ଖଣ୍ଡେ ବାଡ଼ି ଧରି ଧାରି ରାମ ଧୀରେ ଧୀରେ ଚାଲନ୍ତି। ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାର ଗଡ଼ିଉରା ଗାଁର ବାସିନ୍ଦା ଧାରି ରାମଙ୍କ  କପାଳ ଆଖି ପାହାଡ଼ିଆ ଅଞ୍ଚଳରେ ଟାଣ ଖରା ଯୋଗୁ କୁଞ୍ଚିତ ହୋଇଯାଇଛି। ସେ ହାର୍ନିଆ ଦ୍ୱାରା ପୀଡ଼ିତ, କିନ୍ତୁ ଅସ୍ତ୍ରୋପଚାର ପାଇଁ ତାଙ୍କ ପାଖରେ କିଛି ଟଙ୍କା ନାହିଁ। ଅସ୍ତ୍ରୋପଚାର ପାଇଁ ତାଙ୍କୁ ୧୫୦ କିମି ଦୂରରେ ତନକପୁରରେ ଥିବା ସରକାରୀ ଡାକ୍ତରଖାନାକୁ ଯିବାକୁ ହେବ ହେଲେ ହଳଦୱାନିର ଡାକ୍ତରଖାନାକୁ ଯିବାକୁ ପଡ଼ିବ ଯାହାକି  ଆହୁରି ଅଧିକ ଦୂର।

ସେ କହନ୍ତି, "ମୁଁ ମାସକୁ ଟଙ୍କାଟିଏ ବି ରୋଜଗାର କରିପାରିବି ନାହିଁ। ତେଣୁ ୬୭ ବର୍ଷୀୟ ଏହି ପୂର୍ବତନ ଶ୍ରମିକ ଧାରି ରାମ (ପଥର ଭାଙ୍ଗୁଥିଲେ) ସଂପୂର୍ଣ୍ଣ ଭାବେ ତାଙ୍କର ,୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରିଥାନ୍ତି। ସାତ ବର୍ଷ ତଳୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଭତ୍ତା ମିଳିଆସୁଛି। ଅକ୍ଟୋବର ୨୦୧୬ରେ କିନ୍ତୁ ତାହା ତାଙ୍କର ବ୍ୟାଙ୍କ୍ ଏକାଉଣ୍ଟରେ ଜମା ହେବା ବନ୍ଦ ହୋଇଗଲା। ଯେଉଁମାନେ ନିଜ ଜିଲ୍ଲାର ସାମାଜିକ ମଙ୍ଗଳ ବିଭାଗ ନିକଟରେ ସେମାନଙ୍କର ଆଧାର ବିବରଣୀ ଦାଖଲ କରିନଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ପେନସନ୍ ଯୋଜନାକୁ ବନ୍ଦ କରିଦେବାରୁ ତାଙ୍କ ଏକାଉଣ୍ଟରେ ଆଉ ଟଙ୍କା ଦାଖଲ ହେଲା ନାହିଁ।

ଏପ୍ରିଲ ୨୦୧୭ରେ ନିଜ ଗାଁଠାରୁ ପ୍ରାୟ ୬୫ କିମି ଦୂର ଚମ୍ପାୱତ ସହରରେ ଥିବା ସାମାଜିକ ମଙ୍ଗଳ ବିଭାଗରେ ନିଜର ବିବରଣୀ ଦାଖଲ କରିବାକୁ ଧାରି ରାମ ଯାଇଥିଲେ। ତାଙ୍କର ମଧ୍ୟ ଆଧାର କାର୍ଡ ଅଛି, ତିନି ବର୍ଷ ତଳେ ଭିଙ୍ଗ୍ରରା, ଯାହାର ଆଖପାଖରେ ପ୍ରାୟ ୧୦ଟି ନୋଡାଲ ସ୍ଥାନ ରହିଛି, ସେଠାରେ ଏକ ଘରୋଇ ପରିଚାଳିତ କେନ୍ଦ୍ର ଖୋଲିବା ପରେ ସେ ସେଠାରେ ଆଧାର କାର୍ଡ କରିଥିଲେ। କିନ୍ତୁ ଅତି ଯତ୍ନରେ ପ୍ଲାଷ୍ଟିକ୍ ଖୋଳ ମଧ୍ୟରେ ସେ ରଖୁଥିବା ଆଧାର କାର୍ଡରେ ତାଙ୍କ ନାଁଧନୀ ରାମଲେଖାଯାଇଛି। ଏହା ସାମାଜିକ ମଙ୍ଗଳ ବିଭାଗର ରେକର୍ଡ ସହ ମେଳ ଖାଉନାହିଁ। ତେଣୁ  ତାଙ୍କର ପେନସନ୍ ବନ୍ଦ ହୋଇଯାଇଛି।

An old man with a stick standing on a mountain path
PHOTO • Arpita Chakrabarty
Close up of a man's hands holding his Aadhaar card
PHOTO • Arpita Chakrabarty

ଆଧାର କାର୍ଡ (ଯତ୍ନର ସହ ଗୁଡ଼ାଯାଇଥିବା) ରେ ତାଙ୍କର ନାଁ ‘ଧାନି’ ରାମ ରହିଥିବାରୁ ଧାରି ରାମ ୧୫ ମାସ ହେଲା ପେନସନ୍ ପାଇନାହାନ୍ତି।

ଧାରି ରାମ ଏକୁଟିଆ ରହନ୍ତି, ତାଙ୍କର ପତ୍ନୀଙ୍କର ପ୍ରାୟ ୧୫ ବର୍ଷ ତଳୁ ମୃତ୍ୟୁ ହୋଇଯାଇଛି। ତାଙ୍କର ଏକମାତ୍ର ପୁଅ ଦିଲ୍ଲୀରେ ତାଙ୍କ ପତ୍ନୀଙ୍କ ସହ ରହୁଛନ୍ତି। ସେ ମଧ୍ୟ ସେଠାରେ ଶ୍ରମିକ ଭାବେ କାମ କରନ୍ତି। ଧାରି ରାମଙ୍କର କୌଣସି ଜମି ନାହିଁ। ଖୁବ୍ ଅନୁଚ୍ଚ ସ୍ୱରରେ ସେ କହନ୍ତି, “ଗାଁ ଲୋକମାନଙ୍କର ଆତିଥ୍ୟ ମନୋଭାବ ଯୋଗୁ କେବଳ ମୁଁ ଏବେ ଯାଏ ବଞ୍ଚି ରହିଛି। ଯେତେବେଳେ ମୁଁ ଦୋକାନକୁ ଯାଏ ସେମାନେ ମୋତେ ଦୟାକରି ଅଧା କିଲୋ ଚାଉଳ ଡାଲି ମାଗଣାରେ ଦିଅନ୍ତି। ମୋର ପଡୋଶୀମାନେ ମଧ୍ୟ ମୋତେ ଖାଇବାକୁ ଦେଇଥାନ୍ତି। କିନ୍ତୁ କେତେଦିନ ଯାଏ ସେମାନଙ୍କ ଉପରେ ନିର୍ଭର କରିବି। ସେମାନେ ମଧ୍ୟ ଗରିବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୋଭଳି ପରିସ୍ଥିତିର ସାମ୍ନା କରୁଛନ୍ତି।

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ ଆଧାର ବିବରଣୀ ସଂଯୋଗ କରିବା ଯୋଗୁ ରାଜ୍ୟର ଅତି କମରେ ୫୦,୦୦୦ ଲୋକ-ବିଧବା, ଭିନ୍ନକ୍ଷମ, ବୃଦ୍ଧମାନେ ୧୫ ମାସ ଧରି ଅକ୍ଟୋବର ୨୦୧୬ ରୁ ସେମାନଙ୍କର ପେନସନ୍ ପାଇନାହାନ୍ତି। ଡିସେମ୍ବର ୨୦୧୭ର ନ୍ୟୁଜ ରିପୋର୍ଟ ପରେ ଜାନୁଆରୀ ମାସରେ ରାଜ୍ୟ ସରକାର ଘୋଷଣା କଲେ ଯେ ମାର୍ଚ୍ଚ ୩୧, ୨୦୧୮ ତାରିଖ ପର୍ଯ୍ୟନ୍ତ ପେନସନ୍କୁ ବ୍ୟାଙ୍କ ଏକାଉଣ୍ଟରେ ଜମା କରାଯିବ। ତାପରଠାରୁ ଯେଉଁମାନେ ସେମାନଙ୍କର ଆଧାର ନମ୍ବରକୁୁ ପେନସନ ଏକାଉଣ୍ଟ ସହ ସଂଯୋଗ କରିଥିବେ ଏବଂ ସାମାଜିକ ମଙ୍ଗଳ ବିଭାଗରେ ଯେଉଁମାନଙ୍କର ବିବରଣୀ ଥିବ ସେମାନଙ୍କୁ ହିଁ ସରକାର ପେନସନ୍ ଦେବେ।

The villagers submitted an application to the District Magistrate of Champawat on Dec 23rd for opening an Aadhaar camp near their village
PHOTO • Arpita Chakrabarty
Gadiura village in Uttarakhand
PHOTO • Arpita Chakrabarty

ଗଡ଼ିଉରାର ବାସିନ୍ଦା (ବାମ) ଓ ଅନ୍ୟ ଗାଁର ଲୋକମାନେ ନିକଟବର୍ତ୍ତୀ ଭିଙ୍ଗ୍ରରା ଅଞ୍ଚଳରେ ଏକ ଆଧାର କେନ୍ଦ୍ର ସ୍ଥାପନ ପାଇଁ ଦାବି କରି ଆବେଦନ ଦାଖଲ କରିଛନ୍ତି।

ସରକାରଙ୍କ ଘୋଷଣା ପରେ ଧାରି ରାମଙ୍କର ବକେୟା ପେନସନ୍ ଭିଙ୍ଗ୍ରରାର ନ୍ୟାସନାଲ ବ୍ୟାଙ୍କରେ ଥିବା ତାଙ୍କର ଏକାଉଣ୍ଟରେ ହୁଏତ ଜମା ହୋଇଥାଇପାରେ, କିନ୍ତୁ ସେ ତାକୁ ଏବେ ଯାଏ ଯାଞ୍ଚ କରିପାରି ନାହାନ୍ତି। କିନ୍ତୁ ତାହା ପୁଣି ମାର୍ଚ୍ଚ ୩୧ ତାରିଖରେ ବନ୍ଦ ହୋଇଯିବ। ଏଭଳି କ୍ଷେତ୍ରରେ ଆଧାର କାର୍ଡରେ ଲେଖାହୋଇଥିବା ନାଁକୁ ସଂଶୋଧନ କରିବା ବ୍ୟତୀତ ଧାରି ରାମଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ।
କିନ୍ତୁ ଦୁର୍ନୀତି ଅଭିଯୋଗ ସଂପର୍କରେ ସ୍ଥାନୀୟ ମିଡିଆର ରିପୋର୍ଟ ପରେ  ଭିଙ୍ଗ୍ରରା ସମେତ ସାରା ଉତ୍ତରାଖଣ୍ଡର ୫୦୦ ଆଧାର କେନ୍ଦ୍ର ବନ୍ଦ ହୋଇଯାଇଛି। ନିକଟରେ ଚମ୍ପାୱତ୍ ଜିଲ୍ଳାରେ ଥିବା ସରକାରୀ ପରିଚାଳିତ ଆଧାର କେନ୍ଦ୍ର ମଧ୍ୟ ଡିସେମ୍ବର ୨୦୧୭ରେ ବନ୍ଦ ହୋଇଛି। ଓଭରଲୋଡ୍ ଓ ଆବେଦନ ପ୍ରକ୍ରିୟାକରଣ ହେବାପାଇଁ ଲାଗୁଥିବା ସମୟକୁ ନେଇ ମତଭେଦ ହେବା ପରେ ତାହା ବନ୍ଦ ହୋଇଛି। ଏବେ ନିକଟତମ ଆଧାର କେନ୍ଦ୍ର ଗଡ଼ିଉରାଠାରୁ ୧୪୬ କିମି ଦୂରରେ ବନବସା ସହରରେ ରହିଛି। 
‘ମୋ’ ଆଧାର କାର୍ଡରେ ହୋଇଥିବା ତ୍ରୁଟିର ସୁଧାର ପାଇଁ ମୁଁ ଚମ୍ପାୱତ୍ ଯାଇପାରିବି ନାହିଁ। ଅନ୍ୟ କାହା ସହ ଟ୍ୟାକ୍ସି ଭଡ଼ା କରି ଗଲେ ୫୦୦ ଟଙ୍କାରୁ ଅଧିକ ପଡ଼ିବ, ସେଠାରେ ଦିନଟିଏ ବିତାଇ ପୁଣି ଫେରିବାକୁ ପଡ଼ିବ। ମୁଁ କିପରି ସେତେ ଟଙ୍କା ଖର୍ଚ୍ଚ କରିପାରିବି’ ବୋଲି ଧାରି ରାମ ପଚାରନ୍ତି। "ମୋ ପାଇଁ ବନବସାକୁ ଯିବା ମଧ୍ୟ ଅସମ୍ଭବ। ସେଥିପାଇଁ ୨,୦୦୦ ଟଙ୍କା ଖର୍ଚ୍ଚ ହେବ। ତେଣୁ ବିନା ଆଧାର କାର୍ଡରେ ମୁଁ ଏଠାରେ ମରିଯିବା ଭଲ।" 

ଗଡିଉରା ଗାଁରେ (ଜନଗଣନାରେ ଗଡ଼ୁରା ଭାବେ ଉଚ୍ଚାରିତ) ରେ ପ୍ରାୟ ୫୫୦ ଜଣ ଲୋକ ବାସ କରନ୍ତି, ସେଠାକାର ପ୍ରାୟ ସବୁ ପରିବାର ସର୍ବନିମ୍ନ ସରକାରୀ ସେବା ପାଇଁ ଆଧାର କାର୍ଡକୁ ସଂଯୋଗ କରିବା ନେଇ ହୋଇଥିବା ଘୋଷଣା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯେଉଁ ଗାଁରେ ପୂର୍ବରୁ ବିପୁଳ ପରିମାଣର ଉତ୍ପାଦନ ହେଉଥିଲା  ତାହା ଏବେ ଶୁଖିଲା ପଡ଼ିଛି ଏବଂ ବେରୋଜଗାରୀ ସମସ୍ୟା ଉକ୍ରଟ ରହିଛି। ଆଧାର ନିୟମ କେବଳ ଗାଁ ଲୋକଙ୍କର ନିତିଦିନିଆ ସମସ୍ୟା ବଢ଼ାଇଛି।

ସେମାନଙ୍କ ମଧ୍ୟରେ ଅଛନ୍ତି ୪୩ ବର୍ଷୀୟା ଆଶା ଦେବୀ, ଯିଏକି ଅକ୍ଟୋବର ୨୦୧୬ ପର୍ଯ୍ୟନ୍ତ ତାଙ୍କର ବିଧବା ଭତ୍ତା ପାଇ ଆସୁଥିଲେ। ତାଙ୍କର ସ୍ୱାମୀ ସରକାରଙ୍କ ଜଳସମ୍ପଦ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ଛଅବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ୧,୦୦୦ ଟଙ୍କାର ମାସିକ ଭତ୍ତାରେ ଆଶା ଦେବୀ ତାଙ୍କର ୧୪, ୧୨ ଓ ୭ ବର୍ଷୀୟ ତିନି ପିଲାଙ୍କୁ ଗାଁ ସ୍କୁଲକୁ ପଠାଇଥାନ୍ତି। କିନ୍ତୁ ଯେତେବେଳେ ପେନସନ୍ ବନ୍ଦ ହୋଇଗଲା, ବଡ଼ ଦୁଇଟି ପିଲା ସ୍କୁଲ ଛାଡ଼ିଦେଲେ। "ସରକାରୀ ସ୍କୁଲରେ ମଧ୍ୟ ଜଣକୁ ବହିଖାତା କିଣିବାକୁ ପଡେ଼। ମୁଁ କେଉଁଠୁ ସେଥିପାଇଁ ଟଙ୍କା ଆଣିବି। ମୋ ପୁଅ ଓ ମୁଁ ଶ୍ରମିକ ଭାବେ କାମ କରିପାରିବୁ। କିନ୍ତୁ ଏଠାରେ କିଛି କାମ ନାହିଁ, ତେଣୁ ଆମେ କିପରି ଦିନ ମଜୁରିଆ ଭାବେ କାମ କରିବୁ ବୋଲି ସେ ପଚାରନ୍ତି।"

‘ଥରେ ଜଣେ ଦୋକାନୀ ମୋ’ ପାଖରେ ଟଙ୍କା ନଥିବାର ଦେଖିଲେ ସେ ମୋତେ ରାସନ୍ ଦେବା ବନ୍ଦ କରିଦିଏ। ତା’ ପରେ ମୋତେ ମୋର ଆବଶ୍ୟକୀୟ ଜିନିଷପତ୍ରକୁ ଅନ୍ୟ କେଉଁ ଦୋକାନରୁ କିଣିବାକୁ ପଡେ଼। କିଛି ଦିନ ପରେ ସେ ମଧ୍ୟ ମୋତେ ରାସନ୍ ଦେବା ବନ୍ଦ କରି ଦିଅନ୍ତି... ଏଭଳି ଆମେ ବଞ୍ଚୁ।... ’

ଭିଡିଓ ଦେଖନ୍ତୁ: ଚମ୍ପାୱତ୍ ଜିଲ୍ଳାରେ ଅନେକ ମହିଳା ଆଧାର କାର୍ଡରେ ଭୁଲ ବିବରଣୀ ଦାଖଲ ହୋଇଥିବା ଯୋଗୁ ସେମାନଙ୍କର ବିଧବା ଭତ୍ତା ପାଇନାହାନ୍ତି।

ତେବେ କ’ଣ ପାଇଁ ଆଶା ଦେବୀଙ୍କର ପେନସନ୍ ବନ୍ଦ ହେଲା? ତାଙ୍କର ଏକାଉଣ୍ଟ (ସାମାଜିକ ମଙ୍ଗଳ ବିଭାଗରେ ଥିବା ରେକର୍ଡରେ)ରେ ସ୍ୱାମୀଙ୍କ ନାମ ଗୋବିନ୍ଦ ବଲ୍ଲଭ ଲେଖାଅଛି, କିନ୍ତୁ ଆଧାର କାର୍ଡରେ ତାଙ୍କର ବାପାଙ୍କ ନାମ ବାଲକ୍ରିଷ୍ଣା ଲେଖା ଅଛି। ଏହା ଅବଶ୍ୟ ଆଉ ଗୋଟିଏ କଥା ଯେ ମହିଳାମାନଙ୍କୁ ସରକାରୀ ଫର୍ମ ଏବଂ ଆବେଦନମାନଙ୍କରେ ସ୍ୱାମୀ ନଚେତ୍ ବାପାଙ୍କର ନାମ ଲେଖିବାକୁ ପଡ଼ିଥାଏ ।

ଆଶା ଦେବୀ କହନ୍ତି, "ପେନସନ୍ ଟଙ୍କାରେ ହୁଏତ ମୁଁ ମୋର ପିଲାଙ୍କୁ ସ୍କୁଲ ପଠାଇ ପାରିଥାନ୍ତି। ମୋର କିଛି ଜମି (ପ୍ରାୟ ୨୦୦ ବର୍ଗମିଟର)ଅଛି, କିନ୍ତୁ ଏଠାରେ ବର୍ଷା ହେଉନି। ଘରୋଇ ବ୍ୟବହାର ପାଇଁ ମୁଁ କିଛି ଧନିଆ ବୁଣିଥିଲି, କିନ୍ତୁ ପାଣି ଅଭାବରୁ ତାହା ମଧ୍ୟ ଉଠିଲା ନାହିଁ। ମୁଁ ଭିଙ୍ଗ୍ରରା ସ୍ଥିତ ଦୋକାନଗୁଡ଼ିକରୁ ରାସନ୍ ସାମଗ୍ରୀ ଚାଉଳ, ଡାଲି,ତେଲ  ଓ ଅନ୍ୟାନ୍ୟ ସାମଗ୍ରୀ  କିଣୁଥିଲି। କିନ୍ତୁ ଥରେ ମୋ ପାଖରେ ଟଙ୍କା ନଥିବାର ଦେଖିଲେ ଦୋକାନୀ ମୋତେ ଜିନିଷପତ୍ର ଦେବା ବନ୍ଦ କରିଦିଅନ୍ତି। ତା’ ପରେ ଅନ୍ୟ ଏକ ଦୋକାନରୁ ମୁଁ ସଉଦାପତ୍ର କିଣେ। ସେ ମଧ୍ୟ କିଛି ଦିନ ପରେ ମୋତେ ଜିନିଷପତ୍ର ଦେବା ବନ୍ଦକରି ଦିଅନ୍ତି। ତା’ ପରେ ମୁଁ ଅନ୍ୟ ଏକ ଦୋକାନକୁ ଯାଏ। ଏହିଭଳି ଆମେ ଆମର ଜୀବନ ବଞ୍ଚୁ। ଏଠାରେ କିଛି କାମ ନାହିଁ। କିଛି ଟଙ୍କା ନାହିଁ। ଏଭଳି ସ୍ଥିତିରେ ଆମେ ସରକାରଙ୍କଠାରୁ ଯେଉଁ ଅଳ୍ପ ଟଙ୍କା ପାଉଥିଲୁ ତାକୁ ଆଧାର ଛଡ଼ାଇନେଲା।"

ଭିଡିଓ ଦେଖନ୍ତୁ: ନିତ୍ୟାନନ୍ଦ ଭଟ୍ଟ ପଚାରନ୍ତି, "ଆମକୁ କ’ଣ ପାଇଁ ଆଧାର ଆବଶ୍ୟକ?"

ଅନେକ ମହିଳାଙ୍କ ଆଧାର କାର୍ଡରେ ସେମାନଙ୍କର ସ୍ୱାମୀ ବା ବାପାଙ୍କ ନାମ ଅଲଗା ଥିବାରୁ  ସେମାନେ ପେନସନ୍ ପାଇନଥିବାବେଳେ କିଛି ଲୋକଙ୍କର ସାଙ୍ଗିଆ ଲେଖାହୋଇନଥିବାରୁ ସେମାନଙ୍କୁ ଏତେଦିନ ହେଲା ପେନସନ୍ ମିଳିନି। କିଛି ଲୋକଙ୍କର ଆଧାର କାର୍ଡରେ ସାଙ୍ଗିଆର ମାତ୍ରା ଭୁଲ୍ ହୋଇଥିବାରୁ ସେମାନେ ପେନସନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଲୀଳାଧର ଶର୍ମାଙ୍କର ବାର୍ଦ୍ଧକ୍ୟ ପେନସନ୍  ଏହିଭଳି ଏକ ତ୍ରୁଟି ଯୋଗୁ ବନ୍ଦ ହୋଇଛି। ୭୨ ବର୍ଷୀୟ ଅବସରପ୍ରାପ୍ତ ଚାଷୀ ଲୀଳାଧର ପଚାରନ୍ତି, "ମୋ ଆଧାର କାର୍ଡରେ ମୋର ସାଙ୍ଗିଆ ନ  ରହିବା କାହାର ଭୁଲ୍? ନିଶ୍ଚିତ ଭାବେ ମୋର ନୁହେଁ। କିନ୍ତୁ ଏଥିପାଇଁ ମୋତେ ଭୋଗିବାକୁ ପଡୁଛି।"

ତେଣୁ ବହୁ ଦୂରରେ ଥିବା ଆଧାର କେନ୍ଦ୍ରକୁ ଯାଇ ସମୟ ଓ ଅର୍ଥ ଖର୍ଚ୍ଚ କରି ଆଧାର କାର୍ଡରେ ପରିବର୍ତ୍ତନ କରିବା ଅପେକ୍ଷା ଶର୍ମା ଓ ଅନ୍ୟମାନେ ଆଉ ଏକ ସମାଧାନ ବାହାର କରିଛନ୍ତି। "ଆମ ମଧ୍ୟରୁ କିଛି ନୂଆ ବ୍ୟାଙ୍କ୍ ଏକାଉଣ୍ଟ ଖୋଲୁଛନ୍ତି (ଆଧାର କାର୍ଡରେ ଯେଉଁ ନାମ ରହିଛି ସେଥିସହିତ) କାରଣ ଏଭଳି ମେଳ ଖାଉନଥିବା ବିବରଣୀ  କାମ କରିବା ବନ୍ଦ କରିଦେବ ଯେତେବେଳେ ଆଧାର ବାଧ୍ୟତାମୂଳକ ହେବ।"

ସତୀଶ ଭଟ୍ଟଙ୍କ ପରିବାରରେ ୨୦୧୬ ଅକ୍ଟୋବରଠାରୁ ଦୁଇଟି ପେନସନ ବନ୍ଦ ହୋଇଯାଇଛି, ଗୋଟିଏ ତାଙ୍କ ମା ଦୁର୍ଗା ଦେବୀଙ୍କର ଏବଂ ଅନ୍ୟଟି ତାଙ୍କର ମାନସିକ ଭାବେ ଭିନ୍ନକ୍ଷମ ଭାଇ ରାଜୁଙ୍କର। ଦୁର୍ଗା ଦେବୀଙ୍କର ଆଧାର କାର୍ଡରେ ତାଙ୍କ ବାପାଙ୍କ ନାଁ ଯୋଗ ଦତ୍ତ ଲେଖାଯାଇଛି, ଯେତେବେଳେକି ତାଙ୍କର ବିଧବା ଭତ୍ତା ଆକାଉଣ୍ଟରେ ତାଙ୍କ ସ୍ୱାମୀଙ୍କ ନାଁ ନାରାୟଣ ଦତ୍ତ ଭଟ୍ଟ ଲେଖାଯାଇଛି। ନିକଟରେ ସରକାରଙ୍କ ଘୋଷଣା ପରେ, ୧୫ ମାସ ଧରି ଥିବା ତାଙ୍କର ପେନସନ ୯,୦୦୦ ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇଯାଇଛି। ସେ ବିବରଣୀ ସବୁକୁ ସଂଶୋଧନ ନ କରାଇଲେ ପୁଣି ଥରେ ମାର୍ଚ୍ଚଠାରୁ ପେନସନ ବନ୍ଦ ହୋଇଯିବ।

A young man sitting on a chair outdoors
PHOTO • Arpita Chakrabarty
A woman sitting outside her home in a village in Uttarakhand
PHOTO • Arpita Chakrabarty

ରାଜୁ ଭଟ୍ଟ (ବାମ) ଙ୍କର ଭିନ୍ନକ୍ଷମ ଭତ୍ତା ଆଧାର ପାଇଁ ବନ୍ଦ ହୋଇଯାଇଛି। ସେ ଆଧାର ପଞ୍ଜୀକରଣ କରାଇଥିଲେ, ଗୋଟିଏ ରିସିପ୍ଟ ପାଇଥିଲେ, କିନ୍ତୁ କାର୍ଡ ମିଳିଲା ନାହିଁ। ତାଙ୍କ ମା ଦୁର୍ଗା ଦେବୀ (ଡାହାଣ) ଙ୍କର ବିଧବା ଭତ୍ତା ମଧ୍ୟ ଆଧାର ପାଇଁ ବନ୍ଦ ହୋଇଯାଇଛି।

ରାଜୁଙ୍କ ପେନସନ ବନ୍ଦ ହୋଇରହିଛି। ସତୀଶ ଗାଁ ନିକଟରେ ଥିବା ନିର୍ମାଣ  କ୍ଷେତ୍ର ଗୁଡିକରେ କାମ କରି ମାସକୁ ଯେଉଁ ୬,୦୦୦ ଟଙ୍କା ରୋଜଗାର କରୁଛନ୍ତି, ସେଥିରେ ସ୍ତ୍ରୀ, ଦୁଇ ପିଲା, ମା ଓ ଭାଇଙ୍କୁ ନେଇ ଛଅଜଣିଆ ପରିବାରର ଭରଣପୋଷଣ କରୁଛନ୍ତି। ରାଜୁକୁ ଆଧାର କାର୍ଡ ପାଇଁ ପଞ୍ଜୀକରଣ କରାଇବାକୁ ଅକ୍ଟୋବର ୨୦୧୭ରେ ୨,୦୦୦ ଟଙ୍କା ଦେଇ ଗୋଟିଏ କାର୍ ଭଡା କରି ସତୀଶ ଚମ୍ପାୱତରେ ଥିବା ଆଧାର କେନ୍ଦ୍ରକୁ ନେଇ ଯାଇଥିଲେ। ସତୀଶ କହନ୍ତି "ଯେତେବେଳେ ମୋ ଭାଇକୁ ଆଖି ସ୍କାନ୍ ପାଇଁ ଆଖି ଖୋଲିବାକୁ କୁହାଗଲା ସେ ତୁରନ୍ତ ଆଖି ପତା ବନ୍ଦ କରିଦେଉଥିଲା। ସେ ମାନସିକ ଭାବେ ଅସୁସ୍ଥ, ସେ ଅନେକ କଥା ବୁଝିପାରେନାହିଁ। ଆମେ ତାକୁ ବାଧ୍ୟ କରିପାରିବୁ ନାହିଁ। ତେବେ ଆମେ ତାର ପଞ୍ଜୀକରଣ ନେଇ ଗୋଟିଏ ମାନ୍ୟତାପତ୍ର (ଆକନଲେଜମେଣ୍ଟ)   ପାଇଥିଲୁ, କିନ୍ତୁ ଆମକୁ ପରେ କୁହାଗଲା ତାର ପଞ୍ଜୀକରଣ ରଦ୍ଧ ହୋଇଯାଇଛି। ତାକୁ ପୁଣି ଥରେ ପଞ୍ଜୀକରଣ କରାଇବାକୁ ହେବ। କେବଳ ଏଥିପାଇଁ ମୁଁ ପୁଣି ଥରେ କେମିତି ହଜାର ହଜାର ଟଙ୍କା ଖର୍ଚ୍ଚ କରିପାରିବି।" 

ବାଲାତାରୀ, କରୋଲି, ଚଲଥିଆ, ଭିଙ୍ଗରାରା, ବିରଗୁଲ ଏବଂ ପିନାନା ଭଳି ନିକଟବର୍ତ୍ତୀ ଅନେକ ଗ୍ରାମାଞ୍ଚଳରେ ଲୋକଙ୍କର ଏମିତି ଅନେକ ଦୁଃଖଦ କାହାଣୀ ରହିଛି। ଡିସେମ୍ବର ୨୩, ୨୦୧୭ ତାରିଖରେ ସେ ଜିଲ୍ଲାପାଳଙ୍କୁ ଗୋଟିଏ ଦରଖାସ୍ତ ଦେଇ ଭିଙ୍ଗରାରାରେ ଗୋଟିଏ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଥିଲେ। ଏ ଯାଏଁ ସେମାନେ କୌଣସି ଉତ୍ତର ପାଇ ନାହାନ୍ତି।

ଉତ୍ତରାଖଣ୍ଡ ସାମାଜିକ କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ରଣବୀର ସିଂ ମଧ୍ୟ ଏ କଥାରେ ଦ୍ୱିମତ ନୁହନ୍ତି ଯେ ଏବେ ବି ରାଜ୍ୟରେ ଅତିକମରେ ୫୦,୦୦୦ରୁ ଅଧିକ ଲୋକ ୨୦୧୬ ଅକ୍ଟୋବରଠାରୁ ସେମାନଙ୍କ  ପେନସନ ପାଇନାହାନ୍ତି। ସେ କହନ୍ତି, "ଆଧାରକୁ ବାଧ୍ୟତାମୂଳକ କରାଯାଇଛି, ଏବଂ ମୁଁ ଅବଗତ ଅଛି ଯେ ଏ ନେଇ ଜଟିଳତା ଅଛି। ଆମେ ସେ ଦିଗରେ କାମ କରୁଛୁ। ଯେଉଁ ମାନଙ୍କର ଆଧାର କାର୍ଡ ନାହିଁ ବା ଯେଉଁମାନଙ୍କର ଆଧାରରେ ଭୁଲ ବିବରଣୀ ରହିଛି ସେମାନଙ୍କ ପାଇଁ ମାର୍ଚ୍ଚ ୩୧, ୨୦୧୮ ତାରିଖକୁ ସମୟସୀମା ଘୁଞ୍ଚାଯାଇଛି। ଯଦି ସମସ୍ୟା ତଥାପି ରହେ, ତେବେ ଆମେ ସମୟସୀମା ଘୁଞ୍ଚାଇବା କଥା ବିଚାର କରିବୁ। କିନ୍ତୁ ସେମାନଙ୍କୁ ବିଭାଗରେ ସେମାନଙ୍କ ଆଧାର ସବିଶେଷ ଦାଖଲ କରିବାକୁ ହେବ। ଏବଂ ଯଦି ଜଣେ ବ୍ୟକ୍ତିଙ୍କ ନାଁ ତାଙ୍କ ଆଧାର କାର୍ଡରେ ଭୁଲ ବନାନ ଲେଖାଯାଇଛି, ତେବେ ଆମେ ତାକୁ ହିଁ ତାଙ୍କର ଚୂଡାନ୍ତ ନାଁ ଭାବେ ଧରିନେବୁ, ଯାହା ଫଳରେ ସେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ।"

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty