ଆମର ବିଳମ୍ବ ହେଲା । ଶିରଗାଓଁରେ ଥିବା ଆମ ସାମ୍ବାଦିକ ବନ୍ଧୁ ସମ୍ପତ୍ ମୋରେ କହିଲେ, “ଗଣପତି ଯାଦବ  ଏ ମଧ୍ୟରେ ଦୁଇଥର ନିଜ ଗାଁରୁ ଆସି ତୁମକୁ ଖୋଜିଗଲେଣି ।  ସେ ଦୁଇଥର ଯାକ ନିଜ ଗାଁ ରାମପୁରକୁ ଫେରିଛନ୍ତି । ଆପଣ ପହଞ୍ଚି ଗଲେଣି ବୋଲି କହିଲେ ସେ ତୃତୀୟ ଥର ଆସିବେ।” ଦୁଇ ଗାଁ ଭିତରେ ଦୂରତା ୫ କିଲୋମିଟର । କିନ୍ତୁ ୩ ଥର ଯିବାଆସିବା ଅର୍ଥ ୩୦କିଲୋମିଟର । ତାହା ପୁଣି ମଝି ମେ’ ମାସର ଖରା ଦିନରେ, ଧୂଳି ଧୁସର ରାସ୍ତାରେ, ୨୫ ବର୍ଷର ପୁରୁଣା ସାଇକେଲରେ ପୁଣି ଯେତେବେଳେ ଚାଳକର ବୟସ ୯୭ ବର୍ଷ ।

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଡେଗାଓଁ ବ୍ଲକର ଗୋଟିଏ ଗ୍ରାମରେ , ଆମେ ମୋରେଙ୍କ ଜେଜେ ବାପାଙ୍କ ଘରେ, ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିଲୁ, ସେତେବେଳେ ଗଣପତି ବାଲ୍ ଯାଦବ ସ୍ୱାଭାବିକ ଭାବରେ ତାଙ୍କ ସାଇକେଲ୍ ଚଢ଼ି ପହଞ୍ଚିଗଲେ । ଯେତେବେଳେ ତାଙ୍କୁ ଖରାରେ ଏତେଦୂର ଆସିବାକୁ ଦେଇଥିବାରୁ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କଲି ସେତେବେଳେ ସେ  ଦ୍ୱନ୍ଦରେ ପଡ଼ିଗଲେ । ନରମ ସ୍ୱର ଓ ବିନମ୍ର ହସ ସହ ସେ କହିଲେ, ଏଥିରେ କ’ଣ ଅଛି? ଗତକାଲି ଅପରାହ୍ନରେ ମୁଁ ଭିଟାକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲି  । ତାହା ବି ମୋ ସାଇକେଲରେ । ମୁଁ ସେମିତି ହିଁ ଯାଏ।” ରାମପୁରରୁ ଭିଟା ଯିବା ଆସିବା ଅର୍ଥ ୪୦ କିଲୋମିଟର ଦୂରତା । ପୂର୍ବଦିନ ପୁଣି ଅଧିକ ଗରମ ଥିଲା । ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ହୋଇଯାଇଥିଲା ।


ସମ୍ପତ ମୋରେ କୁହନ୍ତି, ‘ବର୍ଷେ ବା ଦୁଇବର୍ଷ ତଳେ ସେ ପାନ୍ଧାରପୁରକୁ ସାଇକେଲ ଚଢ଼ି ଯାଇଥିଲେ ଏବଂ ଫେରିଥିଲେ, ଏହା ପ୍ରାୟ ୧୫୦ କିଲେମିଟର ଦୂରତା । ଏବେ ସେ ଏତେଦୂର ଯିବା ଆସିବା କରୁନାହାନ୍ତି ।’

ତାଙ୍କର ନିୟମିତ ଭୂମିକା ଥିଲା ସମ୍ବାଦ ବାହକ ଭାବରେ । କିନ୍ତୁ ଗଣପତି ବାଲଯାଦବ ୧୯୪୩ ଜୁନ୍ ମାସରେ ସତାରାର ସେନୋଲି ଠାରେ ବୃହତ୍ ଟ୍ରେନ୍ ଡକାୟତି କରିଥିବା ଦଳର ଅଂଶ ଥିଲେ ।

ଭିଡିଓ ଦେଖନ୍ତୁ :  ବିପ୍ଲବୀ ଭାବରେ  ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାର ସ୍ମୃତିଚାରଣ କରୁଛନ୍ତି ଗଣପତି ଯାଦବ ।

ଗଣପତି ଯାଦବ ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମହାରାଷ୍ଟ୍ରର ସତାରାରେ ଭୂମିଗତ ସରକାର ବା ପ୍ରତି ସରକାରର ସଶସ୍ତ୍ରବାହିନୀର ତୋଫାନ ସେନାସ୍ତରର ଜଣେ ସ୍ୱାଧୀନତା ସଂଗ୍ରାମୀ । ୧୯୪୩ ମସିହାରେ ପ୍ରତି ସରକାର ବ୍ରିଟିଶ ଶାସନଠାରୁ ନିଜକୁ ମୁକ୍ତ ଘୋଷଣା କରିଥିଲା । ପ୍ରତି ସରକାରର ୬ଶହରୁ ଅଧିକ ଗ୍ରାମ ଉପରେ ନିୟନ୍ତ୍ରଣ ଥିଲା । ସେ ତୋଫାନ ସେନାର ବ୍ରିଟିଶରାଜ୍ ବିରୋଧୀ ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ ।  ସେ କୁହନ୍ତି, “ମୁଁ ମୁଖ୍ୟତଃ ସମ୍ବାଦ ବାହକ ଭାବରେ କାମ କରୁଥିଲି । ଜଙ୍ଗଲରେ ଲୁଚି ରହିଥିବା ବିପ୍ଲବୀମାନଙ୍କ ପାଖକୁ ସନ୍ଦେଶ ଓ ଖାଦ୍ୟ ନେଇ ଯାଉଥିଲି ।” ଏ ମଧ୍ୟରୁ ଅଧିକାଂଶ ଦୀର୍ଘ ଏବଂ ବିପଜ୍ଜନକ ଯାତ୍ରା ସେ ପାଦରେ ହିଁ କରିଥିଲେ । ଏହାପରେ ସାଇକେଲ ଆସିଲା ।

ଗଣପତି ଯାଦବ ଜଣେ ନିରଳସ କୃଷକ ଥିଲେ ଏବଂ ଏବେ ବି ଅଛନ୍ତି ।  ଗତ ରବି ଋତୁରେ  ସେ ନିଜର ଅଧ ଏକର ଜମିରୁ ୪୫ ଟନ୍ ଆଖୁ ଅମଳ କରିଥିଲେ । ତାଙ୍କର ଏକଦା ପାଖାପାଖି ୨୦ ଏକର ଜମି ଥିଲା । କିନ୍ତୁ ତାଙ୍କ ପିଲାମାନଙ୍କ ଭିତରେ ଅନେକ ବର୍ଷ ଆଗରୁ ଏହା ଭାଗ ହୋଇଯାଇଛି । ଯେଉଁଠି ସେ ରହୁଛନ୍ତି ସେଠି ତାଙ୍କ ପୁଅମାନଙ୍କର ଭଲ ଘର ଅଛି । କିନ୍ତୁ ଗଣପତି ଯାଦବ ଏବଂ ତାଙ୍କର ୮୫ ବର୍ଷ ବୟସ ପତ୍ନୀ ବତ୍ସଳା ଏବେ ବି ନିରାଡ଼ମ୍ବର ଭାବରେ ରହିବାକୁ ପସନ୍ଦ କରୁଛନ୍ତି । ବତ୍ସଳା ଏ ବୟସରେ ବି ରୋଷେଇ କରନ୍ତି ଏବଂ ଘର କାମ କରନ୍ତି । ସେମାନେ ବଖରାଏ ଘରେ ରୁହନ୍ତି। ଯେତେବେଳେ ଆମେ ତାଙ୍କ ଘରକୁ ଯାଇଥିଲୁ ସେତେବେଳେ ବତ୍ସଳା ଗାଁରେ ନଥିଲେ ।

ଗଣପତି ଯାଦବଙ୍କ ବିନମ୍ରତା ଏଇଥିରୁ ଜଣାପଡ଼େ ଯେ ତାଙ୍କ ପିଲାମାନେ ଖୁବ୍ ବିଳମ୍ବରେ ସ୍ୱାଧୀନତା ସଂଗ୍ରାମୀ ଭାବରେ ତାଙ୍କର ଭୂମିକା ବିଷୟରେ ଜାଣିଥିଲେ । ତାଙ୍କର ବଡ଼ପୁଅ ନିଭୃତି ଚାଷ କାମ ଭିତରେ ବଡ଼ ହୋଇଥିଲେ ବି ୧୩ବର୍ଷ ବୟସରେ ବଣିଆ କାମ ଶିଖିବା ପାଇଁ ପ୍ରଥମେ ୟୁରୋପ ଓ ପରେ ତାମିଲନାଡ଼ୁର କୋଏମ୍ବାଟୁର୍କୁ ଚାଲିଯାଇଥିଲେ । ସେ କୁହନ୍ତି, “ମୁଁ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ବିଷୟରେ କିଛି ବି ଜାଣିନଥିଲି । ଯେତେବେଳେ ପ୍ରତି ସରକାରର କିମ୍ବଦନ୍ତୀ ନାୟକ ଜିଡି ବାପୁ ଲାଡ୍ ମୋତେ ବାପାଙ୍କ ସାହସ ଜାଣିଛ କି ନାହିଁ ବୋଲି ପଚାରିଲେ, ସେତେବେଳେ ମୁଁ ଜାଣିଲି ।” ଗଣପତି ଯାଦବ କୁହନ୍ତି, ବାପୁ ଲାଡ୍ ହିଁ ତାଙ୍କର ଆଦର୍ଶ ଏବଂ ପଥପ୍ରଦର୍ଶକ ଥିଲେ । ସେ ହିଁ ତାଙ୍କ ପାଇଁ ଝିଅ ଖୋଜି ବିବାହ ବ୍ୟବସ୍ଥା କରାଇଥିଲେ । ସେ କୁହନ୍ତି, “ ପରେ ମୁଁ ତାଙ୍କ ସହ ଶେତକାରୀ କାମଗର ପକ୍ଷ (ଭାରତୀୟ କୃଷକ ଶ୍ରମିକ ଦଳ)ରେ ଯୋଗଦେଲି ଏବଂ ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମେ ଏକାଠି ଥିଲୁ ।”

ତାଙ୍କର ଅନ୍ୟ ଜଣେ ପୁଅ ମହାଦେଓ କୁହନ୍ତି, “ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ଥିଲି, ସେତେବେଳେ ମୋ ସାଙ୍ଗର ବାପା ତାଙ୍କ ସାହସ ବିଷୟରେ ମୋତେ କହିଥିଲେ । କିନ୍ତୁ ସେତେବେଳ ମୁଁ ଭାବୁଥିଲି ଏଇଟା ଗୋଟେ ବଡ଼କଥା ନୁହେଁ । ସେ ତ ବ୍ରିଟିଶ ସୈନିକ କିମ୍ବା ପୋଲିସକୁ ମାରିନାହାନ୍ତି । ଅନେକ ପରେ ତାଙ୍କ ଭୂମିକାର ଗୁରୁତ୍ୱ ବିଷୟରେ ମୁଁ ଜାଣିପାରିଲି ।””
Ganpati Bala Yadav and family
PHOTO • P. Sainath

ଗଣପତି ଯାଦବ ତାଙ୍କର ଅଣ ନାତିନାତୁଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ, ସେମାନଙ୍କ ମଧ୍ୟରେ ପୁଅ ନିଭୃତି (ପଛ ପାଖରେ ବାମ ପାଶ୍ୱର୍ରେ), ଚନ୍ଦ୍ରକାନ୍ତ (ସାମ୍ନାରେ ବାମ ପାଖରେ) ଏବଂ ମହାଦେବ  (ସାମ୍ନା ଡାହାଣରେ, ଚଷମା ଲଗାଇଥିବା)

ତାଙ୍କର ନିୟମିତ ଭୂମିକା ଥିଲା ସମ୍ବାଦ ବାହକ ଭାବରେ । କିନ୍ତୁ ୧୯୪୩ ଜୁନ୍ ମାସରେ ସତାରାର ସେନୋଲିଠାରେ ବାପୁ ଲାଡ୍ ଏବଂ ତୋଫାନ୍ ସେନା ସଂସ୍ଥାପକ କ୍ୟାପଟେନ୍ ଭାଉଙ୍କ ନେତୃତ୍ୱରେ ହୋଇଥିବା ବୃହତ୍ ଟ୍ରେନ୍ ଡକାୟତି ଘଟାଇଥିବା ଦଳର ଅଂଶ ଥିଲେ ଗଣପତି ବାଲ ଯାଦବ ।

“ଟ୍ରେନ୍ ଉପରେ ଆକ୍ରମଣ ହେବାର ୪ଦିନ ଆଗରୁ ଆମେ ଜାଣିବାକୁ ପାଇଲୁ ଯେ ଆମକୁ ରେଳ ଧାରଣା ଉପରେ ପଥର ଗଦାଇବାକୁ ହେବ।”

ଆକ୍ରମଣକାରୀମାନେ କ’ଣ ଜାଣିଥିଲେ ଏହି ଟ୍ରେନରେ ଇଂରେଜମାନଙ୍କର (ବମ୍ବେ ପ୍ରେସିଡେନ୍ସି)ର ଦରମା ଆସୁଛି ବୋଲି? ଆମ ନେତାମାନେ ଏ ବିଷୟରେ ଜାଣିଥିଲେ । ରେଳବାଇରେ ଏବଂ ସରକାରଙ୍କ ପାଖରେ କାମ କରୁଥିବା ଲୋକମାନେ ସେମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଯେତେବେଳେ ଆମେ ଟ୍ରେନ୍ ଲୁଟିବା ଆରମ୍ଭ କଲୁ, ସେତେବେଳେ ଏ ବିଷୟରେ ଜାଣିଲୁ ।

ସେଠି କେତେଜଣ ଆକ୍ରମଣକାରୀ ଥିଲେ?

“ସେତେବେଳେ କିଏ ଗଣିଥିଲା? କେଇ ମିନିଟ୍ ମଧ୍ୟରେ ରେଳ ଧାରଣା ପାଖରେ ଆମେ ରଖିଥିବା ପଥରକୁ ଗଦା କରିଦେଲୁ ଏହାପରେ ଯେତେବେଳେ ଟ୍ରେନ୍ ଅଟକିଲା ଆମେ ତାହାକୁ ଘେରେଇ ନେଲୁ । ଟ୍ରେନ୍ ଭିତରେ ଯେଉଁମାନେ ଥିଲେ ସେମାନେ କୁଆଡ଼େ ଗଲେନାହିଁ କିମ୍ବା ଆମକୁ ବିରୋଧ କଲେ ନାହିଁ । କିନ୍ତୁ ମନେରଖନ୍ତୁ ଆମେ ବ୍ରିଟିଶ ଶାସନକୁ ନଷ୍ଟ କରିବା ପାଇଁ ଏହା କରିଥିଲୁ, ଅର୍ଥ ପାଇଁ ନୁହେଁ ।”

ଏପରି ସଶସ୍ତ୍ର ଅଭିଯାନ ବାହାରେ ମଧ୍ୟ ସନ୍ଦେଶ ବାହକ ଭାବରେ ଗଣପତି ବାଲ୍ ଯାଦବଙ୍କ ଭୂମିକା ଜଟିଳ ଥିଲା । “ଜଙ୍ଗଲରେ ଲୁଚିଥିବା ଆମ ନେତାମାନଙ୍କ ପାଇଁ ଖାଦ୍ୟ ପହଞ୍ଚାଉଥିଲି । ସେମାନଙ୍କୁ ରାତିରେ ଭେଟିବାକୁ ଯାଉଥିଲି । ନେତାଙ୍କ ସହ ପ୍ରାୟ ୧୦-୨୦ଜଣ ଲୋକ  ଥିଲେ । ଏହି ଭୂମିଗତ ସଂଗ୍ରାମୀମାନଙ୍କ ବିରୋଧରେ ସରକାର ଦେଖିବାକ୍ଷଣି ଗୁଳି କରିବାକୁ ଆଦେଶ ଦେଇଥିଲେ । ଆମକୁ ଗୁପ୍ତ ଏବଂ ଦୀର୍ଘ ବୁଲାଣୀ ରାସ୍ତା ଦେଇ ସେମାନଙ୍କ ପାଖରେ ପହଞ୍ଚିବାକୁ ହେଉଥିଲା । ନଚେତ ପୋଲିସ ଆମକୁ ଗୁଳି କରିଥାନ୍ତା ।”
Ganpati Bala Yadav on his cycle
PHOTO • P. Sainath

‘ବର୍ଷେ ଦୁଇବର୍ଷ ତଳେ ସେ ପାନ୍ଧାରପୁରକୁ ସାଇକେଲରେ ଯାଇ ଫେରିଥିଲେ, ଏହା ପ୍ରାୟ ୧୫୦ କିଲୋମିଟର ଥିଲା...’ ଏବଂ ଆଜି ପର୍ଯ୍ୟନ୍ତ ପ୍ରତିଦିନ ସେ ସ୍ୱାଭାବିକ ଭାବରେ କେଇ କିଲୋମିଟର ସାଇକେଲ ଚଲାନ୍ତି ।

ଗଣପତି ଯାଦବ କୁହନ୍ତି, “ଆମେ ଗାଁରେ ଥିବା ପୋଲିସ ଇନଫର୍ମରମାନଙ୍କୁ ମଧ୍ୟ ଦଣ୍ଡ ଦେଇଥିଲୁ । ଏହାପରେ ସେ ପ୍ରତି ସରକାର ବା ପ୍ରାଦେଶିକ ସରକାର କିପରି ପତ୍ରି ସରକାର ଭାବରେ ଜଣାଶୁଣା ହେଲା ତାହା ବୁଝାଇ କହିଥିଲେ, ମରାଠି ଭାଷାରେ ପତ୍ରିର ଅର୍ଥ ଠେଙ୍ଗା । ଯେତେବେଳେ ଆମେ ଏମିତି କୌଣସି ପୋଲିସ ଏଜେଣ୍ଟଙ୍କୁ ଠାବ କରୁଥିଲୁ, ରାତିରେ ତା’ ଘର ଘେରାଉ କରି ନେଉଥିଲୁ । ଆମେ ସେହି ଇନଫର୍ମର ଏବଂ ତାହାର ଜଣେ ସାଥୀକୁ ଗାଁ ବାହାରକୁ ନେଇ ଯାଉଥିଲୁ । ଦୁଇ ଗୋଇଠି ମଧ୍ୟରେ ଗୋଟିଏ ଠେଙ୍ଗା ରଖି ବାନ୍ଧି ଦେଉଥିଲୁ । ତାକୁ ତଳପଟିଆ ଟଙ୍ଗାଇ ତା’ ପାଦକୁ’ ପିଟୁଥିଲୁ। ଆମେ ତା’ ଶରୀରର କୌଣସି ଅଂଶକୁ ବି ଛୁଉଁ ନଥିଲୁ । କେବଳ ତଳ ପାଦକୁ । ଏହା ପରେ ସେ କେଇଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ଚାଲିପାରୁନଥିଲା । ଏହା ଏକ ବଡ଼ ଦଣ୍ଡ ଥିଲା । ଏହିଠାରୁ ହିଁ ପାତ୍ରି ସରକାର ନାମ ଆସିଲା । ଏହାପରେ ଆମେ ତା’ ସାଥୀ ପିଠିରେ ତାକୁ ବସାଇ ଦେଉଥିଲୁ, ଯେମିତି ସେ ତାକୁ ଘରକୁ ବୋହିକରି ନେବ ।”

“ଆମେ ବେଲଭେଡ୍, ନେଭାରି ଏବଂ ଟଡସର ଆଦି ଗ୍ରାମରେ ଦଣ୍ଡ ଦେଇଥିଲୁ । ଟଡସର ଗାଁରେ ନାନା ସାହେବ ନାମକ ଜଣେ ପୋଲିସ ଇନଫର୍ମର ଏକ ବିଶାଳ ବଙ୍ଗଳାରେ ରହୁଥିଲା । ଆମେ ରାତିରେ ତା’ ଘରେ ପଶିଲୁ । ଦେଖିଲୁ କେବଳ ମହିଳାମାନେ ଶୋଇଛନ୍ତି । ଏହାପରେ ହଠାତ୍ ଆମ ନଜର ଜଣେ ସ୍ତ୍ରୀ ଲୋକ ଉପରେ ପଡ଼ିଲା, ଯେ କି ଗୋଟେ କଣରେ ଶୋଇଥିଲା ଏବଂ ଚାଦର ଘୋଡ଼ି ହୋଇଥିଲା । ଏହି ସ୍ତ୍ରୀ ଲୋକ ଜଣକ ଅଲଗା କାହିଁକି ଶୋଇଛି? ତା’ହେଲେ ସେ ହିଁ ନାନା ସାହେବ । ଆମେ ତାକୁ ସେହି ଚାଦର ସୁଦ୍ଧା ଟେକି ନେଲୁ ।”

ନାନା ପାଟିଲ୍ (ପ୍ରାଦେଶିକ ସରକାରର ମୁଖ୍ୟ) ଏବଂ ବାପୁ ଲାଡ୍ ତାଙ୍କର ଆଦର୍ଶ । ନାନା ପାଟିଲ୍ କେମିତି ମଣିଷ ଥିଲେ ଡେଙ୍ଗା, ବିଶାଳ ଏବଂ ନିର୍ଭୟ । କି ପ୍ରକାର ପ୍ରେରଣାଦାୟକ ଭାଷଣ ସେ ଦେଉଥିଲେ! ଏଠାରେ ଥିବା ବଡ଼ ଲୋକମାନେ ତାଙ୍କୁ ନିମନ୍ତ୍ରଣ କରୁଥିଲେ, କିନ୍ତୁ ସେ ସବୁବେଳେ ଛୋଟ ଛୋଟ ଘରକୁ ହିଁ ଯାଉଥିଲେ । ଏହି ବଡ଼ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରିଟିଶ ଏଜେଣ୍ଟ ଥିଲେ । ନେତାମାନେ ଆମକୁ କହୁଥିଲେ, ସରକାରକୁ ଭୟ କରନାହିଁ । ଯଦି ଆମେ ଏକାଠି ହେବା ଏବଂ ସଂଗ୍ରାମରେ ବହୁ ସଂଖ୍ୟାରେ ଯୋଗଦେବା ତେବେ ଆମେ ନିଜକୁ ବ୍ରିଟିଶରାଜଠାରୁ ମୁକ୍ତ କରିପାରିବା । ଗଣପତି ଯାଦବ ଏବଂ ତାଙ୍କ ଗାଁର ଅନ୍ୟ ୧୦୦-୧୫୦ ଜଣ ତୋଫାନ୍ ସେନାରେ ଯୋଗ ଦେଇଥିଲେ ।
Ganpati Bala Yadav
PHOTO • P. Sainath
Vatsala Yadav
PHOTO • P. Sainath

ଗଣପତି ଯାଦବ ଏବଂ ତାଙ୍କ ୮୫ବର୍ଷ ବୟସ୍କା ପତ୍ନୀ ବତ୍ସଳା- ଏବେ ବି ଗୃହ କର୍ମରେ ସକ୍ରିୟା, ସବୁଦିନ ରୋଷେଇ ଏବଂ ଘରସଫା କରନ୍ତି । ସେମାନେ ପୁରୁଣା ଘରେ ରହୁଛନ୍ତି ।

ସେତେବେଳେ ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଶୁଣିଥିଲେ । “ମୁଁ ତାଙ୍କୁ କେବେ ଦେଖିନଥିଲି । ମୁଁ ଥରେ ଜବାହରଲାଲ୍ ନେହେରୁଙ୍କୁ ଦେଖିଥିଲି, ଯେତେବେଳେ ଉଦ୍ୟୋଗପତି ଏସ୍ଏଲ୍ କିର୍ଲୋସ୍କାର ତାଙ୍କୁ ଏହି ଅଞ୍ଚଳକୁ ଆଣିଥିଲେ । ଆମେ ସମସ୍ତେ ଭଗତ୍ ସିଂଙ୍କ ବିଷୟରେ ଶୁଣାଇଥିଲୁ ।””

ଗଣପତି ବାଲ୍ ଯାଦବ ଗୋଟିଏ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଗୋଟିଏ ମାତ୍ର ଭଉଣୀ । ସେ ଖୁବ୍ ଛୋଟ ହୋଇଥିବା ବେଳେ ପିତାମାତାଙ୍କ ମୃତ୍ୟୁ ଘଟିଲା ଏବଂ ପିଲାମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଗଲେ । ସେ କୁହନ୍ତି, “ ମୁଁ ବୋଧହୁଏ ୨-୪ବର୍ଷ ସ୍କୁଲ ଯାଇଥିବି । ଏହାପରେ ସ୍କୁଲ ଛାଡ଼ି ଚାଷରେ ଯୋଗଦେଲି ।” ବିବାହ ପରେ ସେ ତାଙ୍କ ପିତାମାତାଙ୍କ ଭଙ୍ଗା ଘର ଏବଂ ତାଙ୍କ ଛୋଟ ଚାଷ ଜମିକୁ ଫେରି ଆସିଥିଲେ । ତାଙ୍କ ଆଦ୍ୟ ଜୀବନର କୌଣସି ଫଟୋ ତାଙ୍କ ପାଖରେ ନାହିଁ କିମ୍ବା ଫଟୋ ଉଠାଇବାକୁ ତାଙ୍କ ପାଖରେ ସମ୍ବଳ ବି ନଥିଲା ।

ତେବେ ସେ ଖୁବ୍ କଠିନ ପରିଶ୍ରମ କରନ୍ତି । ୯୭ବର୍ଷ ବୟସରେ ବି କରୁଛନ୍ତି । ସେ କୁହନ୍ତି, “ ମୁଁ କେମିତି ଗୁଡ଼ ତିଆରି କରିବାକୁ ହୁଏ ଶିଖିଲି ଏବଂ ଏହାକୁ ସାରା ଜିଲ୍ଲାରେ ବିକିଲି । ଆମେ ଆମର ଅର୍ଥ ପିଲାମାନଙ୍କୁ ଶିକ୍ଷିତ କରିବାରେ ଖର୍ଚ୍ଚ କଲୁ । ଶିକ୍ଷାଲାଭ ପରେ ସେମାନେ ମୁମ୍ବାଇ ଚାଲିଗଲେ ଏବଂ ରୋଜଗାର କରିବା ଆରମ୍ଭ କଲେ ଏବଂ ଆମକୁ ପଇସା ପଠାଇଲେ । ଏହାପରେ ମୁଁ ଗୁଡ଼ ବ୍ୟବସାୟ ବନ୍ଦ କଲି ଏବଂ ଚାଷ ଜମିରେ ଅଧିକ ନିବେଶ କଲି। ଫଳରେ ଆମ ଚାଷ ଜମି ଅଧିକ ସମୃଦ୍ଧ ହେଲା ।”

କିନ୍ତୁ ଆଜିକାଲି କୃଷକମାନେ ଯେମିତି ଋଣ ବୋଝରେ ବୁଡ଼ି ଯାଉଛନ୍ତି ସେଥିରେ ଗଣପତି ଯାଦବ ଖୁବ୍ ଅସନ୍ତୁଷ୍ଟ । ସେ କୁହନ୍ତି, “ ଆମେ ସ୍ୱରାଜ୍ୟ ପାଇଲୁ, କିନ୍ତୁ ଯେମିତି ଆଶା କରୁଥିଲୁ ସେମିତି ହେଲାନାହିଁ ।” ତାଙ୍କର ମନେହୁଏ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ବ ସରକାରଠାରୁ ଖରାପ, ପୂର୍ବ ସରକାର ବି ଖରାପ ଥିଲା । ସେମାନେ ଆଗକୁ କଣ କରିବେ, କିଏ କହିବ?’”
Ganpati Bala Yadav with his cycle outside a shop
PHOTO • P. Sainath

ଗଣପତି ଯାଦବ କହନ୍ତି, “ସାଇକେଲ ଆମ ବେଳେ ବଡ଼ କଥା ଥିଲା । ଏହି ନୂତନ ଟେକ୍ନୋଲୋଜି ନେଇ ଗାଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ଚାଲୁଥିଲା ।”

ଗଣପତି ଯାଦବ ତୋଫାନ ସେନାର ସମ୍ବାଦ ବାହକ ଭାବରେ ପ୍ରାୟ ସମସ୍ତ କାମ ପାଦରେ ଚାଲିଚାଲି ହିଁ କରିଥିଲେ । ୨୦-୨୨ ବର୍ଷ ବେଳକୁ ସେ ସାଇକେଲ ଚଢ଼ା ଶିଖିଲେ । ଏହା ତାଙ୍କର ଅଣ୍ଡରଗ୍ରାଉଣ୍ଡ କାମ ପାଇଁ ପରବର୍ତ୍ତୀ ଜୀବନରେ ପରିବହନର ମାଧ୍ୟମ ହୋଇଗଲା । ସେ କୁହନ୍ତି, “ସାଇକେଲ ଆମ ସମୟରେ ବଡ଼କଥା ଥିଲା । ଏହି ନୂତନ ତଥା ରୋମାଞ୍ଚକର କୌଶଳ ବିଷୟରେ ଗାଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହେଉଥିଲା । ମୁଁ ବାରମ୍ବାର ପଡ଼ିପଡ଼ି ନିଜେ ସାଇକେଲ ଚଢ଼ା ଶିଖିଥିଲି ।”

ସେତେବେଳକୁ ଅପରାହ୍ନ ଶେଷ ହୋଇ ଆସୁଥାଏ । ୯୭ବର୍ଷ ବୟସ୍କ ଗଣପତି ସକାଳ ୫ଟାରୁ ବିଛଣା ଛାଡ଼ିଥାନ୍ତି । କିନ୍ତୁ ସେ ବିନା କ୍ଲାନ୍ତିରେ ଆମ ସହ ଘଣ୍ଟାଘଣ୍ଟା ଗପିବାକୁ ଖୁବ୍ ଉପଭୋଗ କରିବା ପରି ମନେ ହେଉଥାନ୍ତି । ଗୋଟିଏ ସମୟରେ ସେ ବିରକ୍ତ ହୋଇଥିଲେ, ମୁଁ ତାଙ୍କୁ ପଚାରିଲି ତାଙ୍କର ଏହି ସାଇକେଲ କେତେ ପୁରୁଣା । ସେ କହିଲେ, “ଏଇଟା? ପ୍ରାୟ ୨୫ବର୍ଷର । ପୂର୍ବ ସାଇକେଲ ମୋ ପାଖରେ ୫୦ବର୍ଷ ଥିଲା । କିନ୍ତୁ କେହି ଚୋରେଇ ନେଲା ।”

ଆମେ ଯେତେବେଳେ ଫେରିବାକୁ ବାହାରିଲୁ, ସେତେବେଳେ ସେ ମୋ ହାତ ଜାବୁଡ଼ି ଧରିଲେ ଏବଂ କିଛି ସମୟ ଅପେକ୍ଷା କରିବାକୁ କହିଲେ । କାରଣ ସେ ମୋତେ କିଛି ଦେବାକୁ ଚାହୁଁଥିଲେ । ସେ ତାଙ୍କ ଛୋଟ କୋଠରି ଭିତରକୁ ପଶିଗଲେ, ଗୋଟିଏ ଛୋଟ ପାତ୍ର ଆଣିଲେ ଏବଂ ଅନ୍ୟ ଗୋଟିଏ କପରେ ଢାଳିଲେ । ଏହାପରେ ସେ ବାହାରକୁ ଆସିଲେ ଓ ମୋତେ କପେ ତାଜା ଦୁଗ୍ଧ ଦେଲେ । ଯେତେବେଳ ମୁଁ ଏହା ପିଇଲି, ସେ ପୁଣି ଥରେ ମୋ ହାତକୁ ଚାପି ଧରିଲେ । ତାଙ୍କ ଆଖି ଲୁହରେ ଓଦା ହୋଇଗଲା । ମୋ ଆଖି ମଧ୍ୟ ଓଦା ହୋଇ ଆସିଲା । ଏହାପରେ ଆଉ କିଛି କହିବା ଦରକାର ନଥିଲା । ଆମେ ଫେରିଆସିଲୁ । ଗଣପତି ବାଲ୍ ଯାଦବଙ୍କ ସୁନ୍ଦର ଜୀବନ ସାଇକେଲରେ କମ୍ ସମୟ ପାଇଁ ସ୍ଥାନ ପାଇଥିବାର ଉପଲବ୍ଧିକୁ ନେଇ ।


ସମ୍ପତ ମୋରେ ଭାରତ ପାଟିଲ୍ ନମିତା ୱେକର୍ ଏବଂ ସମ୍ୟୁକ୍ତା ଶାସ୍ତ୍ରୀଙ୍କୁ ସେମାନଙ୍କର ମୂଲ୍ୟବାନ ସୂଚନା ପାଇଁ ଅନେକ ଅନେକ ଧନ୍ୟବାଦ ।


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath