ସେ ଭୋର ସାଢ଼େ ଚାରିଟାରୁ ଉଠିଛନ୍ତି ଏବଂ ତାର ଘଣ୍ଟାଏ ପରଠାରୁ ଛତିଶଗଡ଼ର ସୁରଗୁଜା ଜଙ୍ଗଲରୁ କେନ୍ଦୁପତ୍ର ତୋଳୁଛନ୍ତି। ଏହି ସମୟରେ, ତାଙ୍କ ଭଳି ରାଜ୍ୟର ହଜାର ହଜାର ଆଦିବାସୀ (ମୂଳ ବାସିନ୍ଦା) ସମାନ କାମ କରୁଛନ୍ତି। ପୁରା ପରିବାର ପତ୍ର ତୋଳିବା କାମକୁ ସଂଘବଦ୍ଧ ଭାବେ କରନ୍ତି, ଯାହା ବିଡ଼ି ତିଆରିରେ ବ୍ୟବହୃତ ହୁଏ।

PHOTO • P. Sainath

ଦିନେ ଦିନେ ତାଙ୍କର 6 ଜଣିଆ ପରିବାର 90 ଟଙ୍କା ଯାଏଁ ରୋଜଗାର କରନ୍ତି। କେନ୍ଦୁ ଋତୁର ଦୁଇ ସପ୍ତାହରେ ସେମାନେ ପରବର୍ତ୍ତୀ 3 ମାସର ରୋଜଗାର ଠାରୁ ଅଧିକ ଆୟ କରନ୍ତି। ତେଣୁ ଋତୁ ଥିବା ଯାଏଁ ସେମାନେ ଏଥିରୁ ଅଧିକରୁ ଅଧିକ ଆୟ କରିବାକୁ ଚାହାନ୍ତି। ଆଗାମୀ ଛଅ ସପ୍ତାହ ମଧ୍ୟରେ, ସେମାନଙ୍କୁ ଆଉ ଗୋଟିଏ ନୂଆ ଜୀବନ ଧାରଣ ମାଧ୍ୟମ ଦରକାର ପଡ଼ିବ। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ସବୁ ପରିବାର ଏବେ ଜଙ୍ଗଲରୁ ବାହାରି ଯାଇଛନ୍ତି। ଆଦିବାସୀଙ୍କ ଅର୍ଥନୀତି ଦୃଷ୍ଟିରୁ କେନ୍ଦୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ।

PHOTO • P. Sainath

ଠିକ୍ ଏମିତି ହେଉଛି ମହୁଲ ଫୁଲ ତୋଳିବା ବା ତେନ୍ତୁଳି ସଂଗ୍ରହ କରିବା ବା ଚିରଞ୍ଜି ଓ ଶାଳ ପତ୍ର ସଂଗ୍ରହ କରିବା। ଦେଶର କିଛି ଭାଗରେ ଆଦିବାସୀ ପରିବାର ସେମାନଙ୍କ ଆୟର ଅଧା ଭାଗ ପାଇଁ କାଠ ବ୍ୟତୀତ ଅନ୍ୟାନ୍ୟ  ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ସେମାନେ ଏଥିପାଇଁ ଯାହା ପାଆନ୍ତି ତାହା ସେହି ଦ୍ରବ୍ୟ ମୂଲ୍ୟର ଖୁବ୍ କମ୍ ଅଂଶ ହୋଇଥାଏ। କେବଳ ମଧ୍ୟପ୍ରଦେଶରେ ଏହି ଦ୍ରବ୍ୟ ସବୁର ମୂଲ୍ୟ ବର୍ଷକୁ ଅତି କମ୍ରେ 2000 କୋଟି ହୋଇଥାଏ। ରାଜ୍ୟ ଗୁଡ଼ିକ ଦ୍ଵାରା ଜଙ୍ଗଲ ସବୁକୁ ବନ୍ଦ କରିଦିଆଯାଇଥିବାରୁ ଏହାର ସଠିକ୍ ହିସାବ ମିଳିବା କଷ୍ଟକର। କିନ୍ତୁ ସାରା ଦେଶରେ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟର ବାର୍ଷିକ ମୂଲ୍ୟ 15,000 କୋଟି ଟଙ୍କା ବା 3.09 ବିଲିୟନ୍ ଡଲାରରୁ ଅଧିକ।  

କିନ୍ତୁ ଆଦିବାସୀ ମହିଳା ଓ ତାଙ୍କ ପରିବାର ଲୋକେ ସେଥିରୁ ଖୁବ୍ କମ୍ ଟଙ୍କା ପାଆନ୍ତି। ସେମାନଙ୍କ ପାଇଁ ଏହା କେବଳ ଜୀବନ ଧାରଣର ମାଧ୍ୟମ। ସେଥିପାଇଁ ବି ଏହା ଯଥେଷ୍ଟ ନୁହେଁ। ମଧ୍ୟସ୍ଥି, ବ୍ୟବସାୟୀ, ମହାଜନ ଓ ଅନ୍ୟମାନେ ପ୍ରକୃତରେ ଏଥିରୁ ଆୟ କରୁଛନ୍ତି। କିନ୍ତୁ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଥିବା ଲୋକମାନେ କେତେ ପାଉଛନ୍ତି? ବିଶେଷ କରି ଗ୍ରାମୀଣ ମହିଳାମାନେ ଏହାକୁ ସଂଗ୍ରହ କରନ୍ତି। ସେମାନେ ଏଭଳି ଜଙ୍ଗଲ ଜାତ ଦ୍ରବ୍ୟକୁ ବହୁ ପରିମାଣରେ ସଂଗ୍ରହ କରନ୍ତି। ଏଥିରେ ଔଷଧୀୟ ଗୁଳ୍ମ ମଧ୍ୟ ଥାଏ ଯାହା ବିଶ୍ଵସ୍ତରରେ କୋଟି କୋଟି ଟଙ୍କାରେ କାରବାର ହୁଏ। ଯେତେବେଳେ ସେହି ବ୍ୟବସାୟ ବଢ଼ି ବଢ଼ି ଚାଲିଛି, ଏହି ମହିଳା ଓ ସେମାନଙ୍କ ପରିବାରର ଜୀବନ ଦୟନୀୟ ହୋଇଚାଲିଛି। ଏହା ପଛର କାରଣ ହେଉଛି ସେମାନଙ୍କୁ ଶୋଷଣ କରୁଥିବା ନେଟୱର୍କ। 

PHOTO • P. Sainath

ଯେତେ ଅଧିକ ଜଙ୍ଗଲ ଜମି କମୁଛି, ତାଙ୍କର କାମ ସେତେ ଅଧିକ କଷ୍ଟକର ହେଉଛି। ତାଙ୍କର ପାହାଡ଼ ଚଢ଼ିବା ଓ କାମ କରିବା ସମୟ ଅଧିକ ବଢୁଛି। ଆଦିବାସୀ ପରିବାରଙ୍କ ମଧ୍ୟରେ ଦାରିଦ୍ର୍ୟ ଯେତେ ବଢୁଛି, ସେମାନେ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେତେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଏଥିସହ ତାଙ୍କର ଦାୟିତ୍ଵ ବି ବଢୁଛି। 

ଓଡ଼ିଶାରେ ଏହି କାମ କରୁଥିବା ମହିଳାମାନେ ଦିନକୁ 3 ରୁ 4 ଘଣ୍ଟା ଚାଲନ୍ତି। ସେମାନେ ଦିନକୁ ପ୍ରାୟ 15 ଘଣ୍ଟା ଯାଏଁ କାମ କରନ୍ତି। ଦେଶର ଲକ୍ଷ ଲକ୍ଷ ଗରିବ ଆଦିବାସୀ ମହିଳା ସେମାନଙ୍କର ସଂଘର୍ଷ କରୁଥିବା ପରିବାରକୁ ଏହି ବାଟରେ ବଞ୍ଚାଇ ରଖିବାକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏହି କାମ କରିବା ବେଳେ ସେମାନେ ଜଙ୍ଗଲ ଗାର୍ଡ, ବ୍ୟବସାୟୀ, ପୋଲିସ୍, ପ୍ରଶାସନ ଦ୍ଵାରା  ନିର୍ଯାତିତ ହୁଅନ୍ତି।

PHOTO • P. Sainath

ଆନ୍ଧ୍ରପ୍ରଦେଶର ବିଜୟନଗରମରେ ମହିଳାମାନେ ଝାଡୁ ସବୁକୁ ଏକାଠି ରଖିଛନ୍ତି। ସେହି ରାଜ୍ୟର ବହୁ ଆଦିବାସୀ ପରିବାର ସେମାନଙ୍କ ମୋଟ ଆୟର ଅଧାରୁ ଅଧିକ ସିଧାସଳଖ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ପାଆନ୍ତି। ଅଣ ଆଦିବାସୀ ଗରିବଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ଜୀବନ ଧାରଣ ପାଇଁ କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। 

PHOTO • P. Sainath

ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡର ମହିଳା ବହୁ କାମ କରିପାରନ୍ତି। ସେ କେବଳ ପାତ୍ର ତିଆରି ଓ ମରାମତି କରନ୍ତି ତାହା ନୁହେଁ ଏହା ତାଙ୍କର ପାରିବାରିକ ବ୍ୟବସାୟ। ସେ ମଧ୍ୟ ଦଉଡ଼ି, ଝୁଡ଼ି ଏବଂ ଝାଡୁ ତିଆରି କରନ୍ତି। ସେ ଆଶ୍ଚର୍ଯ୍ୟ କଲା ଭଳି ବହୁ ସଂଖ୍ୟାରେ ସାମଗ୍ରୀ ଉତ୍ପାଦନ କରନ୍ତି, ତାହା ପୁଣି ଏମିତି ଗୋଟିଏ ଅଞ୍ଚଳରେ ଯେଉଁଠି ଜଙ୍ଗଲ ପ୍ରାୟ ଶେଷ ହୋଇସାରିଛି। ସେ ମଧ୍ୟ ଠିକ୍ ଭାବେ ଜାଣିଛନ୍ତି, ଏହି ପ୍ରକାରର ମାଟି କେଉଁଠାରୁ ସଂଗ୍ରହ କରିବାକୁ ହେବ। ତାଙ୍କର ଜ୍ଞାନ ଓ କାମ କରିବାର କ୍ଷମତା ଅସାଧାରଣ, ତାଙ୍କ ପରିବାରର ସ୍ଥିତି ଦୟନୀୟ.

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath