ କରାଯାଏ

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE