ଜଣେ କୃଷକ ନେତା କହିଲେ, ‘ଇନକିଲାବ ଜିନ୍ଦାବାଦ’।  ‘ଜିନ୍ଦାବାଦ, ଜିନ୍ଦାବାଦ’, ଅନ୍ୟମାନେ ତା’ର ଉତ୍ତର ଦେଲେ।  ୧୮୦ କିମି ଧରି ଯାତ୍ରା କରିବା ପରେ କ୍ଲାନ୍ତ ଚାଷୀମାନେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଏହି ସ୍ଲୋଗାନ୍ ଦେଉଥିଲେ।  ନାସିକରେ ମାର୍ଚ୍ଚ ୬ ତାରିଖରେ ଶୋଭାଯାତ୍ରାର ଆରମ୍ଭ ସମୟରେ ଯେଉଁ ପରିମାଣରେ ଶକ୍ତି ଥିଲା ତାହା ମାର୍ଚ୍ଚ ୧୨ ତାରିଖରେ ଶୋଭାଯାତ୍ରାର ଅନ୍ତ ହେବାବେଳେ ନଥିଲା।  କିନ୍ତୁ ସେମାନଙ୍କର ସମୂହ ଇଚ୍ଛାଶକ୍ତି ଅପରିବର୍ତ୍ତିତ ଥିଲା।  ଏପରିକି ଖରାରେ ଏକ ସପ୍ତାହ ଧରି ଚାଲିବା ପରେ ଅନେକଙ୍କର ପାଦରେ ଫୋଟକା ହୋଇଯାଇଥିଲା, ପାଦରୁ ରକ୍ତ ବୋହୁଥିଲା, ସେମାନେ ରାତିରେ ଖୋଲା ଆକାଶ ତଳେ ଶୋଉଥିଲେ, ଖୁବ୍ କମ୍ ଖାଉଥିଲେ ତଥାପି ‘ଇନକିଲାବ ଜିନ୍ଦାବାଦ’ ନାରା ଦେଲାମାତ୍ରେ ସେମାନେ ତା’ର ଉତ୍ତର ଫେରାଉଥିଲେ।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ)ର କୃଷକ ସଂଗଠନ ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଆୟୋଜନ  କରାଯାଇଥିବା ଏହି ଐତିହାସିକ ଶୋଭାଯାତ୍ରା ନାସିକ ସହରର ସିବିଏସ ଚୌକରୁ ପ୍ରାୟ ୨୫,୦୦୦ ପ୍ରଦର୍ଶନକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।  ଚାଷୀମାନେ ମୁମ୍ବାଇରେ ପହଞ୍ଚିବାବେଳକୁ  ସେମାନଙ୍କର ସଂଖ୍ୟା ୪୦,୦୦୦ରୁ ଅଧିକ ହୋଇସାରିଥିଲା ବୋଲି କିଷାନ ସଭାର ସାଧାରଣ ସଂପାଦକ ଏବଂ ଆୟୋଜକଙ୍କ ମଧ୍ୟରୁ ଅନ୍ୟତମ ଅଜିତ ନାୱଲେ ଆକଳନ କରନ୍ତି।

ସେମାନେ ସମସ୍ତେ ଅବସନ୍ନ ହୋଇସାରିଥିଲେ କିନ୍ତୁ ସେମାନଙ୍କର ଇଚ୍ଛାଶକ୍ତି ସେଭଳି ସୁଦୃଢ ରହିଥିଲା।

ସେମାନେ ଯେତେଯେତେ ଆଗକୁ ବଢ଼ିଲେ ସାରା ରାଜ୍ୟର ଅଧିକସଂଖ୍ୟକ ଚାଷୀ ଶାହପୁର (ମୁମ୍ବାଇରୁ ୭୩ କିମି ଦୂର)ଏବଂ ଥାନେ (ମୁମ୍ବାଇରୁ ୨୫ କିମି ଦୂର)ରେ ସେମାନଙ୍କ ସହିତ ଶୋଭାଯାତ୍ରାରେ ଯୋଡ଼ିହେଲେ। (ଦେଖନ୍ତୁ କ୍ଷେତ ଓ ପଡ଼ିଆରୁ: ମୁମ୍ବାଇକୁ ଦୂରରୁ ଯାତ୍ରା)

ଭିୱାଣ୍ଡି ତାଲୁକାର ସୋନାଲେ ଗାଁ (ଆଜାଦ ପଡ଼ିଆରୁ ପାଖାପାଖି ୫୫ କିମି ଦୂରରେ ଥିଲା)ର ପଡିଆରେ ମାର୍ଚ୍ଚ ୧୦ ତାରିଖ ଅପରାହ୍ନରେ କୃଷକମାନେ ଯେଉଁଠାରେ ମଧ୍ୟାହ୍ନ ଭୋଜନ କରୁଥିଲେ, ସେଠାରେ ଥିବା ଏକ ଟେମ୍ପୋରେ ଡେରି ହୋଇ ବିଶ୍ରାମ ନେଉଥିବା ବିଲାସ ବାବର କହିଲେ, ସେହି ଯାତ୍ରା ଏତେ କଷ୍ଟକର ନ ଥିଲା, ଯେତିକି ସରକାରଙ୍କ ବ୍ୟବହାର ଆମକୁ କଷ୍ଟ ଦେଲା।  ପଡିଆରେ ବସିଥିବା ହଜାର ହଜାର କୃଷକଙ୍କୁ ବଡ ବଡ ଆଲୁମିନିୟମ୍ ପାତ୍ରରୁ ଭାତ ଓ ଡାଲି ପରସା ଯାଉଥିଲା।  ପ୍ରତି ତାଲୁକାରୁ ଆସିଥିବା ଚାଷୀମାନେ ଶସ୍ୟ ସଂଗ୍ରହ କରି ମିଳିତ ଭାବେ ସେହି ଖାଦ୍ୟ ପ୍ରସ୍ତୁତ କରିଥିଲେ।   

PHOTO • Shrirang Swarge

ନାସିକରୁ କୃଷକ ମାନଙ୍କର ଯାତ୍ରା ଜାରି ରହିଥିଲା, ସେମାନଙ୍କ ସଂଖ୍ୟା ୪୦,୦୦୦ ଟପି ସାରିଥିଲା  ପଞ୍ଚମ ଦିନ ସୁଦ୍ଧା ସେମାନେ ମୁମ୍ବାଇରୁ ୫୫ କିମି ଦୂର ଭିୱାଣ୍ଡିରେ ପହଞ୍ଚି ସାରିଥିଲେ  

ସୋନାଲେର ପଡିଆରେ ପହଞ୍ଚିବାର କେଇ ଶହ ମିଟର ପୂର୍ବରୁ, ଜାତୀୟ ରାଜପଥ କଡରେ ଥିବା ଗୋଟିଏ ଢାବା ପକ୍ଷରୁ ତୃଷାର୍ତ୍ତ କୃଷକମାନଙ୍କୁ ପାଣି ପିଇବାକୁ ଦିଆଯାଉଥିଲା।  ଢାବାର ଚାରି ଜଣ କର୍ମଚାରୀ ପାଣି ଭର୍ତ୍ତି ଜଗ୍ ଓ ଗ୍ଲାସ୍ ଧରି ଅପେକ୍ଷା କରିଥିଲେ, ନିକଟରେ ଥିବା ଡ୍ରମରୁ ସେମାନେ ଜଗ୍ରେ ପାଣି ଭର୍ତ୍ତି କରି ଦେଉଥିଲେ।

ଶୋଭାଯାତ୍ରା ପଞ୍ଚମ ଦିନରେ ପହଞ୍ଚି ସାରିଥିଲା, ଏବଂ କୃଷକମାନେ ଏବେ ମଧ୍ୟ  ଦକ୍ଷିଣ ମୁମ୍ବାଇ ସ୍ଥିତ ସେମାନଙ୍କ ଗନ୍ତବ୍ୟ ସ୍ଥଳଠାରୁ ୫୫ କିଲୋମିଟର ଦୂରରେ ଥିଲେ।  

ମରାଠୱାଡା ପରଭାଣି ଜିଲ୍ଲାର ସରପିମାରି ଗାଁରୁ ଆସିଥିବା ପ୍ରାୟ ୪୫ ବର୍ଷ ବୟସ୍କ ବାବର, ମାର୍ଚ୍ଚ ୫ ତାରିଖରେ ପରବାନି ସହରରୁ ନାସିକ ଅଭିମୁଖେ ଟ୍ରେନ୍ ଚଢିଥିଲେ, ଏ ଯାଏଁ ତାଙ୍କର ଯାତ୍ରା ଜାରି ରହିଛି।  ସେ କହିଲେ, ଆମ ପାଖରେ ଆଉ କଣ ବିକଳ୍ପ ଥିଲା।  ମୋର ପାଞ୍ଚ ଏକର କପା ଫସଲକୁ ପିଙ୍କ ବୋଲୱର୍ମ (ଏକ ପ୍ରକାର କୀଟ) ସମ୍ପୂ୍ର୍ଣ୍ଣଭାବେ ନଷ୍ଟ କରିଦେଲେ।  ଏହା (ଅମଳ କରିବାକୁ ଥିବା କପା) ପ୍ରାୟ ୬୦ କୁଇଣ୍ଟାଲ ଥିଲା।  ଆପଣ ସର୍ବନିମ୍ନ କ୍ୱିଣ୍ଟାଲ୍ ପ୍ରତି ୪,୦୦୦ ଟଙ୍କା ଲେଖାଏଁ ହିସାବ କଲେ ବି, ମୁଁ ପ୍ରାୟ ୨.୫ ଲକ୍ଷ ଟଙ୍କା ହରାଇଲି।  ୨୦୧୭ ନଭେମ୍ବରରେ ବୋଲୱର୍ମ(କୀଟ) ବିଦର୍ଭ ଓ ପରଭାଣିରେ ହେଉଥିବା ବ୍ୟାପକ କପା ଫସଲକୁ ଆକ୍ରମଣ କରିଥିଲେ, ସେହି ସମୟରେ ଯେଉଁ ସମୟରେ କପା ଅମଳ ହେବା କଥା।  

ବାବର ଟମାଟୋ ବି ଚାଷ କରନ୍ତି।  ସେ କହିଲେ, “ମୁଁ ବ୍ୟବସାୟୀମାନଙ୍କୁ ମାତ୍ର କିଲୋ ପିଛା ୧ ଟଙ୍କା ଦରରେ ଟମାଟୋ ନେଇଯିବା ପାଇଁ ଅନୁରୋଧ କଲି, କିନ୍ତୁ ସେମାନେ ଆଗ୍ରହୀ ନ ଥିଲେ (କାରଣ ଟମାଟୋର ମୂଲ୍ୟ ଖୁବ୍ କମ୍ ହୋଇଯାଇଥିଲା, ଏହା ସବୁଠାରୁ କମ୍ ମୂଲ୍ୟର ହୋଇଥିଲା)। ସରକାରଙ୍କୁ ଆମ ଦାବି ଗୁଡିକ ଶୁଣିବାକୁ ହେବ, ଯେଉଁଥିରେ ବୋଲୱର୍ମ ଓ କୁଆପଥର ମାଡ ଫଳରେ ହୋଇଥିବା କ୍ଷତି ଭରଣା ମଧ୍ୟ ରହିଛି(ସରକାରୀ ହିସାବ ଅନୁସାରେ ମହାରାଷ୍ଟ୍ରରେ ୨୬୨,୦୦୦ ହେକ୍ଟର ଜମି କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି, ଏହା ମଧ୍ୟରୁ ପ୍ରାୟ ୯୮,୫୦୦ ହେକ୍ଟର ଥିଲା ମରାଠୱାଡାର ଏବଂ ବିଦର୍ଭ ଅମରାବତୀ ଜିଲ୍ଲାର ୧୩୨,୦୦୦ ହେକ୍ଟର)। ଉତ୍ପାଦନ ଖର୍ଚ୍ଚର ସର୍ବନିମ୍ନ ୧.୫ ଗୁଣା, ସହାୟକ ମୂଲ୍ୟ, ସମ୍ପୂର୍ଣ୍ଣ ଋଣ ଛାଡ, ଏବଂ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଯାହା ଫଳରେ କୃଷକମାନେ ସେମାନଙ୍କ ଜମିର ମାଲିକାନା ପାଇପାରିବେ।”

PHOTO • Shrirang Swarge

ଉପର: ବିଳାସ ବାବର(ବାମ) ତାଙ୍କର କପା ଚାଷରେ କୀଟ ଆକ୍ରମଣ ଯୋଗୁଁ .୫ ଲକ୍ଷ ଟଙ୍କା ହରାଇଛନ୍ତି  ଅନ୍ୟ ବହୁ ଚାଷୀ ବିଭିନ୍ନ ଦାବି ନେଇ ଲାଲ୍ ପତାକା ଧରି ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି  ତଳ : ଭିୱାଣ୍ଡିର ସୋନାଲେରେ ଅବସର ସମୟରେ ଚାଷୀମାନେ  ସେମାନେ ସାଙ୍ଗରେ ଶସ୍ୟ ଆଣିଥିଲେ, ଖାଦ୍ୟ ପ୍ରସ୍ତୁତ କରି ପରଷୁଛନ୍ତି

ମାର୍ଚ୍ଚ ୧୧ ତାରିଖରେ,(ପୂର୍ବଦିନ ପ୍ରାୟ ୪୦ କିମି ଯାତ୍ରା କରିଥିଲେ) ଜଳଖିଆ ଖାଇସାରିବା ପରେ ମାର୍ଚ୍ଚ ୧୧ ସକାଳ ୧୧ଟାରେ ଥାନେ ସହରରୁ ଯାତ୍ରା ଆରମ୍ଭ କରି ଚାଷୀମାନେ ରାତି ପ୍ରାୟ ୯ଟା ବେଳକୁ ମୁମ୍ବାଇର ଚୁନାଭାଟ୍ଟି ଅଞ୍ଚଳରେ ଥିବା କେଜେ ସୋମୈୟା ପଡିଆରେ ପହଞ୍ଚିଲେ।  ସେଠାରେ ସେମାନେ ରାତିରେ ରହିବାକୁ ଯୋଜନା କରିଥିଲେ।  ତେଣୁ ବାବର ଭାବିଲେ, ସେ ଦିନ ପାଇଁ ତାଙ୍କର କାମ ସରିଗଲା।  ସେ କହିଲେ, “ସକାଳୁ ମୋ ଗୋଡରେ ଯନ୍ତ୍ରଣା ଅନୁଭବ କରୁଥିଲି।  ପଡିଆରେ ଆନେ୍ଦାଳନକାରୀ ମାନେ ପହଞ୍ଚିବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦୀର୍ଘ ସମୟ ଧରି ଭାଷଣ ଦେଲେ, ଯାହା ଫଳରେ ଚାଷୀ ମାନଙ୍କର ରାତ୍ରି ଭୋଜନ ବିଳମ୍ବିତ ହେଲା।  ଆସନ୍ତାକାଲି ଶେଷ ଯାତ୍ରା।”

କିନ୍ତୁ ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ମାଧ୍ୟମିକ ସ୍କୁଲ ପିଲାଙ୍କର(ଏସ୍ଏସ୍‌ସି) ପରୀକ୍ଷା ଥିଲା।  କିସାନ ସଭା ନେତାମାନେ ଏ ନେଇ ଆଲୋଚନା କଲେ, ଏବଂ ରାତି ପ୍ରାୟ ୧୧.୩୦ ସମୟରେ ନିଷ୍ପତ୍ତି ନେଲେ ଯେ, ମଧ୍ୟରାତ୍ରି ପରେ ସେମାନେ ପୁଣି ଚାଲିବା ଆରମ୍ଭ କରିବେ, ଯାହା ଫଳରେ ସେମାନଙ୍କ ଶୋଭାଯାତ୍ରା ସହରରେ  ଟ୍ରାଫିକ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ।  ବାବର ଗୋଟିଏ କମ୍ବଳ ଘୋଡେଇ ହୋଇ ଟିକିଏ ବିଶ୍ରାମ ନେଇଥିଲେ, କିନ୍ତୁ ସେହି ବିଶ୍ରାମ ଅଳ୍ପ ସମୟର ଥିଲା।  ସେ ପ୍ରାୟ ଘଣ୍ଟାଏ ପାଇଁ ବିଶ୍ରାମ ନେଲେ, ତା ପରେ କମ୍ବଳ ଉଠାଇ ନିଜ କାନ୍ଧ ବ୍ୟାଗରେ ଭର୍ତ୍ତି କଲେ, ଏବଂ ରାତି ୧ଟା ବେଳକୁ ପୁଣି ଥରେ ଚାଲିବାକୁ ପ୍ରସ୍ତୁତ ହୋଇଗଲେ।  

ସେମାନଙ୍କ ନିଷ୍ଠାରେ ଦୃଢ ରହି, ଥକି ପଡିଥିବା ଚାଷୀମାନେ ଆଜାଦ୍ ମୈଦାନ ଆଡକୁ ଯାତ୍ରା ଆରମ୍ଭ କଲେ, ଏବଂ ସକାଳ ପ୍ରାୟ ୫ଟା ବେଳକୁ ସେଠାରେ ପହଞ୍ଚିଗଲେ।  ତେଣୁ ଦକ୍ଷିଣ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ୧୮ ଘଣ୍ଟା ମଧ୍ୟରୁ ଚାଷୀମାନେ ୧୪-୧୫ ଘଣ୍ଟା ଧରି ଚାଲିଥିଲେ, ଏହି  ଯାତ୍ରା ସମୟରେ ସେମାନେ ସନ୍ଧ୍ୟା ପ୍ରାୟ ୩ଟା ବେଳେ ଭିଖ୍ରୋଲିଠାରେ ଗୋଟିଏ ଛୋଟ ବିରତି ନେଇଥିଲେ ଏବଂ କେଜେ ସୋମେୟା ପଡିଆରେ ରାତ୍ରି ଭୋଜନ ଓ ବିଶ୍ରାମ ପାଇଁ ପ୍ରାୟ ଦେଢ ଘଣ୍ଟା ଅଟକିଥିଲେ।

ମୁମ୍ବାଇ ସହର ଭିତରେ ସାଧାରଣ ନାଗରିକ, ସଂଗଠନ, ଧାର୍ମିକ ଗୋଷ୍ଠୀ ଏବଂ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଚାଷୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ମିଳିଥିଲା।  ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ ଏବଂ ସହର ଭିତରେ ବିଭିନ୍ନ ସ୍ଥାନରେ ଏମାନେ ଧାଡି ଧାଡି ହୋଇ ଛିଡା ହୋଇ ଚାଷୀଙ୍କୁ ପାଣି, ବିସ୍କୁଟ, କଦଳୀ ଦେଇଥିଲେ।
Farmers at Somaiya ground in Mumbai on the night of March 11th
PHOTO • Shrirang Swarge
A woman at the Somaiya ground in Mumbai on the night of March 11th
PHOTO • Shrirang Swarge
Farmers getting medical attention a the Somaiya ground in Mumbai on the night of March 11th
PHOTO • Shrirang Swarge

ଆଜାଦ ପଡ଼ିଆ ପୂର୍ବରୁ ଚାଷୀଙ୍କ ପାଇଁ ଶେଷ ବିରତି ଥିଲା ଚୁନଭାଟିରେ  ସେହି ରାତିରେ କମଳାବାଇ ଗାଏକୱାଡ (ମଝି)ଙ୍କ ଭଳି ଅନେକ ସେମାନଙ୍କ କ୍ଷତାକ୍ତ ପାଦର ଚିକିତ୍ସା ପାଇଁ ଔଷଧ ବିତରଣ କରୁଥିବା ଗୋଟିଏ ଭ୍ୟାନରୁ ସାହାଯ୍ୟ ନେଇଥିଲେ

ସୋମୈୟା ପଡିଆରେ ମୁଁ ମଧ୍ୟରାତ୍ରି ପୂର୍ବରୁ ୬୫ ବର୍ଷୀୟା କମଳାବାଇ ଗାଏକୱାଡଙ୍କୁ ଭେଟିଲି, ଯେତେବେଳେ ସେ ପେନ୍ କିଲର ଦେଉଥିବା ଭ୍ୟାନ ପାଖକୁ ଯାଉଥିଲେ।  ସେ ହସି କହିଲେ, “ଯାତ୍ରା ଜାରି ରଖିବା ପାଇଁ ଅନ୍ୟ କିଛି ଉପାୟ ନାହିଁ।  ସେ ନାସିକର ଡିଣ୍ଡୋରୀ ଗାଁରୁ ଖାଲି ପାଦରେ ଚାଲି ଚାଲି ଆସିଥିଲେ।  ପରଦିନ ମୁଁ ତାଙ୍କୁ ଯେତେବେଳେ ଦେଖିଲି, ସେ ଚପଲ ପିନ୍ଧିଥିଲେ, ଯାହା ତାଙ୍କର କ୍ଷତାକ୍ତ ପାଦଠାରୁ ଟିକିଏ ବେଶୀ ବଡ ଥିଲା, ତଥାପି ଅସହ୍ୟ ତାତିରେ ଏହା ତାଙ୍କୁ ଆଶ୍ୱସ୍ତି ଦେଇଥିଲା”।  ସେ କହିଲେ, “ଆଜି ସକାଳେ ମୋତେ କେହି ଜଣେ ଏଇଟା ଦେଲେ। ”

ଶୋଭାଯାତ୍ରା ଯେତେଯେତେ ଆଗକୁ ବଢୁଥିଲା ଯଦିଓ ଦହାନୁ, ମରାଠାୱାଡା, ସାହାପୁର ଏବଂ ଅନ୍ୟ ସ୍ଥାନ ମାନଙ୍କରୁ ବହୁ ସଂଖ୍ୟାରେ ଚାଷୀ ଏଥିରେ ସାମିଲ୍ ହେଉଥିଲେ, ତଥାପି ଏମାନଙ୍କ ମଧ୍ୟରୁ ନାସିକ ଜିଲ୍ଲାର ଆଦିବାସୀ ଚାଷୀଙ୍କ ସଂଖ୍ୟା ମଧ୍ୟ ଖୁବ୍ ଅଧିକ ଥିଲା, ଯେଉଁମାନେ ମାର୍ଚ୍ଚ ୬ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ।  ସେମାନଙ୍କ ମୁଖ୍ୟ ଦାବି ଥିଲା ଜଙ୍ଗଲ ଅଧିକାର  ଏବଂ ଜଳସେଚନ ସୁବିଧା।

କାରବାଦ ହାମଲେଟ ସରଗଣା ତାଲୁକାର କୋଲ ମହାଦେବ ଆଦିବାସୀ ସଂପ୍ରଦାୟର ୫୦ ବର୍ଷରୁ ଅଧିକ ବୟସ୍କ ସିନ୍ଧୁବାଇ ପାଲଭେ କହିଲେ, ତାଙ୍କୁ ଗୋଟିଏ ଜମି ମାଲିକାନା ମିଳିବା ଜରୁରୀ।  “ଆମେ ଆମ ଜମିରେ ଚାଷ କରୁଛୁ ଏବଂ ଦିନେ ଏହାକୁ ଆମଠାରୁ କେହି ନେଇଯାଇପାରେ।  ଯାହା ଆମର ଆମେ କାହିଁକି ତାହା ପାଇ ପାରିବୁ ନାହିଁ।  ନାର-ପାର ଏବଂ ଡାମନଗଂଗା-ପିଞ୍ଜଲ ନଦୀ ପ୍ରକଳ୍ପ ସରଗଣାର ସବୁ ଜମିକୁ ଗିଳିଦେବ(ଏବଂ ଆଦିବାସୀ ଚାଷୀଙ୍କୁ ବିସ୍ଥାପିତ କରିଦେବ)।” (ଦେଖନ୍ତୁ ସେମାନେ ଚାଷ କରନ୍ତି, ସେମାନେ ଶୋଭାଯାତ୍ରା କଲେ)

ସିନ୍ଧୁବାଇ ଯାହାଙ୍କୁ ମୁଁ ପ୍ରଥମେ ଭିୱାଣ୍ଡି ଓ ପରେ ଆଜାଦ ମୈଦାନରେ ଭେଟିଥିଲେ, ସେ ଶୋଭାଯାତ୍ରାରେ ସାମିଲ୍ ଅନ୍ୟମାନଙ୍କ ଭଳି କ୍ଷତାକ୍ତ ଓ ଫୋଟକା ହୋଇଯାଇଥିବା ପାଦରେ ଔଷଧୀୟ କ୍ରିମ୍ ଲଗାଇ ଯାତ୍ରା ଜାରି ରଖିଥିଲେ, ଯାହା ସେମାନଙ୍କ ଶୋଭାଯାତ୍ରା ସହ ଯାଉଥିବା ଗୋଟିଏ ଆମ୍ବୁଲାନ୍ସ ପକ୍ଷରୁ ପ୍ରତିଦିନ ରାତିରେ ଯୋଗାଇ ଦିଆଯାଉଥିଲା।  ଝାଳରେ ବୁଡିଥିବା ଅବସ୍ଥାରେ ସେ କହିଲେ, “ମୋର ତିନି ଏକର ଜମି ଅଛି ଯେଉଁଥିରେ ମୁଁ ଧାନ ଚାଷ କରେ।  କିନ୍ତୁ ଆମ ପାଖରେ ଆବଶ୍ୟକୀୟ ପାଣି ନାହିଁ।  କେବଳ ମୌସୁମୀ ଉପରେ ନିର୍ଭର କରି ହିଁ ଆମେ ବଞ୍ଚିପାରିବୁ ନାହିଁ। ”

PHOTO • Shrirang Swarge

ପରଦିନ ଏସ୍ଏସ୍‌ସି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଯେମିତି ରାସ୍ତାରେ କୃଷକଙ୍କ ଶୋଭାଯାତ୍ରା ଫଳରେ ରାସ୍ତାରେ ସମସ୍ୟାରେ ପଡିବେ, ସେଥିପାଇଁ ମାର୍ଚ୍ଚ ୧୧ ତାରିଖ ମଧ୍ୟରାତ୍ରିରେ ଚାଷୀମାନେ ଚୁନଭାଟି ଛାଡି ଆଜାଦ ମୈଦାନ ଅଭିମୁଖେ ଯାତ୍ରା ଆରମ୍ଭ କଲେ  ଆଜାଦ ମୈଦାନରେ, ଚାଷୀମାନେ ସିପିଆଇ (ଏମ୍) ନେତାମାନଙ୍କର ଭାଷଣ ଶୁଣିଲେ, ଚାଷୀମାନଙ୍କର ଗୋଟିଏ ଛୋଟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ସମୁଦ୍ର ପ୍ରାୟ ଲାଲ୍ ପତାକା ଧରିଥିବା ଓ ଟୋପି ପିନ୍ଧିଥିବା ଚାଷୀମାନଙ୍କର ଶୋଭାଯାତ୍ରା ଯେତେବେଳେ ଆଜାଦ ମୈଦାନରେ ପହଞ୍ଚିଲା, ସେଠାରେ ଟିଭି ଚ୍ୟାନେଲ୍ ଓ ସମ୍ବାଦପତ୍ରର ବହୁ ସାମ୍ବାଦିକ ଚାଷୀମାନଙ୍କ ସହ କଥା ହେବାକୁ ଚେଷ୍ଟା କଲେ।  କିନ୍ତୁ ଚାଷୀମାନେ ଏତେ ଥକି ପଡିଥିଲେ ଯେ ଅଧିକାଂଶ କଥା ହେବାକୁ ମନା କରିଦେଲେ, ଆଉ ସେମାନଙ୍କୁ ଷ୍ଟେଜରେ ଭାଷଣ ଦେଉଥିବା ସିପିଆଇ(ଏମ୍) ନେତାମାନଙ୍କର ଭାଷଣ ଶୁଣିବାକୁ ଛାଡି ଦେବାକୁ ଅନୁରୋଧ କଲେ।

ମାର୍ଚ୍ଚ ୧୨ ତାରିଖ ସଂଧ୍ୟା ସୁଦ୍ଧା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଲେ, ସରକାର ଚାଷୀମାନଙ୍କ ପ୍ରତି ଚିନ୍ତାଶୀଳ ଅଛନ୍ତି, ଏବଂ ଦୁଇ ମାସ ଭିତରେ ସେମାନଙ୍କ ଦାବି ନେଇ ଗୋଟିଏ ଲିଖିତ ଡ୍ରାଫ୍ଟ ଜାରି କରିବେ।  ଫଡନବିସଙ୍କୁ ଭେଟିଥିବା ଚାଷୀଙ୍କ ପ୍ରତିନିଧି ଦଳ ସେତିକିବେଳେ ବିଧାନସଭା ଘେରାଉ ପାଇଁ ଥିବା ସେମାନଙ୍କର ଯୋଜନାକୁ ବାତିଲ୍ କଲେ।  ଫଡନବିସ ଲିଖିତ ଭାବେ ଆଶ୍ୱାସନା ଦେବା ପରେ ଏବଂ ଚାଷୀଙ୍କ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ସରକାରଙ୍କ ସହ କଥା ବାର୍ତ୍ତା କରିଥିବା ଚାଷୀଙ୍କ ପ୍ରତିନିଧି ଦଳ ଆନେ୍ଦାଳନ ଉଠାଇ ନେଲେ। (ଦେଖନ୍ତୁ ମାର୍ଚ୍ଚ ପରେ, ପରେ...)

କେବଳ ସରକାରଙ୍କ ଘୋଷଣା ହିଁ ଶୋଭାଯାତ୍ରାର ସଫଳତା ନ ଥିଲା।  ସରକାରଙ୍କର ତିନିଜଣ ମନ୍ତ୍ରୀ ଆଜାଦ ମୈଦାନକୁ ଆସି ଆନ୍ଦୋଳନକାରୀଙ୍କ ଆଗରେ ସେମାନଙ୍କର ତିନିଟି ପ୍ରମୁଖ ଦାବି ସରକାର ମାନି ନେଇଥିବା ଘୋଷଣା ମଧ୍ୟ କଲେ, ଯାହା ଥିଲା ଋଣ ଛାଡ, ଛାଡର ସମୟସୀମା ପରିବର୍ତ୍ତନ, ଆଦିବାସୀ ଚାଷୀଙ୍କ ଜଙ୍ଗଲ ଅଧିକାର ଆଇନ।  ସରକାର ମଧ୍ୟ ଏହି ପ୍ରତିଶ୍ରୁତି ସବୁ ପୂରଣ କରିବାକୁ ଏବଂ ସହାୟକ ମୂଲ୍ୟ, କୃଷକ ଓ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଏବଂ ବାକି ଅନ୍ୟାନ୍ୟ ଦାବିଗୁଡିକ ଉପରେ ବିଚାର କରିବାକୁ ଗୋଟିଏ ଛଅଜଣ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍ କମିଟି ଗଠନ କରିଥିଲେ।  

ଯେତେବେଳେ ଆନ୍ଦୋଳନ ସମାପ୍ତ କରିବାର ନିଷ୍ପତ୍ତି ଘୋଷଣା କରାଗଲା, ସିନ୍ଧୁବାଇ କହିଲେ, ଆମେ ଆମ ନେତା ମାନଙ୍କୁ ବିଶ୍ୱାସ କରୁଛୁ।  ଏବଂ କୃଷକଙ୍କ ଫେରିବା ପାଇଁ ସିଏସଏମଟିରୁ ଭୁସୱାଲ୍ ଅଭିମୁଖେ ସେହି ଦିନ ରାତିରେ ଯାତ୍ରା କରିବା ପାଇଁ ସେଣ୍ଟ୍ରାଲ୍ ରେଲୱେ  ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଧରିବାକୁ ପ୍ରସ୍ତୁତ ହେଲେ।  ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରୁଛନ୍ତି କି ନାହିଁ ଆମେ ଦେଖିବୁ, ଯଦି ସରକାର ନ କରନ୍ତି, ତା ହେଲେ ପୁଣି ଥରେ ଆନ୍ଦୋଳନ ପାଇଁ ଆମେ ପ୍ରସ୍ତୁତ ଅଛୁ।  

ଏହା ମଧ୍ୟ ଦେଖନ୍ତୁ ‘ମୁଁ ଏକ ଚାଷୀ, ମୁଁ ଏହି ଲମ୍ବା ଯାତ୍ରାରେ ଯାଏ’ ଓ ‘ନିରାଶାର କ୍ଷେତରୁ – ଆଶାର ସହ ଏକ ଯାତ୍ରା’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.