ଦିଲ୍ଲୀ ଉପକଣ୍ଠ, ଜାତୀୟ ରାଜପଥ ୪ର ଅନତି ଦୂରରେ ରହିଛି ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର ଡିପୋ। ଟ୍ରକ୍‌ଗୁଡ଼ିକର ପାର୍କିଂ ଏବଂ ସେଗୁଡ଼ିକର ମରାମତି କେନ୍ଦ୍ର ଭାବେ ଏହା ପରିଚିତ। ଧୂଳିଧୂସର ପରିପୂର୍ଣ୍ଣ ଏ ଅଞ୍ଚଳରେ ମୁଖ୍ୟତଃ ପୁରୁଷଙ୍କ ଆଧିପତ୍ୟ ଦେଖିବାକୁ ମିଳିଥାଏ। ଅସଭ୍ୟ ଭାଷାରେ କଥା ହେବା କିମ୍ବା ସର୍ବସାଧାରଣରେ ପରିସ୍ରା କରିବା ଏଠାରେ ଅତି ସାଧାରଣ କଥା। ଦ୍ରୁତ ଗତିରେ ମରାମତି ସରଞ୍ଜାମ ବଢ଼ାଇ ଦେଉଥିବା, ଟାୟାର ବଦଳାଉଥିବା କିମ୍ବା ପଙ୍କଚର ମରାମତି କରୁଥିବା ମଇଳା କଳା ହାତଗୁଡ଼ିକ ଭିତରେ ଆପଣ ସାମାନ୍ୟ ଗୌରବର୍ଣ୍ଣର ଦୁଇ ହାତ ଦେଖିବାକୁ ପାଇବେ। ନଖରେ ନେଲପଲିସ ଲଗାଇ ଓ ହାତରେ ଚୁଡ଼ି ପିନ୍ଧି ହାତଯୋଡ଼ିକ ଠିକ୍‌ ଏହି କାମ କରିଥାନ୍ତି। ଏ ହାତ ଯୋଡ଼ିକ ହେଉଛି ୭୦ ବର୍ଷ ବୟସ୍କା ଶାନ୍ତି ଦେବୀଙ୍କର। ସମ୍ଭବତଃ ସେ ଭାରତର ପ୍ରଥମ ମହିଳା ମେକାନିକ୍‌। ଦୀର୍ଘ ଦୁଇ ଦଶନ୍ଧି ହେବ ସେ ଏହି ଡିପୋରେ କାମ କରୁଛନ୍ତି। ସେ ତାଙ୍କର ସ୍ୱାମୀ ୫୫ ବର୍ଷ ବୟସ୍କ ରାମ ବାହାଦୂରଙ୍କ ସହିତ ଏଠାରେ କାମ କରିଥାନ୍ତି। ଅନେକ ବର୍ଷ ଧରି ତାଙ୍କ ସ୍ତ୍ରୀ ହାସଲ କରିଥିବା ପରିଚୟକୁ ନେଇ ରାମ ବାହାଦୂର ବେଶ ଗର୍ବ ଅନୁଭବ କରିଥାନ୍ତି।

ମୂଳତଃ ଗ୍ୱାଲିଅର୍ ନିବାସୀ ଶାନ୍ତି ଦେବୀଙ୍କ ପାଇଁ ପୁରୁଷମାନଙ୍କ ଗଡ଼ରେ ପ୍ରବେଶ କରିବା କିଛି ନୂଆ କଥା ନୁହେଁ। ସେ ନିକଟସ୍ଥ ସ୍ୱରୂପ ନଗରର ବାସିନ୍ଦା। ୪୫ ବର୍ଷ ପୂର୍ବେ ସେ ଦିଲ୍ଲୀ ଚାଲି ଆସିଥିଲେ। ପ୍ରଥମ ବାହାଘର ପାଇଁ ସେ ୪୫୦୦ ଟଙ୍କା ସଞ୍ଚୟ କରିପାରିଥିଲେ। ସେ କୁହନ୍ତି, ‘‘ଆମର ଅତି ଗରିବ ପରିବାର ଥିଲା। ମୋ ମା’ ଆମକୁ ପାଳିବା ଲାଗି ଖୁବ୍‌ କଷ୍ଟ ସ୍ୱୀକାର କରିଥିଲେ। ମୁଁ ସିଲେଇ ଏବଂ ବିଡ଼ି ତିଆରି କରିବା ଭଳି ଛୋଟମୋଟ କାମ କରିଥିଲି। ମୁଁ ବାହା ହୋଇ ବାହାରକୁ ଯିବା ଲାଗି ଯଥେଷ୍ଟ ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇଥିଲି।''

ଡିପୋରେ ଥିବା ଏଡବ୍ଲୁ-୭ ନମ୍ବର ଦୋକାନ ଆଗରେ ଏକ ଚା’ ଦୋକାନ ଖୋଲି ଦେବୀ ଓ ବାହାଦୂର ପ୍ରଥମେ ନିଜର ଜୀବିକା ଆରମ୍ଭ କରିଥିଲେ। ଏବେ ବି ସେମାନେ ସେହି ସ୍ଥାନରେ କାମ କରୁଛନ୍ତି କିନ୍ତୁ ୨୫ ବର୍ଷ ପରେ ତାହା ଏକ ମରାମତି ଦୋକାନରେ ବଦଳି ଯାଇଛି। ଦେବୀ କୁହନ୍ତି ଯେ ସେ ଜଣେ ମିସ୍ତ୍ରୀ ଙ୍କ ଅଧୀନରେ କାମ କରିଥିଲେ, ଯିଏକି ତାଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଟାୟାର ବଦଳାଇବା, ପଙ୍କଚର ସଜାଡ଼ିବା ଏବଂ ସାଧାରଣ ଇଞ୍ଜିନ ମରାମତି କାମ ଶିଖାଇଥିଲେ। ଏସବୁ କାମ ଶିଖିବା ପାଇଁ ତାଙ୍କୁ ଖାଦ୍ୟ ଏବଂ କିଛି ଟଙ୍କା ଶୁଳ୍କ ଆକାରରେ ଦେବାକୁ ପଡ଼ିଥିଲା। ସେ ସ୍ମିତହାସ୍ୟ ସହ କହିଥାନ୍ତି, ‘‘କେହି କେବେ ମାଗଣାରେ ଶିଖିପାରିବ ନାହିଁ! ମୋତେ କିଛି ନିବେଶ କରିବାର ଥିଲା।''

ସେମାନେ ଚା’ ଦୋକାନରୁ ଆୟ ଠାରୁ ଅଧିକ କିଛି ରୋଜଗାର କରିବାକୁ ଚାହୁଁଥିଲେ, କାରଣ ପତି ଓ ପତ୍ନୀ ଉଭୟଙ୍କର ପୂର୍ବ ବିବାହରୁ ୩-୫ ଜଣ ପିଲା ଥିଲେ। ଏ ସମ୍ପର୍କରେ ଶାନ୍ତି ଦେବୀ  କୁହନ୍ତି, ‘‘ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଚାଲିଗଲା ଏବଂ ମୋ ସ୍ୱାମୀ ଶୀଘ୍ର ଆରପାରିକି ଚାଲିଗଲା। ଏମିତିରେ ସେ ବଦଖର୍ଚ୍ଚୀ ଥିଲା, ଯାହାକିଛି ମୁଁ ସଞ୍ଚୟ କରି ରଖିଥିଲି ସେ ମଦ ଓ ଜୁଆରେ ଉଡ଼ାଇ ଦେଉଥିଲା। ମୁଁ ତା’କୁ ଟଙ୍କା ଦେବାକୁ ମନା କଲେ, ମୋତେ ମାଡ଼ ମାରୁଥିଲା। କିଛି ବର୍ଷ ପରେ ଏକ ଦୁର୍ଘଟଣାରେ ମୁଁ ମୋ ବଡ଼ ପୁଅକୁ ହରାଇଲି। କିନ୍ତୁ ଜୀବନ ଏମିତି ଆଗକୁ ବଢ଼ିବାର ଥିଲା।’’

ଦେବୀ ବାଇଗଣୀ ରଙ୍ଗର ଶାଢ଼ୀ ଏବଂ ମ୍ୟାଚିଂ ବ୍ଲାଉଜ୍‌ ପିନ୍ଧିଥିଲେ, ଯାହାକୁ ସେ ନିଜେ ସିଲେଇ କରିଥିଲେ। ପାଦକୁ ଆରାମ ଦେବା ଭଳି ଜୋତା ଓ ମୋଜା ସହିତ ରୂପା ପାଉଁଜି ମଧ୍ୟ ସେ ପିନ୍ଧିଥାନ୍ତି। ଖରା ଓ ଧୂଳିରୁ ରକ୍ଷା ପାଇବା ଲାଗି ସେ ମୁଣ୍ଡରେ ଓଢ଼ଣି ଘୋଡ଼ାଇଥାନ୍ତି। ଆପଣ ଭୁଲରେ ତାଙ୍କୁ କ୍ଷେତରେ କାମ କରୁଥିବା ଚାଷୀ ବୋଲି ଭାବିପାରନ୍ତି କାରଣ ସେ ନିଜ ପିଠିକୁ ସିଧା କରି, ପାଚିଲା ଫସଲ ପରିବର୍ତ୍ତେ ଟାୟାର ଉପରେ ନଇଁ ପଡ଼ିଥାନ୍ତି। ସେ ଟ୍ୟୁବ ବାହାର କରନ୍ତି ଏବଂ ତା’ ଉପରେ ପାଉଡର ସିଞ୍ଚନ କରିଥାନ୍ତି। ପଙ୍କଚର ଖୋଜିବା ଲାଗି ଆଗକୁ ବଢ଼ି ସେ କୁହନ୍ତି, ‘‘ଏହା ଫଳରେ ଗରମ ହେବା ପରେ ଟାୟାର ଭିତରେ ଟ୍ୟୁବ ଲାଗିବାକୁ ଏଡ଼ାଇଥାଏ।’’ କ’ଣ କରିବାକୁ ହେବ ସେ ନିର୍ଦ୍ଦେଶ ଦେବା ସମୟରେ ତାଙ୍କର ସ୍ୱାମୀ ତାଙ୍କୁ ଗର୍ବର ସହ ଚାହିଁଥାନ୍ତି। ସେ କୁହନ୍ତି, ‘‘ଆମେ ପରସ୍ପରର ବନ୍ଧୁ ଭଳି''। "ଆମେ ଉଭୟ ମିଶି ଆମ ପାଇଁ ୫୦ ଗଜ (ସ୍ଥାନୀୟ ଜମି ମାପିବା ପଦ୍ଧତି) ଜମିରେ ଘର ତିଆରି କରିଛୁ ଏବଂ ସେଥିରେ ଆମର ସବୁ ପିଲାମାନଙ୍କୁ ରଖିବାରେ ସଫଳ ହୋଇଛୁ।''

ସେହି ଅଞ୍ଚଳର ପୁରୁଷମାନେ ତାଙ୍କୁ କିଭଳି ଦେଖିଥାନ୍ତି? ସେ କୁହନ୍ତି, ‘‘ଆପଣ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଏହା ତାହା ଉପରେ ନିର୍ଭର କରିଥାଏ। ମୁଁ ତାଙ୍କ ଭଳି କାମ କରୁଥିବାରୁ ସେମାନେ ବେଶ୍ ଖୁସି ହୋଇଥାନ୍ତି। ବିଶେଷ କରି କିଛି ବର୍ଷ ଧରି ମୋ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସେମାନଙ୍କୁ ଆନନ୍ଦ ଦେଇଥାଏ।’’

ଦେବୀ ବିଭିନ୍ନ ରଙ୍ଗକୁ ପସନ୍ଦ କରିଥାନ୍ତି। ନିୟମିତ ରଙ୍ଗ କିମ୍ବା ପଲିସ୍ ବ୍ୟବହାର କରିବା ପରିବର୍ତ୍ତେ, ନିଜ ଆଖପାଖରେ ପଡ଼ିଥିବା ରଙ୍ଗିନ ୱିଣ୍ଡୋ ଫିଲ୍ମ ଷ୍ଟ୍ରିପଗୁଡ଼ିକୁ ସେ ତାଙ୍କ ନଖରେ ଲଗାଇ ଦେଇଥାନ୍ତି। ବୃତ୍ତିଗତ ବିପଦକୁ ଦୃଷ୍ଟିରେ ରଖି ସେ ହାତରେ କାଚ ବଦଳରେ ପ୍ଲାଷ୍ଟିକ୍ ଚୁଡ଼ି ପିନ୍ଧିଥାନ୍ତି। ‘‘ଥରେ ଜଣେ ଶ୍ରମିକଙ୍କୁ ଲମ୍ବା ଉପକରଣ ଦେବା ସମୟରେ, ତାହା ମୋ ହାତର କାଚ ଚୁଡ଼ିରେ ଲାଗିଯାଇଥିଲା। କାଚ ଚୁଡ଼ି ମୋ ହାତରେ ଭାଙ୍ଗି ଫୁଟିଯିବାରୁ ଘା’ ହୋଇଯାଇଥିଲା। ମୁଁ ଚୁଡ଼ି ପିନ୍ଧିବାକୁ ପସନ୍ଦ କରିଥାଏ, କିନ୍ତୁ ସହଜରେ ଭାଙ୍ଗୁନଥିବା ଚୁଡ଼ି ମୁଁ ପିନ୍ଧିଥାଏ।’’

PHOTO • Shalini Singh

ଶାନ୍ତିଦେବୀ : ‘… ଜୀବନ ଆଗକୁ ବଢ଼ିବାର ଅଛି

ଦେବୀଙ୍କ ଭଳି ଅନେକ ମହିଳାଙ୍କ କ୍ଷେତ୍ରରେ, ଚିରାଚରିତ ପ୍ରଥାକୁ ଭାଙ୍ଗିବା କେବେ ବି ଏକ ସଚେତନ ବିକଳ୍ପ କିମ୍ବା ନିଜ ପାଇଁ ଏକ ନିଷ୍ପତ୍ତି ନେବାର ଲକ୍ଷ୍ୟରେ ଘଟିନଥାଏ। ଆବଶ୍ୟକତା ଓ ବାସ୍ତବ ପରିସ୍ଥିତି ସେମାନଙ୍କୁ ଏ ଦିଗରେ ଟାଣି ଆଣିଥାଏ।

ଏ କାହାଣୀ ମୂଳତଃ ମାର୍ଚ୍ଚ ୭, ୨୦୧୬ରେ ଦ ୱିକ୍‌ରେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

Shalini Singh is a founding trustee of the CounterMedia Trust that publishes PARI. A journalist based in Delhi, she writes on environment, gender and culture, and was a Nieman fellow for journalism at Harvard University, 2017-2018.

Other stories by Shalini Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE