ବିହାରର ଘସି ପାରୁଥିବା ଏହି ମହିଳା ଜଣକ ଜାତୀୟ ଅର୍ଥନୀତିରେ ଆଶ୍ଚର୍ଯ୍ୟଜନକ ଯୋଗଦାନ ଦେଉଛନ୍ତି। ଏହା ଆମର ଜିଡିପି (GDP) ପରିସଂଖ୍ୟାନରେ ସ୍ଥାନ ପାଇବ ନାହିଁ। ଯଦି ଜାଳେଣୀ ଭାବରେ ଘସି ବ୍ୟବହାର କରୁଥିବା ପରିବାରମାନେ ଜୀବାଶ୍ମ ଇନ୍ଧନ ଆପଣାଇବେ ତେବେ ଚଡ଼କ ପଡ଼ିଯିବ। କାରଣ ଭାରତ ପେଟ୍ରୋଲ ଓ ପେଟ୍ରୋଲ ଜାତ ସାମଗ୍ରୀ ଆମଦାନୀ ପାଇଁ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା ବିନିମୟ କରେ। ୧୯୯୯-୨୦୦୦ ମସିହାରେ ଏହି ପରିମାଣ ୪୭,୪୨୧ କୋଟି ଟଙ୍କା ବା ୧୦.୫  ବିଲିୟନ୍ ଆମେରିକୀୟ ଡଲାର୍ ଥିଲା।

PHOTO • P. Sainath

ଖାଇବା ତେଲ, ଔଷଧ ଓ ଡାକ୍ତରୀ ଉତ୍ପାଦ, ରାସାୟନିକ ଦ୍ରବ୍ୟ, ଲୁହା ଓ ଷ୍ଟିଲ୍ ଇତ୍ୟାଦି ଆମଦାନୀ ନିମନ୍ତେ ଖର୍ଚ୍ଚ କରୁଥିବା ବିଦେଶୀ ମୁଦ୍ରାର ପ୍ରାୟ ୩ ଗୁଣରୁ ଅଧିକ। ସମୁଦାୟ ଆମଦାନୀ ଖର୍ଚ୍ଚର ଏକ-ଚତୁର୍ଥାଂଶ ଆମେ ପେଟ୍ରୋଲ ଓ ପେଟ୍ରୋଲିୟମ୍ ଉତ୍ପାଦ ପାଇଁ ଖର୍ଚ୍ଚ କରୁ। 

ଏହା ଆମେ ଉର୍ବରକ ଆମଦାନୀ ପାଇଁ ଖର୍ଚ୍ଚ କରୁଥିବା ବିଦେଶୀ ମୁଦ୍ରା — ୧.୪ ବିଲିୟନ୍ ଡଲାର୍ର ଆଠ ଗୁଣ ସହ ସମାନ। ଶସ୍ୟ ଧରିବା ସମୟରେ ନିୟୁତ ନିୟୁତ ଚାଷୀ ଗୋବରକୁ ଜୈବିକ ଉର୍ବରକ ଭାବରେ ପ୍ରୟୋଗ କରନ୍ତି। ତେଣୁ ଏହା ସେ ବାଟରେ ମଧ୍ୟ ବହୁ ଅନାଲୋଚିତ ପରିମାଣର ଅର୍ଥ ସଞ୍ଚୟ କରେ। ଏହା କୀଟ ପ୍ରତିରୋଧକ ଭାବରେ ମଧ୍ୟ କାମ କରେ ଏବଂ ଏହାର ଆହୁରି ଅନେକ ଉପଯୋଗ ଅଛି। ଯେମିତି ଚାହିଁବେ ଆପଣ ଏହାକୁ ସେମିତି ବ୍ୟବହାର କରିପାରିବେ। ଆମ ଦେଶରେ ମହିଳାମାନେ ହିଁ ଗୋବର ଗୋଟାନ୍ତି — ଏବଂ 'ମହିଳାଙ୍କ କାମ' — ଏହା ପ୍ରତିବର୍ଷ ନିୟୁତ ନିୟୁତ ଡଲାର୍ ରକ୍ଷା କରେ। କିନ୍ତୁ ଯେହେତୁ ଗୋବର ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇନି କିମ୍ବା ଯେହେତୁ ସେମାନେ ଏହାକୁ ସଂଗ୍ରହ କରୁଥିବା ମହିଳାମାନଙ୍କ ବିଷୟରେ କିଛି ଜାଣନ୍ତିନି କିମ୍ବା ଜାଣିବାକୁ ଚାହାନ୍ତିନି ତେଣୁ ମୁଖ୍ୟଧାରାରେ ଥିବା ଅର୍ଥନୀତିଜ୍ଞମାନେ ଏହାର ତଥ୍ୟ ନିଜର ଅନୁଶୀଳନ ଭିତରକୁ ନିଅନ୍ତି ନାହିଁ। ସେମାନେ ଏହି ଶ୍ରମକୁ ଦେଖନ୍ତିନି କିମ୍ବା ସମ୍ମାନ ଦିଅନ୍ତି ନାହିଁ।

ମହିଳାମାନେ ଗାଈ ଓ ମଇଁଷିଙ୍କ ପାଇଁ ଚାରା ସଂଗ୍ରହ କରନ୍ତି। ସେମାନେ ଚାଷ ଓ ଅମଳ ପରେ ବଳି ପଡ଼ୁଥିବା କୁଟା, କାଠି, ଘାସ, ଅଗାଡ଼ି ଆଦି ଗୋବର ସହ ମିଶାଇ ରୋଷେଇ ପାଇଁ ଇନ୍ଧନ (ଘସି) ପ୍ରସ୍ତୁତ କରନ୍ତି। ସେମାନେ ନିଜ ଇଚ୍ଛାରେ ଏହା କରନ୍ତି, ଅବଶ୍ୟ ସେମାନଙ୍କ ପାଖରେ ବିକଳ୍ପ ବି ନଥାଏ। ଗୋବର ସଂଗ୍ରହ କରିବା ଖୁବ୍ କ୍ଲାନ୍ତିଦାୟକ କାମ ଏବଂ ଏହାକୁ ଉପଯୋଗ କରିବା ବି ଆହୁରି କଷ୍ଟକର।

PHOTO • P. Sainath

 ଭାରତକୁ ବିଶ୍ୱର ଅଗ୍ରଣୀ ଦୁଗ୍ଧ ଉତ୍ପାଦକ କରାଇବାରେ ନିୟୁତ ନିୟୁତ ମହିଳାଙ୍କର ଅସୀମ ଯୋଗଦାନ ରହିଛି । ଏଥିପାଇଁ ନୁହେଁ ଯେ ସେମାନେ ମୁଖ୍ୟତଃ ଭାରତର ୧୦୦ ନିୟୁତ ଗାଈ ଓ ମଇଁଷି ଦୁହଁନ୍ତି । ଆନ୍ଧ୍ରପ୍ରଦେଶର ବିଜୟ ନଗରମ୍ର ଏହି ମହିଳାଙ୍କ ପାଇଁ ଗାଈ ଦୁହିଁବା ଦାୟିତ୍ୱର ଏକ ଛୋଟ ଅଂଶ । ସେ ଗାଈ ପାଇଁ ଚାରା ସଂଗ୍ରହ କରିବେ, ତାକୁ ଖୁଆଇବେ, ଗାଧୋଇ ଦେବେ । ଗୁହାଳ ସଫା କରିବେ ଏବଂ ଗୋବର ସଂଗ୍ରହ କରିବେ । ତାଙ୍କ ପଡୋଶୀ ମହିଳାଜଣକ ନିଜ ଗାଈର ଦୁଗ୍ଧ ନେଇ ଦୁଗ୍ଧ ସୋସାଇଟିରେ ପହଞ୍ଚିଗଲେଣି ଓ ସେ ସେଠାରେ ସବୁ ଦେଣନେଣ ବୁଝିବେ । ଦୁଗ୍ଧ ଉତ୍ପାଦନ କ୍ଷେତ୍ରର କାର୍ଯ୍ୟ କରୁଥିବା ମହିଳାଙ୍କ ସଂଖ୍ୟା ୬୯ ରୁ ୯୩ ପ୍ରତିଶତ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ସେମାନେ ଦୁଗ୍ଧଜାତ ସାମଗ୍ରୀର ପ୍ରକ୍ରିୟାକରଣ ମଧ୍ୟ କରନ୍ତି । କହିବାକୁ ଗଲେ ମହିଳାମାନେ ସବୁ ପ୍ରକାର ପଶୁଧନର ପରିଚାଳନା ଓ ଉତ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।

PHOTO • P. Sainath

ଅନ୍ୟ ଜଣେ ପଡ଼ୋଶିନୀ ପଡ଼ିଆରୁ ମଇଁଷୀ ଫେରେଇ ଆଣୁଛନ୍ତି। ଏହି ଜୀବ ଟିକେ ବିବ୍ରତ ଅଛି। ଆକାର ଛୋଟ ହେଲେ ବି ଆକ୍ରାମକ ଅଛି। ଗୋଟିଏ ଛୋଟ କୁକୁର ଏହାର ଗୋଡ଼ରେ ଗୋଡ଼ ମାରିବାକୁ ଅପେକ୍ଷା କରିଛି। ମହିଳା ଜଣକ ଉଭୟଙ୍କ ଢଙ୍ଗ ଦେଖିଛନ୍ତି କିନ୍ତୁ ପରିସ୍ଥିତି ତାଙ୍କ ନିୟନ୍ତ୍ରଣରେ ଅଛି। ସେ ମଇଁଷିଟିକୁ ଅଡ଼େଇ ନିରାପଦରେ ଘରକୁ ନେଇପାରିବେ। ସେ ଜୀବନର ପ୍ରତ୍ୟେକଟି ଦିନ ଏହା କରି ଆସୁଛନ୍ତି।

ଗାଈଗୋରୁ କେବଳ ଦୁଗ୍ଧ  ବା ମାଂସ ଦ୍ୱାରା ଲୋକଙ୍କୁ ରୋଜଗାର ଦିଅନ୍ତି ନାହିଁ। ନିୟୁତ ନିୟୁତ ଗରୀବ ଭାରତୀୟଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୀମା ସୁରକ୍ଷା ସଦୃଶ। ଭୀଷଣ ଅଭାବ ପରିସ୍ଥିତିରେ, ଯେତେବେଳେ ରୋଜଗାରର ସବୁ ରାସ୍ତା ବନ୍ଦ ହୋଇ ଯାଇଥାଏ, ସେତେବେଳେ ଗରୀବ ଲୋକ ନିଜ ପଶୁଧନ ମଧ୍ୟରୁ ଗୋଟିଏ ଦୁଇଟି ବିକି ଚଳନ୍ତି। ତେଣୁ ଅନେକ ଗରୀବ ଭାରତୀୟଙ୍କ ମଙ୍ଗଳ ଦେଶର ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ସହ ସଂଯୁକ୍ତ। ଏହି ଗାଈଗୋରୁଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ଥାଏ ମହିଳାଙ୍କ ଉପରେ। ତଥାପି ଖୁବ୍ ମହିଳାଙ୍କର ଗୋ-ସମ୍ପଦ ଉପରେ ମାଲିକାନା ଥାଏ ବା ସେମାନେ ଏହାକୁ ନିୟନ୍ତ୍ରଣ କରନ୍ତି। ଦେଶର ୭୦,୦୦୦ ଗ୍ରାମ୍ୟସ୍ତରର ଦୁଗ୍ଧ ସମବାୟ ସମିତି (ଡିସିଏସ୍) ମଧ୍ୟରୁ ଅଧିକାଂଶରେ ପୁରୁଷଙ୍କ ପ୍ରଭୂତ୍ତ୍ଵ ରହିଛି। କେବଳ ୧୮ ପ୍ରତିଶତ ସମିତିର ସମସ୍ତ ସମିତି ସମସ୍ୟ ମହିଳା।

ଦୁଗ୍ଧ ସମବାୟ ସମିତିର ବୋର୍ଡ ମେମ୍ବରମାନଙ୍କ ମଧ୍ୟରେ ମାତ୍ର ୩ ପ୍ରତିଶତ ହିଁ ମହିଳା ଅଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath