ଏଠାରେ ସରକାରୀ ଅଧିକାରୀଙ୍କୁ ଛାଡି ସବୁ ଲୋକଙ୍କ ନାମ ଉଦ୍ଧୃତ ହୋଇଛି। କାରଣ ସରକାରୀ ଅଧିକାରୀମାନେ ତାଙ୍କ ନାମ ଗୋପନ ରଖିବାକୁ ଚାହିଁଛନ୍ତି। ସେଥିପାଇଁ ତାଙ୍କ ଗାଁ ନାଁ ମଧ୍ୟ ଦର୍ଶାଯାଇ ନାହିଁ। ଦୁଇଟି ଭାଗବେ ପ୍ରକାଶ ପାଇଥିବା ଏହି କାହାଣୀର ଏହା ଦ୍ୱିତୀୟ ଭାଗ। 

ଆମେ ଏକ ଟାକ୍ସିରେ ଯାଉଥିଲୁ। ଟାକ୍ସି ଚାଳକ ସୁନିଲ ସିଂ କହିଲେ, “ଏଠି କିଡା ଜଡି  ଜୀବନ ବଦଳାଇଦେଇଛି।” ୨୩ ବର୍ଷୀୟ ସୁନିଲ ସିଂ ଦୁଇ ବର୍ଷ ହେବ ଏହି ଗାଡ଼ି ଚଳାଉଛନ୍ତି। ଆପପାଖ ଗାଁର ଲୋକଙ୍କୁ ନେଇ ସେ ଧାରୁଚୁଲା ଯାଆନ୍ତି। କେହି ସ୍କୁଲ, କେହି କଲେଜ, କେହି ମାର୍କେଟ ଆଉ କିଏ ଡାକ୍ତରଖାନା ଯାଆନ୍ତି। ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାରେ ଅବସ୍ଥିତି ଧାରୁଚୁଲା ବ୍ଳକ ଭାରତ-ନେପାଳ ସୀମାଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ। 

ସୁନିଲ ଏହି ବୋଲେରୋଟି ୩.୫ ଲକ୍ଷ ଟଙ୍କାରେ କିଣିଛନ୍ତି। କିଡ଼ା ଜଡ଼ି ବିକ୍ରୀ କରି ସେ କିଛି ପଇସା ରଖିଥିଲେ। ଆଉ କିଛି ବ୍ୟାଙ୍କ ଋଣ କରି ଗାଡ଼ି କିଣିଛନ୍ତି। ସେ ଆଠ ବର୍ଷ ବୟସରୁ ପରିବାର ଲୋକଙ୍କ ସହ ଏହି ଛତୁ ସଂଗ୍ରହ କରିବାକୁ ଯାଉଛନ୍ତି। ସେହି ଟଙ୍କାରେ ସେ ଋଣ ପରିଷେଧ କରୁଛନ୍ତି।  

ତିବ୍ବତୀୟ ପର୍ବତର ପ୍ରାୟ ୩,୫୦୦ ରୁ ୫,୦୦୦ ମିଟର ଉପରେ ଥିବା ଏକ ସମତଳ ଘାସୁଆ ଅଞ୍ଚଳରେ ଏହି କ୍ୟାଟରପିଲାର ଛତୁ ବା କିଡା ଜଡି ଉତ୍ପନ୍ନ ହୋଇଥାଏ। ଏହାର କାମୋଦ୍ଦୀପକ ଗୁଣ ଯୋଗୁଁ ଏହା ହିମାଲୟନ ଭାଏଗ୍ରା ଭାବେ ବେଶ ଜଣାଶୁଣା। ଚୀନ୍‌‌ରେ ମଧ୍ୟ ଏଥିରୁ ପାରମ୍ପରିକ ଔଷଦ ପ୍ରସ୍ତୁତ ହୋଇଥାଏ। ସେଠାରେ ଏହି ଛତୁକୁ ୟର୍ସଗୁମ୍ବ କୁହନ୍ତି। ଭଲ ମାନର ଛତୁ ହୋଇଥିଲେ ବେଳେବେଳେ କିଲୋପ୍ରତି ୧୨ ଲକ୍ଷ ଟଙ୍କାରେ ବେଆଇନ ସୀମାପାର ବିକ୍ରୀ ହୋଇଥାଏ। ସଂଗୃହିତ ହେଉଥିବା ଅଧିକାଂଶ ଛତୁ ପ୍ରାୟ ଉତ୍ତରାଖଣ୍ଡରେ ବିକ୍ରୀ କରାଯାଏ। ଏସବୁ ନେପାଳ ଏବଂ ଚୀନ୍‌କୁ ଚୋରା ଚାଲାଣ ହୁଏ। 

ଉତ୍ତରାଖଣ୍ଡର ସୀମାନ୍ତରେ ଥିବା ଉଚ୍ଚ ପାର୍ବତ୍ୟାଞ୍ଚଳ ଜିଲ୍ଲା ପିଥୋରଗଡ଼ ଏବଂ ଚାମୋଲିରେ ଏହି ଛତୁ ଦେଖିବାକୁ ମିଳେ। ମେ ମାସ ଆରମ୍ଭରୁ ମୌସୁମୀ ଆସିବା ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ମଧ୍ୟଭାଗ କିମ୍ବା ଶେଷ ପର୍ଯ୍ୟନ୍ତ ଏହି ଛତୁ ଫୁଟିଥାଏ। ଏହି ସମୟରେ ପର୍ବତ ଉପରେ ଥିବା ସମତଳ ଅଞ୍ଚଳରେ ପୂରା ପରିବାର ତମ୍ବୁଟାଣି ରହନ୍ତି ଏବଂ ଛତୁ ସଂଗ୍ରହ ପାଇଁ କଠିନ ପରିଶ୍ରମ କରନ୍ତି। (ଦେଖନ୍ତୁ ଗୋଟିଏ କବକ ପିଥୋରଗଡ଼ରେ ପରିବାର ଚଳେଇବା ପାଇଁ ଅର୍ଥ ଯୋଗାଉଛି)

The alpine meadows of Satper in Pithoragarh district of Uttarakhand
PHOTO • Arpita Chakrabarty
Caterpillar fungus – the collection of keeda jadi of Gopal Singh. He says he spends his all-year round household expenses on earnings of keeda jadi
PHOTO • Arpita Chakrabarty

ଅନେକ ଗାଁର ଲୋକ ପର୍ବତ ଉପରେ ଥିବା ସମତଳ ଭୂମିରେ ମେ ଏବଂ ଜୁନ୍ ମାସ କାଟନ୍ତି (ବାମ) , ଛତୁ ସଂଗ୍ରହ କରନ୍ତି (ଦକ୍ଷିଣ) ପୂରା ବର୍ଷକର ଖର୍ଚ୍ଚ ପାଇଁ ଏଥିରୁ ରୋଜଗାର ହୋଇଥାଏ

ସେମାନେ ପହୁ ପରିମାଣର ଛତୁ ଧରି ଫେରନ୍ତି। ବର୍ଷର ଅଧିକାଂଶ ଭାଗ ପାଇଁ ଏହା ପୂରା ପରିବାରର ଖର୍ଚ୍ଚ ତୁଲାଇଥାଏ। ସୁନିଲଙ୍କ ଗାଁର ପାର୍ବତୀ ଦେବୀ କହନ୍ତି, “ଆପଣ କେତୋଟି କିଡା ଜଡି ସଂଗ୍ରହ କଲେ ତାହା ଉପରେ ଆପଣଙ୍କ ରୋଜଗାର ନିର୍ଭର କରୁଛି। କିଛି ପରିବାର ପାଇଁ ଏଥିରୁ ପୂରା ବର୍ଷର ଆୟ ମିଳିଯାଏ। ଏହି ବ୍ୟବସାୟ ବିପଦପୂର୍ଣ୍ଣ ଏବଂ ଲାଭ ଦାୟକ। ଏପରିକି କଲେଜ ଡିଗ୍ରୀଧାରୀ ଶିକ୍ଷିତ ବେକାରମାନେ ମଧ୍ୟ ଏଠି କାମ କରନ୍ତି। ତେଣୁ ସମସ୍ତେ ଏହି କାମରେ ଲାଗିପଡ଼ନ୍ତି।”  

ଛତୁ କିଣିବା ପାଇଁ ଡିଲର ବା ଏଜେଣ୍ଟମାନେ ପ୍ରାୟ ସେପ୍ଟେମ୍ବର-ଅକ୍ଟୋବର ମାସରେ ପହଞ୍ଚିଯାଆନ୍ତି। ଛତୁ ସଂଗ୍ରହ କରିବା ପରେ ପର୍ବତ ଉପରେ ଲମ୍ବା ବାଟ ଅତିକ୍ରମ କରି ସୀମା ପାର ହୁଅନ୍ତି। ଛତୁ ସଂଗ୍ରହ କରୁଥିବା ଅନିଲ ସିଂ କହିଲେ, “ଆମେ ଛତୁ ସଂଗ୍ରହ କରି ଫେରିବା ପରେ ଏହାକୁ ଶୁଖାଇ, ପରିଷ୍କାର କରି ଏମାନେ ଆସିବା ପର୍ଯ୍ୟନ୍ତ ଯତ୍ନର ସହ ସାଇତି ରଖୁ। ଚାଷ କିମ୍ବା ଅନ୍ୟ କୌଣସି ଧନ୍ଦା ନକରି କିଡା ଜଡ଼ି ରୋଜଗାରରେ ଆ​‌ମେ ପୂରା ବର୍ଷକ ଯାକ ଚଳିଥାଉ। ଆମ ପାଇଁ ଏହା ସୁନାଠାରୁ ବେଶୀ ମୂଲ୍ୟବାନ। ” 

ଏହି ଲାଭ ଦାୟକ ଛତୁ ଆବିଷ୍କାର କରିବା ପୂର୍ବରୁ ଏଠାକାର ଲୋକେ ଚାଷ ଏବଂ ଦିନ ମଜୁରୀ ଉପରେ ନିର୍ଭର କରୁଥିଲେ। କେହିକେହି ମେଣ୍ଢା ଚରାଉଥିଲେ। କିନ୍ତୁ ଏଭଳି ଏକ ପାହାଡ଼ିଆ ଅଞ୍ଚଳରେ ଚାଷ ଏକ ବିକଳ୍ପ ନୁହେଁ। ଭାନୁ ସିଂ କହିଲେ, “ଏଠାକାର ଜମି ଉର୍ବର ନୁହେଁ। ଆମେ ପ୍ରାୟ ରାଜ୍‌ମା ଏବଂ ଆଳୁ ଚାଷ କରିଥାଉ। କ୍ୱଚିତ ଭଲ ଅମଳ ହୋଇଥାଏ। ଭଲ ଅମଳ ହେଲେ ସେଥିରୁ ଆମେ କିଛିଟା ବିକ୍ରି କରିଥାଉ। ବାକିତକ ନିଜ ପାଇଁ ସାଇତି ରଖୁ। ଅନ୍ୟ ବିକଳ୍ପଟି ହେଉଛି ମନରେଗା କାର୍ଯ୍ୟରେ ଶ୍ରମିକ ଭାବେ କାମ କରିବା। କିନ୍ତୁ କିଡା ଜଡି ସଂଗ୍ରହ କରିବା ଭଳି ଏହା ଲାଭଦାୟକ ନୁହେଁ। ” 

କାମ ପାଇଁ କେହିକେହି ବାହାରକୁ ମଧ୍ୟ ପଳାନ୍ତି। ପୂର୍ବରୁ କାମ ପାଇଁ ଯେଉଁମାନେ ସହର ମୁହାଁ ହେଉଥିଲେ ସେମାନେ ଏବେ ଛତୁ ପାଇଁ ହିମାଳୟ ପର୍ବତମୁହାଁ। 

Keeda-jadi has transformed villages around Dharchula. New houses and shops have sprouted around
PHOTO • Arpita Chakrabarty

ସୁନୀଲ ସିଂ କହିଲେ, ‘କିଡା ଜଡି ଏଠି ଜୀବନକୁ ବଦଳାଇ ଦେଇଛି।’ ଏହି ଗାଁର ଚିତ୍ର ବଦଳାଇ ଦେଇଛି ଛତୁ ବ୍ୟବସାୟ। ପୂରା ଗାଁରେ ଏହାର ଝଲକ ଦେଖିବାକୁ ମିଳେ

ବର୍ଷର ଅନ୍ୟ ସମୟରେ ରୋଜଗାର ପାଇଁ ସୁନିଲଙ୍କ ଭଳି ଯୁବକମାନେ ଟ୍ୟାକ୍ସି କିଣିଛନ୍ତି। ସେ କହନ୍ତି, “ଏହି ସିଜିନ୍‌ରେ ମାତ୍ର ୧୬ ଦିନ ପାଇଁ ମୁଁ ଜଙ୍ଗଲକୁ ଯାଏ ଏବଂ ୩୦୦ଟି ଛତୁ ସଂଗ୍ରହ କରେ। ଏହାର ଦାମ୍ ପ୍ରାୟ ୪୫,୦୦୦ଟଙ୍କା।” ଆମ ସହ ଟ୍ୟାକ୍ସିରେ ଯାତ୍ରା କରୁଥିବା ତାଙ୍କ ସାଙ୍ଗ ମନୁ ସିଂ ଟିକେ ମୁରୁକି ହସି କହିଲେ, “ ମୁଁ ୫୦୦ଟି ସଂଗ୍ରହ କରେ। ଅତି କମ୍​‌ରେ ଏଥିରୁ ୭୫,୦୦୦ ଟଙ୍କା ରୋଜଗାର କରିବା ମୋର ଲକ୍ଷ୍ୟ। ” 

ସୁନିଲଙ୍କ ଗାଁର ଚିତ୍ର ବଦଳାଇ ଦେଇଛି ଛତୁ ବେପାର। ପୂରା ଗାଁରେ ବିକାଶର ଚିତ୍ର। ପାହାଡ଼ ପାଖ ଅଞ୍ଚଳରେ ଏବେ ଘର ଏବଂ ଦୋକାନ ବସିଲାଣି। ଅନେକ ଲୋକଙ୍କ ହାତରେ ନେପାଳୀ ସିମ୍ କାର୍ଡ ଥିବା ସ୍ମାର୍ଟ ଫୋନ୍। ଭାରତର ମୋବାଇଲ ନେଟୱାର୍କ ଏଠାରେ ପ୍ରାୟ କାମ କରେ ନାହିଁ। ୧୪ ବର୍ଷୀୟ ମନୋଜ ଥାପ୍ପା କହିଲେ, “ କିଡା ଜଡି ଆମ ପରିବାରର ରୋଜଗାରକୁ ବହୁଗୁଣିତ କରିଛି ଏବଂ ଆର୍ଥିକ ସ୍ଥିତି ବଦଳାଇ ଦେଇଛି। ବର୍ତ୍ତମାନ ଆମେ ଭଲ ଖାଦ୍ୟ ଖାଇପାରୁଛୁ। ଡେରାଡୁନ ଏବଂ ଦିଲ୍ଲୀରେ ପାଠ ପଢିବା ଏବଂ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରୁଛୁ। ” ୨୦୧୭ରେ ସେ ଏକୁଟିଆ ୪୫୦ଟି ଛତୁ ସଂଗ୍ରହ କରିଥିଲେ। 

ମୋତେ କେତେଜଣ କହିଛନ୍ତି ଯେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଏହି ଗାଁର କିଛି ପିଲା ଡେରାଡୁନରେ କୋଚିଙ୍ଗ ନେଉଛନ୍ତି। କୋଚିଂ ଫି ପାଇଁ ଏହି କିଡା ଜଡି ହିଁ ଅର୍ଥ ଯୋଗାଇଛି। ଏହି ଅଞ୍ଚଳର ଅଧକାଂଶ ପରିବାର ଅନୁସୂଚିତ ଜନଜାତି ବର୍ଗର। ଏମାନଙ୍କ ମଧ୍ୟରୁ ଅନେକଙ୍କର ସିଭିଲ ସର୍ଭିସ ସ୍ୱପ୍ନ ରହିଛି। ଆସନ ସଂରକ୍ଷଣ ଏଥିପାଇଁ କେତେକାଂଶରେ ଆଶା ସୃଷ୍ଟି କରିଛି। କିନ୍ତୁ କିଡା ଜଡି ମିଳୁଥିବା ପର୍ଯ୍ୟନ୍ତ ଏହି ସ୍ୱପ୍ନ ପୂରଣ ପାଇଁ ଏମାନେ ଖର୍ଚ୍ଚ କରିପାରିବେ। 

ଜୁନ ୨୦୧୩ରେ ବରଫ ତରଳିବା ଯୋଗୁ ଭୟଂକର ବନ୍ୟା ଆସିଥିଲା। ସବୁ ଚାଷ ଜମି ନଷ୍ଟ ହୋଇଗଲା। କିନ୍ତୁ ଏହି ଛତୁ ପଇସା ହିଁ ଗାଁ ଲୋକଙ୍କୁ ପୁଣି ଥରେ ଛିଡ଼ା କରାଇଥିଲା। କିଡା ଜଡି ଟଙ୍କାରେ ଏହି ଗାଁର ଭାନୁ ସିଂ ୨୦୧୬ରେ ତାଙ୍କ ବଡ଼ ଭାଇର ବାହାଘର ଧୁମଧାମରେ କରିଥିଲେ। ତାଙ୍କ କହିବା ଅନୁସାରେ କିଡା ଜଡି ଟଙ୍କାରେ ହିଁ ଏହା ସମ୍ଭବ ହୋଇ ପାରିଛି। ଏହି ଟଙ୍କାରେ ସେ ଭଲ ତିନି ବଖୁରିଆ ଘର ଖଣ୍ଡେ ବି କରିପାରିଛନ୍ତି।

ଯେତେବେଳେ ଅନେକ ପରିବାର ଗୋଟିଏ ସ୍ଥାନରେ ଏହି ଛତୁ ସଂଧାନ କଲେ, ସେତେବେଳ ସବୁ ପରିବାରର ସଂଗ୍ରହ କମିଲା। କିନ୍ତୁ ଆମ ଭିତରେ ମାଡ଼ପିଟ ନେଇ ଆମେ ପୋଲିସରେ ଅଭିଯୋଗ କରିନୁ, କାରଣ ଜେଲ ଯିବାକୁ ପଡ଼ିଥାନ୍ତା

ଭିଡିଓ ଦେଖନ୍ତୁ : ‘ଯଦି ଲୋକଙ୍କ ପାଖରେ କାମ ଥାନ୍ତା, ସେମାନେ କିଡା ଜଡି ପଛରେ ପଡି ନଥାନ୍ତେ'

କିନ୍ତୁ ଏସବୁ ଉତ୍ସାହାର ଆଉ ଏକ ବିପରୀତ ଦିଗ ରହିଛି। ଗତ କିଛି ବର୍ଷ ମଧ୍ୟରେ ଏହାକୁ ନେଇ ଗାଁ ଗାଁ ଭିତରେ ହିଂସା ଏବଂ ବିବାଦ ସୃଷ୍ଟି ହୋଇଛି। ସତପାର ଭଳି ଚାରଣ ଭୂମିକୁ ନେଇ ଏହି ବିବାଦ ତେଜିଛି। ଲାଲ ସିଂ କହିଲେ, “ହାଲଦୱାନୀ ଏବଂ ଲାଲକୁଆଁ ଭଳି ଗାଁର ଅନେକ ପରିବାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିଡ଼ା ଜଡ଼ି ଖୋଜନ୍ତି। ତେଣୁ ସମସ୍ତଙ୍କର ସଂଗ୍ରହ କମେ। ଫଳରେ ଜାଗା ପାଇଁ ପରସ୍ପର ଭିତରେ ଲଢେଇ ହୁଏ। ”   

ଭାନୁ ସିଂ କହିଲେ, “ ଯେତେବେଳେ ଅନେକ ପରିବାର ଗୋଟିଏ ଅଞ୍ଚଳରେ ଏକାଠି ହୁଅନ୍ତି ସେତେବେଳେ ସମସ୍ତଙ୍କ ସଂଗ୍ରହ କମିଯାଏ। କିନ୍ତୁ ଆମ ଭିତରେ ସଂଘର୍ଷକୁ ନେଇ ଆମେ ପୋଲିସ ପାଖରେ କେବେ ପହଞ୍ଚି ନାହୁଁ, କାରଣ ଜେଲ ଯିବାକୁ ପଡ଼ିଥାନ୍ତା। ଗତବର୍ଷ ସତପାର ଅଞ୍ଚଳରୁ ଭାନୁ ସିଂ ଏବଂ ତାଙ୍କ ପରିବାର ଲୋକ ୧,୪୦୦ଟି ଛତୁ ସଂଗ୍ରହ କରିଥିଲେ। ସେଗୁଡ଼ିକୁ ପୁରୁଣା କାଚ ଜାର୍‌ରେ ଭର୍ତ୍ତି କରି ଘରକୁ ଆଣିଥିଲେ। ଅତି କମ୍‌ରେ ଏହା ୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।  

୧୯୯୩ ମସିହାରେ ୟର୍ସଗମ୍ବାର ଚାହିଦା ବଢିଥିଲା ଯେତେବେଳେ ବେଜିଂ ଜାତୀୟ କ୍ରୀଡାରେ ଚାଇନିଜ୍ ଆଥଲେଟମାନେ ୫ଟି ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ସେମାନେ ଏହି ଛତୁରୁ ପ୍ରସ୍ତୁତ ହେଉଥିବା ଏକ ଟନିକ୍ ଖାଉଥିଲେ। ୧୯୯୯ରେ ଚୀନ୍ ଏହି ଛତୁକୁ ଏକ ବିପଦପୂର୍ଣ୍ଣ ପ୍ରଜାତିର ବୋଲି ଘୋଷଣା କଲା। ଏହା ପରେ ପରେ ଭାରତରୁ ଏହାର ଚୋରା ଚାଲାଣ ବୃଦ୍ଧି ପାଇଲା। ୪୧ ବର୍ଷୀୟ କୃଷ୍ଣ ସିଂ କହିଲେ, “ ୨୦୦୦ ବେଳକୁ ଆମେ ଦେଖିଲୁ ତିବ୍ବତୀୟ ଖାମ୍ପସମାନେ ଭାରତ ପଟରେ ଏହି ଛତୁ ଖୋଜିବାକୁ ଲାଗିଲେ। ସେମାନେ କହନ୍ତି, ତିବ୍ବତ ଅଞ୍ଚଳରେ ଏହା କ୍ୱଚିତ ଦେଖିବାକୁ ମିଳେ। ସେମାନେ ଭାରତ ସୀମା ଭିତରେ ଏହି ଛତୁ ଖୋଜିଲେ ଏବଂ ଏଥିରେ ସହଯୋଗ କରିବାକୁ ଆମକୁ କହିଲେ। ” ସେତେବେଳକୁ କିଡ଼ା ଜଡ଼ିର ବଜାର ଦାମ ବଢିଯାଇଥିଲା। କିନ୍ତୁ ୨୦୦୭ ବେଳକୁ ବଜାର ଦାମ ଖୁବ୍ ଆକର୍ଷଣୀୟ ହୋଇଥିଲା। ଫଳରେ ଅନେକ ଲୋକ ଏଥିରେ ମାତିଗଲେ। 

କିନ୍ତୁ ପିଥୋରଗଡ଼ ଏବଂ ଚାମୋଲି ଜିଲ୍ଲାର ପ୍ରାୟ ୩୦୦ ଗରିବ ଗାଁର ଏହି ସୁବର୍ଣ୍ଣ ସନ୍ଧାନ ବୋଧହୁଏ ଧୀରେ ଧୀରେ ଫିକା ପଡ଼ିଆସୁଛି। କେତେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଜଳବାୟୁ ପରିବର୍ତ୍ତନ, ଏହି ଚାରଣ ଭୂମିରେ ବହୁ ମଣିଷଙ୍କ ପାଦ ପଡ଼ିବା ଏବଂ ଅତ୍ୟଧିକ ସଂଗ୍ରହ ଫଳରେ ଧୀରେଧୀରେ ଛତୁ ଫୁଟିବା କମିଗଲାଣି। ଗତ ତିନି ଦଶନ୍ଧି ମଧ୍ୟରେ ଏହା ୧୦-୩୦ ପ୍ରତିଶତ କମିଯାଇଥିବା ଜଣାଯାଏ।

Inside the tarpaulin camp of Gopal Singh. The rugs and blankets are carried up from his village. He has been living here for more than a month
PHOTO • Arpita Chakrabarty
The villagers warm themselves from the bonfire after cooking is done in the evening. Firewood is collected from the forest below the alpine meadows
PHOTO • Arpita Chakrabarty

ସପ୍ତାହ ସପ୍ତାହ ଧରି ବରଫ ତମ୍ବୁ ତଳେ ରହିବା ଏବଂ ପ୍ରତିଦିନ ସଂଗ୍ରହ କରିବା କଷ୍ଟସାଧ୍ୟ କାମ। ଭବିଷ୍ୟତ ପାଇଁ ଏହା ଏକ ସ୍ଥାୟୀ ବୃତ୍ତି ମଧ୍ୟ ନୁହେଁ

କିଡ଼ା ଜଡି ପାଇଁ ଖାମ୍ପସମାନେ ନୂଆ ଜାଗାର ସନ୍ଦାନ ଆରମ୍ଭ କଲେଣି। ଉତ୍ତରାଖଣ୍ଡର ଛତୁ ସଂଗ୍ରହକାରୀମାନେ ମଧ୍ୟ ନୂଆ ଜାଗା ତଲାସ କରୁଛନ୍ତି। ଗାଁ ଲୋକ କହନ୍ତି ଆହୁରି ଉଚ୍ଚ ସ୍ଥାନରେ ଏହି ଛତୁ ମିଳିବ। କିଛି ବର୍ଷ ପୂର୍ବରୁ ତଳୁଆ ଚଞ୍ଚଳରେ ମିଳୁଥିଲା। ଲାଲ ସିଂ କହିଲେ, “୧୦ ବର୍ଷ ପୂର୍ବରୁ ଯେତିକି ମିଳୁଥିଲା, ଏବେ ସେତିକି ମିଳୁନି। ଏବେ ଯେଉଁଠୁ ସଂଗ୍ରହ କରୁଛୁ କିଛି ବର୍ଷ ପରେ ହୁଏତ ସେଠି ଆଉ ମିଳି ନପାରେ। ଆମକୁ ଆହୁରି ଉପରକୁ ଉପରକୁ ଯିବାକୁ ପଡ଼ିବ।” 

ଉତ୍ତରାଖଣ୍ଡ ସରକାର ଏହି ବ୍ୟବସାୟକୁ ନିୟନ୍ତ୍ରିତ କରିବା ସହ ଅତ୍ୟଧିକ ସଂଗ୍ରହ ଉପରେ ରୋକ ଲଗାଇବାକୁ ଚାହୁଁଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟ ବନ ସଂରକ୍ଷକ ରଞ୍ଜନ ମିଶ୍ର କହିଲେ, “ଆମେ କେନ୍ଦ୍ରକୁ ଏକ ନୂଆ ପ୍ରସ୍ତାବ ଦେଇଛୁ। ଏହି ଛତୁ ସଂଗ୍ରହ କରିବା ଏବଂ ବିକ୍ରୀ କରିବା ଉପରେ ରୋକ ଲଗାଇ ହେବ ନାହିଁ। କେବଳ ଭଲ ଯୋଜନା ପ୍ରସ୍ତୁତ କରି ଏହାକୁ ନିୟନ୍ତ୍ରିତ କରିହେବ। ଏଥିରେ ଉଭୟ ଲୋକ ଏବଂ ସରକାର ଲାଭବାନ ହେବେ।” 

ମିଶ୍ର କହିଲେ, “ନୂଆ ଯୋଜନା ଅନୁଯାୟୀ ବନ ପଞ୍ଚାୟତ ଗଠନ ହେବ ଏବଂ ପ୍ରତି ଲୋକ ନିଜର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ଦେଇ ନିଜର ନାମ ପଞ୍ଜିକରଣ କରିବେ। କେତେ ଦିନ ଛତୁ ସଂଗ୍ରହ କରୁଛନ୍ତି ଏବଂ କେତେ ଛତୁ ସଂଗ୍ରହ କରୁଛନ୍ତି ତାହା ଜଣାଇବେ। କେଉଁ ବନାଞ୍ଚଳରୁ ସଂଗ୍ରହ କରୁଛନ୍ତି ତାହା ମଧ୍ୟ ଜଣାଇବେ। ପ୍ରତି ୧୦୦ ଗ୍ରାମ ଛତୁ ପାଇଁ ବନ ବିଭାଗକୁ ୧,୦୦୦ ଟଙ୍କା ରୟାଲଟି ଦେବାକୁ ପଡ଼ିବ। ବନ ପଞ୍ଚାୟତ ବା ଅନ୍ୟ କୌଣସି ତୃତୀୟ ପକ୍ଷଙ୍କୁ ସଂଗ୍ରହକାରୀ ବିକ୍ରି କରିପାରିବେ। ଏହି ବିକ୍ରୀ ବୈଧ ହେବ। ଉଚ୍ଚ ପାହାଡ଼ି ସମତଳ ଅଞ୍ଚଳଗୁଡ଼ିକର ପର୍ଯ୍ୟାବରଣ ପରିବର୍ତ୍ତନଶୀଳ। ତେଣୁ ଯେତେବେଳେ ଏହି ଯୋଜନା କାର୍ଯ୍ୟକାରୀ ହେବ, ରାଜ୍ୟରେ କେତେ ଛତୁ ଉତ୍ପନ୍ନ ହେଉଛି ଏବଂ ସେହି ଅଞ୍ଚଳରେ କଣ ଘଟୁଛି ତାହା ଜଣାପଡ଼ିବ।” 

ଏହା ଭିତରେ ଏହି ଛତୁର ଚାହିଦା ବଢିବା ଏବଂ ସଂଗ୍ରହ କମିବା ଫଳରେ ଏହାର ଦାମ ପୂର୍ବ ଅପେକ୍ଷା ବହୁଗୁଣିତ ହୋଇଯାଇଛି। ଏହା କେବଳ ଛତୁ ସଂଗ୍ରହକାରୀଙ୍କ ଆକର୍ଷଣ ବଢାଇ ଚାଲିଛି। 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty