ଚାରି ଦଶକରେ ପ୍ରଥମ ଥର ପାଇଁ ୨୦୧୭ରେ କିଲାରି ନାଗେଶ୍ୱର ରାଓ ନିଜ ଜମିରେ ଧୂଆଁପତ୍ର ଚାଷ ବନ୍ଦ କଲେ। ଏହି ଫସଲରେ ସେ ଗତ ତିନି ବର୍ଷରେ ସେ ୧୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ଏହି ବୋଝ ସେ ଆଉ ସମ୍ଭାଳିପାରିବେନି। 

ତାଙ୍କ ଫସଲର ମୂଲ୍ୟ କମ୍‌ ହୋଇଗଲା। ଧୂଆଁପତ୍ର ଚାଷର ଖର୍ଚ୍ଚ କିନ୍ତୁ ବଢ଼ିଚାଲିଲା। ୬୦ ବର୍ଷ ବୟସ୍କ ନାଗେଶ୍ୱର ରାଓଙ୍କ ଆକଳନ ଅନୁଯାୟୀ ତାଙ୍କ ଗାଁରେ ଏବେ ସମୁର୍ଦା ୨୪୦୦ ଏକର ଚାଷଜମି ମଧ୍ୟରୁ ଅର୍ଦ୍ଧେକ ପଡ଼ିଆ ପଡ଼ିଛି। ତାଙ୍କ ଗାଁ ମୁଗା ଚିନ୍ଥଲା ପ୍ରକାଶମ୍‌ ଜିଲ୍ଲାର ପୋଡ଼ିଲି ମଣ୍ଡଳରେ ଅଛି। ସେ କୁହନ୍ତି, “ଚାଷୀମାନେ ଆଉ ଧୂଆଁପତ୍ର ଚାଷ କରୁନାହାନ୍ତି କାରଣ, ଏହା ଆମକୁ କେବଳ କ୍ଷତି ଦେଉଛି। ”

ସମୁଦାୟ ଆନ୍ଧ୍ରପ୍ରଦେଶରେ ୨୦୧୫-୧୬ରେ ୩.୩ ଲକ୍ଷ ଏକର ଜମିରେ ଧୂଆଁପତ୍ର ଚାଷ ହେଉଥିଲା, ୨୦୧୬-୧୭ ବର୍ଷରେ ଏହା ୨.୨୪ ଲକ୍ଷ ଏକରକୁ ହ୍ରାସ ପାଇଛି। ଏହି ଅବଧିରେ ରାଜ୍ୟର ଧୂଆଁପତ୍ର ଉତ୍ପାଦନ ୧୬୭ ଅୟୁତ କିଲୋରୁ ୧୧୦ ଅୟୁତ କିଲୋକୁ ହ୍ରାସ ପାଇଛି ବୋଲି ଜନୈକ ଧୂଆଁପତ୍ର ବୋର୍ଡ ଅଧିକାରୀଙ୍କ ଠାରୁ ଜଣାପଡ଼ିଛି। ଏହା ବୋର୍ଡର ବାର୍ଷିକ ଲକ୍ଷ୍ୟ ୧୩୦ ଅୟୁତ କିଲୋଠାରୁ ଢେର୍ କମ୍‌। ୧୯୭୦ ଦଶକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିବା ଏହି ବୋର୍ଡର ମୁଖ୍ୟାଳୟ ଗୁଣ୍ଟୁରରେ ଅଛି। ଚାଷୀ ଓ ତମାଖୁ କମ୍ପାନୀ ମଧ୍ୟରେ ବଜାର ମଧ୍ୟସ୍ଥତା ଏହାର ମୁଖ୍ୟ ଭୂମିକା ମଧ୍ୟରେ ସାମିଲ। 


A farmer standing on a road
PHOTO • Rahul Maganti
Tobacco field
PHOTO • Rahul Maganti

ବାମ : ଧୂଆଁପତ୍ର ଚାଷରେ ଲଗାତାର କ୍ଷତି ହେବା ଫଳରେ କିଲାରି ନାଗେଶ୍ୱର ରାଓ ନିଜର ଏକର ଜମି ପଡ଼ିଆ ଛାଡିଛନ୍ତିଡାହାଣ : ପ୍ରକାଶମ୍‌ ଜିଲ୍ଲାରେ ଏକ ଧୂଆଁପତ୍ର କ୍ଷେତ। 

ଏକାଧିକ କାରଣର ମିଶ୍ରଣ ଚାଷୀମାନଙ୍କୁ ଧୂଆଁପତ୍ର ଚାଷ ତ୍ୟାଗ କରିବାକୁ ବାଧ୍ୟ କରୁଛି। ଏ ମଧ୍ୟରୁ ଗୋଟିଏ ହେଉଛି ସାଧାରଣ ଭାବରେ ଶୁଷ୍କ ଏହି ଅଞ୍ଚଳରେ ବର୍ଷ କମ୍‌ ହେବା। ବାର୍ଷିକ ହାରାହାରି ୮୦୮ ମିଲିମିଟର ବୃଷ୍ଟିପାତ ଥିବା ପ୍ରକାଶମ୍‌ ଜିଲ୍ଲାରେ ୨୦୧୭ ଜୁନ୍‌ ଠାରୁ ବୃଷ୍ଟିପାତ ପ୍ରାୟ ୫୬୦ ମିଲିମିଟରକୁ ଖସି ଆସିଛି (ରାଜ୍ୟ ସରକାରଙ୍କ ତଥ୍ୟ)। ଏହା ସ୍ୱାଭାବିକ ଭାବରେ ଶୁଷ୍କ ଅନନ୍ତପୁରର ଗତବର୍ଷର ବୃଷ୍ଟିପାତ ୫୦୮ ମିମି ଠାରୁ ମଧ୍ୟ କମ୍‌ ଏବଂ ଆନ୍ଧ୍ରପ୍ରଦେଶର ହାରାହାରି ୮୮୦ ମିମି ବୃଷ୍ଟିପାତ ଠାରୁ ଅନେକ ଅନେକ କମ୍‌।

କୃଷକ ନେତାମାନଙ୍କର ଆକଳନ, ଅନେକ ଦିନରୁ - ଶହେ ବର୍ଷରୁ ଅଧିକ କାଳ ହେବ - ଧୂଆଁପତ୍ର ପ୍ରକାଶମ୍ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଫସଲ ଥିଲା। କାରଣ ଏହି ଚାଷ ତୁଳନାତ୍ମକ ଭାବରେ କମ୍‌ ଜଳ ଆବଶ୍ୟକ କରେ। କିନ୍ତୁ ବର୍ତ୍ତମାନ ଏହି ନିମ୍ନ ବୃଷ୍ଟିପାତ ବୋରେୱଲ୍‌ର ଅତ୍ୟଧିକ ବ୍ୟବହାର ହେତୁ ନିମ୍ନଗାମୀ ହୋଇଥିବା ଭୂତଳ ଜଳସ୍ତରକୁ ଆହୁରି ତଳକୁ ନେଇଯାଉଛି।

ଅଗଷ୍ଟ ମାସରେ ଧୂଆଁପତ୍ର ବୁଣା ଆରମ୍ଭ ହେବାର କେଇମାସ ପୂର୍ବରୁ ୨୦୧୭ ମେ’ରେ ପ୍ରକାଶମ୍ ଜିଲ୍ଲାର ଭୂତଳ ଜଳ ୨୩ ମିଟର ଗଭୀରତାରେ ଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଅବଶିଷ୍ଟ ଆନ୍ଧ୍ରପ୍ରଦେଶରେ ଜଳସ୍ତର ୧୪.୭୯ ମିଟରରେ ଥିଲା। ଆନ୍ଧ୍ରପ୍ରଦେଶ ଜଳ, ଜମି ଓ ବୃକ୍ଷ ଆଇନ୍‌ , ୨୦୦୨ ଅନୁଯାୟୀ ,ଯେଉଁସ୍ଥାନରେ ଜଳସ୍ତର ୨୦ ମିଟର ତଳକୁ ରହିଛି। ସେ ସବୁ ସ୍ଥାନରେ ବୋର୍‌େୱଲ ଖୋଳାଯାଇ ପାରିବ ନାହିଁ। ତେଣୁ ଗତବର୍ଷ ଭୂତଳ ଜଳସ୍ତର ସଂରକ୍ଷଣ କରିବା ନିମନ୍ତେ ଜିଲ୍ଲାର ୧୦୯୩ ଗ୍ରାମ ମଧ୍ୟରୁ ୧୨୬ଟି ଗ୍ରାମରେ ବୋରେୱଲ ଖନନ ଉପରେ କଟକଣା ଜାରି କରାଯାଇଥିଲା ବୋଲି କୁହାଯାଉଛି। 
A farmer standing on a road
PHOTO • Rahul Maganti
Farmers started to cultivate millets and other pulses as alternative to tobacco
PHOTO • Rahul Maganti

ବାମ : ଶୁଖିଲା ବୋରୱେଲ୍‌ରେ ପାଣି ପାଇବାର ଚେଷ୍ଟାରେ ସୁବା ରାଓଙ୍କର କରଜ ବଢ଼ି ବଢ଼ି ଚାଲିଥିଲା। ଡାହାଣ : ସେ ଓ ଅନ୍ୟ ଚାଷୀମାନେ ବିକଳ୍ପ ଫସଲ ଖୋଜୁଛନ୍ତି। 

ୟେନୁଗନ୍ତି ସୁବା ରାଓ କୁହନ୍ତି, ମୁଁ ୧୧ଟି ବୋରେୱଲ (୨୦୧୧ରୁ ୨୦୧୪ ମଧ୍ୟରେ) ଖୋଲିଛି। ପ୍ରତ୍ୟେକର ଖର୍ଚ୍ଚ ପ୍ରାୟ ୨ ଲକ୍ଷ ଟଙ୍କା ଲେଖାଏଁ, କିନ୍ତୁ ସେ ମଧ୍ୟରୁ ୧୦ଟି ଅଚଳ ହୋଇ ପଡ଼ିଛି। ସେ ମୁଗା ଚିନ୍ଥଲା ଗାଁରେ ୪୦ ଏକର ଜମିରେ ଧୂଆଁପତ୍ର, ମକା ଓ ବାଜରା ଚାଷ କରିଛନ୍ତି। ଏ ମଧ୍ୟରୁ ୨୦ ଏକର ଜମି ତାଙ୍କର ଓ ଅନ୍ୟ ୨୦ ଏକର ସେ ଲିଜ୍‌ ନେଇଛନ୍ତି। ଏସବୁ ଫସଲରେ କେଇବର୍ଷ କ୍ଷତି ସୁବା ରାଓଙ୍କୁ ୨୩ ଲକ୍ଷ ଟଙ୍କାର କରଜରେ ପହଞ୍ଚାଇ ଦେଇଛି। ଗତବର୍ଷ ସେ ନିଜର ଏକରେ ଜମି ୧୫ ଲକ୍ଷ ଟଙ୍କା ଦାମରେ ବିକି କରଜ ସୁଝିବା ପରେ ଏହି କରଜ ବାକି ଅଛି। ମୁଖ୍ୟ ରାସ୍ତା କଡ଼ରେ ଥିବାରୁ ଏହି ଚାଷଜମି ପାଇଁ ଏତେ ଅଧିକ ଦାମ୍‌ ମିଳିଥିଲା।

୨୦୦୯ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ଗୁଣ୍ଡଲାକାମ୍ମା ଜଳଭଣ୍ଡାରରୁ ଜଳସେଚନ ମଧ୍ୟ ଧୂଆଁପତ୍ର କ୍ଷେତକୁ କମ୍‌ କରିଛି। ଜଳସେଚନ ସୁବିଧା ମିଳିବା ଯୋଗୁଁ ଋଣରେ ରହୁଥିବା ଚାଷୀମାନେ ଅନ୍ୟ ଫସଲ ଆଡ଼କୁ ମୁହାଁଇଲେ। ଏ ସମୟରେ ନାଗେଶ୍ୱର ରାଓ ମଧ୍ୟ ପରୀକ୍ଷା ମୂଳକ ଭାବରେ ବୁଟ, ମଟର, ଶସ୍ୟ ଆଦି ଚାଷ କଲେ। କିନ୍ତୁ ତାଙ୍କ ଉତ୍ପାଦର କମ୍‌ ବଜାର ମୂଲ୍ୟ ଯୋଗୁଁ ଏ ସବୁଥିରେ ମଧ୍ୟ କ୍ଷତି ହେଲା। ୨୦୦୫ ମସିହାରେ କ୍ରୀଷ୍ଣା ନଦୀ ଉପରେ ନିର୍ମାଣ ଆରମ୍ଭ ହୋଇଥିବା ଭେଲିଗୋଣ୍ଡା ପ୍ରକଳ୍ପ ଓ ଜଳଭଣ୍ଡାର କାମ ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି।

ତମାଖୁ କମ୍ପାନୀମାନେ କମ୍‌ ମୂଲ୍ୟ ଦେବା ଚାଷୀମାନେ ଧୂଆଁପତ୍ର ଚାଷ ଛାଡ଼ିବାର ଅନ୍ୟତମ ମୁଖ୍ୟ କାରଣ। ମୁଗା ଚିନ୍ଥଲା ଗ୍ରାମରେ ନିଜର ୫ ଏକର ଜମି ମଧ୍ୟରୁ ୩ ଏକରରେ ଧୂଆଁପତ୍ର ଚାଷ କରିଥିବା ୪୮ ବର୍ଷ ବୟସ୍କ ଦଳିତ ଚାଷୀ ବେମା କୋଣ୍ଡୟା ବୁଝାଇ କୁହନ୍ତି, “ ଗୋଟିଏ କେଜି ଧୂଆଁପତ୍ର ଅମଳ ପାଇଁ ଆମକୁ ୧୨୦ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ କିନ୍ତୁ ସିଗାରେଟ୍‌ କମ୍ପାନୀମାନେ ଆମକୁ ୯୦-୧୦୦ ଟଙ୍କା ଦେଇଥାନ୍ତି। କମ୍ପାନୀମାନେ ତମାଖୁ ବୋର୍ଡ ସହ ସଲାସୁତରା କରି କମ୍‌ ଦର ଧାର୍ଯ୍ୟ କରନ୍ତି। ”

Different grades of tobacco being separated in a shed at Nidamanuru village of Prakasam district
PHOTO • Rahul Maganti
a portrait of a Dalit farmer
PHOTO • Rahul Maganti

ବାମ : ନିଦାମାନୁରୁ ଗାଁରେ ଏକ ଶେଡ୍‌ ତଳେ ମାନ ଅନୁଯାୟୀ ଧୂଆପତ୍ର ବାଛି ଅଲଗା କରାଯାଉଛି। ଡାହାଣ : ବେମା କୋଣ୍ଡୟା କହୁଛନ୍ତି ଚାଷୀମାନେ କିପରି ତମାଖୁ କମ୍ପାନୀଗୁଡ଼ିକ ଦ୍ୱାରା କିପରି ହତାଶ ହୁଅନ୍ତି। 

ବିଜୟୱାଡ଼ାରେ ରହୁଥିବା ଅଖିଳ ଭାରତୀୟ କିଷାନ୍ ସଭାର ନେତା ନାଗବୋଇନା ରଙ୍ଗାରାଓ କୁହନ୍ତି, “ସିଗାରେଓ୍ କମ୍ପାନୀମାନେ ଏକ କେଜି ତମାଖୁରେ ୧୨୦୦ରୁ ୧୪୦୦ ଟି ସିଗାରେଟ୍ ପ୍ରସ୍ତୁତ କରନ୍ତି। ସେମାନେ ୨୫୦ ଟଙ୍କାରୁ କମ୍ ବିନିଯୋଗ କରି କେଜି ପିଛା ୨୦,୦୦୦ଟଙ୍କା କମାନ୍ତି । “ ଉଦାହରଣ ସ୍ୱରୂପ ଆଇଟିସି କମ୍ପାନୀର ୨୦୧୭ ରିପୋର୍ଟ ଅନୁଯାୟୀ ଆକଳନ ତୁଳନାରେ ୧୦,୦୦୦କୋଟି ଟଙ୍କା ଅଧିକ ଲାଭ ହୋଇଛି।

ଏହା ବ୍ୟତୀତ ମୁଗା ଚିନ୍ଥଲା ଏବଂ ପଶ୍ଚିମ ପ୍ରକାଶମ୍ର ଅବଶିଷ୍ଟ ଅଂଶରେ ଧୁଆଁପତ୍ର ଚାଷ ଅସଫଳ ହେବାର ଅନ୍ୟତମ କାରଣ ଅଞ୍ଚଳର ହାଲକା ଦାକ୍ଷିଣାତ୍ୟ ମାଟି। କୋଣ୍ଡୟା କୁହନ୍ତି, “ ଏକର ପିଛା ୩ କ୍ୱିଣ୍ଟାଲ୍ ଧ୍ରୁଆଁପତ୍ର ଅମଳ ମଧ୍ୟ ଏଠାରେ ଏକ ରେକର୍ଡ । ” ଏଠାରେ ଏକର ପିଛା ହାରାହାରି ଅମଳ ୨-୨.୫ ମଧ୍ୟରେ ।

ପୂର୍ବ ପ୍ରକାଶମ୍ ଅଞ୍ଚଳରେ କଳା ଦାକ୍ଷିଣାତ୍ୟ ମାଟି ଯାହାକି ଉପକୂଳ ଠାରୁ ନିକଟରେ ରହିଛି , ସେଠାରେ ଅମଳ ଅଧିକ। ସେ ସବୁ ଅଞ୍ଚଳରେ ଏକର ପିଛା ୬-୭ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧୁଆଁପତ୍ର ଅମଳ ହୋଇଥାଏ। ମାତ୍ର ସେଠାରେ ମଧ୍ୟ ଚାଷୀମାନେ  ଏହି ଚାଷ ବନ୍ଦ କରିବାକୁ ଯାଉଛନ୍ତି , କାରଣ କମ୍ ମୂଲ୍ୟ।

ପୂର୍ବ ପ୍ରକାଶମର ନାଗୁଲୁପ୍ପଲା ପାଡୁ ମଣ୍ଡଳର ଟି.ଅଗ୍ରହାରମ୍ ଗାଁରେ ୨୨୦ଟି ଖଳା ମଧ୍ୟରୁ ମାତ୍ର ୬୦ଟି ଏବେ କାର୍ଯ୍ୟକ୍ଷମ ଅଛି। ଏହି ଗାଁରେ ସର୍ବାଧିକ ଖଳା ଅଛି। ୨୦୧୫ ମସିହାରେ ଏ ସମ୍ପର୍କରେ ଅଧ୍ୟୟନ କରିଥିବା  ଅଖିଳ ଭାରତ କୃଷି ଶ୍ରମିକ ସଂଘର ରିପୋର୍ଟ ଅନୁଯାୟୀ ସମଗ୍ର ଆନ୍ଧ୍ରପ୍ରଦେଶରେ ଥିବା ୪୨,୦୦୦ଟି ଖଳା ମଧ୍ୟରୁ ୧୫,୦୦୦ଟି ଆଉ ବ୍ୟବହାରରେ ଲାଗୁନାହିଁ । ଖଳାଗୁଡିକ ଧୁଆଁପତ୍ର ଚାଷୀମାନଙ୍କ ପାଇଁ ଏକ ଖର୍ଚ୍ଚବହୁଳ ନିବେଶ, ଯେଉଁଠାରେ ବ୍ୟବସାୟୀମାନଙ୍କୁ କିମ୍ବା ସିଗାରେଟ୍ କମ୍ପାନୀକୁ ବିକ୍ରି କରାଯିବା ପୂର୍ବରୁ ଧୁଆଁପତ୍ର ଶୁଖାଯାଏ ଏବଂ ସାଇତି ରଖାଯାଏ । 

Srinivasa Rao at his shed where the tobacco is dried after removing it out of the barn
PHOTO • Rahul Maganti
Firewood ready to be used in the barn at T Agraharam and a barn in the background
PHOTO • Rahul Maganti

ବାମ:ଶ୍ରୀନିବାସ ରାଓ ଧୁଆଁପତ୍ର ଶୁଖା ଯାଇଥିବା ନିଜ ଶେଡ଼ରେ। ଡାହାଣ : ଟି. ଅଗ୍ରହାରମ୍ ଗାଁର ଏକ ଖଳାରେ ଧୁଆଁପତ୍ର ସାଇତି ରଖିବା ପାଇଁ ରଖାଯାଇଥିବା ଜାଳେଣୀ କାଠ । 

ଧୁଆଁପତ୍ର ଖଳା ବନ୍ଦ ହେବା ଓ ଧୁଆଁପତ୍ର କ୍ଷେତ ସଂକୁଚିତ ହେବା ପଛରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର  ଫ୍ରେମଓ୍ବାର୍କ  କନଭେସନ୍  ଅଫ୍ ଟବାକୋ କଣ୍ଟ୍ରୋଲ୍ (ଏଫ୍.ସି.ଟି.ସି) ମଧ୍ୟ ଜଡ଼ିତ ଯାହାର ଲକ୍ଷ୍ୟ ତମାଖୁ ବ୍ୟବହାର ହ୍ରାସ କରିବା। ୨୦୧୬ରେ  ଏଫ୍.ସି.ଟି.ସିରେ ସ୍ୱାକ୍ଷର କରିଥିବା ଭାରତ ସମେତ ସମସ୍ତ ଦେଶ କ୍ରମାନ୍ୱୟରେ ତମାଖୁ ଉତ୍ପାଦନ କମ୍ କରିବା ପାଇଁ ରାଜି ହୋଇଥିଲେ। ଏହି କାରଣରୁ ଧୁଆଁପତ୍ର ବୋର୍ଡ ନୂତନ ଖଳାକୁ ଅନୁମତି ଦେବା ବନ୍ଦ କରି ଦେଇଛି। ତମାଖୁର ଲାଭ ମଧ୍ୟ କ୍ରମାଗତ ଭାବରେ କମ୍ ହେଉଥିବାରୁ ଚାଷୀମାନଙ୍କ ପକ୍ଷରୁ ଆବେଦନ ମଧ୍ୟ କମ୍ ହେବାରେ ଲାଗିଛି। ଟି. ଅଗ୍ରହାରମ୍ ଗ୍ରାମର ଭାଗ ଚାଷୀ ୪୦ ବଷ୍ର ବୟସ୍କ ଶ୍ରୀନିବାସ ରାଓ ବାର୍ଷିକ ୩୦.୦୦୦ ଟଙ୍କା ଦେୟରେ ୯ ଏକର ଜମି ଲିଜ୍ ନେଇଥିଲେ। କେବଳ ଗତ ଚାଷ ଋତୁରେ ତାଙ୍କର ଦେଢ଼ ଲକ୍ଷ ଟଙ୍କା କରଜ ହୋଇଛି। ସେ କହିଥିଲେ , “୨୦୧୨ ରେ ମୁଁ ୬ ଲକ୍ଷ ଟଙ୍କା ବ୍ୟୟରେ ଖଳା ପ୍ରସ୍ତୁତ କଲି ଏବଂ ଗତବର୍ଷ ଏହାକୁ ୩ ଳକ୍ଷ ଟଙ୍କାରେ ବିକିଲି। ଆଜିକାଲି କେହି ଖଳା ମଧ୍ୟ କିଣିବାକୁ ଚାହୁଁ ନାହାନ୍ତି। ଆମେ ସରକାରଙ୍କଠାରୁ ଖଳାପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ଦାବି କରୁଛୁ। ତା’ପରେ କେଇ ମିନିଟରେ ଆମେ ଧୁଆଁପତ୍ର ଚାଷ ଛାଡିଦେବୁ । ୨୦୧୦ ମସିହାରେ ୩୩ ମୁଥ ଶ୍ରମିକ( ଶ୍ରମିକ ଦଳ)  ଅନ୍ୟ ଗାଁରୁ  ଆସି ଏଠାର ଖଳାରେ କାମ କରୁଥିଲେ। ଚଳିତ ବର୍ଷ ଏଠାରେ ମାତ୍ର ୧୦ ମୁଥ କାମ କରୁଛନ୍ତି। ”

ଉପରୋକ୍ତ କାରଣ ସବୁ ଯୋଗୁଁ ପ୍ରକାଶମର ଧୁଆଁପତ୍ର ଚାଷୀମାନେ ଅନ୍ୟ ବିକଳ୍ପ ଖୋଜୁଛନ୍ତି , ଲାଭଜନକ ଫସଲ ହୋଇଥିବ କିନ୍ତୁ ସର୍ବନିମ୍ନ ଜଳରେ ବଢ଼ି ପାରୁଥିବ। ମୁଁ ଯେତେବେଳେ ମୁଗା ଚିନ୍ଥଲା ଗାଁକୁ ଯାଇଥିଲି , ସେତେବେଳେ ସୁବ୍ୱାରାଓ ନିଜ ସ୍ମାର୍ଟ ଫୋନରେ ଅନ୍ୟ ଚାଷୀମାନଙ୍କୁ ୟୁ-ଟୁବରେ ଲାଖ ଫସଲ ବିଷୟରେ ଏକ ଭିଡ଼ିଓ ଦେଖାଉଥିଲେ। ସେ କହିଲେ, “ଆମେ ଆମ ଗାଁରେ ଏହି ଫସଲ ଚେଷ୍ଟା କରିବା ”ସେମାନେ ମୁଣ୍ଡ ହଲାଇ ଏହି ଫସଲ ବିଷୟରେ ଅଧିକ ସେମାନଙ୍କୁ କହିବା ପାଇଁ କହୁଥିଲେ। ସେ ବୁଝାଉଥିଲେ , “ ଏହା ଏକ ଅର୍ଥକାରୀ ଫସଲ ଯାହାକି ଶ୍ରୀକାକୁଲମ୍ ଜିଲ୍ଲା ଓ ଓଡ଼ିଶାର କିଛି ଅଂଶରେ ଚାଷ କରାଯାଏ। ଏହା ଅଧିକ ପାଣି ମଧ୍ୟ ଆବଶ୍ୟକ କରେ ନାହିଁ।”

ଏ ମଧ୍ୟରେ ନୂଆ ଦିଲ୍ଲୀର ବସ୍ ଷ୍ଟପ୍ ଏବଂ ଅଟୋରିକ୍ସାରେ ‘ଆମ ଜୀବିକାକୁ ସୁରକ୍ଷା ଦିଅ’ଦାବୀ ସମ୍ବଳିତ ଚାଷୀମାନଙ୍କ ପୋଷ୍ଟର ଦେଖିବାକୁ ମିଳୁଛି। ଏସବୁ ଜାତୀୟ ତମାଖୁ ବିକ୍ରେତାମାନଙ୍କ ସଂଗଠନ ଅଖିଳ ଭାରତୀୟ  ପାନ ବିକ୍ରେତା ସଂଗଠନର ଲୋଗୋ ଓ ନାମ ବହନ କରିଛି। ଯେତେବେଳେ ମୁଁ ଚାଷୀମାନଙ୍କୁ ଏହି ପ୍ରଚାର ଅଭିଯାନ ସମ୍ପର୍କରେ ପଚାରିଲି ସେମାନେ ତମାଖୁ କମ୍ପାନୀଗୁଡ଼ିକୁ ଗାଳି ଦେଇଥିଲେ। ଏହାପରେ ସୁବ୍ୱାରାଓ କହିଲେ, “ଯଦି ଚାଷୀ ମାନେ ଏକାଠି ହେବେ, ଜଳସେଚନ ସୁବିଧା କିମ୍ବା ସିଗାରେଟ୍ କମ୍ପାନୀଗୁଡ଼ିକ ବିରୋଧରେ ଲଢ଼ିବେ ,ତା’ହେଲେ ଆମ ଅବସ୍ଥା ସୁଧୁରିବ।”

ଏହି ନିବନ୍ଧଟି ସହ ଲେଖକୀୟତାରେ ‘ ଦି ହିନ୍ଦୁ ବିଜିନେସ୍ ‘ରେ ୨୦୧୮ ଫେବୃଆରୀ ମାସରେ ମୂଳ ରୂପରେ ପ୍ରକାଶ ପାଇଥିଲା ।


ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti