ଆନ୍ଧ୍ରପ୍ରଦେଶରେ ବିଜୟନଗରମ୍‌ଠାରେ ଭୂମିହୀନ ଶ୍ରମିକମାନଙ୍କ ସହ ଆଲୋଚନା ସକାଳ ୭ଟା ପୂର୍ବରୁ କରିବାକୁ ସ୍ଥିର କରାଯାଇଥିଲା । ଯୋଜନା ଥିଲା ସାରାଦିନ ସେମାନଙ୍କର କାମକୁ ଦେଖିବା। ଆମେ କିନ୍ତୁ ଟିକେ ବିଳମ୍ବରେ ପହଞ୍ଚିଲୁ। ସେତେବେଳକୁ ତାଳଗଛ ମଧ୍ୟଦେଇ ଆସୁଥିବା ମହିଳାମାନଙ୍କ ପରି ସେମାନେ ମଧ୍ୟ ୩ଘଣ୍ଟା କାମ କରିସାରିଥା’ନ୍ତି। ସେମାନଙ୍କ ସାଥୀମାନେ ବି କାମ କରିବା ସ୍ଥାନରେ ଥା’ନ୍ତି, ପଙ୍କ ହୋଇଯାଇଥିବା ପୋଖରୀରୁ ପଟୁ କାଢୁଥା’ନ୍ତି।

PHOTO • P. Sainath

ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇ, ବାସନମଜା, ଲୁଗାସଫା ଓ ଅନ୍ୟାନ୍ୟ କାମ ଶେଷକରି ଆସିଥାନ୍ତି। ସେମାନେ ନିଜ ପିଲାମାନଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରି ମଧ୍ୟ ପଠାଇ ଦେଇସାରିଥା’ନ୍ତି। ଘରର ସବୁ ସଦସ୍ୟଙ୍କର ଭୋଜନ ସରିଥାଏ। ଅବଶ୍ୟ ମହିଳାମାନେ ସବୁଠାରୁ ପଛରେ ଖାଇଥା’ନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ସରକାରଙ୍କ ନିଶ୍ଚିତ ରୋଜଗାର ସ୍ଥଳରେ ମହିଳାମାନେ ପୁରୁଷଙ୍କଠାରୁ କମ୍‌ ମଜୁରି ପାଆନ୍ତି।

ଏକଥା ମଧ୍ୟ ସ୍ପଷ୍ଟ ଯେ ସର୍ବନିମ୍ନ ମଜୁରି ଆଇନ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଲ୍ଲଂଘନ କରାଯାଇଥାଏ। କେବଳ କେରଳ ଓ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ସାରା ଦେଶରେ ଏହା ହୁଏ। ତଥାପି ମହିଳାମାନେ ସବୁଠି ପୁରୁଷଙ୍କ ମଜୁରି ତୁଳନାରେ ଅଧା କିମ୍ବା ଦୁଇ ତୃତୀୟାଂଶ ମଜୁରି ପାଇଥା’ନ୍ତି।
PHOTO • P. Sainath

ମହିଳା କୃଷି ଶ୍ରମିକମାନଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ମଜୁରି କମ୍‌ ରଖିବା ଜମି ମାଲିକମାନଙ୍କ ପାଇଁ ଲାଭଦାୟକ। ଏହା ସେମାନଙ୍କର ମଜୁରି ବାବଦ ଖର୍ଚ୍ଚ କମ୍‌ କରେ। ଠିକାଦାର ଓ ଜମିମାଲିକମାନେ ଯୁକ୍ତି ବାଢନ୍ତି ମହିଳାମାନେ ସହଜ କାମ କରନ୍ତି ସେଥିପାଇଁ ସେମାନଙ୍କୁ କମ୍‌ ମଜୁରି ଦିଆଯାଏ। ତଥାପି ଚାରା ରୋପଣ କାମ କଷ୍ଟକର ଓ ଜଟିଳ, ଠିକ୍‌ ଯେମିତି ଅମଳ। ଉଭୟ କାର୍ଯ୍ୟ ମହିଳାମାନଙ୍କୁ ବହୁ ସ୍ୱାସ୍ଥ୍ୟ ସମସ୍ୟା ଆଡ଼କୁ ନେଇଯାଏ।

ରୋଇବା କାମ ଏକ କୁଶଳି କାମ। ତଳି (ଚାରାଗଛ) ଠିକ୍‌ ଗଭୀରତାରେ ପୋତା ନଗଲେ କିମ୍ବା ଭୁଲ୍‌ ଦୂରତାରେ ରୁଆ ଗଲେ ଏହା ନଷ୍ଟ ହୋଇଯାଏ। ଯଦି ଜମି ଠିକ୍‌ ଭାବରେ କାଦୁଅ ହୋଇନଥିବ ତେବେ ଗଛ ଠିକ୍‌ ଭାବରେ ବଢିପାରିବନି। ରୋଇବା ବେଳେ ପୁଣି ଅଧିକାଂଶ ସମୟରେ ଆଣ୍ଠୁଏ ପାଣିରେ ଅଣ୍ଟା ନୂଆଁଇ କାମ କରିବାକୁ ହୁଏ। ତଥାପି ଏହାକୁ ଅଣକୁଶଳୀ କାମ ଭାବରେ ବିବେଚନା କରାଯାଇ କମ୍‌ ମଜୁରି ପ୍ରଦାନ କରାଯାଏ, କେବଳ ଏଥିପାଇଁ ଯେ ଏହି କାମ ମହିଳାମାନେ କରନ୍ତି।

ମହିଳାମାନଙ୍କୁ କମ୍‌ ମଜୁରି ଦେବା ସଂକ୍ରାନ୍ତରେ ଅନ୍ୟ ଏକ ଯୁକ୍ତି ଦର୍ଶାଯାଏ ସେମାନେ ପୁରୁଷମାନଙ୍କ ସହ ସମାନ କାମ କରିପାରନ୍ତି ନାହିଁ। କିନ୍ତୁ କୌଣସି ଜାଗାରେ ପ୍ରମାଣ ଦେଖାଯାଇପାରେନି ଯେ ପୁରୁଷମାନେ ଅମଳ କରିଥିବା ଧାନ ତୁଳନାରେ ମହିଳାମାନଙ୍କ ଅମଳ କମ୍‌। ଯେଉଁଠାରେ ସେମାନେ ପୁରୁଷମାନଙ୍କ ସହ ସମାନ କାମ କରିଥା’ନ୍ତି ସେଠାରେ ମଧ୍ୟ ମହିଳାମାନଙ୍କୁ କମ୍‌ ମଜୁରି ଦିଆଯାଏ।

PHOTO • P. Sainath

ଯଦି ମହିଳାମାନେ କମ୍‌ ଦକ୍ଷ ତା’ହେଲେ ଜମି ମାଲିକମାନେ ଏତେ ଅଧିକ ମହିଳାଙ୍କୁ କାମରେ କାହିଁକି ରଖୁଛନ୍ତି ?

୧୯୯୬ ମସିହାରେ ଆନ୍ଧ୍ରପ୍ରଦେଶ ସରକାର ମାଳି, ତମାଖୁ ତୋଳାଳି ଏବଂ କପା ତୋଳାଳିମାନଙ୍କ ପାଇଁ ସର୍ବନିମ୍ନ ମଜୁରି ସ୍ଥିର କଲେ। ଏହା ରୋଇବା ଏବଂ ଅମଳ କରିବା କାର୍ଯ୍ୟରେ ନିଯୁକ୍ତି ଥିବା ଶ୍ରମିକମାନଙ୍କ ମଜୁରୀ ତୁଳନାରେ ଖୁବ୍‌ ଅଧିକ ଥିଲା। ତେଣୁ ଏହି ଭେଦଭାବ ଅଣଦେଖା କରାଯାଏ ଏବଂ ଏହା ଔପଚାରିକ।

ତା’ହେଲେ ଉତ୍ପାଦକତା ସହ ମଜୁରିର ସଂପର୍କ ଖୁବ୍‌ କମ୍‌। ଏହା ଅନେକ ଦିନରୁ ଚାଲିଆସିଥିବା ଅନ୍ୟାୟ ଉପରେ ଆଧାରିତ। ଏହା ଭେଦଭାବର ବହୁ ପୁରାତନ ଧାରା ଏବଂ ଏହାର ଗ୍ରହଣୀୟତା ମଧ୍ୟ ସ୍ୱାଭାବିକ ପ୍ରକ୍ରିୟା ।
PHOTO • P. Sainath

ମହିଳାମାନେ ଚାଷ ଜମିରେ ଏବଂ ଅନ୍ୟାନ୍ୟ କର୍ମସ୍ଥଳରେ କରୁଥିବା ହାଡଭଙ୍ଗା ପରିଶ୍ରମ ସ୍ପଷ୍ଟ ଭାବରେ ଦେଖିହୁଏ। କିନ୍ତୁ ଏହା ସେମାନଙ୍କୁ ସେମାନଙ୍କ ପିଲାମାନଙ୍କ ଦାୟିତ୍ୱରୁ ବିମୁଖ କରାଏ ନାହିଁ। ଆଦିବାସୀ ମହିଳା ଜଣକ ଓଡ଼ିଶାର ମାଲକାନଗିରିସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜର ଦୁଇ ସନ୍ତାନଙ୍କୁ ନେଇଆସିଛନ୍ତି। ଏଥିପାଇଁ ସେ ପାହାଡ଼ିଆ ଆବୁଡ଼ାଖାବୁଡା ରାସ୍ତାରେ ଦୀର୍ଘ ସମୟ ଚାଲିଛନ୍ତି। ଅଧିକାଂଶ ସମୟରେ ପୁଅକୁ କାଖେଇଛନ୍ତି। ଏହା ବି ତୀଖ ପାହାଡିଆ ଅଞ୍ଚଳରେ କେଇ ଘଣ୍ଟା କାମ କରି ସାରିବା ପରେ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath