ଭିଡ଼ିଓ ଦେଖନ୍ତୁ:  ମାଥେରାନର ଲକ୍ଷ୍ମୀ ପାର୍ଦ୍ଧି ଓ ଅନ୍ୟ କୁଲିମାନେ ନିଜ କାମ ବିଷୟରେ କହୁଛନ୍ତି

ପିଲି ପାର୍ଦ୍ଧି, ବୟସ ୫୦ରୁ ସାମାନ୍ୟ ଅଧିକ। କସ୍ତୁରବା ରୋଡ଼ର ଏକ ହୋଟେଲ ବାହାରେ ସେ ଗ୍ରାହକଙ୍କ ପାଇଁ ଅପେକ୍ଷା କରନ୍ତି। ସକାଳ ପ୍ରାୟ ୯ଟା ବେଳଠାରୁ  ଅତିଥିମାନଙ୍କର ହୋଟେଲ୍ ଛାଡ଼ିବା ଆରମ୍ଭ ହୁଏ। ତାଙ୍କ ବୋହୁ ଅରୁଣା ମଧ୍ୟ ସେଠାରେ  ଥିଲେ। ଏହି ଦୁଇ ମହିଳାଙ୍କ ସହ ପିଲିଙ୍କ ପୁଅ ମଧ୍ୟ ମାଥେରାନରେ କୁଲି ଭାବରେ କାମ କରନ୍ତି। 

ଜୟା ପେଢ଼କାର ମଧ୍ୟ କୁଲି ଭାବରେ କାମ କରନ୍ତି। ତାଙ୍କ ବୟସ ୩୦ ଦଶକର ମଧ୍ୟ ପର୍ଯ୍ୟାୟରେ । ଅନ୍ୟମାନଙ୍କ ପରି ସେ ଦିନକୁ ୩-୪ ଥର ମୁଣ୍ଡରେ ୧୦ରୁ ୪୦ କେଜି ପର୍ଯ୍ୟନ୍ତ ଓଜନ ବହି ମାଥେରାନ ମୁଖ୍ୟ ବଜାରଠାରୁ ୩.୫ କି.ମି ଦୂର  ଦାସ୍ତୁରି ପାର୍କିଙ୍ଗ୍ ସ୍ଥଳରୁ ବିଭିନ୍ନ ହୋଟେଲ ପର୍ଯ୍ୟନ୍ତ ଯାଇଥା’ନ୍ତି। ବେଳେବେଳେ ହିଲ୍ ଷ୍ଟେସନର ଆହୁରି ଅଧିକ ଉଚ୍ଚତାରେ ଥିବା ହୋଟେଲକୁ ମଧ୍ୟ ଲଗେଜ୍ ନେବାକୁ ହୋଇଥାଏ।

PHOTO • Sinchita Maji

ଏହି ଲୋକପ୍ରିୟ  ହିଲ୍ ଷ୍ଟେସନକୁ ଯାଉଥିବା ପର୍ଯ୍ୟଟକମାନେ ହୋଟେଲକୁ ଓ ହୋଟେଲ ଠାରୁ ସେମାନଙ୍କ ଲଗେଜ୍ ନେବାଆଣିବା ପାଇଁ ଜୟା ପେଢ଼କାର (ବାମ) ଓ ପିଲି ପାର୍ଦ୍ଧି (ଡାହାଣ)ଙ୍କ ପରି କୁଲିଙ୍କୁ ଭଡା ନିଅନ୍ତି

ଲକ୍ଷ୍ମୀ ପାର୍ଦ୍ଧି, ବୟସ ୪୦ ଦଶକର ଶେଷ ପର୍ଯ୍ୟାୟରେ। ସେ ମଧ୍ୟ ମାଥେରାନର ଅନ୍ୟ ଜଣେ କୁଲି। ଳକ୍ଷ୍ମୀ କୁହନ୍ତି, ସେ ଥରକେ ୨୫୦-୩୦୦ ଟଙ୍କା ରୋଜଗାର କରନ୍ତି। ସପ୍ତାହ ଅନ୍ତରେ  ସେତେବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥାଏ ସେତେବେଳେ କୁଲିମାନେ ଦିନକୁ ୩-୪ ଥର କାମ ପାଆନ୍ତି। କାର୍ଯ୍ୟଦିବସ ମାନଙ୍କରେ ଗ୍ରାହକ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ହୋଇଯାଏ ଏଥିସହ ଲଗେଜ୍ ବୋହିବାର ପାଉଣା ପ୍ରାୟ ୨୦୦ ଟଙ୍କାକୁ ଖସିଆସେ। 

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଅନ୍ଯତମ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ମାଥେରାନ। ଏଠାରେ ଦାସ୍ତୁରୀ ପାର୍କିଙ୍ଗ୍ ସ୍ଥଳ ପରେ ଯାନବାହନ ଆଗକୁ ଯିବାର ଅନୁମତି ନାହିଁ। ଅର୍ଥାତ୍ ପର୍ଯ୍ୟଟକମାନଙ୍କୁ ନିଜ ଲଗେଜ୍ ହୋଟେଲରୁ ନେବା ଆଣିବା କରିବାକୁ ହେବ କିମ୍ବା ସେମାନେ ପିଲି, ଜୟା, ଲକ୍ଷ୍ମୀଙ୍କ ପରି କୁଲିମାନଙ୍କୁ ଭଡ଼ା ଦେବେ। 

ମାଥେରାନର ନିକଟତମ ରେଳଷ୍ଟେସନ୍ ନେରାଲ୍। ଦୁଇ ଦୁଇ ଥର ଲାଇନଚ୍ୟୁତ ହେବା ଯୋଗୁଁ ୨୦୧୬ ମେ ମାସରୁ ଏହି ଦୁଇ ସ୍ଥାନ ମଧ୍ୟରେ ଥିବା ଏକ ନ୍ୟାରୋ ଗଜ୍ ରେଳ ସେବା ରଦ୍ଦ ହୋଇଗଲା। ମାଥେରାନ୍ ଭିତରକୁ କାର୍ ଯିବାର ଅନୁମତି ନଥିବାରୁ ଦାସ୍ତୁରୀଠାରେ ଘୋଡ଼ା, ଘୋଡ଼ାରକ୍ଷକ, ହାତଟଣା ରିକ୍ସା ଓ ମୁଣ୍ଡରେ ଓଜନ ବୋହୁଥିବା କୁଲିମାନଙ୍କର ଏକ ସେନା ସବୁବେଳେ ଥାଆନ୍ତି।

PHOTO • Sinchita Maji

ଲକ୍ଷ୍ମୀ ପାର୍ଦ୍ଦି ପ୍ରାୟ ୪.୫ କିଲୋମିଟର ଦୂର ଜୁମ୍ମାପଟ୍ଟି ଗ୍ରାମରୁ ମାଥେରାନକୁ ଆସନ୍ତି

ମାଥେରାନ୍ ପୋଲିସ୍ କର୍ତ୍ତୃପକ୍ଷ ସମସ୍ତ କୁଲିଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି। ପ୍ରତି ପରିଚୟପତ୍ରରେ କ୍ରମିକ ସଂଖ୍ୟା ଅଛି। ଲକ୍ଷ୍ମୀଙ୍କ ପୁଅର ଆକଳନ ଅନୁଯାୟୀ ମାଥେରାନରେ ପ୍ରାୟ ୩୦୦ କୁଲି ଅଛନ୍ତି, ସେମାନଙ୍କ ମଧ୍ୟରେ ୧୦୦ ଜଣ ମହିଳା। ଲକ୍ଷ୍ମୀଙ୍କ ପରିଚୟପତ୍ରର କ୍ରମିକ ସଂଖ୍ୟା ୯୦। ମାଥେରାନ୍ ଭିତରକୁ ପ୍ରବେଶ କରିବା ପାଇଁ ଦାସ୍ତୁରୀରେ ଯେଉଁ ଟିକେଟ୍ କାଉଣ୍ଟର ଅଛି ସେହି କାଉଣ୍ଟର ସାମ୍ନାରେ ଲକ୍ଷ୍ମୀ ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ଯେତେବେଳେ ତାଙ୍କ କ୍ରମିକ ସଂଖ୍ୟା ଆସେ ସେତେବେଳେ କାଉଣ୍ଟରରେ ଥିବା ବ୍ୟକ୍ତି ତାଙ୍କୁ ଡାକନ୍ତି, ବେଳେବେଳେ ଗ୍ରାହକମାନେ ତାଙ୍କୁ ସିଧାସଳଖ ଡାକନ୍ତି। 

ଅଧିକାଂଶ କୁଲି ନିକଟସ୍ଥ ଗାଁମାନଙ୍କରେ ରୁହନ୍ତି। ଲକ୍ଷ୍ମୀ ଦାସ୍ତୁରୀରୁ ପ୍ରାୟ ୪.୫ କିଲୋମିଟର ଦୂରରେ ଥିବା ଜୁମ୍ମାପଟ୍ଟିରୁ ମାଥେରାନ୍ ଆସନ୍ତି। ପିଲି ତିନି କିଲୋମିଟର ଦୂର ଏକ ଗାଁରୁ ଆସନ୍ତି। 

ଜୟା ମାଥେରାନର ଗୋଟିଏ ହୋଟେଲର ଷ୍ଟାଫ୍ କ୍ୱାର୍ଟରରେ ରୁହନ୍ତି। ସେ ନିଜ ଭାଉଜ ସହ ଉକ୍ତ ହୋଟେଲରେ ବାସନମଜା କାମ କରନ୍ତି। ଏଥିପାଇଁ ସେମାନଙ୍କୁ ମାସିକ ୪,୦୦୦ ଟଙ୍କା ମିଳେ। ଜୟାଙ୍କ ପରିବାର କର୍ଜାତ୍ ନିକଟସ୍ଥ ଏକ ଗ୍ରାମ ତେପାଚିଓ୍ୱାଡ଼ିରେ ରୁହନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ମଣିଷ। ତେଣୁ ସକାଳର ବାସନମଜା ସରିବା ପରେ , ସେ ଅପରାହ୍ଣରେ କୁଲି ଭାବରେ ଗୋଟିଏ - ଦୁଇଟି ଭଡ଼ା ପାଇବାକୁ ଚେଷ୍ଟା କରନ୍ତି।

PHOTO • Suman Parbat

ହିରାବାଈ ଓ ଅନ୍ୟ କୁଲିମାନେ ମାଥେରାନର ହୋଟେଲ୍ ଓ ପାର୍କିଂସ୍ଥଳ ମଧ୍ୟରେ ଦିନରେ ୩-୪ ଥର ୧୦ରୁ ୪୦କିଲୋ ପର୍ଯ୍ୟନ୍ତ ଲଗେଜ୍ ନେବା ଆଣିବା କରନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sinchita Maji

ଲେଖକ ପରିଚୟ: ସିଞ୍ଚିତା ମାଜି ହେଉଛନ୍ତି ପିପଲ୍ସ ଆରକାଇଭ ଅଫ ରୁରାଲ ଇଣ୍ଡିଆର ଭିଡିଓ କୋର୍ଡିନେଟର ଏବଂ ମୁକ୍ତବୃତ୍ତ ଫଟୋଗ୍ରାଫର ଏବଂ ଡକୁମେଣ୍ଟାରି ଫିଲ୍ମ ନିର୍ମାତା। ୨୦୧୫-୧୬ରେ ତାଙ୍କ PARI ଫେଲୋସିପ୍ ସମୟରେ ଏହି କାହାଣୀଟି ପ୍ରସ୍ତୁତ ହୋଇଥିଲା।

Other stories by Sinchita Maji
Suman Parbat

ସୁମନ ପର୍ବତ କୋଲକାତାର ଜଣେ ପାଇପ୍ ଲାଇନ୍ ଇଞ୍ଜିଇିନିୟର୍। ସେ ବର୍ତ୍ତମାନ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି। ସେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇିଞ୍ଜିନିୟରିଂରୁ ବି-ଟେକ୍ କରିଛନ୍ତି। ଏଥିସହ ସେ ଜଣେ ମୁକ୍ତବୃତ୍ତ ଫଟୋଗ୍ରାଫର୍।

Other stories by Suman Parbat