କବଲା ଶ୍ରୀଦେବୀ କହିଲେ, “ମୁଁ ପ୍ରାର୍ଥନା କରୁଛି ଶୀଘ୍ର ଏ ରାତିର ଏ ରତିର ସମାପ୍ତି ଘଟୁ। ଗାଁରେ କେହି ନାହାନ୍ତି, ତେଣୁ ଚାରିଆଡ଼େ ସାପ ବୁଲୁଛନ୍ତି।” ମେ ୨୦୧୬ରେ ସରକାର ବିଜୁଳି ସଂଯୋଗ କାଟି ଦେବା ପରେ ଚାରିଆଡ଼େ ଅନ୍ଧାର। ଏହି ଅନ୍ଧାର ଭିତରେ ତାଙ୍କ ପରିବାର ରାତି କାଟୁଥିଲେ।

ପିଡ଼ିପକା ଗାଁରେ ଶ୍ରୀଦେବୀଙ୍କ ପରିବାର ସହ ଆଉ ୧୦ଟି ପରିବାର ରହି ଯାଇଥିଲେ। ଠିକ ଗୋଦବରୀ ନଦୀର ଦକ୍ଷିଣ ପାର୍ଶ୍ୱକୁ ଥିବା ପଶ୍ଚିମ ଗୋଦାବୀ ଜିଲ୍ଲାର ପୋଲାଭରମ ମଣ୍ଡଳ ଭିତରେ ଏହି ଗାଁର ଅବସ୍ଥିତି। ପ୍ରାୟ ୪୨୯ ଟି ଅନ୍ୟ ପରିବାରଙ୍କୁ ୨୦୧୬ ଜୁନରେ ଗାଁ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା, ଯେତେବେଳେ ଜଳସେଚନ ପ୍ରକଳ୍ପ ପାଇଁ ସରକାର ଜମି ଅଧିଗ୍ରହଣ କଲେ। ୨୦୦୪ ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଥିଲା, ଯଦିଓ ବର୍ତ୍ତମାନ ପ୍ରକଳ୍ପର ୬୦ ପ୍ରତିଶତ କାମ ସରିଛି। ସରକାରଙ୍କ ଜଳଯଜ୍ଞ ନାମକ ବିଶାଳ ଯୋଜନାର ଏହା ଏକ ଅଂଶ ବିଶେଷ।

ଶ୍ରୀଦେବୀ କହିଲେ, ବିଜୁଳି କାଟି ଦେବାର ଗୋଟିଏ ମାସ ପରେ ପାଣି ଯୋଗାଣ ମଧ୍ୟ କାଟି ଦେଲେ। ବର୍ତ୍ତମାନ ସେମାନେ ପୋଲାଭରମ ସହରରୁ ପ୍ରତିଦିନ ୨୦ ଟଙ୍କା ଦେଇ ୨୦ଲିଟର ପାଣି କିଣୁଛନ୍ତି। ପୋଲାଭରମ ସହର ଏଠାରୁ ପ୍ରାୟ ୮ କିଲୋମିଟର ଦୂରରେ। ସ୍ୱାମୀ ସୂର୍ୟ୍ୟଚନ୍ଦ୍ରମ୍‌ଙ୍କ ସହ ସେ ତାଙ୍କ ଅଟୋରିକ୍ସାରେ ସେଠାକୁ ଯାଆନ୍ତି।   

କିଛି ଦିନ ପାଇଁ ତିନି ପିଲାଙ୍କ (ଉପରେ ଥିବା ମଲାଟର ଚିତ୍ର ଦେଖନ୍ତୁ)ସହ ଏହି ଦମ୍ପତି ଗୋପାଳପୁରମ ମଣ୍ଡଳରେ ଥିବା ହୁକମପେଟା ପୁନର୍ବାସ କଲୋନୀକୁ ଯାଇଥିଲେ। ଅନ୍ୟ ବହୁ ପରିବାର ସହ ଶ୍ରୀଦେବୀଙ୍କ ପରିବାର ଏଠାକୁ ଆସିଥିଲା। କିନ୍ତୁ ଗୋଟିଏ ମାସ ପରେ ସେମାନେ ପିଡିପକାକୁ ଫେରିଥିଲେ। ଲୁହକୁ ଚାପି ରଖି ଶ୍ରୀଦେବୀ କହିଲେ, “ ସରକାର ପ୍ରତିଶ୍ରୁତି ମୁତାବକ କାମ କରିବେ ବୋଲି ଆମର ଆଶା ଥିଲା। କିନ୍ତୁ ହତାଶ ହେବା ପରେ ଆମେ ପୁଣି ଫେରିଲୁ। "   

Houses demolished in Pydipaka in May – June 2016
PHOTO • Rahul Maganti

୨୦୧୬ରେ ପିଡିପକା ଗାଁର ବହୁ ପରିବାରଙ୍କୁ ବାଧ୍ୟ କରି ପୁନର୍ବାସ କଲୋନିକୁ ନିଆଯାଇଥିଲା। ସେମାନଙ୍କ ନିଜ ଘର ଭାଙ୍ଗି ଦିଆଗଲା। ଫଳରେ ସୋମନେ ଆଉ ଫେରି ପାରିଲେ ନାହିଁ। 

ସବୁ ପରିବାରମାନେ ଚାରିଟି କଲେନୀକୁ ଯାଇଥିଲେ। ଗୋଟିଏ କଲୋନି ପୋଲାଭରମ, ଗୋଟିଏ ହୁକୁମପେଟା ଏବଂ ଆଉ ଦୁଇଟି କଲୋନି ଜଙ୍ଗରେଡ୍ଡିଗୁଡେମ୍‌ରେ ସ୍ଥାପନା କରାଯାଉଥିଲା। ଏହି ସବୁ କଲୋନି ପିଡିପକା ଗାଁଠାରୁ ୧୦ରୁ ୬୫ କିଲୋମିଟର ମଧ୍ୟରେ ଅବସ୍ଥିତ। ସେମାନେ ସରକାରଙ୍କଠାରୁ ବହୁ ଆଶ୍ୱାସନା ପାଇଥିଲେ। ତାଙ୍କୁ କୁହାଯାଇଥିଲା ଯେ, ସେମାନେ ହରାଇଥିବା ଜମିର ସମାନ ପରିମାଣର ଜାଗା ପାଇବେ। ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଦୁଇ ଏକର ଜମି ଯୋଗାଇ ଦିଆଯିବ। ପ୍ରତି ପରିବାରରୁ ଜଣଙ୍କୁ ନିଯୁକ୍ତି, ସମସ୍ତଙ୍କୁ କୋଠା ଘର, ଏକକାଳୀନ ୬.୮ ଲକ୍ଷ ଟଙ୍କାର ଥଇଥାନ ରାଶି, ଘର ଏବଂ ଗଛ ବାବାଦକୁ କ୍ଷତିପୂରଣ ମିଳିବ। ପୁନଃସ୍ଥାପନ ଏବଂ ପୁନଃଥ‌ଇଥାନ ଆଇନ୍ ୨୦୧୩ ଅନୁସାରେ ଏସବୁ ମିଳିବା କଥା। କିନ୍ତୁ ଗାଁ ଲୋକଙ୍କ କହିବା କଥା ଜମି ଅଧିଗ୍ରହଣର ୨ବର୍ଷ ପରେ ବି ଏଥିରୁ କୌଣସି ଗୋଟିଏ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। (ପରବର୍ତ୍ତୀ କାହାଣୀରେ ଏ ସଂପର୍କରେ ଅଧିକ ତଥ୍ୟ ଉପସ୍ଥାପିତ ହୋଇଛି)

ଶ୍ରୀଦେବୀ ଏବଂ ସୂର୍ଯ୍ୟଚନ୍ଦ୍ରମ ଦଳିତ ଥିଲେ। ସେମାନେ ଭୂମିହୀନ ଥିଲେ। ପିଡ଼ିପକାରେ ସେମାନେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ପ୍ରତିଦିନ ୧୦୦ରୁ ୩୦୦ ଟଙ୍କା ରୋଜଗାର କରୁଥିଲେ। ବର୍ତ୍ତମାନ ଶ୍ରୀଦେବୀଙ୍କର କୌଣସି ରୋଜଗାର ନାହିଁ। ତାଙ୍କ ସ୍ୱାମୀ ପୋଲାଭରମ ସହରରେ ଅଟୋ ରିକ୍ସା ଚଳାଇ ଦିନକୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ଅଟୋ ରିକ୍ସା କିଣିବା ପାଇଁ ସେ ୩୬ ପ୍ରତିଶତ ସୁଧରେ ୧ଲକ୍ଷ ଟଙ୍କାର ଘରୋଇ ଋଣ କରିଛନ୍ତି।

ଦିନେ ଅପରାହ୍‌ଣରେ ତାଙ୍କ ଘରେ ପହଞ୍ଚିଥିଲି। ସେତେବେଳେ ଶ୍ରୀଦେବୀଙ୍କର ୩ ପିଲା ସ୍ମାଇଲି (୬ବର୍ଷ), ପ୍ରଶାନ୍ତ (୮ ବର୍ଷ) ଏବଂ ଭରତ (୧୦ ବର୍ଷ) ତାଙ୍କ ପୋଷା କୁକୁର ସ୍ନୋପି ସାଙ୍ଗରେ ଖେଳୁଥିଲେ। ପୋଲାଭରମ ପ୍ରକଳ୍ପ ତାଙ୍କ ଜୀବନକୁ କେମିତି ବଦଳାଇ ଦେଇଛି, ସେକଥା ସେମାନେ ଜାଣନ୍ତି ନାହିଁ। ଭରତ କହିଲା, “ଦି ବର୍ଷ ତଳେ ମୋର ଅନେକ ସାଙ୍ଗ ଥିଲେ। ସେମାନେ ସମସ୍ତେ ନୂଆ କଲୋନିକୁ ପଳାଇଛନ୍ତି। ” ସେ ଆଉ ତାର ଦୁଇ ଭାଇ ଭଉଣୀଙ୍କୁ ଛାଡିଲେ ଗାଁରେ ଆଉ କେହି ପିଲା ନାହାନ୍ତି। ଦୁଇ ବର୍ଷ ତଳେ ଗାଁ ସ୍କୁଲକୁ ଭାଙ୍ଗି ଦିଆଯାଇଥିଲା। ସେମାନେ ତା’ ପରଠାରୁ ଆଉ ସ୍କୁଲ ଯାଇ ନାହାନ୍ତି। ପୋଲାଭରମ ସହରରେ ପାଠ ପଢାଇବାକୁ ବାପାମାଆଙ୍କ ପାଖରେ ପଇସା ନାହିଁ ।

ଗାଁର ଅଧିକାଂଶ ଘରକୁ ଭାଙ୍ଗି ଦିଆଯାଇଛି। ତେଣୁ ପୁନର୍ବାସ କଲୋନି ଅନୁପଯୁକ୍ତ ବୋଲି ଜାଣିବା ପରେ ବି ସେମାନେ ଆଉ ଗାଁକୁ ଫେରି ପାରୁ ନାହାନ୍ତି। ଗାଁ ଶେଷ ମୁଣ୍ଡରେ ଥିବା ଦଳିତ ବସ୍ତିରେ ତାଙ୍କ ଘରଟି ଥିବାରୁ ସୌଭାଗ୍ୟବସତଃ ରହିଯାଇଛି।
Prashanth, Smiley and Bharath (Left to Right) in front of their house along with their pet, Snoopy
PHOTO • Rahul Maganti
The demolished school in Pydipaka
PHOTO • Rahul Maganti

କୁକୁର ସ୍ନୋପି ସହ ପ୍ରଶାନ୍ତ, ସ୍ମାଇଲି ଓ ଭରତ : ୨୦୧୬ରେ ପ୍ରକଳ୍ପ କର୍ତ୍ତୃପକ୍ଷ ସ୍କୁଲ ବିଲ୍ଡିଂ (ଡାହଣ) ଭାଙ୍ଗି ଦେବା ପରଠାରୁ ସେମାନେ ଆଉ ସ୍କୁଲ ଯାଇ ନାହାନ୍ତି। 

ପ୍ରକଳ୍ପ ଅଞ୍ଚଳର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ସାତଟି ଗାଁ ଭିତରୁ ପିଡିପକା ଗୋଟିଏ। ମୋଟ ଜନସଂଖ୍ୟା ପ୍ରାୟ ୫,୫୦୦। ୨୦୧୬ରେ ଏଠାରୁ ସମସ୍ତଙ୍କୁ ବଳ ପ୍ରୟୋଗ କରି ସ୍ଥାନାନ୍ତର କରାଯାଇଛି। ନିର୍ମାଣ କର୍ଯ୍ୟ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ସ୍ଥାନାନ୍ତର କରିଛନ୍ତି। ଉତ୍ତର ଗୋଦାବରୀ ତଟରେ ଥିବା ପୋଲାଭରମ ମଣ୍ଡଳର ଆଉ ୨୨ଟି ଗାଁ ଏବଂ ପଡ଼ାଗ୍ରାମରେ ପ୍ରାୟ ୧୫,୦୦୦ ଲୋକ ରହନ୍ତି। ସେମାନେ ମଧ୍ୟ ସ୍ଥାନାନ୍ତର ହେବେ। ସେସବୁ ଗାଁ ବି ବୁଡ଼ିଯିବ।

ଇନ୍ଦିରା ସାଗର ନାମରେ ଚାଲିଥିବା ଏହି ବହୁମୁଖୀ ପ୍ରକଳ୍ପ ୩ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବ ଏବଂ ଏହି ପ୍ରକଳ୍ପରୁ ୯୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବ। ଏହା ଛଡ଼ା ଏହି ପ୍ରଳ୍ପରୁ ୫୪୦ଟି ଗାଁକୁ ପାନୀୟ ଜଳ ଯୋଗାଣ ହେବ। ପରିବେଶ ମନ୍ତ୍ରାଳୟର ଏନଭିରନମେଣ୍ଟ ଇମ୍ପାକ୍ଟ ଆସେସେମେଣ୍ଟ ରିପୋର୍ଟରେ ଏହି ସଂଖ୍ୟା ଦର୍ଶାଯାଇଛି। ଯଦିଓ ଏହା ରାଜ୍ୟ ସରକାରଙ୍କ ମେ ୨୦୦୫, ଅର୍ଡର ୯୩ର ତଥ୍ୟ ଏବଂ ହାଇଦ୍ରାବାଦରେ ୨୦୦୫ ଡିସେମ୍ବରରେ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟଠାରୁ ଭିନ୍ନ।  

ପୋଲାଭରମ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଏହାର ନଅଟି ମଣ୍ଡଳରେ ଥିବା ନଦୀ ତଟର ଅତିକମ୍‌ରେ ୪୬୨ଟି ଗାଁ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ। ଏହି ସବୁ ଗାଁରେ କୋୟା ଏବଂ କୋଣ୍ଡାରେଡ୍ଡି ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି। ସମ୍ବିଧାନର ପଞ୍ଚମ ପରିଛେଦରେ ଏମାନଙ୍କୁ ଜମି, ଜଙ୍ଗଲ ଏବଂ ସାଂସ୍କୃତିକ ଅଧିକାରର ସୁରକ୍ଷା ଦିଆଯାଇଛି।  

୧୦, ୦୦୦ ଏକର ପରିମିତ ଜଂଗଲ ଜମି ଏବଂ ୧୨୧,୯୭୫ ଏକର ଅଣଜଙ୍ଗଲ ଜମିରୁ ପ୍ରାୟ ୧.୫ ଲକ୍ଷ ଆଦିବାସୀ, ୫୦,୦୦୦ ଦଳିତ ବର୍ଗର ଲୋକଙ୍କ ସମେତ ୩୦୦,୦୦୦ରୁ ଅଧିକ ଲୋକ ସ୍ଥାନାନ୍ତର ହେବେ। ପରିବେଶ ମନ୍ତ୍ରାଳୟରୁ ସୂଚନା ଅଧିକାର ଆଇନ ବଳରେ ମୋତେ ମିଳିଥିବା ତଥ୍ୟରୁ ଏହା ଜଣାଯାଏ। ଆଉ ୭୫,୦୦୦ ଏକର ଜମି କେନାଲ, ବଣ୍ଟନ, ଟାଉନସିପି ଏବଂ ଗ୍ରୀନ ବେଲ୍ଟ ପାଇଁ ଅଧିଗ୍ରହଣ ହୋଇଛି। 

A view of River Godavari from the verandah of Sridevi’s house
PHOTO • Rahul Maganti
Houses demolished in Pydipaka in May – June 2016
PHOTO • Rahul Maganti

ଦଳିତ ବସ୍ତିରେ ଥିବା କବଳା ଶ୍ରୀଦେବୀଙ୍କ ଘର ଆଗରେ ପ୍ରବାହିତ ଗୋଦାବରୀ ନଦୀ, ପିଡିପକା (ଡାହାଣ) ଗାଁର ଅନ୍ୟ ଘରଗୁଡିକ ପରି ଏ ଘରଟି ଭାଙ୍ଗି ନାହିଁ। 

ଗ୍ରାମବାସୀ କହନ୍ତି, ଏହି ବିଶାଳ ସ୍ଥାନାନ୍ତର ସତ୍ତେ୍ବ ଏଠାରେ ଏଲଏଆରଆର ଆଇନ୍ କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ଶ୍ରୀଦେବୀଙ୍କ ପରିବାର ସମେତ ଆଉ ୧୦ଟି ପରିବାର ଏହି ଜାଗା ଛାଡିବାକୁ ମନା କରିଦେଇଛନ୍ତି। ତେଣୁ ଦଳିତମାନଙ୍କୁ ଯଦି ବଳ ପ୍ରୟୋଗ କରି ସ୍ଥାନାନ୍ତର କରାଯାଏ, ସେମାନଙ୍କ ପାଇଁ ଆଇନରେ କଣ ବ୍ୟବସ୍ଥା ରହିଛି ତାହା ସେମାନେ ଜାଣିବାକୁ ଆବେଦନ କରିବେ।

ଗାଁକୁ ଫେରି ଆସିଥିବା କେତୋଟି ପରିବାର ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ଫେରି ପାରି ନଥିବା ଅନ୍ୟ ପରିବାରଗୁଡିକ ମଧ୍ୟ ଜୋରଦାର ପ୍ରତିବାଦ କରିଛନ୍ତି। ଗାଁ ଲୋକ କହନ୍ତି, ପ୍ରତିବାଦ କରୁଥିବା ପରିବାରଗୁଡ଼ିକ ଉପରେ ରାଜସ୍ୱ ଏବଂ ପୋଲିସ ବିଭାଗ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି। ୨୦୧୬ରେ ବିଜୁଳି ଏବଂ ଜଳ ଯୋଗାଣ କାଟିଦେବା ପରେ ରାସ୍ତା ସଂଯୋଗ ମଧ୍ୟ କାଟି ​‌​‌ଦେଇଥିଲେ। ପିଡିପକାକୁ ଯାଇଥିବା ରାସ୍ତାରେ ବାଲି ଏବଂ କାଦୁଅ ଗଦା କରିବାକୁ ଶ୍ରମିକମାନଙ୍କୁ ନିର୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି। ଶ୍ରୀଦେବୀ କହନ୍ତି, “ଆମକୁ ଆଣ୍ଠୁଏ କାଦୁଅ ଭିତରେ ପଶି ଗାଁକୁ ଯିବାଆସିବା କରିବାକୁ ପଡ଼େ”।  

ପିଡିପକାକୁ ଫେରିଥିବା ଆଉ ଜଣେ ଗ୍ରାମବାସୀ ୪୨ ବର୍ଷୀୟ ବୋଟ୍ଟା ତ୍ରିମୁର୍ଥୁଲା କହାନ୍ତି, ପ୍ରତିବାଦ ପାଇଁ ତାଙ୍କୁ ଅନେକ ନିର୍ଯାତନା ସହିବାକୁ ପଡ଼ିଛି। ୨୦୧୬ ମସିହା ଜୁନ୍ ୩୦ରେ ତାଙ୍କ ୨.୫ ଏକରବିଶିଷ୍ଟ କଦଳୀ ବଗିଚାରେ ପ୍ରକଳ୍ପ ଶ୍ରମିକମାନେ ପଥର, ବାଲି ଏବଂ କାଦୁଅ ଗଦା କରି ଦେଇଥିଲେ। ଅମଳ ହେବା ସମୟରେ ଏଭଳି କରାଯାଇଥିଲା। ତେଣୁ ମଣ୍ଡଳ ରାଜସ୍ୱ ଅଧିକାରୀଙ୍କୁ ଆଉ ଗୋଟିଏ ମାସ ଅପେକ୍ଷା କରିବାକୁ ସେ ଗୁହାରି କରିଥିଲେ ...। ସେ ୪ ଲକ୍ଷ ଟଙ୍କାର ଉତ୍ପାଦନ ହରାଇଥିବା କୁହନ୍ତି। ସେହି ଗୋଟିଏ ଦିନ ତାଙ୍କ ଗାଁର ୭୫ ଏକର ଫସଲ ନଷ୍ଟ କରି ଦିଆଯାଇଥିଲା। ଏହା ପରଠାରୁ ଏଠାରୁ ୧୦ କିଲୋମିଟର ଦୂରରେ ଥିବା ତେଲାଭରମ ପଡା ଗ୍ରାମରେ ସେ କୃଷି ଶ୍ରମିକ ଭାବେ ଦିନକୁ ୨୫୦ ଟଙ୍କା ମଜୁରୀରେ କାମ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି କଲେ ଯେଉଁ ୨୨ଟି ପଡ଼ାଗ୍ରାମ ସ୍ଥାନାନ୍ତର ହେବ ତା ଭିତରେ ରହିଛି ତେଲାଭରମ।

ତ୍ରିମୁର୍ଥୁଲାଙ୍କ ସ୍ତ୍ରୀ ୩୯ ବର୍ଷୀୟ ବୋଟ୍ଟା ଭାନୁ ୧୦ଟି ମଇଁଷି, ୨୦ଟି ଛେଳି, ୪୦ଟି ମେଣ୍ଢା ଏବଂ ୧୦୦ଟି କୁକୁଡା ପାଳିଥିଲେ। ପଥର ଏବଂ ବାଲି ଗଦା ଭିତରେ ଏଥିରୁ କେତୋଟି ଚାପି ହୋଇ ଯାଇଥିଲେ। ତା ପାଇଁ ଏହି ପରିବାରକୁ କିଛି କ୍ଷତିପୂରଣ ଦିଆଯାଇ ନାହିଁ। ପରେ ଅନ୍ୟ ପଶୁପକ୍ଷୀଙ୍କୁ ସେ ବିକି ଦେଇଥିଲେ। କାରଣ ସେମାନଙ୍କ ଯତ୍ନ ନେବାକୁ କେହି ଶ୍ରମିକ ମଳିଲେ ନାହିଁ। ପଶୁପକ୍ଷୀଙ୍କ ଯତ୍ନ ନେବାକୁ ଏବଂ ଘର କାମ କରିବାକୁ ପୂର୍ବରୁ ସେ ୧୦ ଜଣ ଲୋକ ନିଯୁକ୍ତ କରିଥିଲେ।  ଏବେ ବଞ୍ଚିବା ପାଇଁ ତାଙ୍କୁ ଅନ୍ୟ ପାଖରେ କାମ କରିବାକୁ ପଡୁଛି। 

Botta Trimurthulu showing the dump in his fields
PHOTO • Rahul Maganti
Botta Bhanu (right) and her daughter Sowjanya, who dropped out of Intermediate in 2016 when all the chaos was happening, in front of their house in Pydipaka
PHOTO • Rahul Maganti

କଦଳୀ ବଗିଚାକୁ ପଥର ଏବଂ ବାଲି ଗଦାକୁ ବୋଟ୍ଟା ତ୍ରିମୁର୍ଥୁଲା ନିର୍ଦ୍ଦେଶ କରୁଛନ୍ତି। ଡାହାଣ : ସ୍କୁଲ ଛାଡିଥିବା ଝିଅ ସୌଜନ୍ୟା ସହ ତାଙ୍କ ସ୍ତ୍ରୀ ବୋଟ୍ଟାଭାନୁ (ଡାହାଣ

୨୦୧୬ ଏପ୍ରିଲରୁ ଜୁଲାଇ ମାସ ଭିତରେ ସେମାନେ ସାମ୍ନା କରିଥିବା ଆତଙ୍କକୁ ମନେ ପକାନ୍ତି। ପ୍ରାୟ ୪୦-୫୦ ଜଣ ପୋଲିସ କର୍ମଚାରୀ ପ୍ରତି ଦିନ ଆସି ତାଙ୍କୁ ଧମକ ଦେଉଥିଲେ। ହାତ ଗୋଡ ବାନ୍ଧି ଜିପରେ ପକାଇ ନେଇ ଯିବାକୁ କହୁଥିଲେ। ବୋଟ୍ଟା ଭାନୁ କହିଲେ ଅନେକ ପରିବାର ଗାଁ ଛାଡିବାକୁ ଚାହୁଁ ନଥିଲେ, କିନ୍ତୁ ଏହି ଚାପରେ ସେମାନେ ବେଶୀ ଦିନ ରହିପାରିଲେ ନାହିଁ।

ଏକଥା ପଚାରିବାରୁ ପୋଲାଭରମ ସର୍କଲ ଇନିସପେକ୍ଟର ମତେ କହିଲେ, " ଆପଣ ଯାହା କହୁଛନ୍ତି ସବୁ ମିଛ କଥା। ଆମେ ପ୍ରକୃତରେ ଗାଁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସାହାଯ୍ୟ କରିଛୁ। "

ମଣ୍ଡଳ ରାଜସ୍ୱ ଅଧିକାରୀ ମଧ୍ୟ ଏସବୁ ଅଭିଯୋଗକୁ ବାଏଁବାଏଁ ଉଡାଇ ଦେଲେ। ସେ କହିଲେ, “ସ୍ଥାନାନ୍ତର ପାଇଁ କୌଣସି ଲୋକଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ନାହିଁ। ବରଂ ଥଇଥାନ କଲୋନୀର ପକ୍କା ଘରକୁ ସେମାନେ ଖୁସିରେ ଖୁସିରେ ଯାଇଛନ୍ତି। କ୍ଷତିପୂରଣକୁ ନେଇ ସେମାନେ ଖୁସି।" ତ୍ରିମୁର୍ଥୁଲାଙ୍କ ଘର ଆଗରେ ବାଲି ଏବଂ ପଥର ଗଦା କରିବା ନେଇ ପଚାରିବାରୁ ସେ କହିଲେ, "ଏମିତି କେବେ ହୋଇ ନଥିବ, ଏସବୁ ଅଭିଯୋଗ ଭିତ୍ତିହୀନ। "  

ଏହା ମଧ୍ୟରେ ପିଡିପକା ଗାଁର ପ୍ରତିବାଦ କରୁଥିବା ଏହି ପରିବାରଗୁଡିକ ଏଲଏଆରଆର ଆଇନ ଅନୁସାରେ ପୂର୍ଣ୍ଣ କ୍ଷତିପୂରଣ ଦାବି କରୁଛନ୍ତି । ତ୍ରିମୁର୍ଥୁଲା କହିଲେ, " ଅନ୍ଧାର ଭିତରେ ଦୁଇ ବର୍ଷ କଟିଲାଣି। ଏସବୁ ଆମର ଅଭ୍ୟାସ ହୋଇଗଲାଣି। କୌଣସି ଚାପ କାମ ଦେବ ନାହିଁ। ଉଚିତ୍ କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ ଆମେ ଗାଁ ଛାଡିବୁ ନାହିଁ। " ତାଙ୍କ କଥାରେ କଥା ମିଶାଇଲେ ଶ୍ରୀଦେବୀ। ସେ କହିଲେ, "ମୁଁ ମରିଯିବି ପଛେ ଆଇନ ଅନୁସାରେ ଉଚିତ ପ୍ରାପ୍ୟ ନପାଇଲେ ଆମେ ଗାଁ ଛାଡି କୁଆଡେ ଯିବୁ ନାହିଁ।"  

ପିଡପକାଠାରୁ ପ୍ରାୟ ୧୭୪ କିଲୋମିଟର ଦୂର, କ୍ରିଷ୍ଣା ନଦୀ ତଟରେ ତାଙ୍କ ଘରେ ବସି ପ୍ରତି ସୋମବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୋଲାଭରମ ପ୍ରକଳ୍ପର ସମୀକ୍ଷା କରନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଏହି ଘର ବେଆଇନ ଭାବେ ନିର୍ମିତ ହୋଇଥିବା ବହୁବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏପଟେ କିନ୍ତୁ ଗୋଦାବରୀ ତଟରେ ଥିବା ଶ୍ରୀଦେବୀଙ୍କ ଆଇନ ସମ୍ମତ ଘରକୁ କୌଣସି ମୁହୂର୍ତ୍ତରେ ଭାଙ୍ଗି ଦିଆଯାଇପାରେ।


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti