ଟ୍ରେନ୍ ଦାଦର ଷ୍ଟେସନ୍ ପାଖାପାଖି ହୋଇଗଲେ ତୁଳସୀ ଭଗତ ପୁରୁଣା ଶାଢ଼ିରେ ବନ୍ଧା ହୋଇଥିବା ଦୁଇଟି ବଡ଼ ପତ୍ର ଗଣ୍ଠିଲି ସହ ପ୍ରସ୍ତୁତ ହୋଇଯାନ୍ତି, ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଗୋଟିକ ପରେ ଗୋଟିଏ କରି ସେ ଗଣ୍ଠିଲି ଦୁଇଟିକୁ ପ୍ଲାଟଫର୍ମକୁ ପକାଇ ଦିଅନ୍ତି। ଗୋଟିଏ ଗଣ୍ଠିଲିର ଓଜନ ପ୍ରାୟ ୩୫ କିଲୋ ଲେଖାଏଁ ହୋଇଥାଏ।  ସେ କହନ୍ତି, ‘ଯଦି ଟ୍ରେନ୍ ରହିବା ପୂର୍ବରୁ ଆମେ ବୋଝକୁ ନ ପକାଇ ଦେବୁ, ତା’ ହେଲେ ଏତେ ଅଧିକ ଓଜନ ବୋହି ଓହ୍ଲାଇବା ଆମ ପକ୍ଷେ ଅସମ୍ଭବ ହୋଇପଡ଼ିବ କାରଣ ଅନେକ ଲୋକ ଟ୍ରେନରେ ଚଢ଼ିବା ପାଇଁ ଅପେକ୍ଷା କରିଥାନ୍ତି। ’

ତା’ ପରେ ଟ୍ରେନରୁ ଓହ୍ଲାଇ ତୁଳସୀ ପ୍ଲାଟଫର୍ମରେ ପଡ଼ିଥିବା ତାଙ୍କର ପତ୍ର ଗଣ୍ଠିଲି ନିକଟକୁ ଆସନ୍ତି। ଗୋଟିଏ ଗଣ୍ଠିଲି ମୁଣ୍ଡରେ ରଖି ସେ ଗହଳି ଆଡେ଼ଇ ଷ୍ଟେସନ ବାହାରେ ରାସ୍ତା କଡ଼ରେ ଥିବା ଫୁଲ ବଜାର ଆଡକୁ ଯାଆନ୍ତି। ସେଠାରେ, ତାଙ୍କର ନିୟମିତ ସ୍ଥାନରେ ପତ୍ରଗଣ୍ଠିଲି ରଖନ୍ତି। ତା’ ପରେ ପୁଣି ଥରେ ପ୍ଲାଟଫର୍ମକୁ ଯାଆନ୍ତି ଏବଂ ଦ୍ୱିତୀୟ ଗଣ୍ଠିଲି ନେଇ ଫେରନ୍ତି। ‘ଥରକେ ମୁଁ ମୋ ମୁଣ୍ଡରେ କେବଳ ଗୋଟିଏ  ବୋଝ ବୋହିପାରେ’, ସେ କହନ୍ତି। ଦୁଇଟି ଯାକ ଗଣ୍ଠିଲି ଷ୍ଟେସନ୍ରୁ ଫୁଲ ବଜାରକୁ ଆଣିବା ପାଇଁ ତାଙ୍କୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଯାଏ।

କିନ୍ତୁ ଏହା ହେଉଛି ତୁଳସୀଙ୍କ ଦୈନନ୍ଦିନ କାମର ଏକ ଛୋଟ ଅଂଶ। ସେ ଏମିତି ପ୍ରାୟ ୩୨ ଘଣ୍ଟା ଧରି କାମ କରନ୍ତି। ଏହି ସମୟରେ ସେ ଅତି କମରେ ୭୦ କିଲୋ ଓଜନ ବୋହି ପ୍ରାୟ ୨୦୦ କିମି ଯାତ୍ରା କରନ୍ତି ଏବଂ ୩୨ ଘଣ୍ଟାର ପରିଶ୍ରମ ପରେ ୪୦୦ ଟଙ୍କା ରୋଜଗାର କରନ୍ତି। 

Tulshi collecting palash leaves
PHOTO • Paresh Bhujbal
Tulshi making bundles out of the palash leaves
PHOTO • Paresh Bhujbal

ତୁଳସୀ ମୁର୍ବିଚାପଡ଼ାରେ ତାଙ୍କ ଘର ନିକଟରେ ଥିବା ଜଙ୍ଗଲରୁ ଆଠ ଘଣ୍ଟା ଧରି ପଳାଶ ପତ୍ର ସଂଗ୍ରହ କରନ୍ତି, ତାପରେ ଘରକୁ ଫେରି ସେଗୁଡ଼ିକୁ ଭଲ ଭାବେ ବାନ୍ଧନ୍ତି। 

ସକାଳ ୭ଟାରୁ ଆରମ୍ଭ ହୁଏ ତାଙ୍କ ଲମ୍ବା କାର୍ଯ୍ୟଦିବସ, ଯେତେବେଳେ ସେ ମୁମ୍ବାଇ ସହରର ଉତ୍ତରରେ ଥାନେ ଜିଲ୍ଲାର ମୁର୍ବିଚାପଡ଼ାରେ ତାଙ୍କ ଘର ନିକଟରେ ଥିବା ଜଙ୍ଗଲ ଅଞ୍ଚଳକୁ ପଳାଶ ପତ୍ର ସଂଗ୍ରହ କରିବାକୁ ଯାଆନ୍ତି। ପ୍ରାୟ ଅପରାହ୍ନ ୩ଟା ସମୟରେ ସେ ଘରକୁ ଫେରନ୍ତି, ପିଲାମାନଙ୍କ ପାଇଁ ରାତ୍ରିଭୋଜନ ପ୍ରସ୍ତୁତ କରନ୍ତି(ସମୟ ପାଇଲେ ମୁଁ ଖାଏ, ମୁଁ ବସ୍ ଛାଡ଼ି ପାରିବି ନାହିଁ), ପତ୍ରଗୁଡ଼ିକୁ ଗଣ୍ଠିଲି କରିବା ଆରମ୍ଭ କରନ୍ତି, ତା’ ପରେ ଏକ ବସ୍ ଧରନ୍ତି (କିମ୍ବା ଯଦି ବସ୍ ଛାଡ଼ି ଦେଇଥାଏ ତା’ ହେଲେ ଟେମ୍ପୋରେ) ନିଜ ଗାଁରୁ ପ୍ରାୟ ୧୯ କିମି ଦୂରରେ ଥିବା ଆସଗାଓଁ ଷ୍ଟେସନକୁ ଯାଇଥାନ୍ତି, ତା’ ପରେ ରାତି ପ୍ରାୟ ୮.୩୦ ମିନିଟ୍ ସମୟରେ ଏକ ସେଣ୍ଟ୍ରାଲ ଲାଇନ୍ ଟ୍ରେନ୍ ଧରନ୍ତି।

ଦୁଇ ଘଣ୍ଟା ପରେ ସେ ଆସଗାଓଁରୁ ୭୫ କିମି ଦୂରରେ ଥିବା ଦକ୍ଷିଣ କେନ୍ଦ୍ରୀୟ ମୁମ୍ବାଇର ଦାଦର ଷ୍ଟେସନରେ ପହଞ୍ଚିଥାନ୍ତି। ରାତି ୧୧ଟା ବେଳକୁ ସେ ଅନ୍ୟ ବହୁ ମହିଳାଙ୍କ ଭଳି ରାସ୍ତା କଡ଼ରେ ଥିବା ତାଙ୍କର ସ୍ଥାନରେ ବସିିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାନେ ଓ ପାଳଘର ଜିଲ୍ଳାର ଗ୍ରାମୀଣ ଅଞ୍ଚଳରୁ ଆସିଥାନ୍ତି।

ସେଠାରେ ତୁଳସୀ ଆଉ କିଛି ପତ୍ରକୁ ସଜାଡ଼ି ରଖନ୍ତି, କିଛି ସମୟ ବିଶ୍ରାମ ନିଅନ୍ତି, ଅପେକ୍ଷା କରନ୍ତି। ଭୋର ୪ଟା ବେଳକୁ ଗ୍ରାହକମାନେ ଆସିବା ଆରମ୍ଭ କରନ୍ତି - ମୁଖ୍ୟତଃ ଯେଉଁମାନେ ଫୁଲ, କୁଲଫି, ଭେଲ (ମୁଢି) ବିକନ୍ତି- ଏବଂ ଯେଉଁମାନେ ପତ୍ରକୁ ଗୁଡ଼ାଇବା ବା ଦନା ଭାବେ ବ୍ୟବହାର କରିଥାନ୍ତି। ୮୦ଟି ପତ୍ର ଥିବା ପ୍ରତ୍ୟେକ ଗଣ୍ଠିଲି ୫ ଟଙ୍କାରେ ବିକ୍ରି ହୁଏ। ସମୟ ସମୟରେ ତା’ଠାରୁ କମ୍ରେ ବି ବିକ୍ରି ହୋଇଥାଏ। ତୁଳସୀ ପ୍ରାୟ ୮୦ଟି ଗଣ୍ଠିଲିରେ ଥିବା ମୋଟ ୬,୪୦୦ ଟି ପତ୍ର ବିକ୍ରି କରନ୍ତି। ସକାଳ ୧୧ଟା ମଧ୍ୟରେ  ଶେଷ ଗ୍ରାହକ ଯିବା ପରେ ତୁଳସୀ ଟ୍ରେନ୍ ଧରି ମୁର୍ବିଚାପଡ଼ାକୁ ଫେରି ଆସନ୍ତି। ଅପରାହ୍ନ ୩ଟା ବେଳକୁ ସେ ଘରେ ପହଞ୍ଚନ୍ତି।

ମାସକୁ ପ୍ରାୟ ଏମିତି ୧୫ ଥର ୩୨ ଘଣ୍ଟା ଧରି କାମ କରି ତୁଳସୀ ମୋଟ ୬,୦୦୦ ଟଙ୍କା ରୋଜଗାର କରନ୍ତି। ସେଥିରୁ ପ୍ରତିଥର ବସ୍, ଟେମ୍ପୋ ଓ ଟ୍ରେନରେ ଯାତାୟତ ପାଇଁ ୬୦ ଟଙ୍କା ଖର୍ଚ୍ଚ ହୋଇଥାଏ। 

Tulshi adjusting the load of palash leaves
PHOTO • Jyoti Shinoli
Tulshi making bundles beside the road
PHOTO • Jyoti Shinoli

୩୫ କିଲୋ ଓଜନବିଶିଷ୍ଟ ଦୁଇଟି ଗଣ୍ଠିଲି ଧରି ଟ୍ରେନରେ ପଶିବା ଓ ବାହାରିବା ପ୍ରତିଦିନ ଏକ ଦୁରୁହ ବ୍ୟାପାରଦାଦର ଫୁଲ ବଜାର (ଡାହାଣ)ରେ ତୁଳସୀ ରାତିରେ ଆହୁରି ଅଧିକ ପତ୍ର ଗଣ୍ଠିଲି ରଖୁଛନ୍ତି। 

ସମୟ ସମୟରେ ବର୍ଷା ହୋଇଥିଲେ ସେ ପତ୍ରଗୁଡ଼ିକୁ ନିକଟସ୍ଥ ଧସାଇ ଗାଁରେ ଥିବା ବଜାରକୁ ନେଇଯାଆନ୍ତି, ତାହା ତାଙ୍କ ଗାଁଠାରୁ ୪୪ କିମି ଦୂର। ସେଠାରେ କିନ୍ତୁ ଖୁବ୍ କମ୍ ଗ୍ରାହକ ଥାନ୍ତି। ୩୨ ଘଣ୍ଟାର ଏହି ପରିଶ୍ରମ ପରେ, ସେ ବିରତି ନେଇ ଘରକାମ କରନ୍ତି ଏବଂ ନିଜର ପଡ଼ା ନିକଟସ୍ଥ ଚାଷ ଜମିରେ କାମ କରିବାକୁ ଯାଆନ୍ତି, ସେଠାରେ ସେ କଞ୍ଚା ଲଙ୍କା, ବାଇଗଣ ଏବଂ ଅନ୍ୟ ପରିବାପତ୍ର ତୋଳିଥାନ୍ତି।

ବର୍ଷା ଦିନମାନଙ୍କରେ ସେ ଅଧିକାଂଶ ସମୟରେ ଚାଷ ଜମିରେ କାମ କରନ୍ତି। ହାରାହାରି ଭାବେ ଦେଖିଲେ ସାରା ବର୍ଷରେ ମାସର ୧୦ ଦିନ ସେ ୩୦୦ ଟଙ୍କା ଦୈନିକ ମଜୁରୀରେ କାମ କରନ୍ତି। ସେ କହନ୍ତି, ‘ବର୍ଷା ଋତୁରେ ଆମେ ବସିପାରିବୁ ନାହିଁ [ଦାଦର ବଜାରରେ]। ସେଠାରେ ସବୁଆଡେ଼ ଓଦା ହୋଇଯାଥାଏ। ତେଣୁ ଜୁନରୁ ସେପ୍ଟେମ୍ବର ମାସରେ ମୁଁ ସେଠାକୁ କ୍ୱଚିତ ଯାଇଥାଏ। ’

୨୦୦ ପରିବାରକୁ ନେଇ ଗଠିତ ମୁର୍ବିଚାପଡ଼ା ଗାଁର ଅନ୍ୟ ୩୦ ଜଣ ମହିଳା ଏବଂ ନିକଟବର୍ତ୍ତୀ ଗାଁର ମହିଳାମାନେ ପଳାଶପତ୍ର ସଂଗ୍ରହ ଓ ବିକ୍ରି କରନ୍ତି। ସେମାନେ ନିମ ପତ୍ର, କୋଳି, ତେନ୍ତୁଳି ଭଳି ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ଶାହପୁର ଓ ଦାଦର ବଜାରରେ ବିକ୍ରି କରିଥାନ୍ତି। ଏହି ସବୁ ଗାଁରେ ଅନେକ ଲୋକ ମଧ୍ୟ କୃଷିଶ୍ରମିକ, ରାଜମିସ୍ତ୍ରୀ ବା କେଉଟ।

ତୁଳସୀଙ୍କୁ ଏବେ ୩୬ ବର୍ଷ ହୋଇଥିବାବେଳେ ସେ ୧୫ ବର୍ଷ ବୟସରୁ ପଳାଶପତ୍ର ତୋଳିବା କାମ ଆରମ୍ଭ କରିଥିଲେ। ସେ ନିଜର ମା’ ଏବଂ ପରେ ବଡ଼ ଭଉଣୀଙ୍କୁ ସମାନ କାମ କରିଥିବାର ଦେଖିଥିଲେ ଏବଂ ସେମାନଙ୍କୁ ଗଣ୍ଠିଲି ତିଆରିରେ ସାହାଯ୍ୟ କରୁଥିଲେ। ‘ମୁଁ କେବେହେଲେ ସ୍କୁଲ ଯାଇନଥିଲି, ଏହା ମୋର ବିଦ୍ୟା, ସାରା ଜୀବନ ମୋ ମା’ ଏହି କାମ କରୁଥିବାର ଦେଖି ମୁଁ ଏହା ଶିଖିଛି। ’

Tulshi holding a photo frame with her deceased husband’s photograph
PHOTO • Paresh Bhujbal

ତୁଳସୀଙ୍କୁ ୨୮ ବର୍ଷ ହୋଇଥିବାବେଳେ ସ୍ୱାମୀ ସନ୍ତୋଷଙ୍କର ପରଲୋକ ହୋଇଥିଲାସେବେଠାରୁ ସେ ନିଜର ଚାରି ପିଲାଙ୍କୁ ଏକୁଟିଆ ପାଳିଛନ୍ତି। 

ପ୍ରାୟ ୨୦ ବର୍ଷ ତଳେ ତୁଳସୀ ଦାଦରକୁ ତାଙ୍କର ଦୀର୍ଘ ଯାତ୍ରା ଆରମ୍ଭ କରିଥିଲେ। ସେ ମନେପକାନ୍ତି, ‘ମୋତେ କେତେ ବର୍ଷ ହୋଇଥିଲା ତାହା ମନେପଡୁନି, ମୁଁ ମୋ ମାଙ୍କ ସହିତ ଯାଇଥିଲି। ମୁଁ ଓଜନିଆ ପତ୍ରଗଣ୍ଠିଲି ଟେକି ପାରିନଥିଲି ତେଣୁ ଗୋଟିଏ ଖାଦ୍ୟଦ୍ରବ୍ୟ ଓ ଗୋଟେ କଟୁରୀ ଥିବା ବ୍ୟାଗ୍ ଧରି ଯାଇଥିଲି। ’ ତା’ ପୂର୍ବରୁ ମୁଁ କେବଳ ବସରେ ଯାଇଥିଲି। ଟ୍ରେନ୍ରେ ଯାତ୍ରା କରୁଥିବା ମହିଳାମାନେ ଆମଠାରୁ ଅଲଗା ଥିଲେ। ମୁଁ ଆଶ୍ଚର୍ଯ୍ୟ ହେଲି ଏହା କେମିତିଆ ଦୁନିଆ...। ଦାଦର ଷ୍ଟେସନରେ ସବୁଆଡେ ଲୋକମାନେ ଦେଖାଯାଉଥିଲେ। ମୁଁ ଭୟଭୀତ ହୋଇଯାଇଥିଲି, ମୋତେ ଅଣନିଃଶ୍ୱାସୀ ଲାଗୁଥିଲା। ମୁଁ ମୋ ମା’ଙ୍କର ଶାଢ଼ିର କାନି ଧରି ଚାଲିଲି। ମୁଁ ଭିଡ଼ରେ ଜମା ଚାଲିପାରୁନଥିଲି। ଧୀରେ ଧୀରେ ମୁଁ ଏହା ସହ ଅଭ୍ୟସ୍ତ ହେଲି। ’

୧୭ ବର୍ଷ ବୟସରେ  ବିବାହ କରିବା ପରେ ତୁଳସୀ ମୁର୍ବିଚାପଡ଼ାକୁ ଆସିଲେ; ତାଙ୍କର ବାପା ମା’ ଉଭୟ କୃଷିଶ୍ରମିକ ହୋଇଥିବାବେଳେ ସେଠାରୁ ପ୍ରାୟ ୧ କିମି ଦୂର ଅୱକାଲୱାଡ଼ି ଗାଁରେ ରହୁଥିଲେ। ତାଙ୍କ ଶ୍ୱଶୁରଘର ଲୋକେ ନିକଟସ୍ଥ ଭଟସା ଜଳସେଚନ ପ୍ରକଳ୍ପ ପାଇଁ ୧୯୭୧-୭୨ ମଧ୍ୟରେ ବିସ୍ଥାପିତ ହୋଇଥିବା ୯୭ ମା’ ଠାକୁର ଆଦିବାସୀ ପରିବାର ମଧ୍ୟରୁ ଅନ୍ୟତମ ଥିଲେ। (ଦେଖନ୍ତୁ, ଅନେକ ପରିବାର ନିଶ୍ଚିହ୍ନ ହୋଇଗଲେ)।

୨୦୧୦ରେ ଯେତେବେଳେ ତୁଳସୀଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା ତାଙ୍କର ସ୍ୱାମୀ ସନ୍ତୋଷଙ୍କର ଅସୁସ୍ଥତା ଯୋଗୁ ମୃତ୍ୟୁ ହେଲା। ସେ କହନ୍ତି ସନ୍ତୋଷଙ୍କୁ ମଳକଣ୍ଟକ ହୋଇଥିଲା। ମୁର୍ବିଚାପଡ଼ାରେ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନଥିଲା, ଶାହପୁରରେ ଥିବା ନିକଟସ୍ଥ ସରକାରୀ ଡାକ୍ତରଖାନା ୨୧ କିମି ଦୂରରେ ଅଛି। ସେ ମଧ୍ୟ ଚିକିତ୍ସିତ ହେବାକୁ ରାଜି ନଥିଲେ। ତୁଳସୀ କହନ୍ତି “ସେ ଉଭୟ ଆର୍ଥିକ ଓ ମାନସିକ ସ୍ତରରେ ଏକ ବଡ ସାହସ ଥିଲେ। ତାଙ୍କ ପରେ ଆମ କଥା ବୁଝିବାକୁ କେହି ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ, ମୁଁ ନିଜକୁ ଅସହାୟ ବା ଦୁର୍ବଳ ହେବାକୁ ଦେଲି ନାହିଁ। ଜଣେ ଏକୁଟିଆ ମହିଳା ସବୁବେଳେ ଦୃଢ ରହିବା ଆବଶ୍ୟକ। ନ ହେଲେ କଣ ହେବ?”

ତୁଳସୀ ତାଙ୍କ ପିଲାଙ୍କ ପାଇଁ ରୋଷେଇ କରିବାକୁ ସମୟ ବାହାର କରନ୍ତି-କାଶୀନାଥ (ଉପର, ବାମ) ମୁନ୍ନୀ (ଦ୍ୱିତୀୟ ଧାଡି), ଗୀତା ଏବଂ ମହେନ୍ଦ୍ର (ସେମାନଙ୍କ ଘର ଦୁଆର ପାଖରେ ବସିଛନ୍ତି)


ତୁଳସୀଙ୍କୁ ତାଙ୍କର ଚାରି ଜଣ ପିଲାଙ୍କୁ ଏକୁଟିଆ ପାଳିବାର ଥିଲା।  ଯେତେବେଳେ ସେ କାମ କରିବାକୁ ଯାଆନ୍ତି, ସେତେବେଳେ ପିଲାମାନଙ୍କୁ ପଡାରେ ରଖିବାକୁ ଅମଙ୍ଗ ଥିବା ଦିଅର(ତୁଳସୀଙ୍କ ସ୍ୱାମୀ  ଛୋଟ ହୋଇଥିବା ସମୟରେ ତାଙ୍କର ବାପା-ମାଙ୍କର ମୃତ୍ୟୁ ହୋଇଥିଲା) ପାଖରେ ଛାଡି ଯାଆନ୍ତି।

ତୁଳସୀଙ୍କର ବଡ ଝିଅ ମୁନୀ ଏବେ ୧୬ ବର୍ଷର ହେଲାଣି। ସେ କହନ୍ତି “ଆମେ ତାକୁ ଖୁବ୍ କମ୍ ସମୟ ଘରେ ଦେଖିବାକୁ ପାଉଛୁ। ସେ ଗୋଟିଏ ଦିନ ବି ଛୁଟି ନିଏ ନାହିଁ କିମ୍ବା ଥକିପଡେ ନାହିଁ। ଆମେ ବି ଆଶ୍ଚର୍ଯ୍ୟ ହେଉଛୁ ସେ ଏମିତି କେମିତି କରିପାରୁଛି। ” ମୁନ୍ନୀ ଏବେ ୧୦ମ ଶ୍ରେଣୀରେ ପଢୁଛି। ସେ କହେ “ମୁଁ ନର୍ସ ହେବାକୁ ଚାହୁଁଛି। ” ସାନ ଝିଅ ଗୀତା ଅଷ୍ଟମ ଶ୍ରେଣୀରେ ପଢୁଛି। ସବା ସାନ ପୁଅ ମହେନ୍ଦ୍ର ୬ଷ୍ଠ ଶ୍ରେଣୀରେ ପଢୁଛି।

ସବା ବଡ ପୁଅ ୧୮ ବର୍ଷର କାଶୀନାଥ,ସାହାପୁରର ଦୋଳଖମ୍ବ ଗାଁରେ ଥିବା ନୂଆ ଇଂରାଜୀ ମାଧ୍ୟମ ୧୧ ଶ୍ରେଣୀରେ ହାଇସ୍କୁଲରେ ପଢୁଛି। ସେ ସେଠାରେ ହଷ୍ଟେଲରେ ରହେ। ସେ କହେ, “ମୁଁ ମୋର ପାଠପଢା ଶେଷ କରି ଭଲ ଦରମାର ଗୋଟିଏ ଚାକିରି କରିବାକୁ ଚାହୁଁଛି। ” ତାର ସ୍କୁଲ ପାଇଁ ବାର୍ଷିକ ଫି ଭାବେ ୨,୦୦୦ ଟଙ୍କା ଏବଂ ବର୍ଷକୁ ଦୁଇ ଥର ପରୀକ୍ଷା ବାବଦକୁ ଅତିରିକ୍ତ ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡେ। ତୁଳସୀ କହନ୍ତି, “ମୁଁ କେବଳ କାଶୀନାଥର ଫି ଦିଏ। ଅନ୍ୟ ପିଲାମାନେ ଜିଲ୍ଲା ପରିଷଦ ସ୍କୁଲ( ମୁର୍ବିଚାପଡାରୁ ୨ କିଲୋମିଟର ଦୂର ସାରଙ୍ଗପୁରୀ ଗାଁରେ ଥିବା)ରେ ପଢନ୍ତି। ମୁଁ ସେମାନଙ୍କ ପାଠପଢା ଖର୍ଚ୍ଚକୁ ନେଇ ଚିନ୍ତିତ। କିନ୍ତୁ ମୁଁ ଚାହୁଁଛି ମୋ ପିଲାମାନେ ଭଲ ଶିକ୍ଷା ପାଆନ୍ତୁ। ଆମ ପରିସ୍ଥିତିରୁ ବାହାରିବା ପାଇଁ ଏହା ହିଁ ଏକମାତ୍ର ବାଟ। ” 

Tulshi cooking at home
PHOTO • Jyoti Shinoli
Tulshi with her children Kashinath (top row left), Munni (2nd row), Geeta (3rd row left) and Kashinath (3rd row right), sitting in the doorway of their house
PHOTO • Jyoti Shinoli

ତୁଳସୀ ତାଙ୍କ ପିଲାଙ୍କ ପାଇଁ ରୋଷେଇ କରିବାକୁ ସମୟ ବାହାର କରନ୍ତି-କାଶୀନାଥ (ଉପର, ବାମ) ମୁନ୍ନୀ (ଦ୍ୱିତୀୟ ଧାଡି), ଗୀତା ଏବଂ ମହେନ୍ଦ୍ର (ସେମାନଙ୍କ ଘର ଦୁଆର ପାଖରେ ବସିଛନ୍ତି)। 

ଆମେ ତାଙ୍କ ଘରେ ବସି କଥା ହେଉଥିଲୁ, ଯାହାକି ତାଙ୍କ ପରିବାରକୁ ୨୦୧୧ରେ ଇନ୍ଦିରା ଆବାସ ଯୋଜନାରେ ମିଳିଥିଲା। ଏହା ଭିତରେ ତୁଳସୀ ହାତରେ ଗୋଟିଏ କପଡା ବ୍ୟାଗ୍ ଧରି ପୁଣି ଥରେ ପତ୍ର ତୋଳିବା ପାଇଁ ଯିବାକୁ ପ୍ରସ୍ତୁତ ହୋଇଗଲେ। ବ୍ୟାଗ୍ ଭିତରେ ପତ୍ର ଗଣ୍ଠିଲି କରିବା ପାଇଁ ଗୋଟିଏ ଦାଆ ଓ ପୁରୁଣା ଲୁଗା ଥିଲା।

ସେଦିନ ସନ୍ଧ୍ୟା ୮.୩୦ ମିନିଟ ସୁଦ୍ଧା ସେ ପୁଣିଥରେ ଦାଦରକୁ ଦୁଇ ଘଣ୍ଟାର ଟ୍ରେନ୍ ଯାତ୍ରାରେ ବାହାରିଗଲେ। ତା’ ପରେ ରାସ୍ତା କଡ଼ରେ ଥିବା ଫୁଲ ବଜାରରେ ଅନ୍ଧାର ମଧ୍ୟରେ ପତ୍ରଗୁଡ଼ିକୁ ଗଣ୍ଠିଲି କରିବାକୁ ଲାଗିଲେ। ସେହି ରାସ୍ତାରେ ଠିକ୍ ଭାବେ ଷ୍ଟ୍ରିଟଲାଇଟ ଲାଗିନାହିଁ, ତେଣୁ ନିରବିଚ୍ଛିନ୍ନ ଭାବେ ଚାଲୁଥିବା ଗାଡ଼ିର ହେଡଲାଇଟ ଏଥିପାଇଁ ସହାୟକ ହୁଏ। ସେ କହନ୍ତି, ‘ ଆମେ (ମହିଳାମାନେ) ବାହାରେ ବସୁ(ମୁଖ୍ୟ ବଜାରଠାରୁ ଦୂରରେ), ରାତିରେ ବନ୍ଦ ହୋଇଥିବା ବଜାର ମଧ୍ୟରେ ବସିବାକୁ ଆମେ ସୁରକ୍ଷିତ ଅନୁଭବ କରୁନା। କିନ୍ତୁ ଏହି ସବୁ  ଜନଗହଳି ମଧ୍ୟରେ ମୋତେ ଆଦୌ ସହଜ ଲାଗେ ନାହିଁ। କାର, ଲୋକଙ୍କ ଭିଡ଼, ସେମାନଙ୍କର ଗନ୍ଧ, ସିଗାରେଟ୍ର ଗନ୍ଧ ପ୍ରଭୃତି। ଯଦିଓ ଆମ ପଡ଼ାରେ ବି ଏସବୁ ଅଛି, ତେବେ ସେଠାରେ ମୁକ୍ତ ଭଳି ଲାଗେ, ନିଜ ଘର ପରି ଅନୁଭବ ହୁଏ। କିନ୍ତୁ ଟଙ୍କା ବିନା ଆମେ ସେଠି କିପରି ଚଳିବୁ? ତେଣୁ ଆମକୁ ଏହି ସହରକୁ ଆସିବାକୁ ହୁଏ। ’

ତୁଳସୀ ନିଜର ସହକର୍ମୀମାନଙ୍କ ସହିତ ଦାଦର ବଜାରରେ ରାତି କଟାଇବା ସମୟରେ ୭ ଟଙ୍କା ବିନିମୟରେ କିଣାଥିବା ଗୋଟିଏ ଗ୍ଲାସ ଚା’, ବେଳେବେଳେ ଘରୁ ଆଣିଥିବା ଭକ୍ରି (ଏକପ୍ରକାରର ରୁଟି) ଓ ତରକାରୀ ଖାଇଥାନ୍ତି ଏବଂ ସମୟ ସମୟରେ ଆଉ କୌଣସି ବାନ୍ଧବୀଙ୍କ ଟିଫିନ୍ ମଧ୍ୟ ଖାଇଥାନ୍ତି। ପରଦିନ ସକାଳୁ ସବୁ ତକ ପତ୍ର ବିକ୍ରି ହେବା ଯାଏ ସେ ଅପେକ୍ଷା କରନ୍ତି। ସେ କହନ୍ତି, ‘ ମୁଁ ଘରକୁ ଓଜନ ବୋହି ଆସିପାରିବି ନାହିଁ। ’

ଏହାପରେ ପୁଣି ଦୁଇଘଣ୍ଟାର ଟ୍ରେନ୍ ଯାତ୍ରା କରି ଆସଗାଓଁକୁ ଫେରି ଆସନ୍ତି। ତୁଳସୀ କହନ୍ତି, ‘ଆମର ଏକ ଚାରିଜଣିଆ ମହିଳା ଗ୍ରୁପ୍ ଅଛି(ଯେଉଁମାନେ ଏକାଠି କାମ ଓ ଯାତ୍ରା କରନ୍ତି)। ଯାତ୍ରା ସମୟରେ ଆମେ ଆମର ଅନୁଭବକୁ ପରସ୍ପରକୁ କହିଥାଉ, ଆମର  ଘରେ କ’ଣ ହେଉଛି ସେ ସଂପର୍କରେ କହୁ, ଭବିଷ୍ୟତ ବିଷୟରେ ଆଲୋଚନା କରୁ। କିନ୍ତୁ ତାହା ଅଧିକ ସମୟ ନୁହେଁ। ଆମେ ସାଧାରଣତଃ ଶୋଇ ପଡୁ କାରଣ ଆମେ ଖୁବ୍ କ୍ଲାନ୍ତ ହୋଇଯାଇଥାଉ।’

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

Jyoti Shinoli is a Mumbai-based journalist and a content coordinator at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli