ଆନ୍ଧ୍ରପ୍ରଦେଶର ବିଜୟନଗରମ୍ର ଏହି ମହିଳା ଜଣଙ୍କ ନିଜ ଘର ଓ ଏହାର ଆଖପାଖ ଏକଦମ୍ ସଫା ରଖନ୍ତି। ଏହା 'ଘରର କାମ' – 'ମହିଳାମାନଙ୍କ କାମ'। କିନ୍ତୁ ଏହା ଘର ହେଉ କି ସାର୍ବଜନୀନ ସ୍ଥଳ ହେଉ, ସଫା କରିବାର ମଇଳା କାମ ମହିଳାମାନଙ୍କ ଦ୍ୱାରା ହିଁ ସମ୍ପନ୍ନ ହୁଏ ଏବଂ ଏଥିରୁ ସେମାନେ ରୋଜଗାର ଅପେକ୍ଷା ଅଧିକ ଗାଳି ପାଆନ୍ତି। ରାଜସ୍ଥାନର ଏହି ସଫେଇ କର୍ମଚାରୀମାନେ ସବୁଠୁ ଅଧିକ ଗାଳି ପାଆନ୍ତି। ସେ ଜଣେ ଦଳିତ ସେ ଜଣେ ହାତରେ ମଇଳା ଉଠାଉଥିବା ମେହେନ୍ତର (ମାନୁଆଲ୍ ସ୍କାଭେଞ୍ଜର) ଯିଏକି ଘରମାନଙ୍କର ପାଇଖାନାରୁ ମଇଳା ସଫା କରନ୍ତି। ସେ ରାଜସ୍ଥାନର ସିକରରେ ପ୍ରତିଦିନ ୨୫ଟି ଘରର ଏହି କାମ କରନ୍ତି।

PHOTO • P. Sainath

ଏହି କାମ ବାବଦରେ ସେ ପ୍ରତି ଘରୁ ଦୈନିକ ରୋଟି ଖଣ୍ଡେ ପାଆନ୍ତି। ମାସରେ ଥରେ ଯଦି ସେମାନେ ଦୟାପରବଶ ହୁଅନ୍ତି ତା' ହେଲେ ତାଙ୍କୁ କିଛି ଟଙ୍କା ଦିଅନ୍ତି। ଏହା ଘର ପିଛା ୧୦ ଟଙ୍କା ହୋଇପାରେ। ସରକାରୀ ଭାଷାରେ ସେ ଜଣେ 'ଭାଙ୍ଗି। କିନ୍ତୁ ସେ ନିଜକୁ ମେହେନ୍ତର କୁହନ୍ତି। ଏଭଳି ଗୋଷ୍ଠିର ଅଧିକରୁ ଅଧିକ ଲୋକ ନିଜକୁ 'ବାଲ୍ମିକୀ' ବୋଲି କୁହନ୍ତି। 

ଗୋଟିଏ ପାତ୍ରରେ ମାନବ ମଳ ସେ ମୁଣ୍ଡରେ ବୋହୁଛନ୍ତି। ଭଦ୍ର ସମାଜ ଏହାକୁ 'ରାତ୍ରୀର ମାଟି' କୁହେ। ସେ ଭାରତର ସବୁଠାରୁ ଅସହାୟ ଓ ଦଳିତ ନାଗରିକମାନଙ୍କ ମଧ୍ୟରୁ ଜଣେ। ରାଜସ୍ଥାନର ସିକରରେ ତାଙ୍କ ପରି ଶହ ଶହ ଜଣ ଅଛନ୍ତି।

ଭାରତରେ ସମୁଦାୟ କେତେ ଜଣ ମାନୁଆଲ୍ ସ୍କାଭେଞ୍ଜର ଅଛନ୍ତି? ଆମେ ବି ଠିକ୍ ଭାବରେ ଜାଣିନୁ। ୧୯୭୧ ମସିହା ଜନଗଣନା ପର୍ଯ୍ୟନ୍ତ ଏହାକୁ ଏକ ଭିନ୍ନ ବୃତ୍ତି ଭାବରେ ସୂଚିବଦ୍ଧ କରାଯାଇ ନଥିଲା। କେତେକ ରାଜ୍ୟ ସରକାର ଏହି 'ରାତ୍ରୀର ମାଟି' ଶ୍ରମିକମାନଙ୍କ ଅସ୍ତିତ୍ୱକୁ ହିଁ ସହଜ ଭାବରେ ଅସ୍ୱୀକାର କରିଦିଅନ୍ତି। ତଥାପି ତ୍ରୁଟିପୂର୍ଣ୍ଣ ତଥ୍ୟରୁ ଯାହା ଜଣାପଡ଼ିଛି ତା’ ହେଉଛି ପାଖାପାଖି ଏକ ନିୟୁତ ଦଳିତ ମାନୁଆଲ୍ ସ୍କାଭେଞ୍ଜର୍ ଭାବରେ କାମ କରୁଛନ୍ତି। ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ। ଏହି ରାତ୍ରୀର ମାଟି ସଫା କରିବା କାମ ମୁଖ୍ୟତଃ ମହିଳାମାନେ ହିଁ କରିଥା’ନ୍ତି।

ସେମାନଙ୍କ କାର୍ଯ୍ୟ ଜାତି ବ୍ୟବସ୍ଥାରେ ସବୁଠାରୁ କଦର୍ଯ୍ୟ ଧାର୍ମିକ ଦଣ୍ଡ ଭାବରେ ବିବେଚନା କରାଯାଏ। ଅସ୍ତିତ୍ୱର ପ୍ରତିଟି କ୍ଷେତ୍ରରେ ବିଶାଳ ଏବଂ ବ୍ୟବସ୍ଥିତ ଅସ୍ପୃଶ୍ୟତା ସେମାନଙ୍କ ପିଛା କରୁଥାଏ। ସେମାନଙ୍କ ବସତିଗୁଡ଼ିକ ଏକଦମ୍ ଅଲଗା ଭାବରେ ଥାଏ। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଗ୍ରାମୀଣ ସହର ଓ ନଗର ମଝାମଝି ଥାଏ। ଯେଉଁ ଗାଁଗୁଡ଼ିକ ବିନା ଯୋଜନାରେ ସହର ପାଲଟି ଯାଇଛି ସେଠାରେ କିନ୍ତୁ କେତେଗୁଡ଼ିଏ ମହାନଗରରେ ମଧ୍ୟ ଅଛି।

୧୯୯୩ ମସିହାରେ କେନ୍ଦ୍ର ସରକାର ହାତରେ ମଇଳା ସଫା କରୁଥିବା ମେହେନ୍ତରମାନଙ୍କ ନିଯୁକ୍ତି ଏବଂ ଉଠା ପାଇଖାନା ନିର୍ମାଣ (କଟକଣା) ଆଇନ ପାସ୍ କଲେ। ଏହା ହାତରେ ମଇଳା ଉଠାଇବା ବା ମାନୁଆଲ୍ ସ୍କାଭେଞ୍ଜିଙ୍ଗକୁ ନିଷେଧ କଲା। ଅନେକ ରାଜ୍ୟ ସେମାନଙ୍କ ରାଜ୍ୟରେ ଏଭଳି ଚଳଣୀର ଅସ୍ତିତ୍ୱକୁ ସହଜ ଭାବରେ ଫାଙ୍କି ଦେଇ କିମ୍ବା ନିରବ ରହି ନିଜର ପ୍ରତିକ୍ରିୟା ଜଣାଇଲେ। ସେମାନଙ୍କ ଥଇଥାନ ପାଇଁ ପାଣ୍ଠି ଅଛି ଏବଂ ଏହା ରାଜ୍ୟ ସରକାରମାନଙ୍କୁ ମିଳିଥାଏ। କିନ୍ତୁ ଯାହାର ଅସ୍ତିତ୍ୱକୁ ଅସ୍ୱୀକାର କରିଦିଆଯାଇଛି ସେମାନଙ୍କ ପାଇଁ କିଏ ଲଢ଼େଇ କରିବ? ଆଉ କେତେକ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ କରିବା ନେଇ ପ୍ରକୃତରେ କ୍ୟାବିନେଟ୍ ସ୍ତରରେ ବିରୋଧ ହୋଇଥିଲା।

PHOTO • P. Sainath

ଅନେକ ମ୍ୟୁନିସିପାଲଟିରେ ମହିଳା ସଫେଇ କର୍ମଚାରୀମାନଙ୍କୁ ଏତେ କମ୍ ପାଉଣା ଦିଆଯାଏ ଯେ ସେମାନେ ଜୀବିକା ନିର୍ବାହ ପାଇଁ ପରିମଳ କାମ ବାହାରେ ଏହି  'ରାତ୍ରୀ ମଇଳା' ଉଠାଇବା କାର୍ଯ୍ୟ କରନ୍ତି। ଅନେକ ସମୟରେ ନଗରପାଳିକାମାନେ ସେମାନଙ୍କୁ କେଇ ମାସ ପର୍ଯ୍ୟନ୍ତ ଦରମା ମଧ୍ୟ ଦେଇନଥାନ୍ତି। ୧୯୯୬ ମସିହାରେ ହରିଆଣାରେ ସଫେଇ କର୍ମଚାରୀମାନେ ଏଭଳି ବ୍ୟବହାର ବିରୋଧରେ ବଡ଼ ଧରଣର ପ୍ରତିବାଦ ଆରମ୍ଭ କଲେ। ଏହାର ପ୍ରତିକ୍ରିୟାରେ ରାଜ୍ୟ ସରକାର ଜରୁରୀ ସେବା ତତ୍ତ୍ୱାବଧାନ ଆଇନ ଭଗ୍ନ କରିବା ଅଭିଯୋଗରେ ପ୍ରାୟ ୭୦୦ ମହିଳାଙ୍କୁ ପ୍ରାୟ ୭୦ ଦିନ ଜେଲ୍ରେ ରଖିଥିଲେ। ଧର୍ମଘଟକାରୀର ଏକମାତ୍ର ଦାବି ଥିଲା -ଆମ ଦରମା ଠିକ୍ ସମୟରେ ମିଳୁ।

ଏହି କାମ ପାଇଁ ଖୁବ୍ ସାମାଜିକ ଅନୁମୋଦନ ମଧ୍ୟ ଅଛି। ଏହାକୁ ଶେଷ କରିବା ପାଇଁ ସାମାଜିକ ସଂସ୍କାର ଜରୁରୀ। ୧୯୫୦ ଓ ୧୯୬୦ ଦଶକରେ କେରଳ ବିନା ଆଇନରେ ମଧ୍ୟ 'ରାତ୍ରୀ ମଇଳା' ଧାରାରୁ ମୁକ୍ତ ହୋଇଥିଲା। ଏହି ପ୍ରଥା ବିଲୋପ ପଛରେ ମୁଖ୍ୟ କାରଣ ଥିଲା ସାଧାରଣ ଜନତାଙ୍କ ପଦକ୍ଷେପ। ଏହା ଆଜି ବି ରହିଛି।

'ଦଳିତ' ଶବ୍ଦର ଅର୍ଥ ଦମନ କରାଯାଇଥିବା କିମ୍ବା ତଳେ ପକାଇ ଦଳି ଦିଆଯାଇଥିବା। ଜାତି ବ୍ୟବସ୍ଥାରେ 'ଅସ୍ପୃଶ୍ୟ' ବିବେଚିତ ହେଉଥିବା ଗୋଷ୍ଠୀମାନେ ଏହି ଭାବରେ ନିଜକୁ ପରିଚିତ କରାନ୍ତି। ଆଇନଗତ ଭାବରେ ଅସ୍ପୃଶ୍ୟତା ଓ ତଦ୍ସମ୍ପର୍କିତ ସାମାଜିକ ଚଳଣୀ ୫୦ ବର୍ଷ ହେବ ଆଇନ ଅନୁଯାୟୀ ନିଷେଧ ହୋଇଥିଲେ ମଧ୍ୟ ସମାଜରେ ଏହା ଆଜି ବି ଅଛି।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath