ଭୁବନେଶ୍ୱରରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ସମାରୋହ ଓ ତା ପରେ ରାଜଭବନରେ ଚା’ ଭୋଜିରେ ସାମିଲ ହେବାଲାଗି ଓଡ଼ିଶାର ରାଜ୍ୟପାଳ ଓ ତାଙ୍କ ପତ୍ନୀଙ୍କ ପକ୍ଷରୁ ନିମନ୍ତ୍ରଣକୁ ଲକ୍ଷ୍ମୀ ‘ଇନ୍ଦିରା’ପଣ୍ଡା ଗ୍ରହଣ କରିନଥିଲେ। ସେମାନେ ତାଙ୍କ କାର୍ର ପାର୍କିଂ ପାଇଁ ଏକ ସ୍ୱତନ୍ତ୍ର ପାର୍କିଂ ପାସ୍ର ମଧ୍ୟ ବ୍ୟବସ୍ଥା କରିଥିଲେ।  କିନ୍ତୁ ଏହି ନିମନ୍ତ୍ରଣର ଲକ୍ଷ୍ମୀ କୌଣସି ଉତ୍ତର ଦେଇନଥିଲେ। କିମ୍ବା ତା’ ପରେ ସ୍ୱାଧୀନତା ଦିବସ ସମାରୋହରେ ମଧ୍ୟ ସେ ଯୋଗ ଦେଲେନାହିଁ ।

ଲକ୍ଷ୍ମୀ ପଣ୍ଡାଙ୍କର କାର୍ ନାହିଁ ଏବଂ ସେ କୋରାପୁଟ ଜିଲ୍ଲାର ଜୟପୁର ଟାଉନରେ ଥିବା ଏକ ବସ୍ତିର ଗୋଟିଏ ଛୋଟ କୋଠରୀରେ ରହନ୍ତି। ପୂର୍ବରୁ ଦୁଇ ଦଶନ୍ଧି ଧରି ସେଠାରେ ସେ ରହିଛନ୍ତି। ଗତବର୍ଷ ସ୍ଥାନୀୟ ଶୁଭେଚ୍ଛୁମାନେ ତାଙ୍କପାଇଁ ଟ୍ରେନ୍ ଟିକେଟ କରିଦେଇଥିଲେ, ଯାହାଫଳରେ ସେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇପାରିଥିଲେ। ଏବର୍ଷ ସେ ଏଥିପାଇଁ ତାଙ୍କର ସାମର୍ଥ୍ୟ ନଥିଲା। ଆମକୁ ନିମନ୍ତ୍ରଣପତ୍ର ଏବଂ ପାର୍କିଂ ପାସ ଦେଖାଇ ସେ ହସି ପକାଇଲେ। କାର୍ ସହିତ ତାଙ୍କର ଏକମାତ୍ର ସଂପର୍କ ଥିଲା ଯେ: ଚାରି ଦଶନ୍ଧି ପୂର୍ବରୁ ମୋ ସ୍ୱାମୀ ଡ୍ରାଇଭର ଥିଲେ । ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଏବେ ବି  ଲକ୍ଷ୍ମୀଙ୍କର ପ୍ରକାଶିତ ଏକ ଫଟୋକୁ ଗର୍ବର ସହ ରଖିଛି, ଯେଉଁଥିରେ ସେ ହାତରେ ରାଇଫଲ୍ ଧରିଛନ୍ତି ।

Laxmi Panda outside her home
PHOTO • P. Sainath

ଓଡ଼ିଶାର କୋରାପୁଟରେ ଏକ ବସ୍ତିରେ ଥିବା ଘରେ ରହୁଥିବା ଜଣେ ବିସ୍ମୃତ ସ୍ୱାଧୀନତା ସଂଗ୍ରାମୀ

ଦେଶର ସ୍ୱାଧୀନତା ପାଇଁ ଲଢେଇ କରିଥିବା ଅଗଣିତ ଗ୍ରାମୀଣ ଭାରତୀୟଙ୍କ ମଧ୍ୟରୁ ଲକ୍ଷ୍ମୀ ଅନ୍ୟତମ। ସାଧାରଣ ଲୋକ ଯେଉଁମାନେ ଆଗକୁ ଯାଇ ନେତା, ମନ୍ତ୍ରୀ ବା ରାଜ୍ୟପାଳ ଭାବେ ପ୍ରସିଦ୍ଧ ହୋଇନଥିଲେ। ସ୍ୱାଧୀନତା ପାଇଁ ଏମାନେ ବହୁତ ତ୍ୟାଗ କରିଥିଲେ ଏବଂ ପରେ ଦୈନନ୍ଦିନ ଜୀବନକୁ ଫେରିଗଲେ। ଦେଶ ତାର ୬୦ତମ ସ୍ୱାଧୀନତା ଦିବସ ପାଳନ କରିବାବେଳକୁ ସେହି ପିଢ଼ିର ଅଧିକାଂଶଙ୍କର ମୃତ୍ୟୁ ହୋଇସାରିଛି। ଯେଉଁମାନେ ବଞ୍ଚିଛନ୍ତି ସେମାନେ ୮୦ ବା ୯୦ ବର୍ଷ ବୟସରେ ଉପନୀତ ଏବଂ ଅନେକ ଶଯ୍ୟାଶାୟୀ ଅଛନ୍ତି ବା ଅବସାଦଗ୍ରସ୍ତ ଅଛନ୍ତି। (ଏହି ବୟସର ଲୋକଙ୍କ ମଧ୍ୟରେ ଲକ୍ଷ୍ମୀ ଜଣେ ନିଆରା ବ୍ୟକ୍ତିତ୍ୱ। ନିଜର କୌଶୋରାବସ୍ଥାର ପ୍ରାରମ୍ଭରେ ସେ ଆଇଏନ୍ଏରେ ଯୋଗ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ୮୦ ବର୍ଷ ହେବାକୁ ଯାଉଛି ।) ଖୁବ୍ ଦ୍ରୁତ ଗତିରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଖ୍ୟା ହ୍ରାସ ପାଉଛି ।

ଓଡ଼ିଶା ରାଜ୍ୟ ଲକ୍ଷ୍ମୀ ପଣ୍ଡାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱୀକୃତି ଦେଇଛି। ଯାହା ଅନୁସାରେ ତାଙ୍କୁ ମାସିକ ମାତ୍ର ୭୦୦ ଟଙ୍କା ପେନ୍ସନ୍ ମିଳୁଛି। ଗତବର୍ଷ ଏହି ପେନସନ୍ ରାଶି ୩୦୦ ଟଙ୍କା ବୃଦ୍ଧି ପାଇଛି। ଅବଶ୍ୟ ବହୁ ବର୍ଷ ଧରି ତାଙ୍କ ପାଖକୁ କେଉଁ ଠିକଣାରେ ଟଙ୍କା ପଠାଯିବ ତାହା କେହି ଜାଣିନଥିଲେ। ତେବେ ତାଙ୍କ ସମୟର ବହୁ ଆଇଏନଏ ବର୍ଷୀୟାନମାନେ ତାଙ୍କର ଦାବି ସହ ସହମତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ଦେବାକୁ ମନା କରିଆସୁଛନ୍ତି। ଲକ୍ଷ୍ମୀ ପଣ୍ଡା କହନ୍ତି, ‘‘ସେମାନେ ଦିଲ୍ଲୀରେ କହିଲେ ଯେ ମୁଁ ଜେଲରେ ରହିନାହିଁ ଏବଂ ଏହା ସତ, ମୁଁ ଜେଲ ଯାଇନାହିଁ। କିନ୍ତୁ ସେତେବେଳେ ଆଇଏନଏର ଅନେକ ସଦସ୍ୟ ଜେଲ ଯାଇନଥିଲେ। ତା’ର ଅର୍ଥ କ’ଣ ଆମେ ସ୍ୱାଧୀନତା ପାଇଁ ଲଢ଼ିନଥିଲୁ? ମୁଁ ମୋ ପେନସନ୍ ପାଇଁ କାହିଁକି ମିଛ କଥା କହିବି?’’

ନେତାଜୀ ବୋଷଙ୍କ ଭାରତୀୟ ଜାତୀୟ ସେନାର କନିଷ୍ଠ ସଦସ୍ୟମାନଙ୍କ ମଧ୍ୟରୁ ଲକ୍ଷ୍ମୀ ଅନ୍ୟତମ ଥିଲେ। ବୋଧହୁଏ ଆଇଏନ୍ଏରେ ସ୍ଥାନ ପାଇବାରେ ସେ ଏକମାତ୍ର ଓଡ଼ିଆ ମହିଳା ଥିଲେ ଏବଂ ତକ୍ରାଳୀନ ସମୟରେ ବର୍ମାରେ ଥିବା ଏହାର କ୍ୟାମ୍ପରେ ସେ ଯୋଗ ଦେଇଥିଲେ। ଏବେ ସେ ଆଇଏନ୍ଏର ଏକମାତ୍ର ଜୀବିତ ସଦସ୍ୟ। ସେ କହନ୍ତି, ସେ ସମୟରେ ଅଧିକ ପ୍ରସିଦ୍ଧ ଥିବା (କ୍ୟାପଟେନ୍) ଲକ୍ଷ୍ମୀ ସେହଗଲଙ୍କ ସହିତ ତାଙ୍କ ନାଁ ନେଇ ଯେମିତି ଭୁଲ ବୁଝାମଣା ନ ହେବ ସେଥିଲାଗି ବୋଷ ତାଙ୍କୁ ବ୍ୟକ୍ତିଗତ ଭାବେ ନୂଆ ନାଁ ଇନ୍ଦିରା ଦେଇଥିଲେ। ନେତାଜୀ ମୋତେ କହିଥିଲେ, ‘ଏହି କ୍ୟାମ୍ପରେ ତୁମେ ଇନ୍ଦିରା। ଅଧିକ କିଛି ବୁଝିବା ପାଇଁ ମୋର ବୟସ ଖୁବ୍ କମ୍ ଥିଲା। କିନ୍ତୁ ସେବେଠାରୁ ମୁଁ ଇନ୍ଦିରା ହୋଇଗଲି ।’

Laxmi Panda

ଆଇଏନ୍ଏରେ ଆମ ମଧ୍ୟରୁ ଅଧିକାଂଶ ଜେଲ ଯାଇନଥିଲେତାର ଅର୍ଥ କଣ ଏହା ଯେ ଆମେ ସ୍ୱାଧୀନତା ପାଇଁ ଲଢ଼ିନଥିଲୁ?’

ବର୍ମାର ରେଳବିଭାଗରେ କାମ କରୁଥିବା ସମୟରେ ଲକ୍ଷ୍ମୀଙ୍କର ପିତାମାତାଙ୍କର ବ୍ରିଟିଶମାନଙ୍କ ବୋମାମାଡ଼ରେ ମୃତୁ୍ୟ ହୋଇଥିଲା। ‘ତା’ ପରେ ମୁଁ ବ୍ରିଟିଶମାନଙ୍କ ବିରୋଧରେ ଲଢ଼ିବାକୁ ଚାହୁଁଥିଲି। ଆଇଏନଏରେ ଥିବା ମୋର ବରିଷ୍ଠ ଓଡ଼ିଆ ବନ୍ଧୁମାନେ ମୋତେ କେଉଁଥିରେ ସାମିଲ କରିବାକୁ ନାରାଜ ଥିଲେ। ସେମାନେ କହୁଥିଲେ ମୋର ବୟସ ଖୁବ୍ କମ୍ ଥିଲା। ମୁଁ ମୋର ସାମର୍ଥ ଅନୁସାରେ କେଉଁଥିରେ ସାମିଲ ହେବାକୁ ଅନୁରୋଧ କଲି, ତାହା ନାମକୁ ମାତ୍ର ହେଉ ପଛକେ। ମୋ ଭାଇ ନକୁଲ ରଥ ମଧ୍ୟ ଆଇଏନଏର ଜଣେ ସଦସ୍ୟ ଥିଲେ ଏବଂ ସେ ଯୁଦ୍ଧରେ ନିଖୋଜ ହୋଇଗଲେ। ବହୁ ବର୍ଷ ପରେ, କେହି ଜଣେ ମୋତେ କହିଲେ ସେ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଏବଂ କାଶ୍ମୀରରେ ଅଛନ୍ତି। କିନ୍ତୁ ମୁଁ କିପରି ତାହା ଯାଞ୍ଚ କରିପାରିବି? ସେ ଯାହାହେଉ, ତାହା ଅର୍ଦ୍ଧଶତାଦ୍ଧୀ ତଳେ ଘଟିଥିଲା।’

ସେ କହନ୍ତି, ‘କ୍ୟାମ୍ପରେ ମୁଁ ଲେଫ୍ଟନାଣ୍ଟ ଜାନକୀଙ୍କୁ ଭେଟିଲି ଏବଂ ଲକ୍ଷ୍ମୀ ସେହଗଲ, ଗୌରୀ ଓ ଅନ୍ୟ ପ୍ରସିଦ୍ଧ ଆଇଏନଏନ ଯୋଦ୍ଧାଙ୍କୁ ସାକ୍ଷାତ କଲି। ଯୁଦ୍ଧର ପରବର୍ତ୍ତୀ ସମୟରେ ଆମେ ସିଙ୍ଗାପୁର ଗଲୁ।’ ସେ ମନେପକାନ୍ତି, ‘ ବୋଧହୁଏ ବାହାଦୂର ଗ୍ରୁପ୍ ସହିତ ଆମେ ଯାଇଥିଲୁ।’ ସେଠାରେ ସେ ଆଇଏନଏର ତାମିଲ ସମର୍ଥକମାନଙ୍କ ସହିତ ରହିଥିଲେ, ଏପରିକି ସେହିଭାଷାର କିଛି ଶଦ୍ଧ ଶିଖିଯାଇଥିଲେ ।

ନିଜ କଥାର ପ୍ରମାଣ ଦେବାକୁ ଯାଇ ସେ ଆମ ସାମ୍ନାରେ ତାଙ୍କର ନାଁ ଇନ୍ଦିରାକୁ ତାମିଲ ଭାଷାରେ ଦସ୍ତଖତ କଲେ। ଏବଂ ଆଇଏନଏର ଜାତୀୟ ସଂଗୀତର ପ୍ରଥମ ପାରାକୁ ସେ ଗର୍ବର ସହିତ ଗାଆନ୍ତି: ‘ କଦମ କଦମ ବଢାୟେ ଯା, ଖୁସିକେ ଗୀତ ଗାଏ ଯା, ୟେ ଜିନ୍ଦେଗୀ ହେ କୌମ କି, ତୁ କୌମ ପେ ଲୁଟାୟେ ଯା ।(ସୋପାନ ପରେ ସୋପାନ ଆଗକୁ ବଢ଼ିଚାଲ, ଖୁସିର ଗୀତ ଗାଇ ଚାଲ। ଏହି ଜୀବନ ଦେଶମାତୃକାର, ଦେଶମାତୃକା ପାଇଁ ନିଜକୁ ଉତ୍ସର୍ଗ କରି ଚାଲ।’

ଆଇଏନଏ ୟୁନିଫର୍ମ ପିନ୍ଧି ହାତରେ ଏକ ରାଇଫଲ ଧରିଥିବା ତାଙ୍କ ଫଟୋ ସଂପର୍କରେ ସେ କହନ୍ତି, ‘ଯୁଦ୍ଧ ପରେ ଏକ ପୁର୍ନମିଳନ ଏବଂ ଆମେମାନେ ଅଲଗା ହେଉଥିବା ସମୟରେ ସେହି ଫଟୋକୁ ନିଆ ଯାଇଥିଲା। ଖୁବ୍ ଶୀଘ୍ର ୧୯୫୧ରେ ବରହମପୁରରେ ମୁଁ ଖଗେଶ୍ୱର ପଣ୍ଡାଙ୍କୁ ବିବାହ କଲି ଏବଂ ମୋ ବିବାହରେ ସାମିଲ ହେବାକୁ ଆଇଏଏନର ବହୁ ଓଡ଼ିଆ ସଦସ୍ୟ ଆସିଥିଲେ ।’

ନିଜର ପୁରୁଣା ଆଇଏନଏ କମ୍ରେଡମାନଙ୍କ ସଂପର୍କରେ ସେ ସ୍ମୃତିଚାରଣ କରନ୍ତି। ‘ ମୁଁ ସେମାନକୁ ଝୁରି ହୁଏ। ଏପରିକି ଯେଉଁମାନଙ୍କୁ ମୁଁ ଭଲ ଭାବେ ଜାଣିନଥିଲି, ସେମାନଙ୍କୁ ଆଉ ଥରେ ଦେଖିବାକୁ ଆଶା କରେ। ତୁମେ ଜାଣ, ଏକଦା ମୁଁ ଶୁଣିଲି ଯେ ଲକ୍ଷ୍ମୀ ସେହଗଲ କଟକରେ କହୁଥିଲେ, କିନ୍ତୁ ଯିବା ପାଇଁ ମୋର ସାମର୍ଥ ନଥିଲା। ଅତି କମ୍ରେ ଥରେ ତାଙ୍କୁ ଦେଖିବାକୁ ମୋର ଇଚ୍ଛା ଅଛି। କାନପୁର ଯିବାଲାଗି ଯେତେବେଳେ ମୁଁ ଥରେ ମାତ୍ର ସୁଯୋଗ ପାଇଥିଲି-ସେତେବେଳେ ଅସୁସ୍ଥ ହୋଇପଡ଼ିଲି। ଏବେ ଆଉ କେବେ ସେପରି ସୁଯୋଗ ଆସିବ?’

୧୯୫୦ ମସିହାବେଳକୁ ତାଙ୍କ ସ୍ୱାମୀ ଏକ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ‘ସେତେବେଳେ ହୀରାକୁଦ ନିକଟରେ କିଛି ବର୍ଷ ଆମେ କାମ କରିଥିଲୁ। ସେ ସମୟରେ ମୁଁ ଖୁସିଥିଲି ଏବଂ ମୋର ଚଳିବା ପାଇଁ ମୋତେ ପରିଶ୍ରମ କରିବାକୁ ପଡୁନଥିଲା। କିନ୍ତୁ ସେ ୧୯୭୬ରେ ମରିଗଲେ ଏବଂ ମୋର ସମସ୍ୟା ଆରମ୍ଭ ହେଲା ।’

ଚଳିବା ପାଇଁ ଲକ୍ଷ୍ମୀ ଏକ ଷ୍ଟୋରରେ ସହାୟିକା, ଜଣେ ଶ୍ରମିକ ଏବଂ ଜଣେ ଘରୋଇ ସହାୟିକା ଭାବେ କାମ କରିଥିଲେ। ସବୁବେଳେ ମଦ୍ୟାସକ୍ତ ରହୁଥିବା ତାଙ୍କର ପୁଅ ଓ ତାର ପିଲାମାନଙ୍କୁ ନେଇ ଲକ୍ଷ୍ମୀ ଚିନ୍ତିତ ରହୁଥିଲେ। 
Laxmi Panda showing her old photos
PHOTO • P. Sainath

ଏକ ରାଇଫଲ ସହିତ  ଆଇଏନଏ ୟୁନିଫର୍ମରେ ତାଙ୍କର ଫଟୋକୁ ଆମକୁ ଦେଖାଉଛନ୍ତି ଲକ୍ଷ୍ମୀ ପଣ୍ଡା ।

ସେ କହନ୍ତି, ‘ମୁଁ କିଛି ମାଗିନଥିଲି। ମୁଁ ମୋ ଦେଶ ପାଇଁ ଲଢ଼ିଥିଲି, ପୁରସ୍କାର ପାଇଁ ନୁହେଁ। ମୋ ପରିବାର ପାଇଁ କେବେହେଲେ ମୁଁ କିଛି ମାଗିନଥିଲି। କିନ୍ତୁ ଏବେ ଏହି ଅଧ୍ୟାୟର ଶେଷ ସମୟରେ ମୁଁ ଆଶା କରୁଛି ଯେ ଅତିକମରେ ମୋର ଅବଦାନକୁ ସ୍ୱୀକୃତି ମିଳିବ।’

ଖରାପ ସ୍ୱାସ୍ଥ୍ୟ ଏବଂ ଗରିବୀ ମିଶି କିଛି ବର୍ଷ ତଳେ ତାଙ୍କୁ କବଳିତ କରିବାକୁ ବସିଥିଲା। ସେହି ସମୟରେ ଜୟପୁରର ଜଣେ ଯୁବ ସାମ୍ବାଦିକ ପରେଶ ରଥ ତାଙ୍କ କାହାଣୀକୁ ଛାପିଲେ। ରଥ ନିଜ ଖର୍ଚ୍ଚରେ ତାଙ୍କୁ ବସ୍ତିରୁ ଉଦ୍ଧାର କରି ଗୋଟିଏ ଏକ ବଖୁରିଆ ଘରେ ରଖିଲେ ଏବଂ ତାଙ୍କର ମେଡିକାଲ ଆବଶ୍ୟକତା ପୂରଣ କଲେ। ନିକଟରେ ଅସୁସ୍ଥ ହୋଇପଡ଼ିବା ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିଜ ପୁଅର ବଦଭ୍ୟାସ ସତ୍ତ୍ୱେ ବର୍ତ୍ତମାନ ପାଇଁ ସେ ପୁଅଙ୍କ ଘରେ ଅଛନ୍ତି। ରଥଙ୍କ ପରେ ଅନ୍ୟମାନେ ତାଙ୍କ କାହାଣୀ ସଂପର୍କରେ ପ୍ରକାଶ କଲେ। ଏପରିକି ଥରେ ସେ ଏକ ଜାତୀୟ ସ୍ତରର ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିଥିଲେ ।

ରଥ କହନ୍ତି, ‘ଆମେ ଯେତେବେଳେ ତାଙ୍କ କାହାଣୀ ପ୍ରଥମେ ପ୍ରକାଶ କଲୁ, ସେ କିଛି ସାହାଯ୍ୟ ପାଇଲେ। ତକ୍ରାଳୀନ ସମୟରେ କୋରାପୁଟର ଜିଳ୍ଳାପାଳ ଥିବା ଉଷା ପାଢ଼ି ସମବେଦନାଶୀଳ ଥିଲେ। ସେ ରେଡକ୍ରସ  ପଣ୍ଡରୁ ଲକ୍ଷ୍ମୀଙ୍କୁ ଚିକିତ୍ସା ସହାୟତା ବାବଦରେ ୧୦,୦୦୦ ଟଙ୍କା ଦେଲେ ଏବଂ ଖଣ୍ଡେ ସରକାରୀ ଜାଗା ଦେବାକୁ ବି ପ୍ରତିଶ୍ର୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହୋଇଗଲା। ପଶ୍ଚିମବଙ୍ଗର କିଛି ଲୋକ ମଧ୍ୟ ଲକ୍ଷ୍ମୀଙ୍କ ନିକଟକୁ କିଛି ସାହାଯ୍ୟ ପଠାଇଥିଲେ। କିନ୍ତୁ ଖୁବ୍ ଶୀଘ୍ର ସେ ସବୁ ସରିଗଲା ଏବଂ ସେ ପୁଣି ତାଙ୍କର ପୂର୍ବାବସ୍ଥାକୁ ଫେରି ଆସିଲେ। ଏବେ ମଧ୍ୟ ଏହା କେବଳ ଟଙ୍କାର କଥା ନୁହେଁ। ଯଦିବା ସେ କେନ୍ଦ୍ର ସରକାରଙ୍କ ପେନସନ୍ ପାଆନ୍ତି ତା’ ହେଲେ ତାକୁ ସେ କେତେବର୍ଷ ଉପଭୋଗ କରିବେ? ପ୍ରକୃତରେ ଏହା ତାଙ୍କ ଗର୍ବ ଏବଂ ଗୌରବର କଥା। କିନ୍ତୁ କେନ୍ଦ୍ର ସରକାର ଏ ନେଇ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି।’

ବହୁବର୍ଷ ଧରି ନିଷ୍ଫଳ ପ୍ରୟାସ କରିବା ପରେ, ଲକ୍ଷ୍ମୀଙ୍କୁ ଗତବର୍ଷର ଶେଷ ଆଡ଼କୁ ଏହି ଜିଲ୍ଲାର ପାଞ୍ଜିଆଗୁଡ଼ା ଗାଁରେ ଖଣ୍ଡେ ସରକାରୀ ଜମି ଦିଆଯାଇଥିଲା। କିନ୍ତୁ ସେ ଏବେ ବି ସେହି ଜମିରେ ସରକାରୀ ଯୋଜନା ଅନୁସାରେ ଘର ଖଣ୍ଡେ କରିବାକୁ ଆଶା ଓ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ପାଇଁ ରଥ ସେ ରହୁଥିବା ପୁରୁଣା ଘର ନିକଟରେ ଆଉ ଗୋଟେ ଭଲ କୋଠରୀ ନିର୍ମାଣ ପାଇଁ ଟଙ୍କା ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କୁ ସେଠାକୁ ନେବାକୁ ଆଶା ରଖିଛନ୍ତି ।

ବର୍ତ୍ତମାନ ତାଙ୍କୁ ସାମାନ୍ୟ ସ୍ୱୀକୃତି ବି ମିଳିଛି। କିଛି ସଂସ୍ଥା ତାଙ୍କ ପ୍ରସଙ୍ଗ ଉଠାଇବା ପାଇଁ ଆଗକୁ ଆସିଛନ୍ତି। ଅଗଷ୍ଟ ୧୪ ତାରିଖରେ ସେ ମୋତେ କହିଥିଲେ, ‘ଆସନ୍ତାକାଲି ଏଠାକାର ଦୀପ୍ତି ସ୍କୁଲରେ ମୁଁ ପତାକା ଉତ୍ତୋଳନ କରିବି। ସେମାନେ ମୋତେ ଏଥିପାଇଁ ଡାକିଛନ୍ତି।’ ଏଥିପାଇଁ ସେ ଗର୍ବ କରନ୍ତି, କିନ୍ତୁ ଦୁଃଖ କରନ୍ତି ଯେ କାର୍ଯ୍ୟକ୍ରମକୁ ପିନ୍ଧି ଯିବାଲାଗି ତାଙ୍କ ନିକଟରେ ଖଣ୍ଡେ ଭଲ ଶାଢ଼ି ନାହିଁ।’

ଇତିମଧ୍ୟରେ ଏହି ବୟବୃଦ୍ଧ ସ୍ୱାଧୀନତା ସଂଗ୍ରାମୀ ତାଙ୍କର ପରବର୍ତ୍ତୀ ଯୁଦ୍ଧ ପାଇଁ ଯୋଜନା କରିଛନ୍ତି। ଲକ୍ଷ୍ମୀ କହନ୍ତି, ‘ ନେତାଜୀ କହିଥିଲେ ‘ ଦିଲ୍ଲୀ ଚଲୋ’(ଦିଲ୍ଲୀ ଆଡ଼କୁ ଅଗ୍ରସର ହୁଅ)। ଅଗଷ୍ଟ ୧୫ ତାରିଖ ପରେ ମୁଁ ତାହା ହିଁ କରିବି ଯଦି କେନ୍ଦ୍ର ସରକାର ସେତେବେଳ ଯାଏ ମୋତେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱୀକୃତି ନ ଦିଅନ୍ତି। ମୁଁ ସଂସଦ ନିକଟରେ ଧାରଣା ଦେବି। ‘ଦିଲ୍ଲୀ ଚଲୋ’ ତାହା ହିଁ ମୁଁ କରିବି ।’

ଏବଂ ଶେଷରେ ସେ ଏହା କରିବେ, ହୁଏତ ଛଅ ଦଶନ୍ଧି ପରେ। କିନ୍ତୁ ହୃଦୟରେ ବିଶ୍ୱାସ ନେଇ। ସେ ଯେପରି ଗାଆନ୍ତି, ‘କଦମ କଦମ୍ ବଢାୟେ ଯା...’।

ଫଟୋ: ପି.ସାଇନାଥ

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath