ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ସହିତ ସୂଚନା ବିନିମୟ ପାଇଁ ଜାନୁଆରୀ ମାସରେ ଆୟୋଜିତ ଏକ ସମାବେଶ ଜନ୍ମଭୂମି ସମୟରେ ଥୁମ୍ମାଲାର ସରକାରୀ ସ୍କୁଲରେ ସମବେତ ମଣ୍ଡଳ ଅଧିକାରୀଙ୍କୁ ମହମ୍ମଦ ପଚାରିଲେ , ‘ମୁଁ କ’ଣ ପାଇଁ ରାସନ୍ ଦୋକାନରୁ ମୋ ଚାଉଳ ପାଉନାହିଁ’?

ମହମ୍ମଦଙ୍କ ନାଁ ଥୁମ୍ମାଲା ଗାଁରେ ଥିବା ତାଙ୍କ ରାସନ କାର୍ଡରେ ନାହିଁ। କିନ୍ତୁ ତାଙ୍କ ଫଟୋ ତାଙ୍କ ଘରଠାରୁ ପ୍ରାୟ ୨୫୦ କିମି ଦୂରରେ ଥିବା କୁର୍ଣ୍ଣୁଲ ସହରରେ ଏକ ରାସନ୍ କାର୍ଡରେ ରହିଛି। ଅଧିକାରୀମାନେ ଉତ୍ତର ଦେଲେ, ‘କିଛି ନାଁ ଭାଇଜାଗ ଭଳି ସ୍ଥାନ (୮୦୦ କିମି ଦୂରରେ ଥିବା ବିଶାଖାପାଟଣା)ରେ ବି ଦେଖାଉଛି। ’

ଅକ୍ଟୋବର ୨୦୧୬ରୁ ଆଧାର ନମ୍ବରକୁ ରାସନ୍ କାର୍ଡରେ ସଂଯୋଗ କରିବା ପରେ ପଠାନ୍ ମହମ୍ମଦ ଅଲ୍ଲୀ ଖାନଙ୍କୁ ଆଉ ରାସନ୍ ମିଳୁନାହିଁ। ଆନ୍ଧ୍ରପ୍ରଦେଶ ସରକାର ରାସନ୍ କାର୍ଡ ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିଦେବା ପରେ ୫୨ ବର୍ଷୀୟ ଏହି ପରିବା ଦୋକାନୀ ତାଙ୍କର ରାସନ୍ କାର୍ଡ ଓ ଆଧାର ନଂକୁ ସଂଯୋଗ କରିଥିଲେ। କିଛି ସପ୍ତାହ ମଧ୍ୟରେ ଅନନ୍ତପୁର ଜିଲ୍ଲାର ଆମଦାଗୁର ମଣ୍ଡଳର ଥୁମ୍ମାଲା ଗାଁରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ରାସନ୍ ଆଉଟଲେଟରେ ତାଙ୍କର ସମସ୍ୟା ଆରମ୍ଭ ହେଲା।

ଅଲ୍ଲୀଙ୍କ ପରି ଜଣେ ବିପିଏଲ(ଗରିବୀ ସୀମାରେଖା ତଳେ ଥିବା)କାର୍ଡଧାରୀ ଯେତେବେଳେ ପିଡିଏସ ଆଉଟଲେଟ୍ କୁ ଯାଆନ୍ତି, ଦୋକାନୀ ତାଙ୍କୁ ପରିବାରର ରାସନ୍ କାର୍ଡ ନମ୍ବର ସଂପର୍କରେ ପ୍ରଶ୍ନ କରିଥାଏ ଏବଂ ସେହି ନମ୍ବରକୁ ଗୋଟେ ଛୋଟ ମେସିନ୍ରେ ଲେଖେ। ତା’ ପରେ ସେହି ମେସିନ୍ରେ କାର୍ଡଧାରୀଙ୍କ ପରିବାର ସଦସ୍ୟଙ୍କ ସଂପର୍କରେ ବିବରଣୀ ଆସିଯାଏ ଏବଂ ରାସନ୍ ଆଣିବାକୁ ଯାଇଥିବା ଲୋକ ନିଜର ଟିପଚିହ୍ନ ଦେଇ ତାକୁ ପ୍ରମାଣିତ କରନ୍ତି। ମେସିନ୍ରେ ଦେଖାଯାଉଥିବା ପରିବାର ସଦସ୍ୟଙ୍କ ମୁତାବକ ଡିଲର ଜଣକ ରାସନ୍ ଦେଇଥାନ୍ତି। କିନ୍ତୁ ଅଲ୍ଲୀଙ୍କ ନାଁ ତାଙ୍କ ପରିବାର ସଦସ୍ୟଙ୍କର ଅନଲାଇନ୍ ତାଲିକାରୁ କଟି ଯାଇଛି। ସେ କହନ୍ତି, ‘ ଅନେକ ଥର ମୁଁ ଯାଇଛି ଏବଂ ମୋ ନାଁ ସେଥିରେ ନାହିଁ। ’ ‘ ସେମାନେ ଆମ ନମ୍ବର ଲେଖିବା ପରେ ୫ଟି ନାଁ ଦେଖାଇବା କଥା। କିନ୍ତୁ ୪ଟି ନାଁ ଦେଖାଉଛି, ମୋର ନାଁ ନିଖୋଜ ଅଛି। ସେହି ତାଲିକାରେ ନାଁ ଦେଖାଇଲେ ହିଁ ଟିପଚିହ୍ନ କାମ କରିବ। ନ ହେଲେ କାମ କରିବ ନାହିଁ। ’

Pathan Mahammad Ali Khan with his wife Pathan Fakro Nisha at the Janmabhoomi meeting at Thummala
PHOTO • Rahul M.
Ration card website showing Pathan Mahammad Ali Khan's family
PHOTO • Rahul M.

ମହମ୍ମଦ ଅଲ୍ଲୀ ଏବଂ ପତ୍ନୀ ଫକରୋ ନିଶା (ବାମ) ଅଲ୍ଳୀଙ୍କ ନାଁକୁ ତାଙ୍କ ପରିବାରର ରାସନ୍ କାର୍ଡରେ ସାମିଲ କରିପାରିନାହାନ୍ତି ତାଙ୍କ ଆଧାର କାର୍ଡ ସ୍ୱର୍ଗତଃ ମହମ୍ମଦ ହୁସେନ (ଡାହାଣ)ଙ୍କ ସହ ସଂଯୋଗ ହୋଇଯାଇଛି

ଏପରି ହେବାର କାରଣ ହେଲା ଅଲ୍ଲୀଙ୍କର ଆଧାର ନମ୍ବର ମହମ୍ମଦ ହୁସେନଙ୍କ ରାସନ୍ କାର୍ଡ ସହିତ ସଂଯୋଗ ହୋଇଯାଇଛି। ଏପରି କେମିତି ହେଲା ତାହା କେହି ଜାଣନ୍ତି ନାହିଁ। କିନ୍ତୁ କୁର୍ଣ୍ଣୁଲ ଜିଲ୍ଲାର କାବାଡି ସରଣୀରେ ରହୁଥିବା ହୁସେନଙ୍କର ୨୦୧୩ରେ ବ୍ରେନ ଷ୍ଟେ୍ରାକ୍ ଯୋଗୁ ପରଲୋକ ହୋଇଯାଇଛି। ୫୯ ବର୍ଷୀୟ ହୁସେନ୍  ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମରେ କାମ କରୁଥିଲେ। ତାଙ୍କ ପତ୍ନୀ ଶୈକ୍ ଜୁବେଦା ବି କହନ୍ତି, ସେମାନେ ମୋ ସ୍ୱାମୀଙ୍କ ନାଁ (ଆମ ରାସନ କାର୍ଡରୁ) ବାଦ୍ ଦେଇଛନ୍ତି।

ଥୁମ୍ମାଲା ନିକଟବର୍ତ୍ତୀ ଭେଙ୍କଟନାରାୟଣ ପାଲି ଗାଁରେ ଭି ନାଗାରାଜୁଙ୍କ ନାଁ ମଧ୍ୟ ତାଙ୍କ ରାସନ୍ କାର୍ଡରୁ ବାଦ୍ ପଡ଼ିଛି। ରାସନ୍ ଡିଲର ରମଣ ରେଡ୍ଡି କହନ୍ତି, ‘ମୁଁ କାର୍ଡ ନମ୍ବର ଲେଖିବା ପରେ ତାଙ୍କ ନାଁ ଦେଖାଉନାହିଁ। ’ ସେ ମୋତେ ନାଗାରାଜୁଙ୍କର ପରିବାରର ରାସନ୍ କାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବା ସଦସ୍ୟମାନଙ୍କ ତାଲିକା ଦେଖାଇଲେ, ନାଗାରାଜୁଙ୍କ ନାଁ ସେଥିରେ ନଥିଲା।

ଜଣେ ଭାଗଚାଷୀ ଓ ଅଲ୍ଲୀଙ୍କ ବନ୍ଧୁ ନାଗାରାଜୁ (୪୫) ଦର୍ଶାନ୍ତି, ‘ପ୍ରତି ମାସରେ ରାସନ୍ ଦୋକାନରୁ ପାଞ୍ଚ କିଲୋ ଚାଉଳ ନ ପାଇବା ଆମ ପାଇଁ ଖୁବ୍ ବଡ଼ କଥା। ’ ନାଗାରାଜୁ ସମୟ ସମୟରେ ମହାତ୍ମା ଗାନ୍ଧୀ ନ୍ୟାସରାଲ ରୁରାଲ ଏମ୍ପପ୍ଲୋଏମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ମନରେଗା)ରେ ମଧ୍ୟ କାମ କରନ୍ତି। ଉପଯୁକ୍ତ ପରିମାଣର ସାମଗ୍ରୀ ମହଜୁଦ ଥିଲେ ବିପିଏଲ କାର୍ଡ ଧାରୀମାନେ ମଧ୍ୟ ଗୋଟିଏ କିଲୋ ମାଣ୍ଡିଆ ପାଇଥାନ୍ତି ଏବଂ ସମୟ ସମୟରେ ଗୋଟିଏ ପରିବାର କିଛି ଚିନି ଓ ସାବୁନ ବି ପାଆନ୍ତି।

ଏଣୁ ନାଗାରାଜୁ ନିଜର ସମସ୍ୟା ନେଇ ଆମଦାଗୁରୁରୁ ୧୪୦ କିମି ଦୂରରେ ଅନନ୍ତପୁରରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ (ଡିଏସଓ)ଙ୍କ ଅଫିସକୁ ଗଲେ। ସେଠାରେ ଜଣେ ଅପରେଟର ତାଙ୍କର ସବିଶେଷ ତଥ୍ୟକୁ ଦେଖିଲେ ଏବଂ ନାଗାରାଜୁଙ୍କ ଆଧାର କାର୍ଡର ଏକ ଫଟୋକପି (ନକଲ)ରେ ଏହାକୁ ଲେଖିଲେ: “ଏହି ଆଧାର କାର୍ଡର ମୂଳ କୁର୍ଣ୍ଣୁଲ ଜିଲ୍ଲାରେ ରହିଛି ଏବଂ ଏ ନେଇ କୁର୍ଣ୍ଣୁଲର ଡିଏସଓଙ୍କୁ ଅବଗତ କରାଯାଇଛି।”

A couple standing in their home with images of various gods framed above them
PHOTO • Rahul M.
A woman at her home in Kurnool
PHOTO • Rahul M.

ଭି. ନାଗାରାଜୁ ଏବଂ ତାଙ୍କର ପତ୍ନୀ ଲକ୍ଷ୍ମୀଦେବୀ (ବାମ)ଙ୍କୁ ସେମାନଙ୍କର ପୂରା ରାସନ୍ ଦେବାକୁ ମନା କରାଗଲା କାରଣ ନାଗାରାଜୁଙ୍କର ତଥ୍ୟ ବିଜୟଲକ୍ଷ୍ମୀ (ଡାହାଣ)ଙ୍କ ରାସନ୍ କାର୍ଡ ସହିତ ସଂଯୋଗ ହୋଇଯାଇଥିଲା

ଅଲ୍ଲୀଙ୍କ ପରି ନାଗାରାଜୁଙ୍କର ଆଧାର ମଧ୍ୟ କୌଣସି ମତେ କୁର୍ଣ୍ଣୁଲର ଏକ ରାସନ୍ କାର୍ଡ ସହିତ ସଂଯୋଗ ହୋଇଯାଇଥିଲା। ଏ କ୍ଷେତ୍ରରେ ତାହା କୁର୍ଣ୍ଣୁଲର ଶ୍ରୀନିବାସନଗର ଅଞ୍ଚଳରେ ରହୁଥିବା ଜି. ବିଜୟଲକ୍ଷ୍ମୀଙ୍କର କାର୍ଡ ସହିତ ସଂଯୋଗ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ପିଡିଏସ ୱେବସାଇଟ ଅନୁସାରେ ବିଜୟଲକ୍ଷ୍ମୀଙ୍କର କାର୍ଡ ସକ୍ରିୟ ଥିଲା- ସେ ପିଡିଏସ ଆଉଟଲେଟ୍ରୁ ରାସନ ସଂଗ୍ରହ କରୁଥିଲେ।

ଗୃହିଣୀ ବିଜୟଲକ୍ଷ୍ମୀ (ପ୍ରାୟ ୪୦ ବର୍ଷ) କହନ୍ତି, ‘ମୁଁ କିନ୍ତୁ କେବେହେଲେ ମୋର ରାସନ୍ ନେଇନାହିଁ।’ ତାଙ୍କର ସ୍ୱାମୀ ଜଣେ ସ୍କୁଟର ମେକାନିକ୍। ସେ ନାଗାରାଜୁଙ୍କ ଫଟୋ କିମ୍ବା ରାସନ୍ କାର୍ଡରେ ଥିବା ମହିଳାଙ୍କୁ ଚିହ୍ନଟ କରିପାରିଲେ ନାହିଁ ଯାହାକି ତାଙ୍କ ନାଁରେ ଜାରି ହୋଇଥିଲା। ଜାନୁଆରୀ ୨୦୧୭ରେ ସେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଏକ ରାସନ୍ କାର୍ଡ ପାଇଁ ଆବେଦନ କରିଥିଲେ ଏବଂ ସେବେଠାରୁ ତାକୁ ଅପେକ୍ଷା କରିଛନ୍ତି।

ପିଡିଏସ୍ ୱେବସାଇଟର ‘ଟ୍ରାନଜାକସନ୍ ହିଷ୍ଟ୍ରି ସେକ୍ସନ୍’ଅନୁସାରେ ଡିସେମ୍ବର ୨୦୧୧ରେ ଅଲ୍ଲୀ ଓ ନାଗାରାଜୁଙ୍କ ଆଧାର ନମ୍ବରରେ କୁର୍ଣ୍ଣୁଲର ଦୁଇଟି ରାସନ୍ କାର୍ଡ ଭୁଲ୍ ଭାବେ ସଂଯୋଗ ହୋଇଥିଲା। ତା’ ପରଠାରୁ ଅକ୍ଟୋବର ୨୦୧୬ ପର୍ଯ୍ୟନ୍ତ ଏହି ଦୁଇଟି ରାସନ କାର୍ଡକୁ ଆଧାର ଡାଟାବେସରେ ସଂଯୋଗ କରିବାକୁ ବହୁଥର ଅସଫଳ ଉଦ୍ୟମ ହୋଇଥିଲା। ତାହା ହୁଏତ ସଚ୍ଚୋଟ ସରକାରୀ ଅଧିକାରୀ କିମ୍ବା ଅଜଣା ଠକଙ୍କ ଦ୍ୱାରା କରାଯାଇଥାଇପାରେ। କିନ୍ତୁ ଅଲ୍ଲୀ ବା ନାଗାରାଜୁ ସେପରି ଉଦ୍ୟମ କରିନଥିଲେ।

ଟ୍ରାନଜାକସନ୍ ହିଷ୍ଟ୍ରି ଏବଂ କାର୍ଡର ସବିଶେଷ ବିବରଣୀ ଦେଖିବା ପାଇଁ ପାସୱାର୍ଡ ଆବଶ୍ୟକ ହୋଇନଥାଏ। କେବଳ ରାସନ୍ କାର୍ଡ ନଂ ଦେଇଦେଲେ ଯଥେଷ୍ଟ।  ଯେତେବେଳେ ମୁଁ ୱେବସାଇଟର ‘ପ୍ରିଣ୍ଟ ରାସନ୍ କାର୍ଡ’ ସେକ୍ସନରୁ ଏହି କାର୍ଡଗୁଡ଼ିକ ସଂପର୍କରେ ଯାଞ୍ଚ କଲି ସେଥିରେ ଏପରି ନାଁ ସବୁ ଥିଲା ଯାହାକୁ ଅଲ୍ଲୀ ବା ନାଗାରାଜୁ ଜାଣିନଥିଲେ। ଛଅଜଣଙ୍କର ପାସପୋର୍ଟ ସାଇଜ ଫଟୋ ମଧ୍ୟରେ (ଅଲୀ୍ଲଙ୍କ ଆଧାର ସହ ଜଡ଼ିତ ଚାରି ଜଣ ଏବଂ ନାଗାରାଜୁଙ୍କ ଆଧାରରେ ଦୁଇ ଜଣ ସଂଯୋଗ ହୋଇଥିଲେ)ଅଲ୍ଲୀ ଏବଂ ନାଗାରାଜୁଙ୍କର ଫଟୋ ଥିଲା। ଅନ୍ୟମାନଙ୍କୁ ନାଗାରାଜୁ ଚିହ୍ନିପାରିଲେ ନାହିଁ।

The ration card with name of MD Hussain and photo of Mahammad, from his Aadhaar. The other three can't be identified
PHOTO • Rahul M.
The ration card with name of Vijayalakshmi and photo of Nagaraju, from his Aadhaar. The other woman can't be identified
PHOTO • Rahul M.

ଅଲ୍ଲୀ (ବାମ) ଓ ନାଗାରାଜୁ (ଡାହାଣ)ଙ୍କର ଫଟୋ ସହିତ ରାସନକାର୍ଡ ଏହା ସହିତ ଅନ୍ୟମାନଙ୍କର ଫଟୋ ଯାହାଙ୍କୁ ସେମାନେ ଜାଣନ୍ତି ନାହିଁ

୨୪ ବର୍ଷ ତଳେ ବାହା ହୋଇଥିବା ବିଜୟଲକ୍ଷ୍ମୀ ତାଙ୍କ ଭାଗର ରାସନ୍ କେବେହେଲେ ନେଇନଥିଲେ। କିନ୍ତୁ ଅଲ୍ଲୀ ୧୯୮୦ ମସିହାରୁ ରାସନ୍ ନେଉଥିଲେ। ତେଣୁ ଯେତେବେଳେ ଅକ୍ଟୋବର ୨୦୧୬ରେ ଏହି ଗୋଳମାଳ ଆରମ୍ଭ ହେଲା ସେ ରାସନ କାର୍ଡ ହେଲପଲାଇନ୍କୁ କେତେ ଥର ଫୋନ୍ କଲେ। ଏଜେଣ୍ଟମାନେ ତାଙ୍କୁ ତାଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଲେ। କିନ୍ତୁ ଅପେକ୍ଷା କରିବା ପରେ ଅକ୍ଟୋବର ୨୦୧୭ରେ ଅଲ୍ଳୀ ଆମଦାଗୁରୁସ୍ଥିତ ‘ମି ସେବା’ କେନ୍ଦ୍ରକୁ ଗଲେ ଏବଂ ତାଙ୍କ ନାଁକୁ ତାଙ୍କ ପରିବାରର ରାସନ କାର୍ଡରେ ସଂଯୋଗ କରିବାକୁ ସେମାନଙ୍କୁ ଅନୁରୋଧ କଲେ। ଏପରିକି ସେ ଆମାଦଗୁରୁ ମଣ୍ଡଳ ରାଜସ୍ୱ ଅଧିକାରୀ (ଏମଆରଓ)ଙ୍କ ସହିତ କଥା ବି ହୋଇଥିଲେ। ଏମଆରଓ ମଧ୍ୟ ତାଙ୍କୁ ଖୁବ୍ ଶୀଘ୍ର ସସମ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଲେ। ଅଲ୍ଲୀ କହନ୍ତି, “ଯେଉଁଦିନ ମୁଁ ଆଧାର କାର୍ଡ ସଂପର୍କରେ ବୁଝିବାକୁ ଯାଏ ସେଦିନ ମୋର ବ୍ୟବସାୟ ବନ୍ଦ ହୁଏ।”

ଥୁମ୍ମାଲାରେ ଜନ୍ମଭୂମି ବୈଠକ ପରେ  ଅଲ୍ଲୀ ଏବଂ ମୁଁ ଆଠ କିମି ଦୂରରେ ଥିବା ଆମଦାଗୁରୁସ୍ଥିତ ମି ସେବା କେନ୍ଦ୍ରକୁ ଗଲୁ। ତଥ୍ୟରେ କୌଣସି ଗୋଳମାଳ ହୋଇଥିବା ସଂପର୍କରେ ଯାଞ୍ଚ କରିବା ଲାଗି ଆମେ ତାଙ୍କ ଆଧାର କାର୍ଡର ଏକ ନକଲ ପାଇବାକୁ ଉଦ୍ୟମ କଲୁ। ସେଠାରେ ତାଙ୍କ ଆଧାର ନମ୍ବରରୁ ଏକ ଓଟିପି (ଯାଞ୍ଚ ପାଇଁ ମୋବାଇଲ ନମ୍ବରକୁ ପଠାଯାଉଥିବା ୱାନ୍ ଟାଇମ ପାସୱାର୍ଡ) ଆସିଲା। ଅଲ୍ଲୀ ସେ ସଂପର୍କରେ କିଛି ଜାଣିନଥିଲେ। ଓଟିପି ଯେଉଁ ନମ୍ବରକୁ ପଠାଗଲା ଅଲ୍ଲୀ ତାକୁ ଚିହ୍ନଟ କରିପାରିଲେ ନାହିଁ।

ଆଧାର ସଂପର୍କରେ ଯାଞ୍ଚ ପାଇଁ ବିଫଳ ହେବା ପରେ ଆମେ ଆମଦାଗୁରୁସ୍ଥିତ ନିକଟବର୍ତ୍ତୀ ଏମଆରଓ ଅଫିସ୍କୁ ଗଲୁ। ମି ସେବା କେନ୍ଦ୍ରରେ ଅଲ୍ଲୀ ଅକ୍ଟୋବର ୨୦୧୭ରେ କରିଥିବା ଅଭିଯୋଗର କ’ଣ ହେଲା ତାହା ଜାଣିବା ଆମର ଉଦେ୍ଧଶ୍ୟ ଥିଲା। ସେଠାକାର କମ୍ପ୍ୟୁଟର ଅପରେଟର ମି ସେବା କେନ୍ଦ୍ର ପକ୍ଷରୁ ଅଲ୍ଲୀଙ୍କୁ ଦିଆଯାଇଥିବା ରସିଦ୍ ଦେଖିବାକୁ ଚାହିଁଲେ - ଅଲ୍ଲୀଙ୍କ ପାଖରେ କିନ୍ତୁ କିଛି ରସିଦ ନଥିଲା। ତେଣୁ ଆମେ ସେହି ରସିଦ୍ ନେବାପାଇଁ ମି ସେବା କେନ୍ଦ୍ରକୁ ଆସିଲୁ। ତାହା ସହଜ ନଥିଲା ଏବଂ ସେଥିଲାଗି କିଛି ସମୟ ଲାଗିଲା।

ସେହି କାଗଜକୁ ସଂଗ୍ରହ କରିବା ପରେ ଆମେ ପୁଣି ଏମଆରଓଙ୍କ ଅଫିସ୍କୁ ଗଲୁ, ଯେଉଁଠାରେ ଅପରେଟରଜଣକ ତଥ୍ୟକୁ ଦେଖିଲେ। ମି ସେବା ୱେବସାଇଟ୍ର  ‘ଇଣ୍ଟିଗ୍ରେଟେଡ ସର୍ଭିସେସ୍ ଡେଲିଭରି ଗେଟୱେ’ରେ ମନ୍ତବ୍ୟ ସ୍ଥାନରେ ଲେଖାଯାଇଥିଲା ଯେ, ୟୁଆଇଡି ପୂର୍ବରୁ ଥିବାରୁ ମହମ୍ମଦ ଅଲ୍ଲୀଙ୍କ ରାସନକୁ ବନ୍ଦ କରି ଦିଆଯାଇଛି। ତାହା ଏକ ଅଜଣା ରାସନ୍ କାର୍ଡ ନଂରେ କୁର୍ଣ୍ଣୁଲସ୍ଥିତ ମହମ୍ମଦ ହୁସେନଙ୍କ ଠିକଣାରେ ଜାରି ହୋଇଥିଲ।

Mahammad with his (orange coloured) October receipt and MRO office print out. The orange receipt was retrived from Mee Seva (‘At your service’), after he was sent back from MRO office. The reciept acknowledges the request to add his name back onto his family’s ration card. The white print is given by operator at MRO office, which says "..uid already exist in the..". The photo was taken outside the MRO office after we got the white print out
PHOTO • Rahul M.
The ration shop with number 1382047, which was shutdown for irregularities
PHOTO • Rahul M.

ମି ସେବା ଏବଂ ଏମଆରଓ ଅଫିସର ରସିଦ୍ ସହିତ ଅଲ୍ଲୀ ଡାହାଣ: ଦୁର୍ନୀତି ଅଭିଯୋଗରେ ବନ୍ଦ ହୋଇଯାଇଥିବା କୁର୍ଣ୍ଣୁଲସ୍ଥିତ ରାସନ ଦୋକାନ

ଅଲ୍ଲୀ ଓ ନାଗାରାଜୁଙ୍କର ଆଧାର କାର୍ଡର ସବିଶେଷ ତଥ୍ୟ କୁର୍ଣ୍ଣୁଲସ୍ଥିତ ଯେଉଁ ରାସନ୍ ଦୋକାନକୁ ଚାଲିଆସିଥିଲା ତାହା ଦୁର୍ନୀତି ଅଭିଯୋଗରେ ୨୦୧୭ରେ ବନ୍ଦ ହୋଇଗଲା। ତାର ଗ୍ରାହକମାନେ ସହରରେ ଥିବା ଅନ୍ୟ ରାସନ୍ ଆଉଟଲେଟକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ଅଲ୍ଲୀଙ୍କ ରାସନ କାର୍ଡର ଇତିହାସକୁ ଖୋଜିଲେ ତାଙ୍କ ଓଟିପି ଅନ୍ୟ ଏକ ଫୋନ ନମ୍ବରକୁ ଯିବା, ରାସନ କାର୍ଡରେ ଅଜଣା ବ୍ୟକ୍ତିଙ୍କ ଫଟୋ ଲାଗିବା ଏସବୁ ଡିଜିଟାଇଜେସନର ତ୍ରୁଟିକୁ ନିର୍ଦ୍ଦେଶ କରୁଛି। କିନ୍ତୁ ସମାନ ଭାବରେ ଏହା ସମାନ୍ତରାଳ ବଜାରକୁ ରାସନ ଚୋରାଚାଲାଣ ଆଡକୁ ଇଙ୍ଗିତ କରୁଛି। ଏହି ସବୁ ଦୁର୍ବଳତାର ମୂଳରେ ରହିଛି ଆଧାର ଓ ଡିଜିଟାଇଜେସନ୍।

୨୦୧୬ରେ ଦୁର୍ନୀତିଗ୍ରସ୍ତ ରାସନ ଡିଲର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଆନେ୍ଦାଳନର  ଆୟୋଜନ କରିଥିବା କୁର୍ଣ୍ଣୁଲର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ)ର ଜିଲ୍ଲା ସଂପାଦକ କେ ପ୍ରଭାକର ରେଡ୍ଡୀ  କହନ୍ତି ଯେ ଡିଲରମାନେ କୁର୍ଣ୍ଣୁଲ ଠିକଣାରେ ଅତିରିକ୍ତ ରାସନ କାର୍ଡ ତିଆରି କରିଥାନ୍ତି, ଏବଂ ତାକୁ ଜାଲି ଆଧାର କାର୍ଡ ସହ ସଂଯୁକ୍ତ କରିଦିଅନ୍ତି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଲା। କେତେ ଜଣ ରାସନ ଡିଲର ଜେଲ୍ ଗଲେ ଓ ଫେରିଲେ।

ଯଦିଓ ଏମ୍ଆରଓ ପି ସୁବଳାକୁସୁମା କହନ୍ତି ଯେ ଅଲ୍ଲୀ ଓ ନାଗାରାଜୁଙ୍କ ଭଳି କିଛି ଜଣଙ୍କ କ୍ଷେତ୍ରରେ ଅପରେଟରମାନଙ୍କ ଦ୍ୱାରା ଭୁଲ ଅଙ୍କ ଲେଖାଯିବା ଯୋଗୁଁ ଏମିତି ହୋଇପାରିଥାଏ। ସେ କହନ୍ତି, “ଏହାର ସମାଧାନ କରିବା ସମ୍ଭବ। ଯଦି ସେମାନେ ମି ସେବା କେନ୍ଦ୍ର ଯାଆନ୍ତି, ଏବଂ ସେମାନଙ୍କର ୧୦ଟି ଟିପଚିହ୍ନ ପୁଣି ଥରେ ଅପଡେଟ୍ କରାନ୍ତି।”

କିନ୍ତୁ ଅଲ୍ଲୀ ବହୁତ କିଛି ଦେଖିସାରିଲେଣି ଏବଂ ସେ ଆଉ କାମ ବନ୍ଦ କରି ପୁଣି ଥରେ ତାଙ୍କର ଆଧାର-ରାସନ ଲିଙ୍କକୁ ଠିକ୍ କରିବାକୁ ଚାହୁଁ ନାହାନ୍ତି। ତାଙ୍କର ତିନିଟି ପିଲା ଅଛନ୍ତି, ଏବଂ ସେ ତାଙ୍କ ପରିବାରର ମୁଖ୍ୟ ଆୟକର୍ତ୍ତା। ପରିବାର ବିକିବା ବ୍ୟତୀତ ସେ ଓ ତାଙ୍କ ସ୍ତ୍ରୀ ମନରେଗା ସାଇଟରେ କାମ କରନ୍ତି। “ମୁଁ ଅନେକ ଥର ଏମଆରଓ ଅଫିସକୁ ଆସି ସାରିଛିା ଏବେ ସେମାନେ ମୋତେ ଡିଏସଓଙ୍କ ଅଫିସକୁ  ଯିବାକୁ କହୁଛନ୍ତି। ମୁଁ ସେଥିପାଇଁ କେତେବେଳେ ସମୟ ପାଇବି ଜାଣିନାହିାଁ”


ଅନୁବାଦ: ଓଡ଼ିଶାଲାଇଭ୍‍

Rahul M.

ଲେଖକ ପରିଚୟ: ରାହୁଲ୍ ଏମ୍. ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ୨୦୧୭ ପରିର ବ୍ୟକ୍ତି ବିଶେଷ।

Other stories by Rahul M.