ମାର୍ଚ୍ଚ ୧୨ ତାରିଖରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଏକତ୍ରିତ ହୋଇଥିବା ୪୦,୦୦୦ କୃଷକ ରାଜ୍ୟ ବିଧାନସଭା ଭବନକୁ ଘେରାଉ କରିବାକୁ ଯୋଜନା କରିଥିଲେ। ମାର୍ଚ୍ଚ ୬ରୁ ନାସିକରୁ ଆରମ୍ଭ ହୋଇଥିବା ଏକ ସପ୍ତାହ ବ୍ୟାପୀ ପଦଯାତ୍ରା ପରେ ବିଧାନସଭା ଭବନର ଘେରାଉ ଆନ୍ଦୋଳନର ଶେଷ ପର୍ଯ୍ୟାୟ ଥିଲା। କିନ୍ତୁ ରାଜ୍ୟ ସରକାର ମୋର୍ଚ୍ଚାକୁ ମିଳୁଥିବା ସମର୍ଥନର ଗଭୀରତା ଓ ମାତ୍ରାକୁ ଯେପରି ଜାଣିପାରିଲେ ଏବଂ ମାର୍ଚ୍ଚ ୧୨ ତାରିଖ ଅପରାହ୍ନରେ ବୁଝାମଣା କରିବାକୁ ପ୍ରସ୍ତାବ ଦେଲେ।

ଅସହ୍ୟ ଗରମରେ ଚାଲିବା ଯୋଗୁ ଚାଷୀମାନେ କ୍ଲାନ୍ତ ହୋଇପଡ଼ିଥିଲେ(କୃଷିକ୍ଷେତ ଏବଂ ଜଙ୍ଗଲରୁ ମୁମ୍ବାଇକୁ ଦୀର୍ଘ ପଦଯାତ୍ରା ଏବଂ ଦୀର୍ଘ ଯାତ୍ରା: ଅବସନ୍ନ ପାଦ ଅଦମ୍ୟ ସ୍ପୃହାକୁ ଦେଖନ୍ତୁ), କିଛି ଜଣ କ୍ୟାମେରାର ଫୋକସ୍ ଯୋଗୁ ବିରକ୍ତ ହୋଇପଡ଼ିଥିଲେ-ଏବଂ ସେମାନେ ମଧ୍ୟ ଅନିଶ୍ଚିତ ଓ ଉତ୍ସୁକ ଥିଲେ। ସେହି ପଦଯାତ୍ରାର ଆୟୋଜକ ଥିବା ଅଖିଳ ଭାରତୀୟ କିଷାନ ସଭାର ନେତା ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମଣ୍ଡଳ ମଧ୍ୟରେ ୪ ଘଣ୍ଟାର ବୈଠକ ମଧ୍ୟରେ ସେମାନଙ୍କ ମଧ୍ୟରୁ ଅନେକ ମୋତେ କହିଲେ ଦେଖିବା କ’ଣ ହେଉଛି। ମନ୍ତ୍ରାଳୟରେ ବୈଠକ ଚାଲିଥିବା ସମୟରେ ଚାଷୀମାନେ ୧୨.୩୦ରୁ ୪.୩୦ ମିନିଟ୍ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ।

କିଷାନ ସଭାର ସାଧାରଣ ସଂପାଦକ ଅଜିତ ନାୱଲେ, ସଭାପତି ଅଶୋକ ଧୱାଲେ ଏବଂ ନାସିକ ଜିଲ୍ଲାର ସୁର୍ଗାନ ତାଲୁକରୁ ବିଧାୟକ ଥିବା ଜି.ପି ଗାଭିତଙ୍କ ସହିତ ଏକ ୧୧ ଜଣିଆ କୃଷକ ନେତାଙ୍କ ପ୍ରତିନିଧିମଣ୍ଡଳ ସେମାନଙ୍କର ଦାବିକୁ ନେଇ ଏକ ଛଅ ସଦସ୍ୟବିଶିଷ୍ଟ ସରକାରୀ ପ୍ୟାନେଲକୁ ସାକ୍ଷାତ କଲେ। 

ମହାରାଷ୍ଟ୍ରର କୃଷକମାନେ ନାସିକରୁ ମୁମ୍ବାଇ ଯାଏଁ ୧୮୦ କିଲୋମିଟର ଚାଲିଚାଲି ଗଲେ, ଯାହା ଫଳରେ ସରକାର ସେମାନଙ୍କର ଦୀର୍ଘ ଦିନର ଦାବି ଗୁଡିକ ଶୁଣିବେ ଓ ସେ ନେଇ ପଦକ୍ଷେପ ନେବେ। 

ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍, ରାଜସ୍ୱ, ରିଲିଫ୍ ଓ ଥଇଥାନ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍, କୃଷି ଓ ଉଦ୍ୟାନକୃଷି ବିଭାଗ ମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଣ୍ଡକର, ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ, ଆଦିବାସୀ ଉନ୍ନୟନ ମନ୍ତ୍ରୀ ବିଷ୍ଣୁ ଶବର, ଏବଂ ସମବାୟ, ମାର୍କେଟିଂ ଏବଂ ବୟନଶିଳ୍ପ ମନ୍ତ୍ରୀ ସୁଭାଷ ଦେଶମୁଖ ଥିଲେ। ଜଙ୍ଗଲ ଅଧିକାର ପ୍ରସଙ୍ଗରେ ସମୀକ୍ଷା ପାଇଁ ଗଠିତ କମିଟିରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ଏକନାଥ ସିନେ୍ଦ ମଧ୍ୟ ସାମିଲ୍ ଥିଲେ।

କୃଷକନେତାମାନେ ସାତଟି ପ୍ରମୁଖ ଦାବି ରଖିଥିଲେ। ଏଥିମଧ୍ୟରୁ ଦୁଇଟିର ତୁରନ୍ତ ଏବଂ ସମ୍ପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାର ସହମତ ହେଲେ। ପ୍ରଥମଟି ହେଲା ସମ୍ପୂର୍ଣ ଋଣ ଛାଡ ଲାଗୁ କରିବା, ଦ୍ୱିତୀୟ-ମହାରାଷ୍ଟ୍ରରେ ନଦୀ ସଂଯୋଗୀକରଣ ଯୋଜନା ଏବଂ ଜଳଭଣ୍ଡାର ପ୍ରକଳ୍ପ ବା ଗୁଜରାଟକୁ ଜଳ ବିଭାଜନ ପାଇଁ ଯେମିତି କୌଣସି କୃଷକ ଯେପରି ବିସ୍ଥାପିତ ହେବେ ନାହିଁ।  

ଋଣ ଛାଡ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ରଖିଥିବା ସର୍ତ୍ତରେ ସରକାର ଦୁଇଟି ପରିବର୍ତ୍ତନ କରିବାକୁ ରାଜି ହେଲେ। ଫଡନବିସ ଗଣମାଧ୍ୟମକୁ କହିଲେ, ଋଣ ଛାଡ ବ୍ୟବସ୍ଥା ୨୦୦୧ରୁ୨୦୦୯ ମଧ୍ୟରେ ଲାଗୁ କରିବା ପାଇଁ  ଆମେ ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛୁ। କାରଣ ବହୁ କୃଷକ(ଏହି ସମୟରେ ପ୍ରଭାବିତ ହୋଇଥିବା) ୨୦୦୮ରେ ଘୋଷଣା ହୋଇଥିବା ଛାଡରେ କୌଣସି ସୁବିଧା ପାଇ ନ ଥିଲେ। ସରକାର ଏ ଯାଏଁ ୨୦୦୯ରୁ ପୂର୍ବ ବର୍ଷ ପାଇଁ ହୋଇଥିବା ଆବେଦନକୁ ନାମଞ୍ଜୁର କରୁଥିଲେ। ଋଣ ଛାଡରେ ଟର୍ମ ଲୋନ୍(ବଡ ବିନିଯୋଗ ପାଇଁ ବ୍ୟବହୃତ ଉଚ୍ଚ ସୁଧ ହାର ବିଶିଷ୍ଟ ଋଣ)କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶ୍ର ୁତି ଦିଆଗଲା, ଯାହା ବହୁ କୃଷକଙ୍କୁ ସାହାଯ୍ୟ କରିବ ଯେଉଁମାନଙ୍କର କୃଷି ଋଣ ବ୍ୟାଙ୍କ ଗୁଡିକର ଚାପ ଫଳରେ ଟର୍ମ ଋଣକୁ ପରିବର୍ତ୍ତିତ କରାଯାଇଥିଲା।

ଅନ୍ୟ ପରିବର୍ତ୍ତନ ହେଲା ପରିବାରର ଭିନ୍ନ ଭିନ୍ନ ଋଣ ଗ୍ରହିତାଙ୍କୁ ଋଣ ଛାଡ ପାଇଁ ଭିନ୍ନ ଭିନ୍ନ ଦରଖାସ୍ତ ଆବେଦନ କରିବାକୁ ସୁଯୋଗ ଦେବା, ଏ ଯାଏଁ ଗୋଟିଏ ପରିବାରରୁ ମିଳିତ ଭାବେ କେବଳ ଗୋଟିଏ ଆବେଦନ ହିଁ ଗ୍ରହଣ କରାଯାଉଥିଲା, ଯାହା ଗୋଟିଏ ପରିବାର ପ୍ରକୃତରେ ପାଇବାକୁ ଥିବା ଋଣ ଛାଡ ରାଶିକୁ ସୀମିତ କରିଦେଉଥିଲା। ଏଥିପାଇଁ ରାଜ୍ୟକୁ କେତେ ଆର୍ଥିକ ବୋଝ ପଡିବ ସେ ନେଇ ଅନୁଧ୍ୟାନ କରିବା ପରେ ଏହି ପରିବର୍ତ୍ତନ ନେଇ ବିଚାର କରିବେ ବୋଲି  ସରକାରଙ୍କ  ପକ୍ଷରୁ କୁହାଯାଇଛି। 

ଦକ୍ଷିଣ ମୁମ୍ବାଇର ଆଜାଦ୍ ମୈଦାନ ଏକ ଲାଲ୍ ସମୁଦ୍ର ଭଳି ଦେଖାଯାଉଛି, ଏଠାରେ ଏକାଠି ହୋଇଥିବା କୃଷକ ସେନା କୃଷକ ନେତାମାନଙ୍କର ଭାଷଣ ଶୁଣୁଛନ୍ତି

ମହାରାଷ୍ଟ୍ରର ନଦୀଗୁଡିକରୁ ଜଳ ଯେପରି ଗୁଜରାଟକୁ ନ ଯିବ ଏବଂ ନଦୀ ସଂଯୋଗୀକରଣ ଏବଂ ଜଳଭଣ୍ଡାର ପ୍ରକଳ୍ପ ଯେମିତି ରାଜ୍ୟରେ କୃଷକମାନଙ୍କୁ ବିସ୍ଥାପିତ ନ କରେ, କୃଷକଙ୍କର ଏହି ଦାବି ଗୁଡିକୁ ସରକାର ମାନିନେଲେ। ଏହି ସାମ୍ବାଦିକଙ୍କ ସହ ଆଲୋଚନା କରିଥିବା ସରଗଣା ତାଲୁକାର ବିଧାୟକ ଜେ.ପି ଗାଭିଟ୍ ଓ କୃଷକ ସଭାର ଅଶୋକ ଧାୱଲେ କହିଲେ, ଯେ ଭବିଷ୍ୟତରେ ସରକାର ବିଭିନ୍ନ ନଦୀ(ଗୁଜରାଟର ନାର-ପାର ନଦୀ, ନାସିକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଗୁଜରାଟ ଡାମନଗଙ୍ଗାର ଉପନଦୀ  ୱାଗ ଏବଂ ନାସିକ ଓ ପାଲଘରରେ ପ୍ରବାହିତ ବୈତରଣର ଉପନଦୀ ପିଞ୍ଜଲ)ରୁ ପାଣି ନେବାକୁ ଯୋଜନା କରିଛନ୍ତି। ଏହି ସବୁ ନଦୀରୁ ପାଣି ନେବା କେବଳ ସେହି ସବୁ ନଦୀରେ ଜଳଭଣ୍ଡାର ନିର୍ମାଣ କରି ହିଁ ସମ୍ଭବ ହେବ, ଯାହା ଫଳରେ ସେହି ସବୁ ଜିଲ୍ଲାରେ କେତେକ ଗାଁ ବୁଡି ଯାଇପାରେ।

ଧାୱଲେ କହିଲେ ଯେ, ବିସ୍ଥାପନ ଯେମିତି ଖୁବ୍ କମ୍ ବା ଆଦୌ ନ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି  ଏବଂ ସରକାର ଗୁଜରାଟକୁ ପାଣି ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଏହା ମଧ୍ୟରେ ମହାରାଷ୍ଟ୍ର କେନ୍ଦ୍ରରୁ ଚୂଡାନ୍ତ ପ୍ରକଳ୍ପ ଯୋଜନାକୁ ଅପେକ୍ଷା କରିଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଏକ ଲିଖିତ ପ୍ରତିଶ୍ରୁତି ଦେଲେ ଯେ କିସାନ ସଭାର ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କୁ ନେଇ ଗଠିତ ୬ ଜଣିଆ କମିଟି କୃଷକମାନଙ୍କର ଅନ୍ୟ ଗୁରୁତ୍ୱପୂର୍ଣ ଦାବି ଗୁଡିକ ଉପରେ ଆଲୋଚନା କରିବେ, ଯେଉଁ ଗୁଡିକ ମଧ୍ୟରେ ରହିଛି ଆଦିବାସୀ କୃଷକମାନଙ୍କୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଭୂମି ଅଧିକାର ଦେବା, ସ୍ୱାମୀନାଥନ କମିସନଙ୍କ ସୁପାରିଶ ଲାଗୁ କରିବା, ପ୍ରସ୍ତାବିତ ମୁମ୍ବାଇ-ନାଗପୁର ସମୃଦ୍ଧି ରାଜପଥ ଭଳି ପ୍ରକଳ୍ପ  କାର୍ଯ୍ୟକାରୀ କରିବା ସମୟରେ କୃଷକମାନଙ୍କର ଯଥାଯଥ ମତାମତ ନେବା, ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧା(ଇନ୍ଦିରା ଗାନ୍ଧି ପେନସନ୍ ସ୍କିମ୍, ଶ୍ରବଣ ବାଳ  ଯୋଜନା ଏବଂ ଅନ୍ୟାନ୍ୟ) ବୃଦ୍ଧି କରିବା, ଏବଂ ପୁରୁଣା ରାସନ କାର୍ଡ ଗୁଡିକ ସ୍ଥାନରେ ନୂଆ ରାସନ କାର୍ଡ ଜାରି କରିବା, ଯୁଗ୍ମ ରାସନ କାର୍ଡ ଗୁଡିକୁ ବିଭାଜନ କରିବା, ୨୦୧୭ରେ କୀଟ ଆକ୍ରମଣ ଏବଂ କୁଆପଥର ବୃଷ୍ଟି ଯୋଗୁଁ କ୍ଷତିଗ୍ରସ୍ତ କୃଷକଙ୍କୁ କ୍ଷତିପୂରଣ ପ୍ରଦାନ କରିବା।

ଫଡନବିସ ଗଣମାଧ୍ୟମକୁ କହିଲେ ଯେ, “ଆଦିବାସୀ ଓ କୃଷକମାନଙ୍କ ଦ୍ୱାରା କରାଯାଇଥିବା ଅଧିକାଂଶ ଦାବି ଉପରେ ଆମେ ବିଚାର କରିଛୁ। ସେମାନଙ୍କର ମୁଖ୍ୟ ଦାବି ଥିଲା ସେମାନଙ୍କ ନାଁକୁ ଜଙ୍ଗଲ ଜମି ସ୍ଥାନାନ୍ତର କରିବା। ଏହାର ସମୀକ୍ଷା କରି ଛଅ ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ଆମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛୁ।”

ପ୍ରଚଣ୍ଡ ଖରାରେ ସପ୍ତାହବ୍ୟାପୀ ଆନ୍ଦୋଳନ ପରେ ସରକାରଙ୍କ ସହ ଆଲୋଚନା ଦୃଢ ସମାଧାନ ଦେବ ବୋଲି କୃଷକମାନେ ଅପେକ୍ଷା କରିଛନ୍ତି 

ରାଲିରେ ଅଂଶଗ୍ରହଣ କରିଥିବା ଅଧିକାଂଶ କୃଷକ ହେଉଛନ୍ତି ନାସିକ ଜିଲ୍ଲାର ଆଦିବାସୀ। ମାର୍ଚ୍ଚ ୬ ପରେ ଥାନେର ଆଦିବାସୀ ଅଞ୍ଚଳ, ଅହମ୍ମେଦନଗର(ଜନଗଣନାରେ ଅହମ୍ମଦନଗର ଭାବେ ପଞ୍ଜୀକୃତ) ଏବଂ ଅନ୍ୟ ଜିଲ୍ଲାରୁ କୃଷକମାନେ ମଧ୍ୟ ଶୋଭାଯାତ୍ରାରେ ଯୋଗ ଦେଲେ। ସେମାନଙ୍କ ମୁଖ୍ୟ ଦାବି ହେଲା, ସେମାନେ ଚାହୁଁଛନ୍ତି ସରକାର ୨୦୦୬ର ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରନ୍ତୁ, ଯାହା ସେମାନଙ୍କୁ ପୁରୁଷ ପୁରୁଷ ଧରି ରହିଆସୁଥିବା ଭୂମି ଉପରେ ଅଧିକାର ଦେବ। ଏହି ଜମି ଏବେ ବି ରାଜ୍ୟର ଜଙ୍ଗଲ ବିଭାଗ ଅଧୀନରେ ଅଛିା (ଦେଖନ୍ତୁ କୃଷି ଶ୍ରମିକଙ୍କ ପଦଯାତ୍ରା)

ଚାଷୀ ମାନଙ୍କର ଅନ୍ୟ ଏକ ଦାବି ହେଲା ସ୍ୱାମୀନାଥ କମିସନଙ୍କର ସୁପାରିଶ ନିଶ୍ଚିତ ଭାବେ ଲାଗୁ କରାଯାଉ, ଖାସ୍ କରି ଯଥାର୍ଥ ସର୍ବନିମ୍ନ ସହାୟକ ରାଶି ସହ ଉପôାଦନ ଖର୍ଚ୍ଚର ୫୦ ପ୍ରତିଶତ ଲାଗୁ କରିବାର ସୁପାରିଶ। ଗାଭିଟ୍ କହିଲେ ଚାଷୀ ନେତାମାନେ ଏହି ଦାବିକୁ ସେମାନଙ୍କ ଦାବି ତାଲିକାରେ ଅନ୍ତର୍ଭୁକ୍ତ କଲେ, କିନ୍ତୁ ସେମାନେ ଜାଣିଛନ୍ତି ସରକାର ଏହାକୁ ଲାଗୁ କରିପାରିବେ ନାହିଁ, କାରଣ ଏହା କରିବାର ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ଅଛି।

ସରକାର ଏହା ମଧ୍ୟ ପ୍ରତିଶ୍ରୁତି ଦେଲେ ଯେ କୃଷକଙ୍କର ସହମତି ବିନା ସମୃଦ୍ଧି ରାଜପଥ ଭଳି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯିବ ନାହିଁ। ଏହି ପ୍ରସ୍ତାବିତ ରାଜପଥ ମହାରାଷ୍ଟ୍ରର ୧୦ଟି ଜିଲ୍ଲାର ୩୦ଟି ତାଲୁକା ଅନ୍ତର୍ଭୁକ୍ତ ୩୫୪ଟି ଗାଁ ଦେଇ ଯିବ। ମାର୍ଚ୍ଚ ୧୨ ତାରିଖରେ ସରକାର ଆଶ୍ୱାସନା ଦେଲେ ଯେ କୃଷକମାନଙ୍କୁ ସେମାନଙ୍କ ଜମି ଦେବା ପାଇଁ ବାଧ୍ୟ କରାଯିବ ନାହିଁ।

ଚାରି ଘଣ୍ଟାର ମିଟିଂ ପରେ, ସରକାରୀ ପ୍ୟାନେଲର ତିନି ଜଣ ସଦସ୍ୟ-ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍, ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ଥାନେର ଗାର୍ଡିଆନ୍ ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଜଳସେଚନ ମନ୍ତ୍ରୀ ଓ ନାସିକର ଗାର୍ଡିଆନ୍ ମନ୍ତ୍ରୀ ଗିରିଶ ମହାଜନ-ଆଜାଦ ମୈଦାନରେ କୃଷକମାନଙ୍କୁ ସମ୍ବୋଧନ କଲେ।

ଏବଂ ତା’ପରେ, ଯେତେବେଳେ କୃଷକନେତାମାନେ ସଭା ମଞ୍ଚରେ କହିଲେ ଯେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା, ସେତେବେଳେ କୃଷକମାନେ ସେମାନଙ୍କ ଜିନିଷପତ୍ର ଧରିଲେ ଏବଂ ନିରବତାର ସହ ଚାଲିବାକୁ ଲାଗିଲେ।

ଦେଖନ୍ତୁ, ମୁଁ ଜଣେ କୃଷକ, ମୁଁ ଏହି ଯାତ୍ରା କରିଛି ଏବଂ ନୈରାଶ୍ୟର ଜମିରୁ-ଆଶାର ଆନ୍ଦୋଳନ ଯାଏଁ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.