ନୂଆଦିଲ୍ଲୀ କାଲକା ଶତାବ୍ଦୀ ସ୍ପେଶାଲର ଏକ ସିଟ୍‌ରେ ବସିବା ପରେ ଟ୍ରେନ ଧରିବାକୁ ନେଇ ମୋ ମନରେ ରହିଥିବା ଆଶଙ୍କା ଏବେ ଦୂର ହୋଇଥିଲା। କର୍କଶ ଶବ୍ଦ କରି ଟ୍ରେନ୍‌ଟି ଧୀରେ ଧୀରେ ପ୍ଲାଟଫର୍ମ ଛାଡ଼ୁଥିଲା। ମୋ ମସ୍ତିଷ୍କର ବିଚାର ଭଳି ଟ୍ରେନ ଚକ ଗଡ଼ିବାର ଧାରାବାହିକ ଛୁକ୍‌ ଛୁକ୍ ଶବ୍ଦ ଧୀରେ ଧୀରେ ମୋ ଚାରିପାଖରେ ଏକ ଆରାମଦାୟକ ପରିବେଶ ସୃଷ୍ଟି କରୁଥିଲା। କିନ୍ତୁ ତା’ ପାଇଁ ନୁହେଁ। ତା’ର ଅସ୍ଥିରତା ଟ୍ରେନ୍‌ର ଗତି ସହ ତାଳ ଦେଇ ଦ୍ରୁତ ଗତିରେ ବଢ଼ି ଚାଲିଥିଲା।

ପ୍ରଥମତଃ, ସେ ନିଜ ଜେଜେବାପାଙ୍କ ଚନ୍ଦାମୁଣ୍ଡରେ ଥିବା ଅଳ୍ପ କିଛି କେଶକୁ ପାନିଆରେ କୁଣ୍ଡାଇ ଦେଉଥିଲା। ଆମେ କୁରୁକ୍ଷେତ୍ର‍ରେ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଯାଇଥିଲା, ଝରକା ବାହାରେ ସୂର୍ଯ୍ୟଙ୍କ ସାମାନ୍ୟ କିରଣ ସୁଦ୍ଧା ନଥିଲା। ଏବେ ସେ ଚୌକିର ହାତରେ ଖେଳୁଥିଲା, କିଛି ସମୟ ପାଇଁ ତା’କୁ ଉଠାଇ ଦେଉଥିଲା ପୁଣି ଆଉ କିଛି ସମୟ ପାଇଁ ତଳେ ପକାଇ ଦେଉଥିଲା। ସୂର୍ଯ୍ୟାସ୍ତ ହେବା ସହ ଚାଲିଯାଇଥିବା ହଳଦିଆ ଆଲୋକକୁ ମୁଁ ଖୋଜୁଥିଲି, କିନ୍ତୁ ଆମକୁ ଅନ୍ଧାରରେ ବୁଡ଼ାଇ ଦେଇ ତାହା ଚାଲିଯାଇଥିଲା।

କିନ୍ତୁ ବଢ଼ୁଥିବା ଅନ୍ଧକାର ତା’ର ସେହି ଉଦୀୟମାନ ଊର୍ଜା ସାମ୍ନାରେ ଯେମିତି ପରାଜିତ ହୋଇଥିଲା। ଧଳା ପଟିଥିବା ଗାଢ଼ ନୀଳ ରଙ୍ଗର ଫ୍ରକ୍‌ଟିଏ ପିନ୍ଧି ସେ ନିଜ ମା’ଙ୍କ କୋଳରେ ଛିଡ଼ା ହୋଇଥିଲା। ଅଳ୍ପ ବୟସ୍କା ମହିଳା ଜଣଙ୍କ ନିଜ ବାହୁରେ ତା’କୁ ତୋଳି ଧରି ତା’କୁ ଏକ ସୁନ୍ଦର ଦୃଶ୍ୟ ଦେଖାଉଥିଲେ। ପିଲାଟି ମୋତେ ଚାହିଁଲା ଏବଂ ତେଣୁ ମୁଁ ମଧ୍ୟ ତା’ ଆଖିରେ ଆଖି ମିଶାଇ ତା’କୁ ଚାହିଁଲି। ତା’ ମୁଣ୍ଡ ଉପରେ ଥିବା ଦୁଇଟି ସୁଇଚ୍ ଉପରକୁ ଆମର ଆଖି ଚାଲିଗଲା। ସେ ଟିକିଏ ମା’ର କୋଳରୁ ଉପରକୁ ଉଠି ଗୋଟିଏ ହାତ ବଢ଼ାଇଲା ଏବଂ ଏହାପରେ ଦୁଇଟି ହାତ ବଢ଼ାଇଲା ଆଉ ତା’ପରେ... ସଫଳତା ମିଳିଗଲା!

PHOTO • Amir Malik
PHOTO • Amir Malik

ଏକ ଆଲୋକ ରେଖାରେ ତା’ର ମୁଖମଣ୍ଡଳ ସ୍ପଷ୍ଟ ଦିଶିଲା। ତା’ ଆଖି ଭିତରେ ଏକ ସୂର୍ଯ୍ୟ ଲୁଚି ରହିଥିଲା, ପୁଣିଥରେ ଯେମିତି ଉଦିତ ହେବାକୁ ଯାଉଥିଲା। ସେ ଦ୍ୱିତୀୟ ସୁଇଚ୍ ଟିପିଲା। ଆଉ ଏକ ଆଲୋକ ରେଖାରେ ତା’ର ପୂରା ଶରୀର ଦେଖାଦେଲା। ସେଠାରେ ସେ ଛିଡ଼ା ହୋଇଥିଲା, ତା’ର ଆଖି, ତା’ର ସ୍ମିତହାସ୍ୟ, ଏବଂ ହଳଦିଆ ବଲ୍‌ବ ତଳେ ରଖିଥିବା ତା’ର ହାତ ପାପୁଲିରୁ ଆଲୋକ ବିସ୍ତାରିତ ହୋଇ ପଡ଼ୁଥିଲା।

ତା’ର, ମୋର ସହଯାତ୍ରୀର, ଏହି ଉଜ୍ଜ୍ୱଳ ଦୃଶ୍ୟରେ ମନ୍ତ୍ରମୁଗ୍ଧ ହୋଇ, ମୁଁ ମନେ ମନେ ନିଦା ଫାଜିଲ୍‌ଙ୍କ କେତେକ ପଂକ୍ତି ଗାଇଥିଲି।

ବଚୋଁ କେ ଛୋଟେ ହାତୋଁ କୋ ଚାନ୍ଦ ସିତାରେ ଛୁନେ ଦୋ
ଦୋ-ଚାର୍ କିତାବେଁ ପଢ଼ କର ୟେ ଭି ହମ ଜୈସେ ହୋ ଜାୟେଙ୍ଗେ”

ପିଲାମାନଙ୍କ ଛୋଟ ଛୋଟ ହାତକୁ
ଜହ୍ନ ଓ ତାରାଙ୍କ ପାଖରେ ପହଞ୍ଚିବାକୁ ଦିଅ
କିଛି ବହି ପଢ଼ିବା ପରେ
ସେମାନେ ମଧ୍ୟ ଆମ ଭଳି ହୋଇଯିବେ।

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist, and a 2022 PARI Fellow.

Other stories by Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE