ପ୍ରତିଦିନ ରାତିରେ ପ୍ରାୟ ୧୦ଟା ସମୟରେ, ସେଟ୍ଟୀ ଶ୍ରୀକାନ୍ତ ଏବଂ ସେଟ୍ଟୀ ଗୋପୀଚାନ୍ଦ ବିଜୟୱାଡ଼ା ଦେଇ ଯାଇଥିବା ଚେନ୍ନାଇ-କୋଲକାତା ଜାତୀୟ ରାଜପଥର ଟ୍ରାଫିକ୍ ଡିଭାଇଡର ଉପରେ ଏକ ପୁରୁଣା ଭିନାଇଲ୍ ବ୍ୟାନର ବିଛାଇ ଦିଅନ୍ତି। ଏବଂ ସେମାନଙ୍କର ଟାୱେଲକୁ ବିଛାଇ ଶୋଇ ପଡନ୍ତି ।

ସକାଳେ ସେମାନେ ନିକଟସ୍ଥ ବେଞ୍ଜ ଗୋଲେଇକୁ ଯାଆନ୍ତି, ଯେଉଁଠି ଦିନ ମଜୁରିଆ ମାନେ କାମ ପାଇବା ଉଦ୍ଦେଶ୍ୟରେ ସକାଳ ୬ଟାରୁ ଏକାଠି ହୁଅନ୍ତି। ଶ୍ରମିକ ଆଡ୍ଡାରେ ସେଟ୍ଟୀ ଭାଇମାନେ ସାଇକେଲରେ ଆସିଥିବା ଦୋକାନୀଙ୍କଠାରୁ ଇଡଲି ଖାଆନ୍ତି। ଅଧିକାଂଶ ସମୟରେ ସେମାନେ ଖାଲି ପେଟରେ ବି କାମକୁ ଯାଆନ୍ତି।

୧୬ ବର୍ଷ ବୟସ୍କ ଶ୍ରୀକାନ୍ତ କହିଲେ, “ଆମେ ବିଜୟୱାଡ଼ା ଆସିବା ବର୍ଷେ ହେଲାଣି ।” ସେ ଓ ୨୨ ବର୍ଷର ଗୋପୀଚାନ୍ଦ, ତେଲଙ୍ଗାନା ଖାମ୍ମମ ଜିଲ୍ଲାର ମଡୁପଲ୍ଲେ ଗାଁ ଛାଡି ଏଠାକୁ ଚାଲି ଆସିଥିଲେ। କାରଣ ୨୦୧୬ ମସିହାରେ ତାଙ୍କର ଗାଁରେ ଚାଷରେ ବିପୁଳ କ୍ଷତି ହୋଇଥିଲା, ଯଦିଓ ସେତେବେଳ ଯାଏଁ ଚାଷରୁ ଖର୍ଚ୍ଚ ଉଠିଯାଉଥିଲା। ଶ୍ରୀକାନ୍ତ କହନ୍ତି “ଆମ ବାପା ପାଞ୍ଚ ଏକର ଜମି (ଲିଜରେ ଆଣି)ରେ ଲଙ୍କା, କପା ଓ ହଳଦୀ ଚାଷ କରନ୍ତି। କିନ୍ତୁ ସେହି ବର୍ଷ ଆମର ପାଞ୍ଚ ଲକ୍ଷ ଟଙ୍କା କ୍ଷତି ହେଲା(ଏବଂ ସାହୁକାରମାନଙ୍କ ଦ୍ୱାରା ନିଆଯାଉଥିବା ଉଚ୍ଚ ସୁଧ ହାର ଯୋଗୁଁ ଏବେ ସେହି ଟଙ୍କା ବଢି ସାତ ଲକ୍ଷ ହୋଇଗଲାଣି)।” ହଳଦୀ ଫସଲର ଭଲ ଦାମ ମିଳିଲା ନାହିଁ, ସେମାନଙ୍କର କପା ମଧ୍ୟ କୀଟ ଆକ୍ରମଣରେ ସଂକ୍ରମିତ ହେଲା, ଏବଂ ଖରାପ ମଞ୍ଜି ଫଳରେ ଲଙ୍କା ଭଲ ଉତ୍ପାଦନ ହେଲା ନାହିଁ। ଋଣ ଟଙ୍କା ସୁଝିବା ପାଇଁ ଆମେ ବାହାରକୁ କାମ କରିବାକୁ ଆସିବାକୁ ବାଧ୍ୟ ହେଲୁ। ଶ୍ରୀକାନ୍ତ କହିଲେ, ଯିଏ ୧୦ମ ଶ୍ରେଣୀରୁ ପଢା ବନ୍ଦ କରିଥିଲେ, ଆଉ ଗୋପୀଚାନ୍ଦ ପଲିଟେକନିକ୍ କୋର୍ସ ଅଧାରୁ ଛାଡିଥିଲେ, ଯେଉଁଠି ସେ ଅଟୋମୋବାଇଲ୍ ମେକାନିକ୍ ହେବାକୁ ତାଲିମ୍ ନେଉଥିଲେ।

ପ୍ରତିଦିନ ସକାଳେ, ସେଟ୍ଟୀ ଭାଇଙ୍କ ଭଳି, ପ୍ରାୟ ୧,୦୦୦ରୁ ଅଧିକ ଲୋକ ବେଞ୍ଜ ଗୋଲେଇରେ  କଠିନ ପରିଶ୍ରମ ବିଶିଷ୍ଟ ଦିନ ମଜୁରୀ ସନ୍ଧାନରେ ଅପେକ୍ଷା କରନ୍ତି। ନିକଟସ୍ଥ ଗାଁରୁ ଆସୁଥିବା ମହିଳାମାନେ ସଂଧ୍ୟାରେ ଫେରିଯାଉଥିବାବେଳେ ଅଧିକାଂଶ ପୁରୁଷ ପ୍ରାୟ ତିନି କିମି ପରିଧି ମଧ୍ୟରେ ଆସୁଥିବା ଖାଲି ଚଟାଣ ବା ଡିଭାଇଡର ଉପରେ ଶୋଇପଡନ୍ତି। ସେମାନେ ରାଜ୍ୟର ବିଭିନ୍ନ ଭାଗରୁ ଏହି ସହରକୁ ଆସିଛନ୍ତି, ଆନ୍ଧ୍ରପ୍ରଦେଶର ଉତ୍ତର ଶ୍ରୀକାକୁଲମ ଜିଲ୍ଲାରୁ ନେଇ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ନେଲ୍ଲୋର ଜିଲ୍ଲାରୁ ।

Migrant daily wage labourers seen early morning at the labour adda in Benz Circle looking for some work. Everyday, atleast 1000 people come here for work starting from 6 AM till 10 AM
PHOTO • Rahul Maganti
Migrant daily wage labourers seen early morning at the labour adda in Benz Circle looking for some work. Everyday, atleast 1000 people come here for work starting from 6 AM till 10 AM
PHOTO • Rahul Maganti

ତେଲେଙ୍ଗାନା ରାଜ୍ୟ ସାରାରୁ , ଏହି ଶ୍ରମିକମାନେ ବିଜୟୱାଡ଼ା ଆସିଛନ୍ତି ପ୍ରତିଦିନ ସକାଳୁ ପ୍ରାୟ ୧,୦୦୦ ଶ୍ରମିକ ଦିନ ମଜୁରୀ ସନ୍ଧାନରେ ବେଞ୍ଜ ଗୋଲେଇରେ ଏକାଠି ହୁଅନ୍ତି ।

ଅନ୍ୟମାନେ ତେଲେଙ୍ଗାନାର ଖାମ୍ମନ ଏବଂ ନଳଗୋଣ୍ଡା ଜିଲ୍ଲାରୁ ଏଠାକୁ ଆସିଛନ୍ତି। ୪୦ ବର୍ଷ ବୟସ୍କ ବାଣଭଟ୍ଟ କୋଟିଆ, ଖାମ୍ମନର ଜମାଲପୁରମ ଗାଁର ଜଣେ ଲାମ୍ବଡା ଆଦିବାସୀ, ନିଜର ଅଧା ଏକର ପୋଡୁ(ଜଙ୍ଗଲ) ଜମିରେ ଆଉ ଚାଷ ନ କରିପାରିବା ଯୋଗୁଁ ଏଠାକୁ ଆସିଛନ୍ତି। ପଟ୍ଟା(ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ଜମି ମାଲିକାନା ଦସ୍ତାବିଜ) ନ ଥିଲେ, ସେ ବ୍ୟାଙ୍କରୁ ଏକ କୃଷି ଋଣ ପାଇଁ ଆବେଦନ କରିପାରିବେ ନାହିଁ। ଗାଁରେ ନିଜର ସ୍ତ୍ରୀ ଓ ସ୍କୁଲ ଯାଉଥିବା ଦୁଇ ପିଲାଙ୍କୁ ଛାଡି କୋଟିଆ ବିଜୟୱାଡ଼ା ଆସିବା ଦିନଠାରୁ ୧୫ ବର୍ଷ ହେଲା ତାଙ୍କ ଜମି ଖାଲି ପଡିଛି। ସେ କହନ୍ତି, “ମୁଁ ପ୍ରତି ମାସରେ ଘରକୁ (ପ୍ରଥମେ ଟ୍ରେନ୍ ତା ପରେ ବସରେ) ଯାଏ, ଦିନେ ଦୁଇ ଦିନ ପରିବାର ସହ କାଟି ପୁଣି ଫେରିଆସେ ।” ୪୦୦ ଟଙ୍କାର ମଜୁରୀ ପାଇଁ କୋଟିଆ ପ୍ରତିଦିନ ସକାଳ ୮ଟାରୁ ସଂଧ୍ୟା ୭ଟା ଯାଏଁ ଦୀର୍ଘ ୧୧ ଘଣ୍ଟା ଧରି କଠିନ ପରିଶ୍ରମ କରନ୍ତି।

କାମ ଅନୁସାରେ ଏହି ମଜୁରୀ ମୂଲ୍ୟରେ ଫରକ ଆସେ। ଏହା କାମ ଦେଉଥିବା ଲୋକ ଉପରେ ନିର୍ଭର କରେ, କାରଣ ଶ୍ରମିକ ଆଡ୍ଡା ଗୁଡିକରେ ସବୁବେଳେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ଶ୍ରମିକ ଥାଆନ୍ତି। କାମ ଦେଉଥିବା ଲୋକ ମୁଖ୍ୟତଃ କଣ୍ଟ୍ରାକ୍ଟର ଓ ରାଜମିସ୍ତ୍ରୀ- ବେଞ୍ଜ ଗୋଲେଇକୁ ଶ୍ରମିକ ମାନଙ୍କୁ ନେବା ପାଇଁ ସେମାନଙ୍କର ଶ୍ରମିକ ଆବଶ୍ୟକତା ଅନୁସାରେ ମୋଟରସାଇକେଲ, ଟ୍ରାକ୍ଟର ଓ ଟେମ୍ପୋ ନେଇ ଆସନ୍ତି।

କ୍ରିଷ୍ଣା ଜିଲ୍ଲାର ମୁପ୍ପାଲ୍ଲା ଗାଁରୁ ୨୦୦୩ରେ  ବିଜୟୱାଡ଼ାକୁ ଆସିଥିବା ୫୨ ବର୍ଷୀୟ ଦଳିତ କୋଟା ବୀର ବସନ୍ତ ରାଓ କହିଲେ “ଆମେ ସବୁ ପ୍ରକାରର କାମ କରୁ, କ୍ୟାଟରିଂ, ନିର୍ମାଣ କାମ, ଘର କାମ, ଆପଣ ଆମକୁ ଯାହା କରିବାକୁ କହିବେ। ଏମାନେ (ଶ୍ରମିକ) କେନ୍ଦ୍ର ଏଠି ବହୁ ବର୍ଷ ଧରି ଚାଲିଆସୁଛି, ଏବଂ କାମ ସନ୍ଧାନରେ ଆସୁଥିବା ଲୋକଙ୍କ ସଂଖ୍ୟା ଗତ କିଛି ବର୍ଷ ଭିତରେ ବଢିଯାଇଛି।”

A man standing on a street in Vijaywada
PHOTO • Rahul Maganti
Kota Veera Vasantha Rao and Kotamarthi Yesu get ready sleep on a vinyl banner in Pandit Nehru Bus Stand in Vijayawada
PHOTO • Rahul Maganti

ବାମ : ନିଜର ଅଧା ଏକର ଜଙ୍ଗଲ ଜମିରେ ଆଉ ଚାଷ ନ କରିପାରିବରୁ ବାଣଭଟ୍ଟ କୋଟିଆ ଜମାଲପୁରମ ଗାଁରୁ ବିଜୟୱାଡ଼ା ଆସିଥିଲେ ଡାହାଣ : ବୀର ବସନ୍ତ ରାଓ (ବ୍ୟାନରକୁ ସିଟ୍ ଭାବେ ବ୍ୟବହାର କରିଥିବା) ଏବଂ କୋଟାମାର୍ଥି ୟେଶୁ , ବିଜୟୱାଡ଼ାର ପଣ୍ଡିତ ନେହେରୁ ବସଷ୍ଟାଣ୍ଡରେ ଗୋଟିଏ ଭିନାଇଲ୍ ବ୍ୟାନର ଉପରେ ଶୋଇବାକୁ ପ୍ରସ୍ତୁତ ହେଉଛନ୍ତି ।

ବସନ୍ତ ରାଓ, ଜଣେ ଭୂମିହୀନ ଶ୍ରମିକ, ନିଜ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ, କାରଣ ତାଙ୍କ ଅଞ୍ଚଳରେ ଲଗାତାର ଜଳାଭାବ ସମସ୍ୟା ଯୋଗୁଁ ଆଉ ଚାଷ କାମ ହୋଇପାରୁ ନ ଥିଲା। ଦୁଇ ବର୍ଷ ଧରି, ବିଜୟୱାଡ଼ା ରେଳ ଷ୍ଟେସନ ନିକଟସ୍ଥ ଏକ ଲଜରେ ଗୋଟିଏ ଖଟରେ ଶୋଇବା ପାଇଁ ତାଙ୍କୁ ଦୈନିକ ୩୦ ଟଙ୍କା ଦେବାକୁ ହେଉଥିଲା। ଯେତେବେଳେ ସେ ଏଥିପାଇଁ ଆଉ ପଇସା ଦେଇପାରିଲେ ନାହିଁ, ବସନ୍ତ ରାଓ ରେଳ ଷ୍ଟେସନରେ ହିଁ ଶୋଇବାକୁ ଉଚିତ ମନେକଲେ। ୨୦୧୪ଠାରୁ, ସେ ସହରର ମୁଖ୍ୟ ବସଷ୍ଟାଣ୍ଡରେ ଶୋଉଛନ୍ତି, କାରଣ ବିଜୟୱାଡ଼ା ରାଜ୍ୟର ନୂଆ ରାଜଧାନୀ ହେବା ପରେ ଏହାର ପୁନଃନିର୍ମାଣ କାମ ହୋଇଛି। ତାଙ୍କର ଏହି ବାସହୀନ ରାତିରେ ବିରାମ ଆସେ ଯେତେବେଳେ ପ୍ରତି ରବିବାର ରାଜ୍ୟ ପରିବହନ ନିଗମର ବସରେ ସେ ସେଠାରୁ ପ୍ରାୟ ୫୮ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ଯାଆନ୍ତି। ସୋମବାର ସକାଳେ କାମ ପାଇଁ ସେ ପୁଣି ବେଞ୍ଜ ଗୋଲେଇକୁ ଫେରି ଆସନ୍ତି।

ବିଜୟୱାଡ଼ାରେ ଏମିତି ୧୦ଟି ଶ୍ରମିକ କେନ୍ଦ୍ର ରହିଛି, ଯେଉଁଠି ପ୍ରାୟ ୬,୦୦୦ ପୁରୁଷ ଓ ମହିଳା(କ୍ରିଷ୍ଣା ଜିଲ୍ଲାରେ ଅବସ୍ଥାପିତ ସେଣ୍ଟର ଫର୍ ଟ୍ରେଡ୍ ୟୁନିୟନର ସାଧାରଣ ସମ୍ପାଦକ ଏନ୍.ସି.ଏଚ୍ ଶ୍ରୀନିବାସଙ୍କ ପରିସଂଖ୍ୟାନ ଅନୁସାରେ) ପ୍ରତିଦିନ ସକାଳେ ଦିନ ମଜୁରୀ ସନ୍ଧାନରେ ଏକାଠି ହୁଅନ୍ତି। ବେଞ୍ଜ ଗୋଲେଇକୁ ବ୍ୟତୀତ ସବୁଠାରୁ ଅଧିକ ଗହଳି ହେଉଥିବା ସ୍ଥାନ ହେଲା ସତ୍ୟନାରାୟଣପୁରମ, ବିଜୟ ଟକିଜ୍ ଓ ଚିଟ୍ଟିନଗର ।

୫୫ ବର୍ଷ ବୟସ୍କା, ଭୂଲକ୍ଷ୍ମୀ ଗତ ତିନି ବର୍ଷ ହେଲା ବେଞ୍ଜ ଗୋଲେଇକୁ ଆସୁଛନ୍ତି। ୧୦-୧୨ ଜଣ ଅନ୍ୟ ମହିଳାଙ୍କ ସହ ସେ ବିଜୟୱାଡ଼ାରୁ ୧୫ କିଲୋମିଟର ଦୂର କନକିପଡୁରୁ ଗୋଟିଏ ଅଟୋରିକ୍ସାରେ ଆସନ୍ତି। ଏହି ଯିବା ଆସିବାରେ ତାଙ୍କର ପ୍ରତିଦିନ ପ୍ରାୟ ୧୦୦ ଟଙ୍କା ଖର୍ଚ୍ଚ ହୋଇଯାଏ ।

A woman standing at a street corner in Vijaywada
PHOTO • Rahul Maganti
Migrant daily wage women labourers from Kankipadu
PHOTO • Rahul Maganti

ଭୂଲକ୍ଷ୍ମୀ (ବାମ) ମହିଳା ଶ୍ରମିକଙ୍କ ଏକ ଗୋଷ୍ଠୀ ସହ ବିଜୟୱାଡ଼ା ଉପକଣ୍ଠରେ ଥିବା କନକିପଡୁ ଗାଁରୁ ଅଟୋରିକ୍ସାରେ ପ୍ରତିଦିନ ବେଞ୍ଜ ଗୋଲେଇକୁ ଆସନ୍ତି

ସେ କହନ୍ତି, “ଆମ ପାଇଁ ଚାଷ କାମରେ ବା ଏମ୍ଜିଏନ୍ଆର୍ଇଜିଏ(ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା କୌଣସିଥିରେ ବି କାମ ନାହିଁ)। ଏଥିପାଇଁ ଆମେ ସହରକୁ ଆସିଛୁ। କିନ୍ତୁ ଅତି କଷ୍ଟରେ ଆମେ ଦୈନିକ ୪୦୦-୫୦୦ ଟଙ୍କା ଲେଖାଏଁ ମଜୁରୀରେ, ସପ୍ତାହକୁ ମାତ୍ର ୨-୩ ଦିନ କାମ ପାଉ।” ମହିଳାମାନଙ୍କୁ ମୁଖ୍ୟତଃ ନିର୍ମାଣ କାମ ଏବଂ କ୍ୟାଟରିଂ କାମ ପାଇଁ  ଲଗାଯାଏ, କିନ୍ତୁ ଅଧିକାଂଶ ସମୟରେ ପୁରୁଷଙ୍କଠାରୁ କମ୍ ପାଉଣା ମିଳେ।

ଫେବ୍ରୁୟାରୀ ମାସର ଗୋଟିଏ ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ, କାମ ସନ୍ଧାନରେ ଥିବା ଶ୍ରମିକ ମାନେ ଧୈଯର୍ର ସହ ବେଞ୍ଜ ଗୋଲେଇରେ ଅପେକ୍ଷା କରିଥିଲେ। ସକାଳ ୧୦ଟା ବେଳକୁ ୧,୦୦୦ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଅର୍ଧେକ ଧୀରେ ଧୀରେ ସେଠାରୁ ଯିବାକୁ ଆରମ୍ଭ କଲେ, ଗୋଟିଏ କିଲୋମିଟର ଦୂରରେ ଥିବା ସାଇ ବାବା ମନ୍ଦିର ଅଭିମୁଖେ ସେମାନେ ଯାଉଥିଲେ, ଯେଉଁଠାରେ ପ୍ରତିଦିନ ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଏ।

The people who want work force in their construction sites and homes will come on two wheelers and tempos and pick the labourers up. The labourers throng the employers when they are here for work. Since he demand is less and the supply is more, most often the workers will have a raw deal in the bargaining of the wage for that particular day
PHOTO • Rahul Maganti

ବେଞ୍ଜ ଗୋଲେଇରେ କଣ୍ଟ୍ରାକ୍ଟରମାନେ ଶ୍ରମିକଙ୍କ ସହ ମଜୁରୀ ବାବଦରେ କଥା ହେଉଛନ୍ତି ।

ସେଟ୍ଟୀ ଶ୍ରୀକାନ୍ତ କହିଲେ, “ଗୋଟିଏ ଦିନର ରୋଜଗାର ସେହି ଦିନ ଶେଷ ସୁଦ୍ଧା ଶେଷ ହୋଇଯାଏ। ଆମେ ଯଦି ପରଦିନ କାମ ନ ପାଉ, ତେବେ କାମ ପାଇବା ଯାଏ ଆମକୁ ଭୋକିଲା ରହିବାକୁ ହୁଏ।  ସେତେବେଳ ଯାଏଁ ଆମେ ଅପରାହ୍ନରେ ମନ୍ଦିରରେ ଖାଉ ଏବଂ ରାତିରେ ପୌରପାଳିକାର ଟ୍ୟାପରେ ପାଣିରୁ ଖାଲି ପେଟ  ଭର୍ତ୍ତି କରୁ। ”ଖାଲି ପେଟରେ ଦୀର୍ଘ ସମୟ ଧରି କାମ କରିବା ଫଳରେ ଯୁବକ ଶ୍ରୀକାନ୍ତ  ବେଳେବେଳେ ଖୁବ୍ ଥକିଯାଏ। ସେ କହିଲେ, “ମୁଁ ପାଣି ପିଏ, କିଛି ସମୟ ପାଇଁ ବିଶ୍ରାମ ନିଏ, ଏବଂ ପୁଣି କାମ କରିବାକୁ ଆରମ୍ଭ କରେ।”

କୋଟିଆ ସେହି ଘଟଣା କଥା ମନେ ପକାନ୍ତି ଯେତେବେଳେ ବିଜୟୱାଡ଼ାରେ ଉତ୍ତପ୍ତ ଗ୍ରୀଷ୍ମ ଦିନରେ ବହୁ ସପ୍ତାହ ଧରି ଦିନକୁ ଥରେ ଖାଇବା ପରେ ଦିନେ ସେ ମୁର୍ଚ୍ଛା ମାରି ଯାଇଥିଲେ। କୋଟିଆ କହିଲେ “ଡାକ୍ତରଖାନା ଯିବା ପାଇଁ ମୋ ପାଖରେ ପଇସା ନ ଥିଲା, ଆଉ ସେଦିନ କାମ ପୁରା କରି ନ ଥିବାରୁ ମୋ କଣ୍ଟ୍ରାକ୍ଟର ମୋତେ ଅଧା ଦିନର ମଜୁରୀ ଦେଲା। ମୋ ସାଙ୍ଗରେ କାମ କରୁଥିବା ଶ୍ରମିକମାନେ କିଛି ଟଙ୍କା ଆଦାୟ କରି ସେହି ଦିନ ସଂଧ୍ୟାରେ ମୋତେ ସରକାରୀ ଡାକ୍ତରଖାନାକୁ ନେଇଗଲେ।” ତା’ ପରଦିନ ତାଙ୍କୁ ପ୍ରବଳ ମୁଣ୍ଡବିନ୍ଧା ଏବଂ ଜୋରରେ ଜ୍ୱର ହୋଇଥିଲା। ସେ ଜମଲାପୁରମକୁ ଦୁଇ ସପ୍ତାହ ପାଇଁ ଗଲେ, ତା ପରେ ବିଜୟୱାଡ଼ାକୁ ଫେରିଆସିଲେ। କୋଟିଆ କହିଲେ, “ଏଠି ମୋ ପାଇଁ  ଆଶ୍ରୟ ନେବା ପାଇଁ କୌଣସି ସ୍ଥାନ ନାହିଁ ଏବଂ ମୋ ପାଖରେ କାମ କରି ଟଙ୍କା ରୋଜଗାର କରିବାର ଶକ୍ତି ନ ଥିଲା, ସେଥିପାଇଁ ମୋତେ ଘରକୁ ଯିବାକୁ ହିଁ ଥିଲା।”

ବିଜୟୱାଡ଼ାର ଶ୍ରମିକ କେନ୍ଦ୍ର ଗୁଡିକରେ କାମ କରୁଥିବା ଅଧିକାଂଶ ଶ୍ରମିକଙ୍କୁ ସେମାନଙ୍କ କଠିନ କଷ୍ଟଲବ୍ଧ ଅର୍ଥକୁ ରାତିରେ ରାସ୍ତାରେ ବୁଲୁଥିବା ଚୋର ଗ୍ୟାଙ୍ଗ ଗୁଡିକଠାରୁ ରକ୍ଷା କରିବାକୁ ମଧ୍ୟ ପ୍ରତିଦିନ ସଂଗ୍ରାମର ସାମ୍ନା କରିବାକୁ ହୁଏ। ୨୫ ବର୍ଷୀୟ କୁମାର(ଯିଏ କେବଳ ତାଙ୍କର ପ୍ରଥମ ନାଁ ହିଁ କହିଲେ) କହିଲେ “ଗତକାଲି ହିଁ ମୋଠାରୁ ଗୋଟିଏ ଚୋର ଗ୍ୟାଙ୍ଗ ୧,୫୦୦ ଟଙ୍କା ଲୁଟିନେଲେ। ସେହି ଗ୍ୟାଙ୍ଗଠାରୁ ରକ୍ଷା ପାଇବା ପାଇଁ ବେଳେବେଳେ, ଆମେ କାଦୁଅରେ ଆମ ଟଙ୍କା ପୋତିଦେଉ। “ସେ ବିଜୟୱାଡ଼ାଠାରୁ ପ୍ରାୟ ୧୩୫ କିଲୋମିଟର ଦୂର ନିଦଦାଭୋଲେ ସହରରୁ ଆସିଛନ୍ତି। “ଆମେ ଯେତେବେଳେ କାମ ନ ପାଉ, ୫୦ ଟଙ୍କା ଦେଇ ଦେଶୀ ମଦ କିଣୁ। ରାସ୍ତା ପାଖ ଚଟାଣରେ ବସି ମଦ ପିଇ ସମୟ କାଟୁ”, କୁମାର କହିଲେ ।

ରାସ୍ତାରେ ଶୋଇବା ଫଳରେ ଏମାନଙ୍କୁ ପୋଲିସ ଅତ୍ୟାଚାରର ମଧ୍ୟ ଶିକାର ହେବାକୁ ପଡେ। କୁମାର କହିଲେ, “ଯେତେବେଳେ କୌଣସି ଭିଆପି ଆସୁଥାଆନ୍ତି ବା ସହର ପରିଷ୍କାର ଦେଖାଯାଉ ବୋଲି ସେମାନେ ଚାହାନ୍ତି, ସେମାନେ ଆସି ଆମକୁ ଗୋଡାନ୍ତି ଓ ଲାଠିରେ ପିଟନ୍ତି ।”

ସହରରେ ମାତ୍ର ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ୧୫୦ ଜଣଙ୍କ କ୍ଷମତା ବିଶିଷ୍ଟ ରାତ୍ରି ଆଶ୍ରୟସ୍ଥଳୀ ଚଳାନ୍ତି। ବିଜୟୱାଡ଼ା ପୌରନିଗମ ପକ୍ଷରୁ ଏଗୁଡିକ ନିର୍ମାଣ କରାଯାଇଛି। ବେଞ୍ଜ ଗୋଲେଇ ଏବଂ ଅନ୍ୟ ଶ୍ରମିକ ଆଡ୍ଡା ନିକଟସ୍ଥ ବସ୍ ଷ୍ଟାଣ୍ଡକୁ ଲାଗି ଆହୁରି ତିନୋଟି ଆଶ୍ରୟସ୍ଥଳୀ ଗତ ଚାରି ବର୍ଷ ହେଲା ନିର୍ମାଣାଧୀନ ରହିଛି। ସରକାର କହୁଛନ୍ତି ଏହି ସବୁ ଆଶ୍ରୟସ୍ଥଳୀର ନିର୍ମାଣ କାମ ଚଳିତବର୍ଷ ଶେଷ ହୋଇଯିବ ।

The Shelter for Urban Homeless has 150 beds across the city, spread across two centers, while it is supposed to have atleast 1500. Four such centers have been in construction since four years
PHOTO • Rahul Maganti
Homeless people, who mostly are migrant daily wage labourer from rural parts of Andhra Pradesh, sleep in the Pandit Nehru Bus Station in Vijayawada.
PHOTO • Rahul Maganti

ସହରରେ ଥିବା ନିରାଶ୍ରୟଙ୍କ ପାଇଁ ଉଦ୍ଧିଷ୍ଟ ଆଶ୍ରୟସ୍ଥଳୀ ଗୁଡିକ ମଧ୍ୟରୁ ଗୋଟିଏ ଏଠି ଖୁବ୍ କମ୍ ସଂଖ୍ୟାରେ ଲୋକଙ୍କୁ ଆଶ୍ରୟ ଦେଇପାରେ , ଫଳରେ ଅଧିକାଂଶ ଶ୍ରମିକ (ଡାହାଣ) ରାସ୍ତାକଡ ଚଟାଣ , ବସ୍ ଷ୍ଟାଣ୍ଡ ଏବଂ ରେଳଷ୍ଟେସନରେ ଶୁଅନ୍ତି

ସହରରେ ଥିବା ରାତ୍ରି ଆଶ୍ରୟସ୍ଥଳୀର ଦେଖାଶୁଣା କରୁଥିବା ଏନଜିଓ ଗାଇଡ୍ ଫାଉଣ୍ଡେସନର ମୁରଲୀ କ୍ରିଷ୍ଣା କହନ୍ତି, “କିନ୍ତୁ ଏହା ଯଥେଷ୍ଟ ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳି (ସହରାଞ୍ଚଳରେ ବାସହୀନ ଲୋକଙ୍କୁ ଆଶ୍ରୟ ଅଧିକାର ପାଇଁ ଦାଖଲ ହୋଇଥିବା ରିଟ୍ ପିଟିସନ୍ ଆଧାରରେ, ୨୦୧୬ରେ ଭାରତ ସରକାର ବନାମ ଇ.ଆର୍. କୁମାର ଏବଂ ଅନ୍ୟମାନେ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ) ପ୍ରତି ୧୦୦,୦୦୦ ଲୋକଙ୍କ ପାଇଁ ଅତି କମରେ ଗୋଟିଏ ଆଶ୍ରୟସ୍ଥଳୀ (ପ୍ରତ୍ୟେକରେ ୫୦-୮୦ ଜଣଙ୍କ ରହିବା ବ୍ୟବସ୍ଥା ଥିବା) ରହିବା ଉଚିତ। ଏଣୁ ବିଜୟୱାଡ଼ା [ଏବେ ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ]ରେ [ଅତି କମରେ] ୧୫ଟି ଆଶ୍ରୟସ୍ଥଳୀ ରହିବା ଉଚିତ। ”

ସହରାଞ୍ଚଳ ଏବଂ ଆଦିବାସୀ ଉନ୍ନୟନ ଦିଗରେ କାମ କରୁଥିବା ବିଶାଖାପାଟନମର ଜଣେ ସମାଜସେବୀ ପ୍ରଗଡା ଶ୍ରୀନିବାସଙ୍କ କହିବା ଅନୁସାରେ, “ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଯଥେଷ୍ଟ ପୁଞ୍ଜି(ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ) ରହିଛି, କିନ୍ତୁ ଏ ନେଇ ଉତ୍ତରଦାୟିତ୍ୱର ଅଭାବ ରହିଛି। ସରକାର(ଏନୟୁଏଲଏମ) ମାଧ୍ୟମରେ ସରକାର ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କୁ ମଧ୍ୟ ରାତିରେ ମାଗଣାରେ ରାତିରେ ଖାଦ୍ୟ ଦେବା କଥା। ଏଥିସହ (ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ) ସେମାନଙ୍କୁ ରୋଜଗାର ବିକଳ୍ପ(ବା ଦକ୍ଷତା ବୃଦ୍ଧି) ଗୁଡିକ   ବାବଦରେ ତାଲିମ ଦେବା କଥା, ଯାହା ସେମାନଙ୍କୁ ସହରରେ ବିକଳ୍ପ  ଆଶ୍ରୟ ଖୋଜିବାରେ ସହାୟକ ହେବ।”

ଯଦିଓ ଏମିତି କାର୍ଯ୍ୟ ଏକ ଦୂର ସ୍ୱପ୍ନ, ଏବଂ ଯେଉଁ ଲୋକମାନେ ସେମାନଙ୍କ କଠିନ ଶ୍ରମ ଦ୍ୱାରା ବିଜୟୱାଡ଼ା ସହରର ନିତିଦିନିଆ ଜନଜୀବନକୁ ବଞ୍ଚାଇ ରଖିଛନ୍ତି, ସେହି ଲୋକମାନେ ନିୟମିତ ଭାବେ ଏମିତି ଦୟନୀୟ ଭାବେ ରହୁଛନ୍ତି। ପରବର୍ତ୍ତୀ କାମ, ପରବର୍ତ୍ତୀ ଖାଦ୍ୟ, ଏବଂ ଶୋଇବା ପାଇଁ ପରବର୍ତ୍ତୀ ସୁରକ୍ଷିତ ଆଶ୍ରୟସ୍ଥଳୀ ଖୋଜିବା ନେଇ ସେମାନଙ୍କ ସନ୍ଧାନ ଏମିତି ଜାରି ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Rahul Maganti

Rahul Maganti is an independent journalist and 2017 PARI Fellow based in Vijayawada, Andhra Pradesh.

Other stories by Rahul Maganti
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE