“ଆମେ ଆମ ଘୋଡ଼ାକୁ ପରିବାର ସଦସ୍ୟ ଭଳି ବ୍ୟବହାର କରୁ। ଆବଶ୍ୟକ ପଡ଼ିଲେ ମୁଁ ସେମାନଙ୍କର ଡାକ୍ତର ହୋଇ ମୁମ୍ବାଇରୁ ସେମାନଙ୍କ ପାଇଁ ଔଷଧ କିଣିଆଣେ। ସେମାନେ ଅସୁସ୍ଥ ଥିଲେ ମୁଁ ସେହି ଔଷଧକୁ ସେମାନଙ୍କୁ ଇଞ୍ଜେକସନ୍ ମାଧ୍ୟମରେ ଦେଇଥାଏ। ସେମାନଙ୍କୁ ଗାଧୋଇ ଦେବା ସହିତ ପରିଷ୍କାର ରଖେ।” ମନୋଜ କସୁନେ୍ଦ ତାଙ୍କର ଘୋଡ଼ାକୁ ଖୁବ୍ ଭଲ ପାଆନ୍ତି, ସେ ଘୋଡ଼ା ପିଠିରେ ପର୍ଯ୍ୟଟକମାନଙ୍କୁ ବୁଲାଇ ସେହି ଅର୍ଥରେ ଚଳୁଥିବା ଲାଇସେନ୍ସପ୍ରାପ୍ତ ମାଲିକଙ୍କ ମଧ୍ୟରୁ ଅନ୍ୟତମ। ପର୍ଯ୍ୟଟକମାନେ ଘୋଡ଼ା ପିଠିରେ ବସିଥିବାବେଳେ ହ୍ୟାଣ୍ଡଲର ବା ଘୋଡ଼ା ରଖାଳୀମାନେ ଘୋଡ଼ା କଡ଼ରେ ରହି ମାଥେରାନର ଉଠାଣି ଏବଂ ଗଡ଼ାଣି ରାସ୍ତାରେ ଚାଲିଥାନ୍ତି।

କସୁନ୍ଦେମାନେ ହେଉଛନ୍ତି ବିଚିତ୍ର ଲୋକ - ଆମେ ସେମାନଙ୍କ ବିଷୟରେ ଖୁବ୍ କମ୍ ଜାଣିଛୁ। କାରଣ ବୋଧହୁଏ ଆମେ ଏ ନେଇ ପ୍ରଶ୍ନ ପଚାରୁନା। ମୁମ୍ବାଇର ଦକ୍ଷିଣରେ ପ୍ରାୟ ୯୦ କିମି ଦୂରରେ ଥିବା  ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏହି ପ୍ରସିଦ୍ଧ ହିଲଷ୍ଟେସନରେ ପ୍ରାୟ ୪୬୦ଟି ଘୋଡ଼ା କାମ କରୁଛନ୍ତି। ସେମାନଙ୍କ ରଖାଳି (ସମସ୍ତେ ମାଲିକ ନୁହନ୍ତି) ଆମକୁ କହନ୍ତି ଯେ, ‘ସେମାନଙ୍କୁ ପ୍ରତିଦିନ ୨୦-୨୫ କିମି ପାହାଡ଼ିଆ ରାସ୍ତାରେ ଚାଲିବାକୁ ହୁଏ। ଏଠି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ କିଏ ବୋଝ ବୋହୁଥିବା ପଶୁ, ଘୋଡ଼ା ନା ଘୋଡ଼ାରଖାଳୀ ନା ଉଭୟ। 

PHOTO • Sinchita Maji

ମନୋଜ କସୁନ୍ଦେ କହନ୍ତି, ‘ଆମେ ଆମ ଘୋଡ଼ାକୁ ପରିବାର ସଦସ୍ୟ ଭଳି ବ୍ୟବହାର କରୁ

ଏହି ହିଲଷ୍ଟେସନ୍ ମଧ୍ୟରେ ଗାଡ଼ି  ଉପରେ ବ୍ୟାନ୍ ଲଗାଯାଇଛି। ଦସ୍ତୁରି ଯାଏ ଗାଡ଼ିଗୁଡ଼ିକୁ ଆସିବାକୁ ଅନୁମତି ରହିଛି। ସେଠାରୁ ମାଥେରାନର ମୁଖ୍ୟ ବଜାର ପର୍ଯ୍ୟନ୍ତ ଦୂରତା ହେଉଛି ତିନି କିମି। ମୁଖ୍ୟ ବଜାର ଓ ୧୧ କିମି ଦୂରରେ ଥିବା ନିକଟବର୍ତ୍ତୀ ନେରାଲ ମଧ୍ୟରେ ଏକ ଟୟ ଟ୍ରେନ୍ (ସଂକୀର୍ଣ୍ଣ ରେଳଟ୍ରାକ୍) ଚାଲୁଥିଲା। କିନ୍ତୁ ଦୁଇଥର ଲାଇନଚ୍ୟୁତ ହେବାପରେ ମେ ୨୦୧୬ ପରଠାରୁ ସେହି ସେବା ବନ୍ଦ ହୋଇଯାଇଛି। ତେଣୁ ଦସ୍ତୁରିରୁ ଆପଣଙ୍କୁ ହୁଏତ ପାହାଡ଼ ଚଢ଼ିବାକୁ ପଡ଼ିବ କିମ୍ବା ହାତଟଣା ରିକ୍ସାରେ ଯିବେ ନ ହେଲେ ଘୋଡ଼ାରେ ବସି ଯିବେ। ସେଥିଯୋଗୁ ସେଠାରେ ବହୁ ସଂଖ୍ୟକ ଘୋଡ଼ା, ରିକ୍ସା ଏବଂ ପୋର୍ଟରମାନେ କାମ କରୁଛନ୍ତି।

ଶିବାଜୀ କୋକାରେଙ୍କର ଘୋଡ଼ା ରାଜା, ଜୟପାଲ ଏବଂ ଚେତକଙ୍କର ନିଜସ୍ୱ ପରିଚୟପତ୍ର ରହିଛି। ସେମାନଙ୍କର ଫଟୋ ତାଙ୍କ ମାଲିକମାନଙ୍କର ଲାଇସେନ୍ସରେ ରହିଛି। ସ୍ଥାନୀୟ ପୁଲିସ ଘୋଡ଼ା ମାଲିକମାନଙ୍କୁ ଏହି ଲାଇସେନ୍ସ ଜାରି କରିଥାଏ। କାର୍ଡର ପଛପଟେ ସେମାନଙ୍କର ପଞ୍ଜିକୃତ ଘୋଡ଼ାର ଫଟୋ ଥାଏ। ଯେଉଁ ମାଲିକଙ୍କର ତିନିଟି ଘୋଡ଼ା ଥାଏ ତାଙ୍କର ଲାଇସେନ୍ସରେ ତିନିଟି ଯାକ ଘୋଡ଼ାର ଫଟୋ ରହିଥାଏ।

କୋକାରେ କହନ୍ତି, ‘ଏହା ଆମର ପାରିବାରିକ ବ୍ୟବସାୟ। ମୋ ଭାଇ ଗଣେଶ ରାଜା, ଜୟପାଲ ଏବଂ ଚେତକର ମାଲିକ। ସେ ମାଥେରାନରେ ରହନ୍ତି।’

ରାଜା, ଜୟପାଲ ଏବଂ ଚେତକ ସହିତ ଶିବାଜୀ କୋକାରେ

୨୦ ବର୍ଷୀୟ କୋକାରେ ପ୍ରତିଦିନ ପର୍ଯ୍ୟଟକମାନଙ୍କୁ ଘୋଡ଼ାସବାରି ସେବା ଦେବାଲାଗି ନେରାଲର ଧଙ୍ଗରୱାଡାରୁ ଦସ୍ତୁରିର ପାର୍କିଂ ଅଞ୍ଚଳ ପର୍ଯ୍ୟନ୍ତ ଯାତ୍ରା କରନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଏପରି କରିଆସୁଥିବାର କହନ୍ତି। ଗ୍ରାହକଙ୍କ ସଂଖ୍ୟା ଅନୁସାରେ ଜଣେ ବା ସମସ୍ତଙ୍କୁ ନିଜ ଭାଇଙ୍କ ଘୋଡ଼ାରେ ବସାଇ କୋକାରେ ପାହାଡ଼ ଉପରକୁ ବା ତଳକୁ ନେବାଆଣିବା କରନ୍ତି। ସମୟ ସମୟରେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଅଞ୍ଚଳକୁ ନେବା ସମୟରେ ସେ ଘୋଡ଼ାମାନଙ୍କ ସହିତ ପାହାଡ଼ିଆ ରାସ୍ତାରେ ଦୌଡ଼ିଥାନ୍ତି ଏବଂ ହିଲଷ୍ଟେସନ୍ର ଧୂଳିଆ ମାଟିରେ ଦିନ ବିତାଇ ଦିଅନ୍ତି, ଯାହାକି ମୌସୁମୀ ସମୟରେ କାଦୁଆ ହୋଇଯାଏ।

ସାଧାରଣତଃ ପର୍ଯ୍ୟଟନ ଋତୁ ବା ସପ୍ତାହନ୍ତମାନଙ୍କରେ କୋକାରେ ଦିନକୁ ୩-୪ଟି ଟ୍ରିପ୍ କରିଥାନ୍ତି। ସପ୍ତାହର ଅନ୍ୟ ଦିନମାନଙ୍କରେ ଏହି ସଂଖ୍ୟା କମିଯାଏ। ଏ ସଂପର୍କରେ ଦସ୍ତୁରିରେ ଏକ ରେଟ୍ ଚାର୍ଟ ରହିଛି। ଦୂରତା, ସମୟ ଓ  କେତୋଟି ସ୍ଥାନରେ ଅଟକିବାର ଅଛି ଇତ୍ୟାଦି ଆଧାରରେ ଘୋଡ଼ାସବାରିର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଭଲ ଦିନମାନଙ୍କରେ ଗୋଟିଏ ଘୋଡ଼ାରୁ ୧,୫୦୦, ଏପରିକି ତା’ଠାରୁ ଅଧିକ ଟଙ୍କା ମିଳିଥାଏ। କିନ୍ତୁ ତାହା ଘୋଡ଼ାର ମାଲିକ, ରଖାଳୀ ଏବଂ ଘୋଡ଼ାର ଦେଖାରଖା ପ୍ରଭୃତି ବାବଦରେ ଭାଗ ହୋଇଯାଏ। 

ଭିଡିଓ ଦେଖନ୍ତୁ: କସୁନ୍ଦେ, କୋକାରେ ଏବଂ କାୱଲେ ମାଥେରନ୍ରେ ଘୋଡ଼ା ରଖିବା ସଂପର୍କରେ କହୁଛନ୍ତି। 

୪୬ ବର୍ଷୀୟ ମନୋଜ କସୁନ୍ଦେ ଘୋଡ଼ାଙ୍କ ସହିତ ୩୦ ବର୍ଷ କଟାଇ ସାରିଲେଣି। ତାଙ୍କର ସ୍ନୋ ବୟ(ଧଳାରଙ୍ଗ) ଏବଂ ଫ୍ଲଫି (ଧୂସରରଙ୍ଗ) ନାମରେ  ଦୁଇଟି ଘୋଡ଼ା ଅଛି। ସେ କହନ୍ତି, ‘ ସଂପୂର୍ଣ୍ଣ ଧଳା ବା କଳାଘୋଡ଼ାଗୁଡ଼ିକ ଖୁବ୍ ଦାମୀ ଏବଂ ସେପରି ଘୋଡ଼ାପିଛା ୧-୧.୨ ଲକ୍ଷ ଲେଖାଏଁ ପଡ଼ିଥାଏ। ପ୍ରତି ଘୋଡ଼ାରୁ ସେ ଦିନକୁ ୧,୦୦୦ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଯେତେବେଳେ ସ୍ନୋବୟ ବା ଫ୍ଲପି ମଧ୍ୟରୁ କେହି ଅସୁସ୍ଥ ହୋଇପଡ଼େ, ଚାଲିପାରେ ନାହିଁ ତାଙ୍କୁ ସେହି ଘୋଡ଼ାର ଚିକିତ୍ସା ଓ ଭଲ ହେବା ଲାଗି ୫,୦୦୦-୧୫,୦୦୦ ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହାଛଡ଼ା ତାଙ୍କର ଦୁଇଟି ଘୋଡ଼ାର ଦେଖାରଖା ପାଇଁ ମାସିକ ପ୍ରାୟ ୧୨,୦୦୦-୧୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।

ମାଥେରାନର ପଞ୍ଚବଟୀନଗରରେ ରହୁଥିବା କସୁନେ୍ଦଙ୍କର ଦିନ ଶୀଘ୍ର ଆରମ୍ଭ ହୁଏ। ପଞ୍ଚବଟୀନଗରରେ ୪୦-୫୦ଟି ଘର ଥିବାବେଳେ ସେଠାରେ ପତ୍ନୀ ମନୀଷା, ବାପାମା’, ୨୧ ବର୍ଷୀୟ ଝିଅ ଏବଂ ୧୯ ବର୍ଷୀୟ ପୁଅ ସହିତ ସେ ରହନ୍ତି। ତାଙ୍କ ଝିଅ ନିକଟରେ ସ୍କୁଲ ଶିକ୍ଷା ସମାପ୍ତ କରିଥିବାବେଳେ ପୁଅଟି ୧୨ଶ ଶ୍ରେଣୀରେ ପଢ଼ୁଛି। ସ୍ନୋବୟ ଓ ଫ୍ଲଫିଙ୍କୁ ଘାସ, ବାଜରା ରୁଟି କିମ୍ବା ଗହମଗୁଣ୍ଡ ଖୁଆଇ ସାରିବା ପରେ ସକାଳ ୭ଟା ସୁଦ୍ଧା ସେ ସେମାନଙ୍କୁ ମୁଖ୍ୟ ବଜାରକୁ ଆଣିଥାନ୍ତି। ସନ୍ଧ୍ୟା ୭ଟାରେ ସେ ଘୋଡ଼ାକୁ ପୁଣି ସେମାନଙ୍କର ଶାଳକୁ ନେଇଯାନ୍ତି। “ସନ୍ଧ୍ୟାରେ ସେମାନେ ରୁଟି କିମ୍ବା ବିସ୍କୁଟ ବା ଗାଜର ଖାଆନ୍ତି ଏବଂ ପରେ ଶୋଇପଡ଼ନ୍ତି।”

ଘୋଡ଼ାରଖାଳୀମାନେ ମାଥେରାନର ରବିବାରିଆ ବଜାରରୁ ସେମାନଙ୍କ ପଶୁପାଇଁ ଖାଦ୍ୟଦ୍ରବ୍ୟ କିଣିଥାନ୍ତି। ଯେଉଁଠାରେ ସ୍ଥାନୀୟ ଆଦିବାସୀମାନେ ନିକଟବର୍ତ୍ତୀ ପାହାଡ଼ରୁ ସଂଗ୍ରହ କରିଥିବା ଘାସ ସମେତ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ବିକ୍ରି କରିଥାନ୍ତି। ନେରାଲର ଦୋକାନୀମାନେ ମଧ୍ୟ ଘୋଡ଼ା ଖାଦ୍ୟବିକ୍ରି ପାଇଁ ପଠାଇଥାନ୍ତି।

କସୁନ୍ଦେ କହନ୍ତି, “ମାଥେରାନ୍ ୧୫ ବର୍ଷ ତଳେ ଆହୁରି ସୁନ୍ଦର ଥିଲା। ସେତେବେଳେ ଟ୍ରିପ୍ ପିଛା ଘୋଡ଼ାମାନଙ୍କଠାରୁ ମାତ୍ର ୧୦୦ ଟଙ୍କା ରୋଜଗାର ହେଉଥିଲା, କିନ୍ତୁ ତାହା ଭଲ ଥିଲା।”

ମାଥେରାନରେ ହୋଟେଲ୍ ଛାଡ଼ିବା ସମୟ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ରହିଥାଏ। ତାହା ଘୋଡ଼ାରଖାଳୀ, ପୋର୍ଟର ଏବଂ ରିକ୍ସାଟଣାଳିମାନଙ୍କର କାର୍ଯ୍ୟସୂଚୀକୁ ଆଶିଂକ ଭାବେ ପ୍ରଭାବିତ କରିଥାଏ। ପର୍ଯ୍ୟଟକମାନେ ହୋଟେଲ ଛାଡ଼ିବା ସମୟର ବହୁ ପୂର୍ବରୁ ସେମାନେ ହୋଟେଲଗୁଡ଼ିକର ଗେଟସାମ୍ନାରେ ଏକତ୍ରିତ ହୋଇଥାନ୍ତି। ସେମାନେ ଦସ୍ତୁରି ଫେରିବାକୁ ଚାହୁଁଥିବା ଗ୍ରାହକଙ୍କ ସନ୍ଧାନରେ ଥାଆନ୍ତି। 

ରାଜା ସହିତ ଶାନ୍ତାରାମ କାୱଲେ: ସେ କହନ୍ତି, ‘ଘରେ ଅଳସୁଆ ଭାବେ ବସି କେହି ଟଙ୍କା ରୋଜଗାର କରନ୍ତି ନାହିଁନିମ୍ନରେ: ତାଙ୍କର ପରିଚୟ ପତ୍ର, ତାର ପଛପଟେ ରାଜାର ପରିଚୟ ପତ୍ର ରହିଛି। 

ପୁନେ ଜିଲ୍ଲାର କାଲାକାରାଇ ଗାଁର ଶାନ୍ତାରାମ କାୱଲେ(୩୮) ଏବଂ ତାଙ୍କ ଘୋଡ଼ା ରାଜା ସେଥିମଧ୍ୟରୁ ଅନ୍ୟତମ। ରାଜାକୁ ଖୁଆଇବା ଲାଗି କାୱଲେ ସକାଳ ୩.୩୦ରୁ ଉଠିଥାନ୍ତି। ଯଦି ତାଙ୍କର ଖୁବ୍ ଭୋରରୁ କୌଣସି ବୁକିଂ ଥାଏ ତା’ ହେଲେ ସେ ସକାଳ ୫ଟା ପୂର୍ବରୁ ହୋଟେଲରେ ପହଞ୍ଚିଯାଇଥାନ୍ତି। ନହେଲେ ରାଜା ଓ ସେ ସକାଳ ୭ଟା ସୁଦ୍ଧା ବଜାରରେ ପହଞ୍ଚିଥାନ୍ତି। ତା’ ପରେ ଉଭୟ ୧୨ ଘଣ୍ଟା ଧରି କାମ କରନ୍ତି। ସେ କହନ୍ତି, “ଘରେ ଅଳସୁଆ ଭାବେ ବସି କେହି ଟଙ୍କା ରୋଜଗାର କରନ୍ତି ନାହିଁ। ଯଦି ତୁମେ ବାହାରକୁ ଆସିବ ତା’ ହେଲେ ବେପାର ହେବ।”


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sinchita Maji

ଲେଖକ ପରିଚୟ : ସଂଚିତା ମାଜି ପିପୁଲ୍‌ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ଜଣେ ଭିଡିଓ ସଂଯୋଜକ, ମୁକ୍ତବୃତ୍ତ ଫଟୋଗ୍ରାଫର ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା।

Other stories by Sinchita Maji
Suman Parbat

ସୁମନ ପର୍ବତ କୋଲକାତାର ଜଣେ ପାଇପ୍ ଲାଇନ୍ ଇଞ୍ଜିଇିନିୟର୍। ସେ ବର୍ତ୍ତମାନ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି। ସେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇିଞ୍ଜିନିୟରିଂରୁ ବି-ଟେକ୍ କରିଛନ୍ତି। ଏଥିସହ ସେ ଜଣେ ମୁକ୍ତବୃତ୍ତ ଫଟୋଗ୍ରାଫର୍।

Other stories by Suman Parbat