ମୁନାୱର ଖାନ, ୬୫, ଥାନାରେ ପହଞ୍ଚିଲା ବେଳକୁ, ଭିତରୁ ଭାସିଆସୁଥିଲା ତାଙ୍କ ପୁଅର କରୁଣ ଆର୍ତ୍ତନାଦ। ପ୍ରାୟ ୧୫ ମିନିଟ ପରେ ସବୁ ଚିତ୍କାର ଥମିଗଲା। ଇସ୍ରାଏଲ ଖାନଙ୍କ ବାପା ଆଶା ବାନ୍ଧିଲେ, ଭାବି ନେଲେ ଯେ ସମ୍ଭବତଃ ପୋଲିସ ତାଙ୍କ ପୁଅକୁ ପିଟିବା ବନ୍ଦ କରିଦେଇଛି।

ପୂର୍ବରୁ, ସେଦିନ ଭୋପାଳରେ ଆୟୋଜିତ ଏକ ଧାର୍ମିକ ସମାରୋହରେ ଯୋଗ ଦେଇ ଇସ୍ରାଏଲ ଘରକୁ ଫେରୁଥିଲେ। ତାଙ୍କ ଘର ଭୋପାଳରୁ ୨୦୦ କିଲୋମିଟର ଦୂର ଗୁନାରେ, ଏବଂ ସେଠାରେ ସେ ଦିନ ମଜୁରିଆ ଭାବେ ବିଭିନ୍ନ ନିର୍ମାଣ ସ୍ଥଳୀରେ କାର୍ଯ୍ୟ କରୁଥିଲେ।

ସେଦିନ (୨୧ ନଭେମ୍ବର, ୨୦୨୨) ସନ୍ଧ୍ୟାରେ ସେ ଗୁନାରେ ପହଞ୍ଚିଲେ ସତ, କିନ୍ତୁ ଘରେ ପହଞ୍ଚିଲେ ନାହିଁ। ରାତି ପ୍ରାୟ ୮ଟା ସମୟରେ, ଗୋକୁଲ ସିଂହ ଚକ ନାମକ ଏକ ବସ୍ତିରେ ଥିବା ତାଙ୍କ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ, ଇସ୍ରାଏଲ ଯେଉଁ ଅଟୋ ରିକ୍‌ସାରେ ଆସୁଥିଲେ, ତାକୁ ଚାରି ଜଣ ପୋଲିସ ଅଧିକାରୀ ଅଟକାଇଲେ ଏବଂ ତାଙ୍କୁ ସେଠାରୁ ଉଠାଇ ନେଇଗଲେ।

ପ୍ରକୃତରେ, ତାଙ୍କୁ ଅଟକାଇବା ସମୟରେ ଇସ୍ରାଏଲ ତାଙ୍କ ଶାଶୁଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ ବୋଲି ତାଙ୍କ ବଡ଼ ଭଉଣୀ, ୩୨ ବର୍ଷୀୟା ବାନୋ କହନ୍ତି। “ସେହି କାରଣରୁ ଆମେ ଜାଣିବାକୁ ପାଇଲୁ ଯେ ସେ ପୋଲିସ ହାଜତରେ ଅଛନ୍ତି।”

ତାଙ୍କୁ ନିକଟବର୍ତ୍ତୀ କୁଶମୁଡ଼ା ଥାନାକୁ ନିଆଯାଇଥିଲା। ସେଠାରେ ପୋଲିସ ଅଧିକାରୀମାନେ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ ଏବଂ ସେହିଠାରେ ହିଁ ଇସ୍ରାଏଲଙ୍କ ଯନ୍ତ୍ରଣା ଜର୍ଜରିତ ଚିତ୍କାର ଶୁଣିଥିଲେ ତାଙ୍କ ବାପା ମୁନାୱର।

ପ୍ରାୟ ୪୫ ମିନିଟ୍‌ ପରେ, ମୁନାୱର ବୁଝିପାରିଲେ ଯେ, ତାଙ୍କ ପୁଅର ଆର୍ତ୍ତନାଦ ନିରବି ଯାଇଛି। ଏଥିପାଇଁ ନୁହେଁ ଯେ ପୋଲିସ ତାଙ୍କୁ ମାଡ଼ ମାରିବା ବନ୍ଦ କରିଦେଇଛି, ବରଂ ଏଥିପାଇଁ ଯେ ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ, ହୃତ୍‌ସ୍ପନ୍ଦନ ସହିତ ଶ୍ୱାସକ୍ରିୟା ବନ୍ଦ ହେବା ଏବଂ ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା।

ପରବର୍ତ୍ତୀ ସମୟରେ, ମଧ୍ୟ ପ୍ରଦେଶ ପୋଲିସର ବକ୍ତବ୍ୟ ଉଦ୍ଧାର କରି ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଥିଲା ଯେ, ଏହି ୩୦ ବର୍ଷୀୟ ମୁସଲମାନ ଶ୍ରମିକ ଜଣକ ପୋଲିସ କବଳରୁ ଜଣେ ଜୁଆଡ଼ିକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦଳେ ଲୋକଙ୍କ ସହିତ ଥିଲେ ଏବଂ ପୋଲିସ ସହିତ ସେମାନଙ୍କର ମୁହାଁମୁହିଁ ସଂଘର୍ଷ ହୋଇଥିଲା।

କିନ୍ତୁ, ତାଙ୍କ ପରିବାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି: “ସେ ମୁସଲମାନ ହୋଇଥିବାରୁ ପୋଲିସ ତାକୁ ନେଇଗଲା,” ଇସ୍ରାଏଲଙ୍କ ମା’ ମୁନ୍ନି ବାଇ କହନ୍ତି।

ପୋଲିସ ହାଜତରେ ଇସ୍ରାଏଲଙ୍କ ମୃତ୍ୟୁ ହୋଇଥିବା କଥାକୁ କେହି ଅସ୍ୱୀକାର କରିନାହାନ୍ତି। ବରଂ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି ପ୍ରଶ୍ନକୁ ନେଇ ଭିନ୍ନମତ ସୃଷ୍ଟି ହୋଇଛି।

Munni Bai lost her son Israel when he was taken into police custody and beaten up; a few hours later he died due to the injuries. ' He was picked up because he was a Muslim', she says, sitting in their home in Guna district of Madhya Pradesh
PHOTO • Parth M.N.

ପୁଅ ଇସ୍ରାଏଲକୁ ହରାଇଛନ୍ତି ମୁନ୍ନି ବାଇ, ପୁଅକୁ ପୋଲିସ ଧରି ନେଲା ଏବଂ ହାଜତରେ ମାଡ଼ ଯୋଗୁଁ ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ, ତାଙ୍କ ଘରେ ସେ କହନ୍ତି, ‘ସେ ମୁସଲମାନ ହୋଇଥିବାରୁ ତାକୁ ଧରିନେଲେ’

ଗୁନାର ପୋଲିସ ଅଧୀକ୍ଷକ ରାକେଶ ସାଗର କହନ୍ତି ଯେ, ଗୁନାଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅଶୋକ ନଗର ନିକଟ ଏକ ରେଳ ଧାରଣାରେ ପଡ଼ି ଗୁରୁତର ଆହତ ହୋଇଥିବା ଇସ୍ରାଏଲ ଥାନାରେ ପହଞ୍ଚି ଥିଲେ ଏବଂ ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା। “ସଂପୃକ୍ତ ଚାରି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି,” ସେ କହନ୍ତି, “ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି। ସେତେବେଳେ ସେମାନେ କିଛି କରି ନଥିବା କଥା ପଦାକୁ ଆସିଛି। ଆମର ଅଭିଯୋଗ ପରିଚାଳନା ବିଭାଗ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସ୍ଥିର କରିବ।”

ସେଦିନର ସେହି କାଳରାତ୍ରିରେ କୁଶୁମୁଡ଼ା ଥାନା ପୋଲିସ ମୁନାୱରଙ୍କୁ କହିଲେ କି ଇସ୍ରାଏଲଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଛି। ସେ ସେଠାରେ ପହଞ୍ଚିବାରୁ ତାଙ୍କୁ କୁହାଗଲା ଯେ ଇସ୍ରାଏଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ବାନୋ କହନ୍ତି, “କିଛି ଗୋଟାଏ ଅଘଟଣ ଘଟିଥିବା କଥା ଆମେ ବୁଝିପାରିଲୁ’’। ‘‘ଆମ ବାପା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଇସ୍ରାଏଲଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଦେହ ସାରା କ୍ଷଚଚିହ୍ନ ଥିଲା। ତାଙ୍କୁ ନିର୍ଦ୍ଦୟ ଭାବରେ ପିଟି ପିଟି ମାରି ଦିଆଯାଇଥିଲା।”

ବସ୍ତିର ସେଇ ବଖୁରିକିଆ ମାମୁଲି ଘର ଭିତରେ ବସି ଆମ କଥାବାର୍ତ୍ତା ଶୁଣୁଥିଲେ ଇସ୍ରାଏଲଙ୍କ ମାଆ ମୁନ୍ନି ବାଇ। ଲୁହ ଲୁଚାଇବାକୁ ଚେଷ୍ଟା ବି କରୁଥିଲେ। ସେମାନଙ୍କ ଘର କହିଲେ ଫାଟକ ଲାଗିଥିବା ଏକ ହତା ଭିତରେ ଥିବା ତିନି କି ଚାରିଟି କଂକ୍ରିଟ କୋଠରି ଭିତରୁ ଗୋଟିଏ। ସେହି ହତା ଭିତରେ ସମସ୍ତଙ୍କ ବ୍ୟବହାର ପାଇଁ ଦୁଇଟି ମାତ୍ର ସାଧାରଣ ଶୌଚାଳୟ ରହିଛି।

ବହୁ ଚେଷ୍ଟା କରି ଆମ କଥାବାର୍ତ୍ତାରେ ଯୋଗ ଦିଅନ୍ତି ମୁନ୍ନି ବାଇ। ପ୍ରତି ଥର କଥା ଆରମ୍ଭ କରୁ କରୁ କାନ୍ଦି ପକାନ୍ତି। ତଥାପି ସେ ତାଙ୍କ ମତ ରଖିବାକୁ ଚାହାଁନ୍ତି। “ଆଜିକାଲି ମୁସଲମାନମାନଙ୍କୁ ଲକ୍ଷ୍ୟ କରି ଆଘାତ ଦେବା ସହଜ,” ସେ କହନ୍ତି, “ବାତାବରଣ ଏମିତି ହେଲାଣି ଯେ ଆମେ ଦ୍ୱିତୀୟ ଶ୍ରେଣୀ ନାଗରିକ ପାଲଟିଗଲୁଣି। ଆମକୁ ହତ୍ୟା କରାଯାଇପାରିବ ଏବଂ କେହି ମୁହଁ ଖୋଲିବାକୁ ଚିନ୍ତା ବି କରିବେନି।”

୨୦୨୨ ଜୁଲାଇରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ କୁହାଯାଇଥିଲା ଯେ, ୨୦୨୦ ଏପ୍ରିଲରୁ  ୨୦୨୨ ମାର୍ଚ୍ଚ ଭିତରେ ସାରା ଦେଶରେ ୪,୪୮୪ଟି ହାଜତ ମୃତ୍ୟୁ ଘଟିଥିଲା- ଅର୍ଥାତ୍‌, ଦୁଇ ବର୍ଷ ଧରି ପ୍ରତି ଦିନ ଛଅଟିରୁ ଅଧିକ ହାଜତ ମୃତ୍ୟୁ।

ଏଥିରୁ ମଧ୍ୟ ପ୍ରଦେଶରେ ୩୬୪ଟି ହାଜତ ମୃତ୍ୟୁ ଘଟିଥିବା ବେଳେ କେବଳ ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମ ବଙ୍ଗରେ ହିଁ ଏହାଠାରୁ ଅଧିକ ସଂଖ୍ୟକ ହାଜତ ମୃତ୍ୟୁ ରିପୋର୍ଟ କରାଯାଇଥିଲା।

Bano, Israels Khan's sister says his family is struggling as their main income from his daily wage work has ended with his death
PHOTO • Parth M.N.

ଇସ୍ରାଏଲ ଖାନଙ୍କ ଭଉଣୀ ବାନୋ କହନ୍ତି, ଦିନ ମଜୁରିଆ କାମରୁ ସେ ପାଉଥିବା ମଜୁରି ହିଁ ପରିବାରର ମୁଖ୍ୟ ଆୟ ସ୍ରୋତ ଥିଲା ଏବଂ ତାଙ୍କ ମୃତ୍ୟୁ ପରେ ଏହା ବନ୍ଦ ହୋଇଯାଇଥିବାରୁ ସେମାନେ ଏବେ ସଂଘର୍ଷ କରୁଛନ୍ତି

ଗୁନାର ଜଣେ ସାମାଜିକ କର୍ମୀ ବିଷ୍ଣୁ ଶର୍ମା କହନ୍ତି, “ପୋଲିସ ହାଜତରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ନିଷ୍ପେଷିତ ବର୍ଗ କିମ୍ବା ସଂଖ୍ୟାଲଘୁ ସଂପ୍ରଦାୟର। ସେମାନେ ଆର୍ଥିକ ଦୁଃସ୍ଥିତି ଦେଇ କାଳ କାଟୁଛନ୍ତି ଏବଂ ସେମାନଙ୍କ କଥା ଶୁଣିବାକୁ କୌଣସି ସଂସ୍ଥା ନାହିଁ। ଆମେ ସେମାନଙ୍କ ପ୍ରତି ଯେଉଁ ନିର୍ଦ୍ଦୟ ମନୋଭାବ ପ୍ରଦର୍ଶନ କରିଆସୁଛୁ, ତାହା ଏକ ଅପରାଧ ଭଳି।”

ଇସ୍ରାଏଲଙ୍କ ଦୈନିକ ମଜୁରିରୁ ତାଙ୍କ ଘରକୁ ୩୫୦ ଟଙ୍କା ଆସୁଥିଲା ଏବଂ ଆୟ ଭଲ ହେଲେ ସେ ମାସକୁ ପ୍ରାୟ ୪,୦୦୦ରୁ ୫,୦୦୦ ଟଙ୍କା ପାଉଥିଲେ। ସେହି ରୋଜଗାରରେ ତାଙ୍କ ପରିବାର ଚଳୁଥିଲା। ତାଙ୍କ ମୃତ୍ୟୁ ପରେ ଏବେ ଘରେ ତାଙ୍କର ୩୦ ବର୍ଷୀୟା ସ୍ତ୍ରୀ ରୀନା,  ୧୨, ୭ ଓ ୬ ବର୍ଷ ବୟସର ତିନିଟି ଝିଅ ଏବଂ ବର୍ଷକର ଗୋଟିଏ ପୁଅ ଅଛନ୍ତି। ବାନୋ କହନ୍ତି, “ପୋଲିସ ସେମାନଙ୍କ କାର୍ଯ୍ୟକଳାପର ପରିଣତି ସଂପର୍କରେ ଚିନ୍ତା କରିବା କଥା। ଅକାରଣରେ ସେମାନେ ଗୋଟିଏ ପରିବାରକୁ ନଷ୍ଟ କରିଦେଲେ।”

୨୦୨୩ ସେପ୍ଟେମ୍ବର ଶେଷ ସପ୍ତାହରେ ମୁଁ ଯେତେବେଳେ ତାଙ୍କ ଘରକୁ ଯାଇଥିଲି, ରୀନା ଓ ତାଙ୍କ ପିଲାମାନେ ଗୁନା ସହର ଉପକଣ୍ଠସ୍ଥିତ ତାଙ୍କ ବାପଘରେ ଥିଲେ। ବାନୋ କହନ୍ତି, “ସେ ଏଠାରୁ ସେଠାକୁ ଯା’ଆସ କରୁଛନ୍ତି। ସେ ବହୁତ କିଛି ସହିଛନ୍ତି। ଆମେ ତାଙ୍କୁ ସହାୟତା କରିବାକୁ ଚେଷ୍ଟା କରୁଛୁ। ସେ ଯେତେବେଳେ ଚାହିଁଲେ ଏଠାକୁ ଆସିପାରିବେ ଏବଂ ଏଠାରୁ ଯାଇପାରିବେ। ଏଇଟା ବି ତାଙ୍କ ଘର। ସେଇଟା ବି ତାଙ୍କ ଘର।”

ରୀନାଙ୍କ ବାପଘର ଏତେଟା ସଂପନ୍ନ ନୁହଁନ୍ତି ଏବଂ ତାଙ୍କୁ ଏବଂ ତାଙ୍କ ପରିବାରର ସହାୟତା କରିପାରିବେନି। ଇସ୍ରାଏଲଙ୍କ ମୃତ୍ୟୁ ପରେ ତାଙ୍କ ଝିଅମାନେ ସ୍କୁଲ ଯାଇନାହାନ୍ତି। ସେମାନଙ୍କ ପିଉସୀ ବାନୋ କହନ୍ତି, “ଆମେ ଆଉ ସେମାନଙ୍କର ସ୍କୁଲ ପୋଷାକ, ବ୍ୟାଗ୍‌ ଆଉ ଖାତାବହି କିଣି ପାରିବୁନି। ପିଲାମାନେ, ବିଶେଷତଃ ୧୨ ବର୍ଷୀୟା ଝିଅ ମହକ, ଏବେ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ସବୁବେଳେ କଥା କହୁଥିବା ମହକ, ଆଜିକାଲି କେବେ କେମିତି ଯାହା କଥା କହୁଛି।”

୧୯୯୭ରେ ଅନୁଷ୍ଠିତ ମିଳିତ ଜାତିସଂଘ ଅତ୍ୟାଚାର ବିରୋଧୀ ସମ୍ମିଳନୀରେ ଗୃହୀତ ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିଥିଲା। ହେଲେ, ଦେଶରେ ଏ ସଂପର୍କିତ ଆଇନ ପ୍ରଣୟନ ଏ ପର୍ଯ୍ୟନ୍ତ କରାଯାଇନାହିଁ। ୨୦୧୦ ଏପ୍ରିଲରେ, ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର ପକ୍ଷରୁ ଲୋକସଭାରେ ଏକ ଅତ୍ୟାଚାର ବିରୋଧୀ ବିଲ୍‌ ଉପସ୍ଥାପିତ ହୋଇଥିଲା। କିନ୍ତୁ ଏହା ଆଇନରେ ପରିଣ ହୋଇପାରିଲା ନାହିଁ। ଏବେ ବି ଭାରତରେ ବିଚାରାଧୀନ ଅଭିଯୁକ୍ତଙ୍କୁ ହାଜତ ଭିତରେ ନିର୍ଯାତନା ଏକ ପ୍ରଥା ଭାବରେ ରହିଛି, ଏବଂ ଏଥିରେ ସବୁଠାରୁ ବେଶୀ ନିର୍ଯାତିତ ହେଉଛନ୍ତି ମୁସଲମାନ, ଦଳିତ ଏବଂ ଆଦିବାସୀଙ୍କ ଭଳି ନିଷ୍ପେଷିତ ସଂପ୍ରଦାୟର ଲୋକେ।

Intaaz Bai, Israel’s grandmother in front of their home in Gokul Singh Ka Chak, a basti in Guna district
PHOTO • Parth M.N.

ଗୁନା ଜିଲ୍ଲାର ଗୋକୁଲ ସିଂହ କା ଚକ ବସ୍ତିରେ ସେମାନଙ୍କ ଘର ସାମନାରେ ଇସ୍ରାଏଲଙ୍କ ଜେଜେମାଆ ଇନ୍‌ତାଜ ବାଇ

ଖରଗୋନ ଜିଲ୍ଲା ଖଏର କୁଣ୍ଡି ଗାଁର ଆଦିବାସୀ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀ ୩୫ ବର୍ଷୀୟ ବିସନଙ୍କ କଥା ନିଅନ୍ତୁ। ୨୦୨୧ ଅଗଷ୍ଟରେ ପୋଲିସ ତାଙ୍କୁ ଧରିନେଲା ଏବଂ ୨୯,୦୦୦ ଟଙ୍କା ଚୋରି କରିଥିବା ସନ୍ଦେହରେ ନିର୍ଦ୍ଦୟ ଭାବରେ ନିର୍ଯାତନା ଦେଲା।

ତିନି ଦିନ ପରେ, ଭିଲ ଆଦିବାସୀ ସଂପ୍ରଦାୟର ବିସନଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବା ସମୟରେ ସେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ, ଏମିତି କି ଅନ୍ୟ କାହାରି ସହାୟତା ବିନା ସିଧା ଠିଆ ହୋଇପାରୁ ନଥିଲେ ବୋଲି ତାଙ୍କର ସେହି ମାମଲା ଲଢୁଥିବା ସାମାଜିକ କର୍ମୀମାନେ କହନ୍ତି। ତଥାପି, ତାଙ୍କୁ ରିମାଣ୍ଡରେ ପୋଲିସ ହାଜତକୁ ପଠାଇ ଦିଆଗଲା। ଶରୀର ସାରା କ୍ଷତ ଥିବା ଯୋଗୁଁ ତାଙ୍କୁ ଜେଲରେ ରଖିବା ପାଇଁ ଜେଲ କର୍ତ୍ତୃପକ୍ଷ ମନା କରିଦେଲେ।

ଚାରି ଦିନ ପରେ ତାଙ୍କୁ ତୁରନ୍ତ ହାସପାତାଳ ନେବାକୁ ପଡ଼ିଲା ଏବଂ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ଘୋଷଣା କଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେପ୍‌ଟିସେମିଆ ଜନିତ ଆଘାତ ଏବଂ ବ୍ୟାପକ ସଂକ୍ରମିତ କ୍ଷତ ତାଙ୍କ ମୃତ୍ୟୁର କାରଣ ବୋଲି ଦର୍ଶାଯାଇଥିଲା।

ସ୍ତ୍ରୀ ଓ ପାଞ୍ଚଟି ପିଲାଙ୍କୁ ଛାଡ଼ି ଯାଇଛନ୍ତି ବିସନ – ସବା ସାନର ବୟସ ସାତ ବର୍ଷ।

ରାଜ୍ୟରେ କାର୍ଯ୍ୟରତ ‘ଜାଗୃତ ଆଦିବାସୀ ଦଳିତ ସଂଗଠନ’ (ଜେଏଡିଏସ୍‌)’ ନାମକ ଏକ ବେସରକାରୀ ସଂସ୍ଥା ବିସନଙ୍କ ମାମଲାକୁ କୋର୍ଟରେ ଉଠାଇଛନ୍ତି। ଏ ସଂପର୍କରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ) ମଧ୍ୟ ପ୍ରଦେଶ ହାଇକୋର୍ଟରେ ଦାୟର କରାଯାଇଛି।

“ଆପଣ ତାଙ୍କୁ ୨୯,୦୦୦ ଟଙ୍କା ଚୋରି ସନ୍ଦେହରେ ଏମିତି ନିର୍ଯାତନା ଦେଲେ ଯେ ତାଙ୍କର ମୃତ୍ୟୁ ହୋଇଗଲା?” ପଚାରନ୍ତି ମାଧୁରୀ କ୍ରିଷ୍ଣାସ୍ୱାମୀ, ‘ଜେଏଡିଏସ୍‌’ର ମୁଖ୍ୟ। “ମାମଲା ପ୍ରତ୍ୟାହାର କରିନେବାକୁ ବିସନଙ୍କ ପରିବାର ଉପରେ ଚାପ ପଡୁଛି। କିନ୍ତୁ ଆମେ ଏଥିରେ ନିଜେ ନିଜେ ଲଢ଼ିବୁ। ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀକୁ ପୋଲିସ ପାଳନ କରିନାହିଁ।”

ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ଦ୍ୱାରା ଉଲ୍ଲିଖିତ ନିର୍ଦ୍ଦେଶାବଳୀ ଅନୁସାରେ. “ଘଟଣାର ଦୁଇ ମାସ ଭିତରେ, ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିଡିଓଗ୍ରାଫ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ତଦନ୍ତ ରିପୋର୍ଟ ସମେତ ସବୁ ରିପୋର୍ଟ ପଠାଯିବ। ପ୍ରତିଟି ହାଜତ ମୃତ୍ୟୁ ମାମଲାରେ, କମିଶନଙ୍କ ନିର୍ଦ୍ଦେଶ ମୁତାବକ ମାଜିଷ୍ଟ୍ରେଟଙ୍କ ଦ୍ୱାରା ମଧ୍ୟ ତଦନ୍ତ କରାଯିବ ଏବଂ ଏହା ଯଥାଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରାଯିବ ଏବଂ ଏଭଳି ଭାବରେ କରାଯିବ ଯେମିତି କି ଏହା ନିର୍ଦ୍ଧାରିତ ଦୁଇ ମାସ ଭିତରେ ଶେଷ ହେବା ସହିତ ରିପୋର୍ଟ ଉପଲବ୍‌ଧ ହେବ।”

ଇସ୍ରାଏଲଙ୍କ ମୃତ୍ୟୁ ପରେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପୂର୍ବରୁ ହିଁ ମୃତଦେହକୁ କବର ଦେବା ପାଇଁ ପୋଲିସ ପକ୍ଷରୁ ତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରାଯାଉଥିଲା। ଏହା ଭିତରେ ପାଖାପାଖି ବର୍ଷେ ବିତିଗଲାଣି, ହେଲେ ତାଙ୍କ ପରିବାର ଲୋକେ ଏ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍‌ଙ୍କ ତଦନ୍ତ ରିପୋର୍ଟ ସଂପର୍କରେ ଜାଣିନାହାନ୍ତି।

Munni Bai says, 'the atmosphere is such that we (Muslims) are reduced to second-class citizens. We can be killed and nobody will bother to speak up'
PHOTO • Parth M.N.

ମୁନ୍ନି ବାଇ କହନ୍ତି, ‘ଏବେ ବାତାବରଣ ଏମିତି ଯେ ଆମେ (ମୁସଲମାନମାନେ) ଦ୍ୱିତୀୟ ଶ୍ରେଣୀ ନାଗରିକ ପାଲଟିଗଲୁଣି। ଆମକୁ ହତ୍ୟା କରାଯାଇପାରିବ ଏବଂ କେହି ହେଲେ ମୁହଁ ଖୋଲିବାକୁ ଚିନ୍ତା କରିବେ ନାହିଁ

ସେମାନେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରୁ କୌଣସି ଆର୍ଥିକ ସହାୟତା ପାଇନାହାନ୍ତି। ଜିଲ୍ଲାପାଳ ସେମାନଙ୍କ ସହ ଦେଖା କରିବାକୁ ରୁକ୍ଷ ଭାବରେ ମନା କରିଦେଲେ, ବାନୋ କହନ୍ତି। “ସମସ୍ତେ ଆମକୁ ଭୁଲିଯାଇଛନ୍ତି। ଆମେ ବି ନ୍ୟାୟ ପାଇବାର ଆଶା ଛାଡ଼ିଦେଇଛୁ।”

ପରିବାରର ମୁଖ୍ୟ ପ୍ରତିପୋଷଣକାରୀଙ୍କ ଅନ୍ତେ ଏବେ ବାପା ମାଆ ପରିଣତ ବୟସରେ କାମ କରିବାକୁ ବାଧ୍ୟ ହେଉଛନ୍ତି।

ମୁନ୍ନିବାଇ ପଡ଼ୋଶୀଙ୍କ ମଇଁଷି ଦୁହିଁବା କାମ କରୁଛନ୍ତି। ସେ ସବୁତକ ମଇଁଷିଙ୍କୁ ତାଙ୍କ ବାରଣ୍ଡାକୁ ନେଇ ଆସନ୍ତି ଏବଂ ସେଠାରେ ଗୋଟିଏ ପରେ ଗୋଟିଏ କରି ସେମାନଙ୍କୁ ଦୁହଁନ୍ତି। ଶେଷରେ ସେ ଦୁହାଁ ହୋଇଥିବା କ୍ଷୀର ସହିତ ମଇଁଷିମାନଙ୍କୁ ମାଲିକଙ୍କୁ ଫେରାଇ ଦେଇ ଆସନ୍ତି। ଏହି କାମ ପାଇଁ ସେ ଦିନକୁ ୧୦୦ ଟଙ୍କା ରୋଜଗାର କରନ୍ତି। ସେ କହନ୍ତି, “ଏ ବୟସରେ ସେତିକି ଯାହା ମୁଁ କରିପାରିବି।”

ନିଜର ପତଳା ଓ ଦୁର୍ବଳ ଶରୀର, ଆଣ୍ଠୁଗଣ୍ଠି ବ୍ୟଥା ଭଳି ରୋଗ ସହିତ ଷାଠିଏରୁ ଅଧିକ ବୟସର ମୁନାୱରଙ୍କୁ ମଧ୍ୟ ପୁଣି ମଜୁରିଆ ଭାବରେ କାମ କରିବାକୁ ପଡୁଛି। କୋଠାବାଡ଼ି ନିର୍ମାଣ ସ୍ଥଳୀରେ କାମ କରିବା ସମୟରେ ସେ ଧଇଁସଇଁ ହୋଇଯାଆନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଖପାଖର ଲୋକେ ସଜାଗ ହୋଇଉଠନ୍ତି। ସେ ବସ୍ତିଠାରୁ ବେଶୀ ଦୂର ଯାଆନ୍ତି ନାହିଁ ଏବଂ ପାଞ୍ଚରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କାମ ଖୋଜନ୍ତି। କାରଣ, କୌଣସି ଜରୁରୀକାଳୀନ ସ୍ଥିତିରେ ତାଙ୍କ ପରିବାର ଲୋକେ ତାଙ୍କ ପାଖରେ ପହଞ୍ଚି ସାହାଯ୍ୟ କରିପାରିବେ।

ଦିନକୁ ଦୁଇ ବେଳା ଖାଇବା ଲାଗି ଏହି ପରିବାରକୁ ସଂଘର୍ଷ କରିବାକୁ ପଡୁଛି। ଏଭଳି ସ୍ଥିତିରେ ସେମାନେ ଏହି ମାମଲାକୁ ଆଗକୁ ନେଇପାରୁନାହାନ୍ତି। ବାନୋ କହନ୍ତି. “ଓକିଲମାନେ ପଇସା ମାଗନ୍ତି। ଆମେ ନିଜ ପାଇଁ ଖାଇବା ଯୋଗାଡ଼ କରିପାରୁନାହୁଁ। ଓକିଲଙ୍କୁ କେଉଁଠୁ ଆଣି ପଇସା ଦେବୁ? ୟହାଁ ଇନ୍‌ସାଫ କେ ପୈସେ ଲଗତେ ହୈ (ଭାରତରେ ନ୍ୟାୟ ପାଇବା ବି ବ୍ୟୟବହୁଳ )

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE