ପ୍ରତିଦିନ ସକାଳେ ପେଣ୍ଟାପାଲି ରାଜାରାଓ ଧୀରେ ଧୀରେ ନିଜ ମୁଣ୍ଡ କିମ୍ବା ପିଠିରେ ଲଙ୍କା ବସ୍ତା ରଖି ୬ମହଲାର ପାହାଚ ଧୀରେ ଧୀରେ ଓହ୍ଲାନ୍ତି । ବସ୍ତାର ଓଜନ ପ୍ରାୟ ୪୫ କେଜି । ପରବର୍ତ୍ତୀ କେଇଘଣ୍ଟାରେ ସେ ଏମିତି କେତେଥର ଉପର ତଳ ହୁଅନ୍ତି । ୨୯ବର୍ଷ ବୟସ୍କ ରାଜା ରାଓ କୁହନ୍ତି, ୧୩୦ଟି ପାହାଚ ଚଢ଼ିବା ତୁଳନାରେ ଓହ୍ଲାଇବା ସହଜ ।”୧୯ବର୍ଷ ବୟସ ସମୟରୁ ହିଁ ସେ ଏହି ହାଡ଼ଭଙ୍ଗା ପରିଶ୍ରମ କରିଆସୁଛନ୍ତି ।

ଯେତେବେଳେ ଲଙ୍କା ଭର୍ତ୍ତି ବସ୍ତା ବିଶ୍ୱ କୋଲ୍ଡ ଷ୍ଟୋରେଜର ତଳ ମହଲାରେ ପହଞ୍ଚ ସେତେବେଳେ ରାଓ ଓ ଅନ୍ୟ ୧୧ଜଣ ଶ୍ରମିକ ଏଗୁଡ଼ିକୁ ପରିସରରେ ଅପେକ୍ଷା କରିଥିବା ଟ୍ରକରେ ଲଦନ୍ତି । ଭର୍ତ୍ତି ହେଲାପରେ ଏସବୁ ଟ୍ରକ୍ ଗୁଣ୍ଟୁର ସହରରେ ଥିବା ଏନ୍ ଟି ଆର୍ ଏଗ୍ରିକଲଚରାଲ୍ ମାର୍କେଟ କମିଟି ପରିସର ଅଭିମୁଖେ ଯାତ୍ରା କରେ । ଗୁଣ୍ଟୁର ଏହାଠାରୁ ପ୍ରାୟ ୭ କିଲୋମିଟର ଦୂର ।

ଶ୍ରୀକାକୁଲମ୍ ଜିଲ୍ଲା ଗାରା ମଣ୍ଡଳର କର୍ଣ୍ଣି ଗ୍ରାମର ରାଜା ରାଓ କୁହନ୍ତି, “ଟ୍ରକରୁ କୋଲ୍ଡ ଷ୍ଟୋରକୁ ବସ୍ତା ନେବା ପାଇଁ ସେମାନେ ଆମକୁ ୧୫ଟଙ୍କା ଲେଖାଏଁ ଦିଅନ୍ତି ଏବଂ ଯେତେବେଳେ ଏହା ତଳକୁ ଓହ୍ଲାଯାଇ ଟ୍ରକରେ ଲଦାଯାଏ, ସେତେବେଳେ ବସ୍ତା ପିଛା ୧୦ଟଙ୍କା ଲେଖାଏଁ  ଦିଅନ୍ତି । କିନ୍ତୁ ଆମକୁ ବସ୍ତାପିଛା ୨୩ଟଙ୍କା ଲେଖାଏଁ ହିଁ ମିଳେ । ମିସ୍ତ୍ରି ବା ସୁପରଭାଇଜର୍ ଦୁଇଟଙ୍କା କମିଶନ ଭାବରେ ନିଅନ୍ତି ।”ଗୋଟିଏ ବସ୍ତା ଉପରକୁ ନେବା ପାଇଁ ଟଙ୍କାଏ ଏବଂ ତଳକୁ ଆଣିବା ପାଇଁ ଟଙ୍କାଏ ।

ଫେବୃଆରୀରୁ ମେ ପର୍ଯ୍ୟନ୍ତ ମୁଖ୍ୟ ଲଙ୍କା ବିକ୍ରି ଋତୁରେ ବିଶ୍ୱ କୋଲ୍ଡ ଷ୍ଟୋରେଜ୍ କେବଳ ଲଙ୍କା ହିଁ ରଖେ । ରାଜା ରାଓ ସେ ସମୟରେ ଦିନକୁ ୩ଶହ ଟଙ୍କା ଲେଖାଏଁ ପାଆନ୍ତି । ବର୍ଷର ଅନ୍ୟଦିନମାନଙ୍କରେ ତାଙ୍କ ମଜୁରି ଦିନକୁ ୧୦୦ଟଙ୍କା ବା ତା’ଠାରୁ କମ୍ ହୋଇଯାଏ ।

Man standing amid sacks of chillies in cold storage
PHOTO • Rahul Maganti
A man with sack of mirchi on his head
PHOTO • Rahul Maganti

ଟ୍ରକରୁ କୋଲ୍ଡ ଷ୍ଟୋରକୁ ବସ୍ତା ନେବା ପାଇଁ ସେମାନେ ଆମକୁ ୧୫ଟଙ୍କା ଲେଖାଏଁ ଦିଅନ୍ତି ଏବଂ ଯେତେବେଳେ ଏହା ତଳକୁ ଓହ୍ଲାଯାଇ ଟ୍ରକରେ ଲଦାଯାଏ, ସେତେବେଳେ ବସ୍ତା ପିଛା ୧୦ଟଙ୍କା ଲେଖାଏଁ  ଦିଅନ୍ତି ।

ବର୍ତ୍ତମାନ ଯେଉଁସବୁ ବସ୍ତା ରାଜା ରାଓ ଓ ତାଙ୍କ ସହ ଶ୍ରମିକମାନେ ଓହ୍ଲାଇଲେ, ତାହା ପ୍ରକାଶମ୍ ଜିଲ୍ଲାର ଓଡ଼ୁପାଲେମ୍ ଗ୍ରାମର କୃଷକ ଗାର୍ଲା ଭେଙ୍କେଟେଶ୍ୱର ରାଓଙ୍କର । ସେ କୁହନ୍ତି, ଦୁଇବର୍ଷ ହେବ (୨୦୧୬-୧୭ ଏବଂ ୨୦୧୭-୧୮) ଲଙ୍କାର ଦର ଖୁବ୍ କମ୍ ହୋଇଯାଇଛି । ତେଣୁ ୨୦୧୭ ମାର୍ଚ୍ଚରୁ ମୁଁ ୪୦ କ୍ୱିଣ୍ଟାଲ ଲଙ୍କା ଏସି (କୋଲ୍ଡ ଷ୍ଟୋର୍)ରେ ରଖିଛି । ଆଶା କରୁଥିଲି, ଦାମ୍ ବଢ଼ିବ ଏବଂ ମୁଁ ପରେ ଏହାକୁ ବିକ୍ରି କରିବି । ମୁଁ ୧୫ ମାସ ହେବ ଅପେକ୍ଷା କଲି, କିନ୍ତୁ ଦାମ ପ୍ରାୟ ସମାନ ରହିଲା ।”ଜୁଲାଇ ୨୦୧୮ରେ ଭେଙ୍କେଟେଶ୍ୱର ରାଓ ନିଜର ଅମଳକୁ କ୍ୱିଣ୍ଟାଲ ପିଛା ୪୫୦୦ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଲେ । କାରଣ ୨୦୧୮-୧୯ ଲଙ୍କା ଚାଷ ଋତୁରେ ତାଙ୍କୁ ଏହି ଅର୍ଥ ଖଟାଇବାର ଅଛି । ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ ଲଙ୍କା ଚାଷର ଋତୁ ଏବଂ ଏହା ମେ’ମାସ ପର୍ଯ୍ୟନ୍ତ ବଜାର ପରିସରରେ ବିକ୍ରି ହୁଏ। (ଦେଖନ୍ତୁ: Waiting for fair prices in Guntur )

ଗୁଣ୍ଟୁର ଲଙ୍କା ଉତ୍ପାଦନ ପାଇଁ ଖ୍ୟାତ । ଜିଲ୍ଲାର ୧୨୫-୧୭୫ ଶୀତଳ ଭଣ୍ଡାର ୟୁନିଟରେ ରଖାଯାଉଥିବା ମୁଖ୍ୟ ଅର୍ଥକରୀ ଫସଲ ମଧ୍ୟରେ  ଲଙ୍କାର ପରିମାଣ ସବୁଠାରୁ ଅଧିକ । କାରଣ ଏହାର ଦରରେ ଅଧିକ ହ୍ରାସବୃଦ୍ଧି ହୋଇଥାଏ । ୨୦୧୬ ମସିହାରେ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି, ୨୦୧୦ ମସିହାରେ ଆନ୍ଧ୍ରପ୍ରଦେଶରେ ଏହିପରି ୨୯୦ଟି ୟୁନିଟ୍ ଥିଲା ।  ୧୯୯୦ ଦଶକର ଆଦ୍ୟ ଭାଗରେ ଏହିପରି ଶୀତଳଭଣ୍ଡାରଗୁଡ଼ିକ ଅସ୍ତିତ୍ୱକୁ ଆସିଥିଲା ବୋଲି କୁହନ୍ତି, କୋଲ୍ଡ ଷ୍ଟୋର୍ ମାଲିକ, ଶ୍ରମିକ ଏବଂ ଟ୍ରେଡ୍ ୟୁନି୍ୟନ୍ କର୍ମୀମାନେ । ଶୀତଳଭଣ୍ଡାର ଯୋଗୁ ଅମଳ ହୋଇଥିବା ଫସଲ ନଷ୍ଟ ହେଉନଥିବା ଚାଷୀମାନଙ୍କୁ ଖୁବ୍ ସାହାଯ୍ୟ କରୁଛି । କାରଣ ଫସଲର ମାନ ଖରାପ ହେଉନାହିଁ । ଏ ସବୁ ୟୁନିଟରେ ରଖାଯାଉଥିବା ଅନ୍ୟ ସାମଗ୍ରୀଗୁଡ଼ିକ ହେଉଛି ହଳଦୀ, ପନିପରିବା, ଫଳ ଓ ସାଜସଜ୍ଜା ଫୁଲ।

୧୦ ମାସ ପର୍ଯ୍ୟନ୍ତ ୪୫-୫୦ କେଜି ଓଜନର ଲଙ୍କା କୋଲ୍ଡ ଷ୍ଟୋରରେ ରଖିବା ପାଇଁ ୟୁନିଟଗୁଡ଼ିକ ୧୭୦-୨୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ନିଅନ୍ତି । କୃଷକମାନେ ହାରାହାରି ଏତିକି ଦିନ ହିଁ ଲଙ୍କା ସାଇତି ରଖନ୍ତି । ଗୁଣ୍ଟୁରରେ କୋଲ୍ଡ ଷ୍ଟୋର୍ ୟୁନିଟଗୁଡ଼ିକର କ୍ଷମତା ୬୦ ହଜାରରୁ ୧.୨ ଲକ୍ଷ ବସ୍ତା ପର୍ଯ୍ୟନ୍ତ ରହିଛି ।

Chamalla Sampath Rao
PHOTO • Rahul Maganti
A worker with his son
PHOTO • Rahul Maganti

ଚମଲ୍ଲା ସମ୍ପତ୍ ରାଓ (ବାମ) କୁହନ୍ତି, ଆଜି ଆମମାନଙ୍କ ମଧ୍ୟରରୁ ସମସ୍ତେ ୧୦୦ଟଙ୍କାରୁ ସାମାନ୍ୟ ଅଧିକା ରୋଜଗାର କରିଛୁ,’ କରିମି ଚିନ୍ନାମ ନାଇଡୁ (ଡାହାଣ, ପୁଅ ଆକାଶ ସହ) ପ୍ରତିବାଦରେ ଗତବର୍ଷଠାରୁ କୋଲ୍ଡ ଷ୍ଟୋର ଶ୍ରମିକ ଭାବରେ କାମ କରିବା ବନ୍ଦ କରିଦେଇଛନ୍ତି।

ଏ ସବୁ ୟୁନିଟ୍ ମଧ୍ୟରୁ କେତେଗୁଡ଼ିଏ ଲଙ୍କା ମଣ୍ଡିର କମିଶନପ୍ରାପ୍ତ ଏଜେଣ୍ଟମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ରଖନ୍ତି । ଅନ୍ୟମାନେ ଏପରି ଯୋଗାଯୋଗ ବିନା ହିଁ କାମ କରନ୍ତି । ଏଜେଣ୍ଟମାନେ ମାର୍କେଟରେ ବିକ୍ରି ପାଇଁ ଚାଷୀମାନଙ୍କ ଠାରୁ କିଛି କମିଶନ ନିଅନ୍ତି, ସେମାନଙ୍କ ଉତ୍ପାଦକୁ କମ୍ ଅର୍ଥରେ କିଣନ୍ତି ଏବଂ ଏହାପରେ ମଣ୍ଡିରେ ଅଧିକ ପଇସାରେ ବିକ୍ରି ପାଇଁ ମୂଲଚାଲ କରନ୍ତି, ବଳକା ପରିମାଣକୁ କୋଲ୍ଡ ଷ୍ଟୋରରେ ରଖନ୍ତି । କମିଶନ ଏଜେଣ୍ଟ କମ୍ ଦରରେ କୃଷକଙ୍କଠାରୁ ଉତ୍ପାଦ କିଣିବା ଉଭୟ ଏଜେଣ୍ଟ କୋଲ୍ଡ ଷ୍ଟୋର୍ ମାଲିକଙ୍କ ପାଇଁ ଲାଭଜନକ ବୋଲି କୁହନ୍ତି ଭେଙ୍କେଟଶ୍ୱର ରାଓ । କୃଷକମାନେ ସେମାନଙ୍କ ଉତ୍ପାଦକୁ କୋଲ୍ଡ ଷ୍ଟୋରରେ ରଖନ୍ତି, ଆଶା କରନ୍ତି ଦର ବଢ଼ିବ । ସମୟକ୍ରମେ ଗୁଣ୍ଟୁରର ଅନେକ କମିଶନ ଏଜେଣ୍ଟ କୋଲ୍ଡ ଷ୍ଟୋର୍ ମାଲିକ ହୋଇଯାଇଛନ୍ତି ।

ଏସବୁ ୟୁନିଟର ମାଲିକମାନେ ମୁଖ୍ୟତଃ ଉଚ୍ଚ ବର୍ଗର କମା, ରେଡ୍ଡି ଏବଂ ଅନ୍ୟାନ୍ୟ ସମୁଦାୟର । ଶ୍ରମିକମାନେ ମୁଖ୍ୟତଃ ଉତ୍ତର ଆନ୍ଧ୍ର ଅଞ୍ଚଳର ପଛୁଆ ଜାତିର । ସେଣ୍ଟର ଫର୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନସ୍ (CITU)/ସିଟୁ ସହ ଅନୁବନ୍ଧିତ କୋଲ୍ଡ ଷ୍ଟୋରେଜ୍ ୱାର୍କର୍ସ ଆଣ୍ଡ ଏମ୍ପ୍ଲଇଜ୍ ୟୁନିୟନର ଆକଳନ ଅନୁଯାୟୀ ମୁଖ୍ୟ ଲଙ୍କା ବିକ୍ରି ଋତୁ ଫେବୃଆରୀରୁ ମେ’ପର୍ଯ୍ୟନ୍ତ ବିଭିନ୍ନ ଷ୍ଟୋରେଜ୍ ୟୁନିଟ୍ ଗୁଡ଼ିକରେ ପ୍ରାୟ ୨୫୦୦ ଶ୍ରମିକ କାମ କରନ୍ତି । ଭଣ୍ଡାରଣ କ୍ଷମତା ଅନୁଯାୟୀ ପ୍ରତ୍ୟେକ ୟୁନିଟ୍ ବସ୍ତା ପିଛା ଦରରେ ୧୨ରୁ ୨୫ଜଣ ଲେଖାଏଁ ଶ୍ରମିକ ରଖନ୍ତି।

ୟୁନିୟନର ସମ୍ପାଦକ ତଥା ବିଶ୍ୱ କୋଲ୍ଡ ଷ୍ଟୋରର ମିସ୍ତ୍ରୀ ୫୦ବର୍ଷ ବୟସ୍କ ଚିନ୍ଥଡ଼ା ବିଷ୍ଣୁ କୁହନ୍ତି, କୋଲ୍ଡ ଷ୍ଟୋରେଜ୍ ୟୁନିଟଗୁଡ଼ିକରେ କାମ କରୁଥିବା ୯୫ ପ୍ରତିଶତ ଶ୍ରମିକ ଶ୍ରୀକାକୁଲମ୍ ଏବଂ ବିଜୟନଗରମ୍ ଜିଲ୍ଲାର । ଗତ କିଛିବର୍ଷ ହେବ ଓଡ଼ିଶାରୁ କେତେଜଣ ଆସିବା ଆରମ୍ଭ କରିଛନ୍ତି । ଜୁନରୁ ଡିସେମ୍ବର ମାସ ମଧ୍ୟରେ ଯେତେବେଳେ ଲଙ୍କାର କିଣାବିକା କମ୍ ହୋଇଯାଏ, ସେତେବେଳେ ଅନେକ ଶ୍ରମିକ ନିଜ ନିଜ ଗାଁରେ ଚାଷ କାମ ପାଇଁ ଫେରିଯାଆନ୍ତି । ଯେତେବେଳେ ଆବଶ୍ୟକ ହୁଏ, ଆମେ ସେମାନଙ୍କୁ ଡକାଉ ।”
A man carrying heavy sack of dry mirchi on his head
PHOTO • Rahul Maganti
workers helping each other to carry heavy sack of dry mirchi
PHOTO • Rahul Maganti
workers loading sacks of mirchi
PHOTO • Rahul Maganti

ମୁଖ୍ୟ ଲଙ୍କା ବିକ୍ରି ଋତୁ ଫେବୃଆରୀରୁ ମେ’ପର୍ଯ୍ୟନ୍ତ ବିଭିନ୍ନ ଷ୍ଟୋରେଜ୍ ୟୁନିଟ୍ ଗୁଡ଼ିକରେ ପ୍ରାୟ ୨୫୦୦ ଶ୍ରମିକ କାମ କରନ୍ତି ।

ବିଷ୍ଣୁ ପଛୁଆ କଳିଙ୍ଗ ସମୁଦାୟର ଏବଂ ସେ ଭୂମିହୀନ । ସେ କୁହନ୍ତି, କୃଷିରେ ଅସଫଳତା ମୋତେ ୧୯୯୯ରେ ଏଠାକୁ (ଶ୍ରୀକାକୁଲମରୁ) ଏଠାକୁ ଆଣିଲା । ମୁଁ ଜମି ଭାଗ ନେଇ ୩ବର୍ଷ ଧାନ ଚାଷ କରିଥିଲି । କିନ୍ତୁ ଜଳସେଚନ ସୁବିଧା ନଥିବା ସହ ଭଲ ଦାମରେ ବିକ୍ରି ନହେବାରୁ ମୁଁ କ୍ଷତିରେ ପଡ଼ିଲି ।”

ଫେବୃଆରୀରୁ ମେ’ବିକ୍ରି ଋତୁରେ କୋଲ୍ଡ ଷ୍ଟୋର୍ ଶ୍ରମିକମାନେ ସପ୍ତାହରେ ୫ଦିନ କାମ କରନ୍ତି ଏବଂ ଦୁଇଦିନ ଛୁଟି ପାଆନ୍ତି ।

ସେମାନଙ୍କ କାର୍ଯ୍ୟନିର୍ଘଣ୍ଟ ମଧ୍ୟ ସ୍ଥିର ନୁହେଁ । ଏହା ଲଙ୍କାର ଚାହିଦା ଉପରେ ନିର୍ଭର କରେ । ରାଜା ରାଓ କୁହନ୍ତି, ଆମକୁ ଅବେଳରେ  କାମ କରିବାକୁ ହୋଇଥାଏ । କାରଣ ମାଲ୍ ପହଞ୍ଚିଲେ ହିଁ ଆମକୁ ଏହା ଉଠାଇବାକୁ ହୁଏ । ବେଳେବେଳେ ଆମେ ଭୋର୍ ୩ଟାରେ ଉଠୁ ଏବଂ ରାତି ପର୍ଯ୍ୟନ୍ତ କାମ କରୁ । ତେଣୁ ଦିନରେ ଯେତେବେଳେ ସମୟ ମିଳେ, ଆମେ ଟିକେ ଶୋଇପଡ଼ୁ ।”

ଅଧିକାଂଶ ଅବିବାହିତ ଶ୍ରମିକ (ସମସ୍ତ ଶ୍ରମିକ ପୁରୁଷ) କୋଲ୍ଡ ଷ୍ଟୋର୍ ପରିସରରେ ଥିବା କେତୋଟି କୋଠରିରେ ରୁହନ୍ତି । ସେଠାରେ ସେମାନେ ଭାତ ତରକାରୀ ଆଦି ରାନ୍ଧନ୍ତି । ବିବାହିତମାନେ ସାଧାରଣତଃ ନିକଟରେ ଘର ଭଡ଼ା ନେଇଥାନ୍ତି ।

ଚମଲ୍ଲା ସମ୍ପତ୍ ରାଓ କୁହନ୍ତି, ଆମେ ୧୧ଜଣ ଯାକ ମିଶି ଆଜି ମାତ୍ର ୧୫୦ବସ୍ତା ତଳକୁ ଆଣିଛୁ । ଆମେ ଯେତେଜଣ କାମ କରୁ, ସମୁଦାୟ ଅର୍ଥ ସେ ମଧ୍ୟରେ ଭାଗ କରୁ । ଆଜି ଆମେ ସମସ୍ତେ ୧୦୦ ଟଙ୍କାରୁ ସାମାନ୍ୟ ଅଧିକ ରୋଜଗାର କରିଛୁ । ଏକ ଦଶକ ତଳେ ଶ୍ରୀକାକୁଲମ୍ ଜିଲ୍ଲାର ଗାରା ମଣ୍ଡଳର କର୍ଣ୍ଣି ଗ୍ରାମରୁ ସେ କାମର ସନ୍ଧାନରେ ଗୁଣ୍ଟୁର ଆସିଥିଲେ ।

workers in cold storage of mirchi
PHOTO • Rahul Maganti
Workers helping each other to carry sack of mirchi
PHOTO • Rahul Maganti

ଆମେ ସମସ୍ତେ କଠିନ ପରିଶ୍ରମ କରୁ, କୁହନ୍ତି ସମ୍ପତ୍ ରାଓ । ପ୍ରତିଦିନ ୪୫-୫୦ କିଲୋ ଓଜନ ବିଶିଷ୍ଟ ଅନେକ ବସ୍ତା ଉଠାଇ କେଇ ମହଲା ଉପର ତଳ ହେଉ ।

ସେ କହିଲା ବେଳେ ଲକ୍ଷ୍ୟ ରଖୁଥାନ୍ତି, ମିସ୍ତ୍ରୀ ବିଷ୍ଣୁ ଯେପରି ପାଖରେ ନଥିବ । ସେ ମୋତେ କହିଲେ, ଆମେ ସବୁ କଷ୍ଟ କାମ କରୁ । କୌଣସି ମିସ୍ତ୍ରୀ କେବେ ବି କୌଣସି କାର୍ଯ୍ୟ କରନ୍ତି ନାହିଁ । ସେମାନେ କେବଳ ଆମକୁ ଆଦେଶ ଦିଅନ୍ତି । ତଥାପି ଆମ କାନ୍ଧରେ ଚଢ଼ୁଥିବା ପ୍ରତ୍ୟେକ ବସ୍ତା ପାଇଁ ସେମାନେ ଟଙ୍କାଏ ଲେଖାଏଁ କମିଶନ ନିଅନ୍ତି ଏବଂ ଆମେ ଯାହା ପାଉ ତାହା ପାଆନ୍ତି (ବସ୍ତା ଉଠାଇବା ମଜୁରି) । କିନ୍ତୁ ସେ କେବେ ବସ୍ତାରେ ହାତଟିଏ ମଧ୍ୟ ରଖନ୍ତି ନାହିଁ ।

ବିଶ୍ୱ କୋଲ୍ଡ ଷ୍ଟୋରେଜ୍‌ର ଭଣ୍ଡାରଣ କ୍ଷମତା ୧.୨ ଲକ୍ଷ ବସ୍ତା । ଅର୍ଥାତ୍ ମିସ୍ତ୍ରୀ ପ୍ରତିବର୍ଷ ୨.୪ ଲକ୍ଷ ଟଙ୍କା ପାଆନ୍ତି, ପୁଣି ଏଥିସହିତ ବସ୍ତା ବୋହିବା ମଜୁରି ମଧ୍ୟ । ଶ୍ରମିକମାନେ ଜାଣନ୍ତି, ଏ ବିଷୟରେ ମିସ୍ତ୍ରୀକୁ ପ୍ରଶ୍ନ କରିବାର ଅର୍ଥ ନିଜର ଜୀବିକା ହରାଇବା । ରାଜା ରାଓ କୁହନ୍ତି,  ସେ ଆମକୁ ଫେରାଇ ଦେବ କିମ୍ବା ଆଉ କାହାକୁ ଆଣିବ । ତେଣୁ ଆମେ ଚୁପ୍ ରହିବାକୁ ବାଧ୍ୟ ହେଉ ।

୩୫ବର୍ଷ ବୟସ୍କ କରିମି ଚିନ୍ନାମ ନାଇଡୁ ୧୩ବର୍ଷ କୋଲ୍ଡ ଷ୍ଟୋର୍ ଶ୍ରମିକ ଭାବରେ କାମ କରିବା ପରେ ଗତବର୍ଷ ଠାରୁ କାମ କରିବା ବନ୍ଦ କରିଛନ୍ତି । ସେ କୁହନ୍ତି, ମୁଁ ଏହି ଦୁଇଟଙ୍କା କମିଶନ ବିରୋଧରେ ସ୍ୱର ଉଠାଇଲି ଏବଂ ମିସ୍ତ୍ରୀଙ୍କୁ ସାମ୍ନା କଲି । ସେ ସେଠାରେ ମୋର ଜୀବନ କଷ୍ଟକର କରିଦେଲେ । ତେଣୁ ମୋତେ କାମ ଛାଡ଼ି ଅନ୍ୟ କାମ ଦେଖିବାକୁ ପଡ଼ିଲା ।”ସେ ବର୍ତ୍ତମାନ ଲଙ୍କା ମଣ୍ଡିରେ କୁଲି ଭାବରେ କାମ କରୁଛନ୍ତି । ଯେତେବେଳେ ମୁଁ ବିଷ୍ଣୁଙ୍କୁ କମିଶନ ବିଷୟରେ ପଚାରିଲି, ସେ କହିଲେ, ବେଳେବେଳେ ଆମେ ଶ୍ରମିକମାନଙ୍କୁ ଅଗ୍ରୀମ ଦେଉ । କିନ୍ତୁ ସେମାନେ ଆମକୁ ଠକିଦିଅନ୍ତି । ଏହି ଅର୍ଥ ସେହି କ୍ଷତି ଭରଣା କରେ । ଶ୍ରମିକମାନେ ନିଜର ପାଉଣା ବଢ଼ାଇବା ବିଷୟରେ କୋଲ୍ଡ ଷ୍ଟୋର୍ ମାଲିକମାନଙ୍କୁ କହିପାରିବେ ।”

ମାଲିକଙ୍କୁ ମଜୁରି ବଢ଼ାଇବା ପାଇଁ କହିବା ମଧ୍ୟ ଲାଭଜନକ ହୋଇନି । ସମ୍ପତ୍ ରାଓ କୁହନ୍ତି, ଯେତେବେଳେ ମୁଁ ପ୍ରଥମେ ୧୦ବର୍ଷ ତଳେ କାମ ଆରମ୍ଭ କଲି, ସେତେବେଳେ ବସ୍ତା ପିଛା ମଜୁରି ୧୨ଟଙ୍କା ଥିଲା । ବର୍ତ୍ତମାନ ଆମେ ବସ୍ତା ପିଛା ୨୩ ଟଙ୍କା ପାଉଛୁ। ଏହା ଦୁଇଗୁଣ ମଧ୍ୟ ନୁହେଁ । ଏହି ସମୟ ମଧ୍ୟରେ ଶୀତଳଭଣ୍ଡାରରେ ରଖିବା ଦେୟ ବସ୍ତା ପିଛା ୫୦ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି (ଶ୍ରମିକଙ୍କ ମଜୁରି ସହିତ), ଏହି ଅର୍ଥ ୟୁନିଟରେ ରଖିବା ପାଇଁ ଚାଷୀମାନେ ଦେଇଥାନ୍ତି ।
Workers
PHOTO • Rahul Maganti

ଅଧିକାଂଶ ପ୍ରବାସୀ ଶ୍ରମିକମାନେ କୋଲ୍ଡ ଷ୍ଟୋର୍ ପରିସରରେ ଥିବା କୋଠରିଗୁଡ଼ିକରେ ରୁହନ୍ତି ଏବଂ ଅବେଳରେ କାମ ପାଇଁ ଡକା ହୁଅନ୍ତି ।

କୋଲ୍ଡ ଷ୍ଟୋର୍ ମାଲିକମାନେ ସିଧାସଳଖ ମୋଟା ଲାଭ ପାଆନ୍ତି । କୋଲ୍ଡ ଷ୍ଟୋର୍ ୟୁନିଟ୍ ପରିଚାଳନା ଖର୍ଚ୍ଚ ଅଧିକ ନୁହେଁ । ବିଶ୍ୱ କୋଲ୍ଡ ଷ୍ଟୋରର ମାଲିକ ଶ୍ରୀନିବାସ ରାଓ କୁହନ୍ତି, ମୁଖ୍ୟ ଖର୍ଚ୍ଚ ଏସି ପାଇଁ ବିଦ୍ୟୁତକାଟ୍ ସମୟରେ ଜେନେରେଟର୍ ପାଇଁ ଡିଜେଲ୍ ଏବଂ ଶୀତଳ କରିବା ପାଇଁ ଆବଶ୍ୟକ ଆମୋନିଆ ଏବଂ ପାଣି, ଏଥିସହ ପରିଚାଳନା ଖର୍ଚ୍ଚ । ମାସକୁ ବିଦ୍ୟୁତ ଖର୍ଚ୍ଚ ୨.୮ରୁ ୩ଲକ୍ଷ ପର୍ଯ୍ୟନ୍ତ ଆସିଥାଏ ଏବଂ ପାଣି ଖର୍ଚ୍ଚ ମାସକୁ ୨୫ ହଜାର ଟଙ୍କା ହୋଇଥାଏ।”

ସିଟୁର ଗୁଣ୍ଟୁର ସହର ସମ୍ପାଦକ ନଳିନୀକଣ୍ଠ କୋଟାପତି କୁହନ୍ତି, ଯଦି ଆମେ ସମୁଦାୟ ପରିଚାଳନା ଖର୍ଚ୍ଚ ମାସକୁ ୫ଲକ୍ଷ ଟଙ୍କା ବୋଲି ଧରିବା, ତାହେଲେ କୋଲ୍ଡ ଷ୍ଟୋର୍ ବ୍ୟବସାୟ ଖୁବ୍ ଲାଭଜନକ । ବର୍ଷକୁ ପ୍ରାୟ ୫୦ ଲକ୍ଷରୁ ଅଧିକ ଲାଭ ।”

ଏହି ଶ୍ରମିକମାନେ କୋଲ୍ଡ ଷ୍ଟୋରର ପେ’ରୋଲରେ ନଥାନ୍ତି । ତେଣୁ ଶ୍ରମିକ ଆଇନ ଅନୁଯାୟୀ ବାଧ୍ୟତାମୂଳକ ସୁରକ୍ଷା ଯଥା- ଚିକିତ୍ସା ସୁବିଧା, ପ୍ରୋଭିଡେଣ୍ଟ ଫଣ୍ଡ, ରାଜ୍ୟ କର୍ମଚାରୀ ବୀମା ଯୋଜନା ସୁରକ୍ଷା, ବୋନସ୍ ଓ ଅନ୍ୟ ସୁବିଧା ପାଇନଥାନ୍ତି । ନଳିନୀକଣ୍ଠ କୁହନ୍ତି ଏ “କୋଲ୍ଡ ଷ୍ଟୋର୍ ମାଲିକମାନଙ୍କ ମତ ଶ୍ରମିକମାନଙ୍କୁ କୃଷକମାନେ ସେମାନଙ୍କ ମାଲ୍ ଲଦିବା ପାଇଁ ଏବଂ ଓହ୍ଲାଇବା ପାଇଁ ଆଣିଥାନ୍ତି । ତାହା ସେମାନଙ୍କ ଦାୟିତ୍ୱ ।”

ଶ୍ରମିକମାନେ ୟୁନିୟନ୍ ଜରିଆରେ ମଜୁରି ବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ୟୁନିୟନ୍ ମଧ୍ୟ ଦୃଢ଼ ନୁହେଁ । କାମ ଅନୌପଚାରିକ ହୋଇଥିବାରୁ ଶ୍ରମିକମାନଙ୍କୁ ସଂଗଠିତ କରିବା କଷ୍ଟକର । ଏଥିସହ ମାଲିକ କିମ୍ବା ମିସ୍ତ୍ରୀକୁ ପ୍ରଶ୍ନ କରିବା ସେମାନଙ୍କ ଜୀବିକା ହରାଇପାରେ ବୋଲି ମଧ୍ୟ ସେମାନେ ଭୟ କରନ୍ତି ।

ରାଜା ରାଓ କୁହନ୍ତି ଏ “ଯେତେବେଳେ ଆମେ ଗାଁରେ ଚଳିନପାରୁ ବା କାମ ନପାଉ, ସେତେବେଳେ ଆମେ ଏଠାକୁ ଆସୁ । ନହେଲେ କିଏ ନିଜ ଲୋକଙ୍କୁ ଦୂରରେ ଛାଡ଼ି ଏଠାରେ ଗୋତି ଶ୍ରମିକ ଭଳି ରହିବ? କିନ୍ତୁ ଆମେ ନିଜର ଏହି ଗୋତି ଶ୍ରମିକ ଜୀବନ ବିଷୟରେ କଥାବାର୍ତ୍ତା ବି କରିପାରୁନି ।”

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti