କଟକଟ ଶବ୍ଦ କରି ଡାକଘରର ଝରକା ଖୋଲେ ଏବଂ ନିଜେ ଡାକବାଲା ଝରକା ବାଟେ ବାହାରକୁ ଚାହିଁ ଆମକୁ ସେଠାକୁ ଯାଉଥିବାର ଦେଖନ୍ତି ।

ହସହସ ମୁହଁରେ ରେଣୁକା ଆମକୁ ଡାକଘର ଭିତରକୁ ଆସିବା ପାଇଁ ଇସାରା କରନ୍ତି – ଡାକଘର କହିଲେ, ତାଙ୍କ ଦାଣ୍ଡଘରକୁ ଲାଗିଥିବା ଗୋଟିକିଆ କୋଠରିଟିଏ, ଯାହା ଭିତରକୁ ଯିବା ପାଇଁ ଘରକୁ ଲାଗି ଗୋଟିଏ ଦୁଆର ରହିଛି । ସେହି ଛୋଟିଆ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ବେଳେ ଆମେ ବାରି ପାରିଲୁ କାଗଜ ଓ କାଳିର ମିଶ୍ରିତ ଗନ୍ଧ, ସତେ ଯେମିତି ଆମକୁ ସ୍ୱାଗତ କରୁଥିଲା । ସମ୍ଭବତଃ ସେଦିନର ଶେଷ ଚିଠିଟିକୁ ସେ ଥାକରେ ରଖୁଥିଲେ । ଅଳ୍ପ ହସି ସେ ମୋତେ ବସିବା ପାଇଁ ଇଙ୍ଗିତ କଲେ । “ଆସନ୍ତୁ, ଆସନ୍ତୁ ! ଏଇଠି ଆରାମରେ ବସନ୍ତୁ ।”

ବାହାରେ ପାଗ ଗରମ ଥିଲେ ବି ଡାକବାବୁଙ୍କ ଅଫିସ୍‌ ଓ ଘରେ ଥଣ୍ଡା ଲାଗୁଥିଲା। ବାହାରର ଥଣ୍ଡା ପବନକୁ ଭିତରକୁ ଡାକି ଆଣିବା ଲାଗି କୋଠରିର ଏକମାତ୍ର ଝରକାଟି ଖୋଲା ରହିଥିଲା । ଚୂନଦିଆ କାନ୍ଥରେ ଝୁଲୁଥିଲା ଭଳିକି ଭଳି ହାତଅଙ୍କା ପୋଷ୍ଟର, ମାନଚିତ୍ର ଏବଂ ସାରଣୀ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଯେମିତି ଆଶା କରାଯାଏ, ଠିକ୍‌ ସେମିତି. ଛୋଟ କୋଠରିଟି ବେଶ ସଫା ସୁତୁରା ଥିଲା ଏବଂ ଜିନିଷପତ୍ର ସୁନ୍ଦର ଭାବରେ ସଜା ହୋଇ ରହିଥିଲା । କୋଠରିର ଅଧିକାଂଶ ଭାଗକୁ ଗୋଟିଏ ମେଜ ଏବଂ ଆଲମାରି ମାଡ଼ି ବସିଥିଲେ ସୁଦ୍ଧା ଏଥିରେ ସ୍ଥାନ ସଂକୁଚିତ ହେବା ଭଳି ଲାଗୁ ନଥିଲା ।

ତୁମକୁର ଜିଲ୍ଲା ଅନ୍ତର୍ଗତ ଦେବରାୟପାଟନା ସହରରେ ଜଣେ ଗ୍ରାମୀଣ ଡାକ ସେବକ ଭାବରେ କାର୍ଯ୍ୟରତ ଥିଲେ ୬୪ ବର୍ଷୀୟ ରେଣୁକାପ୍ପା । ତାଙ୍କ କାର୍ଯ୍ୟ ପରିସରରେ ରହିଥିଲା ସେ ଅଞ୍ଚଳର ଛଅଟି ଗାଁ ।

ସରକାରୀ ନିୟମ ଅନୁସାରେ ଦେବରାୟପାଟନାର ଏହି ଗ୍ରାମ୍ୟ ଡାକଘର ସକାଳ ୮ଟା ୩୦ରୁ ଅପରାହ୍‌ଣ ଗୋଟାଏ ଯାଏ ଖୋଲିବା କଥା । କିନ୍ତୁ ଏହି ଡାକଘରର ଏକମାତ୍ର କର୍ମଚାରୀ ହୋଇଥିବାରୁ, ରେଣୁକା ପ୍ରସାଦ ପ୍ରାୟ ସବୁଦିନ ସକାଳ ୭ଟାରେ କାମ ଆରମ୍ଭ କରନ୍ତି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରୁଥାଆନ୍ତି । “ସାଢ଼େ ଚାରି ଘଣ୍ଟା ମୋ କାମ ସାରିବା ପାଇଁ ଯଥେଷ୍ଟ ନୁହେଁ,” ବୋଲି ଆମକୁ ବୁଝାଇ ଦିଅନ୍ତି ଏହି ଡାକବାଲା ।

Renuka at work as a Gramin Dak Sevak (Rural Postal Service) in his office in Deverayapatna town in Tumkur district; and six villages fall in his jurisdiction
PHOTO • Hani Manjunath

ନିଜ ଅଫିସ୍‌ରେ କାର୍ଯ୍ୟରତ ତୁମକୁର ଜିଲ୍ଲାର ଦେବରାୟପାଟନା ସହରର ଗ୍ରାମୀଣ ଡାକ ସେବକ ରେଣୁକା ଏବଂ ତାଙ୍କ କାର୍ଯ୍ୟ ପରିସରରେ ରହିଛି ଏ ଅଞ୍ଚଳର ଛଅଟି ଗାଁ

ସକାଳେ ଏହି ଡାକବାବୁଙ୍କ କାମ ଆରମ୍ଭ ହୁଏ ତୁମକୁର ତାଲୁକା ଅନ୍ତର୍ଗତ ନିକଟବର୍ତ୍ତୀ ବେଲାଗୁମ୍ବା ଗାଁରୁ ଆସି ପହଞ୍ଚିଥିବା ଚିଠିପତ୍ର, ପତ୍ରିକା ଏବଂ ଦଲିଲ ଭର୍ତ୍ତି ଏକ ଡାକ ବ୍ୟାଗ୍‌ରୁ । ସବୁଦିନ ପ୍ରଥମେ ସେ ସମସ୍ତ ଚିଠିପତ୍ରର ପଞ୍ଜୀକରଣ କରନ୍ତି ଏବଂ ତା’ପରେ ଅପରାହ୍‌ଣ ପ୍ରାୟ ୨ଟା ବେଳକୁ ସେଗୁଡ଼ିକ ବାଣ୍ଟିବାକୁ ଯାଆନ୍ତି । ଯେଉଁ ଛଅଟି ଗାଁରେ ସେ ଚିଠିପତ୍ର ପହଞ୍ଚାନ୍ତି ସେଗୁଡ଼ିକ ହେଲା ଦେବରାୟପାଟନା, ମାରନାୟକାପାଲ୍ୟା, ପ୍ରଶାନ୍ତନଗରା, କୁନ୍ଦୁରୁ, ବନ୍ଦେପାଲ୍ୟା ଏବଂ ଶ୍ରୀନଗରା । ଏସବୁ ଗାଁ ଛଅ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ । ସେ ତାଙ୍କ ପତ୍ନୀ ରେଣୁକାମ୍ବାଙ୍କ ସହିତ ରହନ୍ତି । ତାଙ୍କର ତିନି ଜଣ ଯାକ ପ୍ରାପ୍ତବୟସ୍କା ଝିଅ ବାହାରକୁ ଚାଲି ଯାଇଛନ୍ତି ।

ସେ ଆମକୁ ତାଙ୍କ ଟେବୁଲ ଉପରେ ଝୁଲୁଥିବା ଛୋଟ ଏକ ହାତଅଙ୍କା ମାନଚିତ୍ର ଦେଖାଇ ଦିଅନ୍ତି, ଯେଉଁଥିରେ ତାଙ୍କର କେଉଁସବୁ ଗାଁକୁ ଯିବା ଦରକାର ହୁଏ, ସେଠାରୁ ସେଗୁଡ଼ିକର ଦୂରତା କେତେ ପ୍ରଭୃତି ଦର୍ଶାଯାଇଥାଏ ଏବଂ କନ୍ନଡ଼ ଭାଷାରେ ଚାରି ଦିଗକୁ ସୂଚାଉଥିବା ସଙ୍କେତ ସହିତ ମାନଚିତ୍ରରେ ବ୍ୟବହୃତ ଚିହ୍ନଗୁଡ଼ିକର ବିବରଣୀ ଲେଖାଯାଇଥାଏ । ସେଠାରୁ ସବୁଠାରୁ ପାଖ ଗାଁ ମାରନାୟକାପାଲ୍ୟା ରହିଛି ପୂର୍ବ ଦିଗରେ ୨ କିଲୋମିଟର ଦୂରରେ । ଅନ୍ୟ ଗାଁଗୁଡ଼ିକ ମଧ୍ୟରେ ସେଠାରୁ ପ୍ରାୟ ୨.୫ କିଲୋମିଟର ଦୂର ପଶ୍ଚିମରେ ପ୍ରଶାନ୍ତନଗରା, ୩ କିଲୋମିଟର ଦୂର ଉତ୍ତର ଓ ଦକ୍ଷିଣରେ ଯଥାକ୍ରମେ କୁନ୍ଦୁରୁ ଏବଂ ବାନ୍ଦେପାଲ୍ୟା ଗାଁ ଏବଂ ୫ କିଲୋମିଟର ଦୂରରେ ପଡ଼େ ଶ୍ରୀନଗରା ଗାଁ ।

ମୁଣ୍ଡଫଟା ଖରା ହେଉ କି ମୂଷଳ ଧାରା ବର୍ଷା, ଅଞ୍ଚଳର ଏକମାତ୍ର ଡାକବାଲା ରେଣୁକାପ୍ପା ବାହାରକୁ ବାହାରନ୍ତି ଏବଂ ସବୁଦିନ ଚିଠିପତ୍ର ବାଣ୍ଟନ୍ତି ।

ଏତେ ବାଟ ଯା’ଆସ କରିବା ଲାଗି ତାଙ୍କ ପାଖରେ ଅଛି ଖଣ୍ଡିଏ ପୁରୁଣା ସାଇକେଲ- ଠିକ୍‌ କାହାଣୀରେ ବର୍ଣ୍ଣିତ ଗତାନୁଗତିକ ଡାକବାଲା ସଦୃଶ – ସେ ସାଇକେଲ ଚଢ଼ି ଗାଁ ଦାଣ୍ଡରେ ଯିବା ବେଳେ ଅଭିବାଦନ ଜଣାଇବା ଲାଗି ତାଙ୍କ ପାଖକୁ ଧାଇଁ ଆସୁଥିବା ଲୋକଙ୍କୁ ସେ ସହର୍ଷ ଅଭିନନ୍ଦନ ଜଣାନ୍ତି ।

“ରେଣୁକାପ୍ପା, ଆମ ଘରେ ଆଜି ପୂଜା ଅଛି, ନିଶ୍ଚୟ ଆସିବେ!” ତାଙ୍କ ଘର ଆଗ ଦେଇ ଚାଲି ଚାଲି ଯାଉଥିବା ଜଣେ ମହିଳା ତାଙ୍କୁ ଡାକି ଡାକି କହନ୍ତି । ଅଳ୍ପ ହସି ସେ ତାଙ୍କ ଆଡ଼କୁ ଚାହିଁ ମୁଣ୍ଡ ହଲାଇ ହଁ କରନ୍ତି । ତାଙ୍କ ପାଖ ଦେଇ ଯାଉଥିବା ଗାଁର ଆଉ ଜଣେ ଲୋକ ତାଙ୍କ ଆଡ଼କୁ ଚାହିଁ ହାତ ହଲାଇ ବଡ଼ ପାଟିରେ ଅଭିବାଦନ ଜଣାନ୍ତି । ଉତ୍ତରରେ ରେଣୁକାପ୍ପା ମଧ୍ୟ ହସହସ ମୁହଁରେ ତାଙ୍କ ଆଡ଼କୁ ଚାହିଁ ହାତ ହଲାନ୍ତି । ଗାଁ ଲୋକ ଏବଂ ସେମାନଙ୍କର ପ୍ରିୟ ଡାକବାଲାଙ୍କ ମଧ୍ୟରେ ରହିଆସିଥିବା ସୁମଧୁର ସଂପର୍କକୁ ଏଥିରୁ ସ୍ପଷ୍ଟ ବୁଝିହୁଏ ।

Renuka travels on his bicycle (left) delivering post. He refers to a hand drawn map of the villages above his desk (right)
PHOTO • Hani Manjunath
Renuka travels on his bicycle (left) delivering post. He refers to a hand drawn map of the villages above his desk (right)
PHOTO • Hani Manjunath

ରେଣୁକା ତାଙ୍କ ସାଇକେଲରେ ଯାଇ (ବାମ) ଚିଠିପତ୍ର ବାଣ୍ଚନ୍ତି । ତାଙ୍କ ମେଜ ଉପରେ ଥିବା ଏକ ହାତଅଙ୍କା ମାନଚିତ୍ରକୁ ସେ ଦେଖାଇ ଦିଅନ୍ତି (ଡାହାଣ)

ଚିଠି ବାଣ୍ଟିବା ପାଇଁ ଦିନକୁ ହାରାହାରି ୧୦ କିଲୋମିଟର ଯିବାଆସିବା କରନ୍ତି ଏହି ଡାକବାଲା । ଘରକୁ ଫେରିଯିବା ପୂର୍ବରୁ ସେ ସେଦିନ ଦେଇଥିବା ସମସ୍ତ ଚିଠିପତ୍ରର ହିସାବକୁ ଗୋଟିଏ ମୋଟା, ପୁରୁଣା ଖାତାରେ ଲେଖି ରଖନ୍ତି ।

ରେଣୁକାପ୍ପା କହନ୍ତି ଯେ ଅନ୍‌ଲାଇନ୍‌ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ଚିଠି ସଂଖ୍ୟା କମିବାରେ ଲାଗିଛି ସତ, “କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ପତ୍ରପତ୍ରିକା, ବ୍ୟାଙ୍କ କାଗଜପତ୍ର ପ୍ରଭୃତିର ସଂଖ୍ୟା ଦୁଇଗୁଣ ହୋଇଛି ଏବଂ ତେଣୁ, ମୋ କାମ ମଧ୍ୟ ବଢ଼ିଛି ।”

ଗ୍ରାମୀଣ ଡାକ ସେବକମାନଙ୍କୁ ‘ଅତିରିକ୍ତ ବିଭାଗୀୟ କର୍ମଚାରୀ’ ଭାବେ ବିଚାର କରାଯାଏ ଏବଂ ସେମାନଙ୍କୁ ଅବସରକାଳୀନ ଭତ୍ତା ବା ପେନ୍‌ସନ୍‌ ତ ଦୂରର କଥା, ଅନ୍ୟାନ୍ୟ ସରକାରୀ ଭତ୍ତା ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ କରାଯାଏ ନାହିଁ । ସେମାନେ ଡାକ ବିଭାଗରେ ସବୁ ପ୍ରକାର କାମ କରନ୍ତି, ଯେମିତି କି ଡାକଟିକଟ ଓ ଲିଖନ ସାମଗ୍ରୀ ବିକ୍ରି କରନ୍ତି, ଡାକ ପରିବହନ ଏବଂ ପହଞ୍ଚାଇବା କାମ କରନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗୀୟ କାମ ବି କରନ୍ତି । ସେମାନଙ୍କ ସେବାକୁ ନିୟମିତ ସରକାରୀ ସେବାର ଅଂଶ ରୂପେ ବିବେଚନା କରାଯାଉ ଥିବାରୁ ସେମାନଙ୍କୁ କେନ୍ଦ୍ରୀୟ ସରକାରୀ ସେବା ପେନ୍‌ସନ୍ ବା ସିସିଏସ୍‌ (ପେନ୍‌ସନ୍‌) ଆଇନ, ୨୦୨୧ ରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ସଂପ୍ରତି ସେମାନଙ୍କୁ ସରକାରୀ ପେନ୍‌ସନ୍‌ ବା ଅନୁରୂପ ସୁବିଧା ସୁଯୋଗ ଦେବା ଲାଗି କୌଣସି ପ୍ରସ୍ତାବ ସରକାରଙ୍କ ମଞ୍ଜୁରି ଅପେକ୍ଷାରେ ନାହିଁ । ହେଲେ, ସେମାନଙ୍କୁ ୦୧/୦୪/୨୦୧୧ରୁ କାର୍ଯ୍ୟକାରୀ ହୋଇଥିବା ସେବା ପ୍ରଦାନ ନିମନ୍ତେ ସୁବିଧା ଯୋଜନା ବା ‘ସର୍ଭିସ୍‌ ଡିସ୍‌ଚାର୍ଜ ବେନିଫିଟ୍‌ ସ୍କିମ୍’ର ସମସ୍ତ ସୁବିଧା ପ୍ରଦାନ କରାଯାଉଛି ।

ରେଣୁକାପ୍ପା ଚାକିରିରୁ ଅବସର ନେବା ପରେ ତାଙ୍କର ମାସିକ ଦରମା ୨୦,୦୦୦ ଟଙ୍କା ବନ୍ଦ ହୋଇଯିବ ଏବଂ ସେ କୌଣସି ପ୍ରକାର ପେନ୍‌ସନ୍ ପାଉ ନଥିବେ । ସେ କହନ୍ତି, “ମୋ ଭଳି ଡାକବାଲାମାନେ, ଏତେ ବର୍ଷ ଧରି ଆମେ ଅପେକ୍ଷା କଲୁ, କିଛି ଗୋଟାଏ ପରିବର୍ତ୍ତନ ହେବ ବୋଲି ଆଶା ବାନ୍ଧିଥିଲୁ । କେହି ଜଣେ ଆମର ଏ କଠିନ ପରିଶ୍ରମକୁ ସ୍ୱୀକୃତି ଦିଅନ୍ତୁ ବୋଲି ଆମେ ଅପେକ୍ଷା କରିଥିଲୁ । ଆମକୁ ଯଦି ଅନ୍ୟ ଅବସରପ୍ରାପ୍ତ କର୍ମଚାରୀମାନେ ପାଉଥିବା ପେନ୍‌ସନ୍‌ର ଅଳ୍ପ କିଛି ଅଂଶ ବି ଦିଆଯାଆନ୍ତା, ଏଇ ଯେମିତି ହଜାରେ କି ଦି’ହଜାର ଟଙ୍କା, ତାହେଲେ ବି ଆମ ପାଇଁ ସେତକ ଯଥେଷ୍ଟ ହୁଅନ୍ତା ।” ଉଦାସ କଣ୍ଠରେ ସେ ଆହୁରି କହନ୍ତି, “ଏହା ବଦଳିବା ବେଳକୁ ମୁଁ ଅବସର ନେଇସାରିଥିବି ।”

Renuka covers 10 km on an average day, delivering post
PHOTO • Hani Manjunath
Renuka covers 10 km on an average day, delivering post
PHOTO • Hani Manjunath

ଡାକ ବାଣ୍ଟି ବାଣ୍ଟି ରେଣୁକା ଦିନକୁ ହାରାହାରି ୧୦ କି.ମି. ଯା ଆସ କରନ୍ତି

Renuka's stamp collection, which he collected from newspapers as a hobby.
PHOTO • Hani Manjunath

ରେଣୁକାଙ୍କ ସଂଗୃହୀତ ଡାକଟିକଟ, ସଉକରେ ଏଗୁଡ଼ିକୁ ସେ ଖବରକାଗଜରୁ କାଟି ସଂଗ୍ରହ କରିଛନ୍ତି

କାନ୍ଥରେ ଲାଗିଥିବା ଖବରକାଗଜର ଛୋଟ ଛୋଟ କଟା ଅଂଶ ସମୂହର ଏକ ଲାମିନେଟେଡ୍‌ ପୋଷ୍ଟର ସଂପର୍କରେ ମୁଁ ଯେତେବେଳେ ପଚାରିଲି ସେ ଉତ୍ସାହିତ ହୋଇପଡ଼ିଲେ । ସେ କହନ୍ତି, “ଏହି ପୋଷ୍ଟରଟି ମୋତେ ଟିକେ ଆନନ୍ଦ ଦିଏ । ମୁଁ ଏହାକୁ ଆଞ୍ଚେଚିଟି (ଡାକଟିକଟ) ପୋଷ୍ଟର ବୋଲି କହେ ।”

“ଏବେ ଏହା ମୋର ସଉକ ହୋଇଯାଇଛି । କିଛି ବର୍ଷ ତଳେ, ବିଖ୍ୟାତ କବି, ସ୍ୱାଧୀନତା ସଂଗ୍ରାମୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ମାନାର୍ଥେ ଖବରକାଗଜରେ ଏହି ସବୁ ଡାକଟିକଟ ପ୍ରକାଶିତ ହୋଇଥିଲା ।” ଖବରକାଗଜରେ ପ୍ରକାଶିତ ହେଲା ମାତ୍ରେ ହିଁ ରେଣୁକା ଖବରକାଗଜରୁ କାଟି ସେଗୁଡ଼ିକୁ ସଂଗ୍ରହ କରିବା ଆରମ୍ଭ କଲେ । “ଆଉ ଗୋଟିଏ ଟିକଟ ବାହାରିବା ଯାଏ ଅପେକ୍ଷା କରିବାକୁ ଭଲ ଲାଗୁଥିଲା ।”

ଏହି ଲେଖା ସଂଯୋଜନାରେ ସହାୟତା ନିମନ୍ତେ ଆମେ ତୁମକୁରର ଟିଭିଏସ୍‌ ଏକାଡେମୀର ଶିକ୍ଷକ ଶ୍ୱେ ତା ସତ୍ୟନାରାୟଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏହି ସହଯୋଗିତାର ଅଂଶବିଶେଷ ଭାବରେ ପରୀ ଏଜୁକେଶନ ନିମ୍ନୋକ୍ତ ଛାତ୍ରଛାତ୍ରୀଙ୍କ ସହିତ କାର୍ଯ୍ୟ କରିଥିଲା : ଆଦିତ୍ୟ, ଆସ୍ଥା, ଧୃତି, ଦିବ୍ୟଶ୍ରୀ, କୁଶୀ ଜୈନ, ନେହା, ପ୍ରଣୀତ, ପ୍ରଣତୀ.ଏସ୍‌,. ପ୍ରାଞ୍ଜଲା, ସଂହିତା, ଗୁଣୋତ୍ତମ, ପରିଣୀତା, ନିରୁତା ଏବଂ ଉତ୍ସବ ।

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Hani Manjunath

Hani Manjunath is a student of TVS Academy, Tumkur.

Other stories by Hani Manjunath
Editor : PARI Education Team

We bring stories of rural India and marginalised people into mainstream education’s curriculum. We also work with young people who want to report and document issues around them, guiding and training them in journalistic storytelling. We do this with short courses, sessions and workshops as well as designing curriculums that give students a better understanding of the everyday lives of everyday people.

Other stories by PARI Education Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE