ଜୟପୁରସ୍ଥିତ ହାଇକୋର୍ଟର ଏକ ସୁନ୍ଦର ପରିସର ରହିଛି। ସେଠାକାର ବଗିଚାରେ କିନ୍ତୁ ଗୋଟିଏ ଜିନିଷ ଅଛି ଯାହାକୁ ରାଜସ୍ଥାନର ବହୁ ଲୋକ ବିବାଦୀୟ ବୋଲି ମନେ କରନ୍ତି। ବୋଧହୁଏ ଏହା ହେଉଛି ଦେଶର ଏକମାତ୍ର କୋର୍ଟ ପରିସର ଯେଉଁଠାରେ ‘ମନୁ, ଆଇନଦାତାଙ୍କର ପ୍ରତିମୂର୍ତ୍ତି ରହିଛି (କଭର ଫଟୋ ଦେଖନ୍ତୁ)।

ମନୁ ନାମକ ଜଣେ ବ୍ୟକ୍ତି କେବେ ଥିଲେ ବୋଲି କୌଣସି ପ୍ରମାଣ ନାହିଁ, ସେହି ପ୍ରତିମୂର୍ତ୍ତି ଶିଳ୍ପୀଙ୍କର କଳ୍ପନାପ୍ରସୂତ ଥିଲା। ଏହା ଏକ ନିର୍ଦ୍ଧିଷ୍ଟ କଳ୍ପନାକୁ ନେଇ ନିର୍ମିତ ହୋଇଛି। ଏଠାରେ ମନୁ ଜଣେ ‘ଋଷି’ଙ୍କ ଭଳି ଉପସ୍ଥାପିତ ହୋଇଛନ୍ତି।

ଲୋକକଥା ଅନୁସାରେ ଏହି ନାମରେ ଜଣେ ବ୍ୟକ୍ତି ମନୁସ୍ମୃତି ରଚନା କରିଥିଲେ। ସ୍ମୃତି ହେଉଛି ସେହି ନିୟମ ବାବଦରେ ଯାହାକୁ ଶହ ଶହ ବର୍ଷ ତଳେ ବ୍ରାହ୍ମଣମାନେ ସମାଜରେ ଲାଗୁ କରିଥିଲେ। ସେହି ନିୟମ ଗୁଡିକ ଭୟଙ୍କର ଭାବେ ଜାତିଗତ। ଅନେକ ଗୁଡିଏ ସ୍ମୃତି ରହିଛି, ଯେଉଁ ଗୁଡିକ ଖ୍ରୀଷ୍ଟପୂର୍ବ ୨୦୦ରୁ ୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲିଖିତ। ସେ ସବୁ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଦୀର୍ଘ ସମୟ ଧରି ରଚନା ହୋଇଛି।  ସେଗୁଡିକୁ ମଧ୍ୟରୁ ସବୁଠାରୁ ଅଧିକ ପ୍ରସିଦ୍ଧ ହେଲା ମନୁସ୍ମୃତି, ଯାହାକି ସମାନ ଅପରାଧ ପାଇଁ ଭିନ୍ନ ଭିନ୍ନ ଜାତିର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଦଣ୍ଡବିଧାନ ଉଲ୍ଲେଖ କରିବା ନେଇ ଅସାଧାରଣ।

ଏହି ସ୍ମୃତିରେ, ତଳ ଜାତିର ଲୋକଙ୍କ ଜୀବନର ମୂଲ୍ୟ ଖୁବ୍ କମ୍। ଜଣେ ଶୁଦ୍ରଙ୍କର ହତ୍ୟା ପାଇଁ ସେହି ପ୍ରାୟଶ୍ଚିତ କରିବାକୁ ହେବ, ଯାହା ଗୋଟିଏ ବେଙ୍ଗ, କୁକୁର, ପେଚା ବା ଗୋଟିଏ କୁଆ ମାରିଥିଲେ କରିବାକୁ ହୋଇଥାନ୍ତା। ଜଣେ ଧାର୍ମିକ ଶୁଦ୍ରଙ୍କୁ ହତ୍ୟା କଲେ ଅତି ବେଶୀରେ, ଜଣେ ବ୍ରାହ୍ମଣକୁ ହତ୍ୟାର ୧୬ ଭାଗରୁ ଏକ ଭାଗ ପ୍ରାୟଶ୍ଚିତ କରିବାକୁ ହେବ।

ଖୁବ୍ କମ୍ ସ୍ଥଳରେ ଆଇନ ସମ୍ମୁଖରେ ସମାନତା ଉପରେ ପର୍ଯ୍ୟବସିତ ଏକ ବ୍ୟବସ୍ଥା ଆଣିବାର ଆବଶ୍ୟକତା ଥାଏ। କୋର୍ଟରେ ସେମାନଙ୍କୁ ଅତ୍ୟାଚାରର ଏହି ସଙ୍କେତର ଉପସ୍ଥିତି ରାଜସ୍ଥାନର ଦଳିତଙ୍କୁ କ୍ରୋଧିତ କରେ। ସେମାନଙ୍କୁ ଅଧିକ ଚିଡାଇବା ଭଳି କଥା ହେଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାନ ନ ପାଇବା। ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଗୋଟିଏ ପ୍ରତିମୂର୍ତ୍ତି ରାସ୍ତାର ଗୋଟିଏ କୋଣରେ ଟ୍ରାଫିକ୍ ପୋଷ୍ଟକୁ ସାମ୍ନା କରି ରହିଛି। ମନୁ କିନ୍ତୁ କୋର୍ଟକୁ ଆସୁଥିବା ସମସ୍ତଙ୍କୁ ମୁହଁ କରି ରହିଛନ୍ତି।
The statue of “Manu, the Law Giver” outside the High Court in Jaipur
PHOTO • P. Sainath
An Ambedkar statue stands at the street corner facing the traffic
PHOTO • P. Sainath

ଜୟପୁର ହାଇକୋର୍ଟରେ- ମନୁ କୋର୍ଟକୁ ଆସୁଥିବା ସମସ୍ତଙ୍କୁ ମୁହଁ କରି ରହିଛନ୍ତି (ବାମ)। ବାବା ସାହେବ ଆମ୍ବେଦକରଙ୍କର ଗୋଟିଏ ପ୍ରତିମୂର୍ତ୍ତି ରାସ୍ତାର ଗୋଟିଏ କୋଣରେ ଟ୍ରାଫିକ୍ ପୋଷ୍ଟକୁ ସାମ୍ନା କରି ରହିଛି(ଡାହାଣ)। 

ରାଜସ୍ଥାନ ଏ ଯାଏଁ ମନୁଙ୍କ ବିଚାରଧାରାରେ ପରିଚାଳିତ ହୋଇଆସିଛି।  ହାରାହାରି ଭାବେ ଏହି ରାଜ୍ୟରେ ପ୍ରତି ୬୦ ଘଣ୍ଟାରେ ଜଣେ ଦଳିତ ମହିଳା ଦୁଷ୍କର୍ମର ଶିକାର ହେଉଛି। ପ୍ରତି ନଅ ଦିନରେ ଜଣେ ଦଳିତକୁ ହତ୍ୟା କରାଯାଉଛି। ପ୍ରତି ୬୫ ଘଣ୍ଟାରେ ଜଣେ ଦଳିତ ଗୁରୁତର ଭାବେ ଆହତ ହେଉଛନ୍ତି। ପ୍ରତି ପାଞ୍ଚ ଦିନରେ ଗୋଟିଏ ଦଳିତ ପରିବାରର ଘର ବା ସମ୍ପତ୍ତି ହିଂସାତ୍ମକ ଆକ୍ରମଣର ଶିକାର ହେଉଛି। ଏବଂ ପ୍ରତି ଚାରି ଘଣ୍ଟାରେ ଆଇପିସି(ଇଣ୍ଡିଆନ୍ ପେନାଲ୍ କୋଡ୍)ର ଅନ୍ୟାନ୍ୟ ଧାରା ଅନୁସାରେ ଗୋଟିଏ ଅଭିଯୋଗ ପଞ୍ଜିକୃତ ହେଉଛି। ଅନ୍ୟାନ୍ୟ ଧାରାର ଅର୍ଥ ହତ୍ୟା,  ଦୁଷ୍କର୍ମ, ଅଗ୍ନିକାଣ୍ଡ ବା ଗୁରୁତର ଆହତ ଜନିତ।

ଦୋଷୀମାନେ ଖୁବ୍ କମ୍ ଦଣ୍ଡ ପାଆନ୍ତି। ଦଣ୍ଡବିଧାନ ହାର ୨ରୁ ୩ ପ୍ରତିଶତ ଭିତରେ ହୋଇଥାଏ। ଏବଂ ଦଳିତମାନଙ୍କ ବିରୋଧରେ ହେଉଥିବା ଅନେକ ଅପରାଧ କୋର୍ଟ ରୁମ୍ ଯାଏଁ ବି ପହଞ୍ଚି ପାରେନାହିଁ।

ଅଗଣିତ ଅଭିଯୋଗକୁ ଶେଷରେ ବନ୍ଦ କରିଦିଆଯାଏ ଏବଂ ଅନ୍ତିମ ରିପୋର୍ଟ ଦାଖଲ କରି ସେଗୁଡ଼ିକୁ ଚପାଇ ଦିଆଯାଏ। ସତ ଏବଂ ଗୁରୁତର ମାମଲାକୁ ଅଧିକାଂଶ ସମୟରେ ନଷ୍ଟ କରି ଦିଆଯାଏ।

ଭୱଁରି ଦେବୀ ଯାହାଙ୍କ ଝିଅ ଅଜମେର ଜିଲ୍ଲାର ଏକ ଗାଁରେ ବଳାତ୍କାରର ଶିକାର ହୋଇଥିଲା  କହନ୍ତି, ‘ଗାଁରୁ ହିଁ ସମସ୍ୟାର ଆରମ୍ଭ ହେଇଥାଏ। ଗାଁ ଲୋକେ ଏକ ଜାତି ପଞ୍ଚାୟତ ବସାଇଥାନ୍ତି। ସେମାନେ ପୀଡ଼ିତଙ୍କୁ ସେମାନଙ୍କ ଆକ୍ରମଣକାରୀଙ୍କ ସହିତ ସଲାସୁତୁରା କରିନେବାକୁ ଚାପ ପକାଇଥାନ୍ତି।‘ ସେମାନେ କହନ୍ତି, ‘କ’ଣ ପାଇଁ ପୋଲିସ ପାଖକୁ ଯିବା। ଆମେ ନିଜେ ନିଜେ ସମସ୍ୟାର ସମାଧାନ କରିଦେବା। ’

ଅଧିକାଂଶ ସମୟରେ ସମାଧାନର ଅର୍ଥ ହେଲା ପୀଡ଼ିତଙ୍କୁ ଆକ୍ରମଣକାରୀଙ୍କ ସହିତ ବୁଝାମଣା କରିବାକୁ ପଡ଼େ। ଭୱଁରି ଦେବୀଙ୍କୁ ପୁଲିସ ନିକଟକୁ ଯିବାରୁ ଅଟକାଗଲା।

ଯେକୌଣସି ମାମଲାରେ ଜଣେ ଦଳିତ ବା ଆଦିବାସୀ ପୁଲିସ ଷ୍ଟେସନୁ ଆସିଲେ ସେମାନଙ୍କର ନିଜ ରିସ୍କରେ ଆସିଥାନ୍ତି। ସେମାନେ ଏପରି କଲେ କ’ଣ ହୁଏ? ଭରତପୁର ଜିଲ୍ଲାର କୁମହେର ଗାଁରେ ପ୍ରାୟ ୨୦ ଜଣ ଗ୍ରାମବାସୀ ସମସ୍ୱରରେ ଉତ୍ତର ଦିଅନ୍ତି, “ଦୁଇ ଶହ କୋଡ଼ିଏ ଟଙ୍କା ପ୍ରବେଶ ଶୁଳ୍କ ଭାବେ ଦେବାକୁ ହୁଏ। ଏବଂ ଅନେକ ସମୟରେ ଯଦି ଆପଣ ଆପଣଙ୍କ ମାମଲା ସଂପର୍କରେ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହନ୍ତି ତାହେଲେ ଆହୁରି ଅଧିକ ଟଙ୍କା ଦେବାକୁ ପଡ଼େ”।

ଯେତେବେଳେ ଜଣେ ଉଚ୍ଚ ଜାତିର ଲୋକ ଦଳିତଙ୍କୁ ଆକ୍ରମଣ କରିଥାନ୍ତି, ପୁଲିସ ପୀଡ଼ିତଙ୍କୁ ଅଭିଯୋଗ ଦାଖଲ କରିବାରୁ ନିବୃତ୍ତ କରିବାକୁ ଉଦ୍ୟମ କରେ। ହରି ରାମ କହନ୍ତି, ‘ସେମାନେ ଆମକୁ ପଚାରନ୍ତି, ଣ? ବାପ ପୁଅକୁ  ମାରେନାହିଁ? ଭାଇ ଭାଇକୁ ମାରେନାହିଁ? ତେଣୁ କ’ଣ ପାଇଁ ଏହାକୁ ଭୁଲିଯାଇ ମାମଲାକୁ ଫେରାଉ ନେଉନ?’

ରାମ ଖିଲାଡି ହସିକରି କହନ୍ତି, ‘ ସେଠାରେ ଆଉ ଏକ ସମସ୍ୟା ରହିଛି। ପୁଲିସ ଅନ୍ୟ ପକ୍ଷରୁ ମଧ୍ୟ ଟଙ୍କା ନିଏ। ଯଦି ସେମାନେ ଅଧିକ ଟଙ୍କା ଦିଅନ୍ତି, ତାହେଲେ ଆମ ପାଇଁ ମାମଲା ସେଇଠି ଶେଷ ହୋଇଯାଏ। ଆମର ଲୋକମାନେ ଗରିବ ଏବଂ ଟଙ୍କା ଦେବାକୁ ସକ୍ଷମ ନୁହନ୍ତି’। ତେଣୁ ଆପଣ ୨,୦୦୦ରୁ ୫,୦୦୦ ଟଙ୍କା ଦେବେ ଏବଂ ମାମଲା ହାରିଯିବେ।

ପରବର୍ତ୍ତୀ ସମୟରେ ତଦନ୍ତପାଇଁ ଆସୁଥିବା ପୁଲିସକର୍ମୀ ଅଭିଯୋଗକାରୀଙ୍କୁ ଗିରଫ କରିପାରନ୍ତି। ଯଦି ଅଭିଯୋଗକାରୀ ଦଳିତ ହୋଇଥାନ୍ତି ଏବଂ ସେ ଉଚ୍ଚ ଜାତିର ଲୋକଙ୍କ ବିରୋଧରେ ଅଭିଯୋଗ କରିଥାନ୍ତି, ତାହେଲେ ଅଧିକାଂଶ କ୍ଷେତ୍ରରେ ଏହା ହୋଇଥାଏ। ଅଧିକାଂଶ ସମୟରେ କନଷ୍ଟେବଳ ଉଚ୍ଚ ଜାତିର ଲୋକ ହୋଇଥାନ୍ତି।

ଅଜମେରର ଭୱଁରି ଦେବୀ କହନ୍ତି, ‘ଏକଦା ଯେତେବେଳେ ଉଚ୍ଚ ଜାତିର ଲୋକମାନେ ମୋତେ ଆକ୍ରମଣ କରିଥିଲେ, ଡିଆଇଜି ମୋ’ ଘର ବାହାରେ ଜଣେ ପୁଲିସକର୍ମୀଙ୍କୁ ମୁତୟନ କରିଥିଲେ। ସେହି ହାବିଲଦାର ତାର ସମସ୍ତ ସମୟ ମଦ ପିଇବା ଏବଂ ଯାଦବଙ୍କ ଘରେ ଖାଇବାରେ କଟାଇଲା। ଏପରିକି ସେ ସେମାନଙ୍କୁ ମୋତେ କିପରି ରାସ୍ତାକୁ ଆଣିବାକୁ ପଡ଼ିବ ସେ ନେଇ ପରାମର୍ଶ ବି ଦେଲା। ଆଉ ଥରେ ମୋ ସ୍ୱାମୀଙ୍କୁ ଗୁରୁତର ଭାବେ ମାଡ଼ ମରାଯାଇଥିଲା। ମୁଁ ଏକୁଟିଆ ପୁଲିସ ଷ୍ଟେସନ୍ ଯାଇଥିଲି। ସେମାନେ ଏତଲା ରୁଜୁ କଲେ ନାହିଁ ଏବଂ ମୋତେ ଗାଳି ଦେଇ କହିଲେ, ‘ତୁମେ କେମିତି ଏକୁଟିଆ ଆସିବାକୁ ସାହସ କଲ, ତୁମେ ଜଣେ ମହିଳା (ଏବଂ ଜଣେ ଦଳିତ)?’ ସେମାନେ ଭୀଷଣ ଉତକ୍ଷିପ୍ତ ହୋଇପଡ଼ିଥିଲେ।’

କୁମହେରରେ ଚୁନ୍ନି ଲାଲ ଯାତବ କହନ୍ତି, ‘ସୁପ୍ରିମକୋର୍ଟର କୌଣସି ବିଚାରପତିଙ୍କର ଜଣେ ପୁଲିସ କନଷ୍ଟେବଳ ଭଳି କ୍ଷମତା ନାହିଁ।’

ସେ କହନ୍ତି, ‘ସେହି କନଷ୍ଟେବଳ ଆମକୁ ବସଉଠ କରେ। ବିଚାରପତିମାନେ ଆଇନକୁ ପୁଣିଥରେ ଲେଖିପାରିବେ ନାହିଁ ଏବଂ ସେମାନଙ୍କୁ ଉଭୟ ପକ୍ଷର ପଢାଶୁଣା କରିଥିବା ଓକିଲଙ୍କର ଯୁକ୍ତି ଶୁଣିବାକୁ ହୋଇଥାଏ। ଜଣେ ହାବିଲଦାର କିନ୍ତୁ ନିଜେ ନିଜର ଆଇନ ପ୍ରସ୍ତୁତ କରେ। ସେ ମନଇଚ୍ଛା କିଛି ବି କରିପାରେ। ’

Chunni Lal Jatav on right, with friends in Kunher village. Three men sitting in a house
PHOTO • P. Sainath

କୁମହେରର ଚୁନ୍ନି ଚାଲ ଯାଦବ(ଡାହାଣ) କହନ୍ତି, ‘ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କର ଜଣେ ପୁଲିସ କନଷ୍ଟେବଳ ଭଳି କ୍ଷମତା ନାହିଁ। ’

ଯଦି ବହୁତ ଉଦ୍ୟମ ପରେ ଏକ ଏତଲା ରୁଜୁ ହୁଏ ତା’ ହେଲେ ସାନି ସମସ୍ୟା ସୃଷ୍ଟି ହୁଏ। ପ୍ରବେଶ ଶୁଳ୍କ ଏବଂ ଆହୁରି ଅର୍ଥ ଦେବା ପରେ ଏପରି ହୁଏ। ପୁଲିସ ସାକ୍ଷୀମାନଙ୍କର ବୟାନ ରେକର୍ଡ କରିବାରେ ବିଳମ୍ବ କରେ। ଏବଂ ଭୱଁରି କହନ୍ତି, ‘ ସେମାନେ ମଧ୍ୟ ଜାଣିଶୁଣି କିଛି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥାନ୍ତି । ’ସେମାନଙ୍କୁ ପଳାତକ ଘୋଷଣା କରି ଦିଆଯାଏ। ଏହାପରେ ପୁଲିସ ସେମାନଙ୍କୁ ଗିରଫ ନ କରିବା ଯୋଗୁ ତଦନ୍ତରେ ଅଗ୍ରସର ହେବାକୁ ଅକ୍ଷମତା ପ୍ରକାଶ କରେ।

ଅନେକଗୁଡ଼ିଏ ଗାଁରେ ଆମେ ପଳାତକମାନଙ୍କ  ଦୃଷ୍ଟାନ୍ତ ସଂପର୍କରେ ଶୁଣିଲୁ, ସେମାନେ କିନ୍ତୁ ପ୍ରକୃତରେ ମୁକ୍ତ ଭାବେ ବୁଲୁଥିଲେ। ଏହା ଏବଂ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବାରେ ନିଷ୍କ୍ରିୟତା ଯୋଗୁ ଅତ୍ୟନ୍ତ ବିଳମ୍ବ ହୋଇଥାଏ।

ଏହାଯୋଗୁ ମଧ୍ୟ ଦଳିତଙ୍କୁ ଗାଁରେ ସେମାନଙ୍କର ଆକ୍ରମଣକାରୀଙ୍କ ଦୟାରେ ରହିବାକୁ ହୁଏ, ଅଧିକାଂଶ ସମୟରେ ଏହାଯୋଗୁ ସେମାନଙ୍କୁ ନିଜ ମାମଲାରେ ବୁଝାମଣା କରିବାକୁ ପଡେ଼। ଢୋଲପୁର ଜିଲ୍ଲାର ନାକସୋଡା ଜିଲ୍ଲାରେ ଉଚ୍ଚ ଜାତିର ଲୋକାମାନେ ରାମେଶ୍ୱର ଯାତବଙ୍କ ଉପରେ ଏକ ନିର୍ମମ ଅତ୍ୟାଚାର କରିଥିଲେ। ସେମାନେ ତାଙ୍କ ନାକରେ କଣା କରି ଝୋଟରେ ତିଆରି ଗୋଟିଏ ମିଟର ଲମ୍ବା ଏବଂ ୨ ମିଲିମିଟର ମୋଟା ଏକ ଦଉଡ଼ି ପୂରାଇଦେଲେ। ସେମାନେ ତାଙ୍କୁ ସେହି ଦଉଡି ଧରି ଗାଁ ସାରା  ବୁଲାଇଲେ।

ସେହି ମାମଲା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ରାମେଶ୍ୱରଙ୍କ ବାପା ମଙ୍ଗିଲାଲଙ୍କ ସମେତ ସମସ୍ତ ସାକ୍ଷୀ ସେମାନଙ୍କର ବୟାନ ବଦଳାଇଦେଲେ। ଏବଂ ହଁ, ପୀଡ଼ିତ ନିଜେ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଦେଲେ।

 

ଏହାର କାରଣ? ମଙ୍ଗିଲାଲ କହନ୍ତି, ‘ଆମକୁ ଗାଁରେ ରହିବାକୁ ଅଛି। କିଏ ଆମକୁ ସୁରକ୍ଷା ଦେବ? ଆମେ ଭୟରେ ମରିଯାଉଛୁ।’

Mangi Lai Jatav and his wife in Naksoda village in Dholpur district
PHOTO • P. Sainath

ନାକସୋଡା ଗାଁରେ ଜଣେ ଦଳିତଙ୍କ ବିରୋଧରେ ଅତ୍ୟାଚାରର ମାମଲାରେ  ପୀଡ଼ିତଙ୍କ ବାପା ମଙ୍ଗିଲାଲ(ଡାହାଣ)ଙ୍କ ସମେତ ସମସ୍ତ ସାକ୍ଷୀ ସେମାନଙ୍କର ବୟାନ ବଦଳାଇଦେଲେ। ସେ କହନ୍ତି, ‘ ଆମକୁ ଗାଁରେ ରହିବାର ଅଛି। କିଏ ଆମକୁ ସୁରକ୍ଷା ଦେବ?’ 

ଜୟପୁରର କୋର୍ଟରେ ବରିଷ୍ଠ ଦଳିତ ଓକିଲ ଭୱଁର ବାଗ୍ରି ମୋତେ ପଚାରିଲେ, ‘କୌଣସି ନିର୍ଯାତନା ମାମଲା ଅଛି କି? ଖୁବ୍ ଶୀଘ୍ର ସେ ପ୍ରକ୍ରିୟା କରିବାର ଅଛି। ଯଦି ଛଅ ମାସରୁ ଅଧିକ ବିଳମ୍ବ ହେଲା, ତାହେଲେ ଦଣ୍ଡବିଧାନର ସମ୍ଭାବନା ଖୁବ୍ କମ୍। ସାକ୍ଷୀମାନଙ୍କୁ ଗାଁରେ ଆତଙ୍କିତ କରାଯାଇପାରେ। ସେମାନେ ବୟାନ ବଦଳାଇ ଦିଅନ୍ତି।’

ସାକ୍ଷୀମାନଙ୍କୁ ସୁରକ୍ଷା ଦେବାର କୌଣସି କାର୍ଯ୍ୟକ୍ରମ ନାହିଁ। ଏହାଛଡ଼ା, ବିଳମ୍ବର ଅର୍ଥ ପକ୍ଷପାତୀ ପ୍ରମାଣ ସହିତ ଆହୁରି ଅଧିକ ଚାଲ ଖେଳାଯାଇଥାଏ କାରଣ ଗାଁର ଉଚ୍ଚ ଜାତିର ଲୋକମାନେ ସ୍ଥାନୀୟ ପୁଲିସ ସହିତ ବୁଝାମଣା କରିନିଅନ୍ତି।

ଯଦି ମାମଲାଟି ଆପୋଷ ବୁଝାମଣା ପାଇଁ ଯାଏ, ତାହେଲେ ଓକିଲଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଚୁନ୍ନି ଲାଲ ଯାତବ କହନ୍ତି, ‘ସମସ୍ତ ଓକିଲ ବିପଜ୍ଜନକ। ସେମାନେ ତୁମର ଶତ୍ରୁଙ୍କ ସହିତ ମୂଲାମୂଲି କରିଥାନ୍ତି। ଯଦି ତାଙ୍କୁ ଅର୍ଥ ମିଳେ, ତାହେଲେ ତୁମ କଥା ସରିଲା।’

ଏବଂ ପ୍ରକୃତରେ ଅର୍ଥ ସମସ୍ୟା ସୃଷ୍ଟି କରିଥାଏ। ଜୟପୁର ହାଇକୋର୍ଟରେ ଥିବା ସ୍ୱଳ୍ପ ସଂଖ୍ୟକ ଦଳିତ ଓକିଲଙ୍କ ମଧ୍ୟରୁ ଅନ୍ୟତମ ଚେତନ ବୈରୱା କହନ୍ତି, ‘ଏପରି ମାମଲାରେ ଏକ ଆର୍ଥିକ ସହାୟତା ଯୋଜନା ମଧ୍ୟ ରହିଛି। କିନ୍ତୁ ତାହା ଖୁବ୍ ଜଟିଳ। ସେହି ଆବେଦନରେ ଅଭିଯୋଗକାରୀଙ୍କ ରୋଜଗାର ସଂପର୍କରେ ସବିଶେଷ ଉଲ୍ଲେଖ କରିବାକୁ ପଡେ଼। ଅଧିକାଂଶ ଦଳିତ ଯେଉଁମାନେ ପ୍ରତିଦିନ ବା ଋତୁକାଳୀନ ମଜୁରୀ ଖଟିଥାନ୍ତି, ସେମାନଙ୍କ ପାଇଁ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରେ। ଆହୁରି ମଧ୍ୟ ସେମାନଙ୍କ ଅଧିକାର ସଂପର୍କରେ ସଚେତନତା କମ୍ ହୋଇଥିବାରୁ ଅଧିକାଂଶ ସେହି ସହାୟତା ଫଣ୍ଡ ସଂପର୍କରେ ଜାଣିନାହାନ୍ତି।’

ଦଳିତଙ୍କୁ ଗରିବ ଭାବେ ଉପସ୍ଥାପନ କରାଯିବା ଓକିଲଙ୍କ ସମୁଦାୟରେ କିଛି ସହାୟକ ହୋଇପାରେନାହିଁ। ଜୟପୁରର କୋର୍ଟରେ ପ୍ରାୟ ୧,୨୦୦ ଓକିଲ ଅଛନ୍ତି, ସେମାନଙ୍କ ମଧ୍ୟରୁ ଆଠ ଜଣ ଦଳିତ। ଉଦୟପୁରରେ ୪୫୦ ଜଣ ଓକିଲଙ୍କ ମଧ୍ୟରୁ ନଅ ଜଣ ଦଳିତ। ଗଙ୍ଗନଗରରେ ୪୩୫ ଜଣଙ୍କ ମଧ୍ୟରୁ ଛଅ ଜଣ ଦଳିତ। ଉଚ୍ଚ ସ୍ତରରେ ଅବହେଳା କରିବାର ମାମଲା ଅତି ଖରାପ। ହାଇକୋର୍ଟରେ ଅନୁସୂଚିତ ଜାତିର କୌଣସି ବିଚାରପତି ନାହାନ୍ତି।

କୁମହରର ଚୁନ୍ନିଲାଲ୍ କହନ୍ତି, “ରାଜସ୍ଥାନରେ ଦଳିତ ନ୍ୟାୟିକ ଅଧିକାରୀ ବା ମୁନସିଫ୍ ଥାଆନ୍ତି, କିନ୍ତୁ ତାର କିଛି ମାନେ ନାହିଁ। ସେମାନଙ୍କ ସଂଖ୍ୟା ଖୁବ୍ କମ୍ ଏବଂ ସେମାନେ ନଜରକୁ ଆସିବାକୁ ଚାହାନ୍ତି ନାହିଁ। ”

ଚୁନ୍ନିଲାଲ୍ କହିଲେ, “ଯେତେବେଳେ ମାମଲା କୋର୍ଟରେ ପହଞ୍ଚେ, ସେ ସବୁ ଦେଖିବା ପାଇଁ ପେସକାର(କୋର୍ଟ କିରାଣି) ଥାଆନ୍ତି। ଯଦି ତାଙ୍କୁ ଟଙ୍କା ନ ଦେଲ ତେବେ ଆପଣଙ୍କ ମାମଲାର ତାରିଖ କେବେ ପଡିବ ତାର କିଛି ଠିକଣା ନାହିଁ। ଅଧିକାଂଶ ସ୍ଥାନରେ ଏମିତି ହୁଏା ଯାହା ବି ହେଲେ ପୁରା ବ୍ୟବସ୍ଥା ସାମନ୍ତବାଦୀ। ସେଥିପାଇଁ ପେସକାର ମଧ୍ୟ ତାର  ଭାଗ ନେବା ଅଧିକାଂଶ ମାଜିଷ୍ଟ୍ରେଟଙ୍କ ଅଫିସରେ ସମସ୍ତ ନ୍ୟାୟିକ ଅଧିକାରୀମାନେ ଏକା ସାଙ୍ଗରେ ବସି ଯେଉଁ ମଧ୍ୟାହ୍ନ ଭୋଜନ କରନ୍ତି, ସେଥିପାଇଁ ପେସକାର ହିଁ ପଇଠ କରନ୍ତି। ମୁଁ ନିକଟରେ ଏ ନେଇ ସାମ୍ବାଦିକଙ୍କୁ କହିଥିଲେ, ଯିଏ ଏ ବାବଦରେ ଲେଖିଥିଲେ।”

ଏବଂ ଶେଷରେ, ଦଣ୍ଡବିଧାନ ହାର ସବୁଠାରୁ ନିମ୍ନ। କିନ୍ତୁ ତାହା ହିଁ ସବୁକିଛି ନୁହେଁ।

ଜୟପୁର ହାଇକୋର୍ଟର ବରିÂ ଆଡଭୋକେଟ ପ୍ରେମ କ୍ରିଷ୍ଣା କହିଲେ, “ଆପଣ ଗୋଟିଏ ଭଲ ରାୟ ପାଇଲେ, କିନ୍ତୁ ତା ପରେ ଦେଖିବେ ଯେ ଆଦେଶ ଲାଗୁ କରୁଥିବା ଅଧିକାରୀଙ୍କ ମନୋଭାବ ଅତ୍ୟନ୍ତ ଭୟଙ୍କର। ଅନୁସୂଚିତ ଜାତି ମାନଙ୍କ କ୍ଷେତ୍ରରେ, ଆର୍ଥିକ ଅକ୍ଷମତା ଏବଂ ରାଜନୈତିକ ସଂକ୍ତୃକ୍ତି ଉଭୟର ଅଭାବ ଥାଏ। ଏମିତିକି ଦଳିତ ସରପଞ୍ଚମାନେ ମଧ୍ୟ ଆଇନ ଗତ ବ୍ୟବସ୍ଥାରେ ଫସିଯାଆନ୍ତି, ଯାହାର ଗଭୀରତା ସେମାନେ ଜାଣି ପାରନ୍ତି ନାହିଁ”ପ୍ରେମ କ୍ରିଷ୍ଣା ମଧ୍ୟ ରାଜସ୍ଥାନର ପିପୁଲସ ୟୁନିୟନ୍ ଫର୍ ସିଭିଲ୍ ଲିବରଟିଜ୍ର ସଭାପତି ଅଛନ୍ତି। 

Anju Phulwaria, the persecuted sarpanch, standing outside her house
PHOTO • P. Sainath

ଋାହୋଲିରେ ନିଲମ୍ବିତ ସରପଞ୍ଚ ଅଞ୍ଜୁ ଫୁଲବାରିଆ, ମାମଲା ଲଢିବାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ଏବେ ଆର୍ଥିକ ଅନଟନର ସାମ୍ନା କରୁଛନ୍ତି। 

ଋାହୋଲି ତଙ୍କ ଜିଲ୍ଲାରେ ନିଲମ୍ବିତ ସରପଞ୍ଚ ଅଞ୍ଜୁ ଫୁଲବାରା, ତାଙ୍କ କେସ୍ ଲଢିବାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ଆର୍ଥିକ ଅନଟନର ସାମ୍ନା କରୁଛନ୍ତି। “ଆମେ ଆମ ଝିଅମାନଙ୍କୁ ଗୋଟିଏ ଭଲ ଘରୋଇ ସ୍କୁଲରୁ ବାହାର କରିନେଇ, ସରକାରୀ ସ୍କୁଲରେ ଭର୍ତି କରିଛୁ। ” ଏହା ସେହି ସ୍କୁଲ ଯେଉଁଠି ଶିକ୍ଷକମାନେ ଛାତ୍ରମାନଙ୍କୁ ଦଳିତଙ୍କ ସମ୍ପତ୍ତି ନଷ୍ଟ କରିବାକୁ ପ୍ରୋତ୍ସାହିତ କରନ୍ତି।

ନାକସୋଡାରେ ମଙ୍ଗି ଲାଲ୍ ସେ ଓ ତାଙ୍କ ପୁଅ ଅଭିଯୁକ୍ତ ଥିବା ଗୋଟିଏ ମାମଲା ଲଢିବାରେ ୩୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିବା ପରେ ଏବେ ହାତ ଟେକି ଦେଇଛନ୍ତି। ଖର୍ଚ୍ଚ ତୁଲାଇବା ପାଇଁ ପରିବାର ନିଜ ଜମିର ତିନି ଭାଗରୁ ଭାଗେ ବିକ୍ରି କରିସାରିଲେଣି।

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ଅଶୋକ ଗେହଲଟ, ଏଥିରୁ କିଛି ପରିବର୍ତ୍ତନ କରିବାକୁ ଇଚ୍ଛୁକ ଥିବା ଲାଗୁଛି। ସେ ମୋତେ ଜୟପୁରରେ କହିଲେ, “ସରକାର ଏଫ୍ଆର୍, ଚୂଡାନ୍ତ ରିପୋର୍ଟ ବା ବନ୍ଦ ହୋଇଥିବା ମାମଲାଗୁଡିକ ଉପରେ ଗୋଟିଏ ସର୍ବେକ୍ଷଣ କରିବାକୁ ଇଚ୍ଛୁକ ଅଛନ୍ତି।  ଯଦି ଇଚ୍ଛାକୃତ ଭାବେ ଏଥିରେ ପକ୍ଷପାତିତା ହୋଇଥିବା ଦେଖାଯିବ ତେବେ ତଦନ୍ତ ପ୍ରକ୍ରିୟାରେ ଅବହେଳା କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।” ଗେହଲଟ ପଞ୍ଚାୟତ ଆଇନ ସବୁରେ ସଂଶୋଧନ ଆଣିବାକୁ ଇଚ୍ଛୁକ ଅଛନ୍ତି, ଯାହା ଫଳରେ ଦୁର୍ବଳ ଶ୍ରେଣୀର ଲୋକମାନେ ବେଆଇନ ଭାବେ ସରପଞ୍ଚ ଭଳି ପଦବୀରୁ ବିତାଡିତ ହେବେ ନାହିଁ।

ଅଞ୍ଜୁ ଫୁଲବାରାଙ୍କ ଭଳି କେତେକ ସରପଞ୍ଚ ଭାରତୀୟ ଜନତା ପାର୍ଟି ଶାସନ ସମୟରେ ଅଭିଯୁକ୍ତ ହୋଇଛନ୍ତି। ସେହି ପ୍ରକ୍ରିୟାକୁ ଓଲଟାଇଲେ, ଗେହଲଟ କେବଳ ରାଜନୈତିକ ଫାଇଦା ପାଇବେ। କିନ୍ତୁ ତାଙ୍କ ଆଗରେ ବଡ ଓ କଠିନ କାର୍ଯ୍ୟ କରିବାକୁ ଅଛି। ବ୍ୟବସ୍ଥାର ବିଶ୍ୱସନୀୟତା କେବେ ବି ତଳକୁ ଯାଇନାହିଁ।

ରାମ ଖିଲାଦି କହିଲେ “ଆମର ଆଇନ ବା ନ୍ୟାୟିକ ପ୍ରକ୍ରିୟାରେ ଟିକେ ବି ବିଶ୍ୱାସ ନାହିଁ। ଆମେ ଜାଣିଛୁ ଆଇନ କେବଳ ବଡ ଲୋକଙ୍କ ପାଇଁ।”

ଏହା ହିଁ ରାଜସ୍ଥାନ, ଯେଉଁଠି ମନୁ ଅଦାଲତ ଭିତରେ ଗୋଟିଏ ଦୀର୍ଘ ଛାଇ ଟାଣିଦିଅନ୍ତି, ଏବଂ ଯେଉଁଠି ଆମ୍ବେଦକର ଜଣେ ବାହାର ଲୋକ।

ଏହି ଦୁଇ ଭାଗ କାହାଣୀରେ ଉଲ୍ଲେଖ ହୋଇଥିବା ଅପରାଧ ତଥ୍ୟ ରାଜସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ କମିସନଙ୍କ ଦ୍ୱାରା ୧୯୯୧-୧୯୯୬ ସମୟ ପାଇଁ ପ୍ରସ୍ତୁତ ୧୯୯୮ର ରିପୋର୍ଟରୁ ସଂଗୃହୀତ।

ଦୁଇ ଭାଗରେ ବିଭକ୍ତ ହୋଇଥିବା ଏହି କାହାଣୀ ୧୯୯୯ ମସିହା ଜୁଲାଇ ୧୧ ତାରିଖରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା। ଏହା ୨୦୦୦ ମସିହାରେ ଆରମ୍ଭ ହୋଇଥିବା ମାନବାଧିକାର ସାମ୍ବାଦିକତା ପାଇଁ ପ୍ରଥମ ଆମେନେଷ୍ଟି ଇଣ୍ଟରନ୍ୟାସନାଲ୍ ଗ୍ଲୋବାଲ୍ ପୁରସ୍କାର ପାଇଥିଲା। 


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath