ଆମ ଜୀବନର ଅନ୍ୟତମ ସ୍ପର୍ଶକାତର, ହୃଦୟସ୍ପର୍ଶୀ ମୁହୂର୍ତ୍ତ ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ପାଇଁ ଏକ ମହତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ପାଲଟିଥିଲା ବୁଧବାର, ଜୁନ୍ ୭। ମୁଁ ଗର୍ବର ସହିତ କହୁଛି ଯେ ଏହା ପରିର ପ୍ରୟାସରେ ଘଟିଥିଲା କ୍ୟାପଟେନ୍ ଏଲଡର ବ୍ରଦର୍ ଏବଂ ହୁଇର୍ଲଉଇଣ୍ଡ କାହାଣୀ ମନେ ଅଛି? ଠିକ୍ ଅଛି ଏଇ ମୁହୂର୍ତ୍ତରେ କ୍ୟାପଟେନ୍ ଏଲଡର ବ୍ରଦର ଏବଂ ଅନ୍ୟ ଭୁଲିଯାଇଥିବା ବୀରମାନେ ମଧ୍ୟ ଜଡ଼ିତ ଥିଲେ।

ବର୍ଷ ପରେ ବର୍ଷ ବିତି ଚାଲିଥିଲା, ଦୁଃଖ ବଢ଼ି ଚାଲିଥିଲା: ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ବୀର ପରଲୋକ ଗମନ କରୁଥିଲେ। ଭାରତର ପରବର୍ତ୍ତୀ ପିଢ଼ିର ପିଲାମାନେ ଆଉ ସେହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱର ଆଉ ଶୁଣିପାରିବେ ନାହିଁ କିମ୍ବା ସେମାନଙ୍କୁ ଦେଖିପାରିବେ ନାହିଁ, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ, ନିଜର ସର୍ବସ୍ୱ ତ୍ୟାଗ କରି ଦେଶ ପାଇଁ ସ୍ୱାଧୀନତା ଆଣି ଦେଇଥିଲେ। ହୁଏତ ଏହି ବିଷୟ ପଢ଼ୁଥିବା ପିଲାମାନଙ୍କର ଏ ବିଷୟରେ କୌଣସି ଅନୁଭୂତି ଥାଇନପାରେ।

ସେଥିପାଇଁ ବର୍ଷ ବର୍ଷ ଧରି ମୁଁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଏକାଠି କରୁଛି, ସେମାନଙ୍କ ବିଷୟରେ ଲେଖୁଛି, ଭିଡ଼ିଓ ପ୍ରସ୍ତୁତ କରୁଛି। ସବୁବେଳେ ମୁଁ ଗୋଟିଏ କଥା ପାଇଁ ଅନୁତାପ କରୁଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପଚରା ହୋଇ ରହିଯାଇଛନ୍ତି। କୌଣସି ସ୍ୱୀକୃତି ଲାଭ କରିନାହାନ୍ତି।

ତେଣୁ ଆମ୍ଭେମାନେ ସତାରର ପ୍ରତି ସରକାର ବା ଅସ୍ଥାୟୀ ସରକାରଙ୍କର, ୧୯୪୩-୪୬ର ଛଦ୍ମବେଶୀ ସରକାରଙ୍କର ଶେଷ ଜୀବିତ ବ୍ୟକ୍ତିମାନଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ। ତୋଫାନ ସେନାର ବରିଷ୍ଠ ଯୋଦ୍ଧାବୃନ୍ଦ ଏବଂ ମହାରାଷ୍ଟ୍ରର ସତାରା ଓ ସାଙ୍ଗଲି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜୁନ୍ ୭ ତାରିଖରେ ସମ୍ମାନିତ କରାଯାଇଥିଲା। ୧୯୪୩ ମସିହାରେ ଏହି ଦିବସରେ ସେମାନେ ବ୍ରିଟିଶ୍ ଶାସନ ସମୟରେ ସତାରାରେ ସେନୋଲି ଗ୍ରାମରେ ଅଧିକାରୀମାନଙ୍କର ବେତନ ବହନ କରି ଯାଉଥିବା ଟ୍ରେନକୁ ଆକ୍ରମଣ କରିଥିଲେ। ସେହି ଅର୍ଥ ଲୁଟକରି ଗରିବମାନଙ୍କୁ ବାଣ୍‌ଟି ଦେଇଥିଲେ ଏବଂ ପ୍ରତି ସରକାର ଚାଲୁ ରଖିବାରେ ଖର୍ଚ୍ଚ କରିଥିଲେ। 

ଆମ୍ଭେମାନେ ଅବସରପ୍ରାପ୍ତ କୂଟନୀତିଜ୍ଞ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ମହାତ୍ମାଗାନ୍ଧୀଙ୍କର ନାତି ଗୋପାଳ ଗାନ୍ଧୀଙ୍କୁ ଦିଲ୍ଲୀରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କହିଲେ। ସେ ଏଥିପାଇଁ ସମ୍ମତ ହେଲେ ଓ ଏଠାରେ ଆସି ଯାହା ଦେଖିଲେ ସ୍ତମ୍ଭୀଭୂତ ହେଲେ।

ତୋଫାନ ସେନା (ଘୂର୍ଣ୍ଣି ବା ଝଡ ବାହିନୀ) ଥିଲା ପ୍ରତି ସରକାରର ସଶସ୍ତ୍ର ଶାଖା-ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ବିସ୍ମୟକର ଅଧ୍ୟାୟ। ଭାରତଛାଡ଼ ଆନ୍ଦୋଳନର ଏକ ବିଚ୍ଛିନ୍ନ ଶାଖା ଭାବରେ ଏହି ବିପ୍ଳବୀ ଗୋଷ୍ଠୀ ସତାରାରେ ଏକ ସମାନ୍ତରାଳ ସରକାର ଘୋଷଣା କରିଥିଲେ- ସେତେବେଳର ଏହା ଏକ ବିଶାଳ ଜିଲ୍ଲା ଥିଲା, ଯେଉଁଥିରେ ବର୍ତ୍ତମାନର ସାଙ୍ଗଲି ଅନ୍ତର୍ଭୁକ୍ତ ଥିଲା।

ଭିଡ଼ିଓ ଦେଖନ୍ତୁ: ଗୋପାଳ ଗାନ୍ଧୀ ଏବଂ ଅନ୍ୟମାନେ ସେନୋଲିରେ ଏକ ଛୋଟ ‘କୀର୍ତ୍ତିସ୍ତମ୍ଭ’ ନିକଟରେ, ଯାହାକି ଜୁନ୍ ୭, ୧୯୪୩ରେ ଟ୍ରେନ୍ ଉପରେ ତୋଫାନ ସେନାର ଆକ୍ରମଣର ସ୍ମାରକୀ ଭାବରେ ବ୍ରିଟିଶ୍ ଇଣ୍ଡିଆନ୍ ରେଳବାଇ ଦ୍ୱାରା ସ୍ଥାପନ କରାଯାଇଥିଲା

ସେନୋଲିରେ ରେଳପଥର ଏହି ଐତିହାସିକ ବିନ୍ଦୁରେ ଆମେ ଏହା ଆୟୋଜନ କଲୁ। ଆମେ ଏଠାରେ ଐତିହାସିକ ଘଟଣାର କେତେକ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ଛୋଟ ଉତ୍ସବରେ ସମ୍ମାନିତ କରିବାକୁ ଚିନ୍ତା କଲୁ। କିନ୍ତୁ ଗ୍ରୀଷ୍ମ ଅପରାହ୍ନରେ ୩ଟା ବେଳେ ୨୫୦ ସରିକି ଲୋକ ଜମା ହେଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ୮୦ ବର୍ଷରୁ ୯୦ ବର୍ଷ ବୟସର ଥିଲେ। ପିଲାମାନେ ଯେମିତି ପାର୍କରେ ଗୁରୁଣ୍ଡୁ ଥାଆନ୍ତି ଠିକ୍ ସେମିତି ରେଳ ଲାଇନ୍ ଚାରିପଟେ ଚାଲି ଚାଲି ଆସୁଥିଲେ। ସେମାନଙ୍କ ପାଇଁ ଏହା ଥିଲା ଏକ ସଙ୍ଗମ, ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଧାରର ମିଳନ କ୍ଷେତ୍ର। ଏବଂ ସେମାନଙ୍କ ମଧ୍ୟରେ ଥିଲେ ବୟସ୍କ ସଶସ୍ତ୍ର ବାହିନୀର ବିପ୍ଳବୀ ଯେ କି ଗୋପାଳ ଗାନ୍ଧୀଙ୍କୁ କୁଣ୍ଢାଇ ପକାଇ ‘ମହାତ୍ମା ଗାନ୍ଧୀଙ୍କର ଜୟ ହେଉ’ ସ୍ଲୋଗାନ୍ ଦେଇଥିଲେ। ବିଶେଷକରି କ୍ୟାପଟେନ୍ ଭାଉ, ବୟସ ୯୫ ବର୍ଷ । ତାଙ୍କର ଆଖି ଗର୍ବରେ ଓଦା ହୋଇ ଯାଉଥିଲା, ଅସୁସ୍ଥତା ସତ୍ତ୍ୱେ ସେ ଏଠାକୁ ଧାଇଁ ଆସିଥିଲେ। ମାଧବ ରାଓ ମାନେ, ବୟସ ୯୪ ବର୍ଷ ଚଞ୍ଚଳ ଶିଶୁଟିଏ ପରି ଟ୍ରାକ୍ ଚାରିପଟେ ବୁଲୁଥିଲେ, କାଳେ ସେ ପଡ଼ିଯିବେ ବୋଲି ମୁଁ ଭୟଭୀତ ହୋଇ ତାଙ୍କ ପଛରେ ଦୌଡ଼ୁଥିଲି, କିନ୍ତୁ ସେ ପଡ଼ିନଥିଲେ କିମ୍ବା ତାଙ୍କ ମୁହଁର ସ୍ମିତ ହସ ମଧ୍ୟ ମଳିନ ପଡ଼ିନଥିଲା।

ତାହା ପରେ ଆମେ ଟ୍ରାକରେ ଓହ୍ଲାଇ ଭାଣ୍ଟେଜ ପଏଣ୍ଟକୁ ଗଲୁ ଯେଉଁଠାରେ ସୈନିକମାନେ ୭୪ ବର୍ଷ ତଳେ ଟ୍ରେନ୍ ଅବରୋଧ କରି ଟ୍ରେନରେ ପ୍ରବେଶ କରିଥିଲେ। ଏଠାରେ ଗୋଟିଏ ଛୋଟିଆ ସ୍ମୃତି ସ୍ତମ୍ଭ ରହିଛି-ଭାରତୀୟ ବିପ୍ଳବୀମାନଙ୍କ ପାଇଁ ନୁହେଁ, ବରଂ ଆକ୍ରମଣର ସ୍ମୃତିଚାରଣ ପାଇଁ ବ୍ରିଟିଶ ଭାରତୀୟ ରେଳବାଇ ଦ୍ୱାରା ସ୍ଥାପନ କରାଯାଇଥିଲା। ବୋଧହୁଏ ଏବେ ସେହିଦିନର ଅସଲ ତାତ୍ପର୍ଯ୍ୟ ବୁଝାଇ ଆଉ ଏକ ସ୍ମୃତିସ୍ତମ୍ଭ ସ୍ଥାପନ କରିବାର ସମୟ ଆସିଛି।

PHOTO • Namita Waikar ,  Samyukta Shastri

ଗୋପାଳ ଗାନ୍ଧୀ ସମ୍ବର୍ଦ୍ଧିତ କରୁଛନ୍ତି ହାଉନସତାଇ ପାଟିଲ୍ (ବାମ)ଙ୍କୁ ଯେ କି ପ୍ରତି ସରକାରର ନାୟକ ନାନା ପାଟିଲଙ୍କ କନ୍ୟା, କୁଣ୍ଡଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଧବ ରାଓମାନେ (ଡାହାଣ) ରେ ଙ୍କୁ ସମ୍ମାନିତ କରୁଛନ୍

ଏହାପରେ ଆମ୍ଭେମାନେ କୁଣ୍ଡଳରେ ଆଉ ଏକ ବଡ କାର୍ଯ୍ୟକ୍ରମ ଆଡକୁ ଗଲୁ, ଯେଉଁଠାରେ ୧୯୪୩ ମସିହାରେ ପ୍ରତି ସରକାରର ଆସ୍ଥାନ ରହିଥିଲା, ସେନୋଲିରୁ ପ୍ରାୟ ୨୦ ମିନିଟ୍‌ର ରାସ୍ତା। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବାସିନ୍ଦା ଓ ମୂଳ ସଂଗ୍ରାମୀଙ୍କର ବଂଶଧରମାନଙ୍କ ଦ୍ୱାରା ଆୟୋଜନ କରାଯାଉଥିଲା। ନାଗନାଥ ନାୟକବାଡିର ଜି. ଡି. ବାପୁ ଲାଡ଼ଙ୍କର ପରିବାର, ଯେ କି କିମ୍ବଦନ୍ତୀ ପୁରୁଷ ନାନା ପାଟିଲ୍ (ପ୍ରତି ସରକାରର ମୁଖିଆ)ଙ୍କ ବଂଶଧର। ୧୯୪୩ ମସିହାର ଏହି ବୀର ଯୋଦ୍ଧାମାନଙ୍କ ମଧ୍ୟରୁ ମାତ୍ର ଜଣେ ଜୀବିତ ଅଛନ୍ତି ଏବଂ ସେ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସେ ହେଉଛନ୍ତି: କ୍ୟାପଟେନ୍ ଭାଉ। ସେମାନଙ୍କ ମଧ୍ୟରେ ଥିଲେ ନାନା ପାଟିଲଙ୍କ କନ୍ୟା ହାଉନ୍ ସତାଇ ପାଟିଲ, ଯେ କି ନିଜେ ଜଣେ ଛଦ୍ମବେଶୀ ବିପ୍ଳବୀ ଥିଲେ। ବରିଷ୍ଠ କ୍ୟାପଟେନ୍ ଭାଉ ମାତ୍ର ଦୁଇ ଦିନ ତଳେ ରାସ୍ତାକୁ ଓହ୍ଲାଇଥିଲେ। ହଁ ସେ ମହାରାଷ୍ଟ୍ରର କ୍ଷୁବ୍ଧ ଚାଷୀମାନଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ। ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ନିଜେ କୃଷକ ଥିଲେ ବା ଚାଷ ଜମିରେ ମୂଲିଆ ଭାବରେ କାମ କରୁଥିଲେ। ସେମାନଙ୍କର କେତେକ ବଂଶଧର ମଧ୍ୟ ଏବେ ସେହି ବୃତ୍ତି ଅବଲମ୍ବନ କରୁଛନ୍ତି। 

ମହାରାଷ୍ଟ୍ର ସରକାର ଜୁନ୍ ୭ ତାରିଖକୁ ଆମଠାରୁ ଭିନ୍ନ ଭାବରେ ପାଳନ କରିଥିଲେ ଏବଂ ଏହା ଥିଲା ଊଣା ଅଧିକେ ୧୯୪୩ ମସିହାର ବ୍ରିଟିଶ୍ ରାଜ ସଦୃଶ। ଚାଷୀମାନେ ଯେପରି ଛତ୍ରଭଙ୍ଗ ଦେବେ ସେଥିପାଇଁ ପୋଲିସ୍ ବାହିନୀ ପଠାଇଥିଲେ। ଏହି ଘଟଣା ଆମର ସ୍ୱାଧୀନତା ସଂଗ୍ରାମୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବାଧକ ସାଜିଥିଲା । ବହୁ ଚାଷୀ ଏବଂ କୃଷିକର୍ମୀଙ୍କୁ ଧରି ନେଇ ‘ସୁରକ୍ଷା ଦୃଷ୍ଟିରୁ ଆଗୁଆ ଗିରଫ’ କରି ଜେଲ୍‌ରେ ରଖିଥିଲେ। ଅବୈଧ ଭାବରେ ଅଟକ ରଖିଥିଲେ ଏବଂ ଶେଷରେ କୌଣସି ଚାର୍ଜ ଫାଇଲ୍ ହୋଇନଥିଲା। କିସାନ ସଭାର ଉମେଶ ଦେଶମୁଖ ଥିଲେ ସେନୋଲି ଏବଂ କୁଣ୍ଡଳରେ ସ୍ୱାଧୀନତା ସଂଗ୍ରାମୀ ବୈଠକର ମୁଖ୍ୟ ଆୟୋଜନକାରୀ। କିନ୍ତୁ ବିଡମ୍ବନାର ବିଷୟ ହେଉଛି, ସେ ନିଜେ ଏହି ଆୟାଜନରେ ଯୋଗ ଦେଇପାରିଲେ ନାହିଁ। ତାଙ୍କୁ ସକାଳ ୫ଟା ୩୦ ମିନିଟରେ ଅନ୍ୟ ଆଠ ଜଣଙ୍କ ସହିତ ତାଙ୍କ ଘରୁ ଉଠାଇ ନେଇ ତୋଷଗାଁ ପୋଲିସ ଷ୍ଟେସନ ଲକଅପରେ ରଖି ଦିଆଗଲା। ଉମେଶ ଘର ଘର ବୁଲି ଏହି ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡାକିଥିଲେ ଏବଂ ସେମାନଙ୍କୁ ଏକାଠି କରିବାର ବ୍ୟବସ୍ଥା କରିଥିଲେ।

ଏବଂ ଏ ସମସ୍ତ ବାଧାବିଘ୍ନ ସତ୍ତ୍ୱେ ବୈଠକ ବସିଥିଲା-ଗୋଟିଏ ହେଲେ ଚୌକି ଖାଲିନଥିଲା, ଅନେକ ଠିଆ ହୋଇଥିଲେ, କୁଣ୍ଡଲର ପୋଡିୟମରେ ବସିଥିଲେ ୨୦ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ। ଗୋପାଳ ଗାନ୍ଧୀ ତାଙ୍କର ବକ୍ତବ୍ୟ ରଖିବା ବେଳେ ଶ୍ରୋତାମାନେ ତଲ୍ଲୀନ ହୋଇ ଶୁଣୁଥିଲେ। ସ୍ୱାଧୀନତା ସଂଗ୍ରାମ, ମହାତ୍ମାଗାନ୍ଧୀଙ୍କର ମନୋଭାବ, ଗୋପାଳଙ୍କର ସଂଗ୍ରାମୀଙ୍କ ପ୍ରତି ସମ୍ମାନ, ଆମ ସମୟର କଥା ବଖାଣିଥିଲେ ଗୋପାଳ ଗାନ୍ଧୀ।

ଭିଡ଼ିଓ ଦେଖନ୍ତୁ: କୁଣ୍ଡଳବାସୀଙ୍କର ଚମତ୍କାର ଅଭିବାଦନ ଗ୍ରହଣ କରିବା ପାଇଁ ଉଠି ଠିଆ ହୋଇଛନ୍ତି ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ।

ତାଙ୍କର ବକ୍ତବ୍ୟ ଶେଷ  ହେବା ମାତ୍ରେ ସମସ୍ତ ଶ୍ରୋତା ଉଠି ଠିଆ ହୋଇପଡ଼ିଥିଲେ ଏବଂ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ। ସେମାନେ ଠିଆ ହେବା ଦୀର୍ଘରୁ ଦୀର୍ଘତର ହେଲା, ଏପରି ଶ୍ରଦ୍ଧା ଓ ସମ୍ମାନର କଥା କଳ୍ପନା ବାହାରର। କୁଣ୍ଡଳ ଏହାର ବୀର ଓ ବୀରାମାନଙ୍କୁ ପ୍ରଣାମ ଜଣାଉଥିଲା। ସମସ୍ତଙ୍କ ଆଖିରେ ଲୁହ ଟଳମଳ ହେଉଥିଲା। ମୋ ଆଖିରୁ ମଧ୍ୟ ଲୁହ ଝରିଯାଉଥିଲା।  ଅନ୍ୟ ଅନେକଙ୍କ ସହିତ ମୁଁ ମଧ୍ୟ ଏହି ୯୦ ଦଶକରେ ପଦାର୍ପଣ କରିଥିବା ମହାନ୍ ବ୍ୟକ୍ତିତ୍ୱମାନଙ୍କୁ ଅଭିବାଦନ ଜଣାଇଥିଲି। ସାରା ସହରର ଏହି ଭକ୍ତିପୂତ ଅଭିବାଦନରେ ଏହି ମହାବୀରମାନେ ମଧ୍ୟ ଆନନ୍ଦରେ ଫାଟିପଡ଼ୁଥିଲେ, ଗର୍ବରେ ସେମାନଙ୍କ ଛାତି ଫୁଲି ଉଠୁଥିଲା। ଏହା ଥିଲା ତାଙ୍କର ଶେଷ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶେଷ ସମ୍ମାନ। ସେମାନଙ୍କର ଶେଷ ହୁରା।

PHOTO • Sinchita Maji ,  Samyukta Shastri

ସ୍ୱାଧୀନତା ସଂଗ୍ରାମୀଙ୍କୁ ପାଦ ଛୁଇଁ ପ୍ରଣାମ କରୁଛନ୍ତି ଶ୍ରୋତାବୃନ୍ଦ। କୁଣ୍ଡଳର କାର୍ଯ୍ୟକ୍ରମରେ ଡାହାଣ: ବରିଷ୍ଠ ଯୋଦ୍ଧା କ୍ୟାପଟେନ୍ ଭାଉ, ୯୫ ବର୍ଷ

ଫଟୋ: ନମିତା ୱାଇକର, ସଂଯୁକ୍ତା ଶାସ୍ତ୍ରୀ, ସିଞ୍ଚିତା ମାଜି

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath