ମୁଣ୍ଡରେ ବଡ଼ ବୋଝ ନେଇ ସେ ପାହାଡ଼ ଉପରୁ ଓହ୍ଲାଇ ଆସୁଥିଲେ, ସେହି ବୋଝରେ ତାଙ୍କର ମୁହଁ ଲୁଚି ଯାଉଥିଲା । ଦେଖାଯାଉଥିବା କାମ, ଅଦୃଶ୍ୟ ମହିଳା । ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏହି ଭୂମିହୀନ ମହିଳାଙ୍କ ପାଇଁ ଏହା ଆଉ ଗୋଟିଏ ଦିନର ପରିଶ୍ରମ । ପାଣି, ଜାଳେଣି ଓ ପଶୁଙ୍କ ଖାଦ୍ୟ ସଂଗ୍ରହ କରିବା, ଏହା ହିଁ ସେହି ତିନିଟି କାମ ଯାହା ଜଣେ ମହିଳାଙ୍କର ଜୀବନର ଏକ ତୃତୀୟାଂଶ ସମୟ ନେଇଯାଏ । ଦେଶର ବିଭିନ୍ନ ଭାଗରେ ପାଣି ଓ ଜାଳେଣି ସଂଗ୍ରହ କରିବାକୁ ମହିଳାମାନେ ଦିନକୁ ସାତ ଘଣ୍ଟା ସମୟ ଦିଅନ୍ତି । ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ବି ସମୟ ନିଏ । ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ମହିଳା ଏହି ତିନିଟି ଜିନିଷ ସଂଗ୍ରହ କରିବାକୁ ପ୍ରତିଦିନ ବହୁ କିଲୋମିଟର ଚାଲନ୍ତି ।

Woman carrying firewood with child behind
PHOTO • P. Sainath

ମୁଣ୍ଡ ଉପରେ ଥିବା ବୋଝ ଖୁବ୍‌ ଭାରୀ । ମାଲକାନଗିରିରେ ଆଦିବାସୀ(ମୂଳ ବାସିନ୍ଦା) ମହିଳା, ମୁଣ୍ଡରେ ପ୍ରାୟ 30 କିଲୋଗ୍ରାମର ଜାଳେଣି କାଠ ଲଦି ଗୋଟିଏ ଗଡ଼ାଣିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ଏବଂ ତାଙ୍କୁ ଆହୁରି 3 କିଲୋମିଟର ଯିବାକୁ ଅଛି । ବହୁ ମହିଳା ଘରକୁ ପାଣି ଆଣିବା ପାଇଁ ସମାନ ବା ଅଧିକ ରାସ୍ତା ଚାଲନ୍ତି ।

ମଧ୍ୟପ୍ରଦେଶ ଝାବୁଆରେ କାଠ ଗଣ୍ଡି ଉପରେ ଛିଡ଼ା ହୋଇ କୌଣସି ନନ୍ଦ ନ ଥିବା କୂଅରୁ ପାଣି ବାହାର କରୁଛନ୍ତି । କାଦୁଅ ଓ ଧୂଳିକୁ ଦୂରରେ ରଖିବା ପାଇଁ କୂଅ ମୁହଁରେ କାଠ ଗଣ୍ଡି ସବୁ ପକାଯାଇଛି । ସେ ସବୁ ବନ୍ଧା ବି ଯାଇନାହିଁ । ଯଦି ସେ ନିଜର ଭାରସାମ୍ୟ ହରାନ୍ତି, ତେବେ କୋଡ଼ିଏ ଫୁଟ ଗଭୀର କୁଅରେ ପଡ଼ିବେ । ଯଦି ସେ କଡ଼କୁ ପଡ଼ିବେ, ତେବେ କାଠ ଗଡ଼ଗୁଡ଼ିକ ତାଙ୍କ ପାଦ ଉପରେ ପଡିଯାଇପାରେ ।

PHOTO • P. Sainath

ଜଙ୍ଗଲ ନଷ୍ଟ ହୋଇଥିବା ବା ପାଣି ଅଭାବ ଥିବା ସ୍ଥାନଗୁଡ଼ିକରେ ସ୍ଥିତି ସବୁଠାରୁ ଖରାପ ହୋଇଯାଏ । ଦୂରତା ଅଧିକ ହୋଇଯାଏ । ତେଣୁ ମହିଳା ଏକା ଥରକେ ଅଧିକ ବୋଝ ଲଦି ନେବାକୁ ଚାହାନ୍ତି।  

ଭଲ ସମୟରେ ଏହା ସବୁଠାରୁ କଠିନ କାମ । କିନ୍ତୁ ଲକ୍ଷ ଲକ୍ଷ ଗାଁ ଲୋକ ଯେତେବେଳେ ସେମାନଙ୍କ ଗାଁ ଜମି ହରାଇ ଦିଅନ୍ତି, ସେତେବେଳେ ସମସ୍ୟା ଅଧିକ ଜଟିଳ ହୋଇଯାଏ । ସାରା ଦେଶରେ ଅଧିକାଂଶ ରାଜ୍ୟରେ ଗାଁର ସର୍ବସାଧାରଣ ଜମି ସବୁ ଧୀରେ ଧୀରେ ଘରୋଇ କରଣ ହୋଇଯାଉଛି । ଏହା ଗରିବମାନଙ୍କୁ, ଖାସ୍ କରି କୃଷି ଶ୍ରମିକମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି । ବର୍ଷ ବର୍ଷ ଧରି ସେମାନେ ସେ ସବୁ ଜମିକୁ ଚାଷ କରିଆସୁଥିଲେ, ସେଥିରୁ ଉତ୍ପାଦିତ ଶସ୍ୟ ଖାଦ୍ୟ ଭାବେ ବ୍ୟବହାର କରୁଥିଲେ । ଜମି ହରାଇବା ଅର୍ଥ, ଅନ୍ୟ ସବୁ ସହ ପୋଖରୀ, ଯିବା ଆସିବା ରାସ୍ତା, ଚାରଣ ଭୂଇଁ, ଜାଳେଣି କାଠ, ପଶୁ ଖାଦ୍ୟ ଏବଂ ସମସ୍ତଙ୍କ ପାଇଁ ପାଣି ହରାଇବା । ଏହାର ଅର୍ଥ ଗଛ ଲତାପୂର୍ଣ୍ଣ ଗୋଟିଏ ଅଞ୍ଚଳ ହରାଇବା ଯେଉଁଠାରୁ ସେମାନେ ଖାଦ୍ୟ ପାଇଥାନ୍ତେ।

PHOTO • P. Sainath

ସର୍ବ ସାଧାରଣ ଜମି ସବୁର ଘରୋଇକରଣ ଏବଂ ବାଣିଜ୍ୟକରଣ ଗରିବ ପୁରୁଷ ଓ ମହିଳାମାନଙ୍କୁ ସମାନ ଭାବରେ ପ୍ରଭାବିତ କରିଛି । କିନ୍ତୁ କେବଳ ମହିଳାମାନେ ହିଁ ଜମିରୁ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରନ୍ତି । ଦଳିତ(ଜାତିପ୍ରଥା ଅନୁସାରେ ଯେଉଁମାନେ ‘ଅଛୁଆଁ) ଏବଂ ଅନ୍ୟାନ୍ୟ ଅଧିକାର ନ ଥିବା ଭୂମି ହୀନ ଶ୍ରମିକ ଏହା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ । ହରିୟାଣା ଭଳି ରାଜ୍ୟରେ ଉଚ୍ଚ ଜାତିର ଲୋକେ  ନେତୃତ୍ଵ ନେଉଥିବା ପଞ୍ଚାୟତଗୁଡ଼ିକ କାରଖାନା, ହୋଟେଲ୍‌, ମଦଭାଟି, ବିଳାସପୂର୍ଣ୍ଣ ଫାର୍ମ ହାଉସ୍‌ ଏବଂ କଲୋନୀ ନିର୍ମାଣ କରିବାକୁ ସର୍ବ ସାଧାରଣ ଜମି ଲିଜ୍‌ରେ ଦେଇ ଦେଇଛନ୍ତି ।

ଅମଳ ପାଇଁ ବ୍ୟବହୃତ ବୃହତ୍‌ ଯନ୍ତ୍ରପାତି, ଟ୍ରାକ୍ଟର ଆଦିର ବ୍ୟବହାର ଫଳରେ ଜମି ମାଲିକମାନେ ଏବେ କମ୍ ଶ୍ରମିକ ଆବଶ୍ୟକ କରୁଛନ୍ତି । ତେଣୁ ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ ଏବେ ଗାଁର ସେହି ସର୍ବସାଧାରଣ ଜମି ସବୁକୁ ବିକ୍ରି କରିଦେଇପାରିବେ ଯାହା ଗାଁରେ ଗରିବ ଶ୍ରମିକଙ୍କୁ ରଖିବା ଏବଂ ସେମାନଙ୍କ ଚଳିବା ପାଇଁ କାମରେ ଲାଗୁଥିଲା । ଅଧିକାଂଶ ସମୟରେ ଯେତେବେଳେ ଗରିବ ଲୋକମାନେ ସେ ସବୁ ଜମିକୁ ବିକ୍ରି କରିବାର ପ୍ରତିବାଦ କରନ୍ତି, ଜମି ମାଲିକମାନେ ତାଙ୍କୁ ଜାତି ଏବଂ ଅର୍ଥନୈତିକ ଅବରୋଧ କରିବା ଭଳି ଜବାବ୍ ଦିଅନ୍ତି । ସେହି ସବୁ ଜମି ହରାଇବା ଏବଂ ଅବରୋଧ କାରଣରୁ ଅଧିକାଂଶ ସ୍ଥାନରେ ମହିଳାମାନଙ୍କର ଶୌଚ ହେବା ପାଇଁ ସ୍ଥାନ ବି ନାହିଁ । ଏହା ଏବେ ଅଧିକାଂଶଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି ।

Tribal woman carrying firewood on head
PHOTO • P. Sainath

ଜାଳେଣି, ପଶୁ ଖାଦ୍ୟ ଏବଂ ପାଣି ସଂଗ୍ରହ କରିବାରେ ଲକ୍ଷ ଲକ୍ଷ ପରିବାର ସେମିତି ଚାଲୁଥାଆନ୍ତି । କିନ୍ତୁ ଚାକିରି କରୁଥିବା ଲୋକମାନେ ଏଥିପାଇଁ ବହୁ ମୂଲ୍ୟ ଦିଅନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath