ଶଙ୍କର ବାଗହେରେ  ତାଙ୍କର ପ୍ଲାଷ୍ଟିକ୍ ବ୍ୟାଗକୁ ମାଟିରେ କଚାଡି ଦେଲେ, ଏବଂ ତାଙ୍କର କାଠ ବଙ୍କୁଲି ବାଡି ଉପରେ ଲଦି ହୋଇପଡି ନିଃଶ୍ୱାସ ନେଲେ।  ତା ପରେ ସେ ଆଣ୍ଠେଇ ପଡିଲେ, ଦୀର୍ଘ ଶ୍ୱାସ ଛାଡିଲେ ଏବଂ ଆଖି ବନ୍ଦ କଲେ। ସେମାନେ ପରବର୍ତ୍ତୀ ୧୫ ମିନିଟ୍ ପାଇଁ ଚୁପ୍ ରହିଲେ। ଏହି ୬୫ ବର୍ଷୀୟ ବୃଦ୍ଧଙ୍କ ପାଇଁ ଆଜି ବହୁତ ଚାଲିବା ହୋଇଗଲା। ତାଙ୍କ ଚାରି ପାଖରେ ଅନ୍ଧାରରେ ପ୍ରାୟ ୨୫,୦୦୦ ଚାଷୀ ଥିଲେ। 

ନାସିକ-ଆଗ୍ରା ଜାତୀୟ ରାଜପଥ କଡରେ ଇଗାତପୁରୀର ରାଇଗଡନଗର ଅଞ୍ଚଳରେ ବସିଥିବାବେଳେ ସେ କହିଲେ, “ଆମକୁ ଆମ ଅଧିକାର ପାଇଁ ଲଢିବାକୁ ହେବ। ” ମାର୍ଚ୍ଚ ୬ ତାରିଖ, ବ୍ୟସ୍ତବହୁଳ ମଙ୍ଗଳବାର ଅପରାହ୍ନରେ ନାସିକ ସହରରୁ ବାହାରିଥିବା କୃଷକଙ୍କର ବିଶାଳ ଶୋଭାଯାତ୍ରାର ଏହାଥିଲା ପ୍ରଥମ ରହଣି। କୃଷକମାନେ ରବିବାର, ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବାକୁ ଯୋଜନା ରଖିଛନ୍ତି, ଏବଂ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ସେଠାରେ ତା ପର ଦିନ ବିଧାନସଭା ଘେରାଉ କରିବେ। (ଦେଖନ୍ତୁ  ଲମ୍ବା ଶୋଭାଯାତ୍ରା – ଛିଡି  ଯାଇଥିବା ପାଦ, ଅତୁଟ ଉତ୍ସାହ ଏବଂ ଶୋଭାଯାତ୍ରା ପରେ.... )

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାrର୍ବାଦୀ)ର କୃଷକ ସଂଗଠନ ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଏହି ଦୀର୍ଘ ଶୋଭାଯାତ୍ରାର ଆହ୍ୱାନ ଦିଆଯାଇଛି। ଆୟୋଜକମାନଙ୍କ ମଧ୍ୟରୁ ଜଣେ, କିଷାନ ସଭାର ସାଧାରଣ ସଂପାଦକ ଅଜିତ ନାୱଲେ କହିଲେ, “ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଖସିଯାଇପାରିବେ ନାହିଁ। ୨୦୧୫ରେ ଆମେ କୃଷକ ମାନେ ଯେପରି ସେମାନଙ୍କର(ଅଧିକାର) ଜଙ୍ଗଲ ଜମି, ଫସଲର ଅଧିକ ମୂଲ୍ୟ, ଋଣ ଛାଡ ଏହିପରି ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥିପାଇଁ ଆନ୍ଦୋଳନ କରିଥିଲୁ। ସରକାର କେବଳ ପ୍ରତିଶ୍ରୁତି ପୂରଣ କରୁଥିବା ଭଳି ଦେଖାଇ ହେଉଛନ୍ତି। ଏଥର କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ହେବ। ”

Farmers sitting in Nasik waiting for the march to start
PHOTO • Shrirang Swarge
Farmers sitting in nasik waiting for the march to start
PHOTO • Shrirang Swarge

ସରକାର ବାରମ୍ବାର ଅଣଦେଖା କରିଆସୁଥିବା ଦାବି ଗୁଡିକୁ ନେଇ ମାର୍ଚ୍ଚ ୬ ତାରିଖରେ ନାସିକର ସିବିଏସ୍ ଚୌକରୁ ହଜାର ହଜାର କୃଷକ ଶୋଭାଯାତ୍ରା ଆରମ୍ଭ କଲେ

ଶୋଭାଯାତ୍ରା ଯେତେ ଆଗକୁ ଯିବ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଯେପରିକି ମରାଠୱାଡା, ରାଇଗଡ, ବିଦର୍ଭ ଏବଂ ଅନ୍ୟ ଜିଲ୍ଲା ଗୁଡିକରୁ ଅଧିକ ସଂଖ୍ୟାରେ କୃଷକ ଯୋଗଦେବାର ଆଶା ଅଛି ଏବଂ ଶୋଭାଯାତ୍ରା ଆରମ୍ଭ ହେବା ସ୍ଥାନରୁ ୧୮୦ କିମି ଦୂରରେ ଥିବା ମୁମ୍ବାଇରେ ପହଞ୍ଚିବା ବେଳକୁ ଏହି ସଂଖ୍ୟା ବହୁଗୁଣିତ ହୋଇସାରିଥିବ। ଏବେ ସୁଦ୍ଧା ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ଅଧିକାଂଶ ଚାଷୀ, ନାସିକ  ଜିଲ୍ଲା ଓ ନିକଟବର୍ତ୍ତୀ ଅଞ୍ଚଳର, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସଂପ୍ରଦାୟର। (ଦେଖନ୍ତୁ ସେମାନେ ଫାର୍ମ ଚଳାଉଥିଲେ, ସେମାନେ ଯାତ୍ରା କରିଥିଲେ)

କୋଲି ମହାଦେବ ସଂପ୍ରଦାୟର ବାଗହେରେ, ନାସିକ ଜିଲ୍ଲା ଡିଣ୍ଡୋରୀ ତାଲିକା ଅଧୀନ ନାଲେଗାଁଓ ଗାଁରୁ ଆସିଛନ୍ତି। ନାଲେଗାଁଓରୁ ୨୮ କିମି ରାସ୍ତା ଚାଲି ଚାଲି ଆସି ସେ ଆଜି ଦିନରେ ନାସିକ ସିବିଏସ୍ ଚୌକରେ ପହଞ୍ଚିଛନ୍ତି। ସେଦିନ ଅପରାହ୍ନରେ ଏହି ଚୌକରୁ ମୁମ୍ବାଇକୁ ଦୀର୍ଘ ପଦଯାତ୍ରା ଆରମ୍ଭ ହୋଇଥିଲା। 

Portrait of an old man
PHOTO • Shrirang Swarge

୬୫ ବର୍ଷୀୟ ଶଙ୍କର ବାଗହେରେ କହନ୍ତି, “ଆମକୁ ନିଜର ଅଧିକାର ପାଇଁ ଲଢେଇ କରିବାକୁ ହେବ। 

ସେ କହିଲେ, “ପୁରୁଷ ପୁରୁଷ ଧରି ଆମେ ଜମି ଚାଷ କରିଆସୁଛୁ, ତଥାପି ଏହା ଜଙ୍ଗଲ ବିଭାଗ ଅଧୀନରେ ଅଛି। ପ୍ରତିଶ୍ରୁତି ସତ୍ୱେ (ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଆଦିବାସୀ ଚାଷୀଙ୍କୁ ଜମିର ଅଧିକାର ଦେବା) ଆମେ ମାନେ ଜମିର ମାଲିକ ହୋଇନାହୁଁ। ” ବାଗହେରେଙ୍କ ଗାଁରେ ପ୍ରାୟ ସମସ୍ତେ  ଧାନ ଚାଷ କରନ୍ତି, ସେ କହିଲେ, “ଏକର ପିଛା ଧାନ ଚାଷ ପାଇଁ ୧୨୦୦୦ ଟଙ୍କା ଖର୍ଚ୍ଚ ହୁଏ। ଭଲ ବର୍ଷା ହେଲେ ଆମେ ୧୫ କ୍ୱିଣ୍ଟାଲ (ଏକର ପିଛା) ଧାନ ପାଉ। ଏବେ(ବଜାର) ଦର କିଲୋ ପିଛା ୧୦ ଟଙ୍କା(ଏକ କ୍ୱିଣ୍ଟାଲକୁ ୧୦୦୦ ଟଙ୍କା)। ଆମେ କେମିତି ତିଷ୍ଠିବୁ ? ଯେତେବେଳେ ମୁଁ ଶୋଭାଯାତ୍ରା ସମ୍ପର୍କରେ ଜାଣିବାକୁ ପାଇଲି, ମୁଁ ନିଷ୍ପତ୍ତି କଲି, ଯାହା ବି ହେଲେ ଏଥିରେ ଭାଗ ନେବି। ”

ମୁଁ ଯେତେବେଳେ ଦିନ ୧ଟା ସମୟରେ ସିବିଏସ୍ ଚୌକରେ ପହଞ୍ଚିଲି, ସେତେବେଳେ ବି ଲୋକସଂଖ୍ୟା କମ୍ ଥିଲା, ସେମାନେ ଅପେ କ୍ଷା କରିଥିଲେ। ଧୀରେ ଧୀରେ ଜିପରେ ଭର୍ତ୍ତି ହୋଇ ଚାଷୀମାନେ ଆସି ପହଞ୍ଚିଲେ, ପୁରା ରାସ୍ତା ସମୁଦ୍ର ଭଳି ଲାଲ୍ ପତକା ଓ ଟୋପିରେ ପୂର୍ଣ ହୋଇଗଲା। କେତେକ ଲୋକ ସେମାନଙ୍କ ମୁଣ୍ଡରେ ରୁମାଲ ଗୁଡେଇ ବାନ୍ଧି ଦେଇଥିଲେ, ମହିଳାମାନେ ଖରାରୁ ରକ୍ଷା ପାଇବା ପାଇଁ ସେମାନଙ୍କ ମୁଣ୍ଡକୁ ଶାଢୀରେ ଘୋଡେଇ ଥିଲେ। ଏଠାରେ ଥିବା ଅଧିକାଂଶ ଲୋକ ସାଙ୍ଗରେ ପ୍ଲାଷ୍ଟିକ୍ ବ୍ୟାଗ୍ ବା କାନ୍ଧ ବ୍ୟାଗ୍ ଆଣିଥିଲେ,  ଯେଉଁଥିରେ ସପ୍ତାହବ୍ୟାପୀ ଯାତ୍ରା ପାଇଁ ପୋଷାକ ଏବଂ ଗହମ, ଚାଉଳ, ବାଜରା ଓ କେତେକ ଅନ୍ୟ ଖାଦ୍ୟ ଶସ୍ୟ ଥିଲା। 

୨.୩୦ ସୁଦ୍ଧା, ପୁରୁଷ ଓ ମହିଳାମାନେ ସେମାନଙ୍କ ବ୍ୟାଗରୁ ଖବରକାଗଜରେ ଗୁଡା ହୋଇଥିବା ରୁଟି ଓ ତରକାରୀ ବାହାର କଲେ। ମଧ୍ୟାହ୍ନ ଭୋଜନ ପାଇଁ ସେମାନେ ରାସ୍ତାରେ ବସିଗଲେ। ନିକଟରେ ଅନ୍ୟ ଆଦିବାସୀ ଚାଷୀମାନେ ସମୟ ବିତାଇବାକୁ ସେମାନଙ୍କର ପାରମ୍ପରିକ ଲୋକଗୀତ ଗାଉଥିଲେ।  ନାସିକ ଜିଲ୍ଲାର ସରଗଣା ତାଲୁକା ଅଧୀନ ପାନଗରନେ ଗାଁରୁ ଆସିଥିବା ବଲୁ ପାୱାର, ବିଷ୍ଣୁ ପାୱାର ଏବଂ ୟେଭାଜୀ ପିଠେ ଏହି ଗୀତ ଗାଉଥିଲେ। ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ବସି, ଯାହା ଏବେ ପୋଲିସ୍ ପକ୍ଷରୁ କର୍ଡନ କରିଦିଆଯାଇଛି, ବଲୁ ଗୋଟିଏ ତୁନତୁନା, ବିଷ୍ଣୁ ଗୋଟିଏ ଡଫଲି ଏବଂ ୟେଭାଜୀ ଗୋଟିଏ ଝାଞ୍ଜ ଧରିଥିଲେ। ମୁଁ ସେମାନଙ୍କୁ ପଚାରିଲି “ଆପଣ କଣ ଗାଉଛନ୍ତି?” ସେମାନେ କହିଲେ, “ଏହା ଆମ ଦେବତା ଖଣ୍ଡରାୟାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଗୀତ। ”

ତିନି ଜଣ ସଂଗୀତଜ୍ଞ ମଧ୍ୟ କୋଲି ମହାଦେବ ସଂପ୍ରଦାୟର ଥିଲେ, ଏବଂ ସେମାନଙ୍କର ଦାବି ମଧ୍ୟ ବାଗହେରେଙ୍କ ସହ ସମାନ ଥିଲା। ବିଷ୍ଣୁ କହିଲେ, “ମୁଁ ୫ ଏକର ଜମିରେ ଚାଷ କରେ। ପ୍ରକୃତରେ ଏହି ଜମି ମୋର। କିନ୍ତୁ ମୋତେ ଲାଗେ ମୁଁ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦୟାରେ ଅଛି। ସେମାନେ ଆସି ମୋତେ ଯେ କୌଣସି ସମୟରେ ଉଚ୍ଛେଦ କରିଦେଇପାରିବେ। ପଡୋଶୀ ଗାଁରେ, ଜଙ୍ଗଲ ବିଭାଗ ଅଧିକାରୀମାନେ ଖୋଳିବା ଏବଂ ଗଛ ଲଗାଇବା ଆରମ୍ଭ କରିସାରିଲେଣି, ଯେଉଁଠାରେ ଚାଷୀମାନେ ଧାନ ଚାଷ କରୁଥିଲେ। ଆମେ ଏହାର ପରବର୍ତ୍ତୀ ଶିକାର ହୋଇପାରୁ। ”

Top left - Three men singing and playing instruments. One of them is playing the cymbals. Men in red hats look on

Top right - An old woman dancing in front of people marching

Bottom left - Farmers marching holding red communist flags

Bottom right - Farmers marching holding red communist flags
PHOTO • Shrirang Swarge

ଶୀର୍ଷରେ ବାମ - ଆଦିବାସୀ ସଂପ୍ରଦାୟର ଚାଷୀମାନେ ଗୋଟିଏ ଆଧ୍ୟାତ୍ମିକ ସଂଗୀତ ଗାଉଛନ୍ତି। ଶୀର୍ଷରେ ଡାହାଣ – ରୁକମାବାଇ  ବେଣ୍ଡକୁଲେ, ୬୦, ଶୋଭାଯାତ୍ରାର ସବୁଠାରୁ ଆଗରେ, ହାତରେ ଗୋଟିଏ ଲାଲ୍ ପତାକା ଧରି ନାଚୁଛନ୍ତି। ନିମ୍ନରେ -  ହଜାର ହଜାର କୃଷକ ହାତରେ ପତାକା ଓ ବ୍ୟାନର ଧରି ଚାଲୁଛନ୍ତି

ସଞ୍ଜୟ ବୋରାସ୍ତେ ମଧ୍ୟ ଶୋଭାଯାତ୍ରାରେ ଭାଗ ନେବାକୁ ବହୁ ବାଟରୁ ଆସିଛନ୍ତି। ନାସିକ ସହରରୁ ୨୬ କିଲୋମିଟର ଦୂର ଡିଣ୍ଡୋରୀ ତାଲୁକା ଅଧୀନ ଡିଣ୍ଡୋରୀ ଗାଁରେ ତାଙ୍କର ଘର। ତାଙ୍କର ୮ ଲକ୍ଷରୁ ଅଧିକ ଟଙ୍କାର ଋଣ ଅଛି। ସେ କହିଲେ, “ଯେତେବେଳେ ସରକାର  ପ୍ରଥମେ ଋଣ ଛାଡ ଘୋଷଣା କଲେ, ମୁଁ ଭାବିଲି ମୁଁ ଆଶ୍ୱସ୍ତ ହେବି, କିନ୍ତୁ ମୁଖ୍ୟମନ୍ତ୍ରୀ ହୋଟିଏ ନିଷ୍ଠୁର ମଜା ଖେଳ ଖେଳିଲେ, ଏଥିରେ ୧.୫ ଲକ୍ଷର ସୀମା ନିର୍ଧାରଣ କଲେ। ”୪୮ ବର୍ଷୀୟ ବୋରଷ୍ଟେ ଚଳିତ ମାସ ତାଙ୍କର ୨.୫ ଏକର ଜମିରେ ବୋଇତାଳୁ ଚାଷ କରିଥିଲେ। ସେ କହିଲେ “ମୋତେ ମୋ ଫସଲକୁ କିଲୋ ପିଛା ୨ ଟଙ୍କା ଦରରେ ବିକ୍ରି କରିବାକୁ ହେଲା। ଦର କମିକଲା ଏବଂ ବୋଇତାଳୁ ତ ନଷ୍ଟଶୀଳ। ”

ଗତ ବର୍ଷ ମାନଙ୍କରେ ମରାଠୱାଡାରୁ ରିପୋର୍ଟିଂ କରିବା ସମୟରେ, କୃଷକମାନେ ମୋ ସହ ଲଗାତାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ, ବ୍ୟାଙ୍କ ଋଣ ଛାଡ ଏବଂ ନିର୍ଭରଯୋଗ୍ୟ ଜଳସେଚନ ବ୍ୟବସ୍ଥା ଆଦି ନେଇ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନାସିକରେ ଏକାଠି ହୋଇଥିବା ବହୁ ଲୋକଙ୍କ ପାଇଁ ଏହି ଦାବି ମଧ୍ୟ ଗୁରୁତ୍ୱପୂର୍ଣ, କିନ୍ତୁ ସେମାନଙ୍କର ମୁଖ୍ୟ ଦାବି ମଧ୍ୟରୁ ମୁଖ୍ୟ ହେଲା ଜମି ଅଧିକାର। ଶୋଭାଯାତ୍ରା ଯେତେ ଯେତେ ଆଗକୁ ବଢିବ, କୃଷକ ମାନଙ୍କର ଦାବିରେ ମଧ୍ୟ ଫରକ ରହିବ। 

ଅପରାହ୍ନ ୩ଟା ସୁଦ୍ଧା, ଆୟୋଜକମାନେ ଲୋକଙ୍କୁ ବକ୍ତବ୍ୟ ଦେବା ଆରମ୍ଭ କଲେ, ଏବଂ ୪ଟା ସୁଦ୍ଧା, ହଜାର ହଜାର ଲୋକ ନାସିକ୍-ଆଗ୍ରା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଚାଲିବା ଆରମ୍ଭ କଲେ। ସବୁଠାରୁ ଆଗରେ ଥାଆନ୍ତି, ୬୦ ବର୍ଷ ବୟସ୍କା ରୁକମାବାଇ ବେଣ୍ଡକୁଲେ -  ଯିଏ କି ହାତରେ ଗୋଟିଏ ଲାଲ୍ ପତାକା ଧରି ନାଚୁଥିଲେ। ରୁକମାବାଇ ଡିଣ୍ଡୋରୀ ତାଲୁକା ଅଧୀନ ଡୋଣ୍ଡେଗାଓଁ ଗାଁର ଜଣେ କୃଷି ଶ୍ରମିକ। ସେ ସପ୍ତାହକୁ ଦିନକୁ ୨୦୦ ଟଙ୍କା ହିସାବରେ ୩ ଦିନ କାମ କରନ୍ତି, ରାସ୍ତାରେ ଏମିତି ୬ ଦିନ ରହିବା ତାଙ୍କ ପାଇଁ ଗୋଟିଏ ବଡ କ୍ଷତି, ଅତି କମରେ ତାଙ୍କର ମୂଲ୍ୟବାନ ୬୦୦ ଟଙ୍କା ହରାଇବେ। ସେ କହିଲେ, “ଯଦିଓ ମୁଁ କୌଣସି ଚାଷ କରେ ନାହିଁ, ଯଦି ମୋ ଗାଁର ଚାଷୀମାନେ ସେମାନଙ୍କର ଜମି ହରାଇବେ(ଜଙ୍ଗଲ ବିଭାଗ ଜମି ନେଇଯିବ), ତେବେ ମୁଁ ମଧ୍ୟ କା ହରାଇବି। ” କିନ୍ତୁ ସରକାର କଣ ବିଚାର କରିବେ, ମୁଁ ତାଙ୍କୁ ପଚାରିଲି। ସେ ହସି କହିଲେ, “ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ଅଛି ?”

Farmers dancing the Toor dance and playing the drum
PHOTO • Shrirang Swarge
An old man sitting on his haunches leaning his head against his staff
PHOTO • Shrirang Swarge
People sleeping in an open field at night
PHOTO • Shrirang Swarge

ବାମରୁ ଡାହାଣ -  ଦୀର୍ଘ ଗୋଟିଏ ଦିନ ଚାଲିବା ପରେ, କେତେକ ଚାଷୀ ରାତିରେ ଗାଇଲେ ଓ ନାଚିଲେ। ବାଗହେରେଙ୍କ ଭଳି ଅନ୍ୟମାନେ କ୍ଲାନ୍ତ ହୋଇପଡିଥିଲେ। ଖୁବ୍ ଶୀଘ୍ର ସେମାନେ ଖୋଲା ଆକାଶ ତଳେ ଶୋଇ ପଡିଲେ

ନାୱଲେ କହନ୍ତି, “ଏଭଳି ପ୍ରତିବାଦ, ଏଭଳି ଶୋଭାଯାତ୍ରା ସରକାର ଉପରେ ପ୍ରଭାବ ପକାଏ। ସେ କହିଲେ ଆମେ ଯେଉଁ ସମସ୍ୟା ବାବଦରେ କହୁଛୁ ଏବେ ସେ ସବୁ ଚର୍ଚ୍ଚାର କେନ୍ଦ୍ର ପାଲଟି ଗଲାଣି। ଅନେକ  ବିରୋଧ ସତ୍ୱେ, ସରକାର ଋଣ ଛାଡ ଘୋଷଣା କରିବାକୁ ବାଧ୍ୟ ହେଲେ।  ଆମେ ଏହାକୁ ଲୁଟ୍ ହୋଇଥିବା ଜିନିଷ ଫେରାଇବା ବୋଲି କହୁଛୁ। ଆମର ପୂର୍ବ ପୁରୁଷ ମାନେ ଲୁଟ୍ର ଶିକାର ହୋଇଛନ୍ତି ଏବଂ ବର୍ଷ ବର୍ଷ ଧରି ସରକାରଙ୍କ ଦ୍ୱାରା ଶୋଷଣର ଶିକାର ହୋଇଛନ୍ତି। ଆମେ କେବଳ ଗୋଟିଏ ପରେ ଗୋଟିଏ ଏହାକୁ ଫେରସ୍ତ ନେଉଛୁ। ”

ରାସ୍ତାରେ, ବହୁ କୃଷକ ଆୟୋଜକଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ପାଣି ଟ୍ୟାଙ୍କରରୁ ସେମାନଙ୍କ ପ୍ଲାଷ୍ଟିକ ବୋତଲରେ ରାଣି ଭରିଲେ। ରାଇଗଡନଗର ପହଞ୍ଚିବା ଯାଏଁ ତାହା ହିଁ ସେମାନଙ୍କ ପାଇଁ ଏକମାତ୍ର ବିରତି ଥିଲା -  ପାଞ୍ଚ ଘଣ୍ଟା ପରେ, ରାତି ପ୍ରାୟ ୯ଟା ସମୟରେ – ସେମାନେ ଜାତୀୟ ରାଜପଥ କଡରେ ଖୋଲା ଆକାଶ ତଳେ ରାତି ବିତାଇଲେ, ଯାହାକି କି ବାଲଦେବୀ ଡ୍ୟାମ୍ ଠାରୁ ବେଶୀ ଦୂର ନ ଥିଲା। 

ବ୍ୟାଗରେ ସାଙ୍ଗରେ ଆଣିଥିବା ରୁଟି ଓ ତରକାରୀ ରାତ୍ରି ଭୋଜନ କରିବା ପରେ, କେତେକ କୃଷକ ଶୋଭାଯାତ୍ରା ସହ ଆସୁଥିବା ଗୋଟିଏ ଟ୍ରକର ସ୍ପିକରରେ ଗୀତ ବଜାଇବାକୁ ଆରମ୍ଭ କଲେ। ଅନ୍ଧାର ରାତିରେ ଲୋକ ଗୀତର ତାଳେ ତାଳେ, ପରସ୍ପର ପରସ୍ପରର ପଛରେ ହାତ ରଖି, ବହୁ ପୁରୁଷ ଓ ମହିଳା ଅର୍ଧଗୋଲାକାର ଆକାର କରି ନୃତ୍ୟ ଗୀତରେ ମଜ୍ଜି ଗଲେ। 

ବାଗହେରେ, ଗୋଟିଏ କମ୍ବଳ ଘୋଡେଇ ହୋଇଥିଲେ, ଏବଂ ସେମାନଙ୍କର ଶକ୍ତି ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ସେ କହିଲେ, “ମୁଁ କ୍ଲାନ୍ତ, ମୋ ଗୋଡ ଯନ୍ତ୍ରଣା ହେଉଛି। ” ମୁଁ ତାଙ୍କୁ ପଚାରିଲି ଆପଣ କଣ ଆହୁରି ୬ ଦିନ ଚାଲି ପାରିବେ। ସେ କହିଲେ “ହଁ ନିଶ୍ଚୟ, ଏବେ ମୁଁ ଶୋଇପଡିବି। ”

ଏହା ମଧ୍ୟ ଦେଖନ୍ତୁ ‘ମୁଁ ଗୋଟିଏ ଚାଷୀ, ମୁଁ ଏହି ଲମ୍ବା ଯାତ୍ରାରେ ଯାଇଛି’ନିରାଶାର କ୍ଷେତରୁ ଆଶାର ସହିତ ଏକ ଯାତ୍ରା

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.