ହଉସାବାଇ ପାଟିଲଙ୍କର ମଦ୍ୟପ ସ୍ୱାମୀ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଆରମ୍ଭ କଲେ। ଗୋଟିଏ ପୁଲିସ ଷ୍ଟେସନ୍ ଆଗରେ ନିଜ ପତ୍ନୀଙ୍କ ପ୍ରତି ଏମିତି ବ୍ୟବହାର କରିବାରେ ତାଙ୍କୁ କିଛି ଫରକ୍ ପଡୁନଥିଲା। ହଉସାବାଇ କହିଲେ,‘‘ସେ ମାଡ଼ରେ ମୋ ପିଠିରେ ଯନ୍ତ୍ରଣା ଆରମ୍ଭ ହେଲା। ସାଙ୍ଗଲିର ଭବାନି ନଗରରେ ଥିବା ଏକ ଛୋଟ ପୋଲିସ ଷ୍ଟେସନ୍ ବାହାରେ ଏ ଘଟଣା ଘଟୁଥିଲା। ଷ୍ଟେସନ୍ରେ ଥିବା ମୋଟ ଚାରିଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ସେ ସମୟରେ ଦୁଇଜଣ ଉପସ୍ଥିତ ଥିଲେ। ଆଉ ଦୁଇଜଣ ଦୁଇଜଣ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ।’’ ତା ପରେ ତାଙ୍କର ମଦ୍ୟପ ସ୍ୱାମୀ ‘ଏକ ବଡ଼ ପଥର’ ଉଠାଇଲେ। ସେ ଚିତ୍କାର କରି ଉଠିଲେ, ‘‘ମୁଁ ତୋତେ ଏହି ପଥରରେ ଏହିଠାରେ ହିଁ ମାରିଦେବି।’’

ଏ ଦୃଶ୍ୟ ଦେଖି ଦେଖି ପୋଲିସ ଷ୍ଟେସନ ଭିତରେ ଥିବା ଦୁଇ ଜଣ ପୋଲିସ କର୍ମଚାରୀ ବାହାରକୁ ଦଉଡ଼ି ଆସିଲେ। ହଉସାବାଇ କହିଲେ, ‘‘ସେମାନେ ଆମ କଳହ ତୁଟାଇବାକୁ ଉଦ୍ୟମ କଲେ।’’ ସେଠାରେ ହଉସାବାଇଙ୍କ ଭାଇ ମଧ୍ୟ ଥିଲେ। ହଉସାବାଇ ତାଙ୍କ ଭାଇଙ୍କୁ କହିଲେ, ଯେ ସେ ଆଉ ସେ ଅତ୍ୟାଚାର କରୁଥିବା ତାଙ୍କ ସ୍ୱାମୀଙ୍କ ଘରକୁ ଫେରିବାକୁ ଚାହାନ୍ତି ନାହିଁ। “ମୁଁ କହିଲି ମୁଁ ଯିବିନାହିଁ, ମୁଁ ଯିବିନାହିଁ। ମୁଁ ଏଠାରେ ରହିବି, ତୁମେ ମୋତେ ତୁମ ଘର ପାଖରେ ଏକ ଛୋଟ ଜାଗା ଦିଅ। ସ୍ୱାମୀଙ୍କ ସହ ଯାଇ ମୃତ୍ୟୁ ମୁଖରେ ପଡ଼ିବା ଅପେକ୍ଷା, ମୁଁ ଏଇଠି ରହିବି ଏବଂ ଯାହାକିଛି ପାଇବି ସେଥିରେ ଚଳିଯିବି... ମୁଁ ଆଉ ତାଙ୍କଠାରୁ ମାଡ଼ ଖାଇବାକୁ ଚାହୁଁନାହିଁ। ’’ କିନ୍ତୁ ଭାଇ ତାଙ୍କର ଏ ଅନୁରୋଧ ଶୁଣିଲେ ନାହିଁ। 

ପୋଲିସ କର୍ମଚାରୀମାନେ ଏ ଦମ୍ପତିଙ୍କୁ ବେଶ୍ କିଛି ସମୟ ଧରି ବୁଝାଇଲେ। ଶେଷରେ, ସେମାନେ ବୁଝାଇ ସୁଝାଇ ଦୁହିଁଙ୍କୁ ନେଇ ଗୋଟିଏ ଟ୍ରେନ୍ରେ ବସାଇ ସେମାନଙ୍କ ଗାଁକୁ ପଠାଇଦେଲେ। ହଉସାବାଇ କହିଲେ “ସେହି ପୋଲିସ୍ କର୍ମଚାରୀମାନେ ଆମ ପାଇଁ ଟିକେଟ୍ କିଣି, ମୋ ହାତରେ ଦେଲେ। ସେମାନେ ମୋ’ ସ୍ୱାମୀଙ୍କୁ କହିଲେ ସ୍ତ୍ରୀ ତୁମ ପାଖରେ ରୁହନ୍ତୁ ବୋଲି ଚାହୁଁଥିଲେ, ତାଙ୍କ ପ୍ରତି ଭଲ ବ୍ୟବହାର କର, ତାଙ୍କର ଧ୍ୟାନ ରଖ। ଝଗଡ଼ା କର ନାହିଁ।Ó

ପ୍ରକୃତରେ ପୋଲିସ୍ ଷ୍ଟେସନ୍ ବାହାରେ ହଉସାବାଇଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରିବା ଏକ ମିଛ ନାଟକ ଥିଲା। ଯେଉଁଥିରେ ପୋଲିସ୍ କର୍ମଚାରୀଙ୍କର ଧ୍ୟାନ ହଟାଇବା ପାଇଁ ସେମାନେ ମିଛ, ସ୍ୱାମୀ, ସ୍ତ୍ରୀ ଓ ଭାଇ ହୋଇ ଏତେ କଷ୍ଟକର ନାଟକ କରିଥିଲେ। ଏ ସବୁ ପଛରେ ଉଦ୍ଦେଶ୍ୟ ଥିଲା ଥାନା ଲୁଟ୍ କରିବା। ଏ ଘଟଣା ଭିତରେ ହଉସାବାଇଙ୍କର କମ୍ରେଡମାନେ ପୋଲିସ ଷ୍ଟେସନକୁ ଲୁଟ କରିନେଇଥିଲେ, ସେଠି ଥିବା ସମସ୍ତ ଚାରିଟି ଯାକ ରାଇଫଲକୁ ସେମାନେ ନେଇଯାଇଥିଲେ। ଏ ଘଟଣା ଥିଲା ୧୯୪୩ ମସିହାର। ସେତେବେଳେ ହଉସାବାଇଙ୍କୁ ୧୭ ବର୍ଷ ହୋଇଥିଲା। ସେ ତିନିବର୍ଷ ତଳୁ ସେ ବିବାହ କରିସାରିଥିଲେ, ତାଙ୍କର ଗୋଟିଏ ଛୋଟ ପୁଅ ଥିଲା, ଯାହାର ନାଁ ସୁଭାଷ। ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ଯିବା ସମୟରେ ହଉସାବାଇ ସୁଭାଷଙ୍କୁ ଜଣେ ମାଉସୀଙ୍କ ପାଖରେ ଛାଡ଼ି ଆସିଥିଲେ। ସେମାନଙ୍କ କଳହ ସତ ଲାଗିବ ବୋଲି ମିଛିମିଛିକା ସ୍ୱାମୀ ତାଙ୍କୁ ଏତେ ଜୋରରେ ମାଡ଼ ମାରିବାକୁ ନେଇ ପ୍ରାୟ ୭୪ ବର୍ଷ ପରେ ବି ସେ ଦୁଃଖ କରନ୍ତି।  ହଉସାବାଇଙ୍କୁ ଏବେ ୯୧ ବର୍ଷ, ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଭିଟାଠାରେ ସେ ଆମକୁ ତାଙ୍କର କାହାଣୀ କହୁଛନ୍ତି। ହଉସାବାଇ କହିଲେ “ ଏ ବୟସରେ ମୋ ଆଖି ଓ କାନ ମୋ ପାଇଁ ବଡ଼ ଆହ୍ବାନ ପାଲଟିଛି କିନ୍ତୁ ମୁଁ ନିଜେ ସବୁକଥା କହିବି।”

ଭିଡିଓ ଦେଖନ୍ତୁ: ଜଣେ ଅତ୍ୟନ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀ ଭାବେ ହଉସାତାଇ ତାଙ୍କର ଜୀବନକାହାଣୀ ବର୍ଣ୍ଣନା କରୁଛନ୍ତି

'ମୁଁ ବାକ୍ସ ଉପରେ ଶୋଇପାରିଲି ନାହିଁ, ଆମେ ବାକ୍ସକୁ ବୁଡାଇ ପାରିଲୁ ନାହିଁ। ମୁଁ ଗୋଟିଏ କୂଅରେ ପହଁରି ପାରିବି, କିନ୍ତୁ ଏହି ନଦୀରେ ପାଣି ପ୍ରବାହିତ ହେଉଥିଲା। ସେହି ମାଣ୍ଡୋଭି ନଦୀ କିଛି ଛୋଟ ନଥିଲା।'

ହଉସାବାଇ ଦେଶର ସ୍ୱାଧୀନତା ପାଇଁ ଲଢେଇ କରିଥିଲେ। ସେ ଏବଂ ତାଙ୍କ ସହ ନାଟକରେ ଅଭିନୟ କରିଥିବା କଳାକାରମାନେ ତୁଫାନ ସେନାର ଅଂଶ ଥିଲେ। ଏହି ସେନା ସତାରାର ଅଣ୍ଡରଗ୍ରାଉଣ୍ଡ ପ୍ରତି ସରକାରର ସୈନ୍ୟ ବିଭାଗ ଥିଲା ଯାହା ୧୯୪୩ରେ ବ୍ରିଟିଶ୍ ଶାସନରୁ ସ୍ୱାଧୀନତା ଘୋଷଣା କରିଥିଲା। କୁନ୍ଦଲରେ ମୁଖ୍ୟ କାର୍ଯ୍ୟାଳୟ ଥିବା ପ୍ରତି ସରକାର, ପ୍ରକୃତରେ ଏକ ସରକାର ଭଳି କାମ କରୁଥିଲା, ଯାହା ନିୟନ୍ତ୍ରଣରେ ପ୍ରାୟ ୬୦୦(ବା ଅଧିକ) ଗାଁ ଆସୁଥିଲା। ହସୁଆବାଇଙ୍କର ବାପା, କିମ୍ବଦନ୍ତୀ ବ୍ୟକ୍ତିତ୍ୱ ନାନା ପାଟିଲ୍ ଥିଲେ ପ୍ରତି ସରକାରର ମୁଖ୍ୟ। 

୧୯୪୩ରୁ ୧୯୪୬ ମଧ୍ୟରେ ହଉସାବାଇ(ହଉସାତାଇ ଭାବେ ମୁଖ୍ୟତଃ ପରିଚିତ, ମରାଠୀ ଭାଷାରେ ବଡ ଭଉଣୀକୁ ସମ୍ମାନରେ ତାଇ ବୋଲି ସମ୍ବୋଧନ କରାଯାଏ) ସେହି ବିପ୍ଲବୀମାନଙ୍କର ଟିମର ଅଂଶ ଥିଲେ, ଯାହା ବ୍ରିଟିଶ୍ ଟ୍ରେନ୍ ଉପରେ ଆକ୍ରମଣ, ପୋଲିସ୍ ଅସ୍ତ୍ରାଗାର ଲୁଟ୍, ଏବଂ ଡାକ ବଙ୍ଗଳାରେ ନିଆଁ ଲଗାଇବା ଭଳି ଘଟଣାରେ ସଂପୃକ୍ତ ଥିଲେ। (ସେହି ସମୟରେ, ଏଗୁଡିକ ପୋଷ୍ଟ ଅଫିସ୍, ସରକାରୀ ପରିଦର୍ଶକଙ୍କ ପାଇଁ ବିଶ୍ରାମ ଗୃହ, ଏବଂ ବେଳେବେଳେ ଅସ୍ଥାୟୀ କୋର୍ଟ ରୁମ୍ ମଧ୍ୟ ଥିଲା)। ୧୯୪୪ରେ, ପର୍ତ୍ତୁଗିଜ୍ ଶାସକଙ୍କ ବିରୋଧରେ ଗୋଆରେ ହୋଇଥିବା ଗୋପନୀୟ ଆକ୍ରମଣରେ ମଧ୍ୟ ସେ ସାମିଲ୍ ଥିଲେ। ଏହି ଆକ୍ରମଣରେ ସେ ମଧ୍ୟରାତ୍ରରେ ଗୋଟିଏ କାଠ ବାକ୍ସ ଉପରେ ମାଣ୍ଡୋଭି ନଦୀ ପାର କରିଥିଲେ, ତାଙ୍କ ପାଖ ଦେଇ କମ୍ରେଡ୍ ମାନେ ପହଁରି ପହଁରି ନଦୀ ଅତିକ୍ରମ କରିଥିଲେ। କିନ୍ତୁ ସେ କହନ୍ତି, “ମୁଁ ବାପୁ ଲାଡ(ମୋ ସମ୍ପର୍କୀୟ)ଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମ ପାଇଁ ଅଳ୍ପ କିଛି କାମ କରିଥିଲି। ମୁଁ ସେମିତି କିଛି ବଡ ବା ମହାନ କାମ କରିନଥିଲି। ”

ସେ କହନ୍ତି, “ମୋତେ ତିନିବର୍ଷ ହୋଇଥିବା ବେଳେ ମୋ ମା ମରିଗଲେ, ସେତେବେଳକୁ ମୋ ବାପା ସ୍ୱାଧୀନତା ସଂଗ୍ରାମରେ ଉଦବୁଦ୍ଧ ହୋଇସାରିଥିଲେ। ପୂର୍ବରୁ ମଧ୍ୟ ସେ ଜ୍ୟୋତିବା ଫୁଲେଙ୍କ ବିଚାରଧାରାରେ ପ୍ରଭାବିତ ଥିଲେ। ଏବଂ ପରେ ମହାତ୍ମାଗାନ୍ଧିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ତାଳତି(ଗାଁ ଆକାଉଣ୍ଟାଣ୍ଟ) ଭାବେ କରୁଥିବା ଚାକିରି ଛାଡିଦେଲେ, ଏବଂ ସମ୍ପୂର୍ଣ ଭାବେ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହେଲେ ... ଲକ୍ଷ୍ୟ ଥିଲା ଆମ ନିଜର ସରକାର ଗଢିବା ଏବଂ (ଦୃଢଭାବେ) ବ୍ରିଟିଶ୍ ସରକାରକୁ କ୍ଷତିଗ୍ରସ୍ତ କରିବା, ଯେପରି ସେଥିରୁ ଆମେ ମୁକ୍ତ ହୋଇପାରିବୁ। ”

ନାନା ପାଟିଲ୍ ଓ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହେଲା। “ସେମାନେ ଗୋପନ ଭାବେ ସେମାନଙ୍କ କାମ କରିବାକୁ ବାଧ୍ୟ ହେଲେ। ନାନା ପାଟିଲ୍ ଗାଁରୁ ଗାଁ ବୁଲିଲେ, ଲୋକଙ୍କୁ ଆନ୍ଦୋଳନ ପାଇଁ ଦମଦାର ଭାଷଣ ଜରିଆରେ ପ୍ରବର୍ତ୍ତାଇଲେ। ତାପରେ ସେ ପୁଣି ଲୁଚି  ଯାଉଥିଲେ। ତାଙ୍କ ସହିତ ପ୍ରାୟ ୫୦୦ ଲୋକ ଥିଲେ ଏବଂ ସେ ସମସ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା। ”

A photograph of Colonel Jagannathrao Bhosle (left) & Krantisingh Veer Nana Patil
Hausabai and her father Nana Patil

ବାମ: ୧୯୪୦ ମସିହାର ଗୋଟିଏ ଫଟୋରେ ‘ଆଜାଦ୍ ହିନ୍ଦ ସେନା’(ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଅନୁପ୍ରାଣିତ ଗୋଟିଏ ବାହିନୀ)ର କର୍ଣ୍ଣେଲ୍ ଜଗନ୍ନାଥ ରାଓ ଭୋସଲେ(ୟୁନିଫର୍ମରେ ଥିବା) ସହ ହଉସାବାଇଙ୍କ ବାପା ନାନା ପାଟିଲ୍। ଡାହାଣ -  ସ୍ୱାଧୀନତା ପରେ ଉଠାଯାଇଥିବା ଗୋଟିଏ ଫଟୋରେ ହଉସାବାଇ(ଡାହାଣ) ତାଙ୍କର ନଣନ୍ଦ ଯଶୋଦାବାଇ(ବାମ) ଏବଂ ରାଧାବାଇ(ମଝି)ଙ୍କ ସହ

ଏଭଳି ଦୁଃସାହସିକତା ପାଇଁ ସେମାନଙ୍କୁ ମୂଲ୍ୟ ଦେବାକୁ ହେଲା। ବ୍ରିଟିଶ୍ ନାନା ପାଟିଲଙ୍କ ଜମି ଓ ସମ୍ପତ୍ତି ଜବତ କଲେ। ସେ ଗୋପନ ରହିବା ସମୟରେ ତାଙ୍କ ପରିବାର ଖୁବ୍ ଦୁର୍ଦ୍ଦଶା ଭୋଗିଲେ। 

“ସେତେବେଳେ ସରକାର ଆମ ଘର ସିଲ୍ କରିଦେଲେ। ଆମେ ରୋଷେଇ କରୁଥିଲୁ - ଯେତେବେଳେ ସେମାନେ ଆସିଲେ, ସେତେବେଳେ ଭେଣ୍ଡି ଓ ବାଇଗଣ ନିଆଁରେ ପଡିଥିଲା। ଆମ ପାଇଁ କେବଳ ଗୋଟିଏ କୋଠରୀ ଛଡାଗଲା। ମୋ ଜେଜେମା’, ମୁଁ ମୋ ପିଉସୀ...ଏବଂ ଅନ୍ୟ ବହୁ ଲୋକ ସେଠାରେ ରହିଥିଲୁ। ”

ହଉସାବାଇଙ୍କ ପରିବାରର ଜବତ ସମ୍ପତ୍ତିକୁ ବ୍ରିଟିଶମାନେ ନିଲାମ କରିବାକୁ ଉଦ୍ୟମ କଲେ। କିନ୍ତୁ କେହି କିଣିବାକୁ ଆସିଲେନି। ସେ ମନେ ପକାଇଲେ, “ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଜଣେ ଦୱାନ୍ଦି-ଗାଁର ଡାକୁଆଳ ଆସୁଥିଲେ-  ଯିଏ ଘୋଷଣା କରୁଥିଲେ – ‘ନାନା ପାଟିଲ’ଙ୍କର ସମ୍ପତ୍ତି ନିଲାମ ହେବ। କିନ୍ତୁ ଲୋକମାନେ କହୁଥିଲେ, ଆମେ କାହିଁକି ନାନାଙ୍କର ଜମି ନେବୁ? ସେ ତ କାହାକୁ ଲୁଟ୍ ବା ହତ୍ୟା କରିନାହାନ୍ତି।”

“ତେବେ ସେ ଯାହା ହେଉ, ଆମେ ସେ ଜମିକୁ ଚାଷ କରିପାରିଲୁ ନାହିଁ...(ତେଣୁ) ବଞ୍ଚିବା ପାଇଁ ଆମକୁ କିଛି ରୋଜଗାର କରିବାକୁ ଥିଲା। ରୋଜଗାର ଅର୍ଥ କଣ ବୁଝୁଛନ୍ତି ? ତାର ଅର୍ଥ ଆମକୁ ଅନ୍ୟ ମାନଙ୍କ ପାଇଁ କାମ କରିବାକୁ ଥିଲା। ” କିନ୍ତୁ ଅନ୍ୟ ଲୋକମାନେ ବ୍ରିଟିଶ୍ ରାଜ୍ର ରୋଷର ଶିକାର ହେବାକୁ ଭୟ କରୁଥିଲେ। “ତେଣୁ ଗାଁରେ ଆମେ କିଛି କାମ ପାଇଲୁ ନାହିଁ। ତା ପରେ ଜଣେ ମାମୁଁ ସେମାନଙ୍କୁ ଗୋଟିଏ ଯୋଡ଼ା ବଳଦ ଓ ଗୋଟିଏ ଭାରବାହୀ ଗାଡ଼ି ଦେଲେ। ଯେପରିକି ଆମେ ବଳଦ ଗାଡିକୁ ଭଡ଼ାରେ ଦେଇ କିଛି ଆୟ କରିପାରିବୁ।”

“ଆମେ ଗୁଡ, ବାଦାମ, ଯଅ ପରିବହନ କରୁଥିଲୁ। ଯଦି ବଳଦ ଗାଡି, ନାନାଙ୍କର ଗାଁ ୟେଡେମଚ୍ଛିନ୍ଦ୍ରାଠାରୁ ୧୨ କିମି ଦୂର ତାକାରି ଗାଁକୁ ଯାଉଥିଲା, ଏଥିପାଇଁ ସେମାନଙ୍କୁ ୩ ଟଙ୍କା ମିଳୁଥିଲା। ଯଦି ଏହା ୨୦ କିଲୋମିଟର ଦୂର କରାଡକୁ ଯାଉଥିଲା, ତେବେ ୫ ଟଙ୍କା ମିଳୁଥିଲା। ବାସ୍ ଏତିକି, ବଳଦ ଗାଡି ଭଡା ଦେଇ ସେମାନେ ଏତିକି ଆୟ କରୁଥିଲେ।”

Yashodabai (left), Radhabai (mid) and Hausatai. They are her sisters in law
PHOTO • Shreya Katyayini

ହଉସାବାଇ ଅନୁଭବ କରନ୍ତି ସ୍ୱାଧୀନତା ସଂଗ୍ରାମରେ ସେ ‘କେତେକ ଛୋଟ କାମ’ କରିଛନ୍ତି

“ମୋ ଜେଜେମା’ କ୍ଷେତରୁ କିଛି ଖୋଳି ଆଣୁଥିଲେ, ମୁଁ ଏବଂ ମୋ ପୀଉସୀ ବଳଦକୁ ଖାଇବାକୁ ଦେଉଥିଲୁ। ଆମ ବଳଦ ଗାଡି ଏବଂ ଆମ ଜୀବନ ତା ଉପରେ ନିର୍ଭର କରୁଥିଲା, ତେଣୁ ଆମକୁ ବଳଦଙ୍କୁ ଭଲ ଭାବେ ଖାଇବାକୁ ଦେବାକୁ ପଡୁଥିଲା। ଗାଁ ଲୋକେ ଆମ ସହ କଥା ହେଉ ନଥିଲେ। ଏମିତିକି ତେଜରାତି ଦୋକାନୀ ଆମକୁ ଲୁଣ ବି ଦେଉ ନ ଥିଲା। ଅନ୍ୟ କେଉଁଠାରୁ ତାହା ଆଣିବାକୁ ସେ କହୁଥିଲା। ଗାଁ ଲୋକେ ଆମକୁ କାମ କରିବାକୁ ଡାକୁ ନ ଥିଲେ, କିନ୍ତୁ ସମୟ ସମୟରେ, ଆମେ ନିଜ ଆଡୁ ଯାଇ କିଛି ଲୋକଙ୍କର ଶସ୍ୟ ସଂଗ୍ରହ କରିବା କାମ କରୁଥିଲୁ,  ଆଶା କରୁଥିଲୁ ରାତିରେ ସେ କାଳେ ଆମକୁ କିଛି ଖାଇବାକୁ ଦେବେ। ଆମେ ଡିମ୍ବିରି ଫଳକୁ ସଂଗ୍ରହ କରି ସେଥିରେ ତରକାରୀ କରୁଥିଲୁ।”

ଗୋପନରେ ରହୁଥିବା ହଉସାବାଇଙ୍କର ମୁଖ୍ୟ କାମ ଥିଲା ଗୁଇନ୍ଦା ସୂଚନା ସଂଗ୍ରହ କରିବା। ସେ ଏବଂ ଅନ୍ୟମାନେ ଆକ୍ରମଣ ପାଇଁ ସୂଚନା ସଂଗ୍ରହ କରୁଥିଲେ, ଯେମିତିକି ଭାଙ୍ଗି(ଏବେ ସତାରା ଜିଲ୍ଲାରେ ଅଛି)ରେ ହୋଇଥିଲା, ଯେଉଁଠାରେ ଗୋଟିଏ ଡାକ ବଙ୍ଗଳାକୁ ନିଆଁ ଲଗାଇ ଦିଆଯାଇଥିଲା। ହଉସାବାଇଙ୍କ ପୁଅ ଆଡଭୋକେଟ ସୁବାଷ ପାଟିଲ୍ କହିଲେ, “କେତେ ପୋଲିସ୍ ଅଛନ୍ତି, ସେମାନେ କେତେବେଳେ ଆସୁଛନ୍ତି ଆଉ ଯାଉଛନ୍ତି, ସେ ବାବଦରେ ସୂଚନା ସଂଗ୍ରହ କରିବା ସେମାନଙ୍କର କାମ ଥିଲା। ବଙ୍ଗଳାରେ ନିଆଁ ଲଗାଇବା ଅନ୍ୟ ମାନଙ୍କ କାମ ଥିଲା। ” ସେ ଅଞ୍ଚଳରେ ବହୁ ଗୁଡିଏ ବଙ୍ଗଳା ଥିଲା। “ସେମାନେ ସେ ସବୁଥିରେ ନିଆଁ ଲଗାଇ ଦେଇଥିଲେ।”

ଆମେ ପଚାରିଲୁ, ‘‘ହଉସାବାଇଙ୍କ ଭଳି ଅନ୍ୟ ମହିଳା କଣ ଅଣ୍ଡର ଗ୍ରାଉଣ୍ଡ ରହୁଥିଲେ ? ’’ ସେ କହିଲେ, “ହଁ, ସାଲୁତାଇ (ଶିକ୍ଷକଙ୍କ ସ୍ତ୍ରୀ), ଲୀଲାତାଇ ପାଟିଲ୍, ଲକ୍ଷ୍ମୀବାଇ ନାୟକଭାଡି, ରାଜମତି ପାଟିଲ୍ - ଏ ସମସ୍ତେ ସେହି ମହିଳାଙ୍କ ଭିତରୁ କେତେ ଜଣ ଥିଲେ ଯେଉଁମାନେ ତାଙ୍କ ଭଳି ଅଣ୍ଡରଗ୍ରାଉଣ୍ଡ ରହୁଥିଲେ। ”

‘ସେଲାର ମାମା’ ଏବଂ ପ୍ରସିଦ୍ଧ ବିପ୍ଳବୀ ଜିଡି ବାପୁ ଲାଡଙ୍କ ସହ ମିଶି ହଉସାବାଇ ଅନେକ ଦୁଃସାହସିକ କାମ କରିଥିଲେ। ‘ସେଲାର ମାମା’ କମ୍ରେଡ କ୍ରିଷ୍ଣା ସାଲୁଙ୍କିଙ୍କର ଡାକ ନାଁ ଥିଲା। (ପ୍ରକୃତ ‘ସେଲାର ମାମା’ ୧୭ଶ ଶତାବ୍ଦୀର ଜଣେ ପ୍ରସିଦ୍ଧ ମରାଠା ଯୋଦ୍ଧା ଥିଲେ)। 

ବାପୁ ଲାଡ ‘ପ୍ରତି ସରକାର’ ଏବଂ ତୁଫାନ ସେନାର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ହଉସାବାଇ କହନ୍ତି “ସେ ମୋର ସମ୍ପର୍କୀୟ ଥିଲେ। ସେ ମୋ ମାଆଙ୍କର ଭଉଣୀଙ୍କର ପୁଅ ଥିଲେ। ” “ବାପୁ ସବୁବେଳେ ମୋ ପାଖକୁ ବାର୍ତ୍ତା ପଠାଉଥିଲେ, ଘରେ ବସ ନାହିଁ! ସେ ଓ ମୁଁ ଭାଇ ଭଉଣୀ ଭାବେ କାମ କରୁଥିଲୁ। ସନ୍ଦେହ ସୃଷ୍ଟି ହେବା ବଳି ଲୋକଙ୍କୁ ଗୋଟିଏ ବି ସୁଯୋଗ ଦେଉ ନ ଥିଲୁ। ମୋର ସ୍ୱାମୀ ଜାଣିଥିଲେ, ଯେ ବାପୁ ଓ ମୁଁ ପ୍ରକୃତରେ ଭାଇ ଭଉଣୀ ଭଳି ଥିଲୁ। ମୋ ସ୍ୱାମୀଙ୍କ ନାଁରେ ମଧ୍ୟ ୱାରେଣ୍ଟ ଥିଲା। ଗୋଆ ଯିବା ବେଳେ କେବଳ ବାପୁ ଓ ମୁଁ ଯାଇଥିଲୁ।”

ଗୋଆ ଅଭିଯାନ ଥିଲା ଜଣେ କମ୍ରେଡଙ୍କୁ ପର୍ତ୍ତୃଗିଜ୍ ପୋଲିସ୍ କବଳରୁ ମୁକ୍ତ କରିବା ପାଇଁ, ଯିଏକି ସତାରାର ସେନା ପାଇଁ ଅସ୍ତ୍ରଶସ୍ତ୍ର ପଠାଇବା ସମୟରେ ସେଠାରେ ଗିରଫ ହୋଇଥିଲେ। “ଅସ୍ତ୍ରଶସ୍ତ୍ର ନେବା ସମୟରେ ବାଲ୍ ଯୋଶୀ ନାମକ ଜଣେ କର୍ମୀ ଗିରଫ ହୋଇଥିଲେ। ତାଙ୍କୁ ଫାଶୀ ଦିଆଯାଇଥାନ୍ତା। ବାପୁ କହିଲେ, ତାଙ୍କୁ ଜେଲରୁ ନ ମୁକୁଳାଇବା ଯାଏଁ ଆମେ ଫେରିପାରିବା ନାହିଁ।”

Hausatai and her family
PHOTO • Namita Waikar
Hausatai (left) and Gopal Gandhi
PHOTO • Shreya Katyayini

ଗତବର୍ଷ ହଉସାତାଇ ତାଙ୍କ ପରିବାର ସହ ଏବଂ (ଡାହାଣ) ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଓ ମହାତ୍ମା ଗାନ୍ଧିଙ୍କର ନାତି ଗୋପାଳ ଗାନ୍ଧିଙ୍କ ସହ ଯିଏ ୨୦୧୭ରେ ତାଙ୍କୁ ଓ ଅନ୍ୟ କେତେଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବାକୁ କୁନ୍ଦଲ ଆସିଥିଲେ

ହଉସାତାଇ ଯୋଶୀଙ୍କର ଭଉଣୀ ଭାବେ ପରିଚୟ ଦେଇ ତାଙ୍କୁ ଜେଲରେ ଭେଟିଲେ। “ଗୋଟିଏ ଛୋଟ କାଗଜରେ ଲେଖା ଥିବା ଜେଲରୁ ଖସିବା ଯୋଜନାକୁ ମୁଁ ମୁଣ୍ଡ ଖୋସାରେ ଲୁଚାଇଥିଲି। ”  ଯେଉଁମାନେ ପୋଲିସ ହାତରେ ଧରା ପଡିନଥିଲେ, ସେମାନଙ୍କୁ ସେନା ପାଇଁ ଅସ୍ତ୍ରଶସ୍ତ୍ର ମଧ୍ୟ ଆଣିବାକୁ ଥିଲା। ଏବେ ଫେରିବା ବିପଦପୂର୍ଣ୍ଣ ଥିଲା। 

“ସମସ୍ତ ପୋଲିସ୍ କର୍ମଚାରୀ ମୋତେ ଦେଖିଥିଲେ ଏବଂ ସେମାନେ ମୋତେ ଚିହ୍ନିପକାଇଥାନ୍ତେ।” ତେଣୁ ସେମାନେ ରେଳ ବଦଳରେ ସଡକ ପଥରେ ଯିବାକୁ ସ୍ଥିର କଲେ। “କିନ୍ତୁ ମାଣ୍ଡୋଭି ନଦୀରେ ଗୋଟିଏ ବି ଡଙ୍ଗା ନ ଥିଲା, ଏମିତିକି ଗୋଟିଏ ଛୋଟ ମାଛ ଧରା ଡଙ୍ଗା ବି ନ ଥିଲା। ସେମାନେ ଜାଣିଥିଲେ ଆମକୁ ନଦୀକୁ ପହଁରି ପାର୍ କରିବାକୁ ହେବ। ନ ହେଲେ ଆମେ ଗିରଫ ହେବୁ। କିନ୍ତୁ କେମିତି ନଦୀ ପାର କରିବୁ। (ଆମେ ପାଇଲୁ) ଗୋଟିଏ ମାଛ ଧରା ଜାଲ ଭିତରେ ଗୋଟିଏ ବାକ୍ସ ରଖାଯାଇଥିଲା।” ବାକ୍ସ ଉପରେ ମୁହଁ ତଳକୁ କରି ସେ ଶୋଇରହିଲେ, ମଧ୍ୟ ରାତ୍ରିରେ ସେ ନଦୀରେ ଭାସି ଭାସି ଗଲେ, ପାଖରେ କମ୍ରେଡ୍ ମାନେ ପହଁରି ପହଁରି ନଦୀ ଅତିକ୍ରମ କଲେ। 

“ମୁଁ ବାକ୍ସ ଉପରେ ଶୋଇ ପାରିଲି ନାହିଁ, ଆମେ ବାକ୍ସକୁ ବୁଡାଇ ପାରିଲୁ ନାହିଁ। ମୁଁ ଏକ କୂଅରେ ପହଁରି ପାରିବି, କିନ୍ତୁ ଏହି ନଦୀରେ ପାଣି ପ୍ରବାହିତ ହେଉଥିଲା। ସେହି ମାଣ୍ଡୋଭି ନଦୀ କିଛି ଛୋଟ ନଥିଲା। ଆମ ଦଳରେ ଅନ୍ୟ ଯେଉଁମାନେ ପହଁରୁଥିଲେ, ସେମାନେ ପରେ ପିନ୍ଧିବା ପାଇଁ ମୁଣ୍ଡରେ ଶୁଖିଲା ପୋଷାକ ବାନ୍ଧିଥିଲେ,” ଏବଂ ସେମାନେ ନଦୀ ପାର ହୋଇଗଲେ।  

“[ତା’ ପରେ] ଆମେ ଜଙ୍ଗଲ ରାସ୍ତାରେ ଚାଲିଲୁ.. .ପ୍ରାୟ ଦୁଇଦିନ ଧରି, କୌଣସି ମତେ, ଆମେ ଏ ଜଙ୍ଗଲ ମଧ୍ୟରୁ ରାସ୍ତା ପାଇଗଲୁ। ଘରକୁ ଫେରିବା ପାଇଁ ଆମକୁ ୧୫ ଦିନ ଲାଗିଗଲା।”

ବାପୁ ଏବଂ ହଉସାବାଇ ନିଜେ ଅସ୍ତ୍ରଶସ୍ତ୍ର ଆଣି ନ ଥିଲେ, କିନ୍ତୁ ସେମାନେ ସେସବୁର ପରିବହନ ପାଇଁ ବ୍ୟବସ୍ଥା କରିଥିଲେ। କିଛି ଦିନ ପରେ ଯୋଶୀ ଜେଲ୍ ଭାଙ୍ଗି ଖସିବାରେ ସମର୍ଥ ହେଲେ। 

ତାଙ୍କ ଆଖି ଚମକୁଥିଲା। ସାକ୍ଷାତକାର ଶେଷ କରିବା ବେଳକୁ ସେ ପରୀ ଟିମକୁ ପଚାରିଲେ, “ତୁମେ ମୋତେ ଏବେ ନେବ ତ? ” 

“କିନ୍ତୁ କେଉଁଠାକୁ, ହଉସାବାଇ?” 

ସେ ହସି କହିଲେ, “ତୁମ ସମସ୍ତଙ୍କ ସହ କାମ କରିବା ପାଇଁ”।

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath