ଆନ୍ଦୋଳନକାରୀଙ୍କ ମୂଳ ପତାକା, କିଛିକାଂଶରେ କ୍ଷୟ ହୋଇଗଲାଣି, କିନ୍ତୁ ତହସିଲ ଅଫିସରେ ଯତ୍ନର ସହ ସାଇତି ରଖାଯାଇଛି 

ତଥାପି ସେମାନେ ତହସିଲ ଅଫିସରେ ପତାକାଟି ସାଇତି ରଖିଛନ୍ତି। କେବଳ ଏଇଠି, ଅଗଷ୍ଟ ୧୮ ତାରିଖରେ ସେମାନେ ଏହି ପତାକା ଉତ୍ତୋଳନ କରନ୍ତି। ୧୯୪୨ ମସିହା ଏହି ଦିନ ଉତ୍ତର ପ୍ରଦେଶ ଘାଜିପୁର ଜିଲ୍ଲାର ଏହି ଅଞ୍ଚଳ ନିଜକୁ ବ୍ରିଟିଶଠାରୁ ସ୍ୱାଧୀନ ଘୋଷଣା କରିଥିଲା। ମୁହମ୍ମଦାବାଦର ତହସିଲଦାର ଭିଡ଼ ଉପରେ ଗୁଳିମାଡ କରି ଶେରପୁର ଗାଁର ଆଠ ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ଭିତରୁ ଅଧକାଂଶ କଂଗ୍ରେସ କର୍ମୀ ଯାହାର ନେତୃତ୍ୱ ନେଇଥିଲେ ଶିବ ପୂଜନ ରାୟ। ମୁହମ୍ମଦାଦାବ ତହସିଲ କୋଠା ଉପରେ ତ୍ରିରଙ୍ଗା ଉଡାଇବା ଉଦ୍ୟମବେଳେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା।

ସାରା ଦେଶରେ ସଂଗ୍ରାମରେ ନିଆଁ ଧରିଥିଲା। ଏହି ଜିଲ୍ଲାରେ ଅଗଷ୍ଟ ୧୦ରେ ୧୨୯ ଜଣ ନେତାଙ୍କ ବିରୋଧରେ ବ୍ରିଟିଶ ଗିରଫ ପରଓ୍ୱାନା ଜାରି କରିଥିଲା। ସେହି ୧୯ ସୁଦ୍ଧା ପୂରା ଘାଜିପୁରକୁ ଲୋକେ ନିଜ ନିୟନ୍ତ୍ରଣକୁ ନେଇଥିଲେ ଆଉ ତିନି ଦିନ ପାଇଁ ସରକାର ଚଳାଇଥିଲେ।

ଏହା ଆତଙ୍କରାଜ ବୋଲି ଜିଲ୍ଲା ଗାଜେଟରେ ବ୍ରିଟିଶ ପ୍ରତିକ୍ରିୟା ପ୍ରକାଶ ପାଇଲା। ଏହା ପରେ ଗୋଟିଏ ପରେ ଗୋଟିଏ ଗାଁରେ ଲୁଟପାଟ ହେଲା, ଗୃହଦାହ ହେଲା। ପୋଲିସ ଏବଂ ଫୌଜ ଲଗାଇ ‘ଭାରତ ଛାଡ’ ଆନ୍ଦୋଳନକାରୀଙ୍କୁ ଦମନ କରାଗଲା। ମାତ୍ର କିଛି ଦିନ ମଧ୍ୟରେ ଜିଲ୍ଲାର ପାଖାପାଖି ୧୫୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୁଳି କରି ହତ୍ୟା କରାଗଲା। ଦସ୍ତାବିଜ ଅନୁସାରେ ପୋଲିସ ଏବଂ ବ୍ରିଟିଶ କର୍ମଚାରୀ ସାଧାରଣ ଜନତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍ କଲେ। ୭୪ ଜଣ ଗ୍ରାମବାସୀଙ୍କୁ ଜାଳି ଦିଆଗଲା। ଘାଜିପୁର ଲୋକେ ସାମୁହିକ ଭାବେ ୪.୫ ଲକ୍ଷ ଟଙ୍କା ଜରିମାନା ଦେଲେ। ସେତେବେଳେ ଏହି ଟଙ୍କା ଖୁବ୍ ଅଧିକ ଥିଲା।   

ଶେରପୁରକୁ ଶାସ୍ତି ଦେବା ପାଇଁ ବ୍ରିଟିଶ କର୍ମଚାରୀମାନେ ଜଣଜଣ କରି ବାହାରିଲେ। ଏଠାକାର ସବୁଠୁ ବୟୋଜ୍ୟେଷ୍ଠ ଦଳିତ ବ୍ୟକ୍ତି ହରି ଶରଣ ରାମ ସେଦିନର ସ୍ମୃତିଚାରଣ କରି କହନ୍ତି : “ଗାଁରେ ଚଢେଇଟିଏ ବି ନଥିଲା। କେବଳ ଅସମର୍ଥ ଲୋକେ ଗାଁ ଛାଡି ଯାଇପାରି ନଥିଲେ।” ପୂରା ଘାଜିପୁରକୁ ବ୍ରିଟିଶ ସରକାର ଶିକ୍ଷା ଦେବାକୁ ଚାହିଁଲା। ୧୮୫୦ରୁ ଏହି ଜିଲ୍ଲାର ବ୍ରିଟିଶ ବିରୋଧୀ ରେକର୍ଡ ରହିଛି ଯେତେବେଳେ ନୀଳ ଚାଷୀଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଏବେ ଗାଁ ଲାଠି ଆଉ ଗୁଳି ଖାଉଛି।

ଏହି ଦିନ ମୁହମ୍ମଦାବାଦ ତହସିଲ କାର୍ଯ୍ୟାଳୟରେ ରାଜନୈତିକ ତୀର୍ଥଯାତ୍ରୀଙ୍କ ସମାଗମ ହୁଏ। ଏଠାକୁ ପରିଦର୍ଶନରେ ଆସିଥିବା ରାଜନେତାଙ୍କ ମଧ୍ୟରେ ଚାରି ଜଣ ପ୍ରଧାନମନ୍ତ୍ରୀ ଅଛନ୍ତି। ସେମାନେ ପ୍ରଧାନମନ୍ତ୍ରୀତ୍ୱକାଳରେ ଆସିଛନ୍ତି ବା ପରେ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ଊତ୍ତର ପ୍ରଦେଶର ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଛନ୍ତି। ସହିଦ ସ୍ମାରକ ସମିତିର ମୁଖ୍ୟ ଲକ୍ଷ୍ମଣ ରାୟ କହନ୍ତି, ପ୍ରତି ବର୍ଷ ଅଗଷ୍ଟ ୧୮ ତାରିଖରେ ଏହି ତହସିଲ କାର୍ଯ୍ୟାଳୟରେ ଆଠ ଜଣ ସହିଦଙ୍କ ସ୍ମୃତିଚାରଣକରାଯାଇଥାଏ। ସେ ଆମକୁ  ସ୍ୱାଧୀନତା ସଂଗ୍ରାମୀଙ୍କର ସେହି ମୂଳ ପତାକାଟିକୁ ଦେଖାଇଲେ। ପତାକାଟି କ୍ଷୟ ହୋଇଗଲାଣି। ତଥାପି ଯତ୍ନର ସହ ତାକୁ ସାଇତି ରଖାଯାଇଛି। ସେ ଗର୍ବର ସହ କହନ୍ତି, “ଏଠାକୁ ଆସୁଥିବା ସବୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ପତାକାକୁ ପୂଜା କରନ୍ତି।”

ଶେରପୁର ଏହି ପୂଜାରୁ ବେଶି କିଛି ଫାଇଦା ପାଇନି। କିନ୍ତୁ ଜାତି, ଶ୍ରେଣୀ, ସମୟ ଏବଂ ସମାଜ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱପୂର୍ଣ୍ଣ ବଳୀଦାନର ସ୍ମୃତିକୁ ରଂଗ ଦେଇଛି। ଜଣେ ସ୍ୱେଚ୍ଛାସେବୀ କହିଲେ, “ଆଠ ଜଣ ସହିଦ ଥିଲେ। କିନ୍ତୁ ଏହି ସହିଦଙ୍କ ପାଇଁ ପାଖାପଖି ୧୦ଟି ସ୍ମାରକ କମିଟି ରହିଛି।” ଏହି କମିଟିଗୁଡିକ ମଧ୍ୟରୁ କେକେତ ବିଭିନ୍ନ ଅନୁଷ୍ଠାନ ଚଳାଉଛନ୍ତି। କେତେକ କମିଟି ସହିଦଙ୍କ ପୁଅମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ସହିଦ ପୁତ୍ର ଭାବରେ ଏଠି ସେମାନଙ୍କ ପରିଚୟ ରହିଛି।

PHOTO • p. sainath

କେତେକ ସହିଦ କମିଟି ସହିଦ ପୁତ୍ରଙ୍କ ନିୟନ୍ତ୍ରଣରେ ରହିଛି

ଏଠାରେ ପୂଜା ସହ ପ୍ରତିଶ୍ରୁତି ବି ରହିଛି। ଶେରପୁର ଗୋଟିଏ ବଡ଼ ଗାଁ। ଏହାର ଲୋକ ସଂଖ୍ୟା ପ୍ରାୟ ୨୧,୦୦୦। ଏଠାରେ ଗୋଟିଏ ମହିଳା ଡିଗ୍ରୀ କଲେ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି। କିନ୍ତୁ ଏଠି ପ୍ରତି ପାଞ୍ଚ ଜଣରେ ଚାରି ଜଣ ମହିଳାଙ୍କ ମଧ୍ୟରେ ଜଣେ ନିରକ୍ଷର। ଏମିତି ଏକ ଚିନ୍ତାଧାରକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ସେତେଟା ଆଗ୍ରହ ନାହିଁ।

ଶେରପୁରର ବଳିଦାନ କଣ? ଶେରପୁର ଲୋକଙ୍କ ଦାବି କଣ? ଆପଣ ଏହାର କେମିତି ଉତ୍ତର ରଖିବେ ତାହା ଆପଣଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। ବଳିଦାନ ଦେଇଥିବା ସମସ୍ତ ଆଠ ଜଣ ସହିଦ ଥିଲେ ଭୂମିହରା। ବ୍ରିଟିଶ ଆତଙ୍କରାଜ ବିରୋଧରେ ଏମାନଙ୍କ ସାହସ ପ୍ରେରଣାଦୟୀ ଥିଲା। ବିଭିନ୍ନ ସମୟରେ ଜୀବନ ଉତ୍ସର୍ଗ କରିଥିବା କ୍ଷମତାହୀନ ସଂପ୍ରଦାୟର ଆଉ କେତେକ ସଂଗ୍ରାମୀ ଏମାନଙ୍କ ଭଳି ସ୍ମରଣୀୟ ହୋଇନାହାନ୍ତି । ଅଗଷ୍ଟ ୧୮ ପୂର୍ବରୁ ଏବଂ ପରେ ଅନେକ ଲଢେଇ ହୋଇଛି। ଯେମିତିକି ଅଗଷ୍ଟ ୧୪ରେ ନନ୍ଦଗଞ୍ଜ ରେଲୱେ ଷ୍ଟେସନକୁ ଅକ୍ତିଆର କରିଥିବା ୫୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ପୋଲିସ ଗୁଳିକରି ହତ୍ୟା କରିଥିଲା। ଅଗଷ୍ଟ ୧୯ରୁ ୨୧ ମଧ୍ୟରେ ଏହାର ୩ ଗୁଣ ଲୋକଙ୍କୁ ପୋଲିସ ମାରିଥିଲା। 

PHOTO • p. sainath

ଶେରପୁରର ସହିଦ ସ୍ମାରକୀ (ବାମ), ଶେରପୁର ସହିଦ ସ୍ମାରକୀ ପ୍ରବେଶ ପଥରେ ଥିବା ସ୍ମୃତି ଫଳକ (ଦକ୍ଷିଶ)

ମୁହମ୍ମଦାବାଦ ଇଣ୍ଟର କଲେଜର ଅଧ୍ୟକ୍ଷ କ୍ରିଷନ ଦେବ ରାୟ କହନ୍ତି, “ଲୋକ କାହିଁକି ମରିଥିଲେ? ସ୍ୱାଧୀନତା ବ୍ୟତୀତ ଆଉ କିଛି ଦାବି ନଥିଲା।” ଶେରପୁରରେ ଏବେ ଅଧିକାଂଶ ଭୂମିର ଜମିର ଭୂମିହରା। ଅନ୍ୟତ୍ର ମଧ୍ୟ ଏହି ସମାନ ସ୍ଥିତି। ୧୯୪୭ରେ ବ୍ରିଟିଶ ଭାରତ ଛାଡିବା ପରେ ସେଇଠି ଘଟଣାର ପରିସମାପ୍ତି ଘଟିଛି।

ଶେରପୁରବାସୀ ଦଳିତ ସଂପ୍ରଦାୟର ବାଲମୁକୁନ୍ଦଙ୍କ ଦୃଷ୍ଟିଭଙ୍ଗୀ ଅଲଗା। ବ୍ରିଟିଶ ବିରୋଧୀ ବିଦ୍ରୋହ ସମୟରେ ସେ ଥିଲେ ଯୁବକ। ସେ ଏବଂ ତାଙ୍କ ଦଳିତ ସାଥୀଙ୍କର ଉଦ୍ଦେଶ୍ୟ ଅଲଗା ଥିଲା। ସେ କହନ୍ତି, “ଆମେ ଖୁବ ଉତ୍ସାହିତ ଥିଲୁ। ଭାବିଥିଲୁ ଆମକୁ ଜମି ମିଳିବ।” ୧୯୩୦ ଏବଂ ପରବର୍ତ୍ତି ସମୟରେ ସକ୍ରିୟ ଥିବା କିଶନ ସଭା ଆନ୍ଦୋଳନ ଏମିତି ଆଶା ଦେଇଥିଲା। ୧୯୫୨ରେ ପୁଣି ଥରେ ଏହି ଉତ୍ସାହ ଫେରିଥଲା ଯେତେବେଳେ ଉତ୍ତର ପ୍ରଦେଶରେ ଜମିଦାରୀ ଉଛେଦ ଏବଂ ଭୂ ସଂସ୍କାର ଆଇନ୍ କାର୍ଯ୍ୟକାରୀ ହେଲା।

ଏହା କମ୍ ଦିନ ପାଇଁ ରହିଲା। 

PHOTO • p. sainath

ଶେରପୁରବାସିନ୍ଦା ଦଳିତ ସଂପ୍ରଦାୟର ବାଲ ମୁକୁନ୍ଦ କହନ୍ତି, “ଭାବିଥିଲୁ ଅମକୁ କିଛି ଜମି ମିଳିଯିବକିନ୍ତୁ ଏହି ଉତ୍ସାହ ବେଶି ଦିନ ରହିଲାନି। ”

ଗାଁରେ ବାସ କରୁଥିବା ସମସ୍ତ ୩,୫୦୦ ଦଳିତ ଭୂମିହୀନ। ସ୍ଥାନୀୟ ଦଳିତ ସମିତିର ରାଧେଶ୍ୟାମ କହନ୍ତି, “ଚାଷ କରିବାକୁ ଜମି କାହିଁ? ଏମିତିକି ଆମ ଘର ବି ଆମ ନାଁରେ ନାହିଁ। ଏହା ଥିଲା ଭୂ ବନ୍ଦୋବସ୍ତର ୩୫ ବର୍ଷ ପୂର୍ତ୍ତି ସମୟର ଚିତ୍ର। ସ୍ୱାଧୀନତା ଅନେକ ଲାଭ ଆଣିଦେଇଛି। କିନ୍ତୁ କିଛି ଲୋକଙ୍କୁ । ଭୂମିହରାମାନେ ଚାଷ କରୁଥିବା ଜମିର ସତ୍ତ୍ୱାଧିକାର ପାଇଛନ୍ତି। କିନ୍ତୁ ଭୂମିହୀନ ତଳ ଜାତିର ଲୋକେ ଯେମିତି ସେମିତି ରହିଗଲେ। ହରି ଶରଣ ରାମ କହନ୍ତି, “ଆମେ ବି ଭାବିଥିଲୁ ଆମେ ଅନ୍ୟମାନଙ୍କ ସହ ସମାନ ହେବୁ, ଆମକୁ ଜାଗା ଖଣ୍ଡେ ମିଳିବ।”

୧୯୭୫ ଏପ୍ରିଲରେ ସେମାନଙ୍କୁ ତାଙ୍କ ଜାଗା ଦେଖାଇ ଦିଆଯାଇଥିଲା। ଗାଁକୁ ବ୍ରିଟିଶ ସରକାର ଜାଳି ଦେବାର ଠିକ୍ ୩୩ ବର୍ଷ ପରେ। ଦଳିତ ବସ୍ତିକୁ ଆଉ ଥରେ ବି ପୋଡି ଦିଆଯାଇଥିଲା। ଏଥର କିନ୍ତୁ ଭୂମିହରା ପୋଡି ଦେଇଥିଲେ। ରାଧେଶ୍ୟାମ କହିଲେ, “ମଜୁରୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ବସ୍ତିର ଏକ ଘଟଣା ପାଇଁ ଆମକୁ ଦାୟୀ କରାଯାଇଥିଲା। ମନେ ରଖନ୍ତୁ, ଆମେ ଯେତେବେଳେ ତାଙ୍କ ଘରେ ଆଉ ଜମିରେ କାମ କରୁଥିଲୁ, ସେତେବେଳେ ଆମ ଘର ଜଳୁଥିଲା। ” ପାଖାପାଖି ୧୦୦ଟି ଘର ମାଟିରେ ମିଶାଇ ଦିଆଯାଇଥିଲା। କିନ୍ତୁ ସେମାନେ ସ୍ପଷ୍ଟୀକରଣ ଦେଲେ ଯେ, ଏଥିରେ କୌଣସି ସହିଦ ପୁତ୍ରଙ୍କ ସଂପୃକ୍ତି ନାହିଁ। 

PHOTO • p. sainath

ସ୍ୱାଧୀନାର ପଚାଶ ବର୍ଷ ପରେ ବି କ୍ଷୁଧା, ମୌଳିକ ଆବଶ୍ୟକତା ଏବଂ ଜାତିପ୍ରଥାକୁ ନେଇ ଶେରପୁର ସଂଘର୍ଷ କରୁଛି। 

ଦଳିତ ସମିତିର ମୁଖ୍ୟ ଶିବ ଜଗନ ରାମ କହିଲେ, “ପଣ୍ଡିତ ବହୁଗୁଣା ମୁଖ୍ୟମନ୍ତ୍ରୀ ଥିଲେ। ସିଏ କହିଥିଲେ, ତମମାନଙ୍କ ପାଇଁ ଏଠାରେ ଆଉ ଗୋଟିଏ ନୂଆ ଦିଲ୍ଲୀ ନିର୍ମାଣ କରାଯିବ। ଆମ ନୂଆ ଦିଲ୍ଲୀକୁ ଟିକେ ଚାହାନ୍ତୁ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ବସ୍ତିରେ ଜୀବନ କାଟୁଛୁ। କୌଣସି ଜିନିଷର ମାଲିକାନା ଜାହିର କରିବାକୁ ଆମ ପାଖରେ କାଗଜ ଖଣ୍ଡିଏ ବି ନାହିଁ । ମଜୁରୀ ବିବାଦ ଯେମିତିକୁ ସେମିତି ରହିଛି। ଆପଣ ଭାବି ପାରିବେ କି ଏଠାରେ ଲୋକ ଏତେ କମ୍ ରୋଜଗାର କରନ୍ତି ଯେ କାମ କରିବାକୁ ଆମକୁ ବିହାର ଯିବାକୁ ପଡେ? ”

ଉଚ୍ଚ ଜାତି ବା କର୍ତ୍ତୃପକ୍ଷଙ୍କ ସହ ବିବାଦରେ ପଶିବାଲେ ମୂଲ୍ୟ ଦେବାକୁ ହୁଏ। ଏଠାରେ ଦଳିତମାନଙ୍କୁ ପୋଲିସ ଯେଭଳି ଧମକ ଦିଏ, ୫୦ ବର୍ଷ ଭିତରେ ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ। କର୍କତପୁରର ମୁସାହର ଦଳିତ ଦିନ ନାଥ ବନବାସୀ ପୋଲିସର ଏହି ବ୍ୟବହାରକୁ ସାମ୍ନା କରିଛନ୍ତି। ସେ କହନ୍ତି, “କୌଣସି ରାଜନୈତିକ ଦଳ ଜେଲ ଭରୋ ଆନ୍ଦୋଳନ କଲେ ଆମ ସହ କଣ ଘଟେ ଜାଣିଛନ୍ତି ? ଶତାଧିକ କର୍ମୀ ଗିରଫ ହୁଅନ୍ତି। ଘାଜିଆବାଦ ଜେଲ ଅପରିସ୍କାର ହୋଇଯାଏ। ପୋଲିସ କଣ କରେ ଜାଣନ୍ତି ? ଡକାୟତି ଯୋଜନା ଅଭିଯୋଗରେ କିଛି ମୁସାହର ଦଳିତଙ୍କୁ ଗିରଫ କରି ଉଠାଇ ନିଏ। ଏମାନଙ୍କୁ ଜେଲକୁ ନିଆଯାଏ। ସବୁ ମଳମୂତ୍ର, ବାନ୍ତି, ମଇଳା ଏମାନଙ୍କୁ ହିଁ ସଫା କରିବାକୁ ପଡେ। ତା ପରେ ଏମାନଙ୍କୁ ଛାଡି ଦିଆଯାଏ। ”

ଗଗରାନ ଗାଁର ଦଶୁରାମ ବନବାସୀ କହନ୍ତି, ଆମେ ୫୦ ବର୍ଷ ତଳର କଥା କହୁନୁ। ତଥାପି ଏମିତି ଘଟୁଛି। ଦୁଇ ବର୍ଷ ତଳେ ଏମିତି ଏକ ଘଟଣାକୁ କିଛି ଲୋକ ସାମ୍ନା କରିଛନ୍ତି। ନିର୍ଯାତନାର ଆହୁରି ଅନେକ ରୂପ ବି ରହିଛି। ଦଶୁରାମ ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଭଳି ସଫଳତା ଖୁବ୍ କ୍ୱଚିତ ମୁସାହରଙ୍କ ଭିତରୁ ସିଏ ଜଣେ। କିନ୍ତୁ ତାଙ୍କୁ କଲେଜ ଛାଡିବାକୁ ପଡିଲା। ଉଚ୍ଚ ଜାତିର ଶିକ୍ଷକ ଏବଂ ଛାତ୍ରମାନେ ତାଙ୍କୁ ଅପମାନିତ କଲେ ଆଉ ନିର୍ଯାତନା ଦେଲେ। ଏହି କଲେଜର ନାଁ ‘ବାବୁ ଜଗଜୀବନ ରାମ’।

ଶେରପୁର ଛାଡିବା ମାତ୍ରେ ଆମ ପାଦ ଆବର୍ଜନା ଆଉ କାଦୁଅ ଭିତରେ ଗଳିଗଲା। ଦଳିତ ବସ୍ତିର ଦୁଇ ପଟକୁ ଥିବାର ରାସ୍ତାର ଏଭଳି ଅବସ୍ଥା। ମୁଖ୍ୟ ରାସ୍ତାକୁ ବର୍ଷା ନଷ୍ଟ କରି ଦେଇଥିଲା। ମଇଳା ପାଣି ମାଡୁଥିବା ଗଳି ରାସ୍ତାରୁ ଦୁର୍ଗନ୍ଧ ବାହାରୁଥିଲା। ଶିବ ଜଗନ ରାମ କହିଲେ, “ ଆମ ନୂଆ ଦିଲ୍ଲୀକୁ ରାଜପଥ। ”   

ସେ କହିଲେ, “ଏଠି ଦଳିତମାନେ ମୁକ୍ତ ନୁହନ୍ତି। ସ୍ୱାଧୀନତା ନାହିଁ, ଭୂମି ନାହିଁ, ଶିକ୍ଷା ନାହିଁ, ସଂପତ୍ତି ନାହିଁ, ନିଯୁକ୍ତି ନାହିଁ, ସ୍ୱାସ୍ଥ୍ୟ ନାହିଁ, ଆଶା ମଧ୍ୟ ନାହିଁ। ସ୍ୱାଧୀନତା ଆମ ପାଇଁ ଦାସତ୍ୱ। ”

ଏହା ଭିତରେ ତହସିଲ ଅଫିସରେ ପୂଜା ଚାଲିଥିଲା।

ମୂଳ କାହାଣୀଟି ୧୯୯୭ ମସିହା ଅଗଷ୍ଟ ୨୫ରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା। 


When Salihan took on the Raj

Panimara's foot soldiers of freedom - 1

Panimara's foot soldiers of freedom - 2

The last battle of Laxmi Panda

Nine decades of non-violence

Godavari: and the police still await an attack

Sonakhan: when Veer Narayan Singh died twice

Kalliasseri: in search of Sumukan

Kalliasseri: still fighting at 50

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath