ମହାରାଷ୍ଟ୍ରର ଯବତ୍‌ମାଲ୍‌ ଜିଲ୍ଲାର ୨୩ଜଣ ଆଦିବାସୀ କୃଷକମାନଙ୍କର ଗୋଟିଏ ଗୋଷ୍ଠୀ ନଭେମ୍ବର ୨୭ ତାରିଖ ସକାଳେ ଦକ୍ଷିଣ ଦିଲ୍ଲୀର ନିଜାମୁଦ୍ଦିନ୍‌ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ସରାଇ କାଲେଖାନ୍‌ ଅଞ୍ଚଳରେ ଥିବା ଗୁରୁଦ୍ଵାର ଶ୍ରୀ ବାଲା ସାହେବଜୀଠାରେ ପହଞ୍ଚିବାକୁ ପ୍ରାୟ ୩୦ ମିନିଟ୍‌ ଚାଲିଥିଲେ। ଗୁରୁଦ୍ଵାର ପରିସରରେ ଥିବା ଏକ ବିଶାଳ ଅର୍ଦ୍ଧ ସମ୍ପୂର୍ଣ୍ଣ ଅଟ୍ଟାଳିକା ନଭେମ୍ବର ୨୯-୩୦, ୨୦୧୮ରେ ଜାତୀୟ ରାଜଧାନୀରେ ଆୟୋଜିତ କିଷାନ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେବାକୁ ଆସୁଥିବା କୃଷକମାନଙ୍କ ପାଇଁ ପ୍ରସ୍ତୁତ ହେଉଥିଲା।

ଯବତମାଲ୍‌ର ଏହି ଗୋଷ୍ଠୀ ଗୁରୁଦ୍ଵାର ପରିସରରେ ଏହି ବ୍ୟବସ୍ଥାରେ ପହଞ୍ଚିଥିବା ପ୍ରଥମ ଗୋଷ୍ଠୀ। ସେମାନେ ନଭେମ୍ବର ୨୭ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ଏଠାରେ ପହଞ୍ଚିଥିଲେ। ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟିର ସଦସ୍ୟ ଏବଂ ନେସନ୍‌ ଫର୍‌ ଫାର୍ମର୍ସର ସ୍ଵେଚ୍ଛାସେବୀମାନେ ସେମାନଙ୍କୁ ସ୍ଵାଗତ କରିବା ସହ ରାତ୍ରୀ ରହଣୀ ଏବଂ ଖାଦ୍ୟର ବ୍ୟବସ୍ଥା କରିଥିଲେ।

ଏଠାରେ ପହଞ୍ଚିବାକୁ ମହାରାଷ୍ଟ୍ର-ଆନ୍ଧ୍ରପ୍ରଦେଶ ସୀମାର କେଲାପୁର ତାଲୁକାର ପିମ୍ପଲକୁଟି ଗ୍ରାମରୁ ଆସିଥିବା କୋଲାମ ଆଦିବାସୀ କୃଷକମାନେ ନନ୍ଦିଗ୍ରାମ୍‌ ଏକ୍ସପ୍ରେସ୍‌ରେ ପ୍ରାୟ ୭ଘଣ୍ଟା ଯାତ୍ରା କରିଥିଲେ। ସେମାନେ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ନାଗପୁରରେ ପହଞ୍ଚିଲେ। ସେଠାରୁ କେରଳରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍‌ ଧରି ସେମାନେ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିଥିଲେ।

Participants from Yavatmal, Maharashtra in Delhi
PHOTO • Samyukta Shastri
Participants from Yavatmal, Maharashtra in Delhi farmers march
PHOTO • Samyukta Shastri

କିଷାନ ସଭାର ମହାରାଷ୍ଟ୍ର ରାଜ୍ୟ ଯବତ୍‌ମାଲ୍‌ ଜିଲ୍ଲା ଅଧ୍ୟକ୍ଷ ଚନ୍ଦ୍ରଶେଖର ଗୋବିନ୍ଦରାମ୍‌ ସିଦାମ୍‌।

ମହାରାଷ୍ଟ୍ର ରାଜ୍ୟର ଯବତ୍‌ମାଲ୍‌ ଜିଲ୍ଲା କିଷାନ ସଭା ଅଧ୍ୟକ୍ଷ ତଥା ଜଣେ କୃଷକ ଚନ୍ଦ୍ରଶେଖର ସିଦାମ୍‌ କୁହନ୍ତି, ‘‘ଆମେ ଏଠାକୁ ସଂସଦ ଭବନ (ପାର୍ଲାମେଣ୍ଟ) ଘେରାଉ କରିବାକୁ ଆସିଛୁ। କୃଷକମାନଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ଋଣ ଛାଡ଼, ସେମାନଙ୍କ ଗୋରୁ ଗାଈଙ୍କ ପାଇଁ ଚାରା, ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ, ଏକ ସର୍ବନିମ୍ନ ସହାୟକ ଦର, ନିଯୁକ୍ତି ଏବଂ ଖାଦ୍ୟ ସୁରକ୍ଷା। ଏବଂ ଏହି କାରଣ ପାଇଁ ଏହି ଗୋଷ୍ଠୀର ଆମେ ସମସ୍ତେ ଯବତମାଲ୍‌ରୁ ଏଠାରେ ଏକାଠି ହୋଇଛୁ।

ସେ କୁହନ୍ତି, ତାଙ୍କ ଜିଲ୍ଲାର ଚାଷୀମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଦୀର୍ଘକାଳୀନ ମରୁଡ଼ି। ଗତ ୨- ୩ବର୍ଷ ହେବ ମରୁଡ଼ି ଲାଗି ରହିଛି। ସରକାର ଯେଉଁ ଋଣ ଛାଡ଼ ଘୋଷଣା କରିଛନ୍ତି, ତାହା କେବଳ ଏକ ଅଧାଖଣ୍ଡିଆ ପଦକ୍ଷେପ। ଏଥସହ ସେ କହିଥିଲେ, ‘‘ମହାରାଷ୍ଟ୍ରରେ ବିଦର୍ଭ ଅଞ୍ଚଳରେ ସବୁଠାରୁ ଅଧିକ ଆତ୍ମହତ୍ୟା ଘଟିଛି। ଏହି ଅଞ୍ଚଳରେ ଯବତ୍‌ମାଲ୍‌ ଅଧିକ ପ୍ରଭାବିତ କ୍ଷେତ୍ର। ଜଳସେଚନ ସୁବିଧା ନଥିବାରୁ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଖାଇବାକୁ ପାଉନାହାନ୍ତି।’’

ଚନ୍ଦ୍ରଶେଖର ଯବତ୍‌ମାଲ୍‌ ଜିଲ୍ଲାର କେଲାପୁର ତାଲୁକାର ପଟନବୋରି ଗ୍ରାମରେ ବାସ କରନ୍ତି। ତାଙ୍କର ପ୍ରାୟ ୩ ଏକର ଚାଷଜମି ଅଛି। ସେ କୁହନ୍ତି, ‘‘ଏବର୍ଷ ବିହନ ବୁଣାଯିବାର ବହୁଦିନ ପରେ ବର୍ଷା ହେଲା। ତେଣୁ ସେସବୁ ବିହନ ଗଜା ହେଲାନାହିଁ। ଆମେ ଦ୍ଵିତୀୟ ଥର ବିହନ ବୁଣିଲୁ ଏବଂ ଏତେ ବର୍ଷା ହେଲା ଯେ ସବୁ କିଛି ପାଣିରେ ବୁଡ଼ିଗଲା। ଏବଂ ଯେତେବେଳେ ବର୍ଷା ବିଳମ୍ବିତ ହୁଏ, ସେତେବେଳେ ଜମି ଏତେ ଶୁଖିଯାଏ ଯେ ଚେର ମଧ୍ୟ ଶୁଖିଯାଏ। କପାଫୁଲଗୁଡ଼ିକ ଶୁଖିଯାଏ ଏବଂ ବ୍ୟବହାର ଅନୁପଯୋଗୀ ହୋଇଯାଏ। ନିୟମିତ ଭାବରେ ବର୍ଷାର ଅଭାବ ହେତୁ ଜଳସ୍ତର ମଧ୍ୟ ତଳକୁ ଖସିଗଲାଣି।’’

Rohit Vitthal Kumbre is a 10th class student from Kelapur taluka
PHOTO • Samyukta Shastri
Mayur Dhengdhe from Maregon village of Vani taluka is studying for his BA Final year through Open University
PHOTO • Samyukta Shastri

ବାଣୀ ତାଲୁକାର ମାରେଗାଓଁ ଗ୍ରାମର ମୟୂର ଧେଙ୍ଗଡ଼େ (କମଳାରେ) ଓପନ ୟୁନିଭରସିଟିରେ ବିଏ ତୃତୀୟ ବର୍ଷର ଛାତ୍ର ।

ରୋହିତ ବିଠଲ୍‌ କୁମ୍ବ୍ରେ (ଧଳାରେ) କେଲାପୁର ତାଲୁକାର ୧୦ମ ଶ୍ରେଣୀର ଛାତ୍ର।

ସେ କୁହନ୍ତି, ‘‘ଅଳ୍ପ କେଇଟି ତାଲୁକା ବଦଳରେ ସମୁଦାୟ ଯବତ୍‌ମାଲ୍‌ରେ ମରୁଡ଼ି ଘୋଷଣା କରାଯିବା ଉଚିତ୍‌।’’

‘‘ଅନ୍ୟ ତାଲୁକାଗୁଡ଼ିକ ଏପର୍ଯ୍ୟନ୍ତ ମରୁଡ଼ି କ୍ଷତିଗ୍ରସ୍ତ ବୋଲି ଘୋଷଣା କରାଯାଇନାହିଁ। ଆମେମାନେ ଏ ବିଷୟରେ ମଧ୍ୟ କିଛି ଶୁଣିବାକୁ ପାଉନାହୁଁ। ଏସବୁ ତାଲୁକାର କୃଷକମାନେ ମଧ୍ୟ ଆମକୁ ସମର୍ଥନ କରୁଛନ୍ତି। ଆମ ପରି ସେମାନେ ମଧ୍ୟ କଷ୍ଟ ପାଉଛନ୍ତି। ଆମେ ଭାବୁଛୁ ସରକାର ପ୍ରତ୍ୟେକ ତାଲୁକାର ବାସ୍ତବ ଚିତ୍ର ଅଧ୍ୟୟନ କରିବା ଉଚିତ୍‌।’’

ତା’ହେଲେ ସେମାନଙ୍କ ଗ୍ରାମର ମହିଳା ଚାଷୀମାନେ ତାଙ୍କ ସହିତ କାହିଁକି ନାହାନ୍ତି? ଆମେ କଥାବାର୍ତ୍ତା କରୁଥିବା ପ୍ରତ୍ୟେକ ଲୋକ କହିଲେ, ସେମାନଙ୍କ ଜମିରେ ମହିଳାମାନଙ୍କ ବ୍ୟତୀତ କିଛି ବି ହୋଇପାରିବ ନାହିଁ। ଚନ୍ଦ୍ରଶେଖର କୁହନ୍ତି, ‘‘ମହିଳାମାନଙ୍କ ବିନା କୃଷି ଅସମ୍ଭବ। ସେମାନେ ଅନାବନା ଗଛ ବାଛିବା ସହ ଫସଲର ରକ୍ଷଣାବେକ୍ଷଣ କରିଥାନ୍ତି। ସେମାନେ କପା ତୋଳନ୍ତି, ମଞ୍ଜି ମଧ୍ୟ ବୁଣନ୍ତି। ମହିଳାମାନେ ଆମର ପ୍ରତ୍ୟେକ ମୋର୍ଚ୍ଚାର ଗୁରୁତ୍ଵପୂର୍ଣ୍ଣ ଅଂଶ। କିନ୍ତୁ ଏଥର ଅଧିକାଂଶ ମହିଳା ଏକ ମହିଳା କୃଷକ ବୈଠକରେ ଯୋଗଦେବା ପାଇଁ ମୁମ୍ବାଇ ଯାଇଛନ୍ତି। ସେମାନଙ୍କ ପରିବାର ମଧ୍ୟ ସବୁକିଛି ପାଇଁ ସେମାନଙ୍କ ଉପରେ ନିର୍ଭରଶୀଳ। ସେମାନେ ପରିବାରର ମୁଖ୍ୟ ନହେଲେ ମଧ୍ୟ ପ୍ରତ୍ୟେକ ପରିବାରରେ ମହିଳାଙ୍କ ଉପରେ ହିଁ ସମୁଦାୟ ପରିବାର ନିର୍ଭର କରେ। ତେଣୁ ଏଥର ଆମ ସହିତ କୌଣସି ମହିଳା କୃଷକ ନାହାନ୍ତି। ଏତେଦୂର ଦିଲ୍ଲୀ ଆସିବା ଏବଂ ଫେରିବାକୁ ପ୍ରାୟ ୬ ଦିନ ସମୟ ଲାଗିଯାଏ।

Prabhakar Sitaram Bawne of Hiwra Mazola village
PHOTO • Samyukta Shastri
Prabhakar Sitaram Bawne of Hiwra Mazola village
PHOTO • Samyukta Shastri

ହିୱରା ମଜୋଲା ଗ୍ରାମର ପ୍ରଭାତ ସୀତାରାମ ବାୱନେ

ଗୁରୁଦ୍ଵାରରେ ଥିବା ଅନ୍ୟ ଚାଷୀମାନଙ୍କ ପରି ପ୍ରଭାକର ବାୱନେ ମଧ୍ୟ ଦୁର୍ଭିକ୍ଷ ବିଷୟରେ କହୁଥିଲେ। ସେ ମାନେଗାଓଁ ତାଲୁକାର ହିୱରା ମଜୋଲା ଗ୍ରାମରୁ ଆସିଛନ୍ତି। ସେ କପା ଚାଷ କରନ୍ତି ଏବଂ କୁହନ୍ତି, ‘‘ଏଥର ସାମାନ୍ୟ ଅଧିକ ବର୍ଷା ହୋଇଥିଲେ ବି ମରୁଡ଼ି ରହିଛି। ବର୍ତ୍ତମାନ ସୁଦ୍ଧା ଚାଷୀମାନେ ରବି ଫସଲ ପାଇଯିବା କଥା। କିନ୍ତୁ ଯଦି ଆପଣ ଜମିକୁ ଦେଖିବେ ତା’ହେଲେ ଜାଣିବେ ସମୁଦାୟ କପା ଫସଲ ଶୁଖିଯାଇଛି।..।’’ ଏଥସହ ସେ କହିଥିଲେ, ସେ ଏବଂ ଅନ୍ୟ କୃଷକମାନଙ୍କର ମୁଖ୍ୟ ସମସ୍ୟା କୃଷି ଶ୍ରମିକ ଭାବରେ ନିୟମିତ କାମ ନପାଇବା, ଋଣ ଛାଡ଼, ନିୟମିତ ବିଦ୍ୟୁତର ଅଭାବ ଏବଂ ଉଚ୍ଚ ଶୁଳ୍କ ହାର । ‘‘ଆମେ ଦିଲ୍ଲୀକୁ ଆସିଛୁ, ସରକାରଙ୍କ ଆଗରେ ଏସବୁ ପ୍ରସଙ୍ଗ ଉପସ୍ଥାପନ ପାଇଁ।’’

ସେ ତାଙ୍କର ଶେଷ ଭଲ ଅମଳ କେବେ ପାଇଥିଲେ ? ‘‘ମୁଁ ଆପଣଙ୍କୁ କ’ଣ କହିପାରିବି? ଗତ ବର୍ଷ ତୁଳନାରେ ଏବର୍ଷ ଆହୁରି ଖରାପ। ଚାଷୀ କେବେ ବି ପେଟ ପୁରା ଖାଇ ପାରିବାର ସ୍ଥିତିକୁ ଆସିପାରିବେ ନାହିଁ। ’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar
Samyukta Shastri

ଲେଖକ ପରିଚୟ: ସମ୍ୟୁକ୍ତା ଶାସ୍ତ୍ରୀ ହେଉଛନ୍ତି ପିପୁଲସ୍ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ବିଷୟ ସଂଯୋଜକ। ପୁନେର ସିମ୍ବିଓସିସ୍ ସେଣ୍ଟର ଫର ମିଡିଆ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ସେ ସ୍ନାତକ ଡିଗ୍ରୀ ଏବଂ ଇଂରାଜୀ ସାହିଦ୍ୟରେ ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟ, ମୁମ୍ବାଇରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

Other stories by Samyukta Shastri