୨୨ ବର୍ଷ ବୟସ୍କା ସୁଷମା ମାଲି ଘରୁ ଆସିବା ପ୍ରାୟ ଆଠ ମାସ ହୋଇଗଲାଣି।  ଘରେ ତାଙ୍କର ତିନିବର୍ଷର ଝିଅ ଓ ସ୍ଵାମୀ ଅଛନ୍ତି।  ସ୍ଵାମୀ ଜଣେ କୃଷକ। ଏବେ ସୁଷମା ମେ’ରୁ ଅଗଷ୍ଟ ବାର୍ଷିକ ଛୁଟିରେ ଘରକୁ ଯିବେ । କିନ୍ତୁ ତା’ ପୂର୍ବରୁ ସେ ଯେଉଁ ତମାସା ଦଳରେ ନର୍ତ୍ତକୀ ଭାବରେ କାମ କରୁଛନ୍ତି ତା’ର ମାଲିକଙ୍କ ସହ ପାଉଣା ତୁଟାଇବାକୁ ହେବ।

ଦଳର ସଦସ୍ୟମାନଙ୍କ ଦ୍ୱାରା ମମ୍ମି ଭାବରେ ସମ୍ବୋଧିତା ହେଉଥିବା ତମାସା ଦଳ ବା ଫାଦ୍ର ମାଲିକାଣୀ ମଙ୍ଗଳା ବାନସୋଦେ ମେ’ - ଅଗଷ୍ଟ ବାର୍ଷିକ ଛୁଟି ପୂର୍ବରୁ ପାଉଣା ତୁଟାଇବା ପାଇଁ ସତାରା ଜିଲ୍ଲାରେ କାରାବାଦି ଗ୍ରାମରେ ଥିବା ନିଜ ଘରର ବୈଠକଖାନାରେ ବସିଛନ୍ତି।  ଚଟାଣରେ କିଛି ଲୋକ ମୋଟା ଲେଜର୍ ଖାତା ଧରି ବସିଛନ୍ତି। ଦଳର ୧୭୦ ଜଣ ସଦସ୍ୟ - କଳାକାର, ଶ୍ରମିକ, ଡ୍ରାଇଭର, ୱାୟରମେନ୍, ମ୍ୟାନେଜର, ରୋଷେୟା - ସମସ୍ତେ ଜଣକ ପରେ ଜଣେ ଗୋଟିଏ କବାଟ ଆଉଜାଇ ଏହି କୋଠରୀ ମଧ୍ୟକୁ ଆସୁଛନ୍ତି ।

Kiran Bade (centre) cracks a joke during a performance with Nitin Bansode, Mummy’s younger son
PHOTO • Vinaya Kurtkoti ,  Shatakshi Gawade

ଏକ କାର୍ଯ୍ୟକ୍ରମ ପରିବେଷଣ ସମୟରେ ନିତିନ୍ ବାନସୋଦେ (ବାମ) କିରନ୍ ବଡେ (ମଝି) ମଜାକଥା କହୁଛନ୍ତି ନିତିନ୍ ମଙ୍ଗଳା ବାନସୋଦେଙ୍କ ସାନ ପୁଅ ତମାସା ଦଳର ସହ ମାଲିକ

୬୬ ବର୍ଷ ବୟସ୍କା ମଙ୍ଗଲାତାଇ ତମାସାର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଠାବାଇ ନାରାୟଣନଗାଓଁକରଙ୍କ ଝିଅ।  ସେ ସାତ ବର୍ଷ ବୟସରୁ ମା’ଙ୍କ ଫାଦରେ କାମ କରି ଆସୁଛନ୍ତି।  ସେହିଠାରେ ହିଁ ସେ ନିଜର ଭାବି ପତି ରାମଚନ୍ଦ୍ର ବାନସୋଦେଙ୍କୁ ଭେଟିଥିଲେ । ୧୯୮୩ ମସିହାରେ ସେମାନେ ନିଜର ଫାଦ୍ ଆରମ୍ଭ କଲେ। ରାମଚନ୍ଦ୍ର ହିଁ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ଓ କଳାକାର ଥିଲେ।  କିନ୍ତୁ ଏବେ ଅସୁସ୍ଥତା ଯୋଗୁ କାମ କରୁନାହାନ୍ତି।  ତାଙ୍କ ଫାଦ୍ ଏବେ ମଙ୍ଗଲା ବାନସୋଦେ ଓ ନିତିନ୍ କୁମାର ତମାସା ମଣ୍ଡଳ ଭାବରେ ଜଣାଶୁଣା।

‘ତମାସା’ ସଦସ୍ୟମାନଙ୍କ ମଧ୍ୟରୁ ଏବେ କିରନ୍ ବଡେ ମଙ୍ଗଲାତାଇଙ୍କ କୋଠରୀ ଭିତରକୁ ପଶିଲେ।  ସେ ତାଙ୍କ ଠାରୁ ୫୦,୦୦୦ ଟଙ୍କାର ଉଚଲ୍ ବା ଅଗ୍ରୀମ ନେଇ ଫେରିଲେ।  ଫାଦ୍ର ଚାରିମାସିଆ ଛୁଟି ସମୟରେ ଏହି ଉଚଲ୍ ତାଙ୍କ ପରିବାରର ଖର୍ଚ୍ଚ ତୁଲାଇବ।  ଅହମ୍ମଦନଗର ଜିଲ୍ଲାର ପଥର୍ଡି ଗ୍ରାମରେ କିରନଙ୍କ ସାତ ଜଣିଆ ପରିବାର ବାସ କରନ୍ତି।  ତାଙ୍କର ବାପା ଓ ଭାଇ ମଧ୍ୟ ଅନ୍ୟ ତମାସା ଦଳରେ କାମ କରନ୍ତି।

ଜରୁରୀକାଳୀନ ସ୍ଵାସ୍ଥ୍ୟ ଆବଶ୍ୟକତା ଓ ବିବାହ ଆଦିରେ ଲୋକମାନେ ଉଚଲ୍ ନିଅନ୍ତି । କିନ୍ତୁ କିରଣ କୁହନ୍ତି, “ମାଲିକମାନେ ଉଚଲ୍ ଦିଅନ୍ତି କାରଣ ସଦସ୍ୟଟି ତାଙ୍କ ସହ ବାନ୍ଧି ହୋଇ ରହିବ”।

୨୦୧୭-୨୦୧୮ ସମୟରେ କିରନଙ୍କ ମାସିକ ୧୫,୦୦୦ ଦରମା ମଧ୍ୟରୁ କିଛି ଅଂଶ ଏହି ଅଗ୍ରୀମ ବାବଦରେ କଟାଯିବ। ଫାଦ୍ର ଅଭ୍ୟାସ ଆରମ୍ଭ ହୁଏ  ସେପ୍ଟେମ୍ବର ମାସରୁ ଓ ପରିବେଷଣ ଶେଷ ହୁଏ ମେ’ ମାସରେ। କିରନ୍ ଗୀତ ଗାଇବା, ନାଚିବା ଓ ଅଭିନୟ କରିବାରେ ନିପୁଣା। କିରନ୍ କୁହନ୍ତି – “ମୁଁ ଯେତେ ପ୍ରକାର କାମ କରୁଛି ସେଥିପାଇଁ ଏହାଠାରୁ ଢେର ଅଧିକ ପାଇବା କଥା”।

କିନ୍ତୁ ଯେତେବେଳେ ତାଙ୍କ ପତ୍ନୀ ତମାସା ଛାଡି ଅନ୍ୟ କାମ ଦେଖିବାକୁ କହିଲେ ସେ ମନାକଲେ , ତମାସା ତାଙ୍କର ପ୍ରବୃତ୍ତି ଓ ନିଶା।  ମୁଁ ତାକୁ କହିଲି – “ମୁଁ ଆଉ ଗୋଟେ ପତ୍ନୀ ନେଇ ଆସିବି କିନ୍ତୁ ଫାଦ୍ ଛାଡି ପାରିବିନି।   ତମାସା ଏପରି ଏକ ବନ୍ଦୀଶାଳା, ଯେଉଁଠାରୁ ମୁଁ ମୁକ୍ତି ଚାହେଁନି”।

ଯେତେବେଳେ ଫାଦ୍ର ଋତୁ ଆରମ୍ଭ ହୋଇଯାଏ, କିରନ୍ ଦିନକୁ ୫୦ ଟଙ୍କା ଶିଧ (ଦୈନିକ ଭତ୍ତା) ଭାବରେ ପାଆନ୍ତି।  ସେ ଇଲେକ୍ଟ୍ରିସିଆନ୍ ଓ ଡ୍ରାଇଭର ଭାବରେ କାମ କରିଥିବା ଦିନରେ ୨୦୦ ଟଙ୍କା ଲେଖାଏଁ ପୃଥକ୍‌ ଭାବେ ଆୟ କରନ୍ତି।  ଋତୁ ଶେଷରେ ସେ ସମୁଦାୟ ପାଉଣା ପାଇବେ।  ଏହି ପାଉଣାରୁ ଦୈନିକ ଭତ୍ତା କାଟି ଦିଆଯିବ ।

PHOTO • Vinaya Kurtkoti ,  Shatakshi Gawade

୬୬ ବର୍ଷ ବୟସ୍କା ମଙ୍ଗଲାତାଇ ବଡ଼ପୁଅ ଅନୀଲ କରଡ୍ ଜିଲ୍ଳାରେ ସଓ୍ୱାଲାଜ୍ ଗ୍ରାମରେ ଏକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରୁଛନ୍ତି  ସେମାନଙ୍କ ଫାଦ୍ ମହାରାଷ୍ଟ୍ରର ଅନ୍ୟତମ ବୃହତ୍ ତମାସା ଦଳ

ଅଧିକାଂଶ ତମାସା କଳାକାରଙ୍କ ଆର୍ଥିକ ଚକ୍ର ଏହିପରି - ଅଗ୍ରୀମ ନିଅ, କାମ କରି ପରିଶୋଧ କର , ପୁଣି ଆସନ୍ତା ବର୍ଷ ପାଇଁ ପାଉଣା ନିଅ। ନୋଟାରୀଙ୍କ ଦ୍ୱାରା କରାଯାଇଥିବା ଚୁକ୍ତିପତ୍ର ଅନୁଯାୟୀ ସେମାନେ ୨୧୦ ଦିନ ନିମନ୍ତେ ଫାଦ୍ ସହ ଅନୁବନ୍ଧିତ ହୋଇଥାନ୍ତି।  ଦରମାକୁ ବାଦ୍ ଦେଲେ ଦଳର ସଦସ୍ୟମାନେ ଦିନକୁ ଦୁଇବେଳା ଭୋଜନ ଓ ପୋଷାକ ପାଇଥାନ୍ତି।  କିନ୍ତୁ ନିଜ ପାଇଁ ମେକ୍ଅପ୍ ସାମଗ୍ରୀ ନିଜକୁ ହିଁ କିଣିବାକୁ ପଡ଼େ।

ଫାଦ୍‌ର ଚାରିମାସ ଛୁଟି ସମୟରେ କଳାକାର ଓ ଶ୍ରମିକମାନେ ନିଜ ନିଜର କୃଷି କ୍ଷେତ୍ରରେ କାମ କରନ୍ତି।  ସେମାନେ ଡ୍ରାଇଭର ଓ ଘରୋଇ ଶ୍ରମିକ ଭାବରେ ମଧ୍ୟ କାମ କରନ୍ତି।  ତମାସା ଚାଲିଥିବା ସମୟରେ ସେ ଜମା କରିଥିବା ରାଶି ଏହି ସମୟରେ ତାଙ୍କର କାମରେ ଆସେ ।

Woman dancing in tamasha
PHOTO • Vinaya Kurtkoti ,  Shatakshi Gawade

ନିଜ ମାଙ୍କ ନୃତ୍ୟ ଦେଖି ଦେଖି ସୁଷମା ମାଲି ୧୨ ବର୍ଷ ବୟସରୁ ଫାଦ୍ର ନର୍ତ୍ତକୀ ଭାବରେ ପ୍ରଥମ ନୃତ୍ୟ ପରିବେଷଣ କରିଥିଲେ

“ମଙ୍ଗଲାଙ୍କ ଦଳରେ ନର୍ତ୍ତକୀମାନଙ୍କ ସଂଖ୍ୟା ପ୍ରାୟ ୧୬। ଏମାନେ ହିଁ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଅଧିକ ଦରମା ପାଆନ୍ତି”, କୁହନ୍ତି ଫାଦ୍‌ର ମ୍ୟାନେଜର୍ ତଥା ମଙ୍ଗଲାଙ୍କ ସାନପୁଅ ଅନୀଲ ବାନସୋଦେ।  ତାଙ୍କ କହିବା ଅନୁଯାୟୀ ୨୦୧୬-୧୭ ସମୟରେ ପ୍ରତି ନର୍ତ୍ତକୀଙ୍କୁ ୩୦,୦୦୦ ଟଙ୍କା ଲେଖାଏଁ ଦରମା ଦିଆଯାଉଥିଲା।  କାରଣ ସେମାନେ ହିଁ ଅଧିକ ଦର୍ଶକ ଜୁଟାନ୍ତି, ଦର୍ଶକମାନଙ୍କ ଠାରୁ ସର୍ବାଧିକ ପ୍ରଶଂସା ପାଆନ୍ତି।  ସେମାନଙ୍କୁ ଅଧିକ ଦରମା ଦେବା ପଛରେ ଅନ୍ୟ କାରଣ ବି ଅଛି।  ବର୍ଷରେ ଆଠମାସ ଫାଦ୍ ସହ ଏ ଯାଗାରୁ ସେ ଯାଗାକୁ ଯିବାକୁ ରାଜି ହେବାପରି ନର୍ତ୍ତକୀ ଖୋଜିବା ବି ସହଜ କାମ ନୁହେଁ।  “ତେଣୁ ଅଧିକ ଦରମା ଦେଇ ସେମାନଙ୍କୁ ନିଜ ସହ ସଂଯୁକ୍ତ କରି ରଖିବାକୁ ହୁଏ”।

ଏ ଋତୁରେ ସୁଷମା ମାଲି ଅନେକ ଗୀତରେ ମୁଖ୍ୟ ନର୍ତ୍ତକୀ ଥିଲେ। ୧୨-୧୩ ବର୍ଷ ବୟସରୁ ତାଙ୍କର ତମାସା କ୍ୟାରିୟର ଆରମ୍ଭ ହୋଇଥିଲା।  ପିଲାଦିନରୁ ତମାସାରେ  ମା’ ନୃତ୍ୟ କରୁଥିବା ଦେଖି ଦେଖି ସେ ବଡ଼ ହୋଇଥିଲେ।  ସୁଷମା ଯେତେବେଳେ ତମାସାରେ କାମ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କ ମା’ ଅସନ୍ତୁଷ୍ଟ ଥିଲେ  କାରଣ ସେ ଚାହୁଁନଥିଲେ ଯେଉଁ କଷ୍ଟକର ଜୀବନ ସେ ଜିଇଁଛନ୍ତି, ସେ ଜୀବନ ଝିଅ ମଧ୍ୟ ଜିଉଁ।  ସୁଷମା କିନ୍ତୁ ନିଷ୍ପତ୍ତିରେ ଅଟଳ ରହିଲେ  କାରଣ ତମାସାରେ କାମ କରିବା ସହ ଆର୍ଥିକ ସ୍ଵାଧୀନତା ସଂଯୁକ୍ତ।  ସୁଷମା କୁହନ୍ତି, “ତାଙ୍କ ସ୍ଵାମୀ (ଜଣେ କୃଷକ) ମଧ୍ୟ ଚାହୁଁନଥିଲେ ତାଙ୍କୁ ତମାସାରେ କାମ କରିବାକୁ ଦେବାକୁ। କିନ୍ତୁ ତାଙ୍କ ଉପରେ ୮ ବର୍ଷର ଭାଇ ଓ ତିନି ବର୍ଷର ଝିଅର ମଧ୍ୟ ଦାୟିତ୍ୱ ରହିଛି”।  ସୁଷମା ମଧ୍ୟ ଚାହାନ୍ତିନି ଯେ ତାଙ୍କ ଝିଅ ଏହି କ୍ଷେତ୍ରରେ କାମ କରୁ ବୋଲି। ଏପରିକି ସେ ଜଣେ ତମାସା ନର୍ତ୍ତକୀ ବୋଲି ଝିଅକୁ କହିନାହାନ୍ତି।

ତମାସାରେ କାମ କରୁଥିବା ଅଧିକାଂଶ କଳାକାର ବା ଶ୍ରମିକଙ୍କ ପିତାମାତା କିମ୍ବା ବଡ଼ ଭାଇଭଉଣୀ ଏଥିରେ କାମ କରୁଥିବା ଦେଖି ଏ କ୍ଷେତ୍ରକୁ ଆସନ୍ତି।  କୃଷି ଶ୍ରମିକ ଭାବରେ ଜୀବିକା ଠାରୁ ଏ କାମରେ ସ୍ଥିରତା ବି ଅଧିକ।   ଫାଦ୍ ସହ ସଂଯୁକ୍ତ ରହିବା ସେମାନଙ୍କୁ କଳାକାର ଭାବରେ ପରିଚୟ ଦିଏ  ଏଥିସହ ଏହା ସାମାଜିକ ପ୍ରତିଷ୍ଠା ମଧ୍ୟ ବଢ଼ାଏ ।

ଶାରଦା ଖାଡେଙ୍କ ପରିବାର ପାଇଁ ଫାଦ୍ ନିଜ ଘର ପରି । ତାଙ୍କ ଘର ସାଙ୍ଗଲି ଜିଲ୍ଲାର ଦୁବାଲ ଦୁଲଗାଁଓ ଗାଁରେ।   ଶାରଦା ଜଣେ ନର୍ତ୍ତକୀ ଏବଂ ଲୋକ ନାଟିକା ଭାଗ୍ ନାଟ୍ୟର କଳାକାର। ତାଙ୍କ ସ୍ଵାମୀ ଜଣେ ଅଭିନେତା। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ବାଦ୍ୟକାର ଓ ଅନ୍ୟ ଜଣେ ଇଲେକ୍ଟ୍ରିସିଆନ୍।  ତମାସା ତାଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ।  କୃଷି ଶ୍ରମିକ ଭାବରେ ତାଙ୍କର ସମ୍ପର୍କୀୟମାନେ ଦନକୁ ୨୦୦ ଟଙ୍କା ଲେଖାଏଁ ମଜୁରୀ ପାଉଛନ୍ତି।  ଏଥିସହ ଦିନ ମଜୁରୀ କାମରେ ନିର୍ଦ୍ଦିଷ୍ଟତା ବି ନାହିଁ।

ତେବେ ତମାସାରୁ ଏହି ସ୍ଥିର ତଥା ନିରାପଦ ଆୟର ମୂଲ୍ୟ ମଧ୍ୟ ଦେବାକୁ ହୁଏ। ଶାରଦା କୁହନ୍ତି ପ୍ରତି ଦିନ ଗୋଟିଏ ନୂଆ ଗାଁରେ ତମ୍ବୁ ବାନ୍ଧିବା କେବେ ବି ସହଜ ଜୀବନ ନୁହେଁ।  ତା’ ସହ ଅବ୍ୟବସ୍ଥିତ କାର୍ଯ୍ୟ ନିର୍ଘଣ୍ଟ, ଡେରି ରାତି ପର୍ଯ୍ୟନ୍ତ ପରିବେଷଣ, ଅନିୟମିତତା ଭୋଜନ ଏବଂ ଅଧିକାଂଶ ସମୟରେ ଅପରିଷ୍କାର ବାସ କରିବା ସ୍ଥଳ ମଧ୍ୟ ଥାଏ।

Sharda gets ready for the last performance of the season. Her husband Nagesh Khade (centre) is an actor in the vag natya and her son Sagar Khade is a percussionist
PHOTO • Vinaya Kurtkoti ,  Shatakshi Gawade

ଶାରଦା ଋତୁର ଶେଷ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କ ସ୍ୱାମୀ ନାଗେଶ (ମଝିରେ) ଜଣେ ଅଭିନେତା ସେମାନଙ୍କ ପୁଅ ସାଗର (ବାମ) ଜଣେ ବାଦ୍ୟକାର

ତମାସାରୁ ଆସୁଥିବା ନିୟମିତ ଓ ଭଲ ଆୟ ପାଇଁ ମୂଲ୍ୟ ଦେବାକୁ ହୁଏ। ପ୍ରତିଦିନ ଗୋଟିଏ ଲେଖାଏଁ ନୂଆ ଗାଁରେ ତମ୍ବୁ ଟାଣିବା, ଅବ୍ୟବସ୍ଥିତ ସମୟ, ଅନିୟମିତ ଭୋଜନ, ଅପରିଷ୍କାର ରହଣୀ ସ୍ଥାନ ଏବଂ ତା’ ସହ ଅଶ୍ଳୀଳ କମେଣ୍ଟ।

ଅନେକ ସମୟରେ ପୁରୁଷ ଦର୍ଶକଙ୍କ ଚାହାଣୀ ଓ ମନ୍ତବ୍ୟ ଅଶ୍ଲୀଳ ଲାଗେ। ଶାରଦା ଅନେକ ସମୟରେ ସେମାନଙ୍କୁ କୁହନ୍ତି - ତୁମେମାନେ କାହିଁକି ଏମିତି କରୁଛ ? ଘରେ ମା’ ଭଉଣୀ ନାହାନ୍ତି ? ସେମାନଙ୍କ ଉତ୍ତର ଥାଏ, “ଆମ ଘରର ସ୍ତ୍ରୀ ଲୋକ କିନ୍ତୁ ତମାସାର ମହିଳାମାନଙ୍କ ପରି କାମ କରନ୍ତିନି”। ତୁମେ ଏମିତି କାମ କାହିଁକି କର, ଯେଉଁଠି ପୁରୁଷଲୋକଙ୍କ ଆଗରେ ନାଚିବାକୁ ପଡ଼େ।  ଶାରଦା ସେମାନଙ୍କୁ କୁହନ୍ତି – “ଏଇଠା ବି ତ କାମ”।

ତମାସାର ପୁରୁଷମାନେ ମଧ୍ୟ କଦର୍ଯ୍ୟ ଟିପ୍ପଣି ଶୁଣନ୍ତି।  ଅନୀଲ କୁହନ୍ତି, “ପିଲାଦିନେ ଆମ ଗାଁର ଅନେକ ଲୋକ ଆମକୁ ‘ନାଚବାଲୀର ପିଲା’ ବୋଲି କହୁଥିଲେ”।

* * *

Mohit in the rahuti [tent] in Narayangaon
PHOTO • Vinaya Kurtkoti ,  Shatakshi Gawade

ତମାସା ଦଳର ମାଲିକ ମୋହିତ୍ ନାରାୟଣନ୍ ଗାଓଁକର ତାଙ୍କ ଫାଦ୍ ସବୁବେଳେ ସ୍ମରଣୀୟ ହୋଇ ରହୁ ଏହା ଚାହାନ୍ତି

ପ୍ରାୟ ସମ୍ପୂର୍ଣ୍ଣ ତମାସା ଉଦ୍ୟୋଗ ନଗଦ ଟଙ୍କାରେ ଚାଲେ। ଦଳର ମାଲିକମାନେ ନିଜେ ମାସିକ ୪-୫ ପ୍ରତିଶତ ସୁଧ ହାରରେ ସ୍ଥାନୀୟ ସାହୁକାରଙ୍କଠାରୁ ଉଧାର ଆଣନ୍ତି। ମୋହିତ୍ ନାରାୟଣନ୍ ଗାଓଁକର କୁହନ୍ତି – “ବ୍ୟାଙ୍କ ଆମକୁ ଋଣ ଦିଏ ନାହିଁ।  ଆମେ ଘରୋଇ ସାହୁକାରଙ୍କ ଠାରୁ ଉଧାର ଆଣୁ ଓ ଫାଦ୍ ସମୟର ଆଠମାସ ମଧ୍ୟରେ ପରିଶୋଧ କରିଦେଉ”।  ମୋହିତ୍ ମଙ୍ଗଲାତାଇଙ୍କ ଭାଇ କୈଳାସଙ୍କ ପୁଅ ତଥା ଅନ୍ୟ ଏକ ତମାସା ଦଳର ମାଲିକ ।

ତେବେ ମଙ୍ଗଳାତାଇଙ୍କ ଫାଦକୁ  ବ୍ୟାଙ୍କ ଲୋନ୍ ମିଳୁଛି। କାରଣ ତାଙ୍କର ବିଶ୍ୱାସନୀୟତା ଅଛି ବୋଲି ବିଶ୍ୱାସ ରହିଛି ବ୍ୟାଙ୍କ ଗୁଡିକର। ତାଙ୍କ ଦଳ ମହାରାଷ୍ଟ୍ରର ହାତ ଗଣତିରେ ଥିବା କେଇଟି ଦଳ ମଧ୍ୟରେ ସାମିଲ ଯାହାର ନିଜସ୍ଵ ସମସ୍ତ ଉପରକରଣ ଅଛି ଓ କରଜ ନାହିଁ। ରୋଜଗାର ଓ ଦଳର ସଦସ୍ୟ ସଂଖ୍ୟାକୁ ବିଚାରକୁ ନେଲେ ଏହା ଗ୍ରାମୀଣ ମହାରାଷ୍ଟ୍ରର ଅନ୍ୟତମ ବଡ଼ ତମାସା ଦଳ। ପ୍ରତିବର୍ଷ ମଙ୍ଗଳାତାଇଙ୍କ ଫାଦ୍ର ଦେଣନେଣ ପ୍ରାୟ ୧ କୋଟି ଟଙ୍କାର।  ପୁନେର ଫଟୋ ଜର୍ଣ୍ଣାଲିଷ୍ଟ ତଥା ତମାସା କଳାକାରଙ୍କ ସମ୍ପର୍କରେ ଏକ ପୁସ୍ତକ ଲେଖଥିବା ସନ୍ଦେଶ ଭଣ୍ଡାରେଙ୍କ ଅନୁଯାୟୀ, ପଶ୍ଚିମ ମହାରାଷ୍ଟ୍ରର ୭୦-୧୫୦ ସଦସ୍ୟ ଥିବା ୩୦-୪୦ଟି ଫାଦ୍ ଅଛି। ଏହାଛଡା ୨୦-୩୦ ସଦସ୍ୟ ବିଶିଷ୍ଟ ପ୍ରାୟ ୨୦୦ଟି ଫାଦ୍ ଅଛି ଯେଉଁମାନେ କି ୠତୁସାରା କାର୍ଯ୍ୟକ୍ରମ ପରିବେଷଣ କରନ୍ତି ନାହିଁ। 

ସେପ୍ଟେମ୍ବର-ମେ’ ଋତୁରେ ଫାଦ୍ ମାନେ ଦୁଇ ପ୍ରକାରେ ରୋଜଗାର କରନ୍ତି।  ଦଶହରା ପରେ ଟିକେଟ୍ ସୋ’ ଆରମ୍ଭ ହୁଏ।  ପ୍ରତି ଟିକେଟର ଦାମ୍ ପ୍ରାୟ ୬୦ ଟଙ୍କା। ଏହା ମାର୍ଚ୍ଚ/ଏପ୍ରିଲ୍ର ଗୁଳି ପଡଓ୍ୱା ପର୍ଯ୍ୟନ୍ତ ଚାଲେ ।

The audience stayed on till the end of the show in Gogolwadi village, Pune district
PHOTO • Vinaya Kurtkoti ,  Shatakshi Gawade

ମାତ୍ର ଦୁଇ ଘଣ୍ଟାରେ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ମଞ୍ଚ ଉପରେ ଖୋଲା ପଡ଼ିଆରେ ସାଧାରଣତଃ ତମାସା ପରିବେଷଣ କରାଯାଏ

ଟିକେଟ୍ ହେଉଥିବା ସୋ’ରେ ଅତି କମ୍‌ରେ ୧,୦୦୦ ଜଣ କ୍ରେତା ହେଲେ ସମସ୍ତ ଖର୍ଚ୍ଚ ଭରଣା ହୋଇଯାଏ। ଏହାର ଦର୍ଶକଙ୍କ ମଧ୍ୟରୁ ୯୦ ପ୍ରତିଶତ ପୁରୁଷ ଲୋକ।  ତମାସା ପରିବେଷଣ ହେଉଥିବା ଗ୍ରାମ ଓ ଆଖପାଖ ଗ୍ରାମ ଗୁଡ଼ିକରୁ ସର୍ବାଧିକ ଦର୍ଶକ ଆସନ୍ତି।  ଏହି ଶୋ’ ସାଧାରଣତଃ ୫-୬ ଘଣ୍ଟାର।  କିନ୍ତୁ ଯଦି ତମାସା ରାତି ୧୧ଟା ପରେ କିମ୍ବା ମଧ୍ୟରାତ୍ରରେ ଆରମ୍ଭ ହୁଏ ତେବେ ଏହା ସକାଳ ୨-୩ ସୁଦ୍ଧା ଶେଷ ହୁଏ।

ତମାସା ଖୋଲା ପଡ଼ିଆରେ ପରିବେଷିତ ହୁଏ।  ତମାସାର ଶ୍ରମିକମାନେ ମାତ୍ର ୨ ଘଣ୍ଟାରେ ମଞ୍ଚ ପ୍ରସ୍ତୁତ କରିଦିଅନ୍ତି। ପ୍ରତିଦିନ ପ୍ରତି ଦଳ ଭିନ୍ନ ଭିନ୍ନ ସ୍ଥାନରେ ପରିବେଷଣ କରନ୍ତି।  କେତେକ ଗାଁରେ ‘ସକାଲଚି ହାଜେରୀ’ ବା ସକାଳୁଆ ଛୋଟ କାର୍ଯ୍ୟକ୍ରମକୁ ପସନ୍ଦ କରାଯାଏ।  ସେଗୁଡିକ ୨-୩ ଘଣ୍ଟାରେ ସମ୍ପୂର୍ଣ୍ଣ ହୁଏ। 

ତମାସା ଦଳର ରୋଜଗାରର ଅନ୍ୟତମ ଉପାୟ ଭଡାରେ ଯିବା।  ବିଭିନ୍ନ ଯାତ୍ରା କମିଟି ଗାଁର ବାର୍ଷିକ ଯାତ୍ରା ସମୟରେ ତମାସା ଦଳ ଡାକନ୍ତି।  ପ୍ରତି ଗାଁରେ ଯାତ୍ରା କମିଟି ଅଛି। ଏଥିପାଇଁ ବଡବଡ ଦଳକୁ ସୋ’ ପିଛା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁପାରି (ବୁକିଂ ଟଙ୍କା) ମିଳିଥାଏ।

ଏହି ‘ସୁପାରି ସୋ’ ପାଇଁ ଟିକେଟ୍ କଟାଯାଏନି।  ଯେ କେହି ଏହା ଦେଖିପାରନ୍ତି। ମୋହିତ୍ କୁହନ୍ତି, “୨୦୧୭ ମେ’ରେ ଶେଷ ହୋଇଥିବା ଋତୁରେ ଆମେ ୬୦ ଲକ୍ଷ ଟଙ୍କା ଲାଭ କରିଥିଲୁ। କିନ୍ତୁ କଳାକାରଙ୍କ ଅଗ୍ରୀମ ଦେବାରେ ଏହାକୁ ଖର୍ଚ୍ଚ କରିବାକୁ ହେଲା। ଏହାକୁ ଏଡାଇ ଦେଇ ମଧ୍ୟ ହେବନି  ନଚେତ୍ କଳାକାର ଅନ୍ୟ ଦଳକୁ ଚାଲିଯିବେ”।

ମରୁଡ଼ି ହୋଇଥିବା ବର୍ଷ ମାନଙ୍କରେ ଉଭୟ ଟିକେଟ ସୋ’ ଓ ମୁକ୍ତ ସୋ’ ପାଇଁ ଅସୁବିଧା ହୁଏ।  ଗାଁ ଲୋକଙ୍କ ପାଖରେ ଖର୍ଚ୍ଚ କରିବାକୁ ଅର୍ଥ ନଥାଏ। ମୋହିତ୍ କୁହନ୍ତି, “କିନ୍ତୁ କଳାକାରଙ୍କୁ ତ ପାଉଣା ଦେବାକୁ ହେବ ସେମାନେ ପ୍ରତିବର୍ଷ ଅଧିକ ଦରମା ମଧ୍ୟ ଦାବି କରନ୍ତି। ଫାଦ୍ ମାଲିକ ଏ କ୍ଷତି ସହନ୍ତି”।

Babaso Nyanu Mane (centre) is going to apply for a pension this year. He tried setting up his own phad, but had to return to his life as just an actor when his phad failed
PHOTO • Vinaya Kurtkoti ,  Shatakshi Gawade

ବାବାସୋ ନ୍ୟାନୁ ମାନେ (ମଝି) ମଙ୍ଗଳାତାଇଙ୍କ ଦଳରେ ଅଭିନୟ କରନ୍ତି  ସେ ଚଳିତ ବର୍ଷ ଗୋଟିଏ ସରକାରୀ ପେନସନ୍ ନିମନ୍ତେ ଅବେଦନ କରିବାକୁ ଯୋଜନା କରୁଛନ୍ତି

ତେବେ ଲାଭ ମୁଖ୍ୟ ବିଷୟ ନୁହେଁ । ଏଥିରେ ଉଭୟ ମଙ୍ଗଲା ଓ ମୋହିତ ସହମତ । ମୋହିତ କୁହନ୍ତି, “ମୁଖ୍ୟ ଲକ୍ଷ୍ୟ ଆମ ଫାଦକୁ ଲୋକେ ମନେ ରଖନ୍ତୁ।  ତମାସା କଳା ଜୀବିତ ରହିବା ଦରକାର”।  ମଙ୍ଗଳାତାଇ ମଧ୍ୟ କୁହନ୍ତି ଏ ବ୍ୟବସାୟ ଚଳାଇବାର ମୁଖ୍ୟ ଉଦ୍ଦେଶ୍ୟ ପରିବାରର ନାମ ବଢ଼ାଇବା।  ସେ କୁହନ୍ତି, “ଆମେ ସବୁ ଅର୍ଥ କଳାକାର ଓ ଶ୍ରମିକଙ୍କୁ ବାଣ୍ଟିଦେଉ।  ଆମେ ପ୍ରାୟ କିଛି ପାଉନା”।

ତା’ ହେଲେ ଅବସର ନେବା ପରେ କ’ଣ ହେବ? ୪୮ ବର୍ଷ ବୟସ୍କା ଶାରଦା କୁହନ୍ତି, “ଆମକୁ ସରକାର ୩,୦୦୦ ଟଙ୍କାର ମାସିକ ପେନସନ୍ ଦେବେ (ଅବଶ୍ୟ ଏହା ମିଳିବା ନେଇ ଅନିଶ୍ଚିତତା ଅଛି)।  କିନ୍ତୁ ଏହା କେବେ ଯଥେଷ୍ଟ ହେବ ? ଶରୀର ସୁସ୍ଥ ଥିବା ପର୍ଯ୍ୟନ୍ତ ମୁଁ କାମ କରିବାକୁ ଚାହୁଁଛି।  ତା’ ପରେ ମୋତେ ଖାଇବା ପାଇଁ ପିଲାଙ୍କ ଉପରେ ନିର୍ଭର କରିବାକୁ ହେବ”।

ଲେଖାସରିବା ପରେ : ୨୦୧୭ରେ ବିଡ୍ ଜିଲ୍ଲାର ଭଲଭାଡ୍ ଗ୍ରାମରେ ଏହି ଦଳର ଫାଦ୍ ୠତୁର ପ୍ରଥମ ଶୋ’ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହୋଇଥିଲା।  ମଙ୍ଗଲା ବାନସୋଦେ ଅକ୍ଟୋବର ୯ ତାରିଖରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସୃଜନଶୀଳ କଳା ଶ୍ରେଣୀରେ ବୟୋଜ୍ୟେଷ୍ଠ ସମ୍ମାନ (ଜାତୀୟ ସମ୍ମାନ) ଲାଭ କଲେ ।


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shatakshi Gawade and Vinaya Kurtkoti