ଦୁଇବର୍ଷ ତଳେ ପିଡିପକା ଗ୍ରାମ ଛାଡ଼ିବାକୁ ବାଧ୍ୟ ହୋଇଥିବା ଉପଲା ପ୍ରବୀଣ କୁମାର ବର୍ତ୍ତମାନ ମଧ୍ୟ ଘରଟିଏ ପାଇଁ ଅପେକ୍ଷା କରିଛନ୍ତି । ଯେଉଁ ଘର ପାଇଁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏ ମଧ୍ୟରେ ସେ ଅନେକ ସ୍ଥାନ ବଦଳାଇ ସାରିଲେଣି- ପ୍ରଥମେ ଗୋଟିଏ ସ୍କୁଲ ଘର, ଏହାପରେ ଭଡ଼ାଘର, ତା’ପରେ ପିତାମାତାଙ୍କ ଘର ଏବଂ ଏବେ ଗୋଟିଏ ତମ୍ବୁ ତଳେ ।

ସେ କୁହନ୍ତି, “ପ୍ରଥମ ଦୁଇମାସ- ମେ’ ଓ ଜୁନ୍- ଆମେ ହୁକୁମପେଟାର ଜିଲ୍ଲା ପରିଷଦ ହାଇସ୍କୁଲରେ ରହିଲୁ । ସ୍କୁଲ ଖୋଲିଲା ପରେ ଆମେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେଲୁ ।”

ପିଡିପକା ଗ୍ରାମର ଯେଉଁ ୩୦ଟି ପରିବାରକୁ ହୁକୁମପେଟାରେ ଗୋଟିଏ ଲେଖାଏଁ ଘର ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଗୋପାଳପୁରମ୍ ମଣ୍ଡଳର ହୁକୁମପେଟା ପିଡିପକା ଗାଁରୁ ୩୦ କିଲୋମିଟର ଦୂରରେ । ଏ ମଧ୍ୟରୁ ୨୪ଟି ପରିବାର ଘର ପାଇଲେ । ଏହି ଘର ଖୁବ୍ ଛୋଟ ଏବଂ ମାନ ମଧ୍ୟ ଖୁବ୍ ଖରାପ । ଅନ୍ୟ ୬ଟି ପରିବାର ଏ ପର୍ଯ୍ୟନ୍ତ ଘର ପାଇଁ ଅପେକ୍ଷା କରିଛନ୍ତି । ଉପରୋକ୍ତ ୩୦ଟି ଯାକ ପରିବାର ଦଳିତ ମାଲା ସମୂହର । ୨୦୧୬ ଗ୍ରୀଷ୍ମଋତୁର ପଶ୍ଚିମ ଗୋଦାବରୀ ଜିଲ୍ଲାର ପୋଲାଭରମ୍ ମଣ୍ଡଳର ପିଡିପକା ଗ୍ରାମରୁ ସମୁଦାୟ ୪୨୦ଟି ପରିବାର ବିସ୍ଥାପିତ ହୋଇଥିଲେ ।

ପିଡିପକା ଗ୍ରାମର ଯେଉଁ ୬ଟି ପରିବାର ବିସ୍ଥାପିତ ହୋଇ ଘର ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କ ମଧ୍ୟରେ ନବବିବାହିତ ଦମ୍ପତି ମଧ୍ୟ ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ପିଡିପକାରେ ପିତାମାତାଙ୍କ ସହ ରହୁଥିଲେ । ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୁନର୍ବାସ ଆଇନ (ଏଲ୍ ଆର୍ ଆର୍ ଏ), ୨୦୧୩ ଅନୁଯାୟୀ ପ୍ରତ୍ୟେକ ବିବାହିତ ପ୍ରାପ୍ତ ବୟସ୍କ (ପ୍ରକଳ୍ପ ପ୍ରଭାବିତ ଗ୍ରାମରେ ବାସ କରୁଥିବା)ଙ୍କୁ ଏକ ଅଲଗା ପରିବାର ଭାବରେ ବିବେଚନା କରାଯାଇ ଗୋଟିଏ ଲେଖାଏ ଘର ଏବଂ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ୨୩ ବର୍ଷ ବୟସ୍କ ପ୍ରବୀଣ ଓ ୨୨ବର୍ଷ ବୟସ୍କା ଅନୀତା ବିବାହିତ, ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ବୟସ ପାଖାପାଖି ୩ ଓ ୧ ।

Praveen Kumar works as an agricultural labourer. He goes to the nearby forests and pick up bamboo sticks and make baskets. He takes three days to make one such basket – one day for getting the bamboo from the forests and two for making the basket. He needs three bamboo sticks, of the size he is holding, to make one basket
PHOTO • Rahul Maganti

ହୁକୁମପେଟାରେ ଘର ପ୍ରଦାନ କରାଯିବାକୁ ଗତ ଦୁଇବର୍ଷ ହେବ ଅପେକ୍ଷା କରିଛନ୍ତି ପ୍ରବୀଣ କୁମାରଙ୍କ ପରିବାର । ଆଜିକାଲି ସେ ପୋଲାଭରମ୍ ସହରରେ ବିକ୍ରି କରିବା ପାଇଁ ଝୁଡ଼ି ତିଆରି କରୁଛନ୍ତି ।

କିଛିଦିନ ପାଇଁ ପ୍ରବୀଣ ପୋଲାଭରମ୍ ସହରରେ ୩ହଜାର ଟଙ୍କା ମାସିକ ଭଡ଼ାରେ ଏକ ଦୁଇ ବଖୁରିଆ ଘର ଭଡ଼ା ନେଇଥିଲେ । ଏହା ହୁକୁମପେଟାରୁ ୮-୧୦ କିଲୋମିଟର ଦୂର । ତାଙ୍କର ଆଶା ଥିଲା ସେ ସେଠାରେ କିଛି କାମ ପାଇବେ । ସେ କୁହନ୍ତି, “ଘର ଭଡ଼ା ଦେବା ମୋ ପାଇଁ ଅସମ୍ଭବ ହୋଇପଡ଼ିଲା, କାରଣ ବିସ୍ଥାପନ ପରେ ମୁଁ ମୋର ଜୀବିକା ମଧ୍ୟ ହରାଇଥିଲି ।” ପିଡ଼ିପକାରେ ପ୍ରବୀଣ କୃଷି ଶ୍ରମିକ ଭାବରେ କାମ କରିବା ସହ ମହୁ କାଠ ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରିବା ପାଇଁ ସଂଗ୍ରହ କରୁଥିଲେ ।

କିଛିଦିନ ପାଇଁ ସେମାନେ ଥଇଥାନ ଏବଂ ପୁନର୍ବାସ କଲୋନୀରେ ପିତାମାତାଙ୍କୁ ପ୍ରଦାନ କରାଯାଇଥିବା ଘରେ ରହିଲେ । କିନ୍ତୁ ଏଠି ମଧ୍ୟ କୋଠରିଗୁଡ଼ିକ ଛୋଟ ଥିଲା ଏବଂ ତେଣୁ ସମସ୍ତେ ଏକାଠି ରହିବା ସମ୍ଭବ ହେଲାନି । ଏହାପରେ ସେ ହୁକୁମପେଟାରେ ଏକ ତାର୍ପୋଲିନ୍ ଟାଣି ପରିବାର ସହ ରହୁଛନ୍ତି ।

ସେ କୁହନ୍ତି, ଏଠାରେ କୌଣସି କାମ ନାହିଁ । ତେଣୁ ତାଙ୍କୁ ୧୫-୨୦ କିଲୋମିଟର ଦୂର ଗ୍ରାମକୁ କୃଷି ଶ୍ରମିକ ଭାବରେ କାମ ଖୋଜିବାକୁ ଯିବାକୁ ହେଉଛି । ସେ ସପ୍ତାହରେ ଦୁଇ ତିନିଥର ୨ଶହ ଟଙ୍କା ଲେଖାଏଁ ମଜୁରି ପାଉଛନ୍ତି । କିନ୍ତୁ ଟ୍ରାକ୍ଟର କିମ୍ବା ଅଟୋରେ କାମ ପାଇଁ ଯିବା ଆସିବାରେ ଦିନକୁ ୭୦-୮୦ଟଙ୍କା ଖର୍ଚ୍ଚ ହେଉଛି । ଯେଉଁଦିନ କାମ ମିଳେନି, ସେଦିନ ପ୍ରବୀଣ ଝୁଡ଼ି ତିଆରି କରନ୍ତି । ସେ କୁହନ୍ତି, ନିକଟସ୍ଥ ଜଙ୍ଗଲରୁ ବାଉଁଶ ଆଣିବାକୁ ଗୋଟେ ଦିନ ସମୟ କଟିଯାଏ । ଝୁଡ଼ିଟିଏ ବୁଣିବାକୁ ଦୁଇଦିନ ଲାଗେ । ଏହି ତିନିଦିନର କାମରେ ମୋତେ ଦୁଇଶହ ଟଙ୍କା ମିଳେ । ସେ ପୋଲାଭରମ୍ ସହରରେ ଝୁଡ଼ି ବିକ୍ରି କରନ୍ତି ।

ବିସ୍ଥାପନ ପୂର୍ବରୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ଭଲ ଘର, ଥଇଥାନ ଏବଂ ପୁନର୍ବାସ କଲୋନୀ ନିକଟରେ ଜମି, କାର୍ଯ୍ୟର ସୁଯୋଗ ଏବଂ ୬.୮ ଲକ୍ଷ ଲେଖାଏଁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଥଇଥାନ ରାଶି ଗ୍ରାମବାସୀ ଏବଂ ସରକାରଙ୍କ ମଧ୍ୟରେ ବୁଝାମଣାରେ ସ୍ଥିର କରାଯାଇଥିଲା । କିନ୍ତୁ ଦୁଇବର୍ଷ ପରେ ମଧ୍ୟ ୪୨୦ଟି ବିସ୍ଥାପିତ ପରିବାର ମଧ୍ୟରୁ ଅନେକ ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି । ଗ୍ରାମବାସୀଙ୍କ ଆକଳନ ଅନୁଯାୟୀ ପ୍ରାୟ ୫୦ଟି ପରିବାର ଘର ପାଇନାହାନ୍ତି । ସେମାନେ ଭଡ଼ାଘରେ ରହୁଛନ୍ତି କିମ୍ବା ପ୍ରବୀଣଙ୍କ ପରି ତାର୍ପୋଲିନ୍ ଟାଣି ରହୁଛନ୍ତି ।

The small and unfurnished houses in the Pydipaka R&R colony
PHOTO • Rahul Maganti
The small and unfurnished houses in the Pydipaka R&R colony
PHOTO • Rahul Maganti

ଯେଉଁ ପରିବାରଗୁଡ଼ିକ ହୁକୁମପେଟାରେ ଘର ପାଇଛନ୍ତି, ସେମାନେ କୁହନ୍ତି, ଏ ସବୁ ଘର ସେମାନଙ୍କ ଆଶା ତୁଳନାରେ ଖୁବ୍ ଛୋଟ ଏବଂ ବର୍ଷାଦିନେ ସେଥିରୁ ପାଣି ଗଳୁଛି । ଏହାର ମାନ ଖୁବ୍ ଖରାପ ।

ପୋଲାଭରମ୍ ପ୍ରକଳ୍ପ ବା ଇନ୍ଦିରାସାଗର ବହୁମୂଖୀ ପ୍ରକଳ୍ପ ଅଞ୍ଚଳର ଖୁବ୍ ନିକଟରେ ଥିବା ୭ଟି ଗ୍ରାମ ମଧ୍ୟରୁ ପିଡ଼ିପକା ଅନ୍ୟତମ । ଏସବୁ ଗ୍ରାମର ଜନସଂଖ୍ୟା ପ୍ରାୟ ୫୦୦୦ । ଏ ସବୁ ଗ୍ରାମର ବାସିନ୍ଦାମାନଙ୍କୁ ୨୦୧୬ ମସିହାରେ ସ୍ଥାନ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଗୋଦାବରୀ ନଦୀ କୂଳରେ ଥିବା ଅତିକମରେ ୪୬୨ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯିବେ । ଆନ୍ଧ୍ରପ୍ରଦେଶର ୯ଟି ମଣ୍ଡଳରେ ଏସବୁ ଗ୍ରାମ ରହିଛି । ଏହାଦ୍ୱାରା ୮୦ ହଜାରରୁ ଅଧିକ ପରିବାର ବିସ୍ଥାପିତ ହେବେ । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ସମସ୍ତ ପୁନର୍ବାସ ଏବଂ ଥଇଥାନ କଲୋନୀରେ ମାତ୍ର ହଜାରେ ଘର ନିର୍ମାଣ କରିଛନ୍ତି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପୋଲାଭରମ୍ ମଣ୍ଡଳ ସମ୍ପାଦକ ଭେଙ୍କଟ ରାଓ କହିଛନ୍ତି ।

ବର୍ତ୍ତମାନ ପିଡ଼ିପକା ଗ୍ରାମ ପ୍ରାୟ ଜନଶୂନ୍ୟ ହୋଇଗଲାଣି ।( ଦେଖନ୍ତୁ : ପିଡିପିକା ଫ୍ୟାମିଲିଜ୍: ଆଣ୍ଡ ଦେନ୍ ଦ଼େୟାର ଓୟାର ଟେନ୍ )। ଏହାର ବାସିନ୍ଦାମାନେ ୪ଟି ଥଇଥାନ ଏବଂ ପୁନର୍ବାସ କଲୋନୀ ନିମନ୍ତେ ବିଭକ୍ତ ହୋଇଛନ୍ତି । ଏ ମଧ୍ୟରୁ ପୋଲାଭରମ୍ ଏବଂ ହୁକୁମପେଟାରେ ଗୋଟିଏ ଲେଖାଏଁ କଲୋନୀ ଥିବାବେଳେ ଜଙ୍ଗରେଡ୍ଡିଗୁଡେମ୍ ମଣ୍ଡଳରେ ଦୁଇଟି କଲୋନୀ ରହିଛି । ସମସ୍ତ ଦଳିତଙ୍କୁ ହୁକୁମପେଟାରେ ଘର ଦିଆଯାଇଛି । ଜଙ୍ଗରେଡ୍ଡିଗୁଡେମରେ ଗୋଟିଏ କଲୋନୀ ପଛୁଆ ଜାତିଙ୍କୁ ଦିଆଯାଇଛି ଏବଂ ଅନ୍ୟଟି ଉଚ୍ଚ ଜାତିଙ୍କୁ ଦିଆଯାଇଛି । ପୋଲାଭରମର ଥଇଥାନ ଏବଂ ପୁନର୍ବାସ କଲୋନୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାମ ଅନୁଯାୟୀ ନାମିତ କରାଯାଇଛି । ଏହା ତେଲୁଗୁଦେଶମ୍ ପାର୍ଟି ସହ ସଂଯୁକ୍ତ କର୍ମୀ ଏବଂ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି । ହୁକୁମପେଟାରେ ଘର ପାଇଥିବା ୨୪ବର୍ଷ ବୟସ୍କ କୃଷି ଶ୍ରମିକ ରପକ ଭେଙ୍କଟେଶ କହିଛନ୍ତି, ଏହା ସିଧାସଳଖ ଜାତି ଅନୁଯାୟୀ କରାଯାଉଛି ।“

ପିଡିପକାରେ ପ୍ରବୀଣଙ୍କ ବାପା ବୀର ସ୍ୱାମୀଙ୍କର ଦୁଇ ଏକର ରାଜସ୍ୱ ଜମି ଅଛି ଏବଂ ସେ ଅନ୍ୟ ଏକ ଏକର ଜଙ୍ଗଲ ଜମି ଚାଷ କରୁଥିଲେ । ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ଆଇନ ଅନୁଯାୟୀ ଦଳିତ ଓ ଆଦିବାସୀଙ୍କ ଠାରୁ ଯେତିକି ପରିମାଣର ଜମି ନିଆଯାଏ, ତାଙ୍କୁ ସେତିକି ପରିମାଣର ଜମି ପ୍ରଦାନ କରାଯାଏ । ଅନ୍ୟ ଜାତିମାନଙ୍କୁ ନଗଦ ଅର୍ଥରେ କ୍ଷତିପୂରଣ ଦିଆଯାଇପାରେ ଏବଂ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଯେଉଁ ବନବାସୀ ଅନୁସୂଚିତ ଉପଜାତିମାନେ ଯେଉଁ ଜଙ୍ଗଲ ଜମି ଚାଷ କରୁଥିବେ ସେମାନଙ୍କୁ ଜମିର ପଟ୍ଟା ବା ଲିଜ୍ ଦିଆଯିବ । ଯେଉଁ ଜାତିମାନେ ଜଙ୍ଗଲରେ ବାସ କରନ୍ତି, ଜଙ୍ଗଲ ଉପରେ ନିର୍ଭର କରନ୍ତି କିମ୍ବା ଜୀବିକା ନିମନ୍ତେ ଜଙ୍ଗଲ ଜମିକୁ ବ୍ୟବହାର କରନ୍ତି, ସେମାନଙ୍କ ପାଇଁ ଏହି ଆଇନ୍ ଉଦ୍ଦିଷ୍ଟ । ଅନ୍ୟ ପାରମ୍ପରିକ ବନବାସୀ, ଯେଉଁମାନଙ୍କର ତିନୋଟି ପିଢ଼ି (୭୫ବର୍ଷ) ୨୦୦୫ ମସିହା ପୂର୍ବରୁ, ମୁଖ୍ୟତଃ ଜଙ୍ଗଲରେ ରହୁଛନ୍ତି, ଜଙ୍ଗଲ କିମ୍ବା ଜଙ୍ଗଲ ଜମି ଉପରେ ନିର୍ଭରଶୀଳ, ସେମାନେ ମଧ୍ୟ ଏହି ଆଇନର ଅନ୍ତର୍ଭୁକ୍ତ ।

କିନ୍ତୁ ବୀର ସ୍ୱାମୀ କୁହନ୍ତି, “ସେମାନେ ମୋତେ ପୋଡ଼ୁ ଜମି ପାଇଁ ପଟ୍ଟା ଦେଲେନାହିଁ । ଏହାଦ୍ୱାରା ସେମାନେ ଏକ ଏକର ଜମି କ୍ଷତିପୂରଣ ଦେବାକୁ ଏଡ଼ାଇଗଲେ । ଯେଉଁ ଦୁଇ ଏକର ରାଜସ୍ୱ ଜମି ପାଇଁ ସେ ଅନ୍ୟ ଜମି ପାଇଲେ, ସେଗୁଡ଼ିକ ବାଲି ଏବଂ ପଥରରେ ଭର୍ତ୍ତି,  ଜଳସେଚନର ସୁବିଧା ନାହିଁ ଏବଂ ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଯେତେବେଳେ ଆମେ ଏହି ସମସ୍ୟା ମଣ୍ଡଳ ରାଜସ୍ୱ ଅଧିକାରୀଙ୍କ ପାଖକୁ ନେଲୁ, ସେ ଆମକୁ ବାଲି ବିକ୍ରି କରି ଗୁଜୁରାଣ ମେଣ୍ଟାଇବାକୁ କହିଲେ ।”

The small and unfurnished houses in the Pydipaka R&R colony
PHOTO • Rahul Maganti
Rapaka Devaschamma, mother of Rapaka Venkatesh, in front of the house she constructed with bamboo in the Resettlement Colony of Pydipaka. The government is supposed to give her a concrete house but hasn't given one till date.
PHOTO • Rahul Maganti

ବାମ: ପୁଲି ରାମୁଲମ୍ମା ହୁକୁମପେଟାର ଏକ ନୂଆ ଘରେ । ଡାହାଣ: ରପକ ଭେଙ୍କଟେଶଙ୍କ ମା’ଦେବଶ୍ଚାମ୍ମା ତାଙ୍କ ପରିବାର ତିଆରି କରିଥିବା କୁଡ଼ିଆ ଆଗରେ

ଥଇଥାନ ଏବଂ ପୁନର୍ବାସ କଲୋନୀରେ ନିର୍ମିତ ହୋଇଥିବା ଘରଗୁଡ଼ିକ ମଧ୍ୟ ଯଥେଷ୍ଟ ନୁହେଁ । ବୀର ସ୍ୱାମୀ କୁହନ୍ତି, ସେଗୁଡ଼ିକ ଦିଆସିଲି ଡବା ପରି । ମାନ ମଧ୍ୟ ଖୁବ୍ ଖରାପ । ପିଡ଼ିପକାରେ ଆମର ବାରଣ୍ଡା ଏହି ଘରର ଦୁଇଗୁଣ ଆକାରର ଥିଲା । ବର୍ଷାଦିନେ ଆମକୁ ଘର ଭିତରେ ବାସନ ଧରି ବସିବାକୁ ପଡ଼ୁଛି। ନଚେତ୍ ଛାତରୁ ଗଳୁଥିବା ବର୍ଷା ପାଣିରେ ଘର ଭାସିବ ।

ରପକ ଭେଙ୍କଟେଶ କୁହନ୍ତି, “ଆମେ ଦଳିତ ବୋଲି ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ଗଣାହେଉଛୁ । ସେଥିପାଇଁ ଆମ ଘର ଖରାପ ଏବଂ ଆମ ଜମି ବାଲି ଭର୍ତ୍ତି ହୋଇଛି ।”

ପ୍ରତିଶ୍ରୁତି ଭଙ୍ଗ ଏବଂ ରୋଜଗାର ହରାଇବାର ସ୍ୱର ପ୍ରତ୍ୟେକ ଥଇଥାନ ଓ ପୁନର୍ବାସ କଲୋନୀରେ ଶୁଣାଯାଉଛି । କିନ୍ତୁ ପିଡିପକାର ଉପରକୁ ଥିବା ୭ଟି ଗ୍ରାମ ମଧ୍ୟରୁ ଅନ୍ୟତମ ଦେବରାଗୁଣ୍ଡି ଆଉ ଅନ୍ୟ ପ୍ରକାର ସମସ୍ୟାକୁ ମଧ୍ୟ ସାମ୍ନା କରୁଛି । ଏହା ଏକ ଆଦିବାସୀ ଅଞ୍ଚଳ । ଏଥିରେ ୧୩୦ଟି କୋୟା ପରିବାର ବାସ କରନ୍ତି । ଆନ୍ଧ୍ରପ୍ରଦେଶର ପଞ୍ଚମ ଅନୁସୂଚିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ଦେବରାଗୁଣ୍ଡି । ଏଗୁଡ଼ିକ ମୁଖ୍ୟତଃ ଆଦିବାସୀ ଅଞ୍ଚଳ, ଯେଉଁ ସ୍ଥାନ ପ୍ରତି ଭାରତୀୟ ସମ୍ବିଧାନ ସ୍ୱତନ୍ତ୍ର ଧ୍ୟାନ ଏବଂ ଅଧିକାର ପ୍ରଦାନ କରିଛି । ଐତିହାସିକ ଏବଂ ଆର୍ଥିକ ଅସନ୍ତୁଳନକୁ ଭରଣା କରିବା ନିମନ୍ତେ ସେମାନଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । କିନ୍ତୁ ଦେବରାଗୁଣ୍ଡିର ବାସିନ୍ଦାମାନଙ୍କୁ ଏକ ଅଣଅନୁସୂଚୀତ ଅଞ୍ଚଳରେ ଥଇଥାନ କରାଯାଇଛି । ଯାହାଦ୍ୱାରା କି ସେମାନେ ପଞ୍ଚମ ଅନୁସୂଚୀତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ସମସ୍ତ ଋଣ ଏବଂ ଆର୍ଥିକ ସହଯୋଗ ହରାଇବେ । ଯାହାକି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥାଏ ।

Karam Chellayamma and Varasa Bucchamma in the verandah of their house which they themselves built in the Devaragondi R&R Colony after the Government just showed them land
PHOTO • Rahul Maganti

କରମ ଚେଲ୍ଲାୟାମା (ବାମ), ତାଙ୍କ ପଡ଼ୋଶୀ ବରଷା ବୁଚ୍ଚାମ୍ମା ଏବଂ ସେମାନଙ୍କ ପରିବାର ଦେବରାଗୁଣ୍ଡି ଥଇଥାନ ଏବଂ ପୁନର୍ବାସ କଲୋନୀକୁ ଆସିଛନ୍ତି ।

କରମ ଚେଲ୍ଲାୟାମ୍ମା ୨୦୧୬, ମେ-ଜୁନ୍ ମାସରେ ଦେବରାଗୁଣ୍ଡିରୁ ୧୫ କିଲୋମିଟର ଦୂରରେ ଥିବା ଗ୍ରାମର ପୁନର୍ବାସ କଲୋନୀକୁ ନିଜ ସ୍ୱାମୀ, ପୁଅ ଏବଂ ଝିଅଙ୍କ ସହ ଆସିଥିଲେ । ସେମାନଙ୍କୁ ପ୍ରଦାନ କରାଯାଇଥିବା ଘରର ଆକାର ଏବଂ ମାନରେ ସେ ଖୁବ୍ ଅସନ୍ତୁଷ୍ଟ । ତେଣୁ ତାଙ୍କ ପରିବାର ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଉ ଏକ ଘର ତିଆରି କଲେ । କିଛି ଟଙ୍କା ସଞ୍ଚୟ ମଧ୍ୟରୁ ଆସିଲା, ଥଇଥାନ ଓ ପୁନର୍ବାସ ପ୍ୟାକେଜ୍‌ରେ ତାଙ୍କୁ ମିଳିଥିବା ଆଂଶିକ ଅର୍ଥ ମଧ୍ୟ ସେ ଏଥିରେ ଖର୍ଚ୍ଚ କଲେ । କିନ୍ତୁ ୩୦ବର୍ଷ ବୟସ୍କା ଚେଲ୍ଲାୟାମ୍ମା କୁହନ୍ତି, “ମୁଁ ଦୁଇଲକ୍ଷ ଟଙ୍କା ବାର୍ଷିକ ୩୬ ପ୍ରତିଶତ ସୁଧରେ ଆଣି ଘର ତିଆରିରେ ଲଗାଇଛି । ଚେଲ୍ଲାୟାମ୍ମାଙ୍କ ପରିବାର ଜଙ୍ଗଲ ଜମି ଚାଷ କରୁଥିଲେ ଏବଂ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରୁଥିଲେ । ସେମାନଙ୍କ ଥଇଥାନ ଏବଂ ପୁନର୍ବାସ ପ୍ୟାକେଜରେ ନିର୍ଦ୍ଧିଷ୍ଟ କରାଯାଇଥିବା ୩.୫ ଲକ୍ଷ ଟଙ୍କାର ନଗଦ ରାଶି ମଧ୍ୟରୁ ସମ୍ପୂର୍ଣ୍ଣ ପରିମାଣ ସେ ପାଇନାହାନ୍ତି କିମ୍ବା ସେମାନଙ୍କ ଜମି ସେମାନଙ୍କୁ ପ୍ରଦାନ କରାଯାଇନାହିଁ ।

ଦେବରାଗୁଣ୍ଡିର ଥଇଥାନ ଏବଂ ପୁନର୍ବାସ କଲୋନୀକୁ ଆସିବାକୁ ବାଧ୍ୟ ହୋଇଥିବା ୬୦ବର୍ଷ ବୟସ୍କ ବୋରାଗମ୍ ଜଗା ରାଓ କହିଥିଲେ, “ଦେବରାଗୁଣ୍ଡି ଗାଁରେ ସମୁଦାୟ ୫୦୦ ଏକର ଜଙ୍ଗଲ ଜମି ଅଛି । କିନ୍ତୁ ଏ ମଧ୍ୟରୁ ମାତ୍ର ୧୦ ଏକରର ପଟ୍ଟା ପ୍ରଦାନ କରାଯାଇଛି । ଅଧିକାରୀମାନେ କହୁଛନ୍ତି, ବଳକା ଦାବିଗୁଡ଼ିକ ପଡ଼ି ରହିଛି ।”ଜଗା ରାଓଙ୍କର ୩ ଏକର ରାଜସ୍ୱ ଜମି ଅଛି ଏବଂ ସେ ୪ଏକର ଜଙ୍ଗଲ ଜମି ଚାଷ କରୁଥିଲେ । ତାଙ୍କୁ ମାତ୍ର  ୩ଏକର ଜମି ବଦଳରେ ଜମି ପ୍ରଦାନ କରାଯାଇଛି । ଏହି ଜମି ଅଛି, ଥଇଥାନ ଏବଂ ପୁନର୍ବାସ କଲୋନୀଠାରୁ ୨୦ କିଲୋମିଟର ଦୂର ଗୁଞ୍ଜାବରମରେ । ଏହି ଜମି ପଥର ଏବଂ ବାଲିରେ ଭର୍ତ୍ତି ହୋଇଛି, ଯାହାକି ଚାଷ ପାଇଁ ଉପଯୁକ୍ତ ନୁହେଁ ।”

ବିଭିନ୍ନ ଗ୍ରାମସଭାର ପ୍ରସ୍ତାବ ଏବଂ ମନ୍ତ୍ରାଳୟକୁ ପଠାଯାଇଥିବା ଚିଠିରୁ ଜଣାପଡ଼ିଛି, ଆନ୍ଧ୍ରପ୍ରଦେଶ ସରକାର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଭୁଲ୍ ତଥ୍ୟ ଦେଇ ୨୦୦୯ ମସିହାରେ ଖମ୍ମାମ, ପଶ୍ଚିମ ଗୋଦାବରୀ ଏବଂ ପୂର୍ବ କ୍ରିଷ୍ଣା ଜିଲ୍ଲାର ୧୦ ହଜାର ଏକର ଜଙ୍ଗଲ ଜମି ବଦଳ ପାଇଁ ଅନୁମୋଦନ ହାସଲ କରିଛନ୍ତି ।

ଜଗା ରାଓ କୁହନ୍ତି, ଆମେ ଜଙ୍ଗଲରୁ ତେନ୍ତୁଳି, ହଳଦୀ, ଅଠା ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ସାମଗ୍ରୀ ପାଉଥିଲୁ । ଯାହା ଏଠାରେ ମିଳୁନାହିଁ । ଏଥିସହ ଆମେ ପାହାଡ଼ ଏବଂ ପଥରରେ ଥିବା ଆମର ଆଦିବାସୀ ଦେବତା ଏବଂ ସାଂସ୍କୃତିକ ଉପାସ୍ୟମାନଙ୍କୁ ହରାଇଲୁ । ଚେଲ୍ଲାୟାମ୍ମା କୁହନ୍ତି, ସେ ଏବଂ ତାଙ୍କ ପଡ଼ୋଶୀମାନେ ପର୍ବପର୍ବାଣୀ ଓ ବିଶେଷ ଅବସରରେ ପୁରୁଣା ଗାଁକୁ ଯାଆନ୍ତି, ସେମାନଙ୍କ ଦେବଦେବୀଙ୍କ ପାଖରେ ଉପାସନା କରିବା ପାଇଁ ।

ପୋଲାଭରମ୍ ପ୍ରକଳ୍ପ ଏ ମଧ୍ୟରେ ହଜାର ହଜାର ପରିବାରର ଜୀବନ ଓ ଜୀବିକା ଉପର ଦେଇ ନିଜର ରାସ୍ତା ଗଢ଼ିବାରେ ଲାଗିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti