“ଚାଦର ବାଦନି କଣ୍ଢେଇ ନାଚ ସହିତ ଆମ ପୂର୍ବ ପୁରୁଷମାନଙ୍କର ଏକ ଘନିଷ୍ଠ ସଂପର୍କ ରହିଛି।” ତପନ ମୁର୍ମୁ କହନ୍ତି, “ମୁଁ ଯେତେବେଳେ ଏହା ପରିବେଷଣ କରେ... ମୋତେ ଲାଗେ ସେମାନେ ଯେମିତି ମୋତେ ଘେରି ରହିଛନ୍ତି।”

ଏହା ଥିଲା ୨୦୨୩ ମସିହା ଜାନୁଆରୀ ମାସର ଆରମ୍ଭ ସମୟ ଏବଂ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ଅନ୍ତର୍ଗତ ଖଞ୍ଜନପୁର ଗାଁର ଏକ ପଲ୍ଲୀ ଗାଁ, ସରପୁକୁରଡାଙ୍ଗାରେ ପାଳିତ ହେଉଥାଏ ଫସଲ ଅମଳ ପର୍ବ। ବୟସର କୋଡ଼ିଏ ଦଶକ ଅତିକ୍ରମ କରିବାକୁ ଯାଉଥିବା ତପନ, ଜଣେ ଚାଷୀ ଏବଂ ସାନ୍ତାଳ ଆଦିବାସୀ ସଂପ୍ରଦାୟର ସମୃଦ୍ଧ ପରମ୍ପରାକୁ, ବିଶେଷତଃ ‘ଚାଦର ବାଦନି’ ନାମରେ ପରିଚିତ ଚିତ୍ତାକର୍ଷକ କଣ୍ଢେଇ କଳା ପ୍ରଦର୍ଶନକୁ ନେଇ ସେ ଗର୍ବ ଅନୁଭବ କରନ୍ତି।

ପରୀ ଟିମ୍‌ ସହିତ କଥାବାର୍ତ୍ତା ସମୟରେ ଉଜ୍ଜ୍ୱଳ ଲାଲ ରଙ୍ଗର କପଡ଼ାରେ ଢାଙ୍କି ହୋଇଥିବା ଏକ ଗମ୍ବୁଜ ଆକୃତିର ପିଞ୍ଜରାକୁ ହାତରେ ଧରିଥାଆନ୍ତି ତପନ। ଏହା ଭିତରେ ଥାଏ କାଠରେ ଗଢ଼ା ଅନେକ ଛୋଟ ଛୋଟ ମାନବାକୃତିର କଣ୍ଢେଇ। ଗଛର ପତ୍ର, ବାଉଁଶ ଏବଂ ଏକ ଦଉଡ଼ିକୁ ନେଇ ପ୍ରସ୍ତୁତ ଏକ ଜଟିଳ କାରିଗରୀ ପ୍ରକ୍ରିୟାରେ କୌଶଳକ୍ରମେ ସେହି ସବୁ କଣ୍ଢେଇର ଅଙ୍ଗଭଙ୍ଗୀ ପରିଚାଳିତ ହେବ।

“ମୋର ଦୁଇ ପାଦକୁ ଲକ୍ଷ୍ୟ କରନ୍ତୁ ଏବଂ କେମିତି ମୁଁ ଏହି କଣ୍ଢେଇଗୁଡ଼ିକୁ ନଚାଉଛି ଦେଖନ୍ତୁ।” ନିଜ ମାତୃଭାଷା ସାନ୍ତାଳୀରେ ଧୀର ସ୍ୱରରେ ଗୀତଟିଏ ଗାଇବା ସମୟରେ ଏହି ଚାଷୀଙ୍କ କାଦୁଅ ସରସର ପାଦ ଦୁଇଟି ଚଳଚଞ୍ଚଳ ହୋଇଉଠେ।

Left: Chadar Badni is a traditional puppetry performance of the Santhal Adivasi community.
PHOTO • Smita Khator
Right: Tapan Murmu skillfully moves the puppets with his feet
PHOTO • Smita Khator

ବାମ : ଚାଦର ବାଦନି ହେଉଛି ସାନ୍ତାଳ ଆଦିବାସୀ ସଂପ୍ରଦାୟର ପାରମ୍ପରିକ କଣ୍ଢେଇ ନୃତ୍ୟ ପରିବେଷଣ ଡାହାଣ : କଣ୍ଢେଇଗୁଡ଼ିକୁ ନଚେଇବା ପାଇଁ ତପନ ଦକ୍ଷତାର ସହିତ ନିଜର ଦୁଇ ପାଦ ଚାଳନା କରନ୍ତି

Tapan Murmu, a Santhal Adivasi farmer from Sarpukurdanga hamlet, stands next to the red dome-shaped cage that has numerous small wooden puppets
PHOTO • Smita Khator

ଅନେକ ଛୋଟ ଛୋଟ କାଠ କଣ୍ଢେଇ ରହିଥିବା ଲାଲ ରଙ୍ଗର ଗମ୍ବୁଜାକୃତି ପିଞ୍ଜରା ପାଖରେ ଠିଆ ହୋଇଛନ୍ତି ସରପୁକୁରଡାଙ୍ଗା ପଲ୍ଲୀର ସାନ୍ତାଳ ଆଦିବାସୀ ଚାଷୀ ତପନ ମୁର୍ମୁ

ତପନ କହନ୍ତି, “ଏବେ ଆପଣ ଯାହା ଦେଖୁଛନ୍ତି ତାହା ହେଉଛି ‘ଚାଦର ବାଦନି’ ପର୍ବ ପାଳନର ନୃତ୍ୟ। ଏହି କଣ୍ଢେଇ ନାଚ ଆମ ପର୍ବପର୍ବାଣିର ଅଂଶବିଶେଷ ଏବଂ ବାନ୍ଦନା (ଅମଳ ପର୍ବ), ବିବାହ ଉତ୍ସବ, ଦୁର୍ଗାପୂଜା ସମୟରେ ପାଳିତ ଦାସାଇଁ (ସାନ୍ତାଳୀମାନଙ୍କର ଏକ ପର୍ବ) ଅବସରରେ ଏହା ପରିବେଷିତ ହୋଇଥାଏ।”

କଣ୍ଢେଇଗୁଡ଼ିକ ଆଡ଼କୁ ସେ ଆଙ୍ଗୁଠି ଦେଖାନ୍ତି। “ମଝିରେ ଥିବା ଏହି କଣ୍ଢେଇ ହେଲା ମୋରୋଲ (ଗାଁର ମୁଖିଆ)। ସେ ହାତରେ ତାଳି ବଜାନ୍ତି ଏବଂ ବାନାମ (ଗୋଟିଏ ତାର ଲାଗିଥିବା କାଠ ତିଆରି ବୀଣା) ଏବଂ ପାରମ୍ପରିକ ବଂଶୀ ଭଳି ଏକ ବାଦ୍ୟଯନ୍ତ୍ର ବଜାନ୍ତି। ଗୋଟିଏ ପଟେ ମହିଳାମାନେ ନାଚନ୍ତି। ସେମାନେ ଢାମସା ଏବଂ ମାଦଳ (ଢୋଲ ଭଳି ବଜାଯାଉଥିବା ଆଦିବାସୀଙ୍କ ବାଦ୍ୟଯନ୍ତ୍ର) ବଜାଉଥିବା ପୁରୁଷମାନଙ୍କ ଆଡ଼କୁ ମୁହଁ କରିଥାଆନ୍ତି।”

ବୀରଭୂମର ସାନ୍ତାଳ ଆଦିବାସୀମାନଙ୍କ ପାଇଁ ଫସଲ ଅମଳ ସମୟର ସବୁଠାରୁ ବଡ଼ ପର୍ବ ହେଉଛି ବାନ୍ଦନା (ସହରାଇ ନାମରେ ମଧ୍ୟ ପରିଚିତ)। ଏହି ପର୍ବ ଅବସରରେ ବିଭିନ୍ନ କଳା ପରିବେଷଣ କରାଯାଇ ଉତ୍ସବ ପାଳନ କରାଯାଇଥାଏ।

ଏହି ପର୍ବ ପାଳନ ଉଦ୍ଦେଶ୍ୟରେ ଗଢ଼ା କଣ୍ଢେଇଗୁଡ଼ିକ ସାଧାରଣତଃ ବାଉଁଶ କିମ୍ବା କାଠରୁ ତିଆରି ହୋଇଥାଏ ଏବଂ ଏଗୁଡ଼ିକର ଉଚ୍ଚତା ପ୍ରାୟ ନଅ ଇଞ୍ଚ ଲେଖାଏଁ ହୋଇଥାଏ। ସେଗୁଡ଼ିକୁ ଚାନ୍ଦୁଆ ଲାଗିଥିବା ଏକ ଛୋଟ ମଞ୍ଚରେ ରଖାଯାଏ। ମଞ୍ଚ ଉପରେ ଢଙ୍କା ହୋଇଥିବା ଚାଦର ବା ଘୋଡ଼ଣି ତଳେ କଣ୍ଢେଇ ପରିଚାଳନା ନିମନ୍ତେ ଥିବା ବିଭିନ୍ନ ଦଉଡ଼ି, ଉତ୍ତୋଳକ ବା ଭାରଦଣ୍ଡ (ଲିଭର) ଏବଂ କାଠି ଲୁଚି ରହିଥାଏ। କଣ୍ଢେଇ ନଚାଉଥିବା କଳାକାର ଏହି ଦଉଡ଼ିକୁ ଟାଣିଲେ ସେଥିରେ ସଂଲଗ୍ନ ଭାରଦଣ୍ଡ କାର୍ଯ୍ୟକ୍ଷମ ହୁଏ ଏବଂ ଏହା ଫଳରେ କଣ୍ଢେଇର ଅଙ୍ଗପ୍ରତ୍ୟଙ୍ଗ ଗତିଶୀଳ ହୋଇଥାଏ।

ସଂପ୍ରଦାୟର ବୟୋଜ୍ୟେଷ୍ଠମାନେ କହନ୍ତି ଯେ, ‘ଚାଦର ବାଦନି’ ନାଁଟି କପଡ଼ାର ଘୋଡ଼ଣି (ଚାଦର/ଚାଦୋର) ଏବଂ କଣ୍ଢେଇ ରଖାଯାଇଥିବା କାଠର ସେହି ଢାଞ୍ଚା ଚାରିପଟେ ବନ୍ଧା ହୋଇଥିବା (ବନ୍ଧନ) କଥାରୁ ଆସିଛି।

ତପନଙ୍କ କଣ୍ଢେଇ ନୃତ୍ୟ ପରିବେଷଣରେ ସେମାନଙ୍କ ନିଜସ୍ୱ ସାନ୍ତାଳୀ ନୃତ୍ୟ ପ୍ରତିଫଳିତ ହୋଇଥାଏ। ପରେ ସେଦିନ ଆମେ ଏହି କଳା ପ୍ରଦର୍ଶନର ପ୍ରେରଣା ସ୍ରୋତକୁ ଦେଖିଲୁ - ବାସ୍ତବ ଜୀବନର ଏକ ନୃତ୍ୟ

ଭିଡିଓ ଦେଖନ୍ତୁ: ଚାଦର ବାଦନି କଣ୍ଢେଇ ସହିତ ବାନ୍ଦନା ପର୍ବ ପାଳନ

ତପନ କହନ୍ତି ଯେ ଗାଁର ଅଳ୍ପ କେତେ ଜଣ ବୟସ୍କ ବ୍ୟକ୍ତି ହିଁ ଏହି ନୃତ୍ୟକଳା ପ୍ରଦର୍ଶନ ସମୟରେ ବୋଲା ଯାଉଥିବା ଗୀତଗୁଡ଼ିକୁ ଜାଣନ୍ତି। ମହିଳାମାନେ ନିଜ ନିଜ ଗାଁରେ ଗୀତ ଗାଆନ୍ତି ଏବଂ ପୁରୁଷମାନେ ଚାଦର ବାଦନି କଣ୍ଢେଇ ସହିତ ଆଖପାଖ ଅଞ୍ଚଳକୁ ଯାତ୍ରା କରନ୍ତି। “ଢାମସା ଏବଂ ମାଦଳ ଭଳି ବାଦ୍ୟଯନ୍ତ୍ର ନେଇ ଆମ ଭିତରୁ ସାତ କି ଆଠ ଜଣ ବ୍ୟକ୍ତି ଏ ଅଞ୍ଚଳର ବିଭିନ୍ନ ଆଦିବାସୀ ଗାଁକୁ ଯାଇଥାଆନ୍ତି। ଏହି କଣ୍ଢେଇ ନୃତ୍ୟ ପ୍ରଦର୍ଶନ ନିମନ୍ତେ ଅନେକ ବାଦ୍ୟଯନ୍ତ୍ର ଆବଶ୍ୟକ ହୋଇଥାଏ।”

ଏହି ପର୍ବ ପାଳନ ସମୟରେ ଉତ୍ସାହରେ ଭରା ଆଦିବାସୀ ସଂପ୍ରଦାୟର ଭାବଧାରାକୁ ଆମ ଆଗରେ ତୋଳି ଧରନ୍ତି ତପନ। ଜାନୁଆରୀ ମାସ ଆରମ୍ଭରୁ ୧୦ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଜାନୁଆରୀ ମଧ୍ୟଭାଗରେ, ପୌଷ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ।

ସେ କହନ୍ତି, “ଏହା ଏକ ଅତି ଆନନ୍ଦଦାୟକ ସମୟ, ଯେତେବେଳେ କି ସଦ୍ୟ ଅମଳ କରାଯାଇଥିବା ଧାନରେ ଆମମାନଙ୍କ ଘର ପୂରି ଯାଇଥାଏ। ଏହା ହିଁ ବାନ୍ଦନା ପାଳନର ପ୍ରକୃଷ୍ଟ ସମୟ। ଏହି ପର୍ବ ସହିତ ଯୋଡ଼ି ହୋଇଛି ଅନେକ ରୀତିନୀତି। ଏ ସମୟରେ ସମସ୍ତେ ନୂଆ ଲୁଗାପଟା ପିନ୍ଧନ୍ତି।”

ସାନ୍ତାଳ ଆଦିବାସୀମାନେ ସେମାନଙ୍କ ପୂର୍ବପୁରୁଷଙ୍କ ପ୍ରତୀକ ରୂପରେ ବିଦ୍ୟମାନ ପଥର ଓ ଗଛ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରନ୍ତି। “ସେ ସମୟରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ; ଆମେ ଆମର ପାରମ୍ପରିକ ହାଣ୍ଡିଆ ମଦ ରାନ୍ଧିଥାଉ, ଯେଉଁଥିରେ କି ସଦ୍ୟ ଅମଳ କରାଯାଇଥିବା ଚାଉଳ ବ୍ୟବହୃତ ହୋଇଥାଏ, ପ୍ରଥା ଅନୁସାରେ ଆମେ ଶିକାର କରିବାକୁ ଯାଉ ଏବଂ ଘରଦ୍ୱାର ସଫାସୁତୁରା କରି ସଜାଇ ଦେଉ। ଆମେ ଚାଷକାମରେ ଲାଗୁଥିବା ସବୁ ଉପକରଣ ସଫା କରୁ। ଗାଈ ଓ ବଳଦଙ୍କୁ ଆମେ ପୂଜା କରୁ।”

ଏହି ଋତୁରେ ସାରା ସଂପ୍ରଦାୟ ଏକାଠି ହୁଅନ୍ତି ଏବଂ ଭଲ ଫସଲ ପାଇଁ ଗାଁ ପ୍ରତି ଆଶୀର୍ବାଦ କରିବାକୁ ସେମାନଙ୍କୁ ପ୍ରାର୍ଥନା କରନ୍ତି। ତପନ କହନ୍ତି, “ଆମେ (ଆମକୁ) ବଞ୍ଚି ରହିବାରେ ସହାୟତା କରୁଥିବା ସବୁ ଜିନିଷ ପବିତ୍ର ଏବଂ ଏହି ପରବ (ପର୍ବ) ଅବସରରେ ଆମେ ସେସବୁ ପୂଜା କରୁ।” ସନ୍ଧ୍ୟାରେ ସଂପ୍ରଦାୟର ସମସ୍ତେ ଗାଁର କେନ୍ଦ୍ରସ୍ଥଳରେ ଅବସ୍ଥିତ ‘ମାଝିର ଥାନ’ (ପୂର୍ବପୁରୁଷଙ୍କ ପବିତ୍ର ବେଦି)ରେ ଏକତ୍ର ହୁଅନ୍ତି। ସେ ଆହୁରି କହନ୍ତି, “ପୁରୁଷ, ମହିଳା, ପୁଅ ଓ ଝିଅ, ଛୋଟ ପିଲା, ଏବଂ ବୟସ୍କ, ସମସ୍ତେ ଏଥିରେ ଅଂଶଗ୍ରହଣ କରନ୍ତି।”

Residents decorate their homes (left) during the Bandna festival in Sarpukurdanga.
PHOTO • Smita Khator
Members of the community dance and sing together (right)
PHOTO • Smita Khator

ବାମ : ବାନ୍ଦନା ପର୍ବ ଅବସରରେ ଗାଁ ଲୋକେ ସେମାନଙ୍କ ଘର ସଜାଉଛନ୍ତି ଡାହାଣ : ତପନଙ୍କ ଗାଁ ସରପୁକୁରଡାଙ୍ଗାରେ ପର୍ବ ପାଳିତ ହେଉଛି ସଂପ୍ରଦାୟର ସବୁ ସଦସ୍ୟ ଏକାଠି ହୋଇ ନାଚଗୀତରେ ମଜି ଯାଇଛନ୍ତି

Left: Earthen jars used to brew their traditional liquor, Hanriya.
PHOTO • Smita Khator
Right: Tapan in front of the sacred altar where all the deities are placed, found in the centre of the village
PHOTO • Smita Khator

ବାମ : ସେମାନଙ୍କ ପାରମ୍ପରିକ ହାଣ୍ଡିଆ ମଦ ରନ୍ଧାରେ ବ୍ୟବହୃତ ମାଟି ପାତ୍ର ଡାହାଣ : ଗାଁର କେନ୍ଦ୍ରସ୍ଥଳରେ ଥିବା ପବିତ୍ର ବେଦି ମାଝିର ଥାନ୍‌ ଆଗରେ ତପନ ଠିଆ ହୋଇଛନ୍ତି ସେହି ସ୍ଥାନରେ ହିଁ ସବୁ ଦେବଦେବୀଙ୍କୁ (ପବିତ୍ର ପଥର) ରଖାଯାଇଥାଏ

ଏହି ପର୍ବର ପ୍ରଥମ ଭାଗରେ ସାନ୍ତାଳମାନଙ୍କ ନିଜସ୍ୱ ନୃତ୍ୟ କଳାକୁ ଦର୍ଶାଉଥିବା ତପନଙ୍କ କଣ୍ଢେଇ ନୃତ୍ୟ ପରିବେଷଣ କରାଯାଏ। ପରେ ସେଦିନ ସେ ଆମକୁ ଏହି କଳା ପ୍ରଦର୍ଶନ ପଛରେ ରହିଥିବା ପ୍ରେରଣାର ଉତ୍ସ ଦେଖିବାକୁ ନିମନ୍ତ୍ରଣ କରନ୍ତି – ବାସ୍ତବ ଜୀବନର ଏକ ନୃତ୍ୟ।

ସେଠାରେ, ରଙ୍ଗିନ କପଡ଼ାରେ ସଜ୍ଜିତ ଏବଂ ମୁଣ୍ଡରେ ସୂକ୍ଷ୍ମ କାରୁକାର୍ଯ୍ୟରେ ଭରା ମୁକୁଟ ସହିତ ଫୁଲ ଲଗାଇ ଥିବା କାଠ କଣ୍ଢେଇଗୁଡ଼ିକର ସ୍ଥାନ ନିଅନ୍ତି ପାରମ୍ପରିକ ସାନ୍ତାଳୀ ପୋଷାକ ପରିହିତ ଜୀବନ୍ତ ଏବଂ ନୃତ୍ୟରତ ମଣିଷମାନେ। ପୁରୁଷମାନେ ମୁଣ୍ଡରେ ପଗଡ଼ି ପିନ୍ଧନ୍ତି ଏବଂ ମହିଳାମାନେ ଖୋସାରେ ସଦ୍ୟ ସଂଗୃହୀତ ଫୁଲ ଖୋସିଥାଆନ୍ତି। ଅଦମ୍ୟ ଶକ୍ତି ଓ ଅଫୁରନ୍ତ ଉତ୍ସାହରେ ଭରିଯାଏ ସନ୍ଧ୍ୟା ସମୟ ଏବଂ ଢାମସା ଓ ମାଦଳର ତାଳେ ତାଳେ ନାଚି ଉଠନ୍ତି ନୃତ୍ୟଶିଳ୍ପୀଗଣ।

ପିଢ଼ି ପରେ ପିଢ଼ି କରି କଣ୍ଢେଇ ନୃତ୍ୟ ସଂପର୍କରେ ପ୍ରଚଳିତ ଏକ କିମ୍ବଦନ୍ତୀ ଶୁଣାନ୍ତି ସଂପ୍ରଦାୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ। କାହାଣୀଟି ଏହିପରି: ଥରେ ଜଣେ ନୃତ୍ୟଗୁରୁ ତାଙ୍କ ସହିତ ନୃତ୍ୟରେ ସାମିଲ ହେବା ପାଇଁ ଆଖପାଖ ଅଞ୍ଚଳର ସବୁ ନୃତ୍ୟଶିଳ୍ପୀମାନେ ଏକତ୍ର ହେବାକୁ ଆହ୍ୱାନ ଦେଲେ। ସାନ୍ତାଳୀମାନେ ସେମାନଙ୍କ ସ୍ତ୍ରୀ ଓ ଝିଅମାନଙ୍କୁ ପଠାଇବାକୁ ମନା କରିଦେଲେ। କିନ୍ତୁ ସେମାନେ ବାଦ୍ୟଯନ୍ତ୍ର ବଜାଇବାକୁ ରାଜି ହେଲେ। ଅନ୍ୟ ଉପାୟ ନ ପାଇ ନୃତ୍ୟଗୁରୁ ଜଣକ ସବୁ ମହିଳାଙ୍କ ମୁଖାକୃତି ମନେ ରଖିଲେ ଏବଂ କାଠରେ ଖୋଦେଇ କରି ସେମାନଙ୍କୁ ‘ଚାଦର ବାଦନି’ କଣ୍ଢେଇର ରୂପ ପ୍ରଦାନ କଲେ।

ତପନ କହନ୍ତି, “ଆଜିକାଲି ଆମ ପିଢ଼ିର ଲୋକେ ଆମ ଜୀବନ ଧାରା ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ। ସେମାନେ ଏହି କଣ୍ଢେଇ ନୃତ୍ୟ, ହଜି ଯାଇଥିବା ଧାନ ବିହନ, ସାଜସଜ୍ଜା କଳା, କାହାଣୀ, କିମ୍ବା ଗୀତ ଏବଂ ଆହୁରି ଅନେକ ବିଷୟରେ ବି ବେଶୀ କିଛି ଜାଣନ୍ତିନି।”

ପର୍ବ ସମୟର ଆନନ୍ଦ ଉତ୍ସାହକୁ ପ୍ରତିହତ ନ କରିବା ଦିଗରେ ସତର୍କତା ଅବଲମ୍ବନ ପୂର୍ବକ ସେ ଆହୁରି କହିଲେ, “ମୂଳକଥା ହେଉଛି କିଭଳି ଏହାକୁ (ପରମ୍ପରାକୁ) ବଞ୍ଚାଇ ରଖିବା। ମୋ ଦ୍ୱାରା ଯାହା କରାଯାଇପାରିବ, ମୁଁ ତାହା କରୁଛି।”

ଅନୁବାଦ: ଓଡ଼ିଶାଲାଇଭ୍‍

Smita Khator

Smita Khator is the Translations Editor at People's Archive of Rural India (PARI). A Bangla translator herself, she has been working in the area of language and archives for a while. Originally from Murshidabad, she now lives in Kolkata and also writes on women's issues and labour.

Other stories by Smita Khator
Editor : Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE