ଉପକୂଳ ଆନ୍ଧ୍ରପ୍ରଦେଶର କୋଟାପାଲେମ୍ ଗ୍ରାମର ବନ୍ତୁ ଦୁର୍ଗା ରାଓଙ୍କ ନଡ଼ିଆ ବଗିଚା ଖୁବ୍ ଶୀଘ୍ର ଅଦୃଶ୍ୟ ହୋଇଯାଇପାରେ । ତାଙ୍କର ଏହି ଏକ ଏକର ଜମି ଶ୍ରୀକାକୁଲମ୍ ଜିଲ୍ଲାର କୋଟାପାଲେମ୍, କୋଭାଡ଼ା,  ମାରୁଭାଡ଼ା (ଏବଂ ଏହାର ଦୁଇଟି ବସ୍ତି ବୁଡେମ୍ ଏବଂ ଟେକାଲି)ର ୨,୦୭୩ ଏକର ଜମିର ଅଂଶ ଯାହା- ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍ (NPCIL) ପ୍ଲାଣ୍ଟ ନିମନ୍ତେ ଜିଲ୍ଲା ପ୍ରଶାସନ ଅଧିଗ୍ରହଣ କରୁଛି । କିନ୍ତୁ ୨୦୧୭, ମେ’ ମାସରେ ଦୁର୍ଗା ରାଓ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କରୁ ୬୦,୦୦୦ ଟଙ୍କା ଋଣ ଆଣିଛନ୍ତି । ସେ ଦ୍ୱନ୍ଦ୍ୱର ସହ କୁହନ୍ତି, “ଗୋଟିଏ ପଟେ ବ୍ୟାଙ୍କମାନେ କୃଷିଋଣ ଦେଉଛନ୍ତି, ଅନ୍ୟପଟେ ରାଜ୍ୟସ୍ୱ କର୍ତ୍ତୃପକ୍ଷ ଦାବି କରୁଛନ୍ତି ଯେ ସର୍ଭେ ନଂ ୩୩ (ଯେଉଁଠାରେ ତାଙ୍କ ଜମି ରହିଛି) ଏକ ଝରଣା। ଉଭୟ ସରକାରୀ ତନ୍ତ୍ର । କିନ୍ତୁ ଉଭୟଙ୍କ ଦାବି କେମିତି ସତ ହେବ?

ଏହି ପାୱାରପ୍ଲାଣ୍ଟ ଯୋଗୁ କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କର ୨୨୦୦ ପରିବାର ବିସ୍ଥାପିତ ହେବେ ବୋଲି ହାଇଦ୍ରାବାଦସ୍ଥ ପରିବେଶ ସୁରକ୍ଷା ତାଲିମ୍ ଏବଂ ଗବେଷଣା ଅନୁଷ୍ଠାନ ପକ୍ଷରୁ ୨୦୧୭ ଜାନୁଆରୀ ମାସରେ କରାଯାଇଥିବା ସାମାଜିକ ପ୍ରଭାବ ଆକଳନ ରିପୋର୍ଟରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଏବଂ ଅନ୍ୟାନ୍ୟ ପଛୁଆବର୍ଗର । ଏହି ରିପୋର୍ଟର ଆକଳନ ଅନୁଯାୟୀ ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୪ଲକ୍ଷ କୋଟି ଖର୍ଚ୍ଚ ହେବ ।

ରଣସ୍ଥଳମ୍ ବ୍ଲକର ତିନୋଟି ଗ୍ରାମ ଏବଂ ଦୁଇଟି ଜନପଦରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ୨୦୧୧ ମସିହାରୁ ଆରମ୍ଭ ହୋଇଛି ଏବଂ ୨୦୧୪ ସାଧାରଣ ନିର୍ବାଚନ ପରେ ତ୍ୱରାନ୍ୱିତ ହୋଇଛି । କିନ୍ତୁ ୨୦୧୮ ମାର୍ଚ୍ଚ ମାସରେ ରାଜ୍ୟର କ୍ଷମତାସୀନ ତେଲୁଗୁ ଦେଶମ୍ ପାର୍ଟି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରରୁ ଅଲଗା ହୋଇଥିଲା । ଯେହେତୁ ଏନପିସିଆଇଏଲ୍ ଏକ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ, ତେଣୁ ଏହି ପ୍ରକଳ୍ପ ଆହୁରି ବିଳମ୍ବ ହେବ ବୋଲି କୁହନ୍ତି କୋଟାପାଲେମର ସରପଞ୍ଚ ସୁଙ୍କାରା ଧନୁଞ୍ଜୟ ରାଓ ।

ଏହା ଗ୍ରାମବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଏବଂ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି ।

Myalapilli Kannamba (here with her son),
PHOTO • Rahul Maganti
Bantu Durga Rao and Yagati Asrayya with their passbooks in front of Durga Rao's house in Kotapalem
PHOTO • Rahul Maganti

ବାମ : ମୈଲାପିଲି କନ୍ନମ୍ବା (ଏଠାରେ ତାଙ୍କ ପୁଅ ସହ) ବିସ୍ମିତ ହୁଅନ୍ତି ଯେ ଯଦି ସେମାନେ ବିସ୍ଥାପିତ ହୁଅନ୍ତି, ତା’ହେଲେ ତାଙ୍କ ଚାଳଘର ପୁଣିଥରେ ତିଆରି କରିବା ପାଇଁ କେତେବର୍ଷ ଲାଗିବ । ବାମ: ଦୁର୍ଗା ରାଓ ଏବଂ ୟଗତି ଆଶ୍ରୟ ଉଭୟେ ସେମାନଙ୍କର ଏକରେ ଲେଖାଏ ଜମି ହରାଇବେ । ସେମାନେ ଏବେ ବି ଆଶ୍ଚର୍ଯ୍ୟ ହୁଅନ୍ତି, କେମିତି ବ୍ୟାଙ୍କ ସେମାନଙ୍କୁ ଋଣ ଦେଉଛି । (ସେମାନେ ନିଜର ପାସବୁକ୍ ମୋତେ ଦେଖାଇଥିଲେ)

ଧନୁଞ୍ଜୟ ରାଓ କୁହନ୍ତି, “ତିନୋଟି ଗାଁରୁ ଅଧିଗ୍ରହଣ ହେବାକୁ ଥିବା ୨୦୭୩ ଏକର ଜମିର ଆର୍ଥିକ କ୍ଷତିପୂରଣ ବାବଦରେ ୨୨୫କୋଟି ଅର୍ଥ ଆବଶ୍ୟକ । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ମାତ୍ର ୮୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଗ୍ରାମବାସୀମାନଙ୍କ ଅଭିଯୋଗ, ସେମାନଙ୍କୁ ଯେଉଁ କ୍ଷତିପୂରଣ ଦିଆଯାଉଛି ତାହା ଜମିର ବଜାର ମୂଲ୍ୟଠାରୁ ଖୁବ୍ କମ୍ ।

୫୮ବର୍ଷ ବୟସ୍କ ବାଦି କ୍ରିଷ୍ଣା କହିଥିଲେ, “ଯେତେବେଳେ ଆମେ ୩୪ଲକ୍ଷ ଟଙ୍କା ଦାବି କରୁଛୁ, ସେତେବେଳେ ମୋତେ ୧୫ଲକ୍ଷ ଟଙ୍କା ପ୍ରଦାନ କରାଗଲା । ମାତ୍ର ୩୫ କିଲୋମିଟର ଦୂରରେ ଥିବା ଭୋଗାପୁରମ୍ ବିମାନବନ୍ଦର ନିମନ୍ତେ ଯେଉଁ ଜମି ଅଧିଗ୍ରହଣ କରାଯାଇଛି, ସେମାନଙ୍କୁ ଏକର ପିଛା ୩୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏବଂ ଏବେ ଏହି ଜମିର ବଜାର ମୂଲ୍ୟ ଏକର ପିଛା ପ୍ରାୟ  ୩କୋଟି । କାରଣ ଏହା ଚେନ୍ନାଇ-କୋଲକାତା ଜାତୀୟ ରାଜପଥର ଖୁବ୍ ନିକଟରେ ରହିଛି । ବାଦି କ୍ରିଷ୍ଣାଙ୍କର କୋଭାଡା ଗ୍ରାମରେ ୩ ଏକର ରାଜସ୍ୱ ଜମି ରହିଛି । ଯେଉଁଥିରେ ସେ ନଡ଼ିଆ, କଦଳୀ ଏବଂ ସପେଟା ଚାଷ କରୁଛନ୍ତି । ତାଙ୍କ ଗ୍ରାମ ଜନଗଣନାରେ ଜିରୁକୋଭାଡ଼ା ଭାବରେ ତାଲିକାଭୁକ୍ତ ହୋଇଛି ।

ଜମି ଅଧିଗ୍ରହଣ ଥଇଥାନ ଓ ପୁନର୍ବାସ ଆଇନ, ୨୦୧୩ (ଏଲ୍ ଏ ଆର୍ ଆର୍ ) ଅନୁଯାୟୀ ଉକ୍ତ ଅଞ୍ଚଳରେ ଗତ ଏକବର୍ଷର ଜମି କିଣାବିକାର ହାରାହାରି ମୂଲ୍ୟ ଆଧାରରେ ଆକଳନ କରାଯିବା ଉଚିତ । କିନ୍ତୁ ଆଇନଗତ ନିୟମ ଅନୁସରଣ କରାଯାଇନାହିଁ ଏବଂ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ପରିମାଣ ୧୮ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଏହା ପରେ ବି ଯେଉଁମାନେ କିଛି ଅର୍ଥ ପାଇଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ପରିମାଣ ଦିଆଯାଇନାହିଁ ଏବଂ ୨୦୭୩ ଏକର ଜମି ମଧ୍ୟରୁ ମାତ୍ର ୨୦-୩୦ ପ୍ରତିଶତ ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି ସ୍ଥାନୀୟ ସାମାଜିକ କର୍ମୀମାନେ ଆକଳନ କରିଛନ୍ତି ।

A notice from Revenue Divisional Officer, Srikakulam saying that Bantu Durga Rao was allotted land as per the Andhra Pradesh Land Reforms (Ceilings on Agricultural Holdings) Act, 1973
PHOTO • Rahul Maganti

ଦୁର୍ଗା ରାଓଙ୍କୁ ୧୯୭୩ ମସିହାରେ ଉକ୍ତ ଜମି ପ୍ରଦାନ କରାଯାଇଛି ବୋଲି ରାଜସ୍ୱ ଡିଭିଜନ ଅଧିକାରୀଙ୍କ ନୋଟିସ୍ ଦର୍ଶାଉଛି ।

ଅଧିଗ୍ରହଣ ହେଉଥିବା ୨୦୭୩ ଏକର ଜମି ମଧ୍ୟରୁ ୧୮ ଏକର କୋଟାପାଲେମ୍ର ୧୮ଟି ଦଳିତ ପରିବାରର । ଏ ମଧ୍ୟରେ ଅଛନ୍ତି ଦୁର୍ଗା ରାଓ। ପ୍ରତ୍ୟେକ ପରିବାର ଆନ୍ଧ୍ରପ୍ରଦେଶ ଭୂ-ସଂସ୍କାର (ଚାଷ କରାଯାଉଥିବା ଜମି ସିଲିଂ) ଆଇନ୍ , ୧୯୭୩ ଅନୁଯାୟୀ ଏକରେ ଲେଖାଏଁ ଜମି ମିଳିଥିଲା। ସେମାନଙ୍କୁ ଡି-ଫର୍ମ ପଟ୍ଟା ପ୍ରଦାନ କରାଯାଇଥିଲା । ଯାହାର ଅର୍ଥ ହେଉଛି ଏହି ଜମିର କିଣାବିକା ବେଆଇନ ଏବଂ ଏହି ଜମି କେବଳ ପାରିବାରିକ ବଂଶାନୁକ୍ରମିକତା କ୍ରମେ ହାସଲ କରାଯାଇପାରିବ ।

କୋଟାପାଲେମରେ ୫୫ବର୍ଷ ବୟସ୍କ ୟଗତି ଆଶ୍ରୟ କହିଛନ୍ତି, “ଯେତେବେଳେ ଆମେ ଜମି ପାଇଲୁ, ସେତେବେଳେ ଆମ ପାଖରେ ଚାଷରେ ବିନିଯୋଗ କରିବା ପାଇଁ ପୁଞ୍ଜି ନଥିଲା । କୌଣସି ଜଳସେଚନ ବ୍ୟବସ୍ଥା ନଥିଲା, କେବଳ ବର୍ଷାରୁ ହିଁ ଜଳ ମିଳୁଥିଲା । ଆମ ପାଖରେ ବୋରୱେଲ୍  କରିବା ପାଇଁ ମଧ୍ୟ ଅର୍ଥ ନଥିଲା । ତେଣୁ ଆମେ ଉକ୍ତ ଜମିକୁ ଉଚ୍ଚ ଜାତିର କାପୁ ଏବଂ କାମା ଚାଷୀମାନଙ୍କୁ ଲିଜରେ ଦେଲୁ । ସେମାନେ ଏଥିରେ ବୋରୱେଲ୍ କଲେ ଏବଂ ୨୦୧୧ ପର୍ଯ୍ୟନ୍ତ ଉକ୍ତ ଜମି ଚାଷ କଲେ।।’’ ଏହି ଦଶନ୍ଧିଗୁଡ଼ିକରେ ସେ ଏବଂ ଗ୍ରାମର ଅନ୍ୟ କ୍ଷୁଦ୍ର ଜମିମାଲିକମାନେ କୃଷି ଶ୍ରମିକ ଭାବେ କାମ କଲେ । ୟଗତି ଆଶ୍ରୟଙ୍କୁ ମଧ୍ୟ ଏକରେ ଜମି ମିଳିଥିଲା ।

ଯେତେବେଳେ ଏହି ପ୍ରସ୍ତାବିତ ବିଦ୍ୟୁତ୍ ପ୍ଲାଣ୍ଟର ଖବର ଆସିଲା ସେତେବେଳେ ନିଜ ଜମି ହରାଇବା ଭୟରେ ଏହି ପ୍ରକାରର ଜମି ମାଲିକମାନେ ନିଜେ ଚାଷ କରିବା ଆରମ୍ଭ କଲେ । କିନ୍ତୁ ସେମାନଙ୍କର ଅଭିଯୋଗ ଅନେକ କ୍ଷେତ୍ରରେ ରାଜସ୍ୱ ବିଭାଗ ଉଚ୍ଚ ଜାତିର ଚାଷୀଙ୍କୁ କ୍ଷତିପୂରଣ ଦେଉଛି । ଦୁର୍ଗା ରାଓଙ୍କ ଜମି ପାଖରେ ଏକରେ ଜମି ଥିବା ଡୋଙ୍ଗା ଆପ୍ପା ରାଓ କୁହନ୍ତି, “ଆମକୁ କ୍ଷତିପୂରଣ ଦିଆଯାଉନାହିଁ, କାରଣ ଏଗୁଡ଼ିକ ଏକ ଝରଣାର ଅଂଶ ବୋଲି ଆମକୁ କୁହାଯାଉଛି ।”

ଏଲ୍ ଏଆର୍ଆ ର୍ ଆଇନ ଅଧୀନରେ ଥିବା ଅନ୍ୟ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପରିବାର ପିଛା ଏକକାଳୀନ ପୁନର୍ବାସ ଏବଂ ଥଇଥାନ ବ୍ୟବସ୍ଥାରେ  ୬.୮ଲକ୍ଷ ପ୍ରଦାନ କରାଯିବା ଏବଂ ବାସଗୃହ, ଡଙ୍ଗା, ଜାଲ, ଗଛ ଏବଂ ଗୃହପାଳିତ ପଶୁମାନଙ୍କର ମୂଲ୍ୟାଙ୍କନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏ କ୍ଷେତ୍ରରେ ତାହା ମଧ୍ୟ କରାଯାଇନାହିଁ। କୋଭାଡ଼ାର ଜଣେ ବାସିନ୍ଦା ୫୬ବର୍ଷ ବୟସ୍କା ମୈଲାପିଲି କାନ୍ନାମ୍ବା କୁହନ୍ତି, “ଆମର ହୁଏତ କେବଳ ଚାଳଘର ଥାଇପାରେ, କିନ୍ତୁ ଆମର ୫ଟି ଚାଳଘର ଅଛି ଆମକୁ ଦିନକୁ ଦିନ ବୟସ ହେଉଛି, ସେଗୁଡ଼ିକୁ ପୁନର୍ବାର ତିଆରି କରିବାକୁ କେତେବର୍ଷ ଲାଗିବ?”

୭,୨୪୮ ଏମଡବ୍ଲ୍ୟୁ (ମେଗାୱାଟ୍) କ୍ଷମତାସମ୍ପନ୍ନ କୋଭାଡ଼ା ଆଣବିକ ଶକ୍ତିକେନ୍ଦ୍ର ୨୦୦୮ ଭାରତ ଯୁକ୍ତରାଷ୍ଟ୍ର ବେସାମରିକ ଆଣବିକ ଚୁକ୍ତି ଅଧୀନରେ ପ୍ରଥମ ଶକ୍ତି କେନ୍ଦ୍ର ହେବ । ଏହାର ପ୍ରଥମ ପସନ୍ଦ ଅଞ୍ଚଳ ଥିଲା ଗୁଜରାଟ ଭାବନଗର ଜିଲ୍ଲାର ତଲଜା ତାଲୁକାର ମିଥିବିର୍ଡି ଗ୍ରାମରେ । କିନ୍ତୁ ସେଠାର କୃଷକମାନେ କେଇ ବର୍ଷ ପର୍ଯ୍ୟନ୍ତ ବିରୋଧ କଲେ ଏବଂ ପ୍ରସ୍ତାବିତ ଶକ୍ତି କେନ୍ଦ୍ର ବର୍ତ୍ତମାନ କୋଭାଡ଼ାକୁ ଆସିଛି ।

ଭାରତ ସରକାରଙ୍କ ପୂର୍ଣ୍ଣାଙ୍ଗ ଶକ୍ତି ନୀତି, ୨୦୦୬ ଅନୁଯାୟୀ ୨୦୩୨ ମସିହା ସୁଦ୍ଧା ଦେଶ ୬୩,୦୦୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଆଣବିକ ଶକ୍ତି ଉତ୍ପନ୍ନ କରିବ । ବତ୍ତମାନ ପର୍ଯ୍ୟନ୍ତ ୭ଟି ଆଣବିକ ଶକ୍ତି କେନ୍ଦ୍ରରେ ୬,୭୮୦ ମେଗାୱାଟ୍ ଶକ୍ତି ଉତ୍ପନ୍ନ ହେବା ପରି ବ୍ୟବସ୍ଥା କରାଯାଇଛି । ପ୍ରସ୍ତାବିତ ବୃଦ୍ଧି ଅନୁଯାୟୀ ଆନ୍ଧ୍ରପ୍ରଦେଶର ଉପକୂଳରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ୩୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପ୍ଲାଣ୍ଟ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି । ଏ ମଧ୍ୟରୁ କେବଳ କୋଭାଡ଼ା ପ୍ରକଳ୍ପ ଆଗେଇଛି ଏବଂ ନେଲୋର୍ ଜିଲ୍ଲାର କେଭାଲି ସହରରେ ଏକ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି ।

Government officials conducting public hearing in December 2016 which witnessed widespread protests by the villagers
PHOTO • Rajesh Serupally
Coconut and banana plantations interspersed with each other (multi cropping) in the same field in Kotapalem. All these lands are being taken for the construction of the nuclear power plant
PHOTO • Rajesh Serupally

ବାମ:୨୦୧୬ ଡିସେମ୍ବର ମାସରେ ସରକାରୀ ଅଧିକାରୀମାନେ ଏକ ଜନଶୁଣାଣି ପରିଚାଳନା କରିଥିଲେ, ଯେଉଁଠାରେ ଗ୍ରାମବାସୀମାନେ ଦୃଢ଼ ଭାବରେ ବିରୋଧ କରିଥିଲେ ।

ଡାହାଣ:କୋଟାପାଲେମ୍ ପରି ୫ଟି ଗ୍ରାମର ପ୍ରାୟ ୨ହଜାର ପରିବାର ନିଜର ଜମି, ଫସଲ, ନଡ଼ିଆ ଏବଂ କଦଳୀ ବଗିଚା ହରାଇବେ ।

ବିଶ୍ୱ ଆଣବିକ ଉଦ୍ୟୋଗ ଷ୍ଟାଟସ୍ ରିପୋର୍ଟ, ୨୦୧୭ ଅନୁଯାୟୀ ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଅଂଶରେ ନିର୍ମାଣାଧୀନ  ଆଣବିକ ରିଆକ୍ଟର ସଂଖ୍ୟା କମ୍ ହେଉଛି। ରୁଷ, ଆମେରିକା, ସ୍ୱିଡେନ୍ ଏବଂ ଦକ୍ଷିଣକୋରିଆ ଗତ ୪ବର୍ଷରେ ସେମାନଙ୍କର ରିଆକ୍ଟରଗୁଡ଼ିକୁ ବନ୍ଦ କଲେଣି ।

ଏଥିସହ, ଆବୁଧାବିସ୍ଥିତ ଅନ୍ତଃରାଷ୍ଟ୍ରୀୟ ଅକ୍ଷୟଶକ୍ତି ସଂସ୍ଥାର ଅଧ୍ୟୟନ ଅନୁଯାୟୀ ବିଗତ କେଇବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଦାମ୍ କମୁଛି । ଯଦି ଆନ୍ଧ୍ରପ୍ରଦେଶ ଅଧିକ ବିଦ୍ୟୁତ୍ ଶକ୍ତି ଆବଶ୍ୟକ କରୁଛି, ତେବେ ଏହା ଆଣବିକ ଏବଂ ତାପଜ ବିଦ୍ୟୁତ୍ ପରିବର୍ତ୍ତେ ଅକ୍ଷୟ ଶକ୍ତି ଦିଗରେ ନିବେଶ କରିପାରିଥାନ୍ତା ।

ଏହି ଧାରାର ବିପକ୍ଷରେ ଭାରତୀୟ ଶକ୍ତି ନୀତିର ମତ ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଆବଶ୍ୟକତା ପୂରଣ ପାଇଁ ଆଣବିକ ଶକ୍ତିକୁ ପ୍ରୋତ୍ସାହିତ କରାଯାଉଛି । କିନ୍ତୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଶକ୍ତି ଭିତ୍ତିଭୂମି ଏବଂ ନିବେଶ ବିଭାଗର ପ୍ରଧାନ ସଚିବ ଅଜୟ ଜୈନ ୨୦୧୭ ଏପ୍ରିଲ୍ ମାସରେ ଦୈନିକ ସମ୍ବାଦପତ୍ର ‘ଦି ହିନ୍ଦୁ’ କୁ ସାକ୍ଷାତକାର ଦେଇ କହିଥିଲେ, ଆନ୍ଧ୍ରପ୍ରଦେଶ ଏକ ବଳକା ବିଦ୍ୟୁତ୍ ଶକ୍ତି ରାଜ୍ୟ । ଏଠାରେ ଦୈନିକ ୧୭୮ଏମ ୟୁ (ମିଲିୟନ୍ ୟୁନିଟ୍) ବିଦ୍ୟୁତ୍ ଆବଶ୍ୟକତା ଥିବା ବେଳେ ଦୈନିକ ୨୦୦ ଏମ୍ ୟୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଛି । ଏ ସମ୍ପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ବିଦ୍ୟୁତ ବିଭାଗର ପୂର୍ବତନ କେନ୍ଦ୍ରୀୟ ସଚିବ ଡ. ଇଏଏସ୍ ଶର୍ମାଙ୍କୁ ଏହି ସାମ୍ବାଦିକ ପଚାରିବାରେ ସେ କହିଥିଲେ, “ଯେଉଁ ରାଜ୍ୟରେ ବିଦ୍ୟୁତ୍ ବଳକା ହେଉଛି, ସେଠାରେ ଏତେଗୁଡ଼ିଏ ଆଣବିକ ରିଆକ୍ଟର ସ୍ଥାପନ କରିବାର ଆବଶ୍ୟକତା କ’ଣ?” ତେବେ କୋଭାଡ଼ା ନ୍ୟୁକ୍ଲିଅର୍ ପାୱାରପ୍ଲାଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଏନପିସିଆଇଏଲର ପୂର୍ବତନ ଚିଫ୍ ଇଞ୍ଜିନିୟର୍ ଜି.ଭି ରମେଶ ମୋତେ କହିଥିଲେ, “ଆମେ ଆଣବିକ ଶକ୍ତିକେନ୍ଦ୍ରରୁ ମେଗାୱାଟ୍ ପିଛା ୨୪ କୋଟି ଟଙ୍କା ଖର୍ଚ୍ଚ କରିବୁ ଏବଂ ଲୋକମାନଙ୍କୁ ରିହାତି ଦର ୬ଟଙ୍କା କେଡବ୍ଲୁ ଏଚ୍ (କିଲୋୱାଟ୍ ପ୍ରତି ଘଣ୍ଟା) ଦରରେ ଯୋଗାଣ କରିବୁ ।”

କିନ୍ତୁ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ତର୍କ ଭିନ୍ନ ପ୍ରକାର । ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ପୂର୍ବତନ ଉପନିର୍ଦ୍ଦେଶକ ଡ. କେ. ବାବୁରାଓ କୁହନ୍ତି, “ପୂର୍ବରୁ ଏନ୍‌ପିସିଆଇଏଲ୍ କହିଥିଲା ସେମାନେ ୧/କେ ଡବ୍ଲ୍ୟୁ ଏଚ୍ ଦରରେ ଆଣବିକ ଶକ୍ତି ଯୋଗାଣ କରିବେ । କିନ୍ତୁ ବର୍ତ୍ତମାନ ଏହାକୁ ୬ଟଙ୍କାକୁ ବୃଦ୍ଧି କରିସାରିଲେଣି । ସେମାନେ କେବଳ ମିଛ କହୁଛନ୍ତି । ପ୍ରଥମ ବର୍ଷର ଦର ୧୯.୮୦ରୁ ୩୨.୭୭ ଟଙ୍କା କେ ଡବ୍ଲ୍ୟୁ ଏଚ୍ ପ୍ରତି ରହିବ” ଆମେରିକାର କ୍ଲିବ୍ଲ୍ୟାଣ୍ଡସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏନର୍ଜି ଇକୋନୋମିକ୍ ଆଣ୍ଡ ଫିନାନ୍ସିଆଲ୍ ଆନାଲିସିସର ୨୦୧୬ ମାର୍ଚ୍ଚର ଅଧ୍ୟୟନରୁ ଡ. ରାଓ ଏହି ପରିମାଣ ଉଦ୍ଧୃତ କରିଛନ୍ତି ।
Fishermen in Kovadda hope the move will at least make fishing sustainable again, unaware that the nuclear power waste could further destroy the water
PHOTO • Rahul Maganti

କୋଭାଡ଼ାର ମତ୍ସ୍ୟଜୀବୀଙ୍କ ଆଶା ଏହି ପଦକ୍ଷେପ ଅତି କମରେ ମାଛଧରା ଦ୍ୱାରା ରୋଜଗାରକୁ ସହଜ କରିବ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଆଣବିକ ଶକ୍ତି ବର୍ଜ୍ୟ ଜଳକୁ ଆହୁରି ନଷ୍ଟ କରିବ ।

ଏଥିସହ ଆଣବିକ ଶକ୍ତି ନିୟାମକ ବୋର୍ଡ (ଏଇଆରବି) ଏପର୍ଯ୍ୟନ୍ତ  କୋଭାଡ଼ାରେ ଆଣବିକ ପ୍ଲାଣ୍ଟ ନିମନ୍ତେ ସବୁଜ ସଙ୍କେତ ପ୍ରଦାନ କରିନାହିଁ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଏମ୍)ର ରାଜ୍ୟ ସଚିବାଳୟ ସଦସ୍ୟ ନରସିଂହା ରାଓ କହିଛନ୍ତି । ସେ କହିଛନ୍ତି, “ପ୍ରକଳ୍ପ ଅଧିକାରୀମାନେ ଏପର୍ଯ୍ୟନ୍ତ ପରିବେଶ ମନ୍ତ୍ରଣାଳୟ ଏବଂ ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ପ୍ରକଳ୍ପ ନିମନ୍ତେ ସବୁଜ ସଙ୍କେତ ପାଇଁ ଆବେଦନ କରିନାହାନ୍ତି । ୨୦୦୯ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଅନୁଯାୟୀ ଯେଉଁ ଜେନେରାଲ୍ ଇଲେକ୍ଟ୍ରିକ୍ ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ମାମଲା ପରିଚାଳନା କରିଥାଆନ୍ତା, ତାହା ଏଥିରୁ ଓହରି ଯାଇଛି । ବର୍ତ୍ତମାନ ଦାୟିତ୍ଵ ନେଇଥିବା ୱେଷ୍ଟିଂ ହାଉସ୍ ଇଲେକ୍ଟ୍ରିକ୍ କମ୍ପାନୀ ଦେବାଳିଆ ହୋଇଛି ଏହି ପ୍ରକଳ୍ପର ସଫଳତା ବିଷୟରେ ପୁନର୍ବାର ଚିନ୍ତା କରୁଛି । ଯଦି ଏଇଆରବି ଏବଂ ଡବ୍ଲ୍ୟୁଇସି ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇନାହାନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଆନ୍ଧ୍ରପ୍ରଦେଶ ସରକାର କାହିଁକି ଜମି ଅଧିଗ୍ରହଣ କରିବାରେ ଲାଗିଛନ୍ତି?”

ଗୋଟିଏପଟେ ଜମି ଅଧିଗ୍ରହଣ ଚାଲିଥିବା ବେଳେ କୋଭାଡ଼ାଠାରୁ ଉତ୍ତରରେ ପ୍ରାୟ ୩୦ କିଲୋମିଟର ଦୂରରେ ଇଚ୍ଛେର୍ଲା ମଣ୍ଡଳର ଧର୍ମାବରମ୍ ଗ୍ରାମରେ ୨୦୦ ଏକର ଅଞ୍ଚଳରେ ଏକ ସହର ନିର୍ମାଣ ଚାଲିଛି । ଯେତେବେଳେ ପାୱାର ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହେବ, ସେତେବେଳେ ଏହି ୫ଟି ଗ୍ରାମର ବିସ୍ଥାପିତ ପରିବାରକୁ ଏହି ଅଞ୍ଚଳରେ ରହିବାର ବ୍ୟବସ୍ଥା କରାଯିବ ବୋଲି ଯୋଜନା କରାଯାଉଛି ।

କୋଭାଡ଼ାର ୪୨ବର୍ଷ ବୟସ୍କ ମତ୍ସ୍ୟଜୀବୀ ମୈଲାପିଲି ରାମୁ ବିସ୍ଥାପନକୁ ଅପେକ୍ଷା କରିଛନ୍ତି । ସେ ଆଶା କରିଛନ୍ତି ଯେ ଏହାଦ୍ୱାରା  ମାଛଧରାକୁ ଜୀବିକା କରିହେବ (ଦେଖନ୍ତୁ, ବିଗ୍ ଫାର୍ମା କିଲସ ସ୍ମଲ୍ ଫିସ୍ ଇନ୍ କୋଭାଡ଼ା) । ସେ କୁହନ୍ତି, “ବର୍ତ୍ତମାନ ଔଷଧ ଉଦ୍ୟୋଗ ଯୋଗୁ କୋଭାଡ଼ା ଉପକୂଳର ଜଳ ପ୍ରଦୂଷିତ ହୋଇଯାଇଥିବାରୁ ଆମେ ଏଠାରୁ ମାଛ ଧରିପାରୁନାହୁଁ । ଧର୍ମାବରମ୍ ମଧ୍ୟ ସମୁଦ୍ର କୂଳ ନିକଟସ୍ଥ । ଆମର ଆଶା ଆମେ ସେଠାକୁ ଯିବା ପରେ ପୁଣି ମାଛ ଧରିପାରିବୁ ।” କିନ୍ତୁ ସେ ଜାଣନ୍ତି ନାହିଁ, ଆଣବିକ ଶକ୍ତିକେନ୍ଦ୍ର ଦ୍ୱାରା ଯେଉଁ ଜଳ ପ୍ରଦୂଷଣ ହେବ ତାହା ସମଗ୍ର ଅଞ୍ଚଳର ଔଷଧ ଉଦ୍ୟୋଗଜନିତ ପ୍ରଦୂଷଣଠାରୁ ଖୁବ୍ ଅଧିକ ହେବ ।

ବର୍ତ୍ତମାନ କେତେକ ଗ୍ରାମବାସୀ ଯଦି ସେମାନେ ଆଣବିକ ଶକ୍ତିକେନ୍ଦ୍ର ପାଇଁ ବିସ୍ଥାପିତ ହୁଅନ୍ତି, ତେବେ ସେମାନଙ୍କୁ ବୈଧ ଏବଂ ଉପଯୁକ୍ତ କ୍ଷତିପୂରଣ ପାଇଁ ହାଇଦ୍ରାବାଦସ୍ଥିତ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଏକ କେସ୍ ଫାଇଲ୍ କରିବାକୁ ଯୋଜନା କରୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti