ଭାରତୀବାଇ ଖୋଡ଼େ କହିଲେ, ‘‘ଆମେ ଦିଲ୍ଲୀ ଆସିଛୁ, କାରଣ ସରକାର ଆମ ଦାବିକୁ କାର୍ଯ୍ୟକାରୀ କଲେ ନାହିଁ।’’ ମାର୍ଚ୍ଚ ୨୦୧୮ରେ ଭାରତୀବାଇ ନାସିକ୍‌ରୁ ୧୮୦ କିଲୋମିଟର ଚାଲିଚାଲି ମୁମ୍ବାଇ ଆସିଥିଲେ। ଏହା ଥିଲା କୃଷକମାନଙ୍କର ଏକ ନିର୍ଣ୍ଣାୟକ ପ୍ରତିବାଦ ପଦଯାତ୍ରା।

ସେପଟେମ୍ବର ୫ରେ ମଜଦୁର କିଷାନ ସଂଘର୍ଷ ଶୋଭାଯାତ୍ରାର ପୂର୍ବଦିନ ମୁଁ ଭାରତୀବାଇଙ୍କୁ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ରାମଲୀଳା ମଇଦାନରେ ଭେଟିଥିଲି। ତାଙ୍କ ଘର ମହାରାଷ୍ଟ୍ର ନାସିକ ଜିଲ୍ଲା କଲୱାନ ତାଲୁକର ସପ୍ତଶୃଙ୍ଗଗଡ଼ ଗାଁରେ। ତାଙ୍କ ଗାଁରୁ ଆହୁରି ଅନେକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିବା ୪୦,୦୦୦ ରୁ ୫୦,୦୦୦ କୃଷକ ଦିଲ୍ଲୀ ଆସିଥିଲେ। ସେମାନଙ୍କର ଦାବି ଥିଲା ଜମି ପଟ୍ଟା, ଜଳସେଚନ, ଋଣଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ଆହୁରି ଅନେକ କିଛି।  

ଏଥର ସେମାନଙ୍କ ସଂଖ୍ୟା ବହୁ ଗୁଣିତ ହୋଇଯାଇଥିଲା। ଶୋଭାଯାତ୍ରାର ଆୟୋଜକଙ୍କ ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରାୟ ୩୦୦,୦୦୦ ରୁ ଅଧିକ ଥିଲା। ଏଥିରେ ୨୬ଟି ରାଜ୍ୟର ଆନ୍ଦୋଳନକାରୀ ସାମିଲ ହୋଇଥିଲେ। ଏଥର କୃଷକଙ୍କ ସହ ଅନ୍ୟ ଶ୍ରମିକମାନେ ମଧ୍ୟ ସାମିଲ ହୋଇଥିଲେ। ଅଲ ଇଣ୍ଡିଆ କିଷାନ ସଭା, ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନର କେନ୍ଦ୍ର ଏବଂ ଅଲ ଇଣ୍ଡିଆ ଏଗ୍ରିକଲଚରାଲ ୱାର୍କର୍ସ ୟୁନିୟନ୍‌ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଏମାନେ ସମସ୍ତେ ଦିଲ୍ଲୀ ଆସିଥିଲେ।

ସେପଟେମ୍ବର ୫ରେ ଶୋଭଯାତ୍ରା ଥିଲା। ଏହାର ଦିନକ ପୂର୍ବରୁ ପ୍ରାୟ ଅଧିକାଂଶ ଦିଲ୍ଲୀରେ ପହଞ୍ଚିସାରିଥିଲେ। ସମସ୍ତେ ପ୍ରାୟ ଟ୍ରେନ୍ ଆଉ ବସ୍‌ରେ ଆସିଥିଲେ। ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଛୋଟ ବ୍ୟାଗ ଥିଲା। ସେଥିରେ ପୋଷାକ ଏବଂ ଘରୁ ଆଣିଥିବା କିଛି ଖାଦ୍ୟ ଥିଲା। ରାତିରେ ଶୋଇବା ପାଇଁ ରାମଲୀଳା ମଇଦାନରେ ସେମାନଙ୍କ ପାଇଁ ତମ୍ବୁ ଟଣା ଯାଇଥିଲା। ୨୫ ଟଙ୍କାରେ ଖାଇବା ପାଇଁ ବ୍ୟବସ୍ଥା ହେଇଥିଲା।

Bhartibai Khode, who doesn’t have a patta for the land says, “This year I had to take a loan of Rs 20,000 from a money lender at 10% interest.”
PHOTO • Sanket Jain
The tents were named according to the states. AIKS General Secretary, Hannan Mollah said, “The [protestors] came from 26 states and nearly 3 lakh people marched in the rally.”
PHOTO • Sanket Jain

ଭାରତୀବାଇ ଖୋଡେ (ବାମ) କହିଲେ, ‘ଆମେ ଚାହୁଁଛୁ ସରକାର ଆମକୁ ଜମି ପଟ୍ଟା ଦେଉ’ ; ପ୍ରତିବାଦକାରୀଙ୍କ ପାଇଁ ରାମଲୀଳା ମଇଦାନରେ ଟଣା ଯାଇଥିବା ତମ୍ବୁ (ଦକ୍ଷିଣ) ଗୁଡିକର ନାମକରଣ ରାଜ୍ୟ ନାଁର ପଛକୁ ରହିଛି।

ସେପଟେମ୍ବର ୫ ତାରିଖ ସକାଳର ବର୍ଷା ସେମାନଙ୍କ ଉତ୍ସାହକୁ ଭାଙ୍ଗି ଦେଇ ନଥିଲା। ଇନକିଲାବ୍ ଜିନ୍ଦାବାଦ ଧ୍ଵନୀ ଏବଂ ବେଙ୍ଗଲୀ, ଗୁଜରାଟୀ, କନ୍ନଡ଼, ମାଲାୟାଲମ, ମରାଠୀ, ତାମିଲ ଆଦି ବିଭିନ୍ନ ଭାଷାରେ ସ୍ଲୋଗାନ ଦେଇ ସକାଳ ୯ଟାରେ ବର୍ଷାରେ ଭିଜିଭିଜି ଆନ୍ଦୋଳନକାରୀମାନେ ତମ୍ବୁ ଛାଡିଥିଲେ। ଦୁଇ ଘଣ୍ଟା ପରେ, ସେମାନେ ତିନି କିଲୋମିଟର ଚାଲିଚାଲି ପହଞ୍ଚିଥିଲେ ଗନ୍ତବ୍ୟ ସ୍ଥଳ ସଂସଦ ଭବନ ରାସ୍ତାରେ- ସେମାନଙ୍କ ଦାବି ଉପସ୍ଥାପନ କରିବା ପାଇଁ ।

ଭାରତୀବାଇ କହିଲେ, ‘‘ସରକାର ନ୍ୟାୟ ନଦେଲେ ଆମେ ଏ ଜାଗା ଛାଡ଼ିବୁନି।’’ ଭାରତୀବାଇ ହେଉଛନ୍ତି ଅନୁସୂଚିତ ଜନଜାତି କୋଲି ମହାଦେବ ସଂପ୍ରଦାୟର। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ପରିବାର ଏକ ଏକରରୁ କମ୍ ପରିମିତ ଜଂଗଲ ଜମିରେ ଚାଷ କରି ଆସୁଛନ୍ତି। ସେ କହିଲେ, ‘‘ଆମେ ଚାହୁଁଛୁ ସରକାର ଏବଂ ଜଙ୍ଗଲ ବିଭାଗ ସେହି ଜମିକୁ ଆମ ନାଁରେ କରନ୍ତୁ। ଆମ ନାଁରେ ପଟ୍ଟା ନାହିଁ। ଆମେ ଋଣ କେମିତି ପାଇପାରିବୁ?’’ ଜଂଗଲ ଅଧିକାର ଆଇନ୍ ୨୦୦୬ରେ ଆମକୁ ଏହି ଅଧିକାର ଏବଂ ସୁରକ୍ଷା ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ।

ଭାରତୀବାଇ କହିଲେ, ‘‘ବରଂ ଜଂଗଲ ଅଧିକାରୀମାନେ ମୋ ଘରକୁ ୪ ଥର ନଷ୍ଟ କରିଦେଇଛନ୍ତି। ମୁଁ ତାଙ୍କୁ ଭୟ କରେନି। ରାତାରାତି ଛୋଟିଆ ଟିଣ ଛପରର ଘର ପୁଣି ଥରେ ତିଆରି କରେ। ଆମେ ସରକାରଙ୍କୁ କାହିଁକି ଡରିବୁ?’’

ପଞ୍ଜାବ ବର୍ଣ୍ଣାଲା ଜିଲ୍ଲାର ଉପାଲି ଗାଁରୁ ଆସିଥିଲେ ୭୦ ବର୍ଷୀୟ ମଘର ସିଂ। ଏହି ପ୍ରତିବାଦରେ ଯୋଗ ଦେବାକୁ ସେ ଟ୍ରେନ୍ ଯୋଗେ ଆସିଥିଲେ। ସଂସଦ ମାର୍ଗରେ ଏକ ନୀଳ ରଙ୍ଗର କପଡ଼ା ଉପରେ ସେ କ୍ଳାନ୍ତ ହୋଇ ବସିଥିଲେ । ବାଟ ଚାଲିଥିବାରୁ ସେ ଟିକେ ଥକା ମାରୁଥିଲେ। ଏହି ବୟସରେ ମଧ୍ୟ ସେ ମନରେଗା ଯୋଜନା ଅଧିନରେ ବିଭିନ୍ନ ପ୍ରକଳ୍ପରେ ଜଣେ ଶ୍ରମିକ ଭାବେ କାମ କରନ୍ତି। ଗତ ଆର୍ଥିକ ବର୍ଷରେ ସେ ଏହି ଯୋଜନାରେ ୨୫ ଦିନ କାମ କରିଛନ୍ତି। ଏଥିରେ ପାରିଶ୍ରମିକ ବାବଦରେ ଦିନକୁ ୨୪୦ ଟଙ୍କା ମିଳିବା କଥା। କିନ୍ତୁ ସେ କହନ୍ତି, ‘‘ଦିନକୁ ୮ ଘଣ୍ଟା କାମ ପାଇଁ ଆମକୁ ମାତ୍ର ୧୪୦ ଟଙ୍କା ମିଳୁଛି। ଆମେ ରୋଜଗାର କରିଥିବା ଏହି ଅର୍ଥ ଆମ ବ୍ୟାଙ୍କ ଖାତାରେ ଜମା କରିବାକୁ ବେଳେବେଳେ ସରକାର ୩ ବର୍ଷ ପର୍ଯ୍ୟନ୍ତ ସମୟ ନିଅନ୍ତି। ’’ ମଘର ସିଂଙ୍କ ପତ୍ନୀ ଗରଦେବ କୌର ମଧ୍ୟ ଜଣେ ମନରେଗା ଶ୍ରମିକ। ୪ ବର୍ଷ ତଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତା ପରଠାରୁ  ସେ ବାଡ଼ି ଧରି ଚାଲୁଛନ୍ତି। ତାଙ୍କ ପିଲାମାନେ ବି ଶ୍ରମିକ କାମ କରୁଛନ୍ତି। ଗାଁ ପାଖ ଅଞ୍ଚଳରେ ସେମାନେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି। ସେ କହିଲେ, ‘‘ଏଇ ରୋଜଗାରରେ ଆମେ କଣ ଖାଇପାରିବୁ ? ତେଣୁ ଉପାଲିର ଲଙ୍ଗରରେ ଆମେ ଖାଦ୍ୟ ଖାଉଛୁ।’’

03a - Indrakumari Nevare, a mid-day meal worker said that for the past five years her salary has remained Rs 1000 monthly (top left)

03b - Maghar Singh, 70 from Punjab talks about the time delay in NREGA payments and how the number of working days under NREGA has been reducing (top right)

03c - A worker carrying the flag of labour union in Ramlila Maidan (bottom left)

03d - Farmers and workers leaving for Parliament Street carrying the flags and banners of their demands.
PHOTO • Sanket Jain

ଇନ୍ଦ୍ରକୁମାରୀ ନବାଡ଼େ (ବାମ ପଟର ଉପରେ), ମଧ୍ୟାହ୍ନ ଭୋଜନରେ ଜଣେ ପାଚିକା ଭାବେ ସେ କାମ କରନ୍ତି। ତାଙ୍କ ଘର ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ। ମଘର ସିଂ (ଦକ୍ଷିଣ ପଟର ଉପରେ), ଜଣେ ମନରେଗା ଶ୍ରମିକ। ଘର ପଞ୍ଜାବ ବର୍ଣ୍ଣାଲା ଜିଲ୍ଲାରେ। ପାରିଶ୍ରମିକ ସଂଶୋଧନ ହେବା ଆଶାରେ ସେ ଆସିଛନ୍ତି। ତଳ ଧାଡ଼ି : ସଂସଦ ମାର୍ଗ ଅଭିମୁଖେ ପଦଯାତ୍ରା ଆରମ୍ଭ କରୁଛନ୍ତି।

ଦରମା ବୃଦ୍ଧି ଦାବିରେ ମଧ୍ୟାହ୍ନ ଭୋଜନ ପାଚିକାମାନେ ମଧ୍ୟ ଦିଲ୍ଲୀ ଆସିଥିଲେ। ତାଙ୍କ ଭିତରେ ଥିଲେ ୪୨ ବର୍ଷୀୟା ଇନ୍ଦ୍ରକୁମାରୀ ନୱାଡେ। ସେ ମଧ୍ୟପ୍ରଦେଶ ସିଓନି ଜିଲ୍ଲା ବାରଘାଟ ବ୍ଳକର ମଲାରା ଗାଁରୁ ଆସିଥିଲେ। ରାଜ୍ୟ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ସେ ଦୀର୍ଘ ଦୁଇ ଦଶନ୍ଧି ହେବ କାମ କରୁଛନ୍ତି। ସେ କହିଲେ, ‘‘ପ୍ରତିଦିନ ୫୦ ଜଣ ପିଲାଙ୍କ ପାଇଁ ରୋଷେଇ କରିବା ଏବଂ ବାସନ ସଫା [ମାଲାରା ଗାଁର ଏକ ସରକାରୀ ପ୍ରାଥମିକ ସ୍କୁଲରେ] କାମ ପାଇଁ ଆମକୁ ମାସିକ ୧,୦୦୦ ଟଙ୍କା ପାରିଶ୍ରମିକ ମିଳୁଛି।’’ ଆନ୍ଦୋଳନରେ ସାମିଲ ହୋଇପାରି ନଥିବା ତାଙ୍କ ସ୍ୱାମୀ ଶିବପ୍ରସାଦ ଜଣେ କୃଷି ଶ୍ରମିକ ଭାବେ ଗାଁରେ କାମ କରନ୍ତି। ତାଙ୍କର ଦୈନିକ ମଜୁରୀ ୧୦୦ ଟଙ୍କା।

ସିଓନି ଜିଲ୍ଲାର ବିଭିନ୍ନ ଗାଁରୁ ବହୁ ମଧ୍ୟାହ୍ନ ଭୋଜନ ପାଚିକା ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସେମାନଙ୍କ ଦାବି ଥିଲା ମାସିକ ୧୮,୦୦୦ ଟଙ୍କା ଦରମା।

୨୮ ବର୍ଷୀୟ ମହେନ୍ଦ୍ର ଚୌଧୁରୀ ତାଙ୍କ ମଜୁରୀ ବୃଦ୍ଧି ପାଇଁ ଦାବି କରୁଥିଲେ। ସେ ବିହାର ଗୟା ଜିଲ୍ଲା ଆମାସ୍ ବ୍ଳକ୍‌ର ଚତୁର ଖାପ ଗାଁରୁ ଆସିଥିଲେ। ଗାଁରେ ସେ ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି। ଜମିରେ ୯ ଘଣ୍ଟା କାମ କଲେ ତାଙ୍କୁ ୨.୫ କିଲୋ ଚାଉଳ ମିଳେ। ସେ କହନ୍ତି, ‘‘ଜମି ମାଲିକ ଟଙ୍କା ଦିଅନ୍ତିନି। ସେମାନେ ଆମକୁ ଚାଉଳ ଦିଅନ୍ତି। ଗାଁ ଦୋକାନୀ ଆମଠାରୁ ଚାଉଳ କିଲୋ ୧୬ ଟଙ୍କା ହିସାବରେ କିଣେ।’’ ଯଦିଓ ଚାଉଳର ବଜାର ଦର ରହିଛି ୨୨ ଟଙ୍କା । କିଛି ଅଧିକ ରୋଜଗାର ପାଇଁ ମହେନ୍ଦ୍ର ବେଳେବେଳେ ଆଖପାଖ ଗାଁରେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି। ଏଥିରେ ତାଙ୍କୁ ଦିନକୁ ୧୫୦ ଟଙ୍କା ମିଳେ। ସେ କହିଲେ, ‘୧୨ ବର୍ଷ ବୟସରୁ ମୁଁ ଶ୍ରମିକ ଭାବେ କାମ କରି ଆସୁଛି। ଆମ ମଜୁରୀ ୫୦୦ ଟଙ୍କାକୁ ବଢିବା ଦରକାର। ’’

From left to right: ASHA worker Pradnya Dhurandar, her son Vishal, and daughter kanchan who came from Takli Pr.Rajur village in Maharashtra’s Buldana district
PHOTO • Sanket Jain
In order to make ends meet, Mahendar Choudhary, 28 from Chature Khap village in the Amas block of Gaya district in Bihar doubles up as a [building] construction majdoor and an agricultural labourer
PHOTO • Sanket Jain

ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ପ୍ରଦ୍ୟାଁ ଧୁରନ୍ଦର (ବାମ, ଯିଏ ତାଙ୍କ ପୁଅ ବିଶାଲ ଏବଂ ଝିଅ କଞ୍ଚନ ସହ ଦିଲ୍ଲୀ ଆସିଥିଲେ) ବୁଲଦାନା ଜିଲ୍ଲାରୁ ଆସିଥିଲେ, ଏବଂ ବିହାର ଗୟା ଜିଲ୍ଲାରୁ ଆସିଥିବା ମହେନ୍ଦ୍ର ଚୌଧୁରୀ (ଡାହଣ) ଜଣେ ନିର୍ମାଣ ଏବଂ କୃଷି ଶ୍ରମିକ। ସେମାନେ ମଧ୍ୟ ତାଙ୍କ ଉଚିତ ପାରିଶ୍ରମିକ ଦାବି କରୁଥିଲେ।  

ଏହି ବିଶାଳ ଶୋଭାଯାତ୍ରାରେ ଥିଲେ ୩୫ ବର୍ଷୀୟ ପ୍ରଦ୍ୟାଁ ଧୁରନ୍ଦର। ସେ ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ମୋଟାଲା ତାଲୁକର ତକଲି ପ୍ର. ରାଜୁର ଗାଁରୁ ଆସିଥିଲେ। ପାର୍ଲାମେଣ୍ଟ ମାର୍ଗରୁ ବହୁ ଦୂରରେ ଥିବା ଟଲଷ୍ଟୟ ମାର୍ଗରେ ଫୁଟପାଥ ଉପରେ ବସିଥିଲେ। ସେ କ୍ଳାନ୍ତ ଦେଖାଯାଉଥିଲେ। ସେ ତାଙ୍କ ୧୭ ବର୍ଷର ଝିଅ କଞ୍ଚନ ଏବଂ ୧୧ ବର୍ଷର ପୁଅ ବିଶାଲଙ୍କୁ ସାଙ୍ଗରେ ଆଣି ପ୍ରତିବାଦ ସ୍ଥଳକୁ ଆସିଥିଲେ। ତାଙ୍କ ସ୍ୱାମୀ ପୋଲିଓ ଆକ୍ରାନ୍ତ, ତାଙ୍କର କିଛି ରୋଜଗାର ନାହିଁ। ସେ ହକିଲେ, ‘‘ଆଜି ସକାଳୁ ଆମେ କିଛି ଖାଇନୁ। ମୋର ଦୁଇ ଜଣ ପିଲା ଢୋଳେଇଲେଣି। ତାଙ୍କୁ ମୁଁ ଏଇଠି ବସେଇଚି।’’

ନାସନାଲ ରୁରାଲ ହେଲ୍‌ଥ ମିଶନ ଅଧିନରେ ୨୦୧୦ ରୁ ପ୍ରଦ୍ୟାଁ ଜଣେ ଆଶା କର୍ମୀ ଭାବେ କାମ କରୁଛନ୍ତି। ଆକୋଲା ଏବଂ ବୁଲଧାନା ଜିଲ୍ଲାର ବିଭିନ୍ନ ଗାଁରୁ ମଧ୍ୟ ବହୁ ଆଶା କର୍ମୀ ଆସିଥିଲେ। ସମସ୍ତଙ୍କର ଦାବି ଥିଲା ମାସିକ ବେତନ। ଆଶା କର୍ମୀମାନେ ସେମାନଙ୍କ ପ୍ରଦର୍ଶନ ଆଧାରରେ କେବଳ ପ୍ରୋତ୍ସାହନ ରାଶି ପାଆନ୍ତି। ସେମାନଙ୍କ କାର୍ଯ୍ୟ ଭିତରେ ରହିଛି, ଟୀକାକରଣ ପାଇଁ ସଚେତନତା ସୃଷ୍ଟି କରିବା, ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବା ଏବଂ ଘରେ ପାଇଖାନା ତିଆରି କରିବା ପାଇଁ ଲୋକଙ୍କୁ ବୁଝେଇବା। (ଯାହା ନେସନାଲ ହେଲ୍‌ଥ ମିଶନ ୱେବସାଇଟ କହେ)

ନାସିକ୍‌ରୁ ମୁମ୍ବାଇ ପଦଯାତ୍ରାରେ କୃଷକମାନଙ୍କ ସହ ପ୍ରଦ୍ୟାଁ ସାମିଲ ହୋଇଥିଲେ। ସେ ଦୃଢ ଭାବେ କହିଲେ, ‘‘ଆମେ ଜାଣୁ ସରକାର ଆମକୁ ଦରମା ଦେବେନି। କିନ୍ତୁ ଆମେ ଥରକୁ ଥର ଦିଲ୍ଲୀ ଆସିବୁ । ଅପରାହ୍‌ଣ ସାଢେ ୪.୩୦ରେ ରାଲି ଶେଷ ହେଲା। ତାଙ୍କ ଭଳି ଆହୁରି ଅଧିକ ଆଶାକର୍ମୀ ପୁଣି ଥରେ ଦିଲ୍ଲୀ ଆସି ଆନ୍ଦୋଳନ କରିବାକୁ ସଂକଳ୍ପ ନେଇଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ଲେଖକ ପରିଚୟ: ସଂକେତ ଜୈନ ହେଉଛନ୍ତି ମହାରାଷ୍ଟ୍ର କୋହ୍ଲାପୁର ଅଞ୍ଚଳର ଜଣେ ଗ୍ରାମାଞ୍ଚଳଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପରୀ ସ୍ୱେଛାସେବୀ।

Other stories by Sanket Jain