ଅଶୋକ ଜାଟବ ଜଣେ ମୃତ ବ୍ୟକ୍ତି, ଯେ କି ନିଜ ପାଦରେ ଚାଲୁଛନ୍ତି।

ଯେ କୌଣସି ଅନ୍ୟ ବ୍ୟକ୍ତିଙ୍କ ଭଳି ଏହି ୪୫ ବର୍ଷୀୟ ବ୍ୟକ୍ତି ଜଣକ ବି ସବୁଦିନ ସକାଳୁ ଉଠନ୍ତି। କାମ କରିବାକୁ ଯାଆନ୍ତି, ଏବଂ ଅନ୍ୟ ଯେ କୌଣସି ଶ୍ରମିକଙ୍କ ଭଳି ଅନ୍ୟମାନଙ୍କର ଚାଷଜମିରେ କାମ କରନ୍ତି। ଅନ୍ୟ ଶ୍ରମିକଙ୍କ ଭଳି ସେ ମଧ୍ୟ କାମ ସାରି ସନ୍ଧ୍ୟାରେ ଘରକୁ ଫେରନ୍ତି। ହେଲେ ସେ ଓ ତାଙ୍କ ଭଳି ଅନ୍ୟମାନଙ୍କ ମଧ୍ୟରେ କେବଳ ଗୋଟିଏ ଫରକ ରହିଛି: ସରକାରୀ ଭାବେ, ଅଶୋକ ମୃତ।

୨୦୨୩ ଜୁଲାଇରେ ଖୋରଘର ବାସିନ୍ଦା ଅଶୋକ ଜାଣିପାରିଲେ ଯେ, ଦୁଇ ବର୍ଷରୁ ଅଧିକ ସମୟ ହେଲା ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ରେ ତାଙ୍କୁ ମିଳୁଥିବା ୬,୦୦୦ ଟଙ୍କା ପାଇନାହାନ୍ତି। ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଏହି ଯୋଜନାରେ ଚାଷୀମାନେ ସେମାନଙ୍କ ସର୍ବନିମ୍ନ ଆୟ ବାବଦରେ ବର୍ଷକୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ।

ପ୍ରଥମ କେଇ ବର୍ଷ ପାଇଁ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯାଉଥିଲା। ତା’ପରେ ଏହା ହଠାତ ବନ୍ଦ ହୋଇଗଲା। ସେ ଭାବିଲେ, ହୁଏତ କମ୍ପ୍ୟୁଟରରେ କେଉଁଠି ତ୍ରୁଟି ରହିଯାଇଥିବ ଏବଂ ତାହା ଆପେ ଆପେ ଠିକ୍ ହୋଇଯିବ। ହଁ, ତ୍ରୁଟି ତ ରହିଥିଲା। କିନ୍ତୁ, ଯେମିତି ସେ ଭାବିଥିଲେ, ସେମିତି ନୁହେଁ।

କାହିଁକି ତାଙ୍କୁ ଟଙ୍କା ମିଳିବା ବନ୍ଦ ହୋଇଗଲା ବୋଲି ବୁଝିବା ପାଇଁ ସେ ଯେତେବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ, କମ୍ପ୍ୟୁଟର ପଛପଟେ ବସିଥିବା ବ୍ୟକ୍ତି ଜଣକ ତାଙ୍କ ସଂପର୍କିତ ତଥ୍ୟ ଉପରେ ନଜର ପକାଇଲେ ଏବଂ ୨୦୨୧ ମସିହାରେ, କୋଭିଡ୍- ୧୯ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଶାନ୍ତ ଭାବରେ ଜଣାଇଦେଲେ। ଏଥିରେ ସେ ହସିବେ କି କାନ୍ଦିବେ ବୋଲି ସ୍ଥିର କରି ପାରି ନଥିଲେ। ଅଶୋକ କହନ୍ତି, “ମୁଝେ ସମଝ ନହିଁ ଆୟା ଇସପେ କ୍ୟା ବୋଲୁ (କ’ଣ ଆଉ କହିବି ବୋଲି ମୁଁ ଜାଣିପାରିଲିନି)।”

Ashok Jatav, a farm labourer from Khorghar, Madhya Pradesh was falsely declared dead and stopped receiving the Pradhan Mantri Kisan Samman Nidhi . Multiple attempts at rectifying the error have all been futile
PHOTO • Parth M.N.

ମଧ୍ୟ ପ୍ରଦେଶର ଖୋରଘର ବାସିନ୍ଦା ଜଣେ କୃଷି ଶ୍ରମିକ ଅଶୋକ ଜାଟବଙ୍କୁ ମିଛରେ ମୃତ ବୋଲି ଘୋଷଣା କରିଦିଆଗଲା ଏବଂ ତାଙ୍କୁ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ସହାୟତା ମିଳିବା ବନ୍ଦ ହୋଇଗଲା। ସେ ଏହି ତ୍ରୁଟି ସୁଧାରିବା ସକାଶେ ବାରମ୍ବାର ଚେଷ୍ଟା କରି ବ୍ୟର୍ଥ ହୋଇଛନ୍ତି

ସେ ଜାଟବ ସଂପ୍ରଦାୟର ଜଣେ ଶ୍ରମିକ। ମଧ୍ୟ ପ୍ରଦେଶରେ ଏହି ସଂପ୍ରଦାୟ ଅଧିସୂଚିତ ଜାତି ତାଲିକାଭୁକ୍ତ। ଅନ୍ୟମାନଙ୍କ ଚାଷଜମିରେ କାମ କରି ସେ ଦିନକୁ ୩୫୦ ଟଙ୍କା ପାଆନ୍ତି ଏବଂ ସେଥିରେ ଗୁଜରାଣ ମେଣ୍ଟାନ୍ତି। ଅଶୋକଙ୍କର ନିଜର ବି ଗୋଟିଏ ଏକର ଜମି ଅଛି ଏବଂ ସେଥିରେ ସେ ନିଜ ପରିବାରର ଖାଦ୍ୟ ପାଇଁ ଫସଲ କରନ୍ତି। ତାଙ୍କ ସ୍ତ୍ରୀ ଲୀଲା ବି ଜଣେ କୃଷି ଶ୍ରମିକ।

ଶିବପୁରୀ ଜିଲ୍ଲାରେ ତାଙ୍କ ଗାଁର ଏକ ଚାଷଜମିରୁ ସୋୟାବିନ କାଟିବା ବେଳେ ଟିକେ ଅଟକି ଯାଇ ଅଶୋକ କହନ୍ତି, “ଆମେ ଦିନରେ ରୋଜଗାର କଲେ, ରାତିରେ ଆମକୁ ଖାଇବାକୁ ମିଳେ। ବର୍ଷକୁ ୬,୦୦୦ ଟଙ୍କା ହୁଏତ ବେଶୀ ଲାଗି ନପାରେ। କିନ୍ତୁ ଆମ ପାଇଁ ଯାହା ମିଳିଲେ ବି ଭାଗ୍ୟର କଥା।  ମୋର ୧୫ ବର୍ଷର ପୁଅଟିଏ ଅଛି। ସେ ସ୍କୁଲରେ ପଢୁଛି ଏବଂ ଆଗକୁ ଆହୁରି ପଢ଼ିବାକୁ ଚାହୁଁଛି। ଆଉ ସବୁଠୁ ବଡ଼କଥା, ଏବେ ମୁଁ ମରିବାକୁ ଚାହୁଁନାହିଁ।”

ତାଙ୍କ ମୃତ୍ୟୁ ପ୍ରମାଣପତ୍ରକୁ ଖାରଜ କରିବା ଲାଗି ସେ ନିଜେ ଶିବପୁରୀର ଜିଲ୍ଲାପାଳଙ୍କୁ ଲେଖି ଜଣାଇଥିଲେ। ଗାଁରେ ଆୟୋଜିତ ପରବର୍ତ୍ତୀ ଜନଶୁଣାଣି ଅବସରରେ ସେ ଗ୍ରାମ ପଞ୍ଚାୟତ ଆଗରେ ଏ ପ୍ରସଙ୍ଗ ଉଠାଇଥିଲେ ଏବଂ ତାଙ୍କ ଆବେଦନ ସଂପର୍କିତ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରିଥିଲେ। ଜନଶୁଣାଣି ପରେ ପଞ୍ଚାୟତ ଅଧିକାରୀମାନେ ତାଙ୍କ ପାଖକୁ ଆସିଥିଲେ ଏବଂ ସେ ଜୀବିତ ଅଛନ୍ତି ବୋଲି ପ୍ରମାଣ କରିବାକୁ ପଡ଼ିବ ବୋଲି ତାଙ୍କୁ କହିଥିଲେ। “ମୁଁ ସେମାନଙ୍କ ଆଗରେ ଠିଆ ହୋଇଥିଲି,” ବିସ୍ମିତ ଭାବରେ ସେ କହନ୍ତି, “ଆଉ କେଉଁ ପ୍ରମାଣ ସେମାନେ ଦରକାର କରୁଛନ୍ତି ?

କେବଳ ସେ ଜଣେ ଏଭଳି ଅସ୍ୱାଭାବିକ ଏବଂ କଷ୍ଟଦାୟକ ପରିସ୍ଥିତିରେ ପଡ଼ିନାହାନ୍ତି।

Ashok was asked by the officials to prove that he is alive. ‘I stood in front of them,' he says, bewildered , 'what more proof do they need?’
PHOTO • Parth M.N.

ସେ ଜୀବିତ ବୋଲି ପ୍ରମାଣ କରିବାକୁ ଅଧିକାରୀମାନେ ଅଶୋକଙ୍କୁ କହିଲେ। 'ମୁଁ ସେମାନଙ୍କ ଆଗରେ ଠିଆ ହୋଇଥିଲି,' ବିସ୍ମିତ ଭାବରେ ସେ କହନ୍ତି, 'ଆଉ କି ପ୍ରମାଣ ସେମାନେ ଦରକାର କରୁଛନ୍ତି?'

୨୦୧୯ ଏବଂ ୨୦୨୨ ମସିହା ଭିତରେ, ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ମଝିରେ ଥିବା ସ୍ଥାନୀୟ ସଂସ୍ଥା- ବ୍ଲକ୍ ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ କମ୍ପ୍ୟୁଟର ଅପରେଟର ମିଶି ଏକ ଜାଲିଆତି କାରବାର ଆରମ୍ଭ କଲେ ଏବଂ  ଶିବପୁରୀ ଜିଲ୍ଲାର ୧୨ରୁ ୧୫ଟି ଗାଁର ୨୬ ଜଣ ଲୋକଙ୍କୁ ସରକାରୀ କାଗଜପତ୍ରରେ ମାରିଦେଲେ।

ମୁଖ୍ୟମନ୍ତ୍ରୀଙ୍କ ସମ୍ବଳ ଯୋଜନା ଅନୁସାରେ କୌଣସି ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଜ୍ୟ ସରକାର ତାଙ୍କ ପରିବାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏହି ଜାଲିଆତିରେ ସଂପୃକ୍ତ ବ୍ୟକ୍ତିମାନେ ମୃତ ଘୋଷିତ ୨୬ ଜଣଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡ଼ପ କରିନେଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଠକେଇ ଓ ଜାଲିଆତି ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ୪୨୦, ୪୬୭, ୪୬୮ ଏବଂ ୪୦୯ ଦଫାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଶିବପୁରୀ ଥାନାର ଟାଉନ୍ ଇନସପେକ୍ଟର ବିନୟ ଯାଦବ କହନ୍ତି, “ଆମେ ଏତଲାରେ ଗଗନ ବାଜପେୟୀ, ରାଜୀବ ମିଶ୍ରା, ଶୈଳେନ୍ଦ୍ର ପରମା, ସାଧନା ଚୌହାନ ଏବଂ ଲତା ଦୁବେଙ୍କ ନାଁ ଉଲ୍ଲେଖ କରିଛୁ। ତଦନ୍ତ ପାଇଁ ଆମେ ଆଉ ଅଧିକ ସୁରାକ ଖୋଜୁଛୁ।”

ନିଜ ନାମ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସ୍ଥାନୀୟ ସାମ୍ବାଦିକମାନଙ୍କ ମତରେ ଅଧିକ ଅନୁସନ୍ଧାନ ହେଲେ ଶିବପୁରୀର ଆହୁରି ଅଧିକ ମୃତବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପଦାକୁ ଆସିବ। ସେମାନଙ୍କ କହିବା କଥା ଯେ, ନିରପେକ୍ଷ ତଦନ୍ତ ହେଲେ ଏହି ଜାଲିଆତି ପଛରେ ରହିଥିବା ବଡ଼ବଡ଼ିଆମାନେ ଧରାପଡ଼ିବେ।

ତେଣେ, ଯେଉଁମାନଙ୍କୁ ମୃତ ଘୋଷିତ କରାଯାଇଥିଲା, ସେମାନଙ୍କୁ ଏହାର ପରିଣତି ଭୋଗିବାକୁ ପଡୁଛି।

Dataram Jatav, another victim of the scam, says, ‘when you declare me dead, I lose access to all credit systems available to me’. In December 2022, the farmer from Khorgar could not get a loan from the bank to buy a tractor
PHOTO • Parth M.N.

ଏହି ଜାଲିଆତିର ଶିକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଦାତାରାମ ଜାଟବ କହନ୍ତି, ‘ଯେତେବେଳେ ମୋତେ ମୃତ ଘୋଷଣା କରିଦିଆଯାଏ, ମୋତେ ମିଳୁଥିବା ସବୁ ପ୍ରକାର ଋଣ ଓ ସହାୟତା ସୁବିଧାରୁ ମୁଁ ବଞ୍ଚିତ ହୁଏ।’ ୨୦୨୨ ଡିସେମ୍ବରରେ ଖୋରଘର ନିବାସୀ ଏହି ଚାଷୀ ଜଣକ ଗୋଟିଏ ଟ୍ରାକ୍ଟର କିଣିବା ଲାଗି ବ୍ୟାଙ୍କରୁ ଋଣ ପାଇପାରି ନଥିଲେ

ଖୋରଘରରେ ପାଞ୍ଚ ଏକର ଜମିର ମାଲିକ ୪୫ ବର୍ଷୀୟ ଦାତାରାମ ଜାଟବଙ୍କ ଟ୍ରାକଟର ପାଇଁ ଋଣ ଆବେଦନକୁ ସେହି ଏକା କାରଣରୁ ରଦ୍ଦ କରି ଦିଆଗଲା। ୨୦୨୨ ଡିସେମ୍ବରରେ ତାଙ୍କର ଟ୍ରାକଟର କିଣିବା ଲାଗି ଟଙ୍କା ଦରକାର ପଡ଼ିଲା ଏବଂ ସେ ବ୍ୟାଙ୍କକୁ ଗଲେ- ଏହା ହିଁ ସିଧାସଳଖ ବାଟ। ହୁଏତ ସେ ଏହା ହିଁ ଭାବିଥିଲେ। ‘ଯଦି କେହି ମରିଯାଇଥାଆନ୍ତି, ତେବେ ଋଣ ପାଇବା କଷ୍ଟକର ହୋଇପଡ଼େ,” ହସିହସି କହନ୍ତି ଦାତାରାମ। “କାହିଁକି ମରିଗଲି ବୋଲି ମୁଁ ଆଶ୍ଚର୍ଯ୍ୟ ହେଲି।”

ଗମ୍ଭୀର ଭାବରେ ଦାତାରାମ ବୁଝାଇ କହନ୍ତି ଯେ, ସରକାରୀ ସୁବିଧା, ଯୋଜନା ଏବଂ ରିହାତିରେ ଋଣ ପାଇବା ଜଣେ ଚାଷୀଙ୍କ ପାଇଁ ଜୀବନରେଖା ଭଳି। “ମୋ ନାଁରେ ଗୋଟିଏ ବହୁତ ବଡ଼ ଋଣ ଅଛି,” କେତେ ଟଙ୍କାର ବୋଲି ନ ଜଣାଇ ସେ କହନ୍ତି। “ଆପଣ ଯେତେବେଳେ ମୋତେ ମୃତ ଘୋଷଣା କରି ଦିଅନ୍ତି, ମୁଁ ମୋତେ ମିଳୁଥିବା ସବୁ ପ୍ରକାର ଋଣ ସୁବିଧାରୁ ବଞ୍ଚିତ ହୁଏ। ମୁଁ ମୋ ଜମି ଚାଷ କରିବା ଲାଗି ମୂଳଧନ କେଉଁଠୁ ଆଣିବି ? ମୁଁ କେମିତି ଫସଲ ଋଣ ପାଇବି ? ଘରୋଇ ସାହୁକାରଙ୍କ ପାଖକୁ ଯିବା ବ୍ୟତୀତ ମୋ ପାଖରେ ଆଉ କିଛି ବିକଳ୍ପ ରାସ୍ତା ନାହିଁ,” କଥା ଯୋଡ଼ି କହନ୍ତି ସେ।

ଘରୋଇ ସାହୁକାର ବା ଅତ୍ୟଧିକ ସୁଧହାରରେ ଋଣ ଦେଉଥିବା ଋଣଦାତା କାଗଜପତ୍ର କାମ ଦରକାର କରନ୍ତିନି। ପ୍ରକୃତରେ କେହି ବଞ୍ଚିଛନ୍ତି କି ନାହିଁ ସେଥିରେ ବି ସେମାନଙ୍କର କିଛି ଯାଏଆସେ ନାହିଁ। ସେମାନେ କେବଳ ଚଢ଼ା ସୁଧ ହାରରେ ହିସାବ କରନ୍ତି ଯାହା କି ମାସକୁ ୪ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ଥରେ ଏଭଳି ଋଣଦାତାଙ୍କ କବଳରେ ପଡ଼ିଗଲେ ଚାଷୀମାନେ ବର୍ଷ ବର୍ଷ ଧରି ଖାଲି ସୁଧ ପରିଶୋଧ କରି ଚାଲନ୍ତି ଏବଂ ମୂଳ ଋଣ ସେହିପରି ଥାଏ। ସୁତରାଂ, ଅତି ଅଳ୍ପ ପରିମାଣର ବୋଲି ମନେ କରାଯାଉଥିବା ଋଣ ବି ସେମାନଙ୍କ ବେକରେ ବଡ଼ ଅଜଗର ସାପ ଭଳି ଗୁଡ଼ାଇ ହୋଇଯାଏ।

ଦାତାରାମ କହନ୍ତି, “ମୁଁ ଏବେ ଘୋର ଅସୁବିଧାରେ ରହୁଛି। ମୋର ଦୁଇଟି ପୁଅ ବିଇଡ଼ି ଓ ବିଏ ପଢୁଛନ୍ତି। ମୁଁ ସେମାନଙ୍କୁ ଶିକ୍ଷିତ କରାଇବାକୁ ଚାହେଁ। କିନ୍ତୁ ଏହି ଠକେଇ ଯୋଗୁଁ ମୁଁ ନିହାତି ଏକ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ଏବଂ ଏବେ ମୋର ସମଗ୍ର ଆର୍ଥିକ ସ୍ଥିତି ଉପରେ ଏହାର କୁପ୍ରଭାବ ପଡ଼ିଲା।”

Left: Ramkumari with her grandchild in their house in Khorghar and (right) outside her home. Her son Hemant was a victim of the fraud. While they did not suffer financial losses, the rumour mills in the village claimed they had declared Hemant dead on purpose to receive the compensation. ' I was disturbed by this gossip,' says Ramkumari, 'I can’t even think of doing that to my own son'
PHOTO • Parth M.N.
Left: Ramkumari with her grandchild in their house in Khorghar and (right) outside her home. Her son Hemant was a victim of the fraud. While they did not suffer financial losses, the rumour mills in the village claimed they had declared Hemant dead on purpose to receive the compensation. ' I was disturbed by this gossip,' says Ramkumari, 'I can’t even think of doing that to my own son'
PHOTO • Parth M.N.

ବାମ: ଖୋରଘର ଗାଁରେ ତାଙ୍କ ଘର ବାହାରେ ନାତିନାତୁଣୀଙ୍କ ସହିତ ରାମକୁମାରୀ (ଡାହାଣ)। ତାଙ୍କ ପୁଅ ହେମନ୍ତ ଏହି ଠକେଇର ଶିକାର ହୋଇଛନ୍ତି। ଯଦିଓ ତାଙ୍କ ପରିବାରର କୌଣସି ଆର୍ଥିକ କ୍ଷତି ହୋଇନାହିଁ, ତଥାପି କ୍ଷତିପୂରଣ ପାଇବା ଆଶାରେ ସେମାନେ ହେମନ୍ତଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଗାଁରେ ଗୁଜବ ରଟିଯାଇଛି। 'ଗାଁ ଲୋକଙ୍କ ଏମିତି କଥା ମୋତେ ବାଧିଛି,' ରାମକୁମାରୀ କହନ୍ତି, ‘ମୋ ନିଜ ପୁଅ ବିଷୟରେ ଏମିତି କଥା ମୁଁ ଭାବି ପାରିବିନି’

୪୫ ବର୍ଷୀୟା ରାମକୁମାରୀ ରାୱତଙ୍କ କ୍ଷେତ୍ରରେ ଏହି ଠକେଇର ପରିଣତି କିଛିଟା ଭିନ୍ନ ଧରଣର ହୋଇଥିଲା। ତାଙ୍କ ୨୫ ବର୍ଷର ପୁଅ ହେମନ୍ତ ଏହି ଠକେଇର ଶିକାର ହୋଇଥିଲେ। ସୌଭାଗ୍ୟବଶତଃ ସେମାନଙ୍କର ୧୦ ଏକର ଚାଷଜମିର ମାଲିକାନା ତାଙ୍କ ବାପାଙ୍କ ନାଁରେ ଥିବାରୁ ତାଙ୍କୁ ଆର୍ଥିକ ଦୁଃସ୍ଥିତିର ମୁକାବିଲା କରିବାକୁ ପଡ଼ି ନଥିଲା।

“କିନ୍ତୁ ଲୋକେ ଆମ ପଛରେ କହିବା ଆରମ୍ଭ କରିଦେଲେ,” ରାମକୁମାରୀ କହନ୍ତି। ଖୋରଘର ଗାଁରେ ତାଙ୍କ ଘର ବାରଣ୍ଡାରେ ନାତିକୁ ଝୁଲା ଝୁଲାଇ ଦେଉ ଦେଉ ସେ କହନ୍ତି, “୪ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବା ଲାଗି ଆମେ ଉଦ୍ଦେଶ୍ୟମୂଳକ ଭାବେ କାଗଜପତ୍ରରେ ନିଜ ପୁଅକୁ ମାରି ଦେଇଛୁ ବୋଲି ଗାଁ ଲୋକେ ସନ୍ଦେହ କଲେ। ସେମାନଙ୍କର ଏହି କଥା ମୋତେ ବାଧିଲା। ନିଜ ପୁଅ ବିଷୟରେ ମୁଁ ଏହା ଚିନ୍ତା ହିଁ କରିପାରିବିନି।”

ଗୁଜବରୁ ସୃଷ୍ଟ ଏଭଳି ଅପବାଦରୁ ମୁକ୍ତି ପାଇବା ପାଇଁ କେଇ ସପ୍ତାହ ଧରି ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଲା ବୋଲି କହନ୍ତି ରାମକୁମାରୀ। ସେ ମାନସିକ ଶାନ୍ତି ହରାଇ ବସିଥିଲେ। “ମୁଁ ଅସ୍ଥିର ଆଉ ପାଗଳପ୍ରାୟ ହୋଇଗଲି,” ସେ ସ୍ୱୀକାର କରନ୍ତି। “କେମିତି ଏହି ସ୍ଥିତିର ସିଧାସଳଖ ମୁକାବିଲା କରି ଲୋକଙ୍କ ମୁହଁ ବନ୍ଦ କରିବି ବୋଲି ମୋତେ ଚିନ୍ତା ଘାରିଲା।”

ସେପଟେମ୍ବର ପ୍ରଥମ ସପ୍ତାହରେ, ରାମକୁମାରୀ ଓ ହେମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଘଟଣାରେ ହସ୍ତକ୍ଷେପ କରିବା ଲାଗି ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ କଲେ। “ମୁଁ ତାଙ୍କୁ କହିଲି ଯେ ମୁଁ ବଞ୍ଚିଛି,’ ସାମାନ୍ୟ ହସି ହେମନ୍ତ କହନ୍ତି। “ଏମିତି ଏକ ଆବେଦନପତ୍ର ନେଇ ତାଙ୍କ ଅଫିସକୁ ଯିବା ବିଚିତ୍ର ମନେ ହେଲା। କିନ୍ତୁ ଆମେ ଯାହା କରିପାରିବୁ, ତାହା ହିଁ କଲୁ। ଆଉ ବା ଆମ ହାତରେ କ’ଣ ଅଛି ? ଆମେ ଜାଣିଛୁ ଯେ ଆମେ କିଛି ଭୁଲ କରିନାହୁଁ। ଆମ ମନ ସଂପୂର୍ଣ୍ଣ ନିର୍ମଳ,” ସେ କହନ୍ତି।

ଏଣିକି ଅଶୋକ ବି ଆଉ ନିଜକୁ ଜୀବିତ ପ୍ରମାଣିତ କରିବା ଉଦ୍ୟମ ଛାଡ଼ି ଦେଇଛନ୍ତି। ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାମ ଖୋଜିବା ଏବଂ ଦୁଇ ବେଳା ପାଇଁ ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ ପ୍ରଥମ କାମ। “ଏବେ ଅମଳ ଋତୁ ଚାଲିଥିବାରୁ ସବୁଦିନ କାମ ମିଳୁଛି,” ସେ କହନ୍ତି। ଅନ୍ୟ ସମୟରେ କେବେ କେମିତି କାମ ମିଳେ। ତେଣୁ ମୋତେ ସହର ପାଖ ଅଞ୍ଚଳକୁ ଯାଇ କାମ ଖୋଜିବାକୁ ପଡ଼ିବ।”

ଯେତେବେଳେ ବି ସମୟ ମିଳେ, ସେ ତାଙ୍କ ଆବେଦନର ଫଳାଫଳ ଜାଣିବାକୁ ଚେଷ୍ଟା କରନ୍ତି। ଅନେକ ଥର ସେ ମୁଖ୍ୟମନ୍ତ୍ରୀଙ୍କ ହେଲପଲାଇନ୍ ନମ୍ବରକୁ ବି କଲ୍ କରିଛନ୍ତି। କିନ୍ତୁ ତାଙ୍କର ଏହି ଉଦ୍ୟମ ବି ବ୍ୟର୍ଥ ହୋଇଛି। ସେ ସରକାରୀ ଅଫିସକୁ ଦୌଡ଼ିବାରେ ସମୟ ନଷ୍ଟ କରି ମଜୁରି ହରାଇଲେ ଚଳିବନି। “ ଅବ ଜବ ୱହ ଠିକ୍ ହୋଗା ତବ ହୋଗା (ଯେତେବେଳେ ତାହା ଠିକ୍ ହେବ ତ ହେବ)”, ସେ କହନ୍ତି, ବିଚଳିତ ଓ ହତବାକ୍ ହୋଇ, ଏବଂ ଆଗ ଅପେକ୍ଷା ଅଧିକ ପରିଶ୍ରମ ବି କରନ୍ତି। ତଥାପି, ଜଣେ ମୃତ ମଣିଷ ଚାଲୁଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editors : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Editors : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE