ବାମରୁ ଦକ୍ଷିଣ ହୋଇ ବସିଛନ୍ତି : ଦୟାନିଧି ନାୟକ, ୮୧, ଚାମୁରୁ ପରିଡା, ୯୧, ଜିତେନ୍ଦ୍ର ପ୍ରଧାନ, ୮୧, ଏବଂ (ପଛକୁ) ମଦନ ଭୋଇ. ୮୦, ପାଣିମରା ଗାଁର ୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଚାରି ଜଣ

ଚାମୁରୁ କହିଲେ, "ସବୁ ଆବେଦନ ପତ୍ର ନେଇଆସ ଆଉ ପୋଡ଼ିଦିଅ। ଏଗୁଡ଼ିକ ବୈଧ ନୁହେଁ। ଏହି କୋର୍ଟ ଏଗୁଡିକର ବିଚାର କରିପାରିବ ନାହିଁ। "

ସେ ପ୍ରକୃତରେ ଜଣେ ମାଜିଷ୍ଟ୍ରେଟ୍ ହେବାର ଆନନ୍ଦ ନେବା ଆରମ୍ଭ କରିଥିଲେ।

ଏହା ଥିଲା ୧୯୪୨ ଅଗଷ୍ଟ। ସାରା ଦେଶରେ ବିଦ୍ରୋହ ତେଜୁଥିଲା। ଏଥିରୁ ସମ୍ବଲପୁର କୋର୍ଟ ବାଦ ପଡିନଥିଲା। ଚାମୁରୁ ପରିଡା ଏବଂ ତାଙ୍କ ବିଦ୍ରୋହୀ ସାଥୀମାନେ ଏହାକୁ ଦଖଲ କରିଥିଲେ। ଚାମୁରୁ ନିଜକୁ ବିଚାରପତି ଘୋଷଣା କରିଥିଲେ। ଜିତେନ୍ଦ୍ର ପ୍ରଧାନ ତାଙ୍କ "ଚପରାସି" ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୋର୍ଟ କିରାଣୀ ବା ପେସ୍କାର ହେବାକୁ ଆଗ୍ରହ ପ୍ରକାଶ କରିଥିଲେ।

କୋର୍ଟ ଦଖଲ କରିବା ଭାରତ ଛାଡ଼ ଆନ୍ଦୋନଳରେ ସେମାନଙ୍କ ଅବଦାନର ଏକ ଅଂଶବିଶେଷ ଥିଲା।

କୋର୍ଟରେ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଥିବା ଲୋକଙ୍କୁ ଚାମୁରୁ କହିଲେ, "ଏହି ଆବେଦନଗୁଡ଼ିକ ବ୍ରିଟିଶକୁ ଦିଆଯାଇଥିଲା। ଆମେ ଏବେ ସ୍ୱାଧୀନ। ଯଦି ମାମଲାଗୁଡ଼ିକୁ ବିଚାର କରାଯାଉ ବୋଲି ଭାବୁଛ, ତାହାଲେ ଏସବୁ ନେଇଯାଅ। ଆଉ ଥରେ ଲେଖି ମହାତ୍ମା ଗାନ୍ଧିଙ୍କ ଠିକଣାରେ ଆବେଦନ କର। ଆମେ ଏହା ଉପରେ ଧ୍ୟାନ ଦେବୁ।"

ଘଟଣାର ପ୍ରାୟ ୬୦ ବର୍ଷ ପରେ, ଉଲ୍ଲସିତ ହୋଇ ଚାମୁରୁ ଏହି କାହାଣୀ କହୁଥିଲେ। ତାଙ୍କୁ ଏବେ ୯୧ ବର୍ଷ। ତାଙ୍କ ପାଖରେ ବସିଥିବା ଜିତେନ୍ଦ୍ରଙ୍କୁ ୮୧ ବର୍ଷ। ଯଦିଓ ପୂର୍ଣ୍ଣଚନ୍ଦ୍ର ଆଉ ନାହାନ୍ତି। ତଥାପି ସେମାନେ ଓଡ଼ିଶାର ବରଗଡ ଜିଲ୍ଲାର ପାଣିମରା ଗାଁରେ ରହୁଥିଲେ। ସ୍ୱାଧୀନତ ସଂଗ୍ରାମର ଚୂଡାନ୍ତ ପର୍ଯ୍ୟାୟରେ ଅନେକ ପୁଅ ଝିଅଙ୍କୁ ଏହି ଗାଁ ଯୁଦ୍ଧକ୍ଷେତ୍ରକୁ ପଠାଇଥିଲା। ରେକର୍ଡ ଅନୁସାରେ ୧୯୪୨ ମସିହାରେ କେବଳ ଏହି ଗାଁର ୩୨ଜଣ ଜେଲ ଯାଇଥିଲେ। ଚାମୁରୁ ଏବଂ ଜିତେନ୍ଦ୍ରଙ୍କୁ ମିଶାଇ ସେମାନଙ୍କ ମଧ୍ୟରୁ ଏବେ ବି ୭ ଜଣ ଜୀବିତ ଅଛନ୍ତି।

ଏକ ସମୟରେ ଏହି ଗାଁର ପ୍ରତି ପରିବାର ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହା ଏପରି ଏକ ଗାଁ ଯିଏ ବ୍ରିଟିଶ ସହ ଲଢେଇ କରିଥିଲା। ଏହାର ଏକତା ମଜଭୁତ ଥିଲା। ଅପୂର୍ବ ଥିଲା ଏହାର ସଂକଳ୍ପ। ବ୍ରିଟିଶକୁ ଯେଉଁମାନେ ସମ୍ନା କରୁଥିଲେ ସେମାନେ ଥିଲେ, ଗରିବ ଏବଂ ନିରକ୍ଷର ଚାଷୀ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସଙ୍ଘର୍ଷ କରୁଥିଲେ। ଅଧିକାଂଶ ଏହି ରାସ୍ତାରେ ଥିଲେ।

ଇତିହାସ ପୃଷ୍ଠାରେ ସେମାନଙ୍କ ନାଁ ନାହିଁ। ଏପରିକି ଓଡ଼ିଶା ମଧ୍ୟ ସେମାନଙ୍କୁ ଭୁଲି ଯିବଣି। ଏକଥା ସେମାନଙ୍କ ମନକୁ କେବେ ଆସି ନାହିଁ। କିନ୍ତୁ ବରଗଡ ଜିଲ୍ଲାର ଏହି ଗାଁ ଏବେ ବି ସ୍ୱାଧୀନତାର ଗାଁ ଭାବେ ପରିଚିତ ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ୟକ୍ତିଗତ ଭାବରେ ଖୁବ କମ୍ ଲୋକ କିଛି ପାଇଛନ୍ତି। କିନ୍ତୁ ପୁରସ୍କାର ଭାବରେ, ପଦପଦବୀ କିମ୍ବା ବୃତ୍ତି ଭାବେ ନୁହେଁ। କିନ୍ତୁ ସେମାନେ ବିପଦକୁ ବରଣ କରିଥିଲେ। ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ଲଢିଥିଲେ।

ଏମାନେ ଥିଲେ ସ୍ୱାଧୀନତା ସଂଗ୍ରାମର ପଦାତିକ ସୈନ୍ୟ। ଏମାନେ ଖାଲି ପାଦରେ ଯୁଦ୍ଧ ଲଢିଥିଲେ। ଏଠି କେହି କେବେ ଏମାନଙ୍କ ପାଦରେ ଜୋତାଟିଏ ପିନ୍ଧାଇ ଦେଇନି।

* * *

ଚାମୁରୁ ମୁରୁକି ମୁରୁକି ହସୁଥିଲେ। କହିଲେ, "କୋର୍ଟରେ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଥିଲେ। ସେମାନେ ବୁଝିପାରୁ ନଥିଲେ, ତାଙ୍କୁ କଣ କରିବାକୁ ପଡିବ। ସେମାନେ ଯେତେବେଳେ ଆମକୁ ଗିରଫ କରିବାକୁ ଉଦ୍ୟମ କଲେ ମୁଁ କହିଲି, ‘ମୁଁ ମାଜିଷ୍ଟ୍ରେଟ୍। ତୁମେ ମୋ ଆଦେଶ ପାଳନ କର। ଯଦି ତୁମେ ଭାରତୀୟ ତା’ହେଲେ ମୋ ଆଦେଶ ପାଳନ କର। ଯଦି ତୁମେ ଇଂରେଜ, ତା’ ହେଲେ ତୁମ ଦେଶକୁ ଚାଲିଯାଅ’।”

ପାଣିମରାର ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ଏହି କିର୍ତ୍ତୀସ୍ତମ୍ଭ ସ୍ଥାପିତ ହୋଇଛି

ଜିତେନ୍ଦ୍ର କହିଲେ, "ସେଦିନ ନିଜ ଘରେ ଥିବା ପ୍ରକୃତ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ ପୋଲିସ ଗଲା। ଗିରଫ ପରଓ୍ୱାନାରେ ଦସ୍ତଖତ କରିବାକୁ ମାଜିଷ୍ଟ୍ରେଟ୍ ମନା କରିଦେଲେ। କାରଣ ସେଥିରେ ଆମ ନାଁ ନଥିଲା। ପୋଲିସ ଫେରିଆସି ଆମ ନାଁ ପଚାରିଲା। ଆମେ ନାଁ କହିଲୁ ନାହିଁ ।" 

"ଆମକୁ ଗିରଫ କରିବାକୁ ବ୍ୟଗ୍ର ହୋଇଉଠିଥିବା ପୋଲିସ ସମ୍ବଲପୁର ଜିଲ୍ଲାପାଳଙ୍କ ପାଖକୁ ଗଲା। କୋର୍ଟରେ ଏଭଳି ଚାଲିଥିବା ଜାଣି ଆମ ନାଁ `A', `B' ଏବଂ `C' ଲେଖି ଫର୍ମପୂରଣ କରିବାକୁ କହିଲେ। ପୋଲିସ ସେମିତି କଲା ଆଉ ଆମେ ଅପରାଧୀ ଭାବେ ଗିରଫ ହେଲୁ", ଚାମୁରୁ କହିଲେ।

ଚାମୁରୁ ଖୁବ ଜୋରରେ ହସିଲେ, ଆଉ କହିଲେ, "ଆମ ଗିରଫକୁ ନେଇ ଜେଲରେ ଓ୍ୱାର୍ଡେନ୍ ଏବଂ ପୋଲିସ ମଧ୍ୟରେ ଯୁକ୍ତିତର୍କ ଲାଗିଲା। ୱାର୍ଡେନ ଆମକୁ ଏ, ବି, ସି ନାଁରେ ଗ୍ରହଣ କରିବାକୁ ମନା କରିଦେଲା। ଓ୍ୱାର୍ଡେନ ପୋଲିସକୁ କହିଲା ତୁମେ ଭାବୁଛ କଣ ମୁଁ ଓଲୁ? ଏମାନେ ଯଦି କାଲି ଖସି ପଳାନ୍ତି ତାହାଲେ କଣ ହେବ? ଏ, ବି ଏବଂ ସି ଖସି ପଳାଇଲେ ବୋଲି ମୁଁ ରିପୋର୍ଟ କରିବି? ଏମିତି କାମ କରିବା ପରି ବୋକା ମୁଁ ନୁହେଁ। ଏହା କହି ନିଜ କଥାରେ ଓ୍ୱାର୍ଡେନ ଅଟଳ ରହିଲା।"

ଜିତେନ୍ଦ୍ର କହିଲେ, "ଏଭଳି କିଛି ସମୟ ଝଗଡା ପରେ ଆମକୁ ଭିତରକୁ ନେବାକୁ ପୋଲିସ ଜେଲ ସୁରକ୍ଷାକର୍ମୀଙ୍କୁ କହିଲା। ଆମେ ଯେତେବେଳେ କୋର୍ଟରେ ହାଜର ହେଲୁ, ସେତେବେଳେ ଏହି ସୁଆଙ୍ଗ ଖୁବ୍ ଜମିଲା। ଚପରାସି ଆମକୁ ଏହିଭଳି ଡାକିଲା। ଏ, ହାଜିର ହୋ ! ବି, ହାଜିର ହୋ ! ସି, ହାଜିର ହୋ ! ତା’ ପରେ କୋର୍ଟ କାମ ଚାଲିଲା।"

ଏଭଳି କରିଥିବାରୁ ବ୍ୟବସ୍ଥା ନିଜେନିଜେ ଲଜ୍ଜିତ ହେଲା। ଏମାନଙ୍କୁ ୬ ମାସ ପାଇଁ କଠୋର କାରାଦଣ୍ଡ ଦିଆଗଲା ଏବଂ ଅପରାଧୀ ରହୁଥିବା ଜେଲ୍‌କୁ ପଠାଇ ଦିଆଗଲା। ଚାମୁରୁ କହିଲେ, "ଆମକୁ ରାଜନୈତିକ ବନ୍ଦୀ ରହୁଥିବା ଜେଲ୍‌କୁ ପଠାଯାଇଥାନ୍ତା। କିନ୍ତୁ ଏହି ଆନ୍ଦୋଳନ ଖୁବ୍ ତୀବ୍ର ଥିଲା ଏବଂ ପୋଲିସ ଖୁବ୍ ନିଷ୍ଠୁର ଏବଂ ପ୍ରତିଶୋଧପରାୟଣ ଥିଲା।"

"ସେତେବେଳେ ମହାନଦୀ ଉପରେ ପୋଲ ନଥିଲା। ସେମାନେ ଆମକୁ ଡଙ୍ଗାରେ ଆଣିଲେ। ସେମାନେ ଜାଣିଥିଲେ ଆମେ ଜାଣିଜାଣି ଗିରଫ ହୋଇଛୁ। ଖସି ପଳାଇବାକୁ ଆମର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ସେମାନେ ଆମ ହାତକୁ ବାନ୍ଧିଥିଲେ ଏବଂ ଆମେ ପରସ୍ପର ସହ ବନ୍ଧା ହୋଇଥିଲୁ। ଯଦି ଡଙ୍ଗା ବୁଡି ଯାଇଥାନ୍ତା କିମ୍ବା ସେଭଳି କିଛି ଅଘଟଣ ଘଟିଥାନ୍ତା ଆମେ ସମସ୍ତେ ମରିଯାଇଥାନ୍ତୁ।"

"ପରେ ପୋଲିସ ଆମ ଘରକୁ ବି ଗଲା। ଥରେ ମୁଁ ଜେଲ୍‌ରେ ଥିବାବେଳେ ମୋ ଉପରେ ୩୦ ଟଙ୍କା ଜରିମାନା ଦଣ୍ଡ ହେଲା। (ସେତେବେଳେ ଏହା ଖୁବ ବହୁତ ଥିଲା। ଦିନ ତମାମ ପରିଶ୍ରମ କରି ସେତେବେଳେ ସେମାନେ ଦିନକୁ ଦୁଇ ଅଣା ରୋଜଗାର କରୁଥିଲେ।) ସେମାନେ ଜରିମାନା ଅର୍ଥ ଆଦାୟ କରିବାକୁ ମୋ ମାଆ ପାଖକୁ ଗଲେ। ଯଦି ଜରିମାନା ନଦେବ, ଆହୁରି କଠୋର ଦଣ୍ଡ ଦିଆଯିବ ବୋଲି ଧମକ ଦେଲେ। "

"ମୋ ମାଆ ମହିଲେ - ସେ ମୋ ପୁଅ ନୁହେଁ, ସେ ଏ ଗାଁର ପୁଅ। ମୋଠାରୁ ଏହି ଗାଁକୁ ସେ ଅଧିକ ଯତ୍ନ କରେ। ତଥାପି ସେମାନେ ମାଆ ଉପରେ ଚାପ ପକାଇଲେ। ମଆ କହିଲେ, -’ଏହି ଗାଁର ସବୁ ଯୁବକ ମୋ ପୁଅ। ଜେଲ୍‌ରେ ଥିବା ସମସ୍ତଙ୍କ ପାଇଁ ମୁଁ କଣ ମୁଁ ଜରିମାନା ଦେବି?"

ପୋଲିସ ହତାଶ ହେଲା। କହିଲା: ‘ଠିକ୍ ଅଛି, ଆମକୁ ଏମିତି କିଛି ଦିଅ ଯାହା ଜବତ ହୋଇଛି ବୋଲି ଆମେ ଦେଖାଇବୁ ।’ ମାଆ କହିଲେ ଆମ ପାଖରେ ଦାଆଟିଏ ବି ନାହିଁ। ତା ପରେ ସେ ଗୋବର ପାଣି ଆଣିବାକୁ ଗଲେ, ଆଉ କହିଲେ ‘ଦୟାକରି ଏ ଜାଗା ଉପରୁ ଉଠିଯିବେ କି, ଆପଣ ଛିଡା ହୋଇଥିବା ଏ ଜାଗାକୁ ମୁଁ ପବିତ୍ର କରିବାକୁ ଚାହୁଁଛି। ’ ସେମାନେ ଚାଲିଗଲେ।

* * *

ଯେତେବେଳେ କୋର୍ଟରୁମ୍ ସୁଆଙ୍ଗ ଚାଲିଥିଲା, ସେତେବେଳେ ପାଣିମରା ଗାଁର ସତ୍ୟାଗ୍ରାହୀଙ୍କର ଦ୍ୱିତୀୟ ମୋର୍ଚ୍ଚା​‌ ବ୍ୟସ୍ତଥିଲା। ଦୟାନିଧି ନାୟକ କହିଲେ, " ସମ୍ବଲପୁର ବଜାରକୁ ଦଖଲକୁ ଆଣିବା ଏବଂ ବ୍ରିଟିଶ ଜନିଷକୁ ନଷ୍ଟ କରିବା ଆମର ଦାୟିତ୍ୱ ଥିଲା। ଚାମୁରୁଙ୍କ ପୁତୁରାକୁ ନେତୃତ୍ଵ ନେବାକୁ ମୁଁ କହିଲି। ମୋ ମାଆ ପ୍ରସବ ବେଳେ ମରିଯିବାରୁ ଚାମୁରୁ ମତେ ନେଇ ଆସି ପାଳିଥିଲେ। "

ଦୟାନିଧି ମାତ୍ର ୧୧ ବର୍ଷର ହୋଇଥିବାବେଳେ ବ୍ରିଟିଶ ବିରୋଧୀ ଲଢେଇରେ ସାମିଲ ହୋଇଥିଲେ। ୧୯୪୨ ବେଳକୁ ସେ ୨୧ ବର୍ଷର ହୋଇଥିଲେ। ସେତେବେଳକୁ ସେ ପୋଖତ ସଂଗ୍ରାମୀ ପାଲଟି ଯାଇଥିଲେ। ଏବେ ୮୧ ବର୍ଷ ବୟସରେ ସେଦିନର ସବୁ କଥା ସେ ପ୍ରାଞ୍ଜଳ ଭାବେ ମନେ ରଖିଛନ୍ତି।

"ସେତେବେଳେ ବ୍ରିଟିଶ ବିରୋଧୀ ମନୋଭାବ ଭୟଙ୍କର ଥିଲା। ବ୍ରିଟିଶର ଧମକ ଏହାକୁ ଅଧିକ ଶକ୍ତିଶାଳୀ କରିଥିଲା। ଏକାଧିକ ଥର ବ୍ରିଟିଶ ସଶସ୍ତ୍ରବାହିନୀ ଏହି ଗାଁକୁ ଘେରାଉ କରିବା ସହ ଫ୍ଲାଗମାର୍ଚ୍ଚ  କରିଥିଲେ। କେବଳ ଆମକୁ ଭୟଭୀତ କରିବାକୁ। କିନ୍ତୁ ଏହା କାମ କଲାନାହିଁ। "

"ବ୍ରିଟିଶ ବିରୋଧୀ ମନୋଭାବ ସବୁ ସୀମା ଟପି ଯାଇଥିଲା। ଭୂମିହୀନ ଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷକଙ୍କ ପର୍ଯ୍ୟନ୍ତ। ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନେ ଇସ୍ତଫା ଦେଇନଥିଲେ। କେବଳ କାମରେ ଯୋଗ ଦେଉ ନଥିଲେ। ସେମାନଙ୍କ ପାଇଁ ଗୋଟିଏ ବଡ ବାହାନା ଥିଲା। ସେମାନେ କହୁଥିଲେ, ’ ଆମେ ସେମାନଙ୍କୁ କିଭଳି ଆମ ଇସ୍ତଫା ଦେଇପାରିବୁ? ଆମେ ବ୍ରିଟିଶକୁ ଗ୍ରହଣ କରିପାରୁନୁ ।’ ତେଣୁ ସେମାନେ କାମ ନକରିବା ଆରମ୍ଭ କରିଦେଲେ !

"ଆମ ଗାଁ ସେତେବେଳେ ବିଛିନ୍ନାଞ୍ଚଳ ଥିଲା। ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଭୟରେ କଂଗ୍ରେସ କର୍ମୀମାନେ କିଛି ଦିନ ଧରି ଆସୁନଥିଲେ। ଫଳରେ ବାହାର ଦୁନିଆରେ କଣ ଘଟୁଛି ଆମେ ଜାଣି ପାରିଲୁ ନାହିଁ। ଏହା ୧୯୪୨ ମସିହା ଅଗଷ୍ଟ ମାସର କଥା। ତେଣୁ ବାହାରେ କଣ ଚାଲୁଛି, ତାହା ଜାଣିବାକୁ ଗାଁରୁ ଲୋକ ପଠାଗଲା। ଏଇଠୁ ଆଉ ଏକ ପର୍ଯ୍ୟାୟର କାର୍ଯ୍ୟ ଆରମ୍ଭ ହେଲା। ମୁଁ ସେତେବେଳେ ଦୁଇ ନମ୍ବର ମୋର୍ଚ୍ଚାରେ ଥିଲି।"

ଆମ ଦଳର ସମସ୍ତ ୫ ଜଣ ଯୁବକ ଥିଲେ। ପ୍ରଥମେ ଆମେ ସମ୍ବଲପୁରର କଂଗ୍ରେସ କର୍ମୀ ଫକିର ବେହେରାଙ୍କ ଘରକୁ ଗଲୁ। ଆମକୁ ଫୁଲ ଏବଂ ହାତରେ ବାନ୍ଧିବାକୁ ଫିତା ଦିଆଗଲା, ଯେଉଁଥିରେ ଲେଖାଥିଲା ଯେ ‘କର ଅବା ମର’। ଆମେ ହାଟ ଅଭିମୁଖେ ଅଭିଯାନ ଆରମ୍ଭ କଲୁ। ଆମ ସହ ଅନେକ ସ୍କୁଲ ପିଲା ଏବଂ ଜନସାଧାରଣ ଥିଲେ।

"ହାଟରେ ପହଞ୍ଚି ଆମେ ‘ଭାରତ ଛାଡ଼’ ନାରା ଦେଲୁ। ସେଠାରେ ପ୍ରାୟ ୩୦ ଜଣ ସଶସ୍ତ୍ର ପୋଲିସ ଥିଲେ। ଆମେ ନାରା ଦେବା ଆରମ୍ଭ କରିବା ମାତ୍ରେ ସେମାନେ ଆମକୁ ଗିରଫ କଲେ ।

ଏଠାରେ ମଧ୍ୟ ସଂଦେହ ଉପୁଜିବାରୁ ଆମ ଭିତରୁ କେତେକଙ୍କୁ ତତକ୍ଷଣାତ ଛାଡିଦେଲେ।

କାହିଁକି ?

"ଓଃ, ଜଣେ ୧୧ ବର୍ଷର ପିଲାକୁ ଗିରଫ କରିବା ତାଙ୍କ ପାଇଁ ହାସ୍ୟାସ୍ପଦ ଥିଲା। ତେଣୁ ୧୨ ବର୍ଷରୁ ଯେଉଁମାନେ କମ୍ ଥିଲେ ସେମାନଙ୍କୁ ଛାଡି ଦିଆଗଲା। କିନ୍ତୁ ଦୁଇ ଜଣ ଶିଶୁ ଯୁଗେଶ୍ୱର ଜେନା ଏବଂ ଇନ୍ଦ୍ରଜିତ ଜେନା ଗଲେ ନାହିଁ। ସେମାନେ ଆମ ଦଳ ସହ ରହିବାକୁ ଚାହିଁଲେ। କିନ୍ତୁ ସେମାନଙ୍କୁ ଚାଲିଯିବା ପାଇଁ ପ୍ରବର୍ତ୍ତାଗଲା। ଆମ ଭିତରୁ ବାକି ସମସ୍ତଙ୍କୁ ବରଗଡ଼ ଜେଲକୁ ପଠଗଲା। ଦିବ୍ୟ ସୁନ୍ଦର ସାହୁ, ପ୍ରଭାକର ସାହୁ ଏବଂ ମୁଁ ୯ ମାସର ଜେଲ ଦଣ୍ଡ ଭୋଗିଲୁ। "

* * *

ମନ୍ଦିରରେ ପାଣିମରାର ଶେଷ ଜୀବିତ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦ

୮୦ ବର୍ଷର ମଦନ ଭୋଇ ତଥାପି ସ୍ପଷ୍ଟ କଣ୍ଠରେ ସୁନ୍ଦର ଗୀତ ଗାଇ ପାରୁଥିଲେ। "ଏହା ସେହି ଗୀତ ଥିଲା, ଆମେ ସମ୍ବଲପୁର କଂଗ୍ରେସ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କଲାବେଳେ ଯେଉଁ ଗୀତଟି ଆମ ଗାଁର ତୃତୀୟ ଦଳ ଗାଇଥିଲେ।" ରାଜଦ୍ରୋହ କାର୍ଯ୍ୟ ଅଭିଯୋଗରେ ସମ୍ବଲପୁର କଂଗ୍ରେସ କାର୍ଯ୍ୟାଳୟକୁ ବ୍ରିଟିଶ ସିଲ କରିଦେଇଥିଲା।

ତିନି ନମ୍ବର ଦଳର ଲକ୍ଷ୍ୟ: ସିଲ ହୋଇଥିବା କାର୍ଯ୍ୟାଳୟକୁ ମୁକ୍ତ କରିବା।

"ମୁଁ ଛୋଟ ଥିବାବେଳେ ମୋ ବାପା ମାଆ ଚାଲିଗଲେ। ଦାଦା ଖୁଡିଙ୍କ ପାଖରେ ମୁଁ ଥିଲି। କିନ୍ତୁ ସେମାନେ ମୋତେ ବିଶେଷ ଧ୍ୟାନ ଦେଉ ନଥିଲେ। ମୁଁ ଯେତେବେଳେ କଂଗ୍ରେସ ବୈଠକରେ ଯୋଗଦେଲି ସେମାନେ ମୋତେ ସତର୍କ କଲେ। ମୁଁ ଯେତେବେଳେ ସତ୍ୟାଗ୍ରହୀଙ୍କ ସହ ମିଶିବାକୁ ଚେଷ୍ଟା କଲି ସେମାନେ ସେତେବେଳେ ମୋତେ ଘରେ କବାଟ ବନ୍ଦ କରି ରଖିଲେ। ମୁଁ ଅନୁତାପ କରିବା ଏବଂ ନିଜକୁ ସଂଶୋଧନ କରିବାର ଅଭିନୟ କଲି। ସେମାନେ ମୋତେ ବାହାରକୁ ଛାଡିଲେ। କାମ କରିବାକୁ ମୁଁ କ୍ଷେତକୁ ଗଲି। ମୁଁ ଝୁଡି ଏବଂ କୋଦାଳ ଆଦି ନେଇ ବିଲକୁ ଗଲି। କ୍ଷେତରୁ ମୁଁ ବରଗଡ଼ ସତ୍ୟାଗ୍ରହକୁ ପଳାଇଗଲି। ସେଠାରେ ଥିବା ଆମ ଗାଁର ଅନ୍ୟ ୧୩ ଜଣଙ୍କ ସହ ମୁଁ ଯୋଗ ଦେଲି। ସେମାନେ ସମ୍ବଲପୁର ଯିବା ପାଇଁ ପ୍ରସ୍ତୁତ ଥିଲେ। ମୋର ସାର୍ଟ ଖଣ୍ଡେ ବି ନଥିଲା। କେବଳ ଖଦୀ ଖଣ୍ଡେ ଥିଲା। ଯଦିଓ ଗାନ୍ଧି ଅଗଷ୍ଟ ୯ରେ ଗିରଫ ହୋଇଥିଲେ, ଏହି ଖବର କିଛି ଦିନ ପରେ ଏହି ଗାଁରେ ପହଞ୍ଚିଥିଲା। ଯେତେବେଳେ ତିନିଟି କିମ୍ବା ଚାରିଟି ଆନ୍ଦୋଳନକାରୀ ଦଳଙ୍କୁ ସମ୍ବଲପୁର ପଠାଇବାକୁ ଯୋଜନା ହେଲା ସେତେବେଳେ ଖବର ପହଞ୍ଚିଲା।

"ଅଗଷ୍ଟ ୨୨ରେ ପ୍ରଥମ ଖେପ ଗିରଫ ହେଲା। ଆମେ ଅଗଷ୍ଟ ୨୩ରେ ଗିରଫ ହେଲୁ। ଏପରିକି ପୋଲିସ ଆମକୁ କୋର୍ଟକୁ ନେଲା ନାହିଁ। ଚାମୁରୁ ଏବଂ ତାଙ୍କ ସାଙ୍ଗମାନଙ୍କ ଦ୍ୱାରା ପୁଣି କୌଣସି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହେବା ଭୟରେ ପୋଲିସ କୋର୍ଟକୁ ନେବାକୁ ଭୟ କଲା। କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଆମକୁ ଅନୁମତି ଦିଆଗଲା ନାହିଁ। ଆମେ ସିଧା ଜେଲ ଗଲୁ।"

ପାଣିମରା ଏବେ କୁଖ୍ୟାତ ପାଲଟିଲା। ଗର୍ବର ସହ ଭୋଇ କହିଲେ, ବଦମାସ ଗାଁ ଭାବରେ ଆମକୁ ସମସ୍ତେ ଜାଣିଗଲେ।

 

ଫଟୋ: ପି. ସାଇନାଥ

୨୦୦୨, ଅକ୍ଟୋବର ୨୦ ତାରିଖରେ  ଦି ହିନ୍ଦୁ ରବିବାର ପତ୍ରିକାରେ ଏହି ଲେଖାଟି ପ୍ରଥମେ ପ୍ରକାଶିତ ହୋଇଥିଲା

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath