ଯେତେବେଳେ ମାର୍ଚ୍ଚ ୬ରେ ନାସିକରୁ କୃଷକଙ୍କ ପଦଯାତ୍ରା ଆରମ୍ଭ ହେଲା, ଆଗରେ ଥିଲେ ୬୦ ବର୍ଷ ବୟସ୍କା ରୁକ୍ମାବାଇ ବେନ୍ଦକୁଲେ। ତାଙ୍କ ଘର ଦିଣ୍ଡୋରି ତାଲୁକର ଦୋଣ୍ଡେଗାଓଁରେ। ଏକ ଲାଲ୍ ପତାକା ହାତରେ ଧରି ସେ ଖୁବ ଦୃଢ ଭାବେ ନାଚୁଥିଲେ। ଏହି ପଦଯାତ୍ରାରେ ହଜାରହଜାର ମହିଳା ଚାଷୀ ସାମିଲ ହୋଇଥିଲେ। ୧୮୦ କିଲୋମିଟର ବାଟ ଖରା ତାତିରେ ପାଦରେ ଚାଲିଚାଲି ମୁମ୍ବାଇକୁ ଆସିଥିଲେ। କିଛି ମହିଳାଙ୍କ ପାଦରେ ଚପଲ ମଧ୍ୟ ନଥିଲା। କିଛି ମହିଳାଙ୍କ ସହ ତାଙ୍କ ଛୁଆ ଥିଲେ ଆଉ କିଛି ମହିଳା ସେମାନଙ୍କ ନାତି ନାତୁଣୀଙ୍କୁ ସାଙ୍ଗରେ ଆଣିଥିଲେ, ଯେଉଁମାନଙ୍କୁ ଘରେ ଛାଡି ଆସିବା ସମ୍ଭବ ନୁହେଁ।  

ଆଦିବାସୀ ମହିଳା ଚାଷୀମାନେ ନାସିକ, ପାଲଘର, ହଦନୁ, ଅହମଦନଗର ଏବଂ ଅନ୍ୟ ଜିଲ୍ଲାର। ଏମାନେ ମରାଠାୱାଡ଼ା ଏବଂ ବିଦର୍ଭରୁ ଆସିଥିବା ମହିଳା ଚାଷୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ଏମାନଙ୍କ ସଂଖ୍ୟା ଖୁବ ଅଧିକ ଥିଲା। ଆଦିବାସୀ ପରିବାରଗୁଡିକ ପ୍ରାୟ ଅଳ୍ପ ଜମିର ମାଲିକ। ସେଥିପାଇଁ ମହିଳା ଆଦିବାସୀ ଚାଷୀମାନେ ପ୍ରାୟ ଅନ୍ୟ ଲୋକଙ୍କ କୃଷି କ୍ଷେତରେ ଶ୍ରମିକ ଭାବେ କାମ କରିଥାନ୍ତି। ସପ୍ତାହେ ବ୍ୟାପୀ ଏହି ଲମ୍ବା ପଦଯାତ୍ରାରେ ସାମିଲ ହୋଇ ଏମାନେ ତାଙ୍କ ମାସିକ ରୋଜଗାରର ଏକ ଚତୁର୍ଥାଂଶ ହରାଇ ସାରିଲେଣି।

ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ପି. ସାଇନାଥ କହନ୍ତି, “ ଚାଷର ଅଧିକାଂଶ କାର୍ଯ୍ୟ (ବୁଣିବା, ରୋଇବା, କାଟିବା, ଅମଳ କରିବା, ଜମିରୁ ଘରକୁ ବୋହି ଆଣିବା, ଖାଦ୍ୟ ପ୍ରକ୍ରିୟାକରଣ, ଗୋପାଳନ) ମହିଳାମାନେ କରିଥାନ୍ତି। କିନ୍ତୁ ଆଇନଗତ ସ୍ଥିତି ଥିଲେ ମଧ୍ୟ ମହିଳାମାନଙ୍କୁ ଜମିର ମାଲିକାନା ଅଧିକାର ଦେବାକୁ ଏବଂ ତାଙ୍କୁ ଚାଷୀ ଭାବେ ଗ୍ରହଣ କରିବାକୁ ଆମେ ନାରାଜ। ”

ଅଖିଳ ଭାରତୀୟ କିଷାନ ସଭା ଦ୍ୱାରା ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ନିଜ ଅଧିକାର ଦାବି କରି ଉଭୟ ମହିଳା ଏବଂ ପୁରୁଷ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଅନ୍ୟାନ୍ୟ ଦାବି ମଧ୍ୟରେ ଥିଲା ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁ କରିବା। ଏହି ଆଇନ କାର୍ଯ୍ୟକାରୀ ହେଲେ ସେମାନେ ଦଶନ୍ଧି ଦଶନ୍ଧି ଧରି ଚା‌ଷ କରୁଥିବା ଜମିର ମାଲିକାନା ପାଇବେ। 

କିଛି ମହିଳା ଚାଷୀଙ୍କ ସଂପର୍କରେ

A woman and her grandson
PHOTO • Shrirang Swarge
A young boy
PHOTO • Shrirang Swarge

ସୁଶୀଳା ନାଗଲେ, ବୟସ ୬୭। ଏ ସପ୍ତାହରେ ତାଙ୍କ ଉପରେ ଅତିରିକ୍ତ ଦାୟିତ୍ୱ। ତାଙ୍କ ୧୦ ବର୍ଷର ନାତି ସମର୍ଥ ତାଙ୍କ ସହ ମୋର୍ଚ୍ଚାରେ ଆସିଥିଲା। ସେ କହିଲେ, “ ତାର ବାପା ମାଆ [ସେମାନେ କୃଷି ଶ୍ରମିକ ଭାବେ କାମ କରନ୍ତି ଏବଂ ନିଜର ଦୁଇ ଏକର ଜମିରେ ଧାନ ଏବଂ ଅନ୍ୟ ଫସଲ ଚାଷ କରନ୍ତି ]ଟାଉନ ବାହାରେ ଅଛନ୍ତି। ଆଉ ଗୋଟିଏ ନାତିକୁ ଜଣେ ସଂପର୍କୀୟଙ୍କ ଘରେ ଛାଡି ଆସିଛି। କିନ୍ତୁ ଏଇଟା ଭାରି ବଦମାସ। ସେଥିପାଇଁ ତାକୁ ସାଙ୍ଗରେ ଆଣିଛି। ଶୋଭାଯାତ୍ରାରେ ନଆସିବାର ପ୍ରଶ୍ନ ଉଠୁନଥିଲା। ” ନାସିକ ଜିଲ୍ଲା ତ୍ରିମ୍ବକେଶ୍ୱର ତାଲୁକର ସାୱରପଡ଼ା ଗାଁରେ ସୁଶୀଳାଙ୍କ ଘର। ଏହି କଠିନ ଯାତ୍ରା ଭିତରେ ସେ ମାତ୍ର ଥରଟିଏ କାନ୍ଦିଥିବା ସୁଶୀଳା କହିଲେ। ସମର୍ଥ ଜିଜ୍ଞାସାର ସହ ମୋ ନୋଟଖାତାକୁ ଚାହିଁଲା। “ସେ ଏତେଗୁଡାଏ ବାଟ ଚାଲିଥିବାରୁ ପ୍ରକୃତରେ ମୁଁ ତା ପାଇଁ ଗର୍ବିତ। ”  

A woman in a sari with the pallu over her head
PHOTO • Shrirang Swarge

ସମର୍ଥକୁ ରଖିବା ପାଇଁ ଘରକୁ କେହି ନଫେରିବାବେଳେ ସୁଶୀଳା କାହିଁକି ଏହି ପଦଯାତ୍ରାକୁ ଛାଡିବାକୁ ପ୍ରସ୍ତୁତ ନଥିଲେ? ତାଙ୍କ ସହ ଆଜାଦ ମଇଦାନରେ ଛିଡ଼ା ହୋଇଥିବା ତାଙ୍କ ଗାଁର କୁସୁମ ବାକାଉ ଓ ଗୀତା ଗାଏକଓ୍ୱାଡ଼୍ ଏହି ପ୍ରଶ୍ନର ଉତ୍ତର ଦେଲେ। ଗୀତା କହିଲେ, “ଏକ ସପ୍ତାହ ଧରି ଉତ୍ତପ୍ତ ଖରାରେ ଚାଲିବାକୁ ଆମେ କଣ ଭଲ ପାଉଛୁ? ” ସୁଶୀଳା ଓ କୁସୁମଙ୍କ ଭଳି ଗୀତା ମଧ୍ୟ କୋଲି ମହାଦେବ ଆଦିବାସୀ ସଂପ୍ରଦାୟର। ସେ କହିଲେ, “ ଆମେ ବର୍ଷ ବର୍ଷ ଧରି ଯେଉଁ ଜମି ଚାଷ କରୁଛୁ, ଏବେ ତାର ମାଲିକାନା ପାଇବାର ସମୟ। ଏହା ନପାଇବା ପର୍ଯ୍ୟନ୍ତ ଆମର ବିଶ୍ରାମ ନାହିଁ। ” 

A woman sitting by a tree in a blue sari
PHOTO • Shrirang Swarge

୪୦ ବର୍ଷୀୟା ସବିତା ଲିଲାକେ। କ୍ଷେତ କାମ ଛାଡ଼ି ସେ ତାଙ୍କ ସ୍ୱାମୀଙ୍କ ସହ ଆସିଥିଲେ। ସେ ମଧ୍ୟ କୋଲି ମହାଦେବ ସଂପ୍ରଦାୟର। ତାଙ୍କ ଘର ନାସିକ ଜିଲ୍ଲା ଦିଣ୍ଡୋରି ତାଲୁକର ଆମ୍ବେଗାଓଁରେ। ସେ କହିଲେ, “ଏବେ କ୍ଷେତ ଦେଖାଶୁଣା କରିବାକୁ କେହି ନାହିଁ। ଘରେ ଚାବି ପକାଇ ଆମେ ଆସିଛୁ। ଆମର ୩ ଏକର ଚାଷ ଜମି। ଏଥିରେ ଆମେ ଗହମ ଏବଂ ଚିନାବାଦାମ ଚାଷ କରୁ। କିନ୍ତୁ ଆମ ହାତରୁ ଏହି ଜମି ଚାଲିଯିବା ନେଇ ଆମେ ସବୁବେଳେ ଆଶଂକାରେ ରହିଛୁ। ପାଖ ଗାଁ ଗୁଡିକରେ ଚାଷ କ୍ଷେତରେ ଜଙ୍ଗଲ କର୍ମଚାରୀମାନେ ଗଛ ଲଗାଇବା ପାଇଁ ଗାତ ଖୋଳିଛନ୍ତି। କାରଣ ସେହି ଜମିର ମାଲିକାନା ଆମ ହାତରେ ନାହିଁ। ଆମେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦୟାରେ ଅଛୁ। ” 

A woman marching alongside other people, holding a flag
PHOTO • Shrirang Swarge

ନାସିକରୁ ଯେତେବେଳେ ଯାତ୍ରା ଆରମ୍ଭ ହେଲା ସବା ଆଗରେ ଥିଲେ ୬୦ ବର୍ଷୀୟା ରୁକ୍‌ମାବାଇ। ହାତରେ ଏକ ଲାଲ ପତାକା ଧରି ନାଚୁଥିଲେ। ରୁକ୍‌ମାବାଇ କୋଲି ମହାଦେବ ସଂପ୍ରଦାୟର। ସେ ଜଣେ କୃଷି ଶ୍ରମିକ। ଘର ଦିଣ୍ଡୋରି ତାଲୁକ ଦୋଣ୍ଡିଗାଓଁରେ। ସେ ଦିନକୁ ୨୦୦ ଟଙ୍କା ରୋଜଗାର କରନ୍ତି। ସପ୍ତାହରେ ୩ ଦିନ କାମ କରନ୍ତି। ଏବେ ଛଅଦିନ ହେବ ରାସ୍ତାରେ। ଅତି କମରେ ସେ ୬୦୦ ଟଙ୍କା ହରାଇ ସାରିଛନ୍ତି। ସେ କହିଲେ, “ ମୋର ନିଜର ଚାଷବାସ ନାହିଁ, କିନ୍ତୁ ଗାଁର ଚାଷୀମାନେ ସେମାନଙ୍କ ଜମି ହରାଇଲେ ମତେ କାମ ମିଳିବନି। କିନ୍ତୁ ମଁ ପଚାରୁଛି, ସରକାର ହଟିବେ କି? ତାଙ୍କ ପାଖରେ କିଛି ବିକଳ୍ପ ଅଛି କି? ”-  ସେ ସ୍ମିତ ହସିଲେ।

A woman standing at Azad Maidan
PHOTO • Shrirang Swarge

ମଥୁରା ଯାଦବ। ଥାନେ ଜିଲ୍ଲା ସାହାପୁର ତାଲୁକ ଅଘାଇ ଗାଁରେ ଘର। ସେ ୱାର୍ଲି ଆଦିବାସୀ ସଂପ୍ରଦାୟର। ରାଲିର ତୃତୀୟ ଦିନରେ ସେ ଯୋଗଦାନ କରିଛନ୍ତି। ସେ ମୁମ୍ବାଇକୁ ଚାରି ଦିନର ପଦଯାତ୍ରା କରିଛନ୍ତି। ସେ କହିଲେ, “ଏହି ଯାତ୍ରାବେଳେ ମୁଁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଛି। ବଥା ପାଇଁ ମୋତେ ଔଷଧ ଖାଇବାକୁ ପଡ଼ିବ। ” 

A group of women, including Shantabai Waghmare, 50, eating lunch
PHOTO • Shrirang Swarge

ଅଧିକାଂଶ ଆଦିବାସୀ କୃଷକ ଧାନ ଚାଷ କରନ୍ତି। ଏହା ଅଧିକ ପାଣି ଆବଶ୍ୟକ କରେ। ଜଳସେଚନ ସୁବିଧା ନଥିବାରୁ ସେମାନଙ୍କୁ ମୌସୁମୀ ବର୍ଷା ଉପରେ ନିର୍ଭର କରିବାକୁ ପଡ଼େ। ନାସିକ ଜିଲ୍ଲା ଆମ୍ବେଗାଓଁର ୫୦ ବର୍ଷୀୟ ଶାନ୍ତାବାଇ ୱାଘମାର। ଓ୍ୱାର୍ଲି ଆଦିବାସୀ ସଂପ୍ରଦାୟର ଏହି ମହିଳା କହିଲେ ଅନିୟମିତ ବର୍ଷା ଯୋଗୁ ଚାଷ କାମ ଏବେ କଷ୍ଟ ହୋଇପଡିଲାଣି। ତାଙ୍କର ଫଟୋଟିଏ ଉଠାଇବାକୁ କହିବାରୁ ସେ ମୋତେ ପଳାଇ ଯିବାକୁ କହିଲେ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଥିବା ଅନ୍ୟ ଚାଷୀଙ୍କ ଭଳି ସେମ ମଧ୍ୟ ଖୁବ୍ କ୍ଳାନ୍ତ ଥିଲେ ଆଉ କ୍ୟାମେରା ଦେଖି ଚିଡି ଯାଇଥିଲେ। ଏଠାରେ ଅନ୍ୟ ଚାଷୀଙ୍କ ସହ ଶାନ୍ତାବାଇ ଗୋଟିଏ ଦଳରେ ବସିଥିଲେ।

A woman marching alongside others, holding a red flag and a plastic bottle in her hand
PHOTO • Shrirang Swarge

ସୁରଗାଣା ତାଲୁକ କାରଓ୍ୱାଡ଼ା ହାମଲେଟ୍‌ରୁ ଆସିଥିଲେ କୋଲି ମହାଦେବ ସଂପ୍ରଦାୟର ୫୦ ବର୍ଷୀୟ ସିନ୍ଧୁବାଇ ପଲବୀ। ସେ କହିଲେ, “ନଦୀ ପ୍ରକଳ୍ପରେ ସୁରଗାଣାର ଜମି ବୁଡିଯିବ। [ଆଦିବାସୀ ଚାଷୀମାନେ ସ୍ଥାନାନ୍ତର ହେବେ। ]” ଭବିଷ୍ୟତରେ ବିଭିନ୍ନ ନଦୀରୁ (ଗୁଜରାଟର ସମସ୍ତ ନାର-ପାର ନଦୀ ସମେତ ଗୁଜରାଟ ଦାମନଗଙ୍ଗାର ୱଘ ଉପନଦୀ, ଯାହା ନାସିକ ଜିଲ୍ଲା ଦେଇ ଯାଇଛି ଏବଂ ନାସିକ ଓ ପାଲଘର ଦେଇ ଯାଇଥିବା ପିଞ୍ଜଲ ଉପନଦୀ) ପାଣି ଉଠାଇବାକୁ ସରକାର ଯୋଜନା କରିଥିବା କିଷାନ ସଭାର ସଭାପତି ଅଶୋକ ଧାୱଲେ ମତେ କହିଛନ୍ତି। ଏହି ସବୁ ନଦୀରେ କେବଳ ବନ୍ଧ ନିର୍ମାଣ ହେଲେ ପାଣି ଉଠାଯାଇ ପାରିବ। ବନ୍ଧ ନିର୍ମାଣ ହେଲେ ଏହି ଜିଲ୍ଲାର ଅନେକ ଗାଁ ବୁଡ଼ିଯିବ।

A woman with her head covered standing at Somaiya ground, Mumbai, at night
PHOTO • Shrirang Swarge

କୋଲି ଆଦିବାସୀ ସଂପ୍ରଦାୟର ୬୫ ବର୍ଷୀୟ କମଳାବାଇ ଗାଏକୱାଡ୍। ମାର୍ଚ୍ଚ ୧୧ ତାରିଖ ମଧ୍ୟରାତ୍ରିରେ ତାଙ୍କୁ ଭେଟିଲି। ପେନ୍କିଲର ବାଣ୍ଟୁଥିବା ଏକ ଗାଡିପାଖକୁ ସେ ଯାଉଥିଲେ। ସେ ସ୍ମିତ ହସି କହିଲେ, “ଚାଲିବା ପାଇଁ ଆଉ କିଛି ଉପାୟ ନାହିଁ। ” ସେ ନାସିକ ଜିଲ୍ଲାର ଦିଣ୍ଡୋରି ଗାଁରୁ ଖାଲି ପାଦରେ ଚାଲିଚାଲି ଆସିଥିଲେ। ପରଦିନ ଯେତେବେଳେ ତାଙ୍କୁ ଦେଖିଲି ସେ ପାଦରେ ହଳେ ଚପଲ ପିନ୍ଧିଥିଲେ, ଫୋଟକା ହୋଇଯାଇଥିବା ତାଙ୍କ ପାଦକୁ ଟିକେ ବଡ଼ ହେଉଥିଲା। ତଥାପି ତାତିରୁ ରକ୍ଷା କରୁଥିଲା। ସେ କହିଲେ, “ ଆଜି ସକାଳେ ମୋତେ କେହି ଜଣେ ଦେଇଛନ୍ତି। ” 

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shrirang Swarge

ଶ୍ରୀରଙ୍ଗ ସ୍ୱର୍ଗେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଫଟୋଗ୍ରାଫର ଓ ସେ ମଧ୍ୟ ସୋସିଆଲ ମିଡିଆ କ୍ଷେତ୍ରରେ କାର୍ଯ୍ୟରତ।

Other stories by Shrirang Swarge
Parth M.N.

ପାର୍ଥ ଏମ୍.ଏନ୍ ହେଉଛନ୍ତି ୨୦୧୭ର ପରି ସାଥୀ। ‘ଲସ୍ ଏଞ୍ଜେଲସ୍ ଟାଇମ୍ସ’ ର ସେ ଭାରତ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଏବଂ ଏକାଧିକ ଅନ୍ ଲାଇନ୍ ପୋର୍ଟାଲ ପାଇଁ ସେ ମୁକ୍ତ ସାମ୍ବାଦିକତା କରନ୍ତି। ସେ କ୍ରିକେଟ୍ ଖେଳିବାକୁ ଏବଂ ବୁଲାବୁଲି କରିବାକୁ ଭଲ ପାଆନ୍ତି।

Other stories by Parth M.N.