‘କୃଷିରେ ସଙ୍କଟ ଭଳି କିଛି ଜିନିଷ ନାହିଁ’।

ପଞ୍ଜାବର ଶକ୍ତିଶାଳୀ ଆର୍ଥିଆ ଆସୋସିଏସନ୍ର ଉପସଭାପତି ଏବଂ ଏହାର ବର୍ଣ୍ଣାଳା ଜିଲ୍ଲା ଶାଖାର ମୁଖ୍ୟ ଦର୍ଶନ ସିଂ ସଙ୍ଘେରାଙ୍କୁ ଭେଟିଲି। ଆର୍ଥିଆ ମାନେ ହେଉଛନ୍ତି କମିସନ ଏଜେଣ୍ଟ, ଏମାନେ କୃଷକ ଓ ସେମାନଙ୍କ ଉତ୍ପାଦe କ୍ରେତାଙ୍କ ମଧ୍ୟରେ ମାଧ୍ୟମ ସାଜିଥା’ନ୍ତି। ସେମାନେ ଉତ୍ପାଦିତ ଶସ୍ୟର ନିଲାମ ଓ ତାକୁ କ୍ରେତାଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରନ୍ତି।  ଏମାନେ ମଧ୍ୟ ସାହୁକାର ଯେଉଁମାନଙ୍କର ଏହି ବ୍ୟବସାୟରେ ଦୀର୍ଘ ସମୟର ଇତିହାସ ଅଛି। ଗତ କିଛି ବର୍ଷ ଭିତରେ, ସେମାନେ ଇନପୁଟ୍ ଡିଲର ଭାବେ ମଧ୍ୟ ଉଭା ହୋଇଛନ୍ତି। ଏସବୁର ଅର୍ଥ ହେଲା ରାଜ୍ୟର କୃଷକ ମାନଙ୍କ ଉପରେ ସେମାନଙ୍କର ବହୁ ନିୟନ୍ତ୍ରଣ ରହିଛି। 

ଆର୍ଥିଆମାନେ ରାଜନୈତିକ ଦୃଷ୍ଟିରୁ ବି ଶକ୍ତିଶାଳୀ। ସେମାନେ ବିଧାୟକମାନଙ୍କୁ ସେମାନଙ୍କ ମଧ୍ୟରୁ ଜଣେ ଭାବେ ଗଣନା କରନ୍ତି। ଗତ ବର୍ଷ ଜୁଲାଇରେ, ସେମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ‘ଫକର- ଏ- କମ୍’(ସଂପ୍ରଦାୟର ଗୌରବ) ସମ୍ମାନରେ ସମ୍ମାନିତ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ଏହି କାର୍ଯ୍ୟକ୍ରମକୁ ଏକ ବଡ ସମ୍ବର୍ଦ୍ଧନା ଉତ୍ସବ ଭାବେ ବର୍ଣ୍ଣନା କରିଥିଲା। ଏହା ଠିକ୍ ସେହି ଘୋଷଣା ପରେ ହୋଇଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ କହିଲେ  ଯେ କୃଷକମାନେ ଆର୍ଥିଆ ମାନଙ୍କଠାରୁ ଥିବା ନେଇଥିବା ଋଣ ଛାଡ କରିବା କଷ୍ଟକର ହେବ। 

ଗ୍ରାମୀଣ ପଞ୍ଜାବରେ କୃଷକ ଓ କୃଷି ଶ୍ରମିକ ମାନଙ୍କର ଋଣଭାର ସ୍ଥିତି ଉପରେ କରାଯାଇଥିବା ଏକ ସମୀକ୍ଷା(ଷ୍ଟଡି)ରେ କୁହାଯାଇଛି ଯେ ପ୍ରାୟ ୮୬ ପ୍ରତିଶତ କୃଷକ ଏବଂ ୮୦ ପ୍ରତିଶତ କୃଷି ଶ୍ରମିକ ଋଣ ଭାରରେ ବୁଡି ରହିଛନ୍ତି। ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଏହି ଗବେଷକମାନେ ଦର୍ଶାଇଛନ୍ତି ଯେ ମୋଟ ଋଣର ପ୍ରାୟ ଏକ ପଞ୍ଚମାଂଶ କମିସନ ଏଜେଣ୍ଟ ଏବଂ ସାହୁକାରଙ୍କ ଠାରୁ ରହିଛି। ସମୟ ସହ ଏହି ଋଣ ଭାର ବଢି ବଢି ଚାଲିଛି। ମଧ୍ୟମ ଓ କ୍ଷୁଦ୍ର ଚାଷୀଙ୍କ  କ୍ଷେତ୍ରରେ ଏହା ସବୁଠାରୁ ଅଧିକ।  ୧୦୦୭ ଜଣ କୃଷକ ଓ ୩୦୧ ଜଣ କୃଷି ଶ୍ରମିକଙ୍କ ପରିବାର ଉପରେ ଏହି ସମୀକ୍ଷା କରାଯାଇଥିଲା। ଏହାର  କ୍ଷେତ୍ର ସମୀକ୍ଷା ୨୦୧୪-୧୫ ମସିହାରେ ପୁରା ରାଜ୍ୟର ସବୁ ଅଞ୍ଚଳରେ କରାଯାଇଥିଲା। ଅନ୍ୟ ଗବେଷଣା ସବୁ ମଧ୍ୟ ଦିନକୁ ଦିନ କୃଷକମାନଙ୍କର ଋଣ ଭାର ଏବଂ ଦୁର୍ଦ୍ଧଶା ବଢୁଥିବା ଦର୍ଶାଇଛନ୍ତି।  

ଦର୍ଶନ ସିଂ ସଙ୍ଘେରା କୃଷକମାନଙ୍କର ଏହି ସମସ୍ୟାକୁ ଖଣ୍ଡନ କରନ୍ତି। ସେ ଦୃଢ ଭାବେ କହନ୍ତି, ଏ ସବୁ କୃଷକମାନଙ୍କର ଖର୍ଚ୍ଚ କରିବା ଅଭ୍ୟାସ ଯୋଗୁଁ ହେଉଛି। ଏହା ହିଁ ସେମାନଙ୍କୁ ସମସ୍ୟାରେ ପକାଉଛି। ଚାଷ ପାଇଁ ସାମଗ୍ରୀ କିଣିବାକୁ ଆମେ ସେମାନଙ୍କୁ ଅର୍ଥ ସାହାଯ୍ୟ କରୁ। ସେମାନଙ୍କ ବିବାହ, ଡାକ୍ତରଖାନା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବି ଆମେ ସାହାଯ୍ୟ କରୁ। ଯେତେବେଳେ କୃଷକମାନଙ୍କର ଫସଲ  ଉତ୍ପାଦିତ ହୁଏ, ସେମାନେ ତାକୁ ଆଣି ଜଣେ ଆର୍ଥିଆକୁ ଦିଅନ୍ତି। ଆମେ ଶସ୍ୟକୁ ପରିଷ୍କାର କରୁ, ତାକୁ ପ୍ୟାକିଂ କରୁ, ସରକାର, ବ୍ୟାଙ୍କ ଏବଂ ବଜାର ସହ ବୁଝାମଣା କରୁ। ସରକାର ମୋଟ ଧାନ ଏବଂ ଗହମ ଆମଦାନୀର ୨.୫ ପ୍ରତିଶତ ଏଜେଣ୍ଟମାନଙ୍କୁ ଦିଅନ୍ତି। ଏମାନଙ୍କ କାର୍ଯ୍ୟକୁ ସରକାରୀ ଭାବେ ଦେଖାଶୁଣା କରେ ପଞ୍ଜାବ ରାଜ୍ୟ କୃଷି ମାର୍କେଟିଂ ବୋର୍ଡ। କୃଷକମାନେ ଏହି କମିସନ ଏଜେଣ୍ଟଙ୍କ ଜରିଆରେ ସେମାନଙ୍କ ପାଉଣା ପାଆନ୍ତି। ଆଉ ଏସବୁ କିଛି ଆର୍ଥିଆମାନେ ଋଣ ପ୍ରଦାନରୁ ଆୟ କରୁଥିବା ଅର୍ଥରୁ ଭିନ୍ନ ହୋଇଥାଏ। 

A Punjabi farmer in the field
PHOTO • P. Sainath

ମାନସାରେ ଜଣେ କୃଷି ଶ୍ରମିକ। ପଞ୍ଜାବରେ କୃଷକ ଓ ଶ୍ରମିକମାନେ ଋଣ ଭାରରେ ବୁଡିଛନ୍ତି। ଏହାର ଏକ ପଞ୍ଚମାଂଶରୁ ଅଧିକ ଆର୍ଥିଆମାନଙ୍କଠାରୁ ସେମାନେ ଋଣ କରିଛନ୍ତି। 

ସେହି ବ୍ଲକରେ ଥିବା ଯୋଧପୁର ଗାଁ ବୁଲିବା ପରେ ଆମେ ବର୍ଣ୍ଣାଲା ସହରରେ ଥିବା ଶସ୍ୟ ମାର୍କେଟ୍ ଅଫିସ୍ରେ ପହଞ୍ଚିଲୁ। ସେଠାରେ ରଞ୍ଜିତ ଏବଂ ବଲବିନ୍ଦର ସିଂ ସେମାନଙ୍କ ସମ୍ପର୍କୀୟ ବଲଜିତ ସିଂ ଏବଂ ତାଙ୍କ ମା ବଲବିର କୌରଙ୍କର ସର୍ବସାଧାରଣ ଆତ୍ମହତ୍ୟା କଥା ମନେ ପକାଇଲେ, ଯେଉଁମାନେ କି ୨୫ ଏପ୍ରିଲ ୨୦୧୬ରେ ଘଣ୍ଟାଏ ଭିତରେ ଜଣକ ପରେ  ଜଣେ  ଆତ୍ମହତ୍ୟା କରିଥିଲେ। ବଲବିନ୍ଦର କହନ୍ତି, ‘ ସେମାନେ ଜଣେ ଆର୍ଥିଆ ଦ୍ୱାରା ସେମାନଙ୍କ ଜମି ଦଖଲକୁ ବିରୋଧ କରୁଥିଲେ। ସେଦିନ ସଂପୃକ୍ତ ଆର୍ଥିଆ ଗୋଟିଏ କୋର୍ଟ ଅର୍ଡର ଓ ପ୍ରାୟ ୧୦୦ ଜଣ ପୋଲିସ୍ କର୍ମଚାରୀ, ସ୍ଥାନୀୟ ପ୍ରଶାସନର ବହୁ ଅଧିକାରୀ ଏବଂ ଆର୍ଥିଆମାନଙ୍କର ଗୁଣ୍ଡାଙ୍କୁ ନେଇ ଆସିଥିଲା। ସମସ୍ତଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଲୋକ ଆସିଥିଲେ ପରିବାରର ଦୁଇ ଏକର ଜମିକୁ ଦଖଲ କରିବା ପାଇଁ। ’

ବଲବିନ୍ଦର କହନ୍ତି, କେବଳ ଏହି ଯୋଧପୁର ଗାଁରେ ପ୍ରାୟ ୪୫୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧୫-୨୦ଟି ପରିବାର ଋଣ ମୁକ୍ତ। ଏବଂ ଋଣ ଫଳରେ ଚାଷୀମାନେ ଆର୍ଥିଆ ମାନଙ୍କ ପାଖରେ ସେମାନଙ୍କର ଜମି ହରାଉଛନ୍ତି। 

ସଙ୍ଘେରା କହନ୍ତି, ‘ଆର୍ଥିଆ ଓ କୃଷକମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଖରାପ ନୁହେଁ। ଏବଂ କୃଷି କ୍ଷେତ୍ରରେ କୌଣସି ସଙ୍କଟ ନାହିଁ। ମୋତେ ଦେଖନ୍ତୁ ମୋର ମାତ୍ର ୮ ଏକର ପୈତୃକ ଜମି ଥିଲା। ଏବେ ମୋ ପାଖରେ ୧୮ ଏକର ଜମି ଅଛି। ବେଳେବେଳେ ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଆବଶ୍ୟକତାଠାରୁ ଅଧିକ ଉଠାଇ ଦିଅନ୍ତି। ଆତ୍ମହତ୍ୟା ପାଇଁ ସରକାରୀ  କ୍ଷତିପୂରଣ କେବଳ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଯଦି ଗୋଟିଏ ପରିବାର କ୍ଷତିପୂରଣ ପାଏ, ଏହା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରେ। କ୍ଷତିପୂରଣ ପୁରାପୁରି ବନ୍ଦ କରିଦିଅ, ଆତ୍ମହତ୍ୟା ବି ବନ୍ଦ ହୋଇଯିବ।’

ତାଙ୍କ ପାଇଁ ଖଳନାୟକ ହେଉଛନ୍ତି ସେହି ସବୁ ସଂଗଠନ ଯେଉଁମାନେ କୃଷକଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି। ଏବଂ ସବୁଠାରୁ ଅଧିକ ଦାୟୀ ହେଲା ଭାରତୀୟ କିସାନ ୟୁନିୟନ(ଡାକୋଣ୍ଡା)। ବିକେୟୁ(ଡି) ଏହି ଅଞ୍ଚଳରେ ଖୁବ୍ ଶକ୍ତିଶାଳୀ ଏବଂ ଏହାକୁ ଲଂଘିବା ଖୁବ୍ କଷ୍ଟ। ଜମି ଦଖଲକୁ ବନ୍ଦ କରିବାକୁ ସେମାନଙ୍କର ସଦସ୍ୟମାନେ ବହୁ ସଂଖ୍ୟାରେ ଆସନ୍ତି। ଏମିତିକି ଆର୍ଥିଆ ମାନେ ବନ୍ଧୁକଧାରୀ ଆଣିଥିଲେ ବି ସେମାନେ ଏପରି କରନ୍ତି। 

ସଙ୍ଘେରା କହନ୍ତି, ‘ପ୍ରାୟ ସବୁ ଆର୍ଥିଆଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି’। କିନ୍ତୁ ତାହା କେବଳ ଆତ୍ମରକ୍ଷା ପାଇଁ ବ୍ୟବହାର ହୋଇଥାଏ। ଯେତେବେଳେ ଆପଣ ବିପୁଳ ପରିମାଣର ଟଙ୍କା କାରବାର କରନ୍ତି, ସେତେବେଳେ ଆପଣଙ୍କୁ ସୁରକ୍ଷା ଆବଶ୍ୟକ,ନୁହେଁ କି? ଆପଣ ଜାଣିରଖନ୍ତୁ ୯୯ ପ୍ରତିଶତ ଚାଷୀ ହେଉଛନ୍ତି ଭଲଲୋକ। କିନ୍ତୁ ବାକି ଏକ ପ୍ରତିଶତଙ୍କ ଯୋଗୁ ସେମାନଙ୍କୁ ସବୁବେଳେ ଅସ୍ତ୍ରଶସ୍ତ୍ରର ନିରାପତ୍ତା ମଧ୍ୟରେ ରହିବାକୁ ପଡୁଛି।’ ସଙ୍ଘେରାଙ୍କ ନିକଟରେ ମଧ୍ୟ ଏକ ମାରଣାସ୍ତ୍ର ରହିଛି। ସେ ସ୍ପଷ୍ଟୀକରଣ ଦେଇ କହନ୍ତି, ‘ପଞ୍ଜାବରେ ଆତଙ୍କବାଦ ସମସ୍ୟା ଥିବାବେଳେ ଏହା ଆବଶ୍ୟକ ହୋଇପଡ଼ିଛି।’

ଇତିମଧ୍ୟରେ ଋଣଭାର ଯୋଗୁ ଆତ୍ମହତ୍ୟା ବୃଦ୍ଧି ପାଇଚାଲିଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗତବର୍ଷ ବିଧାନସଭାର କମିଟି ନିକଟରେ ଉପସ୍ଥାପିତ ହୋଇଥିବା ଏକ ଷ୍ଟଡି(ସମୀକ୍ଷା) ଅନୁସାରେ ୨୦୦୦ ଓ ୨୦୧୫ ମଧ୍ୟରେ ୮,୨୯୪ ଜଣ ଚାଷୀ ସେମାନଙ୍କର ଜୀବନ ହାରିଛନ୍ତି। ‘ପଞ୍ଜାବରେ ଚାଷୀ ଓ ଶ୍ରମିକଙ୍କ ଆତ୍ମହତ୍ୟା’ ଶୀର୍ଷକ ସେହି ରିପୋର୍ଟରେ କୁହାଯାଇଛି ଯେ, ୬.୩୭୩ ଜଣ କୃଷି ଶ୍ରମିକ ମଧ୍ୟ ସେହି ସମୟରେ ଆତ୍ମହତ୍ୟା କରିଛନ୍ତି। ଏବଂ ତାହା କେବଳ ରାଜ୍ୟର ୨୨ ଜିଲ୍ଲା ମଧ୍ୟରୁ ୬ଟିରେ କରାଯାଇଥିଲା ବୋଲି ଏହାର ଲେଖକ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ(ପିଏୟୁ)ର ଗବେଷକ ମାନେ କହନ୍ତି। ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ହୋଇଥିବା ସମୀକ୍ଷାରେ ଏହି ସବୁ ଆତ୍ମହତ୍ୟା ମଧ୍ୟରୁ ୮୩ ପ୍ରତିଶତ ଋଣଭାର ଯୋଗୁ ହୋଇଥିବାର ଜଣାପଡ଼ିଛି।

A man sitting on a bed in an orange turban
PHOTO • P. Sainath

ଆର୍ଥିଆ ଏବଂ ପୂର୍ବତନ ପୁଲିସକର୍ମୀ ତେଜା ସିଂହ ଯୁକ୍ତି ବାଢନ୍ତି ଯେ ଏହି ସବୁ ଚାଷୀ ଆତ୍ମହତ୍ୟା ମଧ୍ୟରୁ ଅଧିକାଂଶ ସତ୍ୟ ନୁହେଁ। 

ତେଜା ସିଂହ କହନ୍ତି, ‘କେହି ଅସହାୟ ହୋଇ ଆତ୍ମହତ୍ୟା କରୁନାହାନ୍ତି। ଗତ ୧୦ ବର୍ଷ ହେଲା ଭଲ ଚାଷ ହେଉଛି।  ଏପରିକି ଆର୍ଥିଆମାନେ ସେମାନଙ୍କର ସୁଧହାର କମାଇ ଦେଇଛନ୍ତି। ସେମାନେ ମାସିକ ୧ ପ୍ରତିଶତ (ବାର୍ଷିକ ୧୨ ପ୍ରତିଶତ) ହାରରେ ସୁଧ ନେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ଗାଁରେ ଚାଷୀମାନେ ଏହି ହାର ୧.୫ ପ୍ରତିଶତ(ବାର୍ଷିକ ୧୮ ପ୍ରତିଶତ) କିମ୍ବା ତା’ଠାରୁ ଅଧିକ ହୋଇଥିବାର କହୁଛନ୍ତି। ଯୋଧପୁରରେ ମା’ ଓ ପୁଅ ସର୍ବସାଧାରଣରେ ଆତ୍ମହତ୍ୟା କରିବା ଘଟଣାରେ ଆର୍ଥିଆ ତେଜା ସିଂହ ସଂପୃକ୍ତ ଥିଲେ। ସେ କହନ୍ତି, ଏହି ସବୁ ଚାଷୀ ଆତ୍ମହତ୍ୟା ମଧ୍ୟରୁ ମାତ୍ର ୫୦ ପ୍ରତିଶତ ହେଉଛି ସତ୍ୟ।’

ତେବେ ସେ ଆର୍ଥିଆମାନଙ୍କର ସରଳତାପୂର୍ଣ୍ଣ ରାଜନୀତି ସଂପର୍କରେ କହନ୍ତି। ତାଙ୍କ ଅନୁସାରେ ଆର୍ଥିଆମାନଙ୍କର ସଂଖ୍ୟା କମ୍। କିନ୍ତୁ  ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସେ, ସେମାନଙ୍କର ଲୋକ ଆମ ଆସୋସିଏସନ୍ର ସଭାପତି ହୋଇଥାନ୍ତି। ବର୍ତ୍ତମାନ ଆମର ରାଜ୍ୟ ସଭାପତି ହେଉଛନ୍ତି କଂଗ୍ରେସ ଦଳର। ନିର୍ବାଚନ ପୂର୍ବରୁ ଅକାଳୀ ଦଳର ନେତା ଆମର ସଭାପତି ଥିଲେ। ତେଜା ସିଂହଙ୍କ ପୁଅ ଯଶପ୍ରୀତ ସିଂହ ଅନୁଭବ କରନ୍ତି ଯେ କମିଶନ ଏଜେଣ୍ଟମାନଙ୍କୁ ବଦନାମ କରାଯାଉଛି। ‘ଅନ୍ୟ ବୃତ୍ତି ଭଳି ଏହାର ଆମର ମଧ୍ୟ ବୃତ୍ତି। ଆମକୁ ଅଯଥାରେ ବଦନାମ କରାଯାଉଛି। ଆମର ମାମଲା(ଯୋଧପୁର) ପରେ ପ୍ରାୟ ୫୦ ଜଣ ଆର୍ଥିଆ ସେମାନଙ୍କର ବୃତ୍ତି ଛାଡ଼ି ଦେଇଛନ୍ତି।’

ଯଶପ୍ରୀତ କିନ୍ତୁ ମିଡିଆ ଉପରେ ଖୁସି ପ୍ରକାଶ କରିଛନ୍ତି। ‘ସ୍ଥାନୀୟ ଗଣମାଧ୍ୟମ ଆମ ପାଇଁ ଖୁବ୍ ଭଲ କାମ କରିଛି। ଆମର ଗଣମାଧ୍ୟମ ଉପରେ ବିଶ୍ୱାସ ରହିଛି। ସେମାନଙ୍କର ଋଣ ଆମେ ପରିଶୋଧ କରିପାରିବୁ ନାହିଁ। ଆମେ କାହାରିକୁ ଅନୁକୂଳ ରିପୋର୍ଟ ପ୍ରକାଶ କରିବା ପାଇଁ ଟଙ୍କା ଦେଇନାହୁଁ। ଯେତେବେଳେ ଆମ ବିରୋଧରେ ଯୋଧପୁର ଘଟଣା ପରେ ଅପରାଧ ମାମଲା ରୁଜୁ କରାଗଲା ହିନ୍ଦୀ ଗଣମାଧ୍ୟମ ଆମକୁ ସାହାଯ୍ୟ କଲେ। ସେମାନଙ୍କ ସହାୟତାରେ ଆମେ ହାଇକୋର୍ଟରୁ ଶୀଘ୍ର  ଜାମିନ ପାଇଲୁ। ତାଙ୍କ ଅନୁସାରେ ହିନ୍ଦୀ ଖବରକାଗଜ ଅଧିକ ସାହାଯ୍ୟକାରୀ କାରଣ ସେମାନେ ବ୍ୟବସାୟୀ ସଂପ୍ରଦାୟକୁ ସମର୍ଥନ କରିଥାନ୍ତି। ପଞ୍ଜାବୀ ଖବରକାଗଜଗୁଡ଼ିକ ଚାଷୀ ବା ଋଣଗ୍ରହୀତାଙ୍କ ପ୍ରତି ଅନୁକୂଳ ମନୋଭାବ ପ୍ରଦର୍ଶନ କରନ୍ତି। 

ଅକ୍ଟୋବର ୨୦୧୭ର ରାଜ୍ୟ ସରକାରଙ୍କର ଋଣ ଛାଡ଼ ସୀମିତ, ବହୁ ସ୍ତର ବିଶିଷ୍ଟ ଓ ସର୍ତ୍ତମୂଳକ ଥିଲା। ଏହା ସମବାୟ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ କ୍ଷେତ୍ର ବା ଏମିତିକି ଘରୋଇ ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀଙ୍କ ପାଇଁ ଲାଗୁ ହୁଏ। ତାହା ପୁଣି ଖୁବ୍ କମ୍ ଓ ସୀମିତ ଭାବେ। ୨୦୧୭ର ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ଦଳ ଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏହାକୁ ଅଧିକ ବିସ୍ତୃତ ଓ ପ୍ରଭାବଶାଳୀ କରିବାକୁ ପଞ୍ଜାବ ସେଟଲମେଣ୍ଟ ଅଫ୍ ଆଗ୍ରିକଲଚୁରାଲ୍ ଇନଡେବ୍ଟନେସ୍ ଆକ୍ଟ ୨୦୧୬ରେ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଆଜିଯାଏଁ ସରକାର ଆର୍ଥିଆ ମାନଙ୍କର ଥିବା ୧୭,୦୦୦ କୋଟି ଟଙ୍କାର କୃଷି ଋଣରୁ ଗୋଟିଏ ବି ଟଙ୍କାର ଋଣ ଛାଡ଼ କରିନାହାନ୍ତି। 

୨୦୧୦ ମସିହାର ଗୋଟିଏ ସର୍ବେକ୍ଷଣରେ ସୁପାରିଶ କରାଯାଇଥିଲା ଯେ ‘କୃଷକଙ୍କୁ ସେମାନଙ୍କ ଉତ୍ପାଦର ମୂଲ୍ୟ ଯେଉଁ ବ୍ୟବସ୍ଥାରେ କମିସନ୍ଏଜେଣ୍ଟଙ୍କ ଦ୍ୱାରା ଦିଆଯାଉଛି, ସେହି ବ୍ୟବସ୍ଥାକୁ ବନ୍ଦ କରାଯିବା ଉଚିତ।’ ଲୁଧିଆନା ପିଏୟୁର ଗବେଷକମାନଙ୍କ ଦ୍ୱାରା ପଞ୍ଜାବ କୃଷିରେ କମିସନ ଏଜେଣ୍ଟ ବ୍ୟବସ୍ଥା ଉପରେ କରାଯାଇଥିବା ସମୀକ୍ଷା(ଷ୍ଟଡି)ରେ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସିଧାସଳଖ ପଇଠ କରିବାକୁ କୁହାଯାଇଥିଲା।’

ସାରା ଦେଶରେ କମିସନ ଏଜେଣ୍ଟ ଓ କୃଷକମାନଙ୍କର କାହାଣୀରେ ସମାନତା ରହିଛି। କିନ୍ତୁ ଏଠାରେ ଏକ ନିଆରା କଥା ରହିଛି। ଅନ୍ୟ ସ୍ଥାନର ନିଜ ସଂପ୍ରଦାୟର ଅଧିକାଂଶଙ୍କଠାରୁ ଭିନ୍ନ ଦର୍ଶନ ସିଂ ସଙ୍ଘେରା, ତେଜା ସିଂ ଏବଂ ସେମାନଙ୍କ ଭଳି ଅନେକ ବଣିଆ ବା ଅନ୍ୟ ବ୍ୟବସାୟୀ ଜାତିର ନୁହନ୍ତି। ସେମାନେ ଜାଟ୍ ଶିଖ୍। ଏହି ବ୍ୟବସାୟକୁ ଜାଟ୍ ମାନେ ପଛରେ ଆସିଛନ୍ତି। କିନ୍ତୁ ସେମାନେ ଭଲ ବ୍ୟବସାୟ କରୁଛନ୍ତି। ଏବେ ପଞ୍ଜାବର ୪୭,୦୦୦ ଆର୍ଥିଆ ମାନଙ୍କ ମଧ୍ୟରୁ ୨୩,୦୦୦ ହେଉଛନ୍ତି ଜାଟ୍। ସଙ୍ଘେରା କହନ୍ତି ‘ସହରଗୁଡ଼ିକରେ ଆମେ ସବୁଠାରୁ ବଡ଼ ଗୋଷ୍ଠୀ ନୋହୁଁ, ମୁଁ ୧୯୮୮ରେ ଏହି ବ୍ୟବସାୟକୁ ଆସିଥିଲି। ଏମିତିକି ୧୦ ବର୍ଷ ପରେ, ମଣ୍ଡିରେ ମାତ୍ର ୫-୭ ଜଣ ଜାଟ୍ ଆର୍ଥିଆ ଥିଲେ। ଏବେ ୧୫୦ଟି ଦୋକାନ ଅଛି, ତା ମଧ୍ୟରୁ ଏକ ତୃତୀୟାଂଶ ଜାଟ୍ଙ୍କର। ଏବଂ ଉପକଣ୍ଠର ଛୋଟ ଛୋଟ ବଜାରରେ ଆମେ ସଂଖ୍ୟାଗରିଷ୍ଠ।’

The first two are of Guru Gobind Singh and Guru Nanak. The last two are of Guru Hargobind and Guru Tegh Bahadur. The central one in this line up of five is of Shiva and Parvati with a baby Ganesha.
PHOTO • P. Sainath

ଦର୍ଶନ ସିଂହ ସଂଘେରାଙ୍କ ଅଫିସର କାନ୍ଥରେ ଭିନ୍ନ ଭିନ୍ନ ପ୍ରକାରର ସୁନ୍ଦର ଚିତ୍ରଗୁଡ଼ିକ ଲଗାଯାଇଥିଲା

ଅଧିକାଂଶ ଜାଟ୍ମାନେ ବଣିଆ ଆର୍ଥିଆ ମାନଙ୍କର ଜୁନିୟର ପାର୍ଟନର (କନିଷ୍ଠ ସହଯୋଗୀ) ଭାବେ ଆରମ୍ଭ କରିଥିଲେ। ତା ପରେ ସେମାନଙ୍କ ନିଜ ସହରରେ ଶାଖା ଖୋଲିଲେ। ତେବେ କାହିଁକି ବଣିଆ ମାନେ ଜାଟ୍ମାନଙ୍କୁ ସେମାନଙ୍କର ସହଯୋଗୀ ଭାବେ ଚାହାନ୍ତି ? ଅର୍ଥ ଆଦାୟ କଥା ଏବଂ କଠିନ କାମର ବିପଦ ଥିଲେ, ସଙ୍ଘେରା କହନ୍ତି, ‘ବଣିଆ ଆର୍ଥିଆ ମାନେ ଭୟଭୀତ ହୋଇଯାଆନ୍ତି।’ ଜାଟ୍ ଆର୍ଥିଆ ମାନେ ଅତି ସମ୍ବେଦନଶୀଳ ନୁହନ୍ତି। ‘ଆମେ ଟଙ୍କା ଫେରସ୍ତ ପାଇଯାଉ’ ସେ ଧୀର ଭାବେ କହିଲେ। 

ମୋର ଏହି କାହାଣୀରେ ବର୍ଣ୍ଣିତ ମୁକ୍ତଶର ଜିଲ୍ଲାର ମୁଖ୍ୟତଃ ଜାଟ୍ କୃଷକ ମାନଙ୍କର ଗୋଟିଏ ଗୋଷ୍ଠୀ କର୍କଶତାପୂର୍ବକ ହସିଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, ‘ସେ ଆପଣଙ୍କୁ ସତ କହୁଥିଲେ, ଜାଟ୍ମାନେ କଠିନ କାମକୁ ଭୟ କରନ୍ତି ନାହାନ୍ତି, ବଣିଆମାନେ କରନ୍ତି।’ ଜୁନିୟର ପାର୍ଟନର (କନିଷ୍ଠ ସହଯୋଗୀ) ମାନେ ବ୍ୟବସାୟରେ ବଡ଼ ଭାଇ ହେବାର ବାଟରେ ଆଗେଇ ଚାଲିଛନ୍ତି। 

କିନ୍ତୁ ସମ୍ଭବତଃ ବଣିଆ ମାନଙ୍କ ସହ ସେହି (ପାର୍ଟନରସିପ୍)ଭାଗିଦାରୀ ସୀମିତ ଦିଗରେ ଦେଖାଯାଏ। ସଙ୍ଘେରାଙ୍କ ଅଫିସ୍ରେ, ଆମେ ତାଙ୍କ ପୁଅ ଓନକାର ସିଂଙ୍କୁ କାନ୍ଥରେ ଥିବା ପାଞ୍ଚଟି ଚିତ୍ର ବାବଦରେ ପଚାରିଲୁ। ପ୍ରଥମ ଦୁଇଟି ଗୁରୁ ଗୋବିନ୍ଦ ସିଂ ଓ ଗୁରୁ ନାନକଙ୍କର। ଶେଷ ଦୁଇଟି ଗୁରୁ ହରଗୋବିନ୍ଦ ଏବଂ ଗୁରୁ ତେଜ ବାହାଦୁରଙ୍କର। ଏହି ଧାଡ଼ିରେ ଥିବା ପାଞ୍ଚଟି ଚିତ୍ର ମଧ୍ୟରୁ ମଝିରେ ଥିବା ଚିତ୍ରଟି ଶିବ, ପାର୍ବତୀ ଓ ପିଲା ଗଣେଶଙ୍କର। ତାହା କେମିତି ଆସିଲା। 

ଓନକାର କହିଲେ ‘ଆମେ ଏହି ପେଷାକୁ ଆସିଛୁ, ଆମକୁ ଏହାର ବାଟ ବି ଆପଣାଇବାକୁ ପଡ଼ିବ’। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍‌ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath